Unknown

 

 

 

 

 

 

 

 

 

 

 

ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

 

୧.

ଓଡ଼ିଆ ଉପନ୍ୟାସରେ କୃଷକର ଚିତ୍ର

ଶ୍ରୀ ହରିହର ମିଶ୍ର

୨.

ଓଡ଼ିଆ କଥା ସାହିତ୍ୟରେ ଅନୁନ୍ନତ ସଂପ୍ରଦାୟର ଚିତ୍ର

ଡଃ ରତ୍ନାକର ଚଇନି

୩.

ଓଡ଼ିଆ ଗଳ୍ପ ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ଚିତ୍ର

ଶ୍ରୀ ରମେଶ ଚନ୍ଦ୍ର ଧଳ

୪.

ଓଡ଼ିଆ ସାମାଜିକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଡଃ ଶରତ ଚନ୍ଦ୍ର ପ୍ରଧାନ

୫.

ଓଡ଼ିଆ ଐତିହାସିକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଶ୍ରୀ ବାଉରୀବନ୍ଧୁ କର

୬.

ରାଜନୈତିକ କଥା ସାହିତ୍ୟ

ଡଃ କୃଷ୍ଣଚରଣ ବେହେରା

୭.

ମନସ୍ତତ୍ତ୍ଵଭିତ୍ତିକ ଓଡିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଶ୍ରୀ ବିଭୂତି ପଟ୍ଟନାୟକ

୮.

ଓଡ଼ିଆ ଉପନ୍ୟାସ ଓ ଗଳ୍ପର ଗଠନଶୈଳୀ

ଶ୍ରୀ ଉଜ୍ଜ୍ୱଳ ପାଢୀ

୯.

ଓଡ଼ିଆ ଗଳ୍ପ ସାହିତ୍ୟରେ ଗୋପୀନାଥ ମହାନ୍ତିଙ୍କ ଭୂମିକା

ମହାପାତ୍ର ନୀଳମଣି ସାହୁ

Image

 

ପ୍ରାକ୍-କଥନ

 

ଗତବର୍ଷ ମାର୍ଚ୍ଚ ମାସରେ ଫୁଲବାଣୀଠାରେ ‘‘ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ’’ ସମ୍ପର୍କରେ ଏକ ଆଲୋଚନା-ଚକ୍ର ଓଡ଼ିଶା ସାହିତ୍ୟ ଅକାଦମୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ପଠିତ ପ୍ରବନ୍ଧ ସବୁ ଏକତ୍ର ଏଥିରେ ସମ୍ପୁଟିତ ହେଉଅଛି । ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ସାହିତ୍ୟର ଆଲୋଚକ, ସମୀକ୍ଷକ ଓ ଗବେଷକମାନଙ୍କ ପକ୍ଷରେ ଏହା ନିଶ୍ଚିତ ଭାବରେ ସହାୟକ ହେବ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପର ଧାରା ଯେପରି ବର୍ଣ୍ଣାଢ୍ୟ, ସେହିପରି ବିଭବଶାଳୀ । ଉପନ୍ୟାସ ତୁଳନାରେ କ୍ଷୁଦ୍ରଗଳ୍ପ ଓଡ଼ିଆ ସାହିତ୍ୟରେ ଯେ ବଳିଷ୍ଠତର, ତାହା ଯେକୌଣସି ଅନାସକ୍ତ ସମାଲୋଚକ ସ୍ୱୀକାର କରିବେ । କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଯେତେ ପରୀକ୍ଷା, ନିରୀକ୍ଷା ହୋଇଛି ଓ ହେଉଛି ଏହା ଯେତେ ନୂତନ ପ୍ରତିଭାଧାରୀ ଲେଖକମାନଙ୍କୁ ଆକୃଷ୍ଟ କରି ପାରିଛି, ଉପନ୍ୟାସ ତାହା ତୁଳନାରେ ସେତେଟା ସଫଳତା ଅର୍ଜନ କରିପାରି ନାହିଁ । ଉପନ୍ୟାସ କ୍ଷେତ୍ରରେ ଆସିଛି ସ୍ଥାଣୁତ୍ୱ, କିନ୍ତୁ କ୍ଷୁଦ୍ରଗଳ୍ପ ଏକ ଚପଳଛନ୍ଦା ସ୍ରୋତସ୍ଵତୀ । ଏହାର କାରଣ ଓ ପୃଷ୍ଠଭୂମି ଆଲୋଚନା କରିବାର କ୍ଷେତ୍ର ଏହା ନୁହେଁ । କାରଣ ତାହା ଏକ ସ୍ୱତନ୍ତ୍ର ଗବେଷଣାମୂଳକ ନିବନ୍ଧରେ ପରିଣତ ହୋଇଯିବ । ଆଲୋଚକମାନଙ୍କର ଚିନ୍ତାର ଉଦ୍ରେକ ପାଇଁ ସୂଚନାରେ କେବଳ ଏହାକୁ ଏଠାରେ ବ୍ୟକ୍ତ କରାଯାଇଅଛି ।

 

ଓଡ଼ିଆ କ୍ଷୁଦ୍ରଗଳ୍ପ ସମ୍ପର୍କରେ ଆଉ ଏକ ଜାଣିବାର କଥା, ତୁଳନାତ୍ମକ ଇତିହାସ ଦୃଷ୍ଟିରୁ, ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟରେ ହିଁ ସର୍ବପ୍ରଥମ କ୍ଷୁଦ୍ରଗଳ୍ପ ଲିଖିତ ହୋଇଥିଲା । ୧୮୬୮ ଖ୍ରୀ:ଅ:ରେ ‘ବୋଧଦାୟିନୀ’ ପତ୍ରିକାରେ ଫକୀରମୋହନ ‘ଲଛମନିଆ’କୁ ‘ଗଳ୍ପ’ ନାମରେ ହିଁ ଅଭିହିତ କରିଅଛନ୍ତି । ଆଙ୍ଗିକଗତ ବିଶେଷ ତାତ୍ପର୍ଯ୍ୟ ଦୃଷ୍ଟିରୁ ରବୀନ୍ଦ୍ରନାଥ ହିଁ ପ୍ରଥମେ ‘ଦେନା ପାଓନା’ ଗଳ୍ପରେ (୧୮୯୧ ଖ୍ରୀ:ଅ:) ପ୍ରଥମେ ବ୍ୟବହାର କରନ୍ତି ‘ଛୋଟ ଗଳ୍ପ’ (Short Story) ଅଭିଧା । ଫକୀରମୋହନ ଏଥି ସହିତ ସେତେବେଳେ ପରିଚିତ ନ ଥିଲେ । ସେଥିପାଇଁ ତାଙ୍କର କ୍ଷୁଦ୍ରଗଳ୍ପ ସବୁ ରହିଯାଇଛି ‘ଗଳ୍ପ ସଳ୍ପ’ ସ୍ତରରେ । ରବୀନ୍ଦ୍ରନାଥ ଓ ଫକୀରମୋହନ ପ୍ରାୟ ସମସାମୟିକ କାଳରେ କ୍ଷୁଦ୍ରଗଳ୍ପ ରଚନା ବିଧିବଦ୍ଧ ଭାବରେ ଆରମ୍ଭ କରିଥିଲେ । କିନ୍ତୁ ରବୀନ୍ଦ୍ରନାଥଙ୍କ ପ୍ରଥମ ପର୍ଯ୍ୟାୟର କ୍ଷୁଦ୍ରଗଳ୍ପ (ଯଥା : ଭିକାରିଣୀ, ଘାଟେର କଥା, ରାଜପଥେର କଥା ଓ ଦେନା ପାଓନା ପ୍ରଭୃତି), ଆଙ୍ଗିକ ଦୃଷ୍ଟିରୁ ଥିଲା ଯେପରି ଶିଥିଳ, ସେହିପରି ବିସ୍ରସ୍ତ । କିନ୍ତୁ ୧୮୯୬ ଖ୍ରୀ:ଅ:ରୁ ୧୯୦୦ ଖ୍ରୀ:ଅ: ମଧ୍ୟରେ କୌଣସି ସମୟରେ ରଚିତ ଫକୀରମୋହନଙ୍କ ‘ରେବତୀ’ ଓ ତା’ର ପରବର୍ତ୍ତୀ ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପ, ଆଙ୍ଗିକ, ରୀତି ଓ ରସୋତ୍ତୀର୍ଣ୍ଣତା ଦୃଷ୍ଟିରୁ ସେ ଅଧିକତର ସଫଳ, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଉପନ୍ୟାସ ଏକ ବିଶେଷ ସାମାଜିକ ପରିବେଶର ସୃଷ୍ଟି । କ୍ଷୁଦ୍ରଗଳ୍ପର ପାଠକ ଗୋଷ୍ଠୀ, ନିର୍ଦ୍ଦିଷ୍ଟ ବିଦଗ୍‌ଧ ସମାଜ ମଧ୍ୟରେ ସୀମିତ । କିନ୍ତୁ ଉପନ୍ୟାସର ପାଠକଗୋଷ୍ଠୀ ଏଥିରୁ ଅତିକ୍ରାନ୍ତ । ସମାଜର ଅର୍ଥନୈତିକ, ସାଂସ୍କୃତିକ ଓ ପାରିପାର୍ଶ୍ଵିକ ପରିସ୍ଥିତି ସହିତ ଏହାର ନାଭିସୂତ୍ର ସଂଯୋଗ ରହିଛି । ସେଥିପାଇଁ ‘ଛ’ମାଣ ଆଠଗୁଣ୍ଠ’ ବା ‘ମାଟିର ମଣିଷ’ ଓଡ଼ିଆ ପାଠକର ଯେତେ ନିକଟବର୍ତ୍ତୀ ହୋଇ ପାରିଛି, କାହ୍ନୁଚରଣଙ୍କ ‘ଅଦେଖା ହାତ’, ‘ତୁଣ୍ଡବାଇଦ’ ଯେତେ ଜନପ୍ରିୟତା ଅର୍ଜନ କରିପାରିଛି, ତାହା ତୁଳନାରେ କଳାଗତ ଦୃଷ୍ଟିରୁ ଅଧିକ ସଫଳତାର ଅଧିକାରୀ ‘ମଲାଜହ୍ନ’ ଓ ‘ମନେମନେ’କୁ ତୁଳନା କଲେ ଏହାର ତାତ୍ପର୍ଯ୍ୟ କିଛିଟା ସ୍ପଷ୍ଟ ହେବ । ଓଡ଼ିଶାର ଜନଜୀବନରେ ଆଶାନୁରୂପ ପାରିପାର୍ଶ୍ଵିକ ଅଗ୍ରଗତି ତଥାପି ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସେଥିପାଇଁ ଉପନ୍ୟାସ ମଧ୍ୟ ରହି ଯାଇଛି, ସେହି ସ୍ତରରେ । ତଥାପି ଏହି ପରିସୀମା ମଧ୍ୟରେ ଓଡ଼ିଆ ଉପନ୍ୟାସରେ ଯେ ଅଗ୍ରଗତି ହୋଇ ନାହିଁ, ଏହା ଅସ୍ୱୀକାର କରିବା ମଧ୍ୟ ଏକଦେଶ ଦର୍ଶିତା ହେବ । କିନ୍ତୁ ଇଂରାଜୀରେ କଥା ଅଛି One swallow does not make a Summer.

 

ମୁଁ ଆଶାକରେ ଏହି ସଙ୍କଳନରେ ସନ୍ନିବିଷ୍ଟ ପ୍ରବନ୍ଧଗୁଡ଼ିକ ଏ ଦିଗରେ ନୂତନ ଦିଗ୍‌ଦର୍ଶନ ଦେବ ଓ ଚିନ୍ତାର ଖୋରାକ ଯୋଗାଇବ ।

 

ଶିବାନୀ

ସୁରେନ୍ଦ୍ର ମହାନ୍ତି

କଟକ–୮

ସଭାପତି

ତା ୯–୪–୮୨

ଓଡ଼ିଶା ସାହିତ୍ୟ ଅକାଦମୀ

Image

 

ଦୁଇ ପଦ

 

୧୯୮୧ ମସିହା ମାର୍ଚ୍ଚ ମାସ ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘‘ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ’’ ବିଷୟକ ଆଲୋଚନା-ଚକ୍ରରେ ପଠିତ ପ୍ରବନ୍ଧଗୁଡ଼ିକ ଏହି ସଂକଳନରେ ପ୍ରକାଶ କରାଯାଇଛି ।

 

ଫୁଲବାଣୀରେ ଅନୁଷ୍ଠିତ ଆଲୋଚନା-ଚକ୍ରକୁ ସାଧାରଣଭାବେ ଅନୁଷ୍ଠିତ ହେଉଥିବା ଆଲୋଚନା-ଚକ୍ରଠାରୁ ସାମାନ୍ୟ ଭିନ୍ନଭାବରେ କେତେକ ପ୍ରଯୋଜିତ କରାଯିବାର ଚେଷ୍ଟା କରାଯାଇଥିଲା । କେତେକ ଅନାଲୋଚିତ ବା ସ୍ଵଳ୍ପ ଆଲୋଚିତ ଦିଗ ସମ୍ପର୍କରେ ବିଷଦ ଆଲୋଚନା ଓ ଆଲୋକପାତ ଜରିଆରେ ଆମର ଗଳ୍ପ ଓ ଉପନ୍ୟାସ ସାହିତ୍ୟ ଆମ ସମାଜର ବିଭିନ୍ନ ଇଲାକା ଓ ପରମ୍ପରା ସହିତ କେତେଦୂର ସମ୍ପୃକ୍ତ ବା ଅସଂଯୁକ୍ତ ତାହା ଏପରି ଆଲୋଚନା ମାଧ୍ୟମରେ ନିର୍ଣ୍ଣୟ କରିବା ଥିଲା ଏପରି ପ୍ରଯୋଜନାର ଲକ୍ଷ୍ୟ ।

 

ଆଲେଚା-ଚକ୍ରରେ ଅଂଶଗ୍ରହଣ କରିଥିବା ବିଦ୍ୱାନ ପ୍ରାବନ୍ଧିକ ଓ ଆଲୋଚକମାନଙ୍କ ସହଯୋଗକ୍ରମେ ଏ ଆଲୋଚନା-ଚକ୍ର ସାଫଲ୍ୟମଣ୍ଡିତ ହୋଇଛି । ଏଥିରେ ଉପନ୍ୟାସ ଓ ଗଳ୍ପ ସାହିତ୍ୟର ଯେଉଁ କେତେକ ନୂତନ ଦିଗ ସମ୍ପର୍କରେ ଆଲୋଚନାର ଆୟମାରମ୍ଭ କରାଯାଇଛି ସେ ଦିଗଗୁଡ଼ିକ ସମ୍ପର୍କରେ ଭବିଷ୍ୟତରେ ଅଧିକ ଅନୁଧ୍ୟାନ ଓ ଆଲୋଚନା ପାଇଁ ଏ ଆଲେଚନା-ଚକ୍ର ନିଶ୍ଚିତଭାବେ କ୍ଷେତ୍ର ପ୍ରସ୍ତୁତ କରି ପାରିଛି ବୋଲି କୁହାଯାଇପାରେ ।

 

କିଞ୍ଚିତ୍‍ ନୂତନ ଦିଗ୍‌ଦର୍ଶନ ଓ ସ୍ଵାଦର ପ୍ରବନ୍ଧ ସମ୍ବଳିତ ଏହି ସଂକଳନଟି ପାଠକ ସାଧାରଣଙ୍କ ଦ୍ଵାରା ଆଦୃତ ହେବ ବୋଲି ଆଶା କରୁଛି ।

 

କୈଳାଶ ବିହାରୀ ଦାସ

ସହକାରୀ ସମ୍ପାଦକ

Image

 

ଫୁଲବାଣୀ ସାହିତ୍ୟ ଆଲୋଚନାଚକ୍ର ଉପଲକ୍ଷେ

ସମ୍ପାଦକ ଶ୍ରୀ ରାଇଚରଣ ଦାସଙ୍କ ପ୍ରଦତ୍ତ

ଭାଷଣର କିୟଦାଂଶ

 

ଆମ ପକ୍ଷରେ ଅତିଶୟ ଆନନ୍ଦର କଥା ଯେ, ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଫୁଲବାଣୀଠାରେ ‘‘ଆଧୁନିକ ଉପନ୍ୟାସ ଓ ଗଳ୍ପ ସାହିତ୍ୟ’’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି ।

 

ଏହି ଫୁଲବାଣୀ ଜିଲ୍ଲାର ଉନ୍ନତ ଓ ଅତି ପ୍ରାଚୀନ ସାଂସ୍କୃତିକ ପରମ୍ପରାର ଏକ ଗୌରବମୟ ଐତିହ୍ୟ ରହିଛି । ‘ବଉଦ’ ବହୁକାଳ ଧରି ମହାଯାନ ଓ ତାନ୍ତ୍ରିକ ବୁଦ୍ଧଧର୍ମର ପୀଠସ୍ଥଳୀ ଥିଲା । କେତେକ ଐତିହାସିକଙ୍କ ମତରେ, ଓଡ଼ିଶାର ଅନ୍ୟାନ୍ୟ ସ୍ଥାନଠାରୁ ବଉଦରେ ଅପେକ୍ଷାକୃତ ଦୀର୍ଘଦିନଧରି ବୁଦ୍ଧଧର୍ମର ପ୍ରଭାବ ବଳବତ୍ତର ଥିଲା । ଏଠାରେ ଅଷ୍ଟମ-ନବମ ଶତାବ୍ଦୀର ବୋଲି ବିଶ୍ଵାସ କରାଯାଉଥିବା ‘ଭୂମିସ୍ପର୍ଶ’ ମୁଦ୍ରାରେ ଉପବେଶନ କରିଥିବା ବୁଦ୍ଧଙ୍କର ବିଗ୍ରହ ଅଛି । ବହୁକାଳ ଧରି ସ୍ଥାନୀୟ ଲୋକଙ୍କର ସାମାଜିକ ଓ ଧାର୍ମିକ ଜୀବନରେ ଏହା ଗୁରୁତ୍ଵପୂର୍ଣ୍ଣ ଅଂଶ ଗ୍ରହଣ କରିଆସିଛି । ‘ବୁଦ୍ଧରାଜା’ର ଅପଭ୍ରଂଶ ‘ବୁଢ଼ାରାଜା’ ରୂପରେ ଏହା ଆଜି ମଧ୍ୟ ପୂଜା ପାଉଛି-। ଏଠାରେ ‘ରାମେଶ୍ୱର’ ମନ୍ଦିରର ପ୍ରାଙ୍ଗଣରେ ମହାଯାନ ଓ ତାନ୍ତ୍ରିକ ବୌଦ୍ଧଧର୍ମର ବହୁ ମୂର୍ତ୍ତି (ଉଗ୍ରତାରା ଇତ୍ୟାଦି) ଦେଖିବାକୁ ମିଳେ । ନବମ ଶତାବ୍ଦୀର ବୋଲି ନିର୍ଣ୍ଣୟ କରାଯାଇଥିବା ଦୁଇଗୋଟି ବ୍ରୋଞ୍ଜ ମୂର୍ତ୍ତି, ମଧ୍ୟ ବଉଦରୁ ଆବିଷ୍କାର କରାଯାଇଛି । ଗୋଟିଏ ‘ଲଳିତ’ ମୁଦ୍ରାରେ ମୈତ୍ରେୟଙ୍କ ମୂର୍ତ୍ତି ଅନ୍ୟଟି ‘ବରଦା’ ମୁଦ୍ରାରେ ‘ଶଙ୍ଖନାଥଲୋକେଶ୍ଵର’ଙ୍କ ମୂର୍ତ୍ତି । ଏହି ବୌଦରେ ତିନୋଟି ନକ୍ଷତ୍ରାକୃତି ବା ଷଷ୍ଠକୋଣ ବିଶିଷ୍ଟ ଶିବ ମନ୍ଦିର ଏବେବି ବିଦ୍ୟମାନ ।

 

ଗନ୍ଧରାଢ଼ୀର ଯୁଗ୍ମ ମନ୍ଦିର ମଧ୍ୟରୁ ଗୋଟିକରେ ନୀଳମାଧବ ବିଷ୍ଣୁମୂର୍ତ୍ତି ଓ ଅନ୍ୟଟିରେ ସିଦ୍ଧେଶ୍ଵର ଶିବଲିଙ୍ଗ ସ୍ଥାପିତ । ଭୁବନେଶ୍ଵର ପରଶୁରାମେଶ୍ଵର ମନ୍ଦିରର ସ୍ଥାପତ୍ୟସହ ଏହାର ବହୁ ସାମଞ୍ଜସ୍ୟ ରହିଛି । ଏହି ମନ୍ଦିରଦ୍ୱୟ ୮ମ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ । ନୀଳମାଧବ ମନ୍ଦିର ଉପରେ ଚକ୍ର ଓ ସିଦ୍ଧେଶ୍ଵର ମନ୍ଦିର ଉପରେ ଶିବଲିଙ୍ଗ ସ୍ଥାପିତ ହୋଇଛି। ଶିବ ମନ୍ଦିରରେ ତ୍ରିଶୂଳ ପରିବର୍ତ୍ତେ ଶିବଲିଙ୍ଗ ସ୍ଥାପନ ଏକ ସମ୍ପୂର୍ଣ୍ଣ ନୂତନ ପରିକଳ୍ପନା ଏବଂ ଭାରତର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ । ଖିଚିଙ୍ଗର ଗୋଟିଏ ମନ୍ଦିରର ଶେଷରେ ଶିବଲିଙ୍ଗ ଓ ଦୁଇଟି ମନ୍ଦିରରେ ତ୍ରିଶୂଳ ଥିଲା । ଗନ୍ଧରାଢ଼ୀର ଯୁଗ୍ମ ମନ୍ଦିର ସଦୃଶ କଣ୍ଟିଲୋରେ ନୀଳମାଧବ ଓ ସିଦ୍ଧେଶ୍ଵରଙ୍କ ଯୁଗ୍ମମନ୍ଦିର ଅଛି ।

 

ଏକାମ୍ର ପୁରାଣରେ ବିଷ୍ଣୁ ଓ ଶିବଙ୍କ ମଧ୍ୟରେ ପ୍ରଭେଦ ନାହିଁ । ହରି ଓ ହର ଏକ । ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରର ଶିବ ହେଲେ ହରିହର । ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶର ହରି-ଶଙ୍କର ମନ୍ଦିର ଏହି ସମନ୍ୱୟର ଫଳ । ଓଡ଼ିଶାର ଏକାଧିକ ସ୍ଥାନରେ ବିଷ୍ଣୁ ଓ ଶିବଙ୍କ ଯୁଗ୍ମ ମନ୍ଦିର ନିର୍ମାଣ ପଛରେ ଏହି ଶୈବଧର୍ମ ଓ ବୈଷ୍ଣବ ଧର୍ମର ସମନ୍ୱୟ ପ୍ରକ୍ରୀୟାର ପ୍ରଭାବ ପରିଲକ୍ଷିତ ହୁଏ ।

 

ଓଡ଼ିଶାର ଇତିହାସରେ ଅଷ୍ଟମ ଶତାବ୍ଦୀରୁ ଆରମ୍ଭକରି ଖିଚିଙ୍ଗ ମଣ୍ଡଳର ଭଞ୍ଜ ରାଜାମାନଙ୍କର ଇତିହାସର ଏକ ଗୌରବମୟ ପରମ୍ପରା ରହିଛି । ଏହି ବଂଶର ଗନ୍ଧଟ ବା ଶତ୍ରୁଭଞ୍ଜ ବା ଦ୍ଵିତୀୟ ନେତଭଞ୍ଜ ‘ଗନ୍ଧଟପଟି’ ସହର ସ୍ଥାପନ କରିଥିଲେ ଏବଂ ବିଷ୍ଣୁ ଉପାସକ ଥିଲେ । ରଣଭଞ୍ଜ ବିଷ୍ଣୁ ଉପାସକ ଥିଲେ; କିନ୍ତୁ ପରେ ଶୈବଧର୍ମର ପୃଷ୍ଠପୋଷକ ହୋଇଥିଲେ । ଏହାଙ୍କ ଦ୍ୱାରା ଗନ୍ଧରାଢ଼ୀର ନୀଳମାଧବ ଓ ସିଦ୍ଧେଶ୍ଵରଙ୍କ ଯୁଗ୍ମମନ୍ଦିର ନିର୍ମାଣ କରାଯାଇଥିଲା । ତୃତୀୟ ନେତଭଞ୍ଜଙ୍କ ଠାରୁ ବିଦ୍ୟାଧର ଭଞ୍ଜଙ୍କ ପର୍ଯ୍ୟନ୍ତ ରାଜାମାନେ ଶୈବଧର୍ମର ପୃଷ୍ଠପୋଷକ ଥିଲେ । ଭୌମବଂଶୀୟ ରାଣୀ ତ୍ରିଭୁବନଦେବୀଙ୍କର କେତେକ ତମ୍ବାପଟା ବଉଦର ବୌଦ୍ଧ ଭଗ୍ନାବଶେଷରୁ ମିଳିଛି । ତା’ଛଡ଼ା ଅନେକ ଭଞ୍ଜବଂଶୀୟ ତମ୍ବାପଟା ମଧ୍ୟ ମିଳିଛି । କେତେକ ତମ୍ବାପଟାରେ ‘ଗନ୍ଧଟପଟି’ ନାମର ଉଲ୍ଲେଖ ଅଛି । ପରବର୍ତ୍ତୀକାଳରେ ଏହି ଗନ୍ଧଟପଟି ନାମର ଅପଭ୍ରଂଶ ହୋଇ ‘ଗନ୍ଧରାଢ଼ୀ’ ରୂପେ ପ୍ରଚଳନ ହୋଇଥିଲା ବୋଲି ବିଶ୍ୱାସ କରାଯାଏ ।

 

ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବଉଦକୁ ‘ଗାନ୍ଧାରବାଦୀ ମଣ୍ଡଳ’ ବୋଲି କୁହାଯାଉଥିଲା । ୩ୟ ଅନଙ୍ଗଭୀମ ଦେବ (୧୨୧୧–୧୨୩୫) ବୌଦ ଓ ସୋନପୁର ଜୟ କରିଥିଲେ । ଗଙ୍ଗାଧର ମିଶ୍ରଙ୍କ କୋଶଳାନନ୍ଦ କାବ୍ୟ (୧୬୧୫)ର ବୌଦରେ ଉଲ୍ଲେଖ ଅଛି । ତ୍ରୟୋଦଶ ଶତାବ୍ଦୀରୁ ‘ବଉଦ’ ନାମ ପ୍ରଚଳନ ହୋଇ ଆସୁଛି ବୋଲି ବିଶ୍ଵାସ କରାଯାଏ ।

 

‘ଅଠରଗଡ଼’ର ଇତିହାସ ଓ ଉତ୍‌ଥାନ ପତନ ସହ ବଉଦ ନିବିଡ଼ଭାବେ ସମ୍ପୃକ୍ତ । ସାରଙ୍ଗଗଡ଼ର ପ୍ରହ୍ଲାଦ ଦୁବେଙ୍କ ଜୟ ଚନ୍ଦ୍ରିକା (୧୭୮୧), ଚିକିତ୍ସା-ମଞ୍ଜରୀ (୧୭୪୨ର ପୂର୍ବ), ହାମିଲଟନଙ୍କ ଇଷ୍ଟଇଣ୍ଡିଆ ଗେଜେଟିଅର, ଓଡ଼ିଶା ଫିଉଡେଟରୀ ଷ୍ଟେଟସ୍‌ ଗେଜେଟିଅର, ସି.ପି. ଗେଜେଟିଅର (୧୮୬୭, ୧୮୭୦), ମାଜର ଇମ୍ପେଙ୍କ ରିପୋର୍ଟ (୧୮୬୨, ୧୮୬୩), ରିଚାର୍ଡ ଟେମ୍ପଲଙ୍କ ରିପୋର୍ଟ (୧୮୬୩) Report on the Zamindaries and other Chieftaincies in the C.P.), ସମ୍ବଲପୁର ଗେଜେଟିଅର, ବିଜୟ ଚନ୍ଦ୍ର ମଜୁମଦାରଙ୍କ Sonepur in the Sambalpur Tract and Orissa in the Making ଇତ୍ୟାଦି ବହୁ ପୁସ୍ତକରେ ଅଠରଗଡ଼ ତଥା ବଉଦର ଉଲ୍ଲେଖ ଅଛି ।

 

ଷୋଡ଼ଶ ଶତାବ୍ଦୀରେ ବାରଙ୍ଗସ୍ଵାମୀ, ଲୋଇଦାସ, ବୀରସିଂହ ପ୍ରଭୃତି ବେଦସିଦ୍ଧାଚାର୍ଯ୍ୟମାନେ ପ୍ରାଚୀ ଉପତ୍ୟକାରେ ସାଧନା କରିଥିଲେ । ସେହି ସମୟରେ ସେମାନଙ୍କର ଅନୁଗାମୀଗଣ ବୌଦ, ସୋନପୁର, ପାଟଣା ଇତ୍ୟାଦି ଅଞ୍ଚଳରେ ରହୁଥିଲେ । ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ (୧୪୯୮ ରୁ ୧୫୨୮ ମଧ୍ୟରେ) ବଉଦର ରାଜା ନାରାୟଣ ଭଞ୍ଜଦେବ (ଗୋବିନ୍ଦ ଭଞ୍ଜଦେବଙ୍କ ପୁତ୍ର) ସଂସ୍କୃତରେ ‘ରୁକ୍ମିଣୀ ପରିଣୟ ମହାକାବ୍ୟମ୍‌’ ରଚନା କରିଥିଲେ । ଏହି କାବ୍ୟରେ ୧୧ଟି ଭାଗ ଓ ୧୯ଟି ଛନ୍ଦର ଉଲ୍ଲେଖ ଅଛି । କିମ୍ବଦନ୍ତୀ ଓ କେତେକ ଐତିହାସିକ ଅନୁମାନ ଅନୁସାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କୌଣସି କାରଣରୁ ଗୋପନରେ ବାରଦିନ ଓ ଦଶ ଦିନ ପାଇଁ ବୌଦ ରାଜ୍ୟକୁ ଦୁଇଥର ଯାତ୍ରା କରିଥିଲେ । ଉକ୍ତ ଯାତ୍ରାର ସ୍ମରଣିକା ସ୍ୱରୂପ ସେ ଯୁବଭଞ୍ଜ ଓ ଯୁଗଭଞ୍ଜ ଛଦ୍ମନାମରେ ‘ବାରପୋଈ’ ଓ ‘ଦଶପୋଈ’ ରଚନା କରିଥିଲେ । ବନମାଳୀ ରାସ ବା ବନମାଳୀରାହାସ ଓଡ଼ିଆ ରାସରେ ଏକ ଚମକପ୍ରଦ ପୂର୍ଣ୍ଣାଙ୍ଗ ରାସ । ଏପରି ପୋଥି ଓଡ଼ିଶାରେ ଅନ୍ୟତ୍ର ମିଳିନାହିଁ । ଏହା ସପ୍ତଦଶ ଶତାବ୍ଦୀର ରଚନା ବୋଲି ବିଶ୍ଵାସ କରାଯାଏ-। କବି ବନମାଳୀ ରଣପୁରର ଲୋକ; କିନ୍ତୁ ଏହି ରାସ ସେ ବଉଦରେ ରଚନା କରିଥିଲେ ବୋଲି ବିଶ୍ଵାସ କରାଯାଏ । ବନମାଳୀ ରାହାସ ଏବେ ମଧ୍ୟ କଳାହାଣ୍ଡିରେ, ଏପରିକି କନ୍ଧମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ଓ ଆଦୃତ । ବୌଦ୍ଧ ରାଜବଂଶରୁ କୃତିବାସ ଦେଓଙ୍କ ଦ୍ୱାରା ସଂଗୃହୀତ ଶତାଧିକ ତାଳପତ୍ର ପୋଥି ଏବେ ରାଜ୍ୟ ସଂଗ୍ରହାଳୟରେ ସୁରକ୍ଷିତ । ଏଗୁଡ଼ିକ ହରିବଂଶ, ରାମାୟଣ, ମହାଭାରତ, ମଥୁରା ମଙ୍ଗଳ ଇତ୍ୟାଦି ପୁରାଣ ଓ କାବ୍ୟ । ଏହାଛଡ଼ା ଏହା ମଧ୍ୟରେ ଅନେକ ମନ୍ତ୍ରପୋଥି ମଧ୍ୟ ରହିଛି ।

 

ଏହି ସଂସ୍କୃତି ସମୃଦ୍ଧ ଜିଲ୍ଲାରେ ଆଜି ‘‘ଆଧୁନିକ ଗଳ୍ପ ଓ ଉପନ୍ୟାସ ସାହିତ୍ୟ’’ ଶୀର୍ଷକ ଆଲୋଚନାଚକ୍ର ସଂଗଠିତ କରିପାରିଥିବାରୁ ଆମେମାନେ ଅତିଶୟ ଆନନ୍ଦିତ । ଏ ଜିଲ୍ଲା ଓ ଅଞ୍ଚଳର ତରୁଣ ପ୍ରତିଭା ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଏହାଦ୍ୱାରା ଅନୁପ୍ରାଣିତ ଓ ଉଦ୍‌ବୁଦ୍ଧ ହେବେ ବୋଲି ଆମର ବିଶ୍ୱାସ ।

 

‘ସାହିତ୍ୟ’ କ’ଣ, ମୁଁ କହିବାକୁ ଯାଉନାହିଁ । କିନ୍ତୁ ସମାଜ, ରାଜନୀତି, ଇତିହାସ ଓ ପରିଶେଷରେ ମଣିଷ ଓ ମାନବ ଜାତିର ମନସ୍ତତ୍ତ୍ୱ ସହ ଏହାର ଅଙ୍ଗାଙ୍ଗୀ ଓ ଜୈବିକ ସମ୍ପର୍କ ରହିଛି–ଏହା ସର୍ବବିଦିତ ଓ ସ୍ଵୀକୃତ । ‘ଆଧୁନିକତା’ କ’ଣ ମୁଁ କହିବାକୁ ଯାଉନାହିଁ । କିନ୍ତୁ ସାମ୍ପ୍ରତିକ କାଳ, ପରିବେଶ, ମନନ ଓ ଚିନ୍ତନ ସହ ଏହାର ସମ୍ବନ୍ଧ ରହିଛି ଏବଂ ପରିଶେଷରେ କୌଣସି ଏକ ନିର୍ଦ୍ଦିଷ୍ଟ କାଳ ବା ସମୟରେ ଏହା ଏକ ଆପେକ୍ଷିକ ଧାରଣା, ଏ ବିଷୟରେ ଦ୍ୱିରୁକ୍ତି ନାହିଁ । ଏହି ଫୁଲବାଣୀ ପାଠ ଚକ୍ରରେ ସାମାଜିକ, ରାଜନୈତିକ, ଐତିହାସିକ ଓ ମନସ୍ତତ୍ତ୍ୱଭିତ୍ତିକ ଆଧୁନିକ ଓଡ଼ିଆ ଗଳ୍ପ ଉପନ୍ୟାସ ଉପରେ ଆଲୋଚନା, ଏ ଦିଗରେ ଏକନୂତନ ଦିଗନ୍ତ ଉନ୍ମୋଚନ କରିବ, ଏଥିରେ ସନ୍ଦେହ ନାହିଁ ।

 

ଆଜିର ସମାଜ ବିଭିନ୍ନ କାରଣରୁ ଶତଧାଖଣ୍ଡିତ । ପୁରାତନ ରସ ଚେତନା, ରାଗମୟତା, ଧର୍ମ-ପ୍ରେମ-ପ୍ରକୃତି ବା ଦେବ-ଦେହ-ଦେଶ-ନିଷ୍ଠତା ସ୍ଥାନରେ କ୍ଷେତ୍ରବ୍ୟାପକତା, ଅନିଶ୍ଚିତତା, ଚିତ୍ତଚାଞ୍ଚଲ୍ୟ, ଅନ୍ତଃସାର-ଶୂନ୍ୟତା, ଅଭିବ୍ୟକ୍ତିର ପ୍ରତୀକାତ୍ମତା, ସାଙ୍କେତିକତାର ସୂକ୍ଷ୍ମତା, ତାତ୍‌କ୍ଷଣିକ ବା ମୁହୂର୍ତ୍ତବାଦ, ସମ୍ବେଦନ ଶକ୍ତିର ବିୟୋଜନ, ଅନୁତ୍ତରାଧିକୃତ ମାନସ ଚେତନା, ଚେତନାର ବିଖଣ୍ଡନ ଇତ୍ୟାଦି ବହୁ ନୂତନ ଆୟାମ (dimension) ମଣିଷ, ସମାଜ ଓ ସାହିତ୍ୟ ସମକ୍ଷରେ ଉନ୍ମୋଚିତ ହୋଇଛି । ଏହି ଆଧୁନିକତାର ଅଭିମନ୍ତ୍ରଣ ଆଧୁନିକ ସାହିତ୍ୟରେ ଆଣିଛି ନୂତନ ପ୍ରବଣତା ଓ ଚେତନା ଓ ଗୁଣାତ୍ମକ ପରିବର୍ତ୍ତନ । ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପନାର ଆହ୍ୱାନରେ ପ୍ରତିକ୍ରିୟା ପାଇଁ ଏକ ପ୍ରସ୍ତୁତିହିଁ ‘ପ୍ରବଣତା’ । ଚେତନା ଏହି ପ୍ରବଣତାର କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିର ସମାରୋହରେ ବସ୍ତୁର ‘ବସ୍ତୁତତ୍ତ୍ୱ’ରୁ ନିର୍ଯ୍ୟାସିତ ଏକ ରୂପାୟନ । ଏହି ରୂପାୟନ ଅନୁଭୂତିର ‘ଚିନ୍ତାତତ୍ତ୍ୱ’ ରୂପ ପରିଗ୍ରହ କରିପାରେ । ଏକ ନିର୍ଦ୍ଦିଷ୍ଟ ଘଟଣା ଓ ତତ୍‌ସମ୍ବନ୍ଧୀୟ ଧାରଣାର ସମ୍ମିଶ୍ରଣ ଯୋଗୁ ବସ୍ତୁ ‘ତତ୍ତ୍ୱ’ ରୂପ ପରିଗ୍ରହ କରିବାର ଏହା ଏକ ପରିପ୍ରକାଶ ମାଧ୍ୟମ । ଆଦର୍ଶ ଓ ବାସ୍ତବ, ଗତି ଓ ସ୍ଥିତି, ପରମ୍ପରା ଓ ପରିବର୍ତ୍ତନର ପାର୍ଥକ୍ୟ ମଧ୍ୟରେ ଏହା ନିହିତ । ଅନୁଭୂତିର ଏହି ପାର୍ଥକ୍ୟ ସ୍ଵଳ୍ପ ହେଲେ ଚେତନା ପରିସ୍ଫୁଟ ବା ବିକଶିତ ହୁଏ ନାହିଁ, ଅନୁନ୍ମିଳିତ ବା ଅବଚେତନ ଅବସ୍ଥାରେ ରହେ । ଚେତନାଦ୍ୱାରା ଉଜ୍ଜ୍ୱଳିତ ଅନୁଭୂତିର ଅଂଶଟି ଏକପ୍ରକାରର ‘ମନଯୋଗ’ ବୋଲି ମଧ୍ୟ ଗ୍ରହଣ କରାଯାଇପାରେ । କୌଣସି ବସ୍ତୁ ବା ମୁହୂର୍ତ୍ତର ପ୍ରତ୍ୟକ୍ଷାନୁଭୂତି ଏହାର ‘ଚେତନା’ ରୂପେ ଓ ଚେତନଶୀଳ ମନଯୋଗ ରୂପେ ପରିବର୍ତ୍ତିତ ହେଉଥିବା ଭାବଧାରା ରୂପେ ପ୍ରକାଶ ପାଇଥାଏ ।

 

ଏହି ପରିପ୍ରେକ୍ଷୀରେ ଆଧୁନିକ ସମାଜର ଭୋଗ ଓ ଅଧିକାର ତାରତମ୍ୟ ଦୃଷ୍ଟିରୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ, ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ, ବିଭିନ୍ନ ଶ୍ରେଣୀ ମଧ୍ୟରେ ଭାବ, ଚିନ୍ତା, ମନନ, ଆଭିମୁଖ୍ୟ, କ୍ରିୟା ଓ ଚେତନାର ତାରତମ୍ୟ ଦେଖାଯାଏ ।

 

ଏହି ସ୍ଫୁରଣର ଉନ୍ମେଷ ଓ ଉତ୍ତରଣକୁ ଆଧୁନିକ ସାହିତ୍ୟ କିପରି ଭାବରେ ଧରି ରଖିଛି ବା ଏହା ଆଧୁନିକ ସାହିତ୍ୟରେ କିପରି ଭାବରେ ପ୍ରତିଫଳିତ ବା ପ୍ରତିସରିତ ହୋଇଛି, ତାହା ଆଧୁନିକ ଓଡ଼ିଆ ଗଳ୍ପ ଉପନ୍ୟାସରେ କୃଷକ, ଶ୍ରମିକ, ଅନୁନ୍ନତ ସମ୍ପ୍ରଦାୟ, ମଧ୍ୟବିତ୍ତ ଶ୍ରେଣୀ ଓ ଅଭିଜାତ ଶ୍ରେଣୀର ଚିତ୍ର ଶୀର୍ଷକ ଆଲୋଚନାରୁ ପରିସ୍ଫୁଟ ହେବ ବୋଲି ବିଶ୍ଵାସ । ଏହି ଆଲୋଚନା ସାହିତ୍ୟ କ୍ଷେତ୍ରରେ ଯେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

 

ଶ୍ରୀ ରାଇଚରଣ ଦାସ

ତା ୧୪ । ୩ । ୮୧

ସମ୍ପାଦକ

ଫୁଲବାଣୀ

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ଓଡ଼ିଆ ଉପନ୍ୟାସରେ କୃଷକର ଚିତ୍ର

ଶ୍ରୀ ହରିହର ମିଶ୍ର

 

ଅତିଶୟ କଳାତ୍ମକ ଆଗ୍ରହ ନେଇ ଶୀର୍ଷକଟିକୁ ବିଚାର କଲାବେଳେ ‘କୃଷକ’ ଶବ୍ଦଟି କାହିଁକି ଅସାହିତ୍ୟିକ ମନେହେଲା ଓ କେଉଁ ଚିନ୍ତାଭ୍ୟାସରୁ ଏପରି ମନେହେଲା ନିଜେ ମୁଁ ଜାଣେନା-। କେଉଁ ଏକ ଭ୍ରାନ୍ତ ନାନ୍ଦନିକ ମୋହରେ ସାଧାରଣ ମଣିଷର ଏ ପ୍ରାଚୀନ ପ୍ରତିଭୂକୁ ଅବମାନନା କରିବାର ବିକୃତ ଋଚିବୋଧକୁ ତତ୍‌କ୍ଷଣାତ ମୂଳପୋଛ କରିନେଇ ଭାବିଲି ସୃଷ୍ଟିଶୀଳ ଔପନ୍ୟାସିକ କୃଷକର ଚରିତ୍ର ଭିତରେ କ’ଣ ଯୁଗ ମାନବର ବ୍ୟକ୍ତିତ୍ଵ ସନ୍ଧାନ କରି ପାରିବେ ନାହିଁ-?

 

ସାହିତ୍ୟକର ବ୍ୟକ୍ତିତ୍ୱ ହିଁ ତା’ର ଶୈଳୀ । ଗଦ୍ୟର ଦୃଷ୍ଟିରେ ସେହି ଜୀବନର ବିକଟ ବାସ୍ତବ ରୂପ ଦିବସର ଖର ଉତ୍ତାପରେ ଭଗ୍ନ କୋଣାର୍କର ପ୍ରତିମୂର୍ତ୍ତି ଭଳି ସ୍ଵପ୍ନହୀନ ହୋଇପଡ଼େ । ତାକୁ ଚନ୍ଦ୍ର ରଜନୀରେ ଦେଖିବାର ଦୃଷ୍ଟିଭଙ୍ଗୀ କୃଷକ ଜୀବନ ପ୍ରତି ଔପନ୍ୟାସିକମାନଙ୍କ ସମ୍ବେଦନଶୀଳ କଳାବୋଧ ଉପନ୍ୟାସର ଆରମ୍ଭ କାଳରୁ ଏହାକୁ ଭାରତୀୟ ଔପନ୍ୟାସିକବୃନ୍ଦ ପ୍ରତିପାଦିତ କରିଛନ୍ତି ।

 

ଗୋଟିଏ ଦୃଷ୍ଟିଭଙ୍ଗୀ ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ପାଇଁ ପ୍ରେରଣା ଦେଇଛି । କୃଷକର ପାରିପାର୍ଶ୍ୱିକ ଅର୍ଥନୀତି, ସାମାଜିକ ବୋଧ, ଜୀବନର ସ୍ଵାଚ୍ଛନ୍ଦ୍ୟ, ପାରିବାରିକ ଚଳଣି ଓ ରାଜନୈତିକ କାରଣରେ ତା’ର ଭାଗ୍ୟ ଓ ଭୂମିକାର ପରିବର୍ତ୍ତନ ଔପନ୍ୟାସିକମାନଙ୍କ ଅନୁଭୂତିରେ ରୂପାନ୍ତରିତ ହୋଇଛି । ଗ୍ରାମ ବହୁଳ ଏହି ଭୂଖଣ୍ଡର ଅଧିବାସୀ ଏକ ପଲ୍ଲୀ ଶାସନ ବ୍ୟବସ୍ଥାରେ ବିଶ୍ୱରେ ଯେ ଆଦର୍ଶ ସ୍ଥାନୀୟ ଏହାହିଁ ଭାରତୀୟ ପଲ୍ଲୀ ଐତିହ୍ୟ ବିଶିଷ୍ଟତା । କ୍ରମଶଃ ଧର୍ମଭିତ୍ତିକ ଶାସନ ଓ ରାଜନୈତିକ ଶାସନର ଏକତ୍ୱ ଓ ବ୍ୟବଧାନ ଭିତରେ ଜନସାଧାରଣ କେତେବେଳେ ସମ୍ପୃକ୍ତ ପୁଣି କେତେବେଳେ ବିଚ୍ଛିନ୍ନ ତାହା କୁହାଯାଇ ନ ପାରେ । ଏହି ପରିସ୍ଥିତି, ପରିବର୍ତ୍ତନ, ପ୍ରଗତିର ପରିପ୍ରେକ୍ଷୀରେ ବିପୁଳ ଜୀବନର ସଙ୍କେତ ନେଇ କୃଷକ ଯେ ଆଦିମ ଗୋଷ୍ଠୀ ଜୀବନର ପର୍ଯ୍ୟାୟଭୁକ୍ତ, ତା’ର ପ୍ରମାଣ ଆଦିବାସୀ କୃଷକ ଜୀବନର ଅନୁଦ୍‌ଘାଟିତ ଆର୍ଯ୍ୟେତର ରହସ୍ୟମୟ ସଭ୍ୟତାରେ । ମାଟି ସହିତ ମଣିଷର ସମ୍ପର୍କ ଯେ କେତେ ପୁରାତନ ଓ ଜୈବିକ ଉଷ୍ମତାରେ ପରିପୂର୍ଣ୍ଣ କୃଷକ ଜୀବନରେ ସେହି ଚିରନ୍ତନ ମାନବିକ ଆଦର୍ଶ ପ୍ରତିଫଳିତ । ତା’ର ଜୀବନ ସୃଜନଶୀଳତା ଓ ପୁନଃସୃଜନୀର ପ୍ରକ୍ରିୟାରେ ଉଦ୍‌ବର୍ତ୍ତିତ ।

 

ଶସ୍ୟ ତା’ର ଜୀବନ । ଭରା ଫସଲର କ୍ଷେତରେ ଠିଆହୋଇ ସେ ବାସ୍ତବରେ ସ୍ଵପ୍ନ ଦେଖେ । ସ୍ୱପ୍ନକୁ ଦେଖେ ବାସ୍ତବରେ । ଏକ ଦିବ୍ୟ ଆନନ୍ଦରେ ତା’ର ବିବର୍ତ୍ତନ କିଭଳି ହୁଏ ସେ ଜାଣେନା, ଅନୁଭବ କରେ । ନ୍ୟୁଟ୍‍ ହାମସୁନ୍‌ଙ୍କ ‘ହଙ୍ଗର୍‌’ ଉପନ୍ୟାସ ପରେ ବୋଜରଙ୍କ ଉପନ୍ୟାସ ‘ଦି ଗ୍ରେଟ୍‌ ହଙ୍ଗର୍‌’ ତାକୁ କରେ ଐତିହ୍ୟ ସହିତ ସମ୍ପର୍କିତ, କରେ ସାଧାରଣ ମଣିଷ ଭଳି ମୁକ୍ତି ପ୍ରୟାସୀ, ଉତ୍ତରଣର ଯାତ୍ରୀ ଅନ୍ଧାରରୁ ଆଲୋକ ପଥରେ । ସାଧାରଣ କ୍ଷୁଧା ତା’ର ପରିବର୍ତ୍ତିତ ହୋଇଯାଏ ସୀମାହୀନ ଅନନ୍ତ କ୍ଷୁଧାରେ ।

 

ପୁରାଣ କି ଇତିହାସର ବଂଶାନୁଚରିତ ପର୍ବରେ ସେମାନଙ୍କର ଇତିବୃତ୍ତି ଲିଖିତ ନୁହେଁ । ତାକୁ ନିରୀହ, ମୂକ, ସହିଷ୍ଣୁ, ସ୍ପନ୍ଦହୀନ, ଅବୋଧ, ନିର୍ବୋଧ ଅଭିହିତ କରାଗଲେ ବି ତାଙ୍କରି ପାଖକୁ ଲଙ୍ଗଳା ପାଦରେ ଧାଇଁଯାଏ ସ୍ୱାଧୀନତାର ବିପ୍ଳବ, ସଂସ୍କାରର ଆଲୋକ । କେତେଠି ପ୍ରତିଧ୍ୱନି ଉତ୍ତର ଦିଏ । କେତେଠି ଦିଏନା, ମାରପିଟ୍‌, ଦ୍ୱନ୍ଦ୍ୱ, ସଂଘର୍ଷ ଭିତରେ ମାଟି ପଡ଼ିରହେ । ଧରଣୀ ପୂଜା ହୁଏ । କୃଷକ ଅକ୍ଷିତୃତୀୟାରେ ମୁଠି ଧରି ବିଲକୁ ଯାଏ ରଜ ଦିନଗୁଡ଼ିକରେ ବାରଣ ମାନିନିଏ-। ଶଙ୍ଖଧ୍ଵନି ଶୁଭେ । ଗୋରୁ ଭଲ ବାହୁଡ଼େ । ପବନରେ ଗଛ ପତ୍ର ଶିହରି ଉଠେ-। ଅନ୍ଧାର ଘେରିଯାଏ । କେତେ ଭୂତପ୍ରେତଙ୍କ କଥା ମୁଣ୍ଡରେ ପଶେ । ସକାଳ ହୁଏ । ଘାସ ମାଡ଼ିଯାଏ ଲଣ୍ଡା ଟାଙ୍ଗରରେ । ପାଚିଯାଏ, ଜଳିଯାଏ ପୁଣି ମାଡ଼ିଯାଏ ସବୁଜ ଘାସର ଆସ୍ତରଣ ବାଲୁଚର ଉପରେ-

 

କୃଷକର ଆଖିରେ ଦାର୍ଶନିକତା ଉଙ୍କିମାରେ । ପୂର୍ବପୁରୁଷର ଆଦିମ ଅଙ୍ଗୀକାର ମାନିନେଇ ବଡ଼ ବଡ଼ୁଆଙ୍କ ପାଦ ଚିହ୍ନରେ ପାଦ ପକାଏ କୃଷକ ଓ କୃଷକ ରମଣୀ ଗିରି କୁଟୀରରୁ ଶାସନ, କରବାଡ଼ ପର୍ଯ୍ୟନ୍ତ । ମରଣ ତା’ପ୍ରତି ଯେଉଁ ଆଚରଣ କରେ, ଯେଉଁ ବିକଟାଳ ମୁହଁ ଦେଖାଏ, ସେ ତାକୁ ସେଇଭଳି ଆଚରଣ ଦେଖାଇ ନିର୍ମମ ହୁଏ । ପ୍ରକୃତିକୁ ଅନୁକରଣ କରୁ କରୁ ନିଜେ ପ୍ରକୃତି ଭଳି ହିଂସ୍ର ଓ ବ୍ୟାପକ ହୋଇଯାଏ । ତାକୁ କିଏ ଲୋଡ଼େ କି ନା ସେ ବୁଝେ ନାହିଁ । ମାନବ ସଭ୍ୟତା ଶାସନ, ବିଜ୍ଞାନ, ସାମରିକ ଶକ୍ତି ନେଇ ତାକୁ ଆହୁରି ଦୂରକୁ ଠେଲି ଦେଇଛି ଏକ ଅଜଣା, ଅନାମଧେୟ ନିଶ୍ଚିହ୍ନ ମଣିଷଟିଏ କରି । ତଥାପି ଚେତା ନାହିଁ ତା’ର ।

 

ତା’ର ପରିଚୟ ଖୋଜେ ଦରଦୀ ଶିଳ୍ପୀ, ମରମୀ କଥାକାର । ଆଧୁନିକ ଯୁଗର ଓଡ଼ିଆ ଉପନ୍ୟାସରେ ନୂତନ ଆଭିମୁଖ୍ୟର ନବ ଆସ୍ୱାଦନ ଆମେ ଏହି ଗ୍ରାମଭିତ୍ତିକ କୃଷକ ଜୀବନର ମର୍ମସ୍ପର୍ଶୀ ଅଧ୍ୟାୟରୁ ପାଉ । ସଂକ୍ଷେପରେ କହିଲେ କୃଷକ ଜୀବନରେ ମାନବ ସଭ୍ୟତାର ଐତିହ୍ୟ ଗୁମ୍ଫିତ ହୋଇ ରହିଛି ।

 

ଦେଶୀ ଜୀବନରେ ବିଦେଶୀ ଅତର ଲାଗିଲେ ନାନା ହଟଚମଟ ହୁଏ, କେତେ କ’ଣ ପରିବର୍ତ୍ତନ ଘଟିଯାଏ । କେନାଲ, କାର୍ଖାନା, ନାନାଦି ଶିଳ୍ପ ପରିବର୍ତ୍ତନ, ଯୋଜନା, ପ୍ରକଳ୍ପ, ଯାନ୍ତ୍ରିକ ଅଭିଯାନ କୃଷି ଜୀବନକୁ ବଦଳାଇ ଦିଏ । ରାଜନୈତିକ ଭୂସଂସ୍କାର କିବା ଭୂମି ଉପରେ ଚାଷୀର ଅଧିକାର ସାବ୍ୟସ୍ତ ପାଇଁ ସବୁ ଆଇନ୍‌-ବେଆଇନ୍‌ ଫର୍ମୁଲାତକ ପକେଇ ଦେଶ, ବିଦେଶ ନିର୍ବିଶେଷରେ ଯିଏ ଯୋଉ ବାଟ ପାଇଲା ସେହି ବାଟରେ ଆଗେଇ ଯିବାର ନିଶା ଧରେଇ ଦେଲା-। ସାମୟିକ ଆଲୋଡ଼ନ, ଧ୍ୱଂସାତ୍ମକ କାର୍ଯ୍ୟପନ୍ଥାରେ ସବୁଜ ବିପ୍ଳବର ସ୍ୱପ୍ନ ଢାଳି ଆଗେଇ ନେଲା ଭାବଧାରାକୁ । ତଥାପି ଅପରିବର୍ତ୍ତିତ ହୋଇଛି ଚାଷୀର ଚାରଣ ଭୂଇଁ । ଗ୍ରାମ ଭାଙ୍ଗି ଯାଉଛି, ସହର ହେଉଛି, କ୍ଷେତ ଭୁଷୁଡ଼ି ଯାଉଛି, ଧରଣୀ ପାଉଁଶ ହେଉଛି, ଛିଡ଼ା ହେଉଛି ନୂଆ ପ୍ରକଳ୍ପ ସବୁ ଅଥବା ବିଲ ଥୁଣ୍ଟା ପଡ଼ୁଛି । ବିଚିତ୍ର ତା’ର ପଟ୍ଟଭୂମି ।

 

ଓଡ଼ିଆ ଉପନ୍ୟାସର ଆଦିଯୁଗରେ ଔପନ୍ୟାସିକ ସ୍ୱର୍ଗତଃ ଗୋପାଳ ବଲ୍ଲଭ ଦାସଙ୍କର ଏକ ବ୍ୟତିକ୍ରମ ସୃଷ୍ଟି ଭୀମାଭୂୟାଁ ଓ ବ୍ୟାସକବି ଫକୀରମୋହନଙ୍କ ‘ଛ’ମାଣ ଆଠଗୁଣ୍ଠ’ର ଭଗିଚନ୍ଦ ଦୁଇଟି ଭୂମିହୀନ ଚରିତ୍ର । ଉଭୟଙ୍କ ବିଭିନ୍ନତା ସତ୍ତ୍ୱେ ସେଥିରେ ପାରିବାରିକ, ସାମାଜିକ ସାଂସ୍କୃତିକ ଅଭିରୁଚିର ପରିଚୟ ମିଳେ ।

 

ଭୀମା ଭୂୟାଁ ରାଜକୀୟ ଅଭିଜାତ ଶୃଙ୍ଖଳା ଓ ଋଚିବୋଧଠାରୁ ଆପଣା ଗୌଣ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରତି ସଚେତନ । ନିରୀହ ଭଗିଆ, ଶାରିଆ ଛ’ମାଣ ଆଠଗୁଣ୍ଠ ହରାଇ ସରକାରଙ୍କ ନାକ କାମୁଡ଼ି ଦେବାକୁ ଲମ୍ଫ ଦେଇଛି ।

 

ଫକୀରମୋହନ ହିଁ ସମ୍ପୂର୍ଣ୍ଣ ବାସ୍ତବବାଦୀ ଯୁକ୍ତି ଓ ପରିସ୍ଥିତିର ସତ୍ୟତା ପ୍ରତି ପାଠକକୁ ସଚେତନ କଲେ । କୃଷକ ଜୀବନର ବିନାଶକାରୀ ବିରୋଧି ଶକ୍ତି ବିରୁଦ୍ଧରେ ଜାଗରଣ ଆଣିଲେ । କଲିକତାରେ ଉତ୍କଳୀୟ ପ୍ରଜାମାନଙ୍କର ଜମିବାଡ଼ି ନିଲାମ କରିବା ପାଇଁ ହୋଇଥିବା ଅନ୍ଧ ସୂର୍ଯ୍ୟାସ୍ତ ଆଇନ୍‌ ବଙ୍ଗୀୟ ଜମିଦାର, ମୁସଲମାନ ଜମିଦାରଙ୍କ ପଦଲେହନକାରୀ ରୂପେ ଏକ ସଂକୀର୍ଣ୍ଣ ଜମିଦାର ବଂଶ ଓଡ଼ିଶାରେ ସୃଷ୍ଟି କଲା । ସେହିମାନେ ଶୋଷଣ, ଲୁଣ୍ଠନ ଓ ଅମାନୁଷିକତାର ସୀମା ଲଂଘନ କରିବାରେ ଧୁରନ୍ଧର ହୋଇ ପଡ଼ିଲେ । ପୁନଶ୍ଚ ସୁରା, ସାକି, ଭୋଗବିଳାସର ଉନ୍ମତ୍ତ ମୋହରେ ସେହି ଆଭିଜାତ୍ୟର କବର ନିଜେ ନିଜ ପାଇଁ ଖୋଳିଗଲେ । ସେସବୁ ପ୍ରତି ପାଠକମାନଙ୍କୁ ସଚେତନ କରାଇବାରେ ଓଡ଼ିଆ ଔପନ୍ୟାସିକ-ବୃନ୍ଦ ସାମାଜିକ ତଥା ଗଭୀର ଐତିହାସିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ନୂଆ ନୂଆ ଅମଲାତନ୍ତ୍ରର ସୁଯୋଗରେ ଗଢ଼ି ଉଠୁଥିବା ଅଶୁଭ ଶକୁନ ପ୍ରତି ସତର୍କ ଦୃଷ୍ଟି ସହିତ ଫକୀରମୋହନ ନିରୀହ କୃଷକକୁ ଯଥେଷ୍ଟ ଆଢ଼ୁଆଳରେ ରଖିଛନ୍ତି । ଅପର ପକ୍ଷରେ ଔପନ୍ୟାସିକ କାଳନ୍ଦୀଚରଣ, କାହ୍ନୁଚରଣ, ଗୋପୀନାଥ, ନିତ୍ୟାନନ୍ଦ ଓ ଶାନ୍ତନୁ ଅଧିକ ବାସ୍ତବତାର ପୂର୍ଣ୍ଣାଙ୍ଗ ଚିତ୍ର ଦେବା ସହିତ ବହୁମୁଖୀ ଚିନ୍ତାରେ ଶବଳିତ କରିଛନ୍ତି ।

 

୧୮୦୩ରୁ ୧୯୮୦ ଏକ ବିସ୍ତୃତ ପୃଷ୍ଠଭୂମି, ଏକ କୌତୂହଳପ୍ରଦ ସମୟ । ସମକାଳୀନ ଭାରତୀୟ ଉପନ୍ୟାସଗୁଡ଼ିକ ଏହି ବିସ୍ତୃତ ପୃଷ୍ଠଭୂମିର ପରିପ୍ରେକ୍ଷୀରେ ଓ ଏକନିଷ୍ଠ ଆଭିମୁଖ୍ୟର ଗଭୀରତା ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ ସହିତ ତୁଳନା ସାପେକ୍ଷ ।

 

କି ନାନ୍ଦନିକ, କି ରହସ୍ୟମୟ କି ପୌରାଣିକ, ବୀରତ୍ଵପୂର୍ଣ୍ଣ ପ୍ରତ୍ୟେକଟି ଦୃଷ୍ଟିରୁ କୃଷକର ଜୀବନ ସଂଗ୍ରାମ ଓ ସଂଘର୍ଷମୟ ଜୀବନର ଚିତ୍ର ଆଇରିସ୍‌ ଉପନ୍ୟାସରୁ ଋଷୀୟ ଉପନ୍ୟାସ ପର୍ଯ୍ୟନ୍ତ ବିସ୍ତୃତ । ଫରାସୀ ଉପନ୍ୟାସରୁ ଆମେରିକାର ଉପନ୍ୟାସଗୁଡ଼ିକ ସମୟର ଦ୍ରୁତ ପରିବର୍ତ୍ତନ ଭିତରେ କୃଷକ ଜୀବନର ଅନୁରୂପ ଚିତ୍ର ପ୍ରକାଶ କରିଛି ।

 

ସେ ଦୃଷ୍ଟିରୁ ପର୍ଲଏସ୍‌ ବକ, ହର୍ଲୋଡ଼ ଲକ୍‌ସନେସ୍‌, ଇଭାନ ବୁନିନ୍‌, ପୁସ୍କିନ୍‌, ସୋଲକଉ, ଏମିଲି ଜୋଲା, ମାର୍କଟ୍ୱେନ୍‌, ବୋଜର୍‌, ଜ୍ୟାକ୍‌ଟଣ୍ଡନ୍‌, ନିଟ୍‌ ହାମସୁନ୍‌, ଷ୍ଟେଇନବେକ୍‌ ଆଦିଙ୍କ ବହୁ ଅନୁକରଣୀୟ ଉପନ୍ୟାସ ଆମର ଔପନ୍ୟାସିକମାନଙ୍କ ପଥପ୍ରଦର୍ଶକ ହୋଇପାରେ କିନ୍ତୁ ପୂର୍ବୋକ୍ତ ସମସ୍ତ ଓଡ଼ିଆ ଔପନ୍ୟାସିକ ନିଜସ୍ୱତା, ସୀମିତ କ୍ଷମତା ଭିତରେ ମହାକାବ୍ୟର ଗଭୀର ଭାଷ୍ୟ କରି ଗଢ଼ିଛନ୍ତି ନିଜର ସୃଷ୍ଟି ଶିଳ୍ପଗୁଡ଼ିକୁ, ପରିସ୍ଥିତିର ଦର୍ପଣ କରି ଗଢ଼ିଛନ୍ତି ଉପନ୍ୟାସକୁ ।

 

ମୁକ୍ତଶୈଳୀ, ମୁକ୍ତ ବିଷୟବସ୍ତୁ ଓ ବାସ୍ତବ ଦୃଷ୍ଟିଭଙ୍ଗୀର ନୂତନ ନିର୍ମାତା ଫକୀରମୋହନଙ୍କ ଦ୍ୱନ୍ଦ୍ୱବାଦୀ ଚରିତ୍ର ବିନ୍ୟାସର ପ୍ରତିଶ୍ରୁତି ହେଉଛି ନଗଣ୍ୟ, ଭୂମିହରା, ସର୍ବହରା କୃଷକର ଶୋଷିତ, ଚଳିତ ଅବସ୍ଥାରୁ ମୁକ୍ତ ହେବା ପାଇଁ ନିଜେ ଫଣା ଟେକିବା, ଚୋଟ ମାରିବାକୁ ଉଦ୍ୟତ ହେବା । ଏହି ବିପ୍ଳବର ନିଆଁ ଝୁଲ ଟିକକ ତଥା ସର୍ବହରାର ଜାଗରଣ ପ୍ରଗତିବାଦୀ ଗୋପୀନାଥଙ୍କ ‘ପରଜା’ରେ ମାଣ୍ଡିଆ ଯାନି ହାତରେ ରାମ ସାହୁକାରର କଟାମୁଣ୍ଡ ତୋଳି ଦେଇପାରେ ଏବଂ ବିପ୍ଳବର ଅଗ୍ନ୍ୟୁତ୍ସବ ସୃଷ୍ଟି କରିପାରେ । ଠିକ୍‌ ଭଗବତୀ ଚରଣଙ୍କ ଶିକାର ଗଳ୍ପର ଘିନୁଆ ଚରିତ୍ର ଯେମିତି ନାଟକର ଚରମ ଶୀର୍ଷରେ ପହଞ୍ଚି ପାରିଲା ।

 

ହିଂସାଚରଣ ସତ୍ତ୍ୱେ ଚାଷୀର ବିକ୍ଷୁବ୍‌ଧ, ବିକ୍ଷତ ଜୀବନ ପ୍ରତି ସ୍ୱତଃସ୍ଫୂର୍ତ୍ତ ସମ୍ବେଦନଶୀଳତା ପାଠକ ହୃଦୟରେ ମାନବିକତାର ମାର୍ମିକ ମହତ୍ତ୍ୱଟିକୁ ରୋପିତ କରିଯାଏ । କୃଷକର ସରଳ ଜୀବନରେ ମୁଖ୍ୟ ଦ୍ୱନ୍ଦ୍ୱ ଓ ସଂଘର୍ଷର ଏ ନାଟକୀୟ ଚିତ୍ର ଯେ ଏକ ନିର୍ଦ୍ଦିଷ୍ଟ ସମାଜ ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ଏ କଥା ବିଶ୍ୱରେ ଅବିଦିତ ନୁହେଁ ।

 

ଏହି ଆଲୋଚନାରେ କୃଷକର ସାଂସ୍କୃତିକ, ପରିବର୍ତ୍ତନଶୀଳ ସାମାଜିକ, ନୃତାତ୍ତ୍ୱିକ ଓ ପାରିବାରିକ ଚିତ୍ର ଦେବାରେ ଯେଉଁମାନେ ନୈର୍ବ୍ୟକ୍ତିକ ତଥା ସଚେତନ ସେମାନଙ୍କ ଉପନ୍ୟାସଗୁଡ଼ିକୁ ମୂଳତଃ ଆଶ୍ରୟ କରି ମୁଁ ବିଷୟଟିର ମଧ୍ୟଦେଶକୁ ପାଦ ଦେଉଛି ।

 

ଦୁଇ

 

ଆଲୋଚନାର ଭିତ୍ତିରୂପେ ମନୁଷ୍ୟ ସଭ୍ୟତାର କ୍ରମବିକାଶର ଏକ ସୂଚନା ପ୍ରଦାନ କଲେ ଅବାନ୍ତର ହେବ ନାହିଁ ବୋଲି ବିଶ୍ଵାସ । ପ୍ରାୟ ୨୦ ହଜାର ବର୍ଷତଳେ ଇତିହାସର ଧ୍ୱଂସର ଦିଗ୍‌ବଳୟରେ ପୁରାତନ ପ୍ରସ୍ତର ଯୁଗର ପ୍ରଥମ ସୂର୍ଯ୍ୟୋଦୟ ହୁଏ । ସେ ସମୟରେ କୃଷି ହୁଏତ ମଣିଷ ଜାଣି ନଥିଲା । ସେ ଥିଲା ଶିକାରୀ ଓ ଖାଦ୍ୟ ଆହରଣକାରୀ ଏକ ଉଲ୍ଲଙ୍ଗ ପଶୁ । ତଥାପି ତା’ର ଜୀବନ ସୌନ୍ଦର୍ଯ୍ୟାନୁଭୂତି ବିବର୍ଜିତ ନଥିଲା । ଅସ୍ତ୍ରଶସ୍ତ୍ର ଉପରେ ତା’ର ସୂକ୍ଷ୍ମକଳାର ସ୍ପଷ୍ଟ ମୁଦ୍ରାଙ୍କ ! ପଶୁପକ୍ଷୀମାନଙ୍କ ଚିତ୍ର ଖୋଦନ ଶିଳ୍ପୀ ଆୟତ୍ତ କରିଥିଲା ସେଦିନ । ଶିକାରରେ ଜନ୍ତୁ ପ୍ରଚୁର ମିଳିବା ପାଇଁ ପ୍ରସ୍ତର ଅସ୍ତ୍ର ଉପରେ ଚିତ୍ରାଙ୍କନ ଥିଲା ଗୋଟାଏ ମନ୍ତ୍ର ସାଧନା । ମନୁଷ୍ୟର ଏହି ଅତି ପ୍ରାକୃତିକ Fertilitycultରେ, ଏହି Magic art ସେ କାଳର ଧର୍ମାଚାର । ଏହା ସହିତ କଳା ଓ ସାହିତ୍ୟ ଜଡ଼ିତ । ବିଶିଷ୍ଟ ନୃତତ୍ତ୍ୱବିତ୍‌ ଓ Golden Boughର ଲେଖକ ଡକ୍ଟର ଫ୍ରେଜର୍‌ ଏହାକୁ ସିମ୍ପାଥେଟିକ୍‌ ମାଜିକ୍‌ ବୋଲି ନାଁ ଦେଇଛନ୍ତି । ଏହି ଖାଦ୍ୟ ଆହରଣର ପ୍ରୟୋଜନ ଓ ବାଧ୍ୟକତାରୁ ଚିତ୍ରାଙ୍କନ ଓ କଳାସୃଷ୍ଟିରେ ଯେଉଁମାନେ ସମସ୍ତ ସାମର୍ଥ୍ୟ ବିନିଯୋଗ କଲେ ପରବର୍ତ୍ତୀ କାଳରେ ସେମାନେ ହେଲେ ପୁରୋହିତ-କବି-ଋଷି ‘‘ନାନା ଋଷି କୁରୁତେ କାବ୍ୟମ୍‌” ।

 

ନୂତନ ପ୍ରସ୍ତର ଯୁଗର ଏ ମୃଗୟୁ ଶିଳ୍ପୀର ପ୍ରୟୋଜନ ସମାଜରେ କମି ଆସିଲା । କୃଷି ସମାଜରେ ଯେତିକି ବ୍ୟାପିଲା, କୃଷିକୁ ଭିତ୍ତି କରି ନୂତନ ମନ୍ତ୍ର ବା ମାଜିକ୍‌ ସମାଜରେ ସେତିକି ପ୍ରୟୋଜନ ହୋଇ ପଡ଼ିଲା । କ୍ରମେ କଳାର ଜୀବନ ଉଦ୍ଦେଶ୍ୟ ଆଉ ଜୀବନ ନ ହୋଇ କେବଳ ସୌନ୍ଦର୍ଯ୍ୟବୋଧ ହେଲା କଳାର ଭିତ୍ତି, ସଂଗ୍ରାମର ଉପାୟ ନୁହେଁ । କର୍ମକାଣ୍ଡ ପଦ୍ଧତି, ପ୍ରଥା, ଔପଚାରିକତା ବୃଦ୍ଧି ସ୍ୱେଚ୍ଛାଚାରୀ ବର୍ବର ବିଳାସକୁ ମର୍ଯ୍ୟଦାପୂର୍ଣ୍ଣ ମନେକଲା, ମହିମା ମଣ୍ଡିତ କଲା-

 

କ୍ଷେତ୍ରରେ ମଞ୍ଜି ନ ପୋତି ମଣିଷର ଆତ୍ମାକୁ ପୋତି ନରବଳି ପ୍ରଥା ସୃଷ୍ଟି କରାଗଲା । ବଳି ପଡ଼ୁଥିବା ଲୋକକୁ ନୃତତ୍ତ୍ୱବିତ୍‌ କହନ୍ତି Corn king । ରାଜକୀୟ ଆଡ଼ମ୍ବରରେ ଏକ ସୁନ୍ଦରୀ ବାଳିକା ସହିତ ବିବାହ ଦେଇ ତାକୁ ନୃତ୍ୟ, ସଙ୍ଗୀତ ଓ ଧର୍ମାଚାର ଭିତରେ ହତ୍ୟା କରାଗଲା । ଯଥାର୍ଥରେ କ୍ରିଷ୍ଟୋଫର୍‌ କନ୍‌ଭଏଲ୍‌ ତାଙ୍କର Illusion and Reality ପୁସ୍ତକରେ ଲେଖିଛନ୍ତି ‘‘ପ୍ରାଚୀନ ଯୁଗର କୃଷି ସମ୍ବନ୍ଧୀୟ କ୍ରିୟାକାଣ୍ଡ ପରବର୍ତ୍ତୀ ଯୁଗରେ ପ୍ରକାଶିତ ହୋଇ ଗ୍ରୀକ୍‌ ବିୟୋଗାନ୍ତ ଓ ମିଳନାନ୍ତ ନାଟକ ।’’

 

ମଣିଷର ପ୍ରଥମ ଜିଜ୍ଞାସା, ପ୍ରଥମ ଅନୁଭୂତି, ପ୍ରଥମ କଳ୍ପନା ଏହି ଭାବନାରେ ରୂପାନ୍ୱିତ-

 

ଶିଳ୍ପ ବିପ୍ଳବ ପରେ ଇଂରେଜୀ ସାହିତ୍ୟରେ ଉପନ୍ୟାସର ଆରମ୍ଭ । ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ଆରମ୍ଭ ହେଲେ ହେଁ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ସ୍ୱଟ୍‌ଙ୍କ ଅଭ୍ୟୁଦୟ ପର୍ଯ୍ୟନ୍ତ ଉପନ୍ୟାସ ଶୁଦ୍ଧ ଉନ୍ନତ କଳାକୋଟିକୁ ଉନ୍ନୀତ ହୋଇନଥିଲା । ଦ୍ଵିତୀୟ ମହାଯୁଦ୍ଧ ପରେ ଉପନ୍ୟାସର ମାନ ହ୍ରାସ ପାଇଥିଲେ ହେଁ ଇତିହାସର ପରିବର୍ତ୍ତିତ ରୂପରେ ନାନା ଉଦ୍ଭଟ ଚିତ୍ର ଓ ଚରିତ୍ର ଆତ୍ମପ୍ରକାଶ କରିଛି । ବ୍ୟକ୍ତି ଜୀବନକୁ ଅସାମାନ୍ୟ ପ୍ରାଧାନ୍ୟ ଦିଆଯାଇଛି ସମାଜ, ରାଷ୍ଟ୍ର, ଧର୍ମ ଓ ଈଶ୍ୱରଙ୍କ ଉପରେ ମଧ୍ୟ ।

 

କିନ୍ତୁ ଉପନ୍ୟାସର ବିଚାରରେ କଳାଗତ ମୂଲ୍ୟ ସମ୍ପୂର୍ଣ୍ଣ ନିରପେକ୍ଷ । ପ୍ରଚାରିତ ମତବାଦ ନୁହେଁ । ତା’ର ଭାଷା, ଶୈଳୀ ଓ ଅନ୍ତର୍ନିହିତ ଆବେଦନର ବିଶ୍ୱଜନୀନତାରେ । କେବଳ ଇନ୍ଦ୍ରିୟଲବ୍ଧ ଅନୁଭୂତିର ପୃଷ୍ଠା ପୃଷ୍ଠା ବର୍ଣ୍ଣନାରେ ଏହା ପର୍ଯ୍ୟବସିତ ନୁହେଁ । ନିର୍ଦ୍ଦିଷ୍ଟ, ସଠିକ୍‌ ଓ ସଂକ୍ଷିପ୍ତ ପରିସରରେ ଲେଖକର ଇନ୍ଦ୍ରିୟଲବ୍ଧ ଅନୁଭୂତି ରୂପାନ୍ତରିତ ହେବା ଏକାନ୍ତ ବାଞ୍ଛନୀୟ । ଫକୀରମୋହନଙ୍କ ଶୈଳୀ ଅନନ୍ୟ ଆଦର୍ଶ ହୋଇ ଏ ଯାବତ୍‌ ବ୍ୟତିକ୍ରମ ଏ ଦୃଷ୍ଟିରୁ ।

 

‘‘ଯେଉଁ ରାମଚନ୍ଦ୍ର ମଙ୍ଗରାଜ ଫତେପୁର ନରଷଣ୍ଢ ଜମିଦାରୀ ମାରି ନେଇ ପାରନ୍ତି, ସାମାନ୍ୟ ନେତଗାଈର ଅପହରଣ ଅପରାଧରେ ତାଙ୍କୁ ଜେଲ, ଜୋରିମାନା ଭୋଗିବାକୁ ପଡ଼େ । ଛ’ମାଣ ଆଠଗୁଣ୍ଠ ଜମି ନେଇଥିବା ହେତୁ ନୁହେଁ–ସାମାନ୍ୟ ଅସାବଧାନତା ହେତୁ’’

 

ଏହି କଥା ବସ୍ତୁଟିର ପୃଷ୍ଠଭୂମି କିନ୍ତୁ ବ୍ୟାପକ ଭାବେ ଅଭିବାଦିତ ହୋଇଛି, ୧୮୦୩ରୁ ୧୮୪୦ର ଜମିଜମା ବ୍ୟବସ୍ଥା, କୋଟ୍‍ କଚେରୀ ଅବସ୍ଥା ଜନିତ ପରିସ୍ଥିତି, ଅଜ୍ଞାନ ପଲ୍ଲୀରେ ତା’ର ପ୍ରତିକ୍ରିୟା ଓ ପରିଣତି ମାଧ୍ୟମରେ । ସାଧାରଣ ନିରୀହ ପ୍ରଜାର ଶେଷ ସମ୍ବଳ ସୁଦ୍ଧା ଲୁଣ୍ଠନ କରି ପୁଞ୍ଜି ଠୂଳୀଭୂତ କରୁଥିବା ଯାନ୍ତ୍ରବ ଶକ୍ତି ହିଁ ଫକୀରମୋହନଙ୍କ ଉପନ୍ୟାସରେ ପ୍ରଧାନ ଚରିତ୍ର । ପାପ ଓ ହିଂସାର ଆଧିକ୍ୟ ହିଁ ସମାଜର ପ୍ରତିରୋଧକାରୀ ଶକ୍ତି ବୃଦ୍ଧିର ପରିଚାୟକ । ଏ ଦୃଷ୍ଟିରୁ ଫକୀରମୋହନଙ୍କର ଚରିତ୍ରଗୁଡ଼ିକ ପ୍ରତିନିଧି ମୂଳକ । ସ୍ଵ ଅଜ୍ଞାତ ହେଲେ ବାସ୍ତବବାଦୀ ପ୍ରୟୋଗ ରୀତିର ସେ ପ୍ରତିଷ୍ଠାତା ।

 

ଫକୀରମୋହନ ପରେ ସାମାଜିକ, ରାଜନୈତିକ କ୍ଷେତ୍ରରେ ସଂସ୍କାର ପରିବର୍ତ୍ତନ ଘଟିଥିଲା । ଏକ ଗଣଚେତନାର ଅଭ୍ୟୁଦୟ ସ୍ୱାଧୀନତା ଆନ୍ଦୋଳନରେ ଭିନ୍ନ ଭିନ୍ନ ପନ୍ଥାରେ ପ୍ରଦର୍ଶିତ ହେଲା । ବଙ୍କିମଚନ୍ଦ୍ର, ଫକୀରମୋହନ, ପ୍ରେମଚାନ୍ଦ୍‌ ସ୍ଵାଧୀନତା ଓ ସ୍ଵଦେଶ ପ୍ରାଣତାର ପରିଚୟ ଦେବାର ପ୍ରବୀଣୋଚିତ ଦୃଷ୍ଟିଭଙ୍ଗୀ ପ୍ରକାଶ କରିଥିଲେ । ସମାଜବ୍ୟବସ୍ଥାକୁ ବୁଝିବା, ବିଶ୍ଳେଷଣ କରିବା ସାଧାରଣ ଲୋକର ବୋଧଗମ୍ୟତାରେ ସମ୍ଭବ ହେଲା । ଏ ଦୃଷ୍ଟିରୁ ସେମାନେ ଥିଲେ ଲୋକପ୍ରିୟ ଶସ୍ତା ଆମୋଦ ପ୍ରମୋଦ ପାଇଁ ନୁହେଁ ।

 

ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ପଲ୍ଲୀରେ ମହଙ୍ଗା, କଳାବଜାରୀ, ଲୁଣ୍ଠନ, ଅତ୍ୟାଚାରର କାହାଣୀ ନଅଙ୍କ ଦୁର୍ଭିକ୍ଷର ବିଭୀଷିକାକୁ କେତେବେଳେ ଟପି ଯାଇଛି ତ କୁସଂସ୍କାର, ଅଜ୍ଞାନତା, ରକ୍ଷଣଶୀଳତା ସ୍ଵାର୍ଥନ୍ୱେଷୀ ସମାଜର ନିଷ୍କରୁଣ ପରିବେଶ ସରଳ କୃଷକର ଜୀବନକୁ ମହାଯୁଦ୍ଧର ବିସ୍ଫୋରଣଠାରୁ ଅଧିକ ସଂକ୍ରମିତ କରିଛି । କାଳିନ୍ଦୀଚରଣଙ୍କର ‘ମାଟିର ମଣିଷ’ରେ ଶ୍ୟାମ ପ୍ରଧାନ ଓ ଅମୃତର ସନ୍ତାନର ସରବୁ ସାଓଁତା ପାରମ୍ପରିକ ଗୋଷ୍ଠୀ ଜୀବନର ଆଦର୍ଶ ତଥା ଧର୍ମକେନ୍ଦ୍ରିକ ଓ କୃଷିଭିତ୍ତିକ ପରମ୍ପରାର ପ୍ରତିଭୂ ହୋଇ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି । ସରଳ ଚାଷୀ ଜୀବନର ବ୍ୟକ୍ତିତ୍ୱ, ଆଦର୍ଶ ଓ ଅଙ୍ଗୀକାରବଦ୍ଧ ଦୃଢ଼ତା ଏହି ମାପକାଠିରେ ଚିହ୍ନିତ ହୋଇଛି । କେତେବେଳେ ତା’ ହୋଇପାରି ନାହିଁ ପରିସ୍ଥିତିର ଦୁର୍ବଳ ସଂକ୍ରମଣରେ ।

 

ବରଜୁ ପ୍ରଧାନ ଧୈର୍ଯ୍ୟବାନ ଏକ ବ୍ୟକ୍ତିତ୍ୱ ସମ୍ପନ୍ନ କୃଷକ ତା’ର ପରିବାର ପାଇଁ ପରମ୍ପରା ପାଇଁ, ସମାଜର ପ୍ରଗତି ପାଇଁ । ଗାନ୍ଧୀବାଦର ଅସହଯୋଗ, ଅହିଂସା ଆଦିର ଗୁଣାତ୍ମକ ତଥା ଶକ୍ତିଶାଳୀ ମୂଲ୍ୟବୋଧ ତା’ ଅବଚେତନାରେ ଯେଉଁ ସଂସ୍କାର ଆଣିଛି ସେହି ଚେତନାରେ ତା’ର ପରିଚିତ ମାଟିକୁ ସେ ଆପଣାର କରିଛି ଓ ଭୂଇଁ ଚାଖଣ୍ଡରେ ଗୌରବରେ ଛିଡ଼ା ହୋଇ ପାରିଛି । ସାମାଜିକ ସହଯୋଗ ସ୍ଥିର ବିଚାର ବୁଦ୍ଧିରେ ସବୁ ସମସ୍ୟାର ସମାଧାନ ଲୋଡ଼ିଛି ବରଜୁ-। କେତେବେଳେ ବିଫଳତା ଆସିଛି ତ କେତେବେଳେ ସଫଳ ହୋଇଛି ସେ ।

 

ପଲ୍ଲୀର ନିରାଡ଼ମ୍ବର ପରିବେଶରେ ଯୁଦ୍ଧକାଳୀନ ଘନଘଟା ତା’ର କରାଳ ଛାୟା ବିସ୍ତାର କରି ରଖିଛି । ଏହି ପରିବର୍ତ୍ତିତ ଦୁସ୍ଥିତିରେ କୃଷକ ପରିବାରର ଅଛି, ବୈରାଗ୍ୟ, ବ୍ୟଥା ଦାରିଦ୍ର୍ୟର ନିଖୁଣ ରୂପ ପ୍ରକାଶ କରିଛନ୍ତି କାଳିନ୍ଦୀଚରଣ ।

 

ଫକୀରମୋହନଙ୍କ ପରଠାରୁ ଦୁଇଟି ମହାଯୁଦ୍ଧ ଦେଇ ସ୍ଵାଧୀନତା ପର୍ଯ୍ୟନ୍ତ ଜମିଦାର, ସରବରାକାର, ସାହୁକାର, ନେତା, ମଧ୍ୟସ୍ଥି କାରବାର, ମହାଜନ ଓ ମାଲିକ ଆଦିଙ୍କ ସଂଖ୍ୟା ଅପରିସୀମ ବୃଦ୍ଧି ପାଇଛି । ଏହି ପ୍ରତିଷ୍ଠିତ ବ୍ୟବସ୍ଥା ଉପରେ ସ୍ଵାଧୀନତା ପରବର୍ତ୍ତୀ କାଳରେ ଜମିଦାରୀ ବିଲୋପ ହେଲେ ହେଁ ନୂତନ ଶିଳ୍ପପତି, କ୍ଷମତାଧର, ବ୍ୟବସାୟିକ ଏକଚାଟିଆ ଗୋଷ୍ଠୀ ଓ ରକ୍ଷଣଶୀଳ ସମାଜ ଏହାର ଅଭାବ ପୂରଣ କରିଛନ୍ତି । କୃଷି ସମସ୍ୟା ଓ କୃଷକର ଜୀବନକୁ କେନ୍ଦ୍ରକରି କବି ଚିନ୍ତାମଣି ମହାନ୍ତିଙ୍କ ଉପନ୍ୟାସ ‘ଟଙ୍କାଗଛ’ରେ ସୂଚନା ମାତ୍ର ଦିଆଯାଇଛି । ବୈଷ୍ଣବଚରଣ ଉପେନ୍ଦ୍ର କିଶୋର, ଦିବ୍ୟସିଂହ ପାଣିଗ୍ରାହୀ, ଚନ୍ଦ୍ରମଣି ଦାସ, ବଟକୃଷ୍ଣ ପ୍ରହରାଜ, ପ୍ରାଣକୃଷ୍ଣ ସାମଲ, ଅନନ୍ତ ପ୍ରସାଦ ପଣ୍ଡା, ହରିଶ୍ଚନ୍ଦ୍ର ବଡ଼ାଲ, ସତ୍ୟାନନ୍ଦ ବେହୁରା, ରାମ ପ୍ରସାଦ ସିଂହ, ଲକ୍ଷ୍ମୀଧର ନାୟକ ଆଦି କଥାକାର ବୃନ୍ଦ ଏହାକୁ ଆଭିମୁଖ୍ୟ କରି କୌଣସି ବୈଶିଷ୍ଟ୍ୟ ପ୍ରକାଶ କରିନାହାନ୍ତି । ପାଞ୍ଚଗୋଟି ଉପନ୍ୟାସ ଲେଖି ନାରୀ କବି କୁନ୍ତଳା କୁମାରୀ ସ୍ଵ ସଂସ୍କାରଶୀଳ ଚେତନାର ପରିଚୟ ଦେଇଥିଲେ ମଧ୍ୟ କୃଷି ଓ କୃଷକଉପରେ ଲେଖନୀକୁ ନିର୍ଦ୍ଦିଷ୍ଟ କରିନାହାନ୍ତି । ପଣ୍ଡିତ ଗୋଦାବରୀଶଙ୍କ କଙ୍କାଳର ଆର୍ତ୍ତନାଦ, ୧୮୧୭, ଅଭାଗିନୀ, ନିର୍ବାସିତ ଆଦି ପାଶ୍ଚାତ୍ୟ ପ୍ରଭାବିତ ହେଲେ ହେଁ କାଁ ଭାଁ ଉତ୍କଳୀୟ କୃଷକ ଜୀବନର ଚରିତ୍ରର ଅବତାରଣା କରାଯାଇଛି । ଏପରିକି ଗୋଦାବରୀଶ ମହାପାତ୍ରଙ୍କ ଲେଖାରେ ମଧ୍ୟ ଏହା ଆଲୋଚିତ କିମ୍ବା ଚିତ୍ରିତ ହୋଇନାହିଁ-

 

କାହ୍ନୁଚରଣଙ୍କ ନଅଙ୍କ ଦୁର୍ଭିକ୍ଷ ପଟ୍ଟଭୂମି ଉପରେ ଆଧାରିତ ଉପନ୍ୟାସ ‘ହା ଅନ୍ନ’ ପରେ ୧୮୬୮ ପରବର୍ତ୍ତୀ ଓଡ଼ିଶାର କୃଷକ ତଥା ପଲ୍ଲୀ ଜୀବନର ସମ୍ଭାବନାପୂର୍ଣ୍ଣ ଚିତ୍ର ଅଙ୍କିତ ହୋଇଛି ପ୍ରଥମେ ‘ଶାସ୍ତି’ ଉପନ୍ୟାସରେ । ବନ୍ୟାରେ କୁଟାଖିଅ ଭଳି ହଜି ଯାଇଥିବା ଅସହାୟ ସନେଇ ପରିଡ଼ା ଫେରିଆସିଛି ତା’ର ବିଧ୍ୱଂସ୍ତ ଭିଟା ମାଟିକୁ । ସେ ସମ୍ମୁଖୀନ ହୋଇଛି ଜମିଦାର ଚିନ୍ତେଇ ସୋଇଁ, ରକ୍ଷଣଶୀଳ ବ୍ରାହ୍ମଣ ସମାଜ ଓ ସ୍ଵାର୍ଥାନ୍ୱେଷୀ ସମାଜକୁ । ତାକୁ ତା’ ଭିଟାମାଟିରୁ ସାତପର କରିଦେଲେ ବି ସେ ଜୀବନ ସଂଗ୍ରାମର ଦୁଃସହ ବ୍ରତରେ ଅବତୀର୍ଣ୍ଣ ହୋଇଛି । ଏକ ସାମ୍ପ୍ରଦାୟିକତା ଯୁକ୍ତ ସଂସ୍କାରଶୀଳ ନୂତନ ପରିବେଶ ଭିତରେ ସେ ସଂଗ୍ରାମ କରିଛି ବିକାଶମୁଖୀ ଅର୍ଥନୈତିକ ସଫଳତା ପାଇଁ । କାହ୍ନୁଚରଣ ‘ଝନ୍‍ଜା’ ଓ ‘ବଜ୍ରବାହୁ’ରେ କ୍ରମଶଃ ଏହି ଗଠନମୂଳକ, ସଂସ୍କାରଶୀଳ ଚିନ୍ତାଧାରାର ଆଦର୍ଶ ଭୂମିଦାନ ଓ ଭୂ ଉନ୍ନୟନ ଯୋଜନାର ଭିତ୍ତିରେ କୃଷି ଓ କୃଷକ ସମସ୍ୟାର ସମ୍ଭାବନାକୁ ବିଯୁକ୍ତ କରିଛି । ଏହା ସ୍ଵାଧୀନତା ପରବର୍ତ୍ତୀ କାଳର ରଚନା । ମନସ୍ତାତ୍ତ୍ୱିକ ଚିତ୍ରଣ ବା ଫ୍ରଏଡ୍‌ଙ୍କର ମନସ୍ତାତ୍ତ୍ୱିକ ରୀତି ପ୍ରତି ସଚେତନତା ଏହାର ଅନ୍ୟତମ କାରଣ । ଓଡ଼ିଆ ସାହିତ୍ୟରେ ଫ୍ରୟେଡ଼ୀୟ ଯୌନତତ୍ତ୍ୱମୂଳକ ବିଶ୍ଳେଷଣ ରୀତିର ମୋହ ଏକ ବିଳାସ ହୋଇ ଯାଇଛି । ଅସ୍ଵାଭାବିକ ଭାବରେ ମାର୍କସ୍‌ ଓ ଫ୍ରଏଡ୍‌ଙ୍କୁ ଜୁଆଳି ପକାଇବାର ଚେଷ୍ଟାକୁ କ୍ରିଷ୍ଟଫର୍‌ କଡ଼ଓ୍ୱେଲ୍‌ ଅସଙ୍ଗତ ବୋଲି ଆଖ୍ୟା ଦେଇଛନ୍ତି ବିଷୟବସ୍ତୁର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିନଷ୍ଟ ହେବାର ଆଶଙ୍କାରେ-

 

‘ଝନ୍‌ଜା’ ଉପନ୍ୟାସରେ ଗାନ୍ଧୀ, ବିନୋବାଙ୍କ ଦ୍ୱାରା ପରିବର୍ତ୍ତିତ ସମାଜକୁ କ୍ଷଣପ୍ରଭା ଶେଷ ପର୍ଯ୍ୟାୟରେ ଦେଖିପାରିଛି । ଉଦ୍‌ବାୟୁ ଶରଣାର୍ଥୀମାନେ କୃଷିକୁ ଭିତ୍ତିକରି ନୂତନ ଜୀବନ ପ୍ରତିଷ୍ଠା କରିଛନ୍ତି ‘ତମସା ତୀରେ’ ଉପନ୍ୟାସରେ । ଏ ଦିଗରେ କାହ୍ନୁଚରଣଙ୍କ ସୁପରିକଳ୍ପିତ ବିଷୟବସ୍ତୁ ବେଶ୍‌ ସୁସଂଯୋଜିତ ହୋଇଛି ।

 

ଉପନ୍ୟାସ କ୍ଷେତ୍ରରେ ପୂର୍ବକଳ୍ପିତ ‘କାଳବେମୀ’ ବିଖଣ୍ଡିତ ହୋଇ ‘ହିଡ଼ମାଟି’, ଭଙ୍ଗାହାଡ଼, ପୋଡ଼ାଡିହ ତ୍ରୟୀରେ ପ୍ରକାଶିତ ହେଲା ପରେ ମାଟି ପ୍ରତି, କୃଷକ ପ୍ରତି ଏକ ପ୍ରଶସ୍ତ ସମାଜ ତାତ୍ତ୍ୱିକ ତଥା ଦାର୍ଶନିକ ଦୃଷ୍ଟିଭଙ୍ଗୀ ଉଦ୍‌ଭାସିତ କଲା । ଆଲବର୍ଟ କାମ୍ୟୁଙ୍କର ‘ପ୍ଳେଗ’ ଆପେ ଆପେ ବିଦାୟ ନେଇ ଡକ୍ଟର ରିଭଙ୍କର ସକଳ ସାଧନାକୁ ବ୍ୟର୍ଥ କଲାଭଳି ପ୍ରକୃତିର ନିୟମ ସକଳ ଘଟଣ, ବିଘଟଣ ସାମାଜିକ ପରିବର୍ତ୍ତନର ସମସ୍ୟାଦି ପ୍ରାଦୁର୍ଭାବକୁ ହଜମ କରି ନୂଆ ରୂପରେ ସମାହିତ ହୋଇଛି । କୁଢ଼କୁଢ଼ ଶବ ପୁଣି ସବୁଜ ଘାସର ଆସ୍ତରଣରେ ଲୁଚିଯାଏ ପର୍ବ, ପର୍ବାଣି କୃଷିଭିତ୍ତିକ ଜୀବନର ସମସ୍ତ ଉଚ୍ଛ୍ୱାସ ଯନ୍ତ୍ର ସଭ୍ୟତାର ଶିଳ୍ପ ପରିବର୍ତ୍ତନରେ ଜମିଦାର, ରାଜନୈତିକ ଶକ୍ତି, ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ରର ସମସ୍ତ ଅତ୍ୟାଚାରକୁ ତଳେ ଚାପି ଦିଏ ଓ ନିତ୍ୟ ନୈମିତ୍ତିକ ଜୀବନର ପୌନଃପୁନିକତାରେ ସବୁ କିଛି ପୂର୍ବପରି ଚାଲେ । ପ୍ରକୃତିବାଦୀର ଏ ଦାର୍ଶନିକ ସୁଲଭତା ଏକ ଉଚ୍ଚକୋଟୀର ସତ୍ୟାନୁସନ୍ଧାନ ନିଶ୍ଚୟ । କିନ୍ତୁ ଖଟି ଖାଉଥିବା ମୁକ୍ତ ମଣିଷର ପ୍ରଗତି, ଅଭିବୃଦ୍ଧି ଓ ଗତିଶୀଳତାରେ ଆଦୌ ସହାୟକ ହୋଇନାହିଁ । କୃଷକ ପ୍ରତି ତଥାପି ଚରମ ସମ୍ବେଦନାରେ ପାଠକର ହୃଦୟ ନିତ୍ୟାନନ୍ଦ ମହାପାତ୍ରଙ୍କର ଏହି ଉପନ୍ୟାସ ତ୍ରୟୀରେ ବିମଥିତ ହୋଇପଡ଼େ ।

 

ଏହି ବହୁମୁଖୀ ଦୃଷ୍ଟିଭଙ୍ଗୀର ସମନ୍ୱୟ ଆମେ ଦେଖୁ ଏକମାତ୍ର ଔପନ୍ୟାସିକ ‘ପରଜା’ ‘ମାଟିମଟାଳ’ର ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଠାରେ ଓ ତା’ର କଳାତ୍ମକ ସାଫଲ୍ୟ ‘ଶକୁନ୍ତଳା’ର ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସରେ ପରିଦୃଷ୍ଟ ହୋଇଥାଏ । ବହୁ ଉପନ୍ୟାସର ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି, ଉପନ୍ୟାସ ‘ଅମାବାସ୍ୟାର ଚନ୍ଦ୍ର’ର ସ୍ରଷ୍ଟା ଗୋବିନ୍ଦଚନ୍ଦ୍ର ଦାସ, ବଳରାମ ପଟ୍ଟନାୟକ, ଦଶରଥ ସାମଲ, ଭାଗୀରଥୀ ନେପାକ, ନରସିଂହ ସାହୁ, ବିଭୂତି ପଟ୍ଟନାୟକ କେହି ଏହି ସମସ୍ୟାକୁ ନିଜ ରଚନାର ଭିତ୍ତିଭୂମି ସମ୍ପୂର୍ଣ୍ଣଭାବେ କରି ନାହାନ୍ତି । ଏପରିକି ଔପନ୍ୟାସିକ ରାଜକିଶୋର ପଟ୍ଟନାୟକ, କମଳାକାନ୍ତ ଦାଶ, ହରେକୃଷ୍ଣ ମହତାବଙ୍କ ଦୃଷ୍ଟିଭଙ୍ଗୀ ଏହାକୁ ଆଭିମୁଖ୍ୟ କରିନାହିଁ । କିନ୍ତୁ ଯମେଶ୍ଵର ମିଶ୍ରଙ୍କର ‘ଖମାରି’, ବ୍ରଜମୋହନ ମହାନ୍ତି ଅର୍ପିତ ଉପନିଷଦରେ, ବିଭୂତି ପଟ୍ଟନାୟକଙ୍କ ‘ଏଇ ଗାଁ ଏଇ ମାଟି’ର ପୃଷ୍ଠଭୂମିରେ ଏହି ଚିତ୍ରଣ ଆପଣା ଛାଏଁ ଆସିଛି ବୈଶିଷ୍ଟ୍ୟହୀନ ଭାବରେ । ନବ କିଶୋର ରାଜ, ଦେବ୍ରାଜ ଲେଙ୍କା; ଉମାଶଙ୍କର ପଣ୍ଡା, ଗଣେଶ୍ଵର ମିଶ୍ର କି ପ୍ରଫୁଲ୍ଲ ନାୟକ କେହି ଏଥିପ୍ରତି ସଚେତନ ହୋଇ ନାହାନ୍ତି ।

 

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଦୁଇଜଣ ଶକ୍ତିଶାଳୀ ଔପନ୍ୟାସିକ ଗୋପୀନାଥ ଓ ଶାନ୍ତନ୍ତୁ ଆଚାର୍ଯ୍ୟଙ୍କ ଲେଖନୀରେ ଏହାର ଦିଗ ଦିଗନ୍ତ ପ୍ରସାରିତ ହୋଇଛି ଅତୁଳନୀୟ ବିଭବରେ । ‘ପରଜା’ ଉପନ୍ୟାସରେ ବେଠିଖଟା କୃଷକର ଶ୍ରମକ୍ଳାନ୍ତ ଜୀବନ, ‘ମାଟି ମଟାଳ’ରେ ଆଧୁନିକ ଯୁଗର ବେକାର ରବି ନିଜକୁ ନିୟୋଜିତ କରେ କୃଷି କ୍ଷେତ୍ରରେ । ପ୍ରଗତିର ଆଲୋକକୁ ପଲ୍ଲୀ କ୍ଷେତରେ ବିଞ୍ଚିଦିଏ ଏକନିଷ୍ଠ ସାଧନାରେ । ଚରିତ୍ର ମାଧ୍ୟମରେ ସମଗ୍ର ଗୋଷ୍ଠୀ ଜୀବନ, ସମଗ୍ର ଗ୍ରାମ ଜୀବନର ପୂର୍ଣ୍ଣାଙ୍ଗ ଓ ପୁଙ୍ଖାନୁପୁଙ୍ଖ ଚିତ୍ର ଗୋପୀନାଥ ବାବୁ ଦେଇଛନ୍ତି । ଐତିହ୍ୟ, ସାମ୍ପ୍ରତିକ ଅର୍ଥନୀତି, ରାଜନୀତି, ସାମାଜିକ ପରିବର୍ତ୍ତନ, ପାରମ୍ପରିକ ବ୍ୟକ୍ତିତ୍ଵର ନୃତାତ୍ତ୍ୱିକ ସମୀକ୍ଷା ତାଙ୍କର ବୌଦ୍ଧିକ ଦୀପ୍ତ ସମାଜତତ୍ତ୍ୱର କଳାତ୍ମକ ବ୍ୟାପ୍ତି ବୃଦ୍ଧି କରିଛି । ଫକୀରମୋହନଙ୍କ ପରମ୍ପରାର ଅଭିବୃଦ୍ଧି ‘ପରଜା’ର ବୈପ୍ଳବିକ ଦୃଷ୍ଟିଭଙ୍ଗୀରେ ଓ ଅଭ୍ୟୁଦୟର ସମ୍ଭାବନା ପ୍ରତିଷ୍ଠିତ ପ୍ରକଳ୍ପ ଓ ଶାସନ ବ୍ୟବସ୍ଥା ଭିତ୍ତିରେ । ଧୈର୍ଯ୍ୟଶୀଳ ଶିକ୍ଷିତ ଯୁବକ ରବି ଓ ଛବିର ମିଳନ ଏହି ପ୍ରଗତିର ଆନନ୍ଦରେ–ପରିଣୟ ପଲ୍ଲୀ ଓ ସହର ସଂସ୍କୃତିର । ହୁଏତ ଏହି ଯୋଜନା ମାଧ୍ୟମରେ ଆଧୁନିକ ଶିକ୍ଷିତ ଯୁବକ ହୋଇଛି କୃଷକ ଓ ଉନ୍ନତ ଧରଣର ଜୀବନ ପ୍ରତି ଆହ୍ଵାନ କରିଛି ସକଳ କୃଷକଙ୍କୁ । ବେକାରି ସମସ୍ୟାର ଆସୁରିକ କରାଳଛାୟାରୁ ନିଜକୁ ମୁକ୍ତ କରିଛି ।

 

ଇଞ୍ଜିନିୟର ଶ୍ରୀ ଦାଶରଥୀ ନନ୍ଦ ଏହି କଳ୍ପନାର ବୈଜ୍ଞାନିକ ରୂପ ଦେଇଛନ୍ତି ‘ଏଇ ପଥ’ ଉପନ୍ୟାସରେ ସାର୍ଥକ ଭାବରେ ।

 

କିନ୍ତୁ ଔପନ୍ୟାସିକ ଗୋପୀନାଥଙ୍କ ସାଫଲ୍ୟ ଏ ମାଟିର ଐତିହ୍ୟର ଆଧୁନିକତମ ପ୍ରକାଶ ଓ କଳାତ୍ମକ ସଙ୍ଗଠନରେ ବଳିଷ୍ଠ । ଏମିଲି ଜୋଲାଙ୍କ Earth ଭଳି ଏହାର ଆରମ୍ଭ, ବିସ୍ତାର, ଆଭିମୁଖ୍ୟ ଅନ୍ତର୍ଭେର୍ଦୀ ହୋଇଛି ଓ ବ୍ୟକ୍ତିତ୍ୱର ପ୍ରାରବ୍ଧ ସମ୍ଭାବନାଗୁଡ଼ିକୁ ଆବିଷ୍କାର କରି ପାରିଛି । ଦେଶପ୍ରତି ‘ମାଟି ମଟାଳ’ ପ୍ରତି ମଣିଷର ସମୟୋଚିତ ସମ୍ପର୍କ ନୂତନ ଭାବରେ ପ୍ରତିଷ୍ଠିତ ହୋଇଛି ।

 

‘‘ସେହି ଦେବଦାରୁ ତଳେ ଠିଆ ହୋଇ ଆପଣା ଭିତରର ଛପିଲା ବ୍ୟକ୍ତିତ୍ୱ ଯେପରିକି ତା’ର ଜାଣତା ମନ ଆଗରେ ନିଉଛାଳି ହେଲ ଏତେ ଶସ୍ତାରେ ବିକି ଖାଇଦିଅ ନାହିଁ ମତେ । ମୁଁ ବଞ୍ଚିବାକୁ ଲୋଡ଼ୁଛି । ଫୁଲ ପରି ଫୁଟିବାକୁ ଲୋଡୁଛି ।’’

 

ଗ୍ରାମ୍ୟ ଭାଷା, ଲୋକ ମୁହଁର ଭାଷା ଫକୀରମୋହନଙ୍କ ଦ୍ୱାରା ପର୍ଯ୍ୟାପ୍ତ ଭାବରେ ପରିଦୃଷ୍ଟ ହୋଇ ତାହା ପୂର୍ଣ୍ଣ ବିବର୍ତ୍ତିତ ହୋଇଛି । ‘ମାଟି ମଟାଳ’ରେ ଯେମିତି ! ଭାଷା କେବଳ ଏଠି ଭାବର ବାହ୍ୟ ନୁହେଁ । ଭାଷା ଅନୁଭୂତିକୁ ସଙ୍ଗଠନ କରିଛି । ଭାଷା ହୋଇଛି ଉଭୟ ପ୍ରତୀକ, ଭାବକଳ୍ପ ଓ ଲେଖକର ଦିବ୍ୟ ଦୃଷ୍ଟି । କୃଷିଭିତ୍ତିକ ଗ୍ରାମ୍ୟ ଚରିତ୍ରର ସଂଗ୍ରାମ ଓ ଶ୍ରମ ମୁଖର ଜୀବନର ଚିତ୍ର ଦେବାରେ ଭୂମି ସଂଲଗ୍ନ ଭାଷାର ଜୈବିକ ଶକ୍ତି ଓ ସ୍ୱାସ୍ଥ୍ୟ ସମଗ୍ର ଉପନ୍ୟାସରେ ଜୀବନ ଓ ସୌନ୍ଦର୍ଯ୍ୟର ସଞ୍ଚାର କରିଛି । ଉପନ୍ୟାସର ଅସମ୍ଭବ ସ୍ଫୀତି ସତ୍ତ୍ୱେ ଏହାକୁ ଉପଭୋଗ୍ୟ କରିଛି ଔପନ୍ୟାସିକର ଶୈଳୀ ।

 

ପଲ୍ଲୀର ଭାଷା, ଚାଷୀ ମୁହଁର ଭାଷାକୁ ଅଧିକ ପ୍ରକାଶକ୍ଷଣ କରିବା ପାଇଁ ଲୋକ ସାହିତ୍ୟର ଢଗଢମାଳିର ଭାଷା ପ୍ରୟୋଗ ଡକ୍ଟର କୁଞ୍ଜବିହାରୀ ଦାଶ ‘ମଣିମା ଶୁଣିମା ହେଉ’ ଭଳି କେତେକ ଉପନ୍ୟାସ ଲେଖୁଛନ୍ତି କିନ୍ତୁ ସମୟୋଚିତ ଜୀବନ ଜିଜ୍ଞାସାଗୁଡ଼ିକ ଶକ୍ତିଶାଳୀ ଆବେଗରେ ପ୍ରକାଶ କରିବା ନିମିତ୍ତ ଶାନ୍ତନୁ ଆଚାର୍ଯ୍ୟଙ୍କର ବୌଦ୍ଧିକ ପ୍ରୟୋଗ ରୀତିଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟଗ୍ରାହୀ ।

 

କଣୁଆ ଗାଁ ଚାଲି ଆସିଥିବା ଝିଅଟିଏ ଥିଏଟରର ମଞ୍ଚରୁ ଅପହୃତା ଶକୁନ୍ତଳା ଭୂମିକାରେ ଅଭିନେତ୍ରୀ ଅସୀମା ଉପାଧ୍ୟାୟ ଶାନ୍ତନୁଙ୍କ ସଦ୍ୟତମ ଉପନ୍ୟାସର ନାୟିକା । ମିଥ୍‌ର ସାର୍ଥକ ପ୍ରୟୋଗ, ଯୁକ୍ତି ଓ ସଂଶ୍ଳେଷଣ ରୀତିର ସୂକ୍ଷ୍ମ ବିଚାରବୋଧ ସମଗ୍ର ଭୂସମସ୍ୟାର ସମାଧାନ ରକ୍ତାକ୍ତ ବିପ୍ଳବ ଜରିଆରେ କରି କିଭଳି ଦୁଃଖାନ୍ତକ ହୋଇ ଉଠିଛି; ତାହାର ସମୀକ୍ଷା ସ୍ଵତନ୍ତ୍ର ଭାବରେ ଆବଶ୍ୟକ । ରାଜନୈତିକ ଦଳଗୁଡ଼ିକର ବ୍ୟର୍ଥତା ଭୂସଂସ୍କାର, ଶସ୍ୟ ଉତ୍ପାଦନ, ବଣ୍ଟନ, ନିୟନ୍ତ୍ରଣ, ସାମ୍ୟ, ସ୍ଵାଧୀନତା ଓ ମୁକ୍ତିର ପଥ ଉନ୍ମୁକ୍ତ କରିବାରେ ଅସମର୍ଥ ହେଲାବେଳେ ନକ୍ସଲପନ୍ଥୀ ଯୁବ ବିପ୍ଳବ ଏକ ନବ ମାନବର ପ୍ରତିଶ୍ରୁତି ପ୍ରଦାନ କରେ । ଶିଳ୍ପପତି ଯକ୍ଷମାନଙ୍କ ପୁଞ୍ଜିବାଦୀ ଅର୍ଥନୀତି, ରାଜନୈତିକ ପ୍ରବଞ୍ଚନା ପ୍ରତିକ୍ରିୟାଶୀଳ ଗୋଷ୍ଠୀର ପ୍ରତିବିପ୍ଳବୀତ୍ୱ ଆଦି ଶ୍ରେଣୀ ଚରିତ୍ର ଯଥାର୍ଥ ବିଶ୍ଳେଷିତ ହୋଇ ଉପନ୍ୟାସକୁ ମାଣିକ ବନ୍ଦୋପାଧ୍ୟାୟ, କ୍ରିଷନ ଚନ୍ଦର, ପଣୀନ୍ଦ୍ର ରେଣୁଙ୍କ ଉପନ୍ୟାସ ଉଚ୍ଚତାକୁ ପହଞ୍ଚାଇ ଦେଇଛି । କିନ୍ତୁ ଏହାର ବୈଶିଷ୍ଟ୍ୟ ଭାରତୀୟ ଉପନ୍ୟାସରେ ବିରଳ ହୋଇଛି ଯେତେବେଳେ ସଂଘର୍ଷର ସମସ୍ତ ସମାଧାନ ଉତ୍କଳର ଐତିହ୍ୟବୋଧ ଜାଗରଣ ସମ୍ଭବ ହୋଇଛି । ଇଉରୋପୀୟ ସାମ୍ୟବାଦୀଧାରାର ଅନ୍ଧ ଅନୁକରଣ ନ କରି ଶାନ୍ତନୁ ବାବୁ ଲୋକ ବିଶ୍ୱାସରେ ବଦ୍ଧମୂଳ ଐତିହ୍ୟର ନୂତନ ସମ୍ପର୍କ ବର୍ତ୍ତମାନ ସହିତ ସୃଷ୍ଟି କରିପାରିଛନ୍ତି ଏକ ଅପୂର୍ବ କକ୍ଷ ସଂଶ୍ଳେଷଣ ମାଧ୍ୟମରେ ।

 

ମାଧୁର୍ଯ୍ୟବାଦୀ ଓ ବାସ୍ତବବାଦୀ ଉଭୟ ଭିତରେ ବୈପ୍ଳବିକ ପ୍ରୟାସ । ତେଣୁ ଉଭୟର ସମନ୍ୱୟ କରି ଯୁଗ ଯୁଗର ବ୍ୟବଧାନ ଐତିହ୍ୟ ଚେତନାର ବାସ୍ତବତା ଉପରେ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି । ଏହି ସମନ୍ୱୟ ଯେପରି ଭାବଧାରାରେ ସେହିପରି ନାନାବିଧ ଭାଷା ଓ ଶବ୍ଦ ଶିଳ୍ପ ପ୍ରୟୋଗରେ ଏହାର ଅଙ୍ଗୀଭୂତ । ‘ଶକୁନ୍ତଳା’ରେ ଭାରତୀୟ ଆତ୍ମାର ଆବିଷ୍କାର ଚିନ୍ତାଶୀଳମାନଙ୍କର କୃଷକ ଓ କୃଷି ସଂସ୍କୃତିର ମହାନତା ପ୍ରତି ଦୃଷ୍ଟି ଆକର୍ଷଣ କରେ । ଉତ୍କଳର ସେ ଐତିହ୍ୟ ନ ଥିଲେ ଏହି ସଂଘର୍ଷର ମୂଳସୂତ୍ର ମିଳନ୍ତା ନାହିଁ କି ସମାଧାନର ସନ୍ତୋଷ ଆସନ୍ତା ନାହିଁ ।

 

‘‘ମାଧୁର୍ଯ୍ୟ ! ମାଧୁର୍ଯ୍ୟ’’ ରାସ୍ତା ମଝିରେ ସେହି ଅପୂର୍ବ ଦୃଶ୍ୟକୁ ଦେଖୁ ଦେଖୁ ବଡ଼ ଜ୍ୟୋତିଷ ବିହ୍ୱଳିତ ହୋଇ ପଡ଼ୁଥାଏ ମୁହୂର୍ତ୍ତକୁ ମୁହୂର୍ତ୍ତ ।

 

‘କିନ୍ତୁ ଦେଖ’ ବାସ୍ତବବାଦୀର ଆଖି ତଥାପି ଫେରି ନ ଥାଏ କଣୁଆର ଦିଗ୍‌ବଳୟରୁ । ‘‘ସମ୍ଭବତଃ ଯକ୍ଷର ଗୋଦାମ ଘର ପୋଡ଼ି ଯାଇଛି ନା କ’ଣ !’’

 

ଏ ସଫଳତା ଗ୍ରାମବାସୀଙ୍କର, ସାଧାରଣ ଚାଷୀର । କିନ୍ତୁ ଔପନ୍ୟାସିକ ଏଇଠି ଅଟକି ନାହାନ୍ତି । ସ୍ଳୋଗାନ । ରାଜନୈତିକ ଚିନ୍ତାଧାରା ପ୍ରତି କଣୁଆ କୃଷକ ସମାଜର ମୋହକ୍ତ ଅବସ୍ଥା ଆସିଯାଇଛି ।

 

‘‘୧୯୫୧ରେ ତେଲେଙ୍ଗାନାରେ ଘୋର ଘଡ଼ିସନ୍ଧ ବେଳେ ବିନୋବାଙ୍କ ଘୋଷିତ ଭୂଦାନ ଯଜ୍ଞର ପରିଣତି ନିଷ୍ଫଳ ହେଲା କାହିଁକି ? ମହାତ୍ମାଗାନ୍ଧୀଙ୍କର ନାଁ ଏ ଦେଶର ଟୋକାଟୋକୀଙ୍କ ପାଟିରେ ଉପହାସର ଭାଷା ହେଲା କିପରି ? କାରଣ ତମେ ବାମପନ୍ଥୀମାନେ ବିଦେଶରୁ ପ୍ରଚୁର ଆଇଡିଆ ଧାର କରି ଏ ଦେଶଟାକୁ ଗୋଟାଏ ରାତିରେ ମସ୍କୋ ବା ପେକିଂ କରିଦେବାର ସ୍ୱପ୍ନ ଦେଖିଲ ବୋଲି । କାରଣ ତୁମର ଗାନ୍ଧୀବାଦୀ ବନ୍ଧୁ ବା ଶତ୍ରୁମାନେ ମଧ୍ୟ ବିଦେଶରୁ ପ୍ରଚୁର ଅର୍ଥ ଧାର କରିଆଣି ଦୁଇ ତିନୋଟି ପଞ୍ଚବାର୍ଷିକ ଯୋଜନା ଦ୍ୱାରା ଏ ଦେଶଟାକୁ ବର୍ଷ କେଇଟାରେ ନିଉୟର୍କ କରିଦେବାର ସ୍ଵପ୍ନ ଦେଖିଲେ ବୋଲି ।’’ ମାଧୁର୍ଯ୍ୟବାଦୀର ବିଭୂତି ବୋଳା ରୁଦ୍ର ସୁନ୍ଦର ଚେହେରାଟି ମଧ୍ୟ କ୍ରମେ କ୍ରମେ ଐତିହାସିକ ପାଲଟି ଯାଇଥାଏ–ବାସ୍ତବବାଦୀ ପରି ।’’

 

ଦ୍ୱନ୍ଦ୍ୱରୁ ନୂତନ ଭାବଧାରା ‘ସମନ୍ୱୟ ।’ ସେହି ମତ୍ତାଭାବରେ ବିଭୋର ନାୟକ ବାୟା ଓରଫ ଅନ୍ତର୍ଯ୍ୟାମୀ ମହାରଣା । ଚିତ୍କାର କରେ ‘ଜୟ ଜଗନ୍ନାଥ ଜୟ ଭାରତ’ ‘ପ୍ରାଚୀନ କଣୁଆ ବା କଣ୍ୱ ଗ୍ରାମର ବଡ଼ଦାଣ୍ଡ ଉପରେ ଲମ୍ବ ହୋଇ ପଡ଼ିଗଲା ସେ । ନିଜ ମୁହଁ ନାକ କାନକୁ ମାଟିରେ ଘଷି ପକାଇ ସେ କିଛି ବେଳ ଯାକେ ଛୋଟ ପିଲାଙ୍କ ପରି କଇଁ କଇଁ କାନ୍ଦ ପରି ସ୍ତିମିତ ସ୍ୱରଟିଏ ଧୂଳି ଭିତରୁ ଶୁଣାଗଲା ସମସ୍ତଙ୍କୁ ।’’

 

କୃଷି ସମସ୍ୟାର ନୂତନ ଦିଗନ୍ତ ପରିବ୍ୟାପ୍ତ ଆଜିର ଓଡ଼ିଆ ଉପନ୍ୟାସରେ ଏହି ‘ଶକୁନ୍ତଳା’ର ପ୍ରକାଶ ପରେ । କଳାଗତ ସୌଷମ୍ୟ ଓ ସୌଷ୍ଠବ ଏହି ବ୍ୟାପ୍ତିର ପରିଚାୟକ । କୃଷକର ନିରୀହ ମନ, ସରଳ ବିଶ୍ଵାସ, ଉର୍ଦ୍ଧ୍ୱାଭିମୁଖୀ ଚେତନା, ଦାରିଦ୍ର୍ୟ, ଅନୁକମ୍ପା, ମାଟିପ୍ରତି ମୋହ, ତା’ ଜୀବନରେ ଆସିଥିବା ଯାନ୍ତ୍ରିକ ଜୀବନର ଦ୍ୱନ୍ଦ୍ୱ, ଶୋଷଣର ଝଡ଼, ତା’ର ବଜ୍ର ବାହୁରେ ହିଂସ୍ର ଶିହରଣ ତା’ର ଅପରାଜିତ ଐତିହ୍ୟବୋଧ ସବୁର ସାର୍ଥକ ଚିତ୍ର ଓ ସମନ୍ୱୟ ଯେତିକି ବୌଦ୍ଧିକ ସେତିକି ଗଣାଭିମୁଖୀ । ‘ଶକୁନ୍ତଳା’ ପ୍ରଗତି ଯୁଗର ଏକ ପ୍ରତୀକ୍ଷମାଣ ସମ୍ଭାବନାର ସଫଳ ରୂପ ।

 

‘‘ଜୟ ଜଗନ୍ନାଥ–ଜୟ ଭାରତ’’

 

ହରିହର ମିଶ୍ର

୯ । ୩ ।

ଛାୟାପଥ, ନୟାଗଡ଼, ପୁରୀ

Image

 

ଓଡ଼ିଆ କଥାସାହିତ୍ୟରେ ଅନୁନ୍ନତ ସମ୍ପ୍ରଦାୟର ଚିତ୍ର

ଡଃ ରତ୍ନାକର ଚଇନି

 

ଆଲୋଚନାର କାହାଣୀଟି ଦାସିଆ ବାଉରିଠାରୁ ହିଁ ଆରମ୍ଭ ହେଉ ଏବଂ ତା’ରି ପାଇଁ ଏହିଭଳି କୁହାଯାଉ–‘‘ପତିତପାବନ ବାନା ଆଉ କେତେ ବେଳକୁ ?’’ ଲୋକେ କହୁଛନ୍ତି–ବେଳ ଆସି ଯାଇଛି । ପାଣିପାଗ ବଦଳି ଯାଇଛି । ମହାପ୍ରଭୁମାନେ ଆଉ ଅନାଗ୍ରହ, ପ୍ରଦର୍ଶନ କରିପାରୁ ନାହାନ୍ତି ଦାସିଆ ବାଉରିମାନଙ୍କୁ । ସାମ୍ନାକୁ ଚାହିଁ ଆଗେଇଲା ବେଳକୁ ପାଦତଳକୁ ଚାହିଁବାକୁ ପଡ଼ୁଛି ସେମାନଙ୍କୁ । ପୁଣି ଏ କଥା ମଧ୍ୟ ଅଜଣା ରହିନାହିଁ ଯେ, ଭାରତୀୟ ସଂସ୍କୃତିର ମୂଳବୀଜ ଆମ ଗାଁଗଣ୍ଡାର ଅପନ୍ତରାରେ ଗହୀର ବିଲର କାଦୁଅ ପାଖରେ ସଢ଼ୁଛି । ତାକୁ ଉଦ୍ଧାର କରିବାକୁ ପଡ଼ିବ । ନଗର ଜୀବନର ପୀଡ଼ିତ-ଚେତନା ପାଖରେ ଅସଲ ପ୍ରାଣଟା ନାହିଁ; କିମ୍ବା ଶିଳ୍ପ ସଭ୍ୟତା ନିକଟରେ ପ୍ରକୃତ ପ୍ରାଣବନ୍ତ ସମାଜ ନାହିଁ;–ଯାହା ଅବା ଅଛି, ତାହା ଏକ ବିଚ୍ଛିନ୍ନବାଦୀ ବ୍ୟକ୍ତିକ ଜୀବନ । ମଣିଷ ସହ ମଣିଷର ସମ୍ପର୍କ ଏଠି ବଡ଼ ବ୍ୟବସାୟିକ । ପରସ୍ପରର କଥାବାର୍ତ୍ତା ଠିକ୍‌ ସାରୁପତ୍ର ଦିହର ପାଣିଭଳି । (ଆହା, ବଡ଼ ଅସହାୟ ପ୍ରାଣୀଗୁଡ଼ିଏ–କେତେ କଷ୍ଟରେ କେବଳ ମରିବା ପାଇଁ ବଞ୍ଚି ରହିଛନ୍ତି ସତେ !)

 

କିନ୍ତୁ ତା’ମାନେ ନୁହେଁ ଯେ, ଗ୍ରାମ୍ୟ-ଜୀବନଟା ଏବେ ଖୁବ୍‌ ଭଲ । ଆମ ଗାଁ-ଗଣ୍ଡାର ସେଇ ସାରିଆ–ଭଗିଆମାନଙ୍କୁ କିମ୍ବା ବରଜୁ-ଛକଡ଼ିମାନଙ୍କୁ; ଏପରିକି ଶୁକୃଜାନୀ-ମାଣ୍ଡିଆ ଜାନୀମାନଙ୍କୁ-ବହୁ ରାମଚନ୍ଦ୍ର ମଙ୍ଗରାଜ, ହରି ମିଶ୍ର ବା ରାମ ସାହୁକାର ଆଜି କଳଙ୍କି ଲଗେଇ ଛାଡ଼ି ସାରିଲେଣି । କୁତ୍ସିତ ରାଜନୀତିକ ଆବହାଓ୍ୱାରେ ସେମାନେ ପଙ୍କିଳ–ରୁଦ୍ଧଶ୍ଵାସ । ଅବିଶ୍ୱାସର ବିଷ-ମଞ୍ଜି ସେମାନଙ୍କର ହୃଦୟ-ଆଳବାଳରେ ଅଙ୍କୁରୋଦ୍‌ଗୀ କରିସାରି ବେଶ୍‌ ଶ୍ୟାମଳିମା ଧାରଣ କରି ଆସିଲାଣି । ଆମ କୋରାପୁଟର ସୂର୍ଯ୍ୟ ଡେଇଁପାରୁ ନ ଥିବା ପାହାଡ଼ ସେପଟକୁ ବେଲ୍‌ବଟମ ପ୍ୟାଣ୍ଟ ଗଲାଣି–ମିଡ଼ି ମ୍ୟାକ୍‌ସିଠାରୁ ଆରମ୍ଭ କରି ଚୋଲିକଟ୍‌ ବ୍ଲାଉଜ ବି ପହଞ୍ଚି ଗଲାଣି । ଆମର ବହୁ ଗାଁ-ଗଣ୍ଡାକୁ ବିଜୁଳି ଆଲୁଅ ଗଲାଣି; ଖବରକାଗଜ ଗଲାଣି । ସତ ଗଲାଣି–ମିଛ ଗଲାଣି । ନୂଆ ନୂଆ ସଭ୍ୟତା ପଶିଲାଣି,–ଅସଭ୍ୟତା ବି ପଶିଲାଣି । ‘ଶକୁନ୍ତଳା’ ନାଁ କହି ଅଖ୍ୟାତ କଣୁଆ ଗାଁର କେଉଟ ସାହି ଓ ଗଉଡ଼ ସାହିରେତ ମାର୍କସ ପଶି ଜଗନ୍ନାଥ ମନ୍ଦିର ଚୂଡ଼ା ଦେଶରେ ତାଙ୍କ ନାଲିଆ ପତାକା ଉଡ଼ାଇ ସାରିଲେଣି । ଆଜି ଆଉ କୌଣସି କଥା କେଉଁଠି ହେଲେ ବିଚିତ୍ର ନୁହେଁ ।

 

ତେବେ ପ୍ରଶ୍ନ ଉଠିପାରେ, ଏ ପର୍ଯ୍ୟାୟରେ ‘ଦାସିଆ ବାଉରି’ ବା ‘ଜାତିରେ ମୁଁ ଯବନ’ଙ୍କ କଥା ଉଠିଲା କି ? ଏ କଥା ବୋଧହୁଏ ଉଠିଲା–ଏଇ ଅନୁନ୍ନତ ସମ୍ପ୍ରଦାୟ (Down–trodden)ଙ୍କ କଥା ପଡ଼ୁ ପଡ଼ୁ । ତା’ହେଲେ ଅନୁନ୍ନତ ସମ୍ପ୍ରଦାୟ କାହାକୁ ବୋଲାଯିବ, ତାହା ଆଗ ସ୍ଥିର ହୋଇଯାଉ । ସେଇମାନଙ୍କ ଭାଷାରେ–(କ) ଯେଉଁମାନେ ଆର୍ଥନୀତିକ ଜଗତର ତଳ ସୋପାନରେ ପଡ଼ିଛନ୍ତି, ସେଇମାନେ କ’ଣ କେବଳ ଅନୁନ୍ନତ ?–କିମ୍ବା (ଖ) ଯେଉଁମାନେ ଜାତିଗତ ବଡ଼ଦେଉଳର ମୁଖଶାଳା ବାହାରେ ବସିଛନ୍ତି, ସେଇମାନେ କେବଳ ଅନୁନ୍ନତ ? ଅଥବା–(ଗ) ସେଇମାନେ ଅନୁନ୍ନତ, ଯେଉଁମାନେ ଶିକ୍ଷା-ସଭ୍ୟତା-ବିଚାର ଓ ବୋଧ ଶକ୍ତିର ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ପାଖରେ ଅଟକି ଯାଇଛନ୍ତି ? ନୃତତ୍ତ୍ୱବିଦ୍‌ମାନେ ହୁଏତ କହିବେ, ଆମ ଦେଶରେ ଏମାନେ ସମସ୍ତେ ‘ପତିର-ଅନୁନ୍ନତ’ ଶବ୍ଦର ବଡ଼ ଛତା ତଳେ ରହିଯାଇଛନ୍ତି । କାରଣ ଭାରତର ଚାଳିଶଟି ପରିବାରକୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଅର୍ଥନୀତି ଓ ସମାଜତତ୍ତ୍ୱ ଭାଷାରେ କ’ଣ କୁହାଯିବ ତାହା ଲାଗି ଶବ୍ଦ ଖୋଜା ଚାଲିଛି । ଓଡ଼ିଶା କଥା ଛାଡ଼ନ୍ତୁ;–ଏଠିକାର ନବେ ଭାଗ ଲୋକ ନିଜର ସାମାଜିକ ସ୍ଥିତି ବିଷୟକ ଅନୁଲିପି ସନ୍ଧାନ କରିବାରେ ବ୍ୟସ୍ତ । ପୁଣି ଶିକାରୀ ‘ଘିନୁଆ’ ଭଳି ‘ଅମୃତର ସନ୍ତାନ’ଙ୍କ ସଂଖ୍ୟାତ ଏଠି ବେଶ୍‌ ଆଖିଦୃଶିଆ ।

 

ଏଣୁ ଅନୁନ୍ନତ ସମ୍ପ୍ରଦାୟ କହି କାହାଠାରୁ ଅବା ଦୂରେଇ ଯିବ, ବା କାହାର ନିକଟ ହେବ ଓଡିଶାର ଲେଖକ ? ବୋଧହୁଏ ଲେଖିବା ଆରମ୍ଭ କଲା ମାତ୍ରେଇ ସେ ତ ସେଇମାନଙ୍କ କଥା ଆଗ କହି ବସିବ । କାରଣ ତା’ର ଚାରିପଟେ ଏପରିକି ସେ ନିଜେ ତ ସେଇ ଅନୁନ୍ନତ ସମ୍ପ୍ରଦାୟର ଲୋକ;–ଖାସ୍‌ କରି ଅର୍ଥନୀତିଜ୍ଞଙ୍କ ଭାଷାରେ ବା ସମାଜ ତତ୍ତ୍ଵବିଦ୍‌ଙ୍କ ଭାଷାରେ । ଅତଏବ ଏତେ ବଡ଼ ସମାଜର ବିପୁଳ ଅଂଶକୁ ତ ଅନୁନ୍ନତି ଗ୍ରାସ କରିବସିଛି । ବୋଧହୁଏ, ଏହାହିଁ ଆଜିର ଲେଖକ ପାଇଁ ବ୍ୟକ୍ତିବାଦୀ ନ ହୋଇ ସମାଜମୁଖୀ ହେବାର ଶକ୍ତିଶାଳୀ ନିର୍ଦ୍ଦେଶ ।

 

ଏଇଠି ବରଂ ଆଗ କୁହାଯାଉ,–ବ୍ୟକ୍ତିବାଦୀ କଳା ପ୍ରକୃତରେ କଳା ପଦବାଚ୍ୟ ନୁହେଁ; ସାମାଜିକ କଳା ହିଁ ଉଚ୍ଚାରଣ କରେ ଜୀବନର ଚିରନ୍ତନୀ ସାମ-ସଙ୍ଗୀତ । ସାର୍ବଜନୀନ ଆବେଦନୀ ତାରି ଭିତରେ ରହିଥାଏ ଦିହଛପା ଦେଇ । ବ୍ୟକ୍ତିବାଦୀ କଳାକୁ ‘କ୍ୟାମେରାରେ’ ସମଗ୍ର ଜୀବନକୁ ଦେଖିବା ସହ ତୁଳନା କରାଯାଇପାରେ । ଆଙ୍ଗିକ ଦିଗରୁ ତାହା ଯେତେ ରୁଚିଶୀଳ ମନେ ହେଲେବି, ଶିଳ୍ପାବେଦନ ଦୃଷ୍ଟିରୁ ତାହା ବିଫଳତାର ସ୍ଵର ଝଙ୍କାର ତୋଳେ । ସେଥିପାଇଁ ‘ରେବତୀ’ଠାରୁ ସାରିପୁତ୍ତର ମାଆ ରୂପଶ୍ରୀ ପର୍ଯ୍ୟନ୍ତ କେହି ନବ ନବ ଅଳଙ୍କାର ବିମଣ୍ଡିତା-ଶୋଭାଶ୍ରୀ ଧାରିଣୀ ନିର୍ବାକ୍‍ ଚରିତ୍ର ସାଜି ନାହାନ୍ତି; ବା କେବଳ ନିଜ କଥା କହି ନାହାନ୍ତି । ବରଂ ଅଳ୍ପ କଥାରେ ଅନଳ୍ପର ଦ୍ୟୋତନା ଭରି ମଥିତ କରି ଦିଅନ୍ତି ଅଗଣିତ ସାହିତ୍ୟମୋଦୀଙ୍କ ପ୍ରାଣକୁ । ଜୀବନର ନିର୍ଜନ ଅପନ୍ତରାରେ ଅଶ୍ରୁଳ ବଦନରେ ଠିଆହୋଇ କାହାକୁ କିଛି ନ କହି ରେବତୀ ସବୁକିଛି କହି ଦେଇଛି ସମସ୍ତଙ୍କୁ । ଆଧୁନିକ ଶିକ୍ଷା-ସଭ୍ୟତା ଓ ଅର୍ଥନୈତିକ ନିକିତିର ପଛପଟେ ବସିଥିବା ଏ ଚରିତ୍ରଟିଠାରୁ ଆହୁରି ଭଲଭାବେ ନିଜ ମନକଥା କ’ଣ ଆଜିର ମଣିଷ କହିପାରିଥା’ନ୍ତା-? କେଜାଣି ? ସେଦିନ ସେମିତି ଖଲିକୋଟର ଦିଗହଜା ଗହୀର ବାଟରେ ମାଗୁଣିର ଶଗଡ଼କୁ ଟପି ଯେତେବେଳେ ଯନ୍ତ୍ର ବା ଦାନବମାନେ ଧାଁ-ଦଉଡ଼ କଲେ, ମାଗୁଣି ଭିତରେ ମୁଣ୍ଡ ଟେକିଥିବା ଆକ୍ରୋଶ କିଛି କମ୍‌ ଭୟଙ୍କର ରୂପ ଧାରଣ କରି ନଥିଲା । ସେଇତ ଅନୁନ୍ନତର ଉନ୍ନତ ବିରୁଦ୍ଧରେ ପ୍ରତିବାଦ । ‘ଅନ୍ଧାରୁଆ’ ଶାସନର ଅନ୍ତରାଳରେ ପହିଲି ପ୍ରଧାନ ବି ସର୍ବସ୍ଵ ବିକି, ପୁରସ୍ତମରୁ ଫେରି ଜାତି ହୋଇ ପାରିଲା ନାହିଁ । ଅତୃପ୍ତ ଆତ୍ମାଟା ତା’ର କେଡ଼େ ବିକଳରେ ଚାହିଁ ରହିଥିଲା ସମାଜ ପତିଙ୍କ ତୁଣ୍ଡରୁ ‘ହଁ’ଟିଏ ଶୁଣିବା ପାଇଁ ! କିନ୍ତୁ ତାହା ଶୁଣିପାରିଲା ନାହିଁ ସେ । ଜାତିଆଣ ଫୁଙ୍କା ବେଲୁନ୍‌ ପାଖରେ ତାକୁ ତିଳ ତିଳ କରି ଛଟପଟ ହୋଇ ମରିବାକୁ ହେଲା ।

 

ଅର୍ଥପ୍ରଧାନ ସମାଜରେ ଜୀବନ ଏଠି ବିଡ଼ମ୍ବିତ । ଭଲ ପାଇବା ଏଠି କଳୁଷିତ । ସହାନୁଭୂତି ଏଠି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ପ୍ରଣୋଦିତ । ଅର୍ଥହିଁ ସବୁକିଛିର ମାପକାଠି । ଉନ୍ନତ ଓ ଅନୁନ୍ନତର । ଉଚ୍ଚଜାତି ଓ ନୀଚ ଜାତିର । ସର୍ବୋପରି ମାନବିକତାର । ଆଦର୍ଶବାଦକୁ ଏଠି ପ୍ରତି ମୁହୂର୍ତ୍ତରେ ଦଳିଚକଟି ଦିଆ ଯାଉଚି ଧନତନ୍ତ୍ରର ଦୁର୍ବାର ରଥଚକ୍ର ତଳେ । ଠିକ୍‌ ଏହି ପରିପ୍ରେକ୍ଷୀରେ ଏକ ରାଜନୀତିକ ଦୁଆ ଆସିଲା–‘ପତିତ–ନିଷ୍ପେଷିତ–ଅନୁନ୍ନତମାନଙ୍କୁ ଜାଗ୍ରତ କରିବାକୁ ହେବ ।’ ‘ଅନୁନ୍ନତ’ର ସଂଜ୍ଞା ଏହି ପର୍ଯ୍ୟାୟରେ ବଦଳି ଯାଇ ଏକ ଜାତିଗତ ବ୍ୟାଧିର ଭୟାବହ ରୂପ ଧାରଣ କଲା । ପ୍ରକୃତ ସତ୍ୟକୁ ସ୍ଵୀକାର କରା ନ ଯାଇ ଏକ କଳ୍ପିତ ସତ୍ୟ ପଛରେ ଧାଇଁବାକୁ ଲାଗିଲା ସାରା ରାଷ୍ଟ୍ରଶକ୍ତି । ସେ ମାରୀଚ-ମାୟା ଏଯାବତ୍‌ ଭାଙ୍ଗି ନାହିଁ । ନବେଭାଗ ଭାରତୀୟ ଜୀବନ-ମରଣ ପ୍ରବାହରେ ଦୋଳାୟିତ ହୋଇ ପରସ୍ପର ପରସ୍ପରକୁ ଇତର ଅର୍ଥରେ ଅନୁନ୍ନତ ବୋଲି କହି ଚାଲିଛନ୍ତି । ସାହିତ୍ୟିକ ବି ବେଳେ ବେଳେ ସେଇ ଗୋଳିଆ ପରିବେଶରେ ପଶି, କାଦୁଅ ଛିଟିକା ଖାଇ, ମୁହଁ ବୁଲାଇ ଫେରି ଆସିଚି । ତା’ପରେ ନିଜକୁ ନିଜେ ଚିହ୍ନି ହସିଚି । ଏବଂ କହିଚି–ଏବର ଏଇ ଅନୁନ୍ନତ ଶବ୍ଦଟି ଏକ ରାଜନୀତିକ ସ୍ଳୋଗାନ । ଆମେ କ’ଣ ସେଇ ସ୍ଳୋଗାନରେ ସ୍ୱର ମିଳାଇ ‘ଗୋଠ ସାଙ୍ଗରେ ଖଣ୍ଡିଆ’ ମାତିବା କି ? ନା, ଇଏତ ଏକ ଆତ୍ମସମୀକ୍ଷାର ମୁହୂର୍ତ୍ତ–

 

ସାହିତ୍ୟିକ ନିକଟରେ ଆଜି କର୍ତ୍ତବ୍ୟବୋଧର ଅନେକ ଜଟିଳ ପ୍ରଶ୍ନ । ସେ ଦେଖୁଚି, ‘ଅନୁନ୍ନତ’ର ସଂଜ୍ଞା ଭିତରେ ପ୍ରାୟ ସାରା ଜାତିଟା ରହିଯାଉଚି । ଅର୍ଥନୀତିକ ଅନୁନ୍ନତ, ମାନସିକ ଅନୁନ୍ନତ ଏବଂ ରାଜନୀତିକ ମୋହରମରା ଅନୁନ୍ନତ ଶିରୋନାମା ତଳେ ବସିଛନ୍ତି ଅଧିକାଂଶ ଭାରତୀୟ । ବହୁ ଆଗରୁ ତ ଆମ ସାହିତ୍ୟିକ ସେଇମାନଙ୍କ କଥା କହି ଆସିଚି । ‘ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ’ ଯାଏ କଲେଜ ଛାତ୍ର ଯାଉ ନ ଥିଲା, ନିଜର ସମ୍ଭ୍ରାନ୍ତି, ନିଜର ଭିନ୍ନ ମୁଖାରୁ ସଂଜାତଘୃଣା ନେଇ । ହୁଏତ ସିଆଳି ଗାଁର ବୁଢ଼ା ବାତ୍ୟା-ବନ୍ୟା-ପ୍ରପୀଡ଼ିତ ହୋଇ ସୁଦ୍ଧା, ତାଠୁଁ ରିଲିଫ୍‍ ଗ୍ରହଣ ନ କରି ଓଲଟି ତାଙ୍କ ମୁହଁରେ ଛେପ ପକାଇ ଦେଇପାରେ । କାରଣ ଆଧୁନିକ ଧାର୍‌କରା ଶିକ୍ଷା-ସଭ୍ୟତା ଯଥାର୍ଥତଃ ଆମ ରକ୍ତ ମଜ୍ଜାଗତ ହୋଇପାରି ନାହିଁ । ଏବେ ବି ଆମର ଶିକ୍ଷାପ୍ରାପ୍ତ ଡାକ୍ତର ଗାଁକୁ ଯାଏନା, ପଦସ୍ଥ ଅଫିସରଙ୍କ ପାଦ ଧୂଳି-ଧୂସରିଆ ରାସ୍ତାରେ ନ ପଡ଼ି ପିଚ୍‌ ବା କଂକ୍ରିଟ ରାସ୍ତାରେ ବୁଲିବାକୁ ଇଚ୍ଛାକରେ । (ଏପରିକି କୋରାପୁଟ ଫୁଲବାଣୀକୁ ବଦଳି ହୋଇ ଆସିବାକୁ କଲେକ୍ଟର / ଡାକ୍ତର / ଇଞ୍ଜିନିଅରଙ୍କୁ ବହୁ ସମୟ ଲାଗୁଚି ।)–ଶିକ୍ଷକ ସହର ଛାଡ଼ି ଗାଁକୁ ଯିବାକୁ କୁଣ୍ଠା ପ୍ରକାଶ କରେ । ସେଇଥି ପାଇଁ ନିଧିଦାଦିଙ୍କ ଶବ ‘ବାସିମଡ଼ା’ ହୁଏ–ଶିକ୍ଷା ନାମରେ ଅଶିକ୍ଷାର ‘ଅଦିନ ବଉଳ’ ଫୁଟି ଉଠେ–ପୁଣି ସବୁ ଅଫିସରଙ୍କର ଅଧିକାଂଶ ଲୋକଙ୍କର ଲାଞ୍ଚ ମିଛ, କଳା ଟଙ୍କା ଓ ଜୁଆଚୋରି ଦେଖି ସାରିଲା ପରେ ସ୍ୱଳ୍ପ ବେତନଭୋଗୀ ବ୍ୟକ୍ତିଟି ‘ଉଗ୍ରସେନ ଉବାଚ’ ଶୁଣାଏ–ଚୋରି କରିବାଟା ଆଜି ଆଉ ପାପ ନୁହେଁ; ତାହା ଏକ ପାରିଲା ପଣିଆ ।

 

ଏ କଥା କହିଲେ ହୁଏତ ଭୁଲ୍‍ ହେବ ନାହିଁ ଯେ–ଅର୍ଥଭିତ୍ତିକ ଆତ୍ମକୈନ୍ଦ୍ରିକତା ଆମକୁ ‘ଉନ୍ନତ–ଅନୁନ୍ନତ’ରେ ବିଭକ୍ତ କରିଛି । ଏହା ନିଶ୍ଚିତ ଭାବରେ ତୀବ୍ର ପଶ୍ଚିମା ପବନର ଏକ ଆବିଳ ପରିଣତି । ଭାରତୀୟ ମହାଜାତିର ଆଦର୍ଶ କେବେ ‘ଜଣ’ର ନ ଥିଲା–ଥିଲା ଗଣର । ‘ସର୍ବେ ଭବନ୍ତୁ ସୁଖିନଃ’ ଥିଲା ତାହାର ଜୀବନ ଜାହ୍ନବୀର ଧାରା । ଇଂରେଜୀ ବିଚ୍ଛିନ୍ନତା ଧର୍ମୀ ଆବହାଓ୍ୱା ବ୍ୟକ୍ତିବାଦୀ ଚେତନାକୁ ବୋହି ଆଣିଲା । ସେମାନେ ଏ ମାଟି ଛାଡ଼ି ଗଲା ବେଳକୁ ଆମମାନଙ୍କର ସାମାଜିକ, ଅର୍ଥନୀତିକ ଓ ରାଜନୀତିକ ଜୀବନକୁ ବହୁଧା ବିଭକ୍ତ କରି ସାରିଥିଲେ । ଆମକୁ ସେହି ଯନ୍ତ୍ରଣାର କ୍ରୂଶକାଠକୁ ବହନକରି ଆଗେଇବାକୁ ପଡ଼ିଲା ସ୍ଵାଧୀନତା ପରବର୍ତ୍ତୀ କାଳରେ । ଫଳହେଲା ଠିକ୍‌ ଓଲଟା । ଆମେ ହିଁ ଆମ ସମାଜ-ଜୀବନକୁ ଆହୁରି-ଆହୁରି ଅସଂଖ୍ୟ ଭାଗରେ ବିଭକ୍ତ କରିଦେଲୁ ଆଧୁନିକ ମନନଶୀଳତା ପାଇଁ–ପ୍ରହେଳିକାମୟ ପ୍ରଗତିର ବଳିଷ୍ଠ ମୂଳଦୁଆ ପାଇଁ-। ଆମେ ନା ହେଲୁ ଆଧୁନିକ ନା ହେଲୁ ଲୋଭନୀୟ ପ୍ରଗତିଶୀଳ । ଅର୍ଥନୀତିର ଦୁର୍ବାର ଅର୍ଗଳକୁ ଡେଇଁ ଆମେ ‘ମାଙ୍କଡ଼ ଦିଆଶି’ ଲତ୍ତାମିଆଁର ସ୍ତ୍ରୀ ଜୟତୁନ୍‌କୁ ପାର୍ଥିବ ସୁଖ ଦେଇପାରିଲୁ ନାହିଁ-। ତେଣୁ ତ ଶ୍ରାନ୍ତକ୍ଳାନ୍ତ ଲତ୍ତାମିଆଁ ବଞ୍ଚିବାର ସର୍ବନିମ୍ନ ପାଥେୟ ଧରି ଘରେ ପହଞ୍ଚି ଦେଖେତ, ଘର ଖାଲି । ଜୀବନର ଆର୍ଥନୀତିକ ବାସ୍ତବ ସୁଖ ସନ୍ଧାନରେ ଜୟତୁନ୍‌ ପଳାଇ ଯାଇଥିଲା ଆଉ କାହା ସାଙ୍ଗରେ । ଲତ୍ତାମିଆଁର ଏ ହତାଶା ସମଗ୍ର ଅଭାବୀ ଅନୁନ୍ନତ ଜାତିର ଯନ୍ତ୍ରଣା ଜର୍ଜରିତ କଥାହିଁ କୁହେ । ସେହିଭଳି ‘ମହାପୁରୁଷ ବାଗ୍‌’ ଉଦ୍‌ଘାଟନ ଉତ୍ସବ ଦିନ, ମନ୍ତ୍ରୀଙ୍କ ଉଚ୍ଚ-ନୀଚ୍ଚ ସମାସିନ ହେବା ଭାଷଣ ଶୁଣୁ ଶୁଣୁ ପଦସ୍ଥ ପୋଲିସ ଅଫିସର ମିଷ୍ଟର ପ୍ରକାଶ ମୋଚି ରାମା ରାଓର ସ୍ତ୍ରୀକୁ ଭିଡ଼ି ନେଇଗଲେ ବଲ୍‌ ଡ୍ୟାନ୍‌ସ କରିବା ପାଇଁ–ତାଙ୍କଠୁଁ ତାକୁ ଭିଡ଼ି ନେଇଗଲେ ମନ୍ତ୍ରୀ ମହାଶୟ; ଏବଂ ସବାଶେଷରେ ଯେତେବେଳେ ଜଣାପଡ଼ିଲା, ସିଏ ନାରୀନେତ୍ରୀ ନୁହନ୍ତି; ଜଣେ ମୋଚିର ସ୍ତ୍ରୀ–ରାମା ରାଓକୁ ଜେଲ ଯିବାକୁ ପଡ଼ିଲା ମିଥ୍ୟା ଚୋରୀ ଆଳରେ । ଅଥଚ ‘ମହାପୁରୁଷ ବାଗ୍’ର ସାମ୍ବତ୍ସରିକ ଉତ୍ସବରେ ପୁନଶ୍ଚ ସେଇ ମନ୍ତ୍ରୀ ସେଇଠି ଘୋଷଣା କଲେ–ଏ ବାଗ୍ ତା’ ଆଦର୍ଶରେ ଆଗେଇ ଚାଲିଛି । ମାତ୍ର ପ୍ରକୃତରେ ଧନୀ ବ୍ୟବସାୟୀ, ବଡ଼ ଅଫିସର ଓ ମନ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାର ସେ ବାଗରେ ପ୍ରବେଶ ଅଧିକାର ନ ଥିଲା ।

 

ଏଇତ ଭାରତ ବର୍ଷର କଥା ଓ କାମ ଭିତରେ ତଫାତ୍‌ । ଏଇଠି ତ ରହିଯାଇଛି ଅନୁନ୍ନତକୁ ଉନ୍ନତ କରିବାର ନିଷ୍ଠୁର ଉପହାସ । କିମ୍ବା ‘ଗୋଟିଏ ଲଟେରୀ ଟିକେଟ’ କିଣିଥିବା ସୁନ୍‌ପାମ୍ପଡ଼ ବିକାଳି ପର୍ଶୁର ଅନେକ ସ୍ମୃତିଭିଜା ସୁଖମୟ ସ୍ଵପ୍ନକୁ ଚୂରମାର କରିବା ପାଇଁ ଅନେକ ଭାସ୍କର ରାଓ, ଚକ୍ରଧର ରାୟ ଓ ଦାସ ସାହେବ ଆଗେଇ ଆସିବା ବିଚିତ୍ର କଥା ନୁହେଁ । କାରଣ ସୋସାଲିଷ୍ଟିକ୍‌ ପାର୍ଟନ ଶାସନ ପ୍ରଣାଳୀ ଭିତରେ ଲଟେରୀକୁ ସରକାରୀ ପୃଷ୍ଠପୋଷକତା ଦେଖାଇବା ଯେତିକି ହାସ୍ୟାସ୍ପଦ କଥା–ଲଟେରୀ ମାଧ୍ୟମରେ ଆର୍ଥିକ ଅନୁନ୍ନତକୁ ଉନ୍ନତ କରିବାର ଚିନ୍ତାଧାରା ବହୁ ହତ୍ୟା ସଂଘର୍ଷର ଇତିହାସ ସୃଷ୍ଟି କରିବା ସେତିକି ବାସ୍ତବ କଥା । ପୁନଶ୍ଚ ‘ଅଳସ ଫୁଲବନ ଓ ଅନ୍ଧ ମହୁମାଛି’ ସାଜିଥିବା କଣ୍ଟ୍ରାକ୍ଟର, ସେଇ କଳା ମିଚି ମିଚି ମୁଗୁନି ପଥରର ମୂର୍ତ୍ତି ସାଜିଥିବା ମେହନତି ମଣିଷଟିକୁ, ମଜୁରି ଦେବା ନାଁରେ ପ୍ରଚଣ୍ଡ ଶୀତରେ ଅର୍ଦ୍ଧନଗ୍ନ ଅବସ୍ଥାରେ ବସାଇ ଦେବା, କିଛି ବିଚିତ୍ର ଉପାଖ୍ୟାନ ନୁହେଁ । କେବଳ ସେତିକି ନୁହେଁ–‘ଅରକ୍ଷିତ ଉପନିଷଦ’ର ଦୁର୍ବାର ଉଦ୍ଭିଦ ଅରକ୍ଷିତ–ପ୍ରହେଳିକାମୟ ସତ୍ୟ ଆଢ଼ୁଆଳରୁ ବାସ୍ତବ ସତ୍ୟର ଅଗ୍ନି-ସନ୍ଧାନ କଲାବେଳେ, ଦାଦନ ଶ୍ରମିକମାନଙ୍କ କଣ୍ଠରୁ ସେଇ କଥା ଶୁଣିଛନ୍ତି । ସବୁଠିଁ ଶୋଷଣ ଓ ନିଷ୍ପେଷଣର ପଟୁଆର । ତେବେ ସଫଳତାର ବଦ୍ରିକା ଆଉ କେତେ ଦୂରରେ ?

 

ଅନୁନ୍ନତକୁ ଉନ୍ନତ କରିବା ପାଇଁ ଯେତେ କୁମ୍ଭୀର କାନ୍ଦଣା କାନ୍ଦିଲେ ବି ତାହା ସଫଳ ହେବ ନାହିଁ, ସେତିକି ବେଳ ଯାଏ–ଯେତେବେଳ ପର୍ଯ୍ୟନ୍ତ ଅନୁଭୂତି ଓ ଅନ୍ତର୍ଦୃଷ୍ଟିର ତୀବ୍ର ପ୍ରତିକ୍ରିୟା ସେଥିରେ ଫେଣ୍ଟାଫେଣ୍ଟି ନ ହେଇଚି । ସାହିତ୍ୟିକ ପାଇଁ ଏହାହିଁ ନିଚ୍ଛକ ବାସ୍ତବତାର ଏକ ଆହ୍ୱାନ । ସାହିତ୍ୟ ହେଉଛି ଜୀବନ ଚଳାଇବାର ଏକ ଅଦୃଶ୍ୟ ଚଳମାନ ହତିଆର । କେବଳ ନିଜ ଜୀବନ ପାଇଁ ନୁହେଁ, ସମାଜ ଜୀବନ ପାଇଁ ଯେଉଁ ସାହିତ୍ୟିକ ତା’ର ହତିଆରକୁ ଯେତେ ଶାଣିତ କରିପାରିଛି, ତାହାର ସ୍ଥିତି ସେତେ ଚିରସ୍ଥାୟୀ ହୋଇଛି; ଏବଂ ହେବ ମଧ୍ୟ । ଜୀବନରେ ଯାହାର ସ୍ୱୀକୃତି ଅଛି, ତାହା ସତ୍ୟ ଓ ତାହାହିଁ ଶାଶ୍ଵତ ସୃଷ୍ଟି । ସମାଜ ଜୀବନଠାରୁ ଦୂରେଇ ଯାଇ ପୀଡ଼ିତ ଚେତନାର ବାର୍ତ୍ତାବହ ସାଜି ଆଧୁନିକ ହେବାର ସ୍ଵପ୍ନ ଦେଖିଲେ ନୀଳବର୍ଣ୍ଣ ଶୃଗାଳ ହେବା ହିଁ ସାରହୁଏ । ଜୀବନାନୁଭୂତି ସହ ଅନ୍ତର୍ଦୃଷ୍ଟିର ନିବିଡ଼ ସମ୍ପର୍କ ନ ରହିଲେ କିଛି ଆଧୁନିକ ହୁଏ ନାହିଁ । ପୁଣି ପରମ୍ପରା-ବିହୀନ ଆଧୁନିକ–ଆଧୁନିକ ନୁହେଁ । ଖାଣ୍ଟି ଆଧୁନିକ ସେଇ, ଯିଏ ପରମ୍ପରାକୁ ଧରି ‘ବର୍ତ୍ତମାନ’ ହୁଏ । ପାଶ୍ଚାତ୍ୟ ଜଗତରେ କିନ୍ତୁ ପରମ୍ପରାକୁ ଛିନ୍ନକରି ଆଧୁନିକତାର ନୂଆ ଧାରା ସୃଷ୍ଟି ହୁଏ । ମାତ୍ର ଭାରତବର୍ଷରେ ‘କର୍ମଭିତରେ ଆନନ୍ଦ ଲାଭ’ ଧର୍ମ ହୋଇଥିବାରୁ ସେ ପରମ୍ପରାକୁ ଧରି ଚାଲେ–ଚ୍ଛିନ୍ନକରି ନୁହେଁ ।

 

ଆମ କଥାସାହିତ୍ୟରେ ଏ ସ୍ରୋତ ଅବ୍ୟାହତ । ପାଶ୍ଚାତ୍ୟ ଜଗତ ଭଳି ଆମେ ଗୋଟାଏ ଗୋଟାଏ ଜାଗାରେ ଅଟକି ଅଟକି ଆଧୁନିକତା ଆଣି ନାହୁଁ । ‘ହା-ଅନ୍ନ’ର ଜଗୁ-ଉମା ‘ଶାସ୍ତି’ରେ ସନେଇ-ଧୋବୀ ହୋଇଥିଲେ ମଧ୍ୟ, ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କର ଆତ୍ମା ଅପରିବର୍ତ୍ତିତ । ଅଥଚ ମଝିରେ ସେମାନଙ୍କୁ ଅଟକାଇ ନବଯୁଗର ନବୀନ ବାର୍ତ୍ତା ପ୍ରଚାର କରିବା ପାଇଁ ଏଡ଼େ ବଡ଼ ନଅଙ୍କ ଦୁର୍ଭିକ୍ଷ ଯେତେ ଚେଷ୍ଟା କରିଥିଲେ ବି ସେମାନେ ତୋଳିଛନ୍ତି ଅନାହତ ପ୍ରତିଧ୍ୱନି । ଜାତିହରା ସମାଜଛଡ଼ା ମଣିଷମାନଙ୍କୁ ନେଇ, ଲେଖକ ଏକ ଜାତିହୀନ, ଧର୍ମହୀନ ସାମ୍ୟ-ସମାଜ ଗଢ଼ିବାକୁ ସ୍ଵପ୍ନ ଦେଖିଥିଲେ ମଧ୍ୟ ପରମ୍ପରାକୁ ଜାବୁଡ଼ି ଧରି ବସିଛନ୍ତି । ଏହା ତୀବ୍ର ପରିବର୍ତ୍ତନଶୀଳ ଆଧୁନିକତା ନୁହେଁ–ମାତ୍ର ପ୍ରଗତିଧର୍ମୀ ଆଧୁନିକତା । ‘ଛ’ମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ‘ପରଜା’ରେ ରାମ ସାହୁକାର ହେବା, କିମ୍ବା ‘ରେବତୀ’ର ଜେଜୀମା ‘ନୀଳଶୈଳ’ରେ ସରଦେଈର ଶାଶୁ ହେବା ଅନ୍ତରାଳରେ ରହିଛି ସେଇ ପ୍ରଗତିଧର୍ମୀ ଆଧୁନିକତା । ସାହିତ୍ୟର ଅନାହତ ପ୍ରବାହ ଭିତରେ ଅନୁନ୍ନତର ଉନ୍ନତ ହେବାର ସ୍ଵପ୍ନ ଯେତେ ଯାହା ଥାଉନା କାହିଁକି, ଅପରିବର୍ତ୍ତିତ ସମାଜଧାରା ସବୁକିଛିକୁ ଜାବୁଡ଼ି ଧରି ସେମିତି ଚାଲିଚି । ନିଷ୍ଠୁର ସତ୍ୟ ପ୍ରକାଶ କଲେ ବୋଧହୁଏ ଭୁଲ୍‌ ହେବ ନାହିଁ ଯେ–ଦୃଢ଼ ଆଧ୍ୟାତ୍ମିକ ବିଶ୍ଵାସବୋଧ ଏହି ଅନୁନ୍ନତ ସାମାଜିକ ପ୍ରବାହକୁ ପୃଷ୍ଠପୋଷକତା ଦେଖାଇ ଆସିଛି । କଣୁଆ ଗ୍ରାମରେ ତ ‘ଶକୁନ୍ତଳା’ ଏଇ ସତ୍ୟକୁ ଉଦ୍‌ଘାଟନ କରିଛି । ସେଇଥିପାଇଁ ଧର୍ମର ବଳିଷ୍ଠ ମୂଳଦୁଆ ଉପରେ ନୂତନ ଚେତନାର ବୀଜ ବପନ କରି ପ୍ରଚଣ୍ଡ ପରିବର୍ତ୍ତନର ସ୍ଵପ୍ନ-ମହଲ ସୃଷ୍ଟି କରାଯାଇଛି ।

 

ବିଶ୍ଵାସ-ଅବିଶ୍ଵାସର ଦୋଳିରେ ଝୁଲି ଝୁଲି ଆସିଛି ସୀମାହୀନ ସନ୍ତୁଳନ । ଲୋକଙ୍କର ବିଶ୍ୱାସର ବୋଧିଦ୍ରୁମଟି ହେଲା–ସବୁକଥା ଈଶ୍ୱରଙ୍କ ଇଚ୍ଛାରେ ହେଉଛି । ତେଣୁ ‘ଭଙ୍ଗାହାଡ଼’ରେ ଦ୍ୱିତୀୟ ବିଶ୍ଵଯୁଦ୍ଧର ଘନଘଟାମୟ ପୃଷ୍ଠଭୂମିରେ ରତନୀ ଅସହାୟ ଭାବରେ କହି ଉଠିଛି–ସବୁ ଭାଗ୍ୟ–ଭଗବାନଙ୍କ କଥା । ଆତ୍ମାର ବୈକଲ୍ୟକୁ ପ୍ରବୋଧନା ଦେବାପାଇଁ ସେ ଅନାସକ୍ତ ଭାବରେ ନେଇଛି ଈଶ୍ୱର ଚେତନା-ରୂପୀ ନିରାପଦ ବନ୍ଦରରେ ଆଶ୍ରୟ । ମଧ୍ୟବିତ୍ତ ସମ୍ପ୍ରଦାୟର ଲୋକେ ଆଦର୍ଶ-ଅନାଦର୍ଶ (Middle Class ideology)ରେ ବ୍ୟକ୍ତିମାନସକୁ ଦୋଳାୟମାନ କରୁଥିଲାବେଳେ, ଏମାନେ ସେତେ ପରିମାଣରେ ମ୍ରିୟମାଣ ହୁଅନ୍ତି ନାହିଁ । ନିଶ୍ଚିତତା ବା ଅନିଶ୍ଚିତତା ଭିତରୁ ଗୋଟିକୁ ଏମାନେ ଦୃଢ଼ ଭାବରେ ଗ୍ରହଣ କରି ନେଇଥାଆନ୍ତି । ତେଣୁ ତ ଈଶ୍ୱର ବିଶ୍ୱାସ ସହଜ ହୁଏ ଦୃଢ଼ତା ନିମିତ୍ତ ଆତ୍ମସମର୍ପଣ କରିବାକୁ । ପରିଣତିରେ ‘ପାଷାଣର ପ୍ରାଣ’ରେ ଏଇଥିପାଇଁ ଯାଦବବାବୁ ନିର୍ଲିପ୍ତ ଭାବରେ କହି ଉଠିଛନ୍ତି–‘ଭଗବାନ !’ ମତେ ଧନ ମାନ ନ ଦିଅ, ଆପତ୍ତି ନାହିଁ; କିନ୍ତୁ ଅସାଧୁ କର ନାହିଁ, । କିନ୍ତୁ ‘କାରାର ମଣିଷ’ କ୍ଷେତ୍ରରେ ଏ ପ୍ରତିକ୍ରିୟା ଶେଷ ପର୍ଯ୍ୟନ୍ତ ବଦ୍ଧମୂଳ ହୋଇ ରହିପାରି ନାହିଁ । ଆଦର୍ଶବୋଧ ଓ ଈଶ୍ୱର ବିଶ୍ୱାସ ଠାରୁ ବାରମ୍ବାର ଧକ୍‌କା ଖାଇ ରାମ ଆଉ ଦୃଢ଼ତା ବଜାୟ ରଖିପାରି ନାହିଁ, ସେଇଥିପାଇଁ ପରିଶେଷରେ ସେ ଗାଁ ସାହୁକାରକୁ ହତ୍ୟାକରି ଥାନାରେ ଯାଇ କରିଛି ଆତ୍ମସମର୍ପଣ । ଅନୁନ୍ନତ ମନୋବଳ ରୂପୀ ସେତୁ ଅସ୍ଥିର ହେଲାବେଳେ ଏବଂ ସହିବାର ସୀମା ଅତିକ୍ରମ କଲାବେଳେ ଆଉ କିଛି ଅକ୍ତିଆରରେ ରହେ ନାହିଁ । ସେତେବେଳେ ସେ ଯେମିତି ଏକ ଶାଣିତ ଇସ୍ପାତ ହତିଆର । ମାତ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ ‘ସମୁଦ୍ରର କ୍ଷୁଧା’ ନେଇ ଯେଉଁ ଜାପାନୀ ଜାତି ଜାହାଜରେ ପଙ୍ଗପାଳ ପରି ଏ ଦେଶକୁ ମାଡ଼ି ଆସିଥିଲେ, ତାଙ୍କପାଇଁ ଭାରତୀୟ ଦରିଦ୍ର ଜନସାଧାରଣଙ୍କ ଜୀବନ ଥିଲା ଅତ୍ୟନ୍ତ ହୀନ ପଣ୍ୟଦ୍ରବ୍ୟ ଭଳି । ତାଙ୍କର ସମସ୍ତ ଈଶ୍ୱର ବିଶ୍ୱାସ ଓ ଆଦର୍ଶବୋଧର ଗଳା ଟିପିଦେଇ ( ଠିକ୍‌ ଶୁଭାର ପୁଅ ସତୁର ଗଳା ଟିପି ମାଇଲା ଭଳି ) ସେଇ ବିଦେଶୀ ଦଳ ପାଶବପ୍ରବୃତ୍ତି ଚରିତାର୍ଥ କରିବାରେ ଲାଗି ଯାଇଥିଲେ । ସେତେବେଳେ ସେଇ ଶାଣିତ ଇସ୍ପାତ ଧାର ହୋଇଯାଇଥିଲା କଳଙ୍କିତ–ତୀକ୍ଷ୍‌ଣତା ବିହୀନ । କାରଣ ତାହାଥିଲା ଶକ୍ତି ବାହାରର ଆସୁରିକତା । ସେଥିପାଇଁ ଈଶ୍ୱରଙ୍କ ପୁନରୁତ୍‌ଥାନ ବା ଅବତାର ଗ୍ରହଣକୁ ସେମାନେ ଅପେକ୍ଷା ରଖିଥିଲେ ଅସହାୟ ଭାବେ ।

 

ଆମ ସାହିତ୍ୟର ଛତ୍ରେ ଛତ୍ରେ ଏହି ସମ୍ପ୍ରଦାୟର ଚିତ୍ର ପ୍ରତିଫଳିତ । ଠିକ୍‌ ଆଦ୍ୟ ଆଶ୍ୱିନର ଶାରଦୀୟା ଫୁଲଭଳି । ଶରତର ଫୁଲ ‘କିଏ କ’ଣ’ କେଉଁଠି ଖୋଜିବାକୁ ପଡ଼େ ନାହିଁ–ତାହା ଆପଣା ଛାଏଁ ଆଖିରେ ପଡ଼େ । ଠିକ୍‌ ସେହିଭଳି ଆମ ସାହିତ୍ୟର ଅନୁନ୍ନତ ସମ୍ପ୍ରଦାୟର ଚିତ୍ର-। ଜଣେ ଜଣେ ଲେଖକ ତ କେବଳ ସେଇମାନଙ୍କର କଥା କହିବାକୁ ମୁଖ୍ୟତଃ ଚେଷ୍ଟାକରଛନ୍ତି-। ଭୀମାଭୂୟାଁ, ‘ଦାଦୀ ବୁଢ଼ା’, ‘ଗଡ଼ତିଆ’, ‘ଖମାରୀ’ ଓ ‘ମୂଲିଆ ପିଲା’, ଆଦିରେ କେବଳ ସେଇମାନଙ୍କ ସ୍ୱର ତୀବ୍ର । ଗୋଟାଏ ଅନୁନ୍ନତ ଜାତିର ମୁଖ୍ୟ ଜୀବନ ଧାରାକୁ ବାଦ୍‌ ଦେଇ ଲେଖକ ହେବାର ସ୍ଵପ୍ନ ଦେଖିବାଟା କୁହୁଡ଼ିରେ ସନ୍ତରଣ କରିବା ପ୍ରୟାସ ସଙ୍ଗେ ସମାନ । କିଛି ନ ହେଲେବି, ମଧ୍ୟବିତ୍ତ ଆଦର୍ଶବାଦ ପ୍ରଦର୍ଶନ ନିମିତ୍ତ ଆମେ ‘ଅରଣ୍ୟ ଓ ଉପବନ’ରେ ଆମର ପୁରୁଷାକାରକୁ ଜାହିର କରିବସୁ ନିରୀହ ଫୁଲ ଉପରେ, ଜଙ୍ଗଲୀ ରମଣୀର ଦେହ-ଅରଣ୍ୟରେ । ସତେକି ସେମାନେ ଆମ ଜାନ୍ତବ କାମନାର ଖେଳନା–ଧୂର୍ତ୍ତ ଆଦର୍ଶବାଦୀଙ୍କ ସାନ୍ତ୍ୱନାର ବିଶ୍ୱ । ତା’ପାଇଁ କିନ୍ତୁ ସାନ୍ତ୍ୱନା ନାହିଁ, ଯିଏ ଯୋଗେଶଙ୍କୁ ପ୍ରଶ୍ନ କରେ–‘ବାବୁ ! ତୋ ପିଲାମାନେ ଚଳିବେ କେମିତି-? ତୁ ତ ସବୁଥର ସେମିତି ଚାଲି ଯାଉଚୁ’–ଏ ସବୁ ସତ୍ତ୍ୱେ ଗୋଟିଏ ଚିନ୍ତା ଆମ ଲେଖକମାନଙ୍କ ମନକୁ ସର୍ବଦା ଆଚ୍ଛନ୍ନ କରି ରଖିଛି । ଯଦି ଆଚ୍ଛନ୍ନ କିଛି ନ ଥାଏ, ତେବେ ସେମାନେ ଏବେ ନିଜକୁ ପ୍ରଶ୍ନ କରନ୍ତୁ–‘‘ଆମେ ଯାହା କଥା ଲେଖୁଚୁ, ଆମ କଥା ତାଙ୍କ ନିକଟରେ ପହଞ୍ଚୁଚିତ ?’’ କିମ୍ବା ‘‘ସେମାନଙ୍କୁ ଆମେ ଯେଉଁ ଦରଦ, ଯେଉଁ ବୈପ୍ଳବିକ ବାଣୀ ଶୁଣାଇବାକୁ ଇଚ୍ଛା କରୁଚୁ, ତାହା ତାଙ୍କ ମନରେ ଭେଦିବ ତ ?’’

 

ଏ ପ୍ରଶ୍ନ ଉଠୁଚି ସେତିକିବେଳେ,–ଯେତେବେଳେ ଲେଖକର ଅନୁନ୍ନତ ସମ୍ପ୍ରଦାୟ ପ୍ରତି ପ୍ରକାଶ ପାଉଥିବା ସମ୍ବେଦନା ଓ ଜୀବନ ଯାତ୍ରା ପାଇଁ ସୂଚିତ ନୂତନ ସମ୍ଭାବନା ଲୋକ ସାଧାରଣ ନିକଟରେ ପହଞ୍ଚି ନ ପାରୁଚି । ସାହିତ୍ୟରେ ଯେତେ ଅନୁନ୍ନତଙ୍କ କଥା ରହିଲେ ବି, ଯଦି ତାହା ସେ ସମ୍ପ୍ରଦାୟର ଲୋକଙ୍କ ମନକୁ ନଛୁଏଁ, ତେବେ ସୃଷ୍ଟିର ଅର୍ଦ୍ଧାଧିକ ଉଦ୍ଦେଶ୍ୟ ହୋଇଯାଏ ବିଫଳ । ପ୍ରାୟ ଅର୍ଦ୍ଧେକ ସଫଳତା ଏଥିପାଇଁ ମିଳେ ଯେ, ଲେଖକ ତା’ର କର୍ତ୍ତବ୍ୟ କିୟତ୍‍ ପରିମାଣରେ ସମ୍ପାଦନ କରିଥିବାରୁ ସେ ସନ୍ତୁଷ୍ଟ ହୁଏ । ମାତ୍ର ଏଭଳି ସଫଳତା ଓ ବିଫଳତାର ମୁଖ୍ୟ କାରଣ ସାଜି ଉଭାହୁଏ କଥାସାହିତ୍ୟର ଭାଷା । ଲେଖକର ସମସ୍ତ ଆଧୁନିକତା, ସମସ୍ତ ବିଭାତ ଧର୍ମିତା ଓ ସମସ୍ତ ଜୀବନାନୁଭୂତି ଏଇଠି ଅଟକି ଯାଏ,–ହୀରାକୁଦ ବନ୍ଧର ଆରପଟେ । କିନ୍ତୁ ବନ୍ଧ ତଳ ଅଞ୍ଚଳରେ ତାହାର ଚିନ୍ତାଧାରାରୁ କଣିକାଏ ପହଞ୍ଚିପାରେ ନାଇଁ କେବଳ ମାଧ୍ୟମ ଓ ମଧ୍ୟସ୍ଥତା ଅଭାବରୁ । ଭାବ ସମ୍ବହନର ମାଧ୍ୟମ ସାଜିଥିବା ଭାଷା ନାମକ ପଦାର୍ଥଟି ଏଠି ହୁଏ ପ୍ରତିବନ୍ଧକ ।

 

ଅନୁନ୍ନତ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେଉଥିବା ଭାବାବେଗ, ସମ୍ବେଦନା ଓ ଆତ୍ମୀୟତାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ, ସେମାନଙ୍କ ଭାଷାରେ ବା ସେମାନେ ବୁଝିଲା ଭଳି ଭାଷାରେ ଲେଖକ କଥାସାହିତ୍ୟ ଲେଖିବ, ନା ସେଇମାନଙ୍କ କଥା, ସେଇମାନଙ୍କ ସମସ୍ୟାକୁ ନେଇ ସେ ସାହିତ୍ୟ ଲେଖିବ ! –ଏହାହିଁ ଆଜି ପାଇଁ ବଡ଼ ସମସ୍ୟା । ଏ ସମସ୍ୟାର ସମାଧାନ କୌଣସି ଦିଗରୁ ଶୁଭଙ୍କର ନୁହେଁ । ସେମାନଙ୍କ ଭାଷାରେ, ବିଶେଷ କରି ଲୋକ ସାଧାରଣଙ୍କ କଥିତ ଭାଷାରେ କଥାସାହିତ୍ୟ ଲେଖା ଯାଉଚି; ମାତ୍ର ତାହାର ମର୍ମ ସର୍ବାନ୍ତକରଣ ଭାବରେ ସେମାନେ ବୁଝିପାରୁ ନାହାନ୍ତି । ପୁନଶ୍ଚ ସେମାନଙ୍କୁ ବୁଝାଇଲା ଭଳି ଭାଷାରେ ଲେଖା ଆରମ୍ଭ ହୋଇଗଲେ,ସାହିତ୍ୟର ପ୍ରଗତି ଅପେକ୍ଷା ଅଧୋଗତି ହେବ ବେଶି । ସତୁରି ଭାଗ ନିରକ୍ଷର ଜନତାକୁ କୋଉ ଭାଷାରେ ବା ବୁଝାଇବାକୁ ଚେଷ୍ଟା କରାଯିବ ? ସେଇମାନଙ୍କ କଥା ଶିକ୍ଷିତ ତଥା ତାଙ୍କଠୁଁ ମନ ରାଜ୍ୟରେ ଉନ୍ନତ ଲୋକଙ୍କ ଠାରୁ ଶୁଣିଲେ, ସେମାନେ କହି ଉଠୁଛନ୍ତି–‘ମଲା, ଏକଥା ଗୁରା କ’ଣ କଉଚ ମ ! ଠାକୁରଙ୍କ କଥା କୁଅ ! ପୁଣି ସେମାନଙ୍କ ସମସ୍ୟାକୁ ଅପେକ୍ଷାକୃତ ଶିକ୍ଷିତ ଓ ଟିକିଏ ଉନ୍ନତ ସମ୍ପ୍ରଦାୟର ଲୋକଙ୍କ ଆଗରେ କହିଲେ, ସେମାନଙ୍କୁ ତାହା ସ୍ଵାଦିଷ୍ଟବୋଧ ହୋଇପାରେ;– ମାତ୍ର ସେଇ ସନ୍ତୁଳିତ ମାନବାତ୍ମାମାନେ ନିଜରଦୟନୀୟ ଅବସ୍ଥା କଥା ଚିତ୍ରିତ ହୋଇଥିବା ଜାଣିଲେ କ୍ରୋଧାନ୍ୱିତ ବି ହୁଅନ୍ତି । ଏପରିକି କେତେକ କ୍ଷେତ୍ରରେ ସ୍ରଷ୍ଟା ତା’ର ସୃଷ୍ଟି ଚରିତ୍ରଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିବା ଉଦାହରଣ ବିରଳ ନୁହେଁ । ସବୁ ପରିବେଶ ତ ରାମଚନ୍ଦ୍ର ମଙ୍ଗରାଜର ପରିବେଶ ନୁହେଁ ଯେ, ଲୋକେ ତା’ର ମାମଲା–ନିଷ୍ପତ୍ତି ଶୁଣିବା ପାଇଁ ଚୁଡ଼ା ଚାଉଳ ଧରି କଟକ ମୁହାଁଇବେ ।

 

ତେବେ ଏ ଅରଣ୍ୟରୋଦନ କାହିଁକି ? କାହିଁକି ଏ କୃତ୍ରିମ ପ୍ରୟାସ ? କେଉଁଠି ରହିଛି ଏହାର ସୁଭଗ ପରିଣତି । ପ୍ରଶ୍ନର ଜାଲରେ ଧରା ନ ଦେବା ପାଇଁ, ପ୍ରତିଜ୍ଞାବଦ୍ଧ ହେଲା ପୂର୍ବରୁ, ଲେଖକମାନେ ଥରେ ଥରେ ନିଜକୁ ପଚାରି ନେବା ଉଚିତ–‘ମୁଁ ଯେଉଁମାନଙ୍କ କଥା କହିବାକୁ ଯାଉଛି ବା ଯେଉଁମାନଙ୍କ ପାଇଁ କଥା କହୁଚି, ସେମାନଙ୍କ ସମସ୍ୟା ପ୍ରତି ମୁଁ ନିଷ୍ଠାପର ତ । କଥା ଭୁଲାଯିବା ଉଚିତ ନୁହେଁ–ଏଇ ପରିପ୍ରେକ୍ଷୀରେ ଲେଖକର ସମସ୍ୟା ସେମାନଙ୍କର ସମସ୍ୟା ନୁହେଁ । ବରଂ ସେମାନଙ୍କ ସମସ୍ୟା ଲେଖକର ସମସ୍ୟା ହେବା ବାଞ୍ଛନୀୟ । କିନ୍ତୁ ତାହା ନ ହୋଇ ପାରିବାର ପ୍ରତିବନ୍ଧକ କେଉଁଠି ? ଅର୍ଥନୀତି ? ଜାତିନୀତି ? –ନା ରାଜନୀତି ? ଏକ ବୈଧାନିକ ସତର୍କତା ଭଳି ଏଇଠି କୁହାଯାଇପାରେ, ଲେଖକମାନେ ଏ ଦେଶର ଧୂମିଳ ରଜନୀ ଓ କଳଙ୍କିତ ରାଜନୀତିଜ୍ଞଙ୍କ ପ୍ରତି ସତର୍କ ହୁଅନ୍ତୁ । ନଚେତ୍‌ ଏ ପ୍ରତିବନ୍ଧକ ଆହୁରି ଦୃଢ଼ ହୋଇଯିବ । ଲେଖକ ସମାଜ ଓ ସାମାଜିକଙ୍କ ଆତ୍ମାକୁ ଛୁଇଁ ପାରିବନି ତୀବ୍ର ପ୍ରତିଯୋଗିତାର ଧକ୍‌କା ଖାଇ ଦୁର୍ବଳ ଦେବାଳୟ ନିକଟରୁ ବା ନେତାଠାରୁ ଅଥବା ‘ଛବିର ମଣିଷ’ଠୁଁ ସତର୍କ ଘଣ୍ଟି ଶୁଣି ସାରିଲା ପରେ ମଧ୍ୟ । କେବଳ ପରିବେଶ ଚିତ୍ରଣ, ଅବସ୍ଥା ରୂପାୟନ ଓ କଥା ଅନୁସୃର୍ଜନରେ ସବୁକିଛି ହୋଇଯାଏ ନାହିଁ । ସେମାନଙ୍କର ଆତ୍ମଗତ ହୋଇ, ସେମାନଙ୍କର ମନର ଗୋପନ ଗହ୍ୱରରେ ଲୁକ୍‌କାୟିତ ହୋଇଥିବା ସତ୍ୟକୁ ଉଦ୍‌ଘାଟନ କରିବାକୁ ହେବ । ସେମାନଙ୍କ ସମସ୍ୟା, ସେମାନଙ୍କ ଜୀବନର ଅନୁଚ୍ଚାରିତ ସତ୍ୟହିଁ ପଞ୍ଚାନବେ ଭାଗ ଭାରତୀୟଙ୍କ ଜୀବନ-ବେଦର ପ୍ରଣବ ମନ୍ତ୍ର । ତେଣୁ ଲେଖକ ପାଇଁ ଏ ଅନ୍ଵେଷାର ଶେଷ ନାହିଁ । ମୋଟ ଉପରେ ନିଜକୁ ତଥା ନିଜ ପରିବେଶକୁ ଏବଂ ନିଜ ଭିତରେ ଥିବା–ଧରାଛୁଆଁ ଦେଇ ନ ଥିବା ବାସ୍ତବତାକୁ ଉଦ୍ଧାର କରିବା ପାଇଁ ଭଗୀରଥକୁ ଅପେକ୍ଷା ରଖା ଯାଇଛି । ପତିତ-ଅନୁନ୍ନତ ଜାତି ମୁକ୍ତି-ପ୍ରୟାସୀ,–ମୁକ୍ତିର ଏକମାତ୍ର ପଥ ଯଥାର୍ଥ ସାହିତ୍ୟରୂପୀ ପତିତ-ପାବନୀ ଗଙ୍ଗାର ଧରାବତରଣ;–କିନ୍ତୁ କେଉଁଠି ସେ ଭଗୀରଥ ?

 

ପରିଶେଷରେ ଆତ୍ମବିଶ୍ଳେଷଣ ପାଇଁ ଏତିକି କୁହାଯାଇ ପାରେ,–ଅନୁନ୍ନତ ସମ୍ପ୍ରଦାୟର ଫଟୋ ଚିତ୍ରରେ ଆମ ସାହିତ୍ୟ ଭଣ୍ଡାରର ଆଲବମ୍‌ ଭରପୂର । ଏ କ୍ଷୁଦ୍ର ପ୍ରକୋଷ୍ଠରେ ସବୁ ଚିତ୍ରକୁ ଏକାଠି ପ୍ରଦର୍ଶନ କରିବା ତ ସମ୍ଭବ ନୁହେଁ । ତଥାପି ସେଇ ଚିରନ୍ତନୀ ପ୍ରଶ୍ନ–ତାଙ୍କର ଆତ୍ମା–ଆତ୍ମାର ବାଣୀ ଯଥାର୍ଥତଃ ପ୍ରତିଧ୍ୱନିତ ହେଉଛି କି ?

 

ଅନ୍ୟ କଥାରେ–

 

ଆମ କଥା ଆମେ ଏ ଯାବତ୍‌ ଅନେକ କହି ଆସିଲେଣି । ମାତ୍ର ଆମର ଯଥାର୍ଥ ସାର୍ବଜନୀନ ସମସ୍ୟାକୁ ଆମେ ଚିହ୍ନିଲେଣି କି ? ଆମ ନିଦ ଭାଙ୍ଗିଲାଣି କି ? ତେବେ କୁମ୍ଭକର୍ଣ୍ଣର ନବ ପ୍ରଭାତ କେବେ ?

 

କେତେ ଦୂରରେ ?

 

ପୁଣିଥରେ ସେଇ ଦାସିଆ ବାଉରି ଭାଷାରେ କୁହାଯାଉ–ଓଡ଼ିଶାର ବହୁ କଥାର ନାୟକ–ବଡ଼ ଆଖିଆ, ବଡ଼ ଠାକୁର ସେମାନଙ୍କର ପହଡ଼ ଭାଙ୍ଗନ୍ତୁ–ଜୟ ଜଗନ୍ନାଥ !

 

 

ଡକ୍ଟର ରତ୍ନାକର ଚଇନି

ଅଧ୍ୟାପକ, ଓଡ଼ିଆ ସାହିତ୍ୟ ବିଭାଗ

ରେଭେନ୍‌ସା କଲେଜ, କଟକ–୩

Image

 

ଓଡ଼ିଆ ଗଳ୍ପ-ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ଚିତ୍ର

ରମେଶ ଚନ୍ଦ୍ର ଧଳ

 

ମଣିଷ ସମାଜକୁ ସାଧାରଣତଃ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ୧–ଧନିକ ବା ଆଭିଜାତ୍ୟ ଶ୍ରେଣୀ ୨–ମଧ୍ୟବିତ୍ତ ଶ୍ରେଣୀ ୩–ଦରିଦ୍ର ବା ଶ୍ରମିକ ଶ୍ରେଣୀ । ମଧ୍ୟବିତ୍ତ ଶ୍ରେଣୀକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଉଚ୍ଚ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ । ମଣିଷ ସଭ୍ୟତା ଓ ସଂସ୍କୃତିକୁ ଆଗେଇ ନେବାରେ ଏହି ମଧ୍ୟବିତ୍ତ ଶ୍ରେଣୀର ଦାନ ଯେ ସବୁଠାରୁ ଅଧିକ ଏହା ସ୍ୱୀକାର କରିବାକୁ ହେବ । ସାହିତ୍ୟକୁ ଯଦି ସମାଜର ମୁକୁର ବୋଲି କୁହାଯାଏ ତେବେ ବିଶ୍ୱସାହିତ୍ୟରେ ମଧ୍ୟବିତ୍ତ ଶ୍ରେଣୀର ମଣିଷର ଛବି ସବୁଠାରୁ ଅଧିକ ପରିମାଣରେ ରୂପାୟିତ ହୋଇଅଛି । ଗୋଟାଏ ଅର୍ଥରେ କହିବାକୁ ଗଲେ ଯାହାକିଛି ହୋଇଛି ତାହା ମଧ୍ୟବିତ୍ତ ପରିବାରର ମଣିଷକୁ କେନ୍ଦ୍ରକରି ମୁଣ୍ଡଟେକି ଉଠିଛି । ସାମ୍ପ୍ରତିକ ଯୁଗରେ ମଧ୍ୟ ଏହାର ବ୍ୟତୀକ୍ରମ ଲକ୍ଷ୍ୟ କରାଯାଏ ନାହିଁ । ବର୍ତ୍ତମାନ ମଧ୍ୟ ଯାହାକିଛି ହେଉଛି ତାହା ଏହି ମଧ୍ୟବିତ୍ତ ଶ୍ରେଣୀକୁ କେନ୍ଦ୍ର କରି ହେଉଛି । By the middle class. For the middle class, Of the middle class ।

 

ପୃଥିବୀରେ ଯୁଗେ ଯୁଗେ ଯେଉଁ ଶ୍ରେଣୀ ସଂଘର୍ଷ ଦେଖା ଦେଇଛି; ସାମାଜିକ, ଅର୍ଥନୀତିକ ବିପ୍ଳବ ସମ୍ଭବ ହୋଇଛି ବା ନବ ଚେତନାର ଉଦୟ ହୋଇଛି ସେ ସବୁର କର୍ଣ୍ଣଧାର ଏହି ମଧ୍ୟବିତ୍ତ ପରିବାରର ମଣିଷଟି । ତେଣୁ ସାହିତ୍ୟରେ–ଗଳ୍ପ କୁହ, ଉପନ୍ୟାସ କୁହ ତାହାର କଥାବସ୍ତୁ ହେଉଛି ଏହି ମଧ୍ୟବିତ୍ତ ପରିବାରର ମଣିଷର ଆଶା, ଅଶ୍ରୁ, ସଂଗ୍ରାମ, ସାଧନା । କିମ୍ବା ସାମାଜିକ, ଉତ୍‌ଥାନ ପତ୍ତନରେ ଅଂଶଗ୍ରହଣ କରିବାର ଗୌରବମୟ କାହାଣୀ । ଋଷ ବିପ୍ଳବ କୁହନ୍ତୁ, ଫରାସୀ ବିପ୍ଳବ କୁହନ୍ତୁ, ଭାରତର ଗଣ ଆନ୍ଦୋଳନ କୁହନ୍ତୁ ସବୁଠି ଦେଖିବେ ମଧ୍ୟବିତ୍ତ ପରିବାରର ଏକ ପ୍ରଶଂସନୀୟ ଏବଂ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ପୃଥିବୀର ଯେ କୌଣସି ବଳିଷ୍ଠ ସ୍ରଷ୍ଟା, ପୁରାତନ ହୁଅନ୍ତୁ ଅବା ଆଧୁନିକ ହୁଅନ୍ତୁ, ଦେଖିବେ ଅଧିକାଂଶ ସେମାନଙ୍କ ମଧ୍ୟରୁ କେବଳ ପୃଷ୍ଠା ପରେ ପୃଷ୍ଠା ମଧ୍ୟବିତ୍ତ ପରିବାରର କାହାଣୀ କହିଯାଇ ଅଛନ୍ତି । ଟଲଷ୍ଟଏ, ଗର୍କୀ, ପର୍ଲସ୍‌ବକ, ହେମିଙ୍ଗଓ୍ୱେ, ଡିକେନ୍‌ସ, ଶରତଚନ୍ଦ୍ର, ପ୍ରେମଚାନ୍ଦ, ଯେ କେହି ହୁଅନ୍ତୁ ସମସ୍ତଙ୍କ ସାହିତ୍ୟରେ ଏହି ମଧ୍ୟବିତ୍ତ ପରିବାରର କଥା ବେଶ୍‌ ସରସ ସୁନ୍ଦରଭାବେ ଫୁଟିଉଠିଛି ।

 

ଏହି ମଧ୍ୟବିତ୍ତ ପରିବାରର କେତେକ ଚାରିତ୍ରିକ ବିଶେଷତ୍ୱ ରହିଛି । ଏମାନେ ସର୍ବଦା ଚିର ସୁନ୍ଦରର ପୂଜାରୀ, ଏବଂ ଚିର ନୂତନର ସ୍ୱପ୍ନ ଦେଖନ୍ତି । ନୂତନର ଆବାହନୀ ଗାନ କରନ୍ତି । ନୂତନ କିଛି କରିବାରେ ଏମାନଙ୍କର ଅବଦାନ ସର୍ବଦା ସ୍ୱୀକାର୍ଯ୍ୟ । ଯୁଗେ ଯୁଗେ ଗଣ ଆନ୍ଦୋଳନ ମାଧ୍ୟମରେ ସମାଜରେ ବିପ୍ଳବ ସୃଷ୍ଟି କରି ମଣିଷ ସଭ୍ୟତାକୁ ଏମାନେ ନୂତନ ରଙ୍ଗରେ ରଙ୍ଗାୟିତ କରିଛନ୍ତି । ଅଧିକାଂଶ ସ୍ଥଳରେ ଏମାନେ ବିବେକବାନ୍‌ ତେବେ ଏମାନେ ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହନ୍ତି-। ଏମାନେ କେତେକ ସ୍ଥଳରେ ସୁବିଧାବାଦୀ । ଏମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରାଯାଇ ନପାରେ । ମଧ୍ୟବିତ୍ତ ପରିବାରର ଲୋକଟିର ପରିଚୟ ପାଇବା ପାଇଁ ଆମକୁ ବିଭିନ୍ନ ପରିବେଶର ବିଚାରକୁ ନେବାକୁ ହେବ । ଉଦାହରଣ ସ୍ୱରୂପ ପଲ୍ଲୀ ଗାଁରେ ଯେଉଁ ବ୍ୟକ୍ତିର କିଛି ଜମିଜମା ରହିଛି, ହଳବଳଦ ରହିଛି, ଏବଂ ତାଙ୍କ ଗାଈ ବଳଦ ବେକରେ କିଛି ଘଣ୍ଟି ଘାଗୁଡ଼ି ପକାଇ ଯା ଆସ କରନ୍ତି-। ସେମାନେ ଭଲ ଖାଆନ୍ତି ଓ ଭଲରେ ଚଳୁଛନ୍ତି । କିଛିଟା ଶିକ୍ଷାଦୀକ୍ଷା ଅଛି ତେବେ ତାଙ୍କୁ ମଧ୍ୟବିତ୍ତ ଶ୍ରେଣୀଭୁକ୍ତ କରାଯାଇପାରେ । କିନ୍ତୁ ଏହି ଲୋକଟିକୁ ଯଦି ଆଧୁନିକ ସହର ବଜାରକୁ ନେଇ ଆସିଲେ ସେ ହଠାତ୍‌ ତା’ର ସ୍ଥିତି ହରାଇ ବସେ । ସହର ଆଖିରେ ସେ ଆଉ ମଧ୍ୟବିତ୍ତ ଶ୍ରେଣୀର ପ୍ରତିନିଧିତ୍ୱ କରିପାରେ ନାହିଁ । ଏଠି ମଧ୍ୟବିତ୍ତ ପରିବାରର ଲୋକ କହିଲେ ବୁଝିବାକୁ ହେବ ତାଙ୍କର ନିର୍ଦ୍ଦିଷ୍ଟ ଆୟ ରହିଛି ବା ବ୍ୟବସାୟ ଚାଲିଛି, ଗାଡ଼ିଘୋଡ଼ା, ଟେଲିଫୋନ, ଫ୍ରିଜ୍‌ କିମ୍ବା ଉଚ୍ଚ ସରକାରୀ ଚାକିରିରେ ସେ ନିଯୁକ୍ତ ଅଛନ୍ତି ।

 

ଏହି ମଧ୍ୟବିତ୍ତ ସମାଜର ଗତିକୁ ଗୋଟିଏ ଶାନ୍ତ, ଧୀର ପ୍ରବାହିତ ନଦୀ ସଙ୍ଗେ ଆମେ ତୁଳନା କରି ପାରିବା ଠିକ୍‌ ଯେପରି ଗୋଟିଏ ନଦୀ ଦୁଇକୂଳ ଖାଇ ଗତି କରେ ଏବଂ ପଟୁ ବିତରଣ କରି ଚାଲିଥାଏ । ମଧ୍ୟବିତ୍ତ ସମାଜ ଠିକ୍‌ ସେହିପରି ତା’ର ସମାଜ, ସଂସ୍କୃତିକୁ ଆଗେଇନେବା ପାଇଁ ଶକ୍ତିମତେ ଦାନ ଦେଇ ଚାଲିଥାଏ । ପୁଣି ନଦୀ ଯେପରି ତା’ର ଗତିପଥ ପରିବର୍ତ୍ତନ କରେ ଏବଂ ଏହାଫଳରେ କେତେକ ତଟଭୂମି ବାଲିଚର ହେବା ସଙ୍ଗେ ସଙ୍ଗେ ଆଉ କେତେକ ସ୍ଥାନ ଉର୍ବର ହୋଇ ପଡ଼ିଥାଏ, ଠିକ୍‌ ସେହିପରି ବିଭିନ୍ନ କାରଣରୁ ସାମାଜିକ ପରିବର୍ତ୍ତନ ସଂଗଠିତ ହେବା ଫଳରେ ନିମ୍ନଶ୍ରେଣୀର ବହୁ ବ୍ୟକ୍ତିବିଶେଷ ମଧ୍ୟବିତ୍ତ ଶ୍ରେଣୀଭୁକ୍ତ ହେବା ସଙ୍ଗେ ସଙ୍ଗେ ବହୁ ସମ୍ଭ୍ରାନ୍ତ ରାଜବଂଶୀୟ ବ୍ୟକ୍ତି ପ୍ରତିପତ୍ତି ହରାଇବା ସଙ୍ଗେ ସଙ୍ଗେ ମଧ୍ୟବିତ୍ତ ଶ୍ରେଣୀକୁ ଚାଲି ଆସନ୍ତି । ଉଦାହରଣ ସ୍ୱରୂପ ଜମିଦାରୀ ଓ ରାଜତନ୍ତ୍ର ଲୋପ ହେବା ସଙ୍ଗେ ସଙ୍ଗେ ବହୁ ଜମିଦାର ଓ ରାଜା ପୂର୍ବର ପ୍ରତିପତ୍ତି ହରାଇ ମଧ୍ୟବିତ୍ତ ଶ୍ରେଣୀଭୁକ୍ତ ହୋଇଚନ୍ତି ଓ ଆଉ କେତେକ ସାଧାରଣ ମଣିଷ କ୍ଷମତା ରାଜନୀତିରେ ଭାଗନେଇ, କେହି କେହି କଣ୍ଟ୍ରାକ୍ଟରୀ କରି ସୌଭାଗ୍ୟକ୍ରମେ କେହିବା ଲଟେରୀ ଇତ୍ୟାଦି ପାଇଁ ଧନ ସମ୍ପଦର ଅଧିକାରୀ ହୋଇ ପାରିଛନ୍ତି ଏବଂ ଆପଣାକୁ ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟାୟଭୁକ୍ତ କରିବାରେ ସକ୍ଷମ ହୋଇଛନ୍ତି । ଏ ସମସ୍ତର ଚିତ୍ର ବିଶେଷ ଭାବେ ଓଡ଼ିଆ ଗଳ୍ପ ଉପନ୍ୟାସରେ ଲକ୍ଷ୍ୟ କରାଯାଇ ପାରିବ । ତେବେ ଗୋଟିଏ ନଦୀ କେତେ ଦୂର ପ୍ରବାହିତ ହୋଇ କେଉଁଠି ଆପଣାର ସତ୍ତା ହରାଇବ କହିବା ଯେପରି କଷ୍ଟସାଧ୍ୟ ଠିକ୍‌ ସେହିପରି ଏ ମଧ୍ୟବିତ୍ତ ସମାଜ କେତେବେଳେ କେଉଁଠାରେ ଓ କିପରି ଭାବରେ ରୂପ ନେବ ବା ଭୂମିକା ଗ୍ରହଣ କରିବ ବହୁସ୍ଥଳରେ ତା’ର ସୂଚନା ନେବା ମଧ୍ୟ ସମ୍ଭବ ନୁହେଁ । ସମାଜରେ ଶିଳ୍ପ ବିପ୍ଳବ, ବିଜ୍ଞାନର ଅଗ୍ରଗତି; ବିଶ୍ଵ ରାଜନୀତିର ପ୍ରବାହ ହେତୁ ଯେଉଁ ଦ୍ରୁତ ପରିବର୍ତ୍ତନ ହେଉଛି ସେଥିରୁ ମଣିଷ ସମାଜ ଆପଣାକୁ ଆପଣାର ପୁରାତନ ଚିନ୍ତାଧାରା ସମ୍ବଳିତ ପରିବେଶକୁ ରକ୍ଷା କରିବା ପାଇଁ ସମର୍ଥ ହୋଇ ପାରିବ ନାହିଁ । ସମାଜରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ସାହିତ୍ୟରେ ନିଶ୍ଚିତ ଭାବରେ ପ୍ରତିଫଳିତ ହୋଇ ଉଠିବ । ବିଶ୍ୱ ସାହିତ୍ୟରେ ପ୍ରଥମ ଓ ଦ୍ୱିତୀୟ ମହାଯୁଦ୍ଧ ଓ ଶିଳ୍ପ ବିପ୍ଳବର ଛବି ଯେପରି ଅବିକଳ ଫୁଟି ଉଠିଛି ।

 

ଏହି ପରିପ୍ରେକ୍ଷୀରେ ବିଶ୍ୱ ସାହିତ୍ୟ ଭାରତୀୟ ସାହିତ୍ୟ କିମ୍ବା ଯେ କୌଣସି ପ୍ରାନ୍ତୀୟ ସାହିତ୍ୟର ଆଲୋଚନା କରାଯାଇ ପାରେ । ମୁଁ ଏଠାରେ ଓଡ଼ିଆ ସାହିତ୍ୟରେ ମଧ୍ୟବିତ୍ତ ପରିବାରର କଥା ଆଲୋଚନା କଲାବେଳେ ମୁଖ୍ୟତଃ ଦୁଇଟି ବିଷୟ ଜାଣି ଜାଣି ବାଦ୍‌ ଦେଉଛି । ପ୍ରଥମଟି ହେଲା ଏହି ବିଷୟବସ୍ତୁ ଉପରେ ଅନ୍ୟ ବକ୍ତାମାନେ ଯାହା ଆଲୋଚନା କଲେ ଏବଂ ଦ୍ୱିତୀୟରେ ଏହି ଆଲୋଚନା ଚକ୍ରରେ ବିଭିନ୍ନ ପ୍ରସଙ୍ଗରୁ ଯେଉଁ ସାହିତ୍ୟିକ ମାନଙ୍କର ଅବଦାନ ସମ୍ପର୍କରେ ଅଳ୍ପବହୁତ ଆଲୋଚନା କରାଯାଇ ସାରିଲାଣି । ମୁଁ ମୁଖ୍ୟତଃ କେତେକ ସାହିତ୍ୟିକ ବା ବିଭିନ୍ନ ସମୟର କେତେକ ବିଶିଷ୍ଟ ସ୍ରଷ୍ଟାଙ୍କର ସାହିତ୍ୟରେ ମଧ୍ୟବିତ୍ତ ପରିବାରର ଚିତ୍ର ଏବଂ ସାମ୍ପ୍ରତିକ ଗଳ୍ପ ସାହିତ୍ୟରେ ମଧ୍ୟବିତ୍ତ ପରିବାରର ଚିତ୍ରକଥା ଉଲ୍ଲେଖ କରିବି । ବିଶେଷତଃ ଯେଉଁ କେତେକ ନବାଗତ ଗଳ୍ପ ସ୍ରଷ୍ଟାଙ୍କ ଆଲୋଚନା ମୋଟେ ହୋଇନାହିଁ । ସେମାନଙ୍କ ସମ୍ପର୍କରେ ମତେ ଦିଆ ଯାଇଥିବା ସମୟ ସୀମା ମଧ୍ୟରେ ରହି ସଂକ୍ଷେପ ଆଲୋଚନା କରିବାକୁ ଉଦ୍ୟମ କରିବି ।

 

ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କୁ ବାଦ୍‍ ଦେଇ ସାହିତ୍ୟ ଆଲୋଚନା କରିବା ସମ୍ଭବ ନୁହେଁ । ଏହି ସ୍ରଷ୍ଟାଙ୍କ ଲେଖନୀରେ ଓଡ଼ିଆ ଜନ ଜୀବନର ଛବି ଯେପରି ଅଙ୍କିତ ହୋଇଛି ତା’ର ଦୃଷ୍ଟାନ୍ତ କ୍ୱଚିତ ଦେଖା ଯାଇଥାଏ । ଚେକଭ୍‌, ପ୍ରେମଚାନ୍ଦ, ଶରତଚନ୍ଦ୍ରଙ୍କ ପରି ଫକୀରମୋହନ ଜଣେ ଯୁଗସ୍ରଷ୍ଟା ଆପଣାର ଅବିସ୍ମରଣୀୟ ସୃଷ୍ଟି ପାଇଁ ସେ ଏ ଜାତିର ଚିର ନମସ୍ୟ ହୋଇ ରହିବେ । ଡିକେନ୍‌ସଙ୍କ ପୁସ୍ତକ ପାଠ କରି ଇଂରାଜୀ ସମାଜର ଜଣେ ଯେପରି ଭାବରେ ନିଖୁଣ ଛବି ପାଇପାରେ ଠିକ୍‌ ସେହିପରି ଓଡ଼ିଆ ଜାତିର ପ୍ରକୃତ ପରିଚୟ ପାଇବା ପାଇଁ କେବଳ ଯୁଗସ୍ରଷ୍ଟା ସେନାପତିଙ୍କୁ ପାଠକଲେ ଯଥେଷ୍ଟ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଫକୀରମୋହନଙ୍କ ଉପନ୍ୟାସ ଛ’ମାଣ ଆଠଗୁଣ୍ଠ, ଓ ‘ମାମୁଁ’ ଏବଂ ଅନ୍ୟାନ୍ୟ କ୍ଷୁଦ୍ରଗଳ୍ପ ମଧ୍ୟରେ ମଧ୍ୟବିତ୍ତ ପରିବାରର ଚିତ୍ର ପରିଲକ୍ଷିତ ହୋଇଥାଏ ଛ’ମାଣ ଆଠଗୁଣ୍ଠରେ ସାଧାରଣ ସ୍ତରରୁ ମଙ୍ଗରାଜ ଉଠିଛନ୍ତି । ଏହାଙ୍କୁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀଭୁକ୍ତ କରାଯାଇପାରେ । ସାରିଆ, ଭଗିଆଙ୍କର ଛ’ମାଣ ଆଠଗୁଣ୍ଠ ଜମିକୁ ହସ୍ତଗତ କରିବା ପାଇଁ ରାମଚନ୍ଦ୍ର ମଙ୍ଗରାଜ ଯେଉଁ ଚକ୍ରାନ୍ତ କରିଥିଲେ ଏବଂ ଚମ୍ପା ପରି ଦାସୀ ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଛି ତାହାକୁ ନିଃସଙ୍କୋଚରେ ମଧ୍ୟବିତ୍ତ ପରିବାରର ଚିତ୍ର ବୋଲି କୁହାଯାଇପାରେ । ଉପନ୍ୟାସ ବର୍ଣ୍ଣିତ ମଙ୍ଗରାଜଙ୍କ ବିଚାର ପାଠ କରି ତାହା ଦେଖିବା ପାଇଁ ଗାଁ ଗହଳରେ ଅନେକ ଲୋକ ଚୁଡ଼ା, ଚାଉଳ ଧରି ଆସୁଥିଲେ । ଟାଙ୍ଗି ମାଉସୀ ବାଘସିଂହ ପରିବାରରେ ଯେପରି ପ୍ରବେଶ କରିଛି ତା’ର କଥାବାର୍ତ୍ତା ଚାଲିଚଳନ ଓ ବେଶଭୂଷା ସବୁ ମଧ୍ୟବିତ୍ତ ପରିବାରର; ଏକ ସମ୍ୟକ୍‌ ସୂଚନା ଦେଇଥାଏ । ସେତେବେଳେ ଗୁଣା, ଗଣ୍ଠି, ନୋଥ, ବାଲା, ବଟଫଳ, ପାଉଁଜି ଇତ୍ୟାଦି ଅଳଙ୍କାର ମଧ୍ୟବିତ୍ତ ପରିବାରରେ ବହୁଳ ପରିମାଣରେ ଦେଖା ଯାଉଥିଲା । ତାଙ୍କରି ଉପନ୍ୟାସରେ ସାଆନ୍ତ, ସାଆନ୍ତାଣୀ ସମ୍ବୋଧନ ଦେଖିବାକୁ ମିଳେ । ମାମୁଁ ଉପନ୍ୟାସରେ ନାଜର ନଟବର ଦାସ ମଧ୍ୟବିତ୍ତ ପରିବାରର ପ୍ରତିନିଧିତ୍ୱ କରିଥାନ୍ତି । ଭଣଜାର ସମ୍ପତ୍ତି ଉଦରସ୍ଥ କରିବା ପାଇଁ ଚିତ୍ରକଳାର ଚକ୍ରାନ୍ତ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି । ମଧ୍ୟବିତ୍ତ ପରିବାରର ମଣିଷଟି ସାମାଜିକ ସ୍ତରରେ ଉଚ୍ଚକୁ ଉଠିବା ପାଇଁ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥାଏ ଓ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ନିର୍ବିକାର ଭାବେ ଯେଉଁ ସବୁ ଭୁଲ୍‌ କରିବା ପାଇଁ ସଂକୋଚ ପ୍ରକାଶ କରେ ନାହିଁ, ଏଥିପାଇଁ ତା’ର ଆକାଂକ୍ଷା ଓ ଅଭିଳାଷ ସେ ସମୟରେ ଯେପରି ଥିଲା ଏବେ ମଧ୍ୟ ସେହିପରି ରହିଛି । ଉପନ୍ୟାସକୁ ବାଦ୍‍ ଦେଇ ସେନାପତିଙ୍କ କ୍ଷୁଦ୍ରଗଳ୍ପ ଆଲୋଚନା କଲେ ମଧ୍ୟବିତ୍ତ ମଣିଷର ଛବି ଆହୁରି ଅଧିକ ସ୍ପଷ୍ଟ ଭାବେ ଦିଆଯାଇଥିବାର ମନେହୁଏ । ‘ପେଟେଣ୍ଟ ମେଡ଼ିସିନ୍’ରେ ଚନ୍ଦ୍ରମଣି ମଦ୍ୟପାନ କରିଛି । ଶତ ଶଯ୍ୟାର ନାୟିକା ଉସ୍‌ମାନତାରା ପାଇଁ ପାଗଳ ହୋଇ ଉଠିଛି । ବିପଥଗାମୀ ସ୍ଵାମୀ ଚନ୍ଦ୍ରମଣିଙ୍କୁ ପଥକୁ ଆଣିବାକୁ ଝାଡ଼ୁରେ ପିଟିବା ପାଇଁ ପାଶ୍ଚାତ୍‌ପଦ ହୋଇନାହିଁ । ମାତ୍ର ସ୍ଵାମୀ ଦେବତାଙ୍କୁ ଦଣ୍ଡବିଧାନ କରି ଥିବାରୁ ସୁଲୋଚନା ଅନୁତାପ କରିଛି । ଏହି ଅକ୍ଷମଣୀୟ ପାପ ପାଇଁ ସେ ଦେବତାଙ୍କ ଠାରୁ କ୍ଷମା ଚାହିଁଛି । ଏହା କେବଳ ମଧ୍ୟବିତ୍ତ ପରିବାରରେ ଦେଖା ଯାଇଥାଏ । ଭାଗ୍ୟର ପରିବର୍ତ୍ତନ ପାଇଁ ପୂଜା, ଆରାଧନା, ଗଣକର ପରାମର୍ଶ କେବଳ ମଧ୍ୟବିତ୍ତ ପରିବାରରେ ବିଶେଷ ଭାବେ ଦେଖାଯାଏ । ମଧ୍ୟବିତ୍ତ ପରିବାରର ଧର୍ମାନ୍ଧତା, ରକ୍ଷଣଶୀଳତା ‘‘ରେବତୀ’’ ଗଳ୍ପରେ ସେନାପତି ବେଶ୍‌ ଭଲଭାବେ ରୂପାୟିତ କରିଛନ୍ତି । ଏହି ଗଳ୍ପରେ ‘‘ରେବତୀ’’ର ପାଠପଢ଼ା ସବୁ ଅମଙ୍ଗଳର, ଅଶୁଭର ହେତୁ ହୋଇଛି ବୋଲି ଜେଜେମା’ର ବିଶ୍ଵାସ, ସୁନା ବୋହୂ ଗଳ୍ପରେ ମଧ୍ୟବିତ୍ତ ପରିବାରର ଚିତ୍ର ବେଶ୍‌ ଉପଭୋଗ୍ୟ । ବୋହୂକୁ ବାଟକୁ ଆଣିବା ପାଇଁ କର୍ମଚଞ୍ଚଳ କରିବାପାଇଁ ଯେଉଁ ଚେଷ୍ଟା ତାହା ମଧ୍ୟବିତ୍ତ ପରିବାରର ସମ୍ଭବ ।

 

ଫକୀରମୋହନଙ୍କ ପରେ ନନ୍ଦକିଶୋରଙ୍କ ଉପନ୍ୟାସ ‘‘କନକଲତା’’ରେ ମଧ୍ୟବିତ୍ତ ପରିବାରର ଚିତ୍ର ବହୁଳଭାବେ ଦେଖିବାକୁ ମିଳିଥାଏ । ସେଥିରେ ଓକିଲ ମାଜିଷ୍ଟ୍ରେଟ ଯେଉଁମାନେକି ମଧ୍ୟବିତ୍ତ ସମାଜର ଆତ୍ମସ୍ୱରୂପ ସେମାନଙ୍କର ଆଚାର ବ୍ୟବହାର ଓ ଦୈନନ୍ଦିନ ଜୀବନର ଚିତ୍ର ବର୍ଣ୍ଣିତ ହୋଇଛି । ବାଲ୍ୟବିଧବା ଭଉଣୀ କିପରି ଜୀବନ କଟାଇଛି, ପରିବାରରେ ବିଭିନ୍ନ ପୂଜାଉତ୍ସବ କିପରି ଅନୁଷ୍ଠିତ ହୁଏ, ପିଠାପଣା ହୁଏ, ମୁଗରଗଡ଼ା ହୁଏ ତାହା ଦେଖିବାକୁ ମିଳିଥାଏ । ଛାତ୍ର ନେତା ରାଜେନ୍ଦ୍ର ଶେଷରେ ସନ୍ନ୍ୟାସୀ ହୋଇଯାଇଛି । ମଧ୍ୟବିତ୍ତ ପରିବାରର ବହୁ ଯୁବକଙ୍କର ଆଦର୍ଶ, ଆଶା ଏବଂ ଆକାଂକ୍ଷା ରାଜେନ୍ଦ୍ର ଜୀବନ ମାଧ୍ୟମରେ ଲେଖକ ସୂଚାଇଛନ୍ତି ।

 

ନନ୍ଦକିଶୋରଙ୍କ ପରେ କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକ ପାଠକର ଦୃଷ୍ଟି ଆକର୍ଷଣ କରନ୍ତି । ତାଙ୍କର ଅବଦାନ ହେତୁ ଓଡ଼ିଆ ଉପନ୍ୟାସ ସାହିତ୍ୟ ସମୃଦ୍ଧ ହୋଇ ଉଠିଛି ଓ ବହୁ ନୂତନ ସାହିତ୍ୟିକଙ୍କୁ ଉପନ୍ୟାସ ରଚନା କରିବାପାଇଁ ସେ ପ୍ରେରଣା ଯୋଗାଇଛନ୍ତି । ତାଙ୍କର ଅଧିକାଂଶ ସୃଷ୍ଟି ମଧ୍ୟବିତ୍ତ ପରିବାରର ଚରିତ୍ରମାନଙ୍କୁ ନେଇ; ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗଢ଼ିଉଠିଛି । ‘କା’ ଉପନ୍ୟାସକୁ ଏଠାରେ ବିଚାରକୁ ନିଆଯାଇପାରେ । ଉକ୍ତ ଉପନ୍ୟାସରେ ନାରୀର ମହାନ୍‌ ତ୍ୟାଗ, ପରିବାରର ବଂଶରକ୍ଷାପାଇଁ ପ୍ରଥମ ସ୍ତ୍ରୀ, ସ୍ଵାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବାପାଇଁ ସ୍ୱୀକୃତି ଦେଇଛି । ବିହାହପରେ ସ୍ୱାମୀକୁ ଛାଡ଼ି ଚାଲିଯିବାପାଇଁ ଉଦ୍ୟମ କରିନାହିଁ । ଏହା ମଧ୍ୟବିତ୍ତ ପରିବାରର ଚିତ୍ର । କେବଳ ‘କା’ ଉପନ୍ୟାସଟି ଅଧ୍ୟୟନ କଲେ ମଧ୍ୟବିତ୍ତ ପରିବାରର ଆଶା, ଆକାଂକ୍ଷା, ସୁଖଦୁଃଖର ବହୁ କାହାଣୀ ଆଖିରେ ପଡ଼ିଥାଏ । ‘‘ବଜ୍ରବାହୁ’’, ଉପନ୍ୟାସରେ ଏକ ଉଚ୍ଚ ମଧ୍ୟବିତ୍ତ ପରିବାରର ଉତ୍‌ଥାନ, ପତ୍ତନର କାହାଣୀ କୁହାଯାଇଛି । ‘‘ବଜ୍ରବାହୁ’’ ଆହୁତି, ସାନଭାଇ ସୁରତ ରଣରଙ୍କା ଚରିତ୍ରଗୁଡ଼ିକ ତାହା ପ୍ରତିପାଦିତ କରିଥାନ୍ତି । ବଜ୍ରବାହୁ ଛାତ୍ରନେତା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗ୍ରହୀ, କିନ୍ତୁ ଗାଁରେ ସାଧାରଣ ଜନତାଠାରୁ ସେ ଦୂରତ୍ୱ ରକ୍ଷା କରି ଚଳେ । ଏହା ବହୁ କ୍ଷୟିଷ୍ଣୁ ଆଭିଜାତ୍ୟ ପରିବାରର ସଦସ୍ୟମାନଙ୍କଠାରେ ଦେଖାଯାଇଥାଏ । ମଧ୍ୟବିତ୍ତ ପରିବାରର ଚିତ୍ର ଅଙ୍କନ କରିବାରେ କାହ୍ନୁଚରଣ ସିଦ୍ଧହସ୍ତ ।

 

ଗୋପୀନାଥ ମହାନ୍ତି ଭାରତୀୟ ସାହିତ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କର ଉପନ୍ୟାସ ‘‘ଦାନାପାଣି’’ ଓ ଅନ୍ୟ କେତେକଗଳ୍ପରେ ମଧ୍ୟବିତ୍ତ ପରିବାରର ଚିତ୍ର ବେଶ୍‌ ଦେଖିବାକୁ ମିଳିଥାଏ । ବଳିଦତ୍ତ ମଧ୍ୟବିତ୍ତ ପରିବାରର ଏକ ପ୍ରତିନିଧି । କିରାଣି ବା ରାଜ କର୍ମଚାରୀମାନେ ମଧ୍ୟବିତ୍ତ ଶ୍ରେଣୀରୁ ଆସିଥାନ୍ତି ଓ ମଧ୍ୟବିତ୍ତ ପରିବାରର ବିଶ୍ଵାସ, ଧର୍ମଧାରଣାରେ ପ୍ରଭାବିତ ହୋଇଥାଆନ୍ତି । ସେମାନେ କିପରି ବ୍ୟକ୍ତିକୈନ୍ଦ୍ରିକ ତାହା କେବଳ ଦାନାପାଣି ପାଠ କଲେ ବୁଝାଯାଇଥାଏ । ଆପଣାର ଚାକିରିଟି ରଖିବା ପାଇଁ ସେମାନେ ସବୁକିଛି କରିପାରନ୍ତି । ସତକଥା କହିବାର ସତ୍‌ସାହାସ ବହୁସ୍ଥଳରେ ସେମାନଙ୍କର ନଥାଏ । ଗୋପୀନାଥଙ୍କର ପ୍ରତିଟି ଚରିତ୍ର ଅତି ପ୍ରାଣବନ୍ତ ।

 

ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖ୍ୟାତନାମା ଔପନ୍ୟାସିକ ଓ ଗାଳ୍ପିକ ହେଲେ ସତ୍ୟାନନ୍ଦ ବେଉରିଆ ସେ ‘‘ସାବତମାଆ’’, “ଅଭିରାମ’’, ‘‘ନିର୍ମାଲ୍ୟ ନିବାସ’’, ‘‘ନିଶାର୍ଦ୍ଧର ସହଚରୀ’’, ଭିନ୍ନେଘର” ପ୍ରଭୃତି ପଚିଶ ଖଣ୍ଡରୁ ଅଧିକ ଗଳ୍ପ ଉପନ୍ୟାସ ରଚନା କରିଛନ୍ତି । ଅଧିକାଂଶ ଗଳ୍ପ ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ଚିତ୍ର ସେମାନଙ୍କର ସମସ୍ୟା, ଆଶା, ଆକାଂକ୍ଷା, ହର୍ଷବିଷାଦର ଚିତ୍ର ପ୍ରଦାନ କରାଯାଇଛି । ‘‘ସାବତମାଆ’’ ଉପନ୍ୟାସଟି ପାଠ କଲେ ସେଥିରେ ମଧ୍ୟବିତ୍ତ ପରିବାରର ଚିତ୍ର କିପରି ରୂପାୟିତ ହୋଇଛି ତାହା ଦୃଷ୍ଟିକୁ ଆସିଥାଏ । ମାତୃହରା ସନ୍ତାନଟିର ମନସ୍ତତ୍ତ୍ୱତାର ଜୀବନ ଯନ୍ତ୍ରଣା ଏଥିରେ ବର୍ଣ୍ଣିତ ହୋଇଛି । ମାତୃହରା ସନ୍ତାନଟି, ବହୁକ୍ଷେତ୍ରରେ ପରିବାର ମଧ୍ୟରେ କିପରି ଆପଣାକୁ ଅଲୋଡ଼ା ମନେକରେ ତାହା ସେ କହିବାପାଇଁ ଉଦ୍ୟମ କରିଛନ୍ତି । ମଧ୍ୟବିତ୍ତ ପରିବାରର ଏକ କରୁଣତମ ଅଧ୍ୟାୟର ସନ୍ଧାନ ଏଥିରେ ମିଳିଥାଏ । ତା’ପରେ କାଳନ୍ଦୀଚରଣଙ୍କ ଉପନ୍ୟାସ ‘‘ମାଟିର ମଣିଷ’’ ପାଠକର ଦୃଷ୍ଟି ଆକର୍ଷଣ କରେ । ଗାଁ ଗହଳର ଏକ ମଧ୍ୟବିତ୍ତ ଚାଷୀ ପରିବାରକୁ କେନ୍ଦ୍ରକରି ଉପନ୍ୟାସଟି ଗଢ଼ି ଉଠିଛି । ଗାନ୍ଧୀ ଦର୍ଶନରେ ବିଶ୍ୱାସୀ ବରଜୁ ପ୍ରଧାନ ଏକ ଆଦର୍ଶ ଚରିତ୍ର ରୂପେ ମୁଣ୍ଡ ଟେକି ଉଠିଛି । ବରଜୁର ଭାଇ ଛକଡ଼ି କିଛିଦିନ ବରଜୁର ଏକ ଆଜ୍ଞାଧୀନ ଭାଇ ହୋଇ ରହିଲା ପରେ ଭାଇଠାରୁ ଭାଗ ଚାହିଁଛି । ସ୍ତ୍ରୀ ନେତ୍ରମଣିର ନିର୍ଦ୍ଦେଶରେ ସେ ପରିଚାଳିତ ହୋଇଛି । ସ୍ଵତନ୍ତ୍ର ଘର କରିବାପାଇଁ ସେ ଆଶାୟୀ ହୋଇ ଉଠିଛି । ହରିମିଶ୍ର ପରି ଖଳ ଚରିତ୍ର ଅନ୍ୟମାନଙ୍କୁ ଶୋଷଣ କରି ଆପଣାର ଆର୍ଥିକସ୍ଥିତି ବଢ଼ାଇବା ପାଇଁ ଚେଷ୍ଟା ଚଳାଇଛି । ଗାନ୍ଧୀଦର୍ଶନ ବା ଆଦର୍ଶର ପ୍ରଭାବ ମଧ୍ୟବିତ୍ତ ପରିବାର ଉପରେ କିପରି ପ୍ରତିଫଳିତ ହୋଇଛି ତାହା ଏଠାରେ ଦେଖା ଯାଇଥାଏ । ‘‘ବାସନ୍ତୀ ଉପନ୍ୟାସ’’ ‘‘ବାସନ୍ତୀ’’ ଚରିତ୍ରକୁ କେନ୍ଦ୍ର କରି ଗଢ଼ି ଉଠିଛି ଏକାଧିକ ଔପନ୍ୟାସିକ ଏହି ‘‘ବାସନ୍ତୀ’’ ଉପନ୍ୟାସର ସ୍ରଷ୍ଟା । ସେମାନେ ବାସନ୍ତୀକୁ ଯେପରି ଚିତ୍ରିତ କରିଛନ୍ତି ଓ ତାକୁ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି ସେଥିରେ ମଧ୍ୟବିତ୍ତ ପରିବାରର ବହୁସମସ୍ୟା ଉତ୍‌ଥାପନ କରାଯାଇଛି ।

 

ଡଃ ହରେକୃଷ୍ଣ ମହତାବ ତାଙ୍କ ଗଳ୍ପ ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ଚିତ୍ର ଅଙ୍କନ କରିଛନ୍ତି । ସେ ନିଜେ ସ୍ଵାଧୀନତା ସଂଗ୍ରାମରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଲେଖନୀରେ ଆପଣାର ଅଙ୍ଗଲିଭା ବହୁ ଅନୁଭୂତିକୁ ସେ ରୂପାୟିତ କରିଅଛନ୍ତି । ‘‘ଟାଉଟର” ‘‘ପ୍ରତିଭା’’ ଓ ‘‘ଅବ୍ୟାପାର’’ ‘‘ନୂତନଧର୍ମ’’ ପ୍ରଭୃତି ଉପନ୍ୟାସରେ ଅଧିକାଂଶ ଚରିତ୍ର ମଧ୍ୟବିତ୍ତ ପରିବାରରୁ ସେ ସଂଗ୍ରହ କରିଅଛନ୍ତି । ତାଙ୍କ ଲେଖାରୁ ମଧ୍ୟବିତ୍ତ ପରିବାରର ଲୋକମାନେ ଗଣ ଆନ୍ଦୋଳନକୁ ଆଗେଇ ନେବାପାଇଁ କିପରି ସାଧନା ଓ ସଂଗ୍ରାମ କରିଛନ୍ତି ତାହା ସ୍ପଷ୍ଟରୂପେ ଜଣାପଡ଼େ । ତାଙ୍କର ପ୍ରତ୍ୟେକ ଉପନ୍ୟାସର ବିଷୟବସ୍ତୁ ହେଲା ଦେଶାତ୍ମବୋଧ । ଦେଶର ଉପସ୍ଥିତ ସମସ୍ୟା ଓ ସେଗୁଡ଼ିକର ସମାଧାନର ପଥ ସେଥିରୁ ବାହାର କରାଯାଇଛି । ତାଙ୍କ ଉପନ୍ୟାସ ପୁରପଲ୍ଲୀରେ ଜନସାଧାରଣଙ୍କର ଜୀବନ ନିର୍ବାହର ଚିତ୍ର ସେମାନଙ୍କର ସଂସ୍କାର, ଅନ୍ଧବିଶ୍ୱାସ, ଆଶା ଆନନ୍ଦ, ଶଠତା ଓ ନୈରାଶ୍ୟ ଉପରେ ଏକ ବଳିଷ୍ଠ ଆତ୍ମପ୍ରତ୍ୟୟର ପରିଚୟ ମିଳିଥାଏ । ସମସ୍ତପ୍ରକାର ଦୁର୍ଦ୍ଦିନ ମଧ୍ୟରେ ଆଶା ଓ ସାହାସର ସହିତ ଆଗେଇ ଯିବାପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଛି । ଗାନ୍ଧୀଦର୍ଶନଦ୍ୱାରା ତାଙ୍କର ରଚନାଗୁଡ଼ିକ ବହୁଭାବରେ ପ୍ରଭାବିତ । ‘‘ଟାଉଟର’’ ଉପନ୍ୟାସରେ ଜମିଦାର ଲକ୍ଷ୍ମୀକାନ୍ତ ଓ ଓକିଲ ଜାନକୀ ବାବୁ, ‘‘ଅବ୍ୟାପାର’’ ଉପନ୍ୟାସର କମଳିନୀ, ନିଶାମଣି, ଏବଂ ‘‘ପ୍ରତିଭା’’ ଉପନ୍ୟାସର ପ୍ରତିଭା, ଜାହ୍ନବୀ ପ୍ରଭୃତି ସୃଷ୍ଟିଗୁଡ଼ିକୁ ଉଲ୍ଲେଖଯୋଗ୍ୟ ରାଜନୀତିର ପୃଷ୍ଠଭୂମିରେ ବ୍ରହ୍ମାନନ୍ଦ ପଣ୍ଡାଙ୍କର ଯେଉଁ କେତେଗୁଡ଼ିଏ ରଚନା ରହିଛି ତାହାକୁ ବାଦ୍‌ଦିଆଯାଇ ନପାରେ ‘‘ସାଧାରଣ ସତ୍ୟ’’ ଗଳ୍ପ ତା’ର ପ୍ରମାଣ ଦେଇଥାଏ । ପଣ୍ଡାଙ୍କ ଭାଷାରେ କହିଲେ ରାଜନୈତିକ ପୃଷ୍ଠଭୂମିକାର ଆଶ୍ରୟରେ ଗଳ୍ପ ରଚନା କରିବା ଗୋଟାଏ ସମୟ ଉପରେ ତାରି ସତ୍ୟକୁ ଆରୋପ କରିବାର ଦମ୍ଭ ସ୍ଵାଭାବିକଭାବେ ଅସ୍ଥିର ବିଭବ କଥା ଦୂରେ ଥାଉ ରାଜନୀତିରେ ଗୋଲାପ ବିମ୍ବା ଘାସ ଭଳି କୌଣସି ସ୍ଥାୟୀ ବର୍ଣ୍ଣ ନାହିଁ । ଏହାର ବର୍ଣ୍ଣ ଓ ଗୁଣର ପ୍ରଭାବ ଦେଶ, କାଳ ପାତ୍ର ଉପରେ କ୍ଷଣ ଉତ୍ତେଜକ ଭାବରେ, ପଡ଼ିଥାଏ ଦେହ ଓ ମନରେ ମଦର ପ୍ରଥମ କ୍ରିୟା ପରି । ରାଜନୀତିକୁ ଭିତ୍ତିକରି ଓଡ଼ିଆ ସାହିତ୍ୟରେ ଏବେ ଅନେକ ଗଳ୍ପ, ଉପନ୍ୟାସ ଲେଖିଲେଣି ।

 

ଗାଳ୍ପିକ ରାଜକିଶୋର ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି ଓ ରାଜକିଶୋର ରାୟ, ବିଭୂତି ତ୍ରିପାଠୀ, ଅନନ୍ତ ପ୍ରସାଦ ପଣ୍ଡା ପ୍ରମୁଖ ସେମାନଙ୍କ ଗଳ୍ପ, ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ଜୀବନ୍ତ ଚିତ୍ର ରୂପାୟିତ କରିଛନ୍ତି । ଏମାନେ ପ୍ରତ୍ୟେକ ସ୍ଵତନ୍ତ୍ର ଆଲୋଚନାର ଅଧିକାରୀ । କିଶୋରୀ ଚରଣ ଦାସଙ୍କ କ୍ଷୁଦ୍ରଗଳ୍ପରେ ମଧ୍ୟବିତ୍ତ ପରିବାରର ଚିତ୍ର ବିଶେଷ ଭାବେ ପରିଦୃଷ୍ଟ ହୁଏ । ‘ଭଙ୍ଗା ଖେଳନା’, ‘ଘର ବାହୁଡ଼ା’, ‘ମଣିହରା’, ‘ଲକ୍ଷବିହଙ୍ଗ’ ପ୍ରଭୃତି ତାଙ୍କର ଯେ କୌଣସି ଗଳ୍ପସଂଗ୍ରହ ପାଠ କଲେ ଏହା ବେଶ୍‌ ହୃଦବୋଧ ହେଇଥାଏ ।

 

ଏହି ଆଲୋଚନା ଚକ୍ରରେ ନାରୀ ପ୍ରତିଭା ସମ୍ପର୍କରେ ଆଲୋଚନା ଏପର୍ଯ୍ୟନ୍ତ ହୋଇନାହିଁ । ତେଣୁ ସେମାନଙ୍କ ସମ୍ପର୍କରେ ସମୟର ସ୍ୱଳ୍ପତା ମଧ୍ୟରେ ମୁଁ ସାମାନ୍ୟ ସୂଚନା ଦେଉଛି-। କୁନ୍ତଳା କୁମାରୀ ସାବତ୍‌ଙ୍କ ପରେ ଅନେକ ନାରୀ ଲେଖିକା ଗଳ୍ପ ଉପନ୍ୟାସ ଲେଖିବାର ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ସୃଷ୍ଟିରୁ ମଧ୍ୟବିତ୍ତ ପରିବାରର ଚିତ୍ର ବିଶେଷ ଭାବେ ଦେଖାଯାଇଥାଏ-

 

ବସନ୍ତ କୁମାରୀ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ବୀଣାପାଣି ମହାନ୍ତି, ପ୍ରତିଭା ରାୟ ପ୍ରଭୃତିଙ୍କ ଗଳ୍ପ ଉପନ୍ୟାସ ମଧ୍ୟବିତ୍ତ ପରିବାରର ବିଭିନ୍ନ ସମସ୍ୟା ବେଶ୍‌ ଉନ୍ନତଭାବେ ଚିତ୍ରିତ । ସୁଖର କଥା ଶ୍ରୀମତୀ ଶତପଥୀଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଏକାଧିକ ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଅଛି । ବୀଣା ମହାନ୍ତିଙ୍କର ଏପର୍ଯ୍ୟନ୍ତ ଆରୋହଣ, ଅନ୍ଧକାରର ଛାଇ, ସାୟାହ୍ନର ସ୍ୱର, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ଅପରାହ୍ନ ପ୍ରଭୃତି କ୍ଷୁଦ୍ରଗଳ୍ପ ସଂକଳନ ଆଲୋକକୁ ଆସିଥିବା ପୁସ୍ତକ ପାଠକର ଦୃଷ୍ଟିରେ ପଡ଼ିଥାଏ । ନାରୀର ବିଭିନ୍ନ ସମସ୍ୟା ସେ ପରିବାର ଭିତରେ ଓ ବାହାରେ ମଧ୍ୟବିତ୍ତ ପରିବାରରେ କିପରି ପ୍ରଭାବ ପକାଇଥାଏ ତାହା ତାଙ୍କ ଗଳ୍ପ ଉପନ୍ୟାସରେ ବିଶେଷ ଦେଖାଯାଇଥାଏ ।

 

ସାମ୍ପ୍ରତିକ ଗଳ୍ପ ସାହିତ୍ୟରେ ଆଧୁନିକ ଗାଳ୍ପିକମାନେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଅନେକ ବିଦେଶୀ ସାହିତ୍ୟଦ୍ୱାରା ପ୍ରଭାବିତ ହେଉଥିବା ବେଳେ ଆଉ କେତକ ଆପଣାର ପରିବେଶରୁ ଚରିତ୍ରମାନ ସଂଗ୍ରହ କରି ଉନ୍ନତ ଗଳ୍ପ ରଚନା କରୁଛନ୍ତି । ବର୍ତ୍ତମାନ ଏକାନ୍ନବର୍ତ୍ତି ପରିବାର କିପରି ଧୀରେ ଧୀରେ ନଷ୍ଟ ହେଉଛି, ବେକାର ସମସ୍ୟା, ଗର୍ଭପାତ, ଛାଡ଼ପତ୍ର, ଆଭିଜାତ୍ୟ ଶ୍ରେଣୀର ପତ୍ତନ, ଛାତ୍ର ଆନ୍ଦୋଳନ; ରାଜନୈତିକ ସମସ୍ୟା, ଶ୍ରମିକ ସମସ୍ୟା, ଛାତ୍ର ଅଶାନ୍ତି ପ୍ରଭୃତି ବିଭିନ୍ନ ସମସ୍ୟା ସାମ୍ପ୍ରତିକ ଗାଳ୍ପିକମାନଙ୍କର ଗଳ୍ପରେ ଦେଖାଯାଉଛି-। ପୁରାତନ ମୂଲ୍ୟବୋଧ ପ୍ରତି ସମ୍ମାନ ଧୀରେ ଧୀରେ କମି ଆସୁଛି । ସାଧାରଣ ମଣିଷ ମଧ୍ୟବିତ୍ତ ପରିବାରଭୁକ୍ତ ହେବା ପାଇଁ କିପରି ଉଦ୍ୟମ କରୁଅଛି ଏବଂ କେତେକ ଧନିକ ଶ୍ରେଣୀର ଲୋକ କିପରି ପରିସ୍ଥିତିର ଦାୟରେ ପଡ଼ି ଆପଣାର ପ୍ରତିପତ୍ତି ହରାଇ ମଧ୍ୟବିତ୍ତ ଶ୍ରେଣୀଭୁକ୍ତ ହେଉଛନ୍ତି ତା’ର ଚିତ୍ର ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳିଥାଏ ।

 

ସାମ୍ପ୍ରତିକ ଗାଳ୍ପିକମାନଙ୍କ ମଧ୍ୟରେ ମନୋଜ ଦାସ, ଡଃ ରତ୍ନାକର ଚଇନି, ଭାଗୀରଥି ନେପାକ, ବରେନ୍ଦ୍ରକୃଷ୍ଣ ଧଳ, ପ୍ରଶାନ୍ତ ପଟ୍ଟନାୟକ, ରଘୁନାଥ ମହାପାତ୍ର, ରଣଧୀର ଦାସ, ଫନି ମହାନ୍ତି, ଅଧ୍ୟାପକ ବିଶ୍ଵରଞ୍ଜନ, ବ୍ରଜ ମହାନ୍ତି, ଡଃ କୃଷ୍ଣଚନ୍ଦ୍ର ବେହେରା, କୈଳାସ ଲେଙ୍କା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ରବି ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଉଜ୍ଜ୍ୱଳ ପାଢ଼ୀ, ଆନନ୍ଦ ପହି, ରଶ୍ମୀ ମହାପାତ୍ର, ନାରୁ ମହାନ୍ତି, ଦାସ ବେନହୁର, ଜଗନ୍ନାଥ ମହାନ୍ତି, ଅଧ୍ୟାପକ ହରିହର ମିଶ୍ର, ଗଣେଶ୍ଵର ମିଶ୍ର, ଯଶୋଧାରା ମିଶ୍ର, ଦଶରଥ ସାମଲ, ଯଦୁନାଥ ଦାସମହାପାତ୍ର, ମଙ୍ଗୁଳି ବିଶ୍ୱାଳ, ଶ୍ରୀନିବାସ ବେହେରା, ଉମାଶଙ୍କର ପଣ୍ଡା, ପରମାନନ୍ଦ ଅଧିକାରୀ, ଶ୍ରୀବତ୍ସ ନାୟକ, ସାତକଡ଼ି ହୋତା, ଗିରିଶ ଚନ୍ଦ୍ର ଦାଶଗୁପ୍ତ, ଯୁଗଳ କିଶୋର ଦତ୍ତ, ବିଜୟିନୀ ଦାସ, ପ୍ରଭାତ ମହାପାତ୍ର ଓ ରମେଶ ଚନ୍ଦ୍ର ଧଳ ପ୍ରମୁଖଙ୍କ ଗଳ୍ପଗୁଡ଼ିକ ଅଧ୍ୟୟନ କଲେ ସାମ୍ପ୍ରତିକ ସମାଜରେ ମଧ୍ୟବିତ୍ତ ପରିବାରର ଗୃହସ୍ଥ, ଗୃହକର୍ତ୍ତା, ଯୁଗୋପଯୋଗୀ ଯୁବତୀର ଦୃଷ୍ଟିଭଙ୍ଗୀ, ସେମାନଙ୍କର ନୂତନ ପରିବର୍ତ୍ତନ ପାଇଁ ଆଗ୍ରହ, ଉଦାସୀନତା ଓ ଅନ୍ୟାନ୍ୟ ସାମାଜିକ ସମସ୍ୟା ପ୍ରତି ସେମାନେ କେତେଦୂର ସଚେତନ ତାହା ହୃଦବୋଧ ହୁଏ ।

 

ଏହି ସମସ୍ୟାଗୁଡ଼ିକ ଆମ ଗଳ୍ପ ଉପନ୍ୟାସରେ କିପରି ରୂପ ପାଇଛି ତା’ର ଅଳ୍ପ କେତେକ ଦୃଷ୍ଟାନ୍ତ ଦେଉଛି । କଥାଶିଳ୍ପୀ ମନୋଜ ଦାସ, ଓଡ଼ିଆ ସାହିତ୍ୟର ସୀମା ଅତିକ୍ରମ କରି ଆନ୍ତର୍ଜାତିକ ସ୍ତରରେ ଆପଣାର ପ୍ରତିଭା ନିମନ୍ତେ ସ୍ଵୀକୃତି ଲାଭ କଲେଣି । ତାଙ୍କର ସୃଷ୍ଟି ମଧ୍ୟରେ ସମୁଦ୍ରର କ୍ଷୁଧା, ଶେଷ ବସନ୍ତର ଚିଠି, ବିଶ୍ୱ କନ୍ୟାର କାହାଣୀ ପ୍ରଭୃତି ଗଳ୍ପ ପୁସ୍ତକଗୁଡ଼ିକ ପାଠକଲେ ମଧ୍ୟବିତ୍ତ ପରିବାରର ଛବି ସେ କିପରି ଆଙ୍କିଛନ୍ତି ତାହା ଜାଣିହୁଏ । ତାଙ୍କର ‘ସୁନା ମେଡାଲ’ ଗଳ୍ପଟି ପାଠ କଲେ ଆଭିଜାତ୍ୟ ସମ୍ପନ୍ନ ରାଜ ପରିବାରଗୁଡ଼ିକ କିପରି ପ୍ରତିପତ୍ତି ହରାଉଛନ୍ତି ଓ ସେମାନେ ସାଧାରଣସ୍ତରକୁ ଆସୁଛନ୍ତି ତାହା ଜଣାଯାଇଥାଏ । ରତ୍ନାକର ଚଇନିଙ୍କର ଗଳ୍ପ ‘ଜଣେ ରାଜାଥିଲେ’ ରମେଶ ଧଳଙ୍କର ‘ଜଳର ରଙ୍ଗ’ ଗଳ୍ପ ସମଶ୍ରେଣୀଭୁକ୍ତ ଗଳ୍ପ ରୂପେ ବିଚାରକୁ ନିଆଯାଇପାରେ ।

 

ସାହିତ୍ୟିକ ଭାଗୀରଥି ନେପାକଙ୍କର ‘ମଧୁ ମଦିରା’, ‘କାଲି ଆଜି ପର ଦିନ’ ‘କଳା କଳଙ୍କ’ ଉପନ୍ୟାସ, ପ୍ରିୟମ୍ବଦାର ପ୍ରଶ୍ନ, ମୋର ପ୍ରିୟ କାହାଣୀ, ପାରିବାରିକ ପାରିବାରିକ ଗଳ୍ପ ଇତ୍ୟାଦି ପାଠ କଲେ ମଧ୍ୟବିତ୍ତ ପରିବାରର ବିଭିନ୍ନ ସମସ୍ୟା ସେ କିପରି ଭାବେ ରୂପାୟିତ କରିଛନ୍ତି ତାହା ଜଣାପଡ଼ିଥାଏ । ଧୀରେ ଧୀରେ ଆଧୁନିକ ମଧ୍ୟବିତ୍ତ ପରିବାରର ମଣିଷଟିର ମନୋଭାବ କିପରି ପରିବର୍ତ୍ତନ ହେଉଛି ତାହା ସେ ବର୍ଣ୍ଣନା କରିଛନ୍ତି । ପରିବାରରେ ଅନ୍ୟମାନଙ୍କ ସ୍ୱାର୍ଥପ୍ରତି ସଚେତନ ନହୋଇ ଆଜିର ଆଧୁନିକ ମଣିଷ କିପରି କେବଳ ଆପଣା ସ୍ୱାର୍ଥପ୍ରତି ଅଧିକ ଧ୍ୟାନ ଦେଉଛି ତାଙ୍କର ‘‘ସତ୍ୟବତୀ ଚରିତ୍ରଟି’’ ପ୍ରତିପାଦିତ । ପ୍ରାୟଶ୍ଚିତ୍ତ ଗଳ୍ପର ମିଷ୍ଟର କୁପର ତାଙ୍କର ଏକ ଅନବଦ୍ୟ ସୃଷ୍ଟି ।

 

ଶ୍ରୀ ବରେନ୍ଦ୍ର କୃଷ୍ଣ ଧଳ ‘‘ପଳାଶର ମର୍ଯ୍ୟାଦା’’ ଗଳ୍ପରେ ବେକାର ଯୁବକ ଭାଗ୍ୟର ପରିବର୍ତ୍ତନ ପାଇଁ କିପରି ଅଭିନୟ କରିପାରେ ତାହା ‘‘ସୁଧାମୟ ମହାପାତ୍ର’’ ଚରିତ୍ର ଆଭାସ ଦେଇଥାଏ । ‘‘ଛାଇଆଲୁଅରନାଚ’’ ପୁସ୍ତକରେ ଗାଳ୍ପିକ ଉଜ୍ଜ୍ୱଳ ପାଢ଼ୀ ତାଙ୍କର ଶୁଭଦିନ ଗଳ୍ପରେ ବେକାର ଯୁବକର ଜୀବନ ଯନ୍ତ୍ରଣା ସଫଳ ଭାବରେ ରୂପାୟିତ କରିଛନ୍ତି । ବୀଣା ମହାନ୍ତିଙ୍କ ଜଞ୍ଜିର ଗଳ୍ପ ଏହି ପର୍ଯ୍ୟାୟ ଭୁକ୍ତ । ‘‘ଜଞ୍ଜିର’’ ଗଳ୍ପର ମହେଶ କାମ ନ ପାଇ ଶେଷରେ କିପରି ତଥାକଥିତ ରାଜନୈତିକ ଟାଉଟରର କ୍ରୀଡ଼ନକ ହୋଇ ମୁଣ୍ଡ ଫଟାଇଛି ତାହା ବର୍ଣ୍ଣନା କରିଛନ୍ତି ।

 

ଜଗଦୀଶ ମହାନ୍ତି ଓ ବ୍ରଜ ମହାନ୍ତିଙ୍କ କେତକ ଗଳ୍ପରେ ଉତ୍କଟ ବେକାରି ଚିତ୍ର ମିଳେ । ଦଶରଥ ସାମଲଙ୍କର କେତେକ ଗଳ୍ପରେ କ୍ଷୟିଷ୍ଣୁ ଆଭିଜାତ୍ୟ ପରିବାରର ଚରିତ୍ର ଚିତ୍ରଣ କରାଯାଇଛି । ତରୁଣ କଥାଶିଳ୍ପୀ ଶ୍ରୀ ଆନନ୍ଦଚନ୍ଦ୍ର ପହି ତାଙ୍କର ‘‘ଧୂଳିଝଡ଼’’ ଗଳ୍ପ ପୁସ୍ତକରେ ‘‘ଅଲୋଡ଼ା କୁଣିଆ’’ ଗଳ୍ପରେ ମଧ୍ୟବିତ୍ତ ପରିବାରରେ ଅତିଥିମାନଙ୍କର ଅତ୍ୟଧିକ ଆଗମନ ହେତୁ ଗୃହସ୍ଥ କିପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତା’ର ସୂଚନା ଦେଇଛନ୍ତି । ଏକ ସମୟରେ ଅତିଥି, ଅଭ୍ୟାଗତଙ୍କ ଆଗମନ ନେଇ ପରିବାରର ପରିବେଶ ଆନନ୍ଦମୁଖର ହୋଇ ଉଠୁଥିଲା । ମାତ୍ର ଅଧୁନା ମଧ୍ୟବିତ୍ତ ପରିବାରରେ ବିଶେଷଭାବେ ସହର ବଜାରରେ ରହୁଥିବା ପରିବାର ପାଇଁ ଅତିଥି ଏକ ନୂତନ ସମସ୍ୟାରୂପେ ଦେଖା ଦେଇଛି ।

 

ଅଧ୍ୟାପକ ଜଗନ୍ନାଥ ମହାନ୍ତିଙ୍କର ସମ୍ପାଦିତ ‘‘ଶିକ୍ଷକ ସେ–ଅଲିଭା ଦୀପାଳି’’ ଗଳ୍ପ ସଂକଳନରେ ଶିକ୍ଷକ, ଶିକ୍ଷାୟତନକୁ ଭିତ୍ତିକରି ଅନେକଗୁଡ଼ିଏ ଗଳ୍ପ ସ୍ଥାନ ପାଇଛି । ଆଜି ସମାଜରେ କିପରି ଛାତ୍ର ବିଶୃଙ୍ଖଳା ଗୁରୁତର ସମସ୍ୟା ସୃଷ୍ଟି କରୁଛି ତାହା ଅଧ୍ୟାପକ ରାଜକିଶୋର ରାୟଙ୍କର ‘‘କ୍ଷମା ପ୍ରାର୍ଥୀ’’ ରମେଶ ଧଳଙ୍କର ‘‘ଅନ୍ଧକାରର ସୀମା” ଉଦୟନାଥ ଷଡ଼ଙ୍ଗୀର ‘‘କି ହେଲାରେ” ପ୍ରଭୃତି ଗଳ୍ପରେ ଅତି ଜୀବନ୍ତ ଭାବରେ ଫୁଟି ଉଠିଛି ।

 

ସମୟର ସ୍ଵଳ୍ପତା ଦୃଷ୍ଟିରୁ ଆଉ କେତେକ ପୁରାତନ ତଥା ତରୁଣ ପ୍ରତିଭାବାନ କଥାଶିଳ୍ପୀଙ୍କ ସୃଷ୍ଟି ଏବଂ ଆଉ କେତେକ ସମସ୍ୟାର ଆଲୋଚନା କରିବା ସମ୍ଭବ ହେଲା ନାହିଁ । ସେଥିପାଇଁ ମୁଁ ଦୁଃଖିତ ।

 

ଶ୍ରୀ ରମେଶଚନ୍ଦ୍ର ଧଳ,

ଆଡଭୋକେଟ୍‌

କ୍ୱାଟର ନମ୍ବର ୪୬/୧ ଟାଇପ ୪-ଏ

ୟୁନିଟ୍-୨ ଭୁବନେଶ୍ୱର-୯

Image

 

Unknown

ଓଡ଼ିଆ ସାମାଜିକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଡଃ ଶରତଚନ୍ଦ୍ର ପ୍ରଧାନ

 

ସମାଜ ବ୍ୟକ୍ତିର ଜୀବନ ଭୂମି । ସମାଜର ହସ କାନ୍ଦ, ବ୍ୟଥାବେଦନାରେ ବ୍ୟକ୍ତିଚେତନା ଉଚ୍ଚକିତ । ଏଣୁ ଲେଖକର କୃତିରେ ସମାଜର ଦର୍ପଣୀୟ ପ୍ରତିଫଳନ ଘଟିବା ଏକ ସ୍ୱାଭାବିକ କଥା-। ଲେଖକ ଯାହା ଲେଖେ, ସବୁଠି ସମାଜର ଛବି ଫୁଟେ; ପାଠକ ଅକ୍ରୂର ପାଲଟିଯାଏ-। ଜଳରେ ସ୍ଥଳରେ ସର୍ବତ୍ର କୃଷ୍ଣଙ୍କୁ ଦେଖିଲାପରି ସମାଜକୁ ଦେଖେ । ନିଜେ ନିଜର ଲୀଳାକ୍ଷେତ୍ର ସମାଜକୁ ଘଡ଼ିଏ ଚାହିଁରହେ । କେଉଁ ଉପନ୍ୟାସ ଯେ ସାମାଜିକ ନୁହେଁ, କେଉଁ ଗଳ୍ପରେ ବା ସମାଜ ଚେତନା ନ ଫୁଟିଛି ? ସବୁଠି ସମାଜର ନିଃଶବ୍ଦ ପଦଧ୍ଵନି। ଏଣୁ ସାମାଜିକ ଗଳ୍ପ ଉପନ୍ୟାସର ସରହଦ କଳନା କରିବା କଠିନ ।

 

ଲୁଇସ୍‌ କାଜାମିଆନ The social novel in England (1830–50) ପୁସ୍ତକରେ ଆଲୋଚନା ପ୍ରସଙ୍ଗରେ କହିଥିଲେ Every novel dealing with human Customes is a social novel. ଯେଉଁ ଉପନ୍ୟାସ ମାନବୀୟ ପ୍ରଥା ଓ ରୀତିନୀତି ଉପରେ ଆଧାରିତ, ତାହା ତ ସାମାଜିକ । ଏ ସଂଜ୍ଞା ବଡ଼ ବ୍ୟାପକ; ଏହାର ପରିସର ବଡ଼ ବିସ୍ତୃତ । ଏ କଥା ହୁଏତ ସେ ଅନୁଭବ କରି ନିଜ ଆଲୋଚନାକୁ ଶାଣିତ କରିବା ପାଇଁ ସେହି ଉପନ୍ୟାସଗୁଡ଼ିକୁ ନେଲେ, ଯେଉଁଥିରେ ଥିଲା ସାମାଜିକ ନିବନ୍ଧନ–Novel with social thesis. ଓଡ଼ିଆ ଗଳ୍ପ ଉପନ୍ୟାସରେ ଏହି ସାମାଜିକ ଥେସିସ୍‌ ଖୋଜା ଯାଇପାରେ ।

 

ସାମାଜିକ ଋତରେ ଗଳ୍ପ ଉପନ୍ୟାସ ବନ୍ଧା । ସମାଜଋତ ଛିଣ୍ଡିଲେ ସେଗୁଡ଼ିକ ବେଖାପ ଲାଗେ, ଅଘଟଣ ଦିଶେ । ବ୍ୟକ୍ତି ମାନସରେ ସାମାଜିକ ବୃତ୍ତିର ସଂଗୋପନଲୀଳା । ବ୍ୟକ୍ତି ଉନ୍ମାର୍ଗଗାମୀ ହେଲେ ବି ସାମାଜିକ ଶୃଙ୍ଖଳାର ନାଡ଼ିବନ୍ଧନ କାଟି ପାରେନା । ସମାଜ ହୁଏତ ଅଲକ୍ଷିତ ଭାବରେ ବ୍ୟକ୍ତିକୁ କହି ପକାଇଥାଏ–‘‘ବନ୍ଧା ମୋର ସ୍ନେହ ରଜ୍ଜୁରେ ଏହି ଚାରୁ ସୃଜନ ଛିଣ୍ଡିଲେ ସେ ରଜ୍ଜୁ ଉତ୍ପାତେ ସର୍ବେ ହେବେ ନିଧନ ।’’ ସାମାଜିକତା ରଜ୍ଜୁରେ କିଏ ବା ବନ୍ଧା ନୁହେଁ ? ସମାଜ ପ୍ରବଣତା ବ୍ୟକ୍ତିର ଏକ ସହଜାତ ଧର୍ମ । ଏହା ତା’ର ନିତିଦିନିଆ ବତ୍ରିଶ ସିଂହାସନ । ଏଥିରେ ବସିଲେ ଗାୟାଳ ପିଲାବି ନ୍ୟାୟବାଣୀ ଶୁଣାଏ । ଜୀବନର ମର୍ମ ଉଦ୍‌ଘାଟନ କରେ । ପ୍ରଚଳିତ ପ୍ରଥାର ମହତ୍ତ୍ୱକୁ ବ୍ୟାଖ୍ୟାକରି ବସେ । ସାମାଜିକ ଗଳ୍ପ ଉପନ୍ୟାସ ରଚନା କାଳରେ ଲେଖକର ମୁଖ୍ୟତଃ କେତୋଟି ପ୍ରବଣତା ପ୍ରକାଶ ପାଏ ।

 

(୧) ଲେଖକ ସମାଜର ଜନୈକ ସଦସ୍ୟ । ସର୍ବସାଧାରଣ ଚିତବୃତ୍ତିକୁ ଆପଣା ଲେଖାରେ ସେ ରୂପ ଦେଇଥାଏ ।

 

(୨) ସମାଜର ନୈତିକ ଆଭିମୁଖ୍ୟ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରିବା ତା’ର ଧର୍ମ ।

 

(୩) ଗଳ୍ପ ଉପନ୍ୟାସ ବର୍ଣ୍ଣିତ ସମାଜରେ ଜନସାଧାରଣ ଯେପରି ନିଜର ପ୍ରତିଛବି ଦେଖିବେ, ସେହି ସମାଜକୁ ଅନୁକରଣ କରିବେ ଓ ତାରିଫ୍‌ କରିବେ, ସେଥିପ୍ରତି ଧ୍ୟାନ ଦେବା ଲେଖକର ଏକ ପୁଣ୍ୟ କର୍ତ୍ତବ୍ୟ ।

 

(୪) ଗଳ୍ପ ଉପନ୍ୟାସ ବର୍ଣ୍ଣିତ ସମାଜର ଅନୁରୂପତା ଓ ସମାନ୍ତରତା ଜନସମାଜରେ ପରିଦୃଷ୍ଟ ନହେଲେ ଲେଖକଙ୍କ ରଚନା ସାର୍ଥକ ହୁଏନା ।

 

ଏହିପରି କେତୋଟି ଆଭିମୁଖ୍ୟ ନେଇ କଥାକାର ସାମାଜିକ ଗଳ୍ପ ଉପନ୍ୟାସ ଲେଖି ବସେ ।

 

ଓଡ଼ିଆରେ ଊନବଂଶ ଶତକର ଶେଷ ଭାଗରେ ଏହିପରି କେତୋଟି କଥାକୁ ଦୃଷ୍ଟିରେ ରଖି ଫକୀରମୋହନ ହୁଏତ ଗଳ୍ପଉପନ୍ୟାସ ରଚନାରେ ପ୍ରୟାସୀ ହୋଇଥିଲେ । ସମାଜ ଥିଲା ତାଙ୍କ ଗଳ୍ପ ଉପନ୍ୟାସର ରତ୍ନ ସିଂହାସନ । ସେ ସମାଜର ରତ୍ନ ସିଂହାସନରୁ ହିଁ ଜୀବନକୁ ଦେଖୁଥିଲେ । ରାତଙ୍କ (Leopold Von Ranke) ଭାଷାରେ କହିଲେ– Every age is itmmediate God. ପ୍ରତ୍ୟେକ ଯୁଗ ହେଉଛି ତାତ୍କାଳିକ ଈଶ୍ୱର । କିନ୍ତୁ ଏହି ତାତ୍କାଳିକତାରେ ସାର୍ବକାଳିକତାର ରଙ୍ଗ ନଲାଗିଲେ, ତାହା ବିଭଙ୍ଗ ଦିଶେ । ଆକାଶରେ ଝଡ଼ ଉଠିଲାପରି ସାମାଜିକ ଚେତନା ହୁଏତ ବ୍ୟକ୍ତିମାନସକୁ କ୍ଷଣକ ପାଇଁ ଥରାଇ ଦିଏ । କିନ୍ତୁ ତାହା ସ୍ଥାୟୀ ହୁଏନା । ସମାଜ ବଡ଼ ରକ୍ଷଣଶୀଳ ଅନୁଷ୍ଠାନ । ଏହା ଆକାଶପରି ନାନାରଙ୍ଗକୁ ବକ୍ଷରେ ଧାରଣ କରେ କିନ୍ତୁ ଅନନ୍ତ ନୀଳିମାକୁ ଛାଡ଼ିପାରେନା । ତେବେ ଋତୁ ଆଗମନରେ ଆକାଶ ବିଚିତ୍ର ରୂପ ପରିଗ୍ରହ ଲାଭ କଲାପରି ପରିସ୍ଥିତି ଭେଦରେ ସମୟକ୍ରମେ ସମାଜର ଚେହେରା ବଦଳେ । ଓଡ଼ିଆ ଗଳ୍ପ ଉପନ୍ୟାସରେ ସମାଜ କିପରି ବଦଳିଛି, ତହିଁରେ କଥାକାରଗଣ ଜୀବନ ଭାଷ୍ୟ କହୁ କହୁ ଅଲକ୍ଷିତ ଭାବରେ ସମାଜର ନବକଳେବର ସ୍ଵପ୍ନ ଦେଖିଛନ୍ତି, ତାହାହିଁ ଏଠାରେ ବିଚାର କରାଯାଇପାରେ ।

 

ପ୍ରଥମରୁ କହିରଖେ ସମାଜ ଏକ ବିପୁଳକାୟ ମହୀରୁହପରି । ତାହା ଧର୍ମଧାରଣା, ପ୍ରଥା, ଲୋକ ବିଶ୍ୱାସ ଓ ସଂସ୍କୃତିରୁ ପ୍ରାଣାରସ ନେଇ ପରିପୁଷ୍ଟ । ସମାଜର ଚେର ସୁଦୂର ପ୍ରସାରୀ-। ସମାଜ ବୃକ୍ଷଟି ସହଜରେ ଦୋହଲେ ନାହିଁ । ଏଥିରେ ହଠାତ୍‍ ପରିବର୍ତ୍ତନ ଲକ୍ଷିତ ହୁଏ ନାହିଁ-। ବଡ଼ ମନ୍ଥର ତା’ର ବିବର୍ତ୍ତନ କ୍ରିୟା । ସମାଜରେ ଯାହାବା ବଦଳେ, ତାହା ତା’ର ସଂରଚନା ବା Structureକୁ ସମ୍ପୂର୍ଣ୍ଣଭାବେ ବଦଳାଇ ଦେଇ ପାରେନା । ପୁଣି ଦେଖିବାକୁ ଗଲେ ସମାଜ ସମୁଦ୍ରପରି ବିକ୍ଷୁବ୍ଧ, ତାହା ବାହାରକୁ ଶାନ୍ତସୁନ୍ଦର ଦେଖାଗଲେହେଁ ତହିଁରେ ସତତ ପରିବର୍ତ୍ତନ ଲାଗି ରହିଛି । ଲେଖକମାନେ ଆପାତତଃ ଶାନ୍ତସୁନ୍ଦର ସମାଜରେ ଲାଗି ରହିଥିବା ବିକ୍ଷୁବ୍ଧତାକୁ ସଜ୍ଞାନଚିତ୍ତରେ ଅନୁଭବ କରି ଲେଖାରେ ରୂପ ଦେଲେ ପାଠକେ ସମାଜର ଯନ୍ତ୍ରଣା, ଅଗ୍ନିଦାହ ଓ ପରିବର୍ତ୍ତନ-ମୁଖୀନତାକୁ ଅନୁଭବ କରନ୍ତି ।

 

ଗଳ୍ପ ଉପନ୍ୟାସ ଆଧୁନିକ ମଣିଷର ଜୀବନ ଗାଥା । ଏଥିରେ ମନୁଷ୍ୟ ଜୀବନର ବାର୍ତ୍ତା ସାମଗ୍ରିକ ଭାବେ ରୂପ ପାଇବାର ଅଧିକ ଅବକାଶ ରହିଛି । ଏଣୁ ଉପନ୍ୟାସକୁ କୁହାଯାଏ ଏ ଯୁଗର ମହାକାବ୍ୟ । ଗଳ୍ପକୁ କୁହାଯାଏ ମନୁଷ୍ୟ ଜୀବନର ଅପ୍ରକଟିତ ଭାବବଳୟର ସୁନିୟନ୍ତ୍ରିତ ସଂକ୍ଷିପ୍ତ ଭାଷ୍ୟ । ସମାଜ ଓ ସମୟର ଭାବସ୍ପନ୍ଦନକୁ ଏ ଦୁଇଟି ଶିଳ୍ପରୂପ ଅଧିକ ବିଶ୍ୱସ୍ତ ଭାବେ ପ୍ରକଟିତ କରାଇଥାନ୍ତି । ଅନ୍ୟ ଶିଳ୍ପ ରୂପରେ ଯେ ତାହା ବ୍ୟକ୍ତ ନହୁଏ, ସେ କଥା ବୋଲାଯାଉ ନାହିଁ-। ଏଥିରେ ସମାଜର ପ୍ରାଣସ୍ପନ୍ଦନ ବ୍ୟକ୍ତହେବାକୁ ଯେପରି ଅଧିକ କ୍ଷେତ୍ର ରହିଛି, ଅନ୍ୟ ସାହିତ୍ୟରୂପରେ ସେ ଅବକାଶ ଅପେକ୍ଷାକୃତ ସୀମିତ ।

 

ଓଡ଼ିଶାର ଗଳ୍ପ ଉପନ୍ୟାସର ଦିଗନ୍ତକୁ ଲକ୍ଷ୍ୟ କଲେ ଆମେ ତହିଁରେ ସମାଜ ସମ୍ପର୍କରେ ଦୁଇ ରକମର ବିବରଣୀ ପାଉଁ ।

 

(୧) ବର୍ଣ୍ଣନାତ୍ମକ ଭଙ୍ଗୀରେ ପ୍ରଦତ୍ତ ସାମାଜିକସ୍ତର ଅନୁଷ୍ଠାନ ଇତ୍ୟାଦି ସମ୍ପର୍କିତ ବିବରଣୀ ।

 

(୨) ସାମାଜିକ ମୂଲ୍ୟବୋଧ ଓ ଆଭିମୁଖ୍ୟ ବିଷୟକ ବିବରଣୀ ।

 

ଏ ଦୁଇଟି ପ୍ରକ୍ରିୟାରେ ସାଧାରଣତଃ ଓଡ଼ିଶାର କଥାକାରମାନେ ସମାଜର ସ୍ଵରୂପ, ଚଳଣି ଓ ଚମକ ସମ୍ପର୍କରେ ଆପଣାର ବକ୍ତବ୍ୟମାନ ପ୍ରଦାନ କରିଛନ୍ତି ।

 

ପୂର୍ବରୁ କୁହାଯାଇଛି ସମାଜମୁଖୀନତା ବ୍ୟକ୍ତିମାନସର ଏକ ସ୍ଵଭାବ ସୁଲଭ ଧର୍ମ । ଭାନୁମତୀର କୁହୁକ ପେଡ଼ିପରି ସମାଜ ବ୍ୟକ୍ତିକୁ ପ୍ରଲୁବ୍ଧ କରେ । ଓଡ଼ିଆ କଥାସାହିତ୍ୟର ମନ୍ତ୍ରଦ୍ରଷ୍ଟା ଫକୀରମୋହନଙ୍କଠାରୁ ଅଧୁନାନ୍ତନ କାଳର ଯେ କୌଣସି ସଚେତନ କଥାଶିଳ୍ପୀ ସମସ୍ତେ ସେହି ସମାଜର କୁହୁକରେ ବନ୍ଧା । ଏଣୁ ପ୍ରତ୍ୟେକ ଲେଖାରେ ସମାଜ ଓ ସାମାଜିକତାର ପରିପ୍ରକାଶ । ପୁରାଣ ବର୍ଣ୍ଣିତ ଅମରାବତୀରେ ଶଚୀଙ୍କ ଅବସ୍ଥାନ । ସେ ଚିରଯୌବନା । ତାଙ୍କର ଅବକ୍ଷୟ ଘଟେନା । ଇନ୍ଦ୍ର ବଦଳନ୍ତି କିନ୍ତୁ ଇନ୍ଦ୍ରତ୍ୱପ୍ରାପ୍ତିର ଏକମାତ୍ର ହେତୁ ଶଚୀ ରହନ୍ତି । ସମାଜ ଠିକ୍‍ ଶଚୀପରି । ସମାଜ-ଶଚୀର ସେବାପାଠ ପାଇଁ ଲେଖକେ ରୁଣ୍ଡ । ଯେଉଁ ଲେଖକେ ବ୍ୟକ୍ତିମାନସ ରାଜ୍ୟରେ ଇନ୍ଦ୍ରପଣ କରିବାକୁ ଚାହାଁନ୍ତି, ସେମାନେ ସମାଜ-ଶଚୀକୁ ପାଇବାକୁ ତପସ୍ୟା କରିବାକୁ ପଡ଼େ । ବଡ଼ କଠିନ ଏ ତପ କରିବା, ଖଣ୍ଡାଧାରେ ସିନା ପଥ ଚାଲିବା ।

 

ସମାଜ ଅମୂର୍ତ୍ତ କିନ୍ତୁ ବ୍ୟକ୍ତି ଚେତନାର ବିଚିତ୍ର । ଏହା ବିଭିନ୍ନ ଅନୁଭୂତି, ବ୍ୟକ୍ତିଗତ ଆବେଗ, ଧର୍ମୀୟ ଚେତନା, ରାଜନୈତିକ ଭାବାବେଗ, ସାଂସ୍କୃତିକ ପ୍ରବାହ ଓ ଯୁଗରୁଚିଦ୍ୱାରା ଭାସ୍ୱର । ସାମାଜିକ ଗଳ୍ପ ଉପନ୍ୟାସ ପ୍ରିଜିମ୍‌ପରି ସମାଜର ନାନାଚିତ୍ରକୁ ପ୍ରତିଫଳନ କରାନ୍ତି । ପୁଣି ସମାଜ-ବକ୍ଷରେ ଅନନ୍ତ ମହାକାଳର ଯେଉଁ କେତୋଟି ପଲକ ପଡ଼େ, ତାହା ସାମାଜିକ ଗଳ୍ପ ଉପନ୍ୟାସରେ ଉକୁଟି ଉଠେ । ସମାଜ ଚିତ୍ର ଦେଲାବେଳେ ଲେଖକକୁ ବହୁ ବିଷୟ ଚିନ୍ତା କରିବାକୁ ପଡ଼ିଥାଏ । ସେ କାଳ ପ୍ରଦର୍ଶିତ ସମାଜ ଜୀବନର ବିଭିନ୍ନ ଅନୁଭୂତିକୁ ଆଙ୍କେ ।

 

ଓଡ଼ିଶା ଏକ କୃଷିଜୀବୀ ଦେଶ । ଏହାର ସମାଜ କହିଲେ ମୁଖ୍ୟତଃ କୃଷି ଭିତ୍ତିକ ସମାଜ-। ଏଣୁ ଗଳ୍ପ ଉପନ୍ୟାସରେ ସମାଜ-ଚିତ୍ରର ବହୁଭାଗ ସେଇ ଭୂମି ସମସ୍ୟା ଓ ଗ୍ରାମ କୈନ୍ଦ୍ରିକ-। ଏତାଦୃଶ ସମାଜ ଚିତ୍ରଣ ଧାରାର ପ୍ରବର୍ତ୍ତକ ହେଉଛନ୍ତି କଥାକାର ଫକୀରମୋହନ । ଏ ସମାଜରେ ପାପପୁଣ୍ୟର ବିଚାର, ଅଧର୍ମର ପରାଭବ, ସତ୍ୟର ପ୍ରତିଷ୍ଠା ପ୍ରତି ପ୍ରବଣତା ପ୍ରକାଶ ପାଇବା ସ୍ଵାଭାବିକ । ଏଣୁ ଫକୀରମୋହନଙ୍କ ଗଳ୍ପ ଉପନ୍ୟାସ ବର୍ଣ୍ଣିତ ସମାଜରେ ସରଳତା ରହିଛି-। ସହର ଜୀବନର ଜଟିଳତା, ବ୍ୟକ୍ତିମାନସର ଜଟିଳ ଅନ୍ତର୍ଦାହ ଏବଂ ସାମାଜିକ ଜୀବନର କ୍ରିୟାପ୍ରତିକ୍ରିୟାର ଗଭୀରତା ପ୍ରକଟିତ ହୋଇନାହିଁ । ଅନ୍ୟ କଥାରେ କହିଲେ ଫକୀରମୋହନ ଯେଉଁ ସମାଜରୁ ପାତ୍ରପାତ୍ରୀଙ୍କୁ ନେଇ ଗଳ୍ପ ଉପନ୍ୟାସ ରଚନା କଲେ, ସେ ସମାଜ ଥିଲା ନିସ୍ତରଙ୍ଗ-। ସେ ସମୟରେ ଆଧୁନିକ ଶିକ୍ଷା ଆସିଥିଲା, କିନ୍ତୁ ତା’ର ପଦପାତ ଥିଲା ଲଜ୍ଜାନତ-। ଏ ଜାତିର ମନୋରାଜ୍ୟରେ ତାହା ସ୍ଥାୟୀ ଆସନ ନେଇପାରି ନଥିଲା । ବସ୍ତୁତଃ ତାଙ୍କ ରାଣ୍ଡୀପୁଅ ଅନନ୍ତା, କିମ୍ବା ରେବତୀ, ଅଧର୍ମବିତ୍ତ ଅଥବା ଧୂଳିଆବାବା ଆଦିରେ ଗ୍ରାମ୍ୟଜୀବନର ଚିତ୍ର ଓ ଲୋକ ବିଶ୍ଵାସହିଁ ଅଭିବ୍ୟକ୍ତ-। ତାଙ୍କର ଛ’ମାଣ ଆଠଗୁଣ୍ଠ ଓ ମାମୁଁ ବି ସେହି ଜମି ଅପହରଣ ବିଷୟର କଳାତ୍ମକ ପରିପ୍ରକାଶ-। ପ୍ରାୟଶ୍ଚିତ୍ତରେ କବି-କନ୍ୟା ଲାଭ ବିଷୟକୁ ଉତ୍‌ଥାପନ କରାଯାଇଥିଲେହେଁ ଜାତିଆଣଦ୍ୱନ୍ଦ୍ୱ ହିଁ ତା’ର ପ୍ରାଣକେନ୍ଦ୍ର । ଫକୀରମୋହନ ପ୍ରବର୍ତ୍ତିତ ଏହି ଗ୍ରାମ୍ୟ ମୁଖୀନ ସମାଜ ସ୍ଥୂଳତଃ ଏଯାବତ୍‌ ଓଡ଼ିଆ ଗଳ୍ପ ଉପନ୍ୟାସର ମୁଖ୍ୟ ଉପଜୀବ୍ୟ ରୂପେ ଗୃହୀତ ।

 

ଦୂରରୁ ସମୁଦ୍ରକୁ ଦେଖିଲେ ତାହା ନୀଳଜଳର ଆସ୍ତରଣଟି ପରି ଦିଶେ । ତାହା ବାହାରକୁ ଶାନ୍ତ ଓ ସୁବୋଧ ପରି ମନେହୁଏ । କିନ୍ତୁ ତା’ର ବକ୍ଷରେ ଅଜସ୍ର ବିକ୍ଷୁବ୍ଧତା ଓ ଦୋଳନର କ୍ରିୟାପ୍ରତିକ୍ରିୟା । ଠିକ୍‌ ସେହିପରି ଆଜିର ଗଳ୍ପ ଉପନ୍ୟାସକୁ ଉପର ଠାଉରିଆଭାବେ ଚାହିଁଲେ ସେଥିରେ ଯେଉଁ ସମାଜ ଅଭିବ୍ୟକ୍ତ, ତାହା ନିଥର ଓ ଶାନ୍ତପରି ବୋଧ ହୁଏ । କିନ୍ତୁ ଏ କଥା ସତ୍ୟ ନୁହେଁ । କଳା ତଥା ଭାବ ଦୃଷ୍ଟିରୁ ଓଡ଼ିଆ ଗଳ୍ପ ଉପନ୍ୟାସ ସ୍ଵାଧୀନୋତ୍ତର ଯୁଗରେ ପାଠକର ଚକ୍ଷୁ ଝଲସାଇ ଯେ ନ ଦେଇଛି, ତାହା କୁହାଯାଇ ନ ପାରେ ।

 

ପ୍ରାକ୍‌ ସ୍ୱାଧୀନତା କାଳରେ ଓଡ଼ିଆ ସାମାଜିକ ଗଳ୍ପ ଉପନ୍ୟାସରେ ମୁଖ୍ୟତଃ କେତୋଟି ପ୍ରବୃତ୍ତି ଲକ୍ଷିତ ହୁଏ ।

 

(କ) ଜନସମାଜରେ ବୈକୁଣ୍ଠ ସମାନ ଗୃହ ପ୍ରତିଷ୍ଠାର ସ୍ଵପ୍ନ ।

 

(ଖ) ଦେଶାତ୍ମବୋଧ ତଥା ଉତ୍କଳ ମୁଖୀନତାର ଉତ୍ତରଣ ।

 

(ଗ) ସାମାଜିକ ବ୍ୟାଧି ଓ କୁସଂସ୍କାର ନିରାକରଣର ପ୍ରଚେଷ୍ଟା ।

 

(ଘ) ନାରୀ ସ୍ୱାତନ୍ତ୍ର୍ୟ ଜନିତ ଚେତନାପ୍ରତି ସଂଶୟ ଓ ପୁରୁଷ ପ୍ରଧାନ ସମାଜର ଚିତ୍ର ।

 

(ଙ) ଗ୍ରାମୀଣ ବିଶ୍ଵାସ ଓ ଚିନ୍ତାଚେତନାପ୍ରତି ଆନୁଗତ୍ୟ ।

 

ଏ ସମସ୍ତ କାରଣଗୁଡ଼ିକ ୧୯୨୦ ସାଲଯାଏ ଓଡ଼ିଆଗଳ୍ପ ଉପନ୍ୟାସର ପ୍ରାଣସ୍ଵର ହୋଇ ପଡ଼ିଥିଲା । ଅବଶ୍ୟ ଶଂସିତ କାଳରେ ମଧ୍ୟଯୁଗର ପରିବାର କୈନ୍ଦ୍ରିକ ସମାଜ ପାଶ୍ଚାତ୍ୟ ଶିକ୍ଷାର ସଂଘାତରେ ଦୋହଲି ଉଠିଥିଲା । ଫକୀରମୋହନଙ୍କ ଡାକମୁନସୀ, ଗୋଦାବରୀ ମିଶ୍ରଙ୍କ ଭାଇଭାଗ ଆଦି ଗଳ୍ପରେ ତା’ର ସୂଚନା ପ୍ରଦତ୍ତ । ଆଲୋଚ୍ୟକାଳର ସାମାଜିକ ଗଳ୍ପ ଉପନ୍ୟାସରେ ପାପର ସମୁଚ୍ଚିତ ଶାସ୍ତି, ପୁଣ୍ୟରଜୟ ଓ ପାରିବାରିକ ଜୀବନପ୍ରତି ଗଭୀର ନିଷ୍ଠା ପ୍ରକଟିତ ହେଉଥିଲା । ଫକୀରମୋହନ କିମ୍ବା ସତ୍ୟବାଦୀକାଳର ଯେ କୌଣସି ଲେଖକଙ୍କ ରଚନାରେ ଏହି ଅଭିଧର୍ମଗୁଡ଼ିକ ଲକ୍ଷଣୀୟ ।

 

୧୯୨୦ ସାଲ ପରେ ସାମାଜିକ ଜୀବନଭୂମି ବଦଳିବାକୁ ଲାଗିଲା । ପ୍ରଥମ ମହାଯୁଦ୍ଧର ପ୍ରଭାବ (୧୯୧୪–୧୮), ରୁଷ ବିପ୍ଳବ (୧୮୧୭), ବିଜ୍ଞାନର ଅଭୂତପୂର୍ବ ଅଭ୍ୟୁଦୟ-। ପୁଣି ଦ୍ଵିତୀୟ ମହାଯୁଦ୍ଧ କାଳୀନ ଜୀବନ ସଂକଟ ଓ ସର୍ବୋପରି ସ୍ଵାଧୀନତା ଆନ୍ଦୋଳନ ଓଡ଼ିଆ ଜନଜୀବନକୁ ଗଭୀରଭାବେ ପ୍ରଭାବିତ କରିଛି । ଓଡ଼ିଶାର ସମାଜ-ଜୀବନ ଯେ ଏଥିରେ ଆବର୍ତ୍ତିତ ନ ହୋଇଛି, ତାହା କୁହାଯାଇ ନ ପାରେ । ଏଣିକି ଓଡ଼ିଆ ଗଳ୍ପ ଉପନ୍ୟାସରେ ନାୟକ ନାୟିକା ହୋଇଛନ୍ତି ମଧ୍ୟବିତ୍ତ ଗୋଷ୍ଠୀ ଅଥବା ସର୍ବହରା ସମ୍ପ୍ରଦାୟର । ଓଡ଼ିଆ କଥାସାହିତ୍ୟ ନୂଆ ମୋଡ଼ ନେଇଛି । ଜମିଦାର ଗୋଷ୍ଠୀ, ଧନିକ ସମ୍ପ୍ରଦାୟ, ମିଲ ମାଲିକ ଆଦିଙ୍କ ବିରୁଦ୍ଧରେ ଅଭାବଗ୍ରସ୍ତ ସାଧାରଣ ମେହନତୀ ମଣିଷ ସ୍ଵର ଉତ୍ତୋଳନ କରିଛି । ଏ କ୍ଷେତ୍ରରେ ଭଗବତୀ ପାଣିଗ୍ରାହୀଙ୍କ ଶିକାର ଗଳ୍ପର ଘିନୁଆକୁ ସ୍ମରଣ କରାଯାଇପାରେ । ସଚ୍ଚି ରାଉତରାଙ୍କ ‘ମଶାଣିର ଫୁଲ’ ଗଳ୍ପ ଗୁଚ୍ଛରେ ସେହି ସାମ୍ୟବାଦୀ ଚିନ୍ତାଧାରାର ଶିଳ୍ପରୂପ ପ୍ରକଟିତ । ଶଂସିତ କାଳର ଉପନ୍ୟାସମାନ ପାଠ କଲେ ବିଭିନ୍ନ ସାମାଜିକ ସମସ୍ୟା ଉତ୍‌ଥାପିତ ହୋଇଥିବାର ଦେଖାଯାଏ । କେତୋଟି ଦୃଷ୍ଟାନ୍ତ ଦେଲେ କଥାଟି ସ୍ପଷ୍ଟ ହୋଇପାରିବ ।

 

(କ) ନାରୀ ଜାତି ସମ୍ପର୍କିତ ସମସ୍ୟା–ଭାରତର ପିତୃଭିତ୍ତିକ ପରିବାରରେ ନାରୀ ନାନାଭାବେ ନିର୍ଯାତିତ । ମନୁଙ୍କପରି ସ୍ମୃତିକାରଗଣ ନାରୀକୁ କୁମାରୀ-କାଳରେ ପିତା, ଯୌବନରେ ସ୍ୱାମୀ ଏବଂ ବାର୍ଦ୍ଧକ୍ୟରେ ପୁତ୍ର ପ୍ରତିପାଳନ କରିବାର ବିଧିବ୍ୟବସ୍ଥା କରିଯାଇଛନ୍ତି । ସେମାନଙ୍କର କୌଣସି ସ୍ୱାତନ୍ତ୍ର୍ୟ ନାହିଁ । ଏକଥାକୁ ଗୋଦାବରୀଶ ମହାପାତ୍ରଙ୍କ ତୁଲ ସମାଜ ସଚେତନ ଶିଳ୍ପୀ ଅନୁଭବ କରି କହନ୍ତି–‘‘ଏ ଦେଶର ନାରୀ ମହାଜନର ଝରକାହୀନ ଧାନ କୋଠିପରି । ସମାଜର କୋଠିଘରେ ନର ଗଢ଼ା ଶାସ୍ତ୍ର ଆଇନରେ ବନ୍ଧା । ଆଉ ନର ? ସେ ମୁକ୍ତ ।’’ ‘ପ୍ରେମ ପଥେ’ ଉପନ୍ୟାସରେ ନିର୍ଯାତିତା ନାୟିକା କନକ ମୁଖର ବାଣୀଏ । ଏପରି ଅନୁଭବ ଗୋଦାବରୀଶ ଯେ କେବଳ କରିଛନ୍ତି, ତାହା ନୁହେଁ । ଚଳିତ ଶତକର ବହୁ ଗଳ୍ପ ଉପନ୍ୟାସରେ ଏକଥା ଧ୍ୱନିତ । ନାରୀଶିକ୍ଷା, ଯୌତୁକ ପ୍ରଥା, ବାଲ୍ୟବିଧବା, କନ୍ୟାସୁନା, ବୁଢ଼ାବର, ବାଳୁତକନ୍ୟା ଆଜି ଅବିଚାର ସମ୍ପର୍କରେ ଲେଖକଗଣଙ୍କ ତିର୍ଯ୍ୟକ ଦୃଷ୍ଟି ଓ ଅନୁକମ୍ପାର ଶେଷ ନାହିଁ । ଏ ପର୍ଯ୍ୟାୟରେ ସ୍ମରଣ କରାଯାଇପାରେ ନନ୍ଦକିଶୋରଙ୍କ ‘କନକଲତା’ ଚିନ୍ତାମଣିଙ୍କ ‘ରୂପାଚୁଡ଼ି’, ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’, ଓ କାହ୍ନୁଚରଣଙ୍କ ‘ନିଷ୍ପତ୍ତି’ପରି ବହୁ କୃତିକୁ ।

 

(ଖ) ସାମାଜିକ ବୈଷମ୍ୟ, ବର୍ଣ୍ଣଭେଦ ଓ ତା’ର ନିରାକରଣ ଜନିତ ସମସ୍ୟା–

 

ଓଡ଼ିଶାର ସମାଜ ସଂରଚନାରେ ବୈଷମ୍ୟ ରହିଛି । ଏହି ବୈଷମ୍ୟ ଦୂର କରିବାରେ କଥାକାରମାନଙ୍କ ପ୍ରଚେଷ୍ଟାର ଶେଷ ନାହିଁ । ପ୍ରାକ୍‌ ସ୍ୱାଧୀନତାକାଳରେ ଗଳ୍ପ ଉପନ୍ୟାସରେ ଜମିଦାର, ଧନିକଗୋଷ୍ଠୀହିଁ ଭିଲେନ ଭୂମିକା ନେଇଛନ୍ତି । ଚତୁର୍ଥ ଦଶନ୍ଧିବେଳକୁ ମାର୍କସବାଦୀ ଚିନ୍ତାଧାରାର ଉତ୍ତରଣ ଘଟିଛି । ଓଡ଼ିଶାରେ ପ୍ରଗତିବାଦୀ ଚିନ୍ତାଧାରାରେ ଅବଗାହନ କରି ଲେଖକେ ମଧ୍ୟଯୁଗୀୟ ଧର୍ମଦର୍ଶନ, ପୁରୋହିତ ଓ ସାମନ୍ତବାଦୀ ଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏ ସମ୍ପର୍କରେ ଭଗବତୀ, ସଚ୍ଚିଦାନନ୍ଦ, ରାମପ୍ରସାଦ, ଲକ୍ଷ୍ମୀଧର ପ୍ରମୁଖ କଥାଶିଳ୍ପୀଙ୍କୁ ସ୍ମରଣ କରାଯାଇପାରେ । ରାମପ୍ରସାଦଙ୍କ ‘ହୋମଶିଖା’ ଧନିକ ଶ୍ରେଣୀ ବିରୁଦ୍ଧରେ ନିଷ୍ପେଷିତ ପ୍ରାଣର ଜ୍ୱଳମାନ ହୋମଶିଖା । ଗୋଦାବରୀଶ ମହାପାତ୍ରଙ୍କ ବିଭିନ୍ନ ଗଳ୍ପରେ ଏହି ମେହନତୀ ଗୋଷ୍ଠୀର କରୁଣବାର୍ତ୍ତା ମୂର୍ତ୍ତ ହୋଇ ଉଠିଛି ।

 

ଆଲୋଚ୍ୟ କାଳରେ ଜାତିପ୍ରଥାର ମେଘନାଦ ପ୍ରାଚୀର ଭାଙ୍ଗିବାକୁ ଲେଖକେ ଆଗ୍ରହୀ । ଅସବର୍ଣ୍ଣ ବିବାହର ଅବତାରଣା, ଧର୍ମ ଧର୍ମ ମଧ୍ୟରେ ସଦ୍‍ଭାବ ପ୍ରତିଷ୍ଠାର ପ୍ରୟାସ ଓ ଅବହେଳିତ ଗୋଷ୍ଠୀର ଅଭ୍ୟୁତ୍‍ଥାନ ପାଇଁ ଏ ସମୟରେ ଲେଖକ କୁଳ ପ୍ରବଣତା ପ୍ରଦର୍ଶନ କରିଛନ୍ତି । ଏ କ୍ଷେତ୍ରରେ ଆଗେଇ ଆସିଛନ୍ତି ଗୋପୀନାଥ, କାହ୍ନୁଚରଣ, ଅନନ୍ତ ପ୍ରସାଦ, ନିତ୍ୟାନନ୍ଦଙ୍କ ପରି ବହୁ ଔପନ୍ୟାସିକ ଓ କଥାଶିଳ୍ପୀ । ଜଗତ୍‌ବନ୍ଧୁ ମହାପାତ୍ର ‘ବିସର୍ଜନ’ରେ ଦୁଃସ୍ଥ ହରିଜନ ପରିବାରର ଚିତ୍ର, ଗୋପୀନାଥଙ୍କ ‘ହରିଜନ’ରେ ଶ୍ରେଣୀ ସଂଘର୍ଷ, ‘ପରଜା’ ଓ ‘ଅମୃତସନ୍ତାନ’ରେ ଅବହେଳିତ ଗିରିଜନଙ୍କ ପ୍ରତି ସଭ୍ୟ ମଣିଷର ଶୋଷଣ ପେଷଣର ଚିତ୍ର ମୂର୍ତ୍ତ ହୋଇଛି । ସବୁଠି ସେହି ମାନବୀୟ ସମ୍ବେଦନା ଓ ଅଶ୍ରୁଳ ବାର୍ତ୍ତାର ସମ୍ବେଦନ । ଚକ୍ରଧରଙ୍କ ଗୋବର ‘ଗୋଟେଇରେ’ ଅସବର୍ଣ୍ଣ ବିବାହର ପକ୍ଷ ସମର୍ଥନ କରାଯାଇଛି । ‘ନୀଳ ମାଷ୍ଟ୍ରାଣୀ’ ଗଳ୍ପରେ ଗୋଦାବରୀଶ ମଧ୍ୟ ସେହି ଅସବର୍ଣ୍ଣ ବିବାହ ପ୍ରସଙ୍ଗ ଅବତାରଣା କରିଛନ୍ତି ।

 

ଧର୍ମ ଧର୍ମ ମଧ୍ୟରେ ସବୁ ପ୍ରତିଷ୍ଠାର ସ୍ଵପ୍ନ ବାସନ୍ତୀ ଉପନ୍ୟାସରେ ବେଶ୍‍ ହୃଦୟଗ୍ରାହୀ–ସେଠାରେ ବିଶ୍ଵନାଥବାବୁ ନାମଧେୟ ଚରିତ୍ର ମୁଖରେ କୁହାଯାଇଛି–‘ଜାତି ଧର୍ମ ନିର୍ବିଶେଷରେ ରମେଶ ଓ ସୁନୀତି ବିଭାଘର–କେବଳ ଆପଣଙ୍କ ଗୀର୍ଜାରେ ନୁହେଁ–ଏ ବିବାହ କୌଣସି ସମ୍ପ୍ରଦାୟର ଧର୍ମମନ୍ଦିରରେ ହୋଇ ପାରିବ ନାହିଁ । ମୁଁ ରମେଶକୁ ଖ୍ରୀଷ୍ଟିୟାନ ହେବାକୁ ପ୍ରବର୍ତ୍ତାଇବି ନାହିଁ, କିମ୍ବା ଖ୍ରୀଷ୍ଟିୟାନ ଧର୍ମ ଛାଡ଼ିବାକୁ ସୁନୀତିକୁ କହିବି ନାହିଁ । ସେମାନେ ଯେମିତି ଅଛନ୍ତି ସେମିତି ଥାଆନ୍ତୁ । ଆପଣମାନେ ଧର୍ମ ମନ୍ଦିରରୁ ବିତାଡ଼ିତ ହୋଇ, ଭଗବାନ ଯେଉଁ ଧୂଳିପୂର୍ଣ୍ଣ ରାଜପଥରେ ଆଶ୍ରା ଦେଇଛନ୍ତି, ମୁଁ ରମେଶ ଓ ମୋ କନ୍ୟାର ହାତଧରି ପ୍ରଭୁଙ୍କର ସେହି ଚରଣଧୂଳି ଆଶ୍ରା କରିବି–ସେହି ହେବ ସେମାନଙ୍କର ବିବାହ ।” ଏ ତ ଧର୍ମ ଧର୍ମ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠାର ପ୍ରଚେଷ୍ଟା । ଏହା କାହ୍ନୁଚରଣଙ୍କ ‘ଶାସ୍ତି’ରେ ଚମତ୍କାର ଭାବରେ ପରିସ୍ଫୁଟ ହୋଇଛି–ଲେଖକଙ୍କ ମାନସ ପୁତ୍ର ସନିଆ କହେ –“ମୁଁ ମାନେ ନାହିଁ ଧର୍ମ, ସମାଜ, ଜାତି । ମୁଁ ମାନେ ଜୀବନ, ନାରୀ ପୁରୁଷର ମିଳନ, ସମ୍ପର୍କ ଆଉ ମିଳିତ ଜୀବନର ସ୍ଵାର୍ଥ ।” ବସ୍ତୁତଃ ଆଜିର ସମାଜ ପ୍ରାଚୀନ ସମାଜପରି ଏତେ ଜାତିଧର୍ମ କାତର ନୁହେଁ, ଆଜି ତା’ର ଢାଞ୍ଚା ବଦଳିବାକୁ ଆରମ୍ଭ କରିଛି

 

(ଗ) ସାମାଜିକ ଜୀବନରେ ରାଜନୀତି ଓ ସାମ୍ପ୍ରତିକ ସମସ୍ୟାରା ସ୍ପନ୍ଦନ–

 

ଓଡ଼ିଆ ଗଳ୍ପ ଉପନ୍ୟାସରେ ରାଜନୀତି ଓ ସାମ୍ପ୍ରତିକ ସମସ୍ୟାର କ୍ରିୟା ପ୍ରତିକ୍ରିୟାଦ୍ଵାରା ସମାଜ ଜୀବନ ଯେ ପ୍ରଭାବିତ ନ ହୋଇଛି, ତାହା କୁହାଯାଇ ନ ପାରେ ।

 

ପ୍ରାକ୍‌ ସ୍ଵାଧୀନତା କାଳରେ ଏ ଜାତିର ଏକମାନ୍ତ୍ର ସ୍ଵପ୍ନ ଥିଲା ପରୀଧୀନତାରୁ ମୁକ୍ତି । ଗାନ୍ଧୀ ଥିଲେ ଭାରତୀୟ ଚେତନା ଓ ମୁକ୍ତି ସଂଗ୍ରାମର ପ୍ରତୀକ । ତାଙ୍କର ବାଣୀ ଓ କର୍ମପନ୍ଥା ସମାଜରେ ନୂତନ ଉନ୍ମାଦନା ସୃଷ୍ଟି କରୁଥିଲା । ଗାନ୍ଧୀ ଦର୍ଶନ ଓ ଚିନ୍ତାଧାରାର କଳାତ୍ମକ ପରିପ୍ରକାଶ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ । ବରଜୁ ଗାନ୍ଧୀବାଦର ପ୍ରବକ୍ତା । କୁନ୍ତଳା କୁମାରୀଙ୍କ ‘ନଅତୁଣ୍ଡୀ’ ଓ ‘ରଘୁଅରକ୍ଷିତ’ରେ ସେହି ଗାନ୍ଧୀବାର୍ତ୍ତାର ପ୍ରତିଫଳନ ଦେଖିବାକୁ ମିଳେ । ‘ନଅତୁଣ୍ଡି’ରେ ଜମିଦାର ବି ଗାନ୍ଧୀବାଦୀ । ସେ ପ୍ରଜାପାଟକଙ୍କଠାରୁ ଭେଟି ନିଅନ୍ତି ନାହିଁ ବରଂ କହନ୍ତି–‘‘ଆମେ ଦାତେ ଅରଜିବୁ, ଖାତେ ଖାଇମୁଁ, ହାତେ ଲୁଗା ବୁଣିକୁ, ହାତେ ପିନ୍ଧିୁବୁ, ଆମେ ପରଦୁଆରକୁ ଚାହିଁବୁନୁ । ଆମେ ଆମ ପର ଭିତରେ କଳିଆଗୋଳ କରିବୁନୁ ।” ଏତ ଗାନ୍ଧୀବାଦର ନିଛକ ପ୍ରଚାର । ଏପରି ପ୍ରଚାର ଧର୍ମିତା ଅବଶ୍ୟ କଳା ସୃଷ୍ଟିକୁ ନିମ୍ନକୋଟୀକୁ ଟାଣି ଆଣେ । ମହତାବଙ୍କ ପ୍ରତିଭା, ଅବ୍ୟପାର, ଟାଉଟର ଆଦି ତ ସବୁ ରାଜନୀତି ଆଧାରିତ ଉପନ୍ୟାସ । ଏଥିରେ ସମାଜ ଜୀବନରେ ରାଜନୀତିର ଛାୟାପଡ଼ି ଜୀବନକୁ କିପରି ନିୟନ୍ତ୍ରଣ କରେ, ତା’ର ଦୃଷ୍ଟାନ୍ତ ବିଦ୍ୟମାନ । ‘ନୂତନ ଧର୍ମ’ ଉପନ୍ୟାସରେ ମହତାବ କହନ୍ତି–“ମାଳା ଜପିବାରେ ଭଗବତପ୍ରାପ୍ତି ହୁଏ ନାହିଁ, ହୁଏ ଜନତା ଜନାର୍ଦ୍ଦନର ସେବାରେ ।”

 

ପୁଣି ରାମପ୍ରସାଦଙ୍କ ‘ପୂଜାବଳି’ପରି ଉପନ୍ୟାସରେ ଲବଣସତ୍ୟାଗ୍ରହହିଁ ଘଟଣା ପଞ୍ଜର ଭାବେ ପରିଗୃହୀତ ।

 

ଓଡ଼ିଶାରେ ଅନ୍ଧାରି ଶାସନ ଓ ବିଭୀଷିକାମୟ ଅଧ୍ୟାୟର ଉଦ୍‌ଘାଟନ କରାଯାଇଛି । ଜ୍ଞାନୀନ୍ଦ୍ରବର୍ମାଙ୍କ ‘ଶେଷ ଅଭିସାର’ପରି ଉପନ୍ୟାସ ଓ ସୁରେନ୍ଦ୍ର ମହାନ୍ତିଙ୍କ ‘ଡିନୋସାର ଆତ୍ମା’ ଗଳ୍ପରେ ଅଥବା ବିଭୂତି ପଟ୍ଟନାୟକଙ୍କ ‘ଚପଳଛନ୍ଦା’ ତୁଲ୍ୟ କୃତିରେ ।

 

ଏଣେ ସ୍ଵାଧୀନୋତ୍ତର କାଳରେ ଗଳ୍ପ ଉପନ୍ୟାସର ପ୍ରାଣଭୂମି ବଦଳିଛି । ବହୁ ଆକାଂକ୍ଷିତ ସ୍ଵାଧୀନତା ପ୍ରାପ୍ତିରେ ଏ ଜାତି ଉଚ୍ଚକିତ । ପଧୀନତାର ଗ୍ଳାନି ନିଃଶେଷ । ଶଂସିତ କାଳରେ ଆମର ପାରମ୍ପରିକ ସମାଜର ଢାଞ୍ଚା ବଦଳିବାକୁ ଆରମ୍ଭ କରିଛି । ଆମେ ସର୍ବ୍ରତ ପାଶ୍ଚାତ୍ୟାଦର୍ଶ ଅନୁକରଣ କରିବାରେ ପ୍ରବଣତା ପ୍ରଦର୍ଶନ କରୁଛୁଁ । ଆମର ଗ୍ରାମୀଣସମାଜ ଓ ପରମ୍ପରା ଭାଙ୍ଗି ପଡ଼ୁଛି । ଶିକ୍ଷିତ ଗୋଷ୍ଠୀ ବେଳୁବେଳ ସହର ମୁଖୀନ ହେଉଛନ୍ତି । ସାମ୍ପ୍ରତିକ କାଳରେ ଗଳ୍ପ ଉପନ୍ୟାସରେ ଗ୍ରାମୀଣ ମଣିଷ ଆଉ ଗଳ୍ପ ଉପନ୍ୟାସର ନାୟକ ନୁହେଁ । ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀ ହିଁ ସମାଜରେ ପ୍ରତିନିଧି କରୁଛନ୍ତି । ଆଲୋଚ୍ୟ କାଳରେ ବ୍ୟକ୍ତି ବିଶେଷଭାବେ ସମାଜ ସଚେତନ ନୁହେଁ । ବ୍ୟକ୍ତି ଚେତନାରେ ଅଭିଷିକ୍ତ ଏ ସମୟର କଥାସାହିତ୍ୟ ବିଶେଷତଃ ଗଳ୍ପସମ୍ଭାର । ଏଥିରେ ଲେଖକର ସାମାଜିକ ପ୍ରତିଶ୍ରୁତି ପ୍ରକଟିତ ହେଉନାହିଁ । ଏ ସମୟରେ ଆମର ସାମାଜିକ ବଳୟ ପ୍ରସାରିତ ହୋଇଛି । ବିଶ୍ଵମୁଖୀନତା ଆମ ସମାଜର ରୁଦ୍ଧ କୋଠରୀ ଭିତରେ ପ୍ରବେଶ କରିଛି । ଏଥିରେ ଅବଶ୍ୟ ଆଧୁନିକ ଯୁଗସୁଲଭ ଯନ୍ତ୍ରଣା, ଅନ୍ତର୍ଦାହ, ବିଚ୍ଛିନ୍ନତାବୋଧ ନିଃସଙ୍ଗତା, ବ୍ୟର୍ଥତାବୋଧ ଓ ସଂଶୟ ପ୍ରକଟିତ ହେଉଛି । ବସ୍ତୁତଃ ଆଜିର ଲେଖକେ ପୂର୍ବବତ୍‌ ସମାଜନିଷ୍ଠ ହେବା ସମ୍ଭବ ହୋଇପାରି ନାହିଁ । ତଥାପି ଆଧୁନିକ ଛିନ୍ନମୂଳ ସଭ୍ୟତାରେ ଦୀକ୍ଷିତ ଲେଖକେ ବିମୁଖ ବର୍ତ୍ତମାନ ମଧ୍ୟରେ ସମାଜର ରତ୍ନସିଂହାସନକୁ ବେଳେ ବେଳେ ଚୋରାଚାହାଁଣି ଯେ ନ ପକାଇଛନ୍ତି, ତାହା ନୁହେଁ ।

 

ଆଧୁନିକ କଥାସାହିତ୍ୟରେ ସମାଜ କଥା କହିଲାବେଳେ କୃଷ୍ଣପ୍ରସାଦ ମିଶ୍ରଙ୍କ ‘ଅରଣ୍ୟ ଓ ଉପବନ’ ଗଳ୍ପଟି ମନେପଡ଼େ । ସେଠାରେ ଉପବନ ହେଉଛି ବ୍ୟକ୍ତିସତ୍ତା ଏବଂ ଅରଣ୍ୟ ହେଉଛି ସମାଜର ପ୍ରତୀକ । ଅରଣ୍ୟ ପୋଡ଼ିଲେ କିଛି ଯାଏ ଆସେନା, କିନ୍ତୁ ଉପବନ ଉଜୁଡ଼ିଗଲେ ଆସେ ଖେଦ । ଏଇତ ଆଜିର ମଣିଷର ଜୀବନଦର୍ଶନ । କିନ୍ତୁ ଅରଣ୍ୟରେ ନିଆଁ ଲାଗିଲେ ପ୍ରକୃତି ଉପରେ ବନ୍ଧା ବର୍ଷା ଝରେ, ନିଆଁ ଲିଭେ; କିନ୍ତୁ ଉଜଡ଼ା ଉପବନର ପୂର୍ବଶ୍ରୀ ଫେରେନା । ଚମତ୍କାର ଏ ରୂପକ ଧର୍ମୀ ଗଳ୍ପଟି । ଏଣୁ ଏଇଠି କହିରଖେ ବ୍ୟକ୍ତିସତ୍ତାର ଉତ୍ତରଣ ପାଇଁ ସମାଜର ଶୁଭାଶିଷ ଏକାନ୍ତ କାମ୍ୟ । ଏଣୁ ଆଜିର ଗଳ୍ପ ଉପନ୍ୟାସରେ ଲେଖକେ ବ୍ୟକ୍ତି କୈନ୍ଦ୍ରିକ ହେଲେହେଁ ସେମାନଙ୍କର ଅବହେଳା ସତ୍ତ୍ୱେ ସମାଜ ଜୀବନ ବିମ୍ବିତ ହେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ହେତୁ ନାହିଁ-

 

ସ୍ଵାଧୀନୋତ୍ତର କାଳରେ ଗଳ୍ପ ଉପନ୍ୟାସରେ ଦେଶପ୍ରେମର ଉଗ୍ରତା ନାହିଁ କିମ୍ବା ରାଜା ଜମିଦାରଙ୍କ ବିଷୟରେ ଦଳିତ ଜନତାର ବିଦ୍ରୋହ ଘୋଷଣାର ଦିନ ଶେଷ ହୋଇଛି । ଏ ସମୟରେ ସ୍ଵାଧୀନ ଜାତିର ସ୍ଵପ୍ନଭଙ୍ଗ ଘଟିଛି । ତା’ର ଈପ୍‌ସିତ ଘିଅମହୁର ସଂସାର ଦୁରାଶାରେ ପରିଣତି ହୋଇଛି । ଏ ସମୟରେ ମଧ୍ୟବିତ୍ତ ଶ୍ରେଣୀହିଁ ହୋଇଛନ୍ତି ଗଳ୍ପଉପନ୍ୟାସର ନାୟକ । ସେମାନଙ୍କର ପ୍ରତିପକ୍ଷରୂପେ ଠିଆ ହୋଇଛି ଇନ୍ତାନୀନ୍ତନ ସମାଜ ଓ ଶାସନ । ଏଣୁ ଆଲୋଚ୍ୟ କାଳରେ ଗଳ୍ପ ଉପନ୍ୟାସରେ ମଧ୍ୟବିତ୍ତ ଶ୍ରେଣୀର ସମାଜଚିତ୍ର ଅଧିକ ସ୍ପଷ୍ଟ ।

 

୧୯୪୮ରେ ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ହୋଇ ବୃହତ୍‌ ଓଡ଼ିଶା ଗଠିତ ହେଲା । ୧୯୫୩ରେ ଜମିଦାରୀ ଉଚ୍ଛେଦ ଆଇନ ପ୍ରଣୀତ ହେଲା । ଏଣୁ ଅତୀତର ରାଜରାଜୁଡା, ଜମିଦାର ସାମନ୍ତ ଗୋଷ୍ଠୀର ଅତ୍ୟାଚାରର ଯବନିକା ପଡ଼ିଲା । କିନ୍ତୁ ଜନତା ଜନାର୍ଦ୍ଦନ ପରାଧୀନ ଥିଲାବେଳେ ଯେଉଁ ସ୍ଵପ୍ନ ଦେଖୁଥିଲା, ତାହା ନେତା, ରାଜନୀତି ଓ ଶାସନର ରଥଚକ୍ର ତଳେ ପେଷି ହୋଇଗଲା । ଆଧୁନିକ ଗଳ୍ପ ଉପନ୍ୟାସରେ ଏହି ଆଶାଭଙ୍ଗର କାହାଣୀ ବେଶ୍‍ ହୃଦ୍ୟ ।

 

ଏ ସମୟରେ ପ୍ରବୀଣ କଥାଶିଳ୍ପୀମାନେ କେତେକାଳପାଇଁ ସ୍ଵାଧୀନତାର ଜୈତ୍ରୀ ଗାଇଛନ୍ତି; ଭବିଷ୍ୟତର ନୂତନ ସମ୍ଭାବନା ସମ୍ପର୍କରେ ଉତ୍ସାହ ପ୍ରକାଶ କରିଛନ୍ତି । ଏ କ୍ଷେତ୍ରରେ କାହ୍ନୁଚରଣଙ୍କ ‘ବଜ୍ରବାହୁ’କୁ ସ୍ମରଣ କରାଯାଇପାରେ । ଏଥିରେ ଗାନ୍ଧୀଦର୍ଶନର ରୂପାୟନ ସହିତ ସ୍ଵାଧୀନ ଦେଶର ବିଭିନ୍ନ ଯୋଜନାର କଥା ଉତ୍‌ଥାପନ କରାଯାଇଛି । ରାସ୍ତାଘାଟ, କୋଠଚାଷ, ସମବାୟ ସମିତି, ସ୍ତ୍ରୀ ଶିକ୍ଷା, ଡାକ୍ତରଖାନା ଆଦି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟର ଅବତାରଣା କରାଯାଇଛି । ଅତୀତର ଦୁର୍ଦ୍ଦାନ୍ତ ଜମିଦାର ଗୋଷ୍ଠୀର ନବଜନ୍ମ ଘଟିଛି । ସେମାନେ ଆଣ୍ଠୁଲୁଚା ଖଦଡ଼ ପିନ୍ଧି ଦେଶ ଦଶର ସେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

 

‘ତମସାତୀରେ’ ପରି ଉପନ୍ୟାସରେ ଧର୍ମାନ୍ଧମାନଙ୍କର ନଗ୍ନବର୍ବରତା ଓ ବାସଚ୍ୟୁତ ଶରଣାର୍ଥୀମାନଙ୍କ ଥଇଥାନ ସମ୍ପର୍କରେ ଆଲୋକପାତ କରାଯାଇଛି ।

 

ଗୋପୀନାଥ ମହାନ୍ତିଙ୍କ ଦୁଇପତ୍ର ଓ ଶିବୁ ଭାଇର ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରାଯାଇଛି । ‘ଅପହଞ୍ଚ’ରେ କନ୍ଧପିଲା ଟିମା ଶିକ୍ଷିତ ହୋଇ ନିଜେ ନିଜର ଗୋଷ୍ଠୀକୁ ଶୋଷଣ କରିବାରେ ସହାୟତା କରିଛି କିନ୍ତୁ ପରେ ନିର୍ବାଚନରେ ହାରିଲା ପରେ ତା’ର ଜ୍ଞାନୋଦୟ ହୁଏ । ସେ ବି କହିଉଠେ– “ଆସ ସମସ୍ତଙ୍କର ସବୁ ଜମି ଏକାଠି ମିଶେଇ ଦେବା, ଆହୁରି ଜମି କାଢ଼ିବା, ସମସ୍ତେ କାମ କରିବା, ସମସ୍ତେ ବାଣ୍ଟିବା ଆଉ ଖାଇବା ।” ଲେଖକଙ୍କର ଏହି ସାଂସ୍କୃତିକ ବିପ୍ଳବର ରସଘନରୂପ ହେଉଛି ‘ମାଟି’ ମଟାଳ’ । ଏଥିରେ ଜାତିଭେଦ, ଗୋଷ୍ଠୀ ଓ ଶ୍ରେଣୀଗତ ପାର୍ଥକ୍ୟପରି ସକଳବିଧ ସାମାଜିକ ବୈଷମ୍ୟକୁ ଏଡ଼ିଦେଇ ପଲ୍ଲୀଜୀବନର ନବାୟନପାଇଁ ଲେଖକଙ୍କ ପ୍ରଚେଷ୍ଟା ଅଭିନନ୍ଦନୀୟ । ଏହାକୁ ଗ୍ରାମ୍ୟସଂସ୍କୃତିର ମହାନ୍‍ ସଂହିତା ବୋଲି କୁହାଯାଇପାରେ । ଏ ପର୍ଯ୍ୟାୟରେ ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡ଼ାବାଟ’, ଦାଶରଥି ନନ୍ଦଙ୍କ ‘ଏଇପଥ’ କିମ୍ବା ଅଚ୍ୟୁତାନନ୍ଦ ପତିଙ୍କ ବିଭିନ୍ନ ଗଳ୍ପରେ ପଲ୍ଲୀଜୀବନର ଅନାହତ ଧ୍ରୁପଦୀକୁ ବିଚାରକୁ ନିଆଯାଇପାରେ ।

 

ସ୍ଵାଧୀନତା ଲାଭପରେ ଓଡ଼ିଶାର ସମାଜ ବହୁଭାବରେ ବଦଳିଛି । ଜୀବନଧାରଣ ସମସ୍ୟା ଜଟିଳ ହେବା ସହିତ ସମାଜରେ ମଧ୍ୟ ନାନା ଘାତ ପ୍ରତିଘାତ ଦେଖା। ଦେଇଛି । ଲେଖକେ ଅଧିକ ଭାବରେ ସହର ମୁଖୀନ ହୋଇ ପଡ଼ୁଛନ୍ତି । ଏଣୁ ଏ ସମୟରେ ସମାଜ କହିଲେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ଆଶାଭଙ୍ଗ, ନିଃସଙ୍ଗତା ଓ ବିଚ୍ଛିନ୍ନତାବୋଧ ପୀଡ଼ିତ ସମାଜ । ଏପରି ସମାଜର ଚିତ୍ରଣରେ ଔପନ୍ୟାସିକଙ୍କ ଅପେକ୍ଷା ଗାଳ୍ପିକମାନେହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଲୋଚ୍ୟକାଳରେ ଉପନ୍ୟାସ ତୁଳନାରେ ଗଳ୍ପ ଲେଖା ଆଶାତୀତ ଭାବରେ ବୃଦ୍ଧି ପାଇଛି । ଶରତ କାଳୀନ ଭସାମେଘ ପରି ବେଳେ ବେଳେ ଉପନ୍ୟାସମାନ ସୃଷ୍ଟି ନ ହୋଇଛି, ତାହା କୁହାଯାଉନାହିଁ-। ସମାଜର ନିଛକ ଚିତ୍ରଦାନରେ ଦାନାପାଣିର ବଳିଦତ୍ତ ସୃଷ୍ଟି ହୋଇଛି । ରାହୁର ଛାୟାରେ ରାହୁଗ୍ରସ୍ତ ସମାଜର ବିଭଙ୍ଗ ଚିତ୍ର ଅଙ୍କା ଯାଇଛି । ସୁରେନ୍ଦ୍ର ମହାନ୍ତି ‘ଅନ୍ଧଦିଗନ୍ତ’ରେ ନିଧିଦାସଙ୍କ ପରି ସମାଜସେବୀମାନେ କିପରି ବିଡ଼ମ୍ବିତ, ନୀଳମଣି ସାହୁଙ୍କ ତାମସୀ ରାଧାରେ ଶରଧାନାନୀ ପ୍ରାଚୀନ ବୁନିଆଦିର ପ୍ରତୀକ । ସାଧୁଚରଣ ଏ ଜାତିର ପରମ୍ପରାର ଭାବମୂର୍ତ୍ତି, ତନୁଜା ଆଧୁନିକ ଜୀବନ ଯନ୍ତ୍ରଣାର ଲୀଳାୟିତ ବିଗ୍ରହ । ଏହା ଅଧୁନାନ୍ତନ ଅସ୍ଥିର ସମାଜର ମର୍ମ କଥା ।

 

ଆଧୁନିକ ସମାଜର ଯୁଗ ଯନ୍ତ୍ରଣା, ନିଃସଙ୍ଗତାବୋଧ ଓ ବିଚ୍ଛିନ୍ନ ସତ୍ତାର ରସଘନ ରୂପ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଶତାବ୍ଦୀର ନଚିକେତା ଓ ନରକିନ୍ନର । ନରକିନ୍ନରର ଜର୍ଜ ହେଉଛି ଏକ ଛିନ୍ନ ମୂଳସତ୍ତା । ସେ ଆଧୁନିକତାର ଭାବମୂର୍ତ୍ତି । ସେ ଅଜବ, ସେ ବର୍ଣ୍ଣଶଙ୍କର । ତା’ର ପିତା ଝଙ୍କା ବରଗଛ, ମାତା ଡାକ୍ତରଖାନାର ନର୍ଦ୍ଦମା । ସେ ପାରମ୍ପରିକ ସମାଜର ମଣିଷ ନୁହେଁ । ତା’ର ଜୀବନ ପ୍ରକ୍ରିୟା ଅଧୁନାନ୍ତନ ଭବିଷ୍ୟବିଶ୍ଵନ୍ୟ ମନୁଷ୍ୟର ଜୀବନ ଧାରଣ ପକ୍ରିୟା ଓ ସାମାଜିକ ବିଚ୍ଛିନ୍ନତାକୁ ସୂଚେଇ ଦିଏ । ଶାନ୍ତନୁ କୁମାରଙ୍କ ଚରିତ୍ରମାନେ ଆଜି ସହରତଳରେ ଗଢ଼ି ଉଠୁଥିବା ବିଭଙ୍ଗ ଜୀବନର ଗାଥା ଗାଇ ଏ ଦେଶରେ ଉଜୁଡ଼ି ପଡ଼ୁଥିବା ସମାଜ ଜୀବନକୁ ଶ୍ଳେଷାତ୍ମକ ଭାବେ ବ୍ୟଙ୍ଗ କରି ବସନ୍ତି ।

 

ଅଧୁନାନ୍ତନ ଓଡ଼ିଆ ଗଳ୍ପରେ ସହରମୁଖୀନ ସମାଜ ଚିତ୍ର ବଡ଼ ସ୍ପଷ୍ଟ । ରାଜକିଶୋର ରାୟ, ବାମାଚରଣ ମିତ୍ର, ରାଜକିଶୋର ପଟ୍ଟନାୟକ, ମହାପାତ୍ର ନୀଳମଣି ସାହୁ ଓ ଅଚ୍ୟୁତାନନ୍ଦ ପତିଙ୍କ ପରି କଳାପ୍ରାଣ ଗାଳ୍ପିକମାନେ ଯେଉଁ ସୁନ୍ଦର ସଂହତ ସମାଜର ପରିକଳ୍ପନା କରୁଥିଲେ, ତାହା ଆଜି ଦୁଃସ୍ଵପ୍ନରେ ପରିଣତ ହେଲାଣି । ଆଜି ଆମର ସମାଜରେ ପାଶ୍ଚାତ୍ୟ ରୀତିର ଅନୁସରଣ ଚାଲିଛି । ଆମର ଗଳ୍ପ ଲେଖକମାନେ ସମାଜ ଚିତ୍ର ଦେଲାବେଳେ ସ୍ଥାନୀୟତା ପ୍ରତି ଦୃଷ୍ଟି ନ ଦେଇ ବହିମୁଖୀନ ହୋଇ ପଡ଼ୁଛନ୍ତି । ଅବଶ୍ୟ ଆଜିର ମଧ୍ୟବିତ୍ତର ଜୀବନଚର୍ଯ୍ୟାରେ ପ୍ରାଚ୍ୟ ପାଶ୍ଚାତ୍ୟ ଉଭୟବିଧ ସଂସ୍କୃତିର ଦ୍ୱୈତଲୀଳା । ଆଧୁନିକ ସମାଜର ଏହି ଲୀଳା ପ୍ରକଟନରେ ସାର୍ଥକତା ପ୍ରଦର୍ଶନ କରିଛନ୍ତି, କିଶୋରୀ ଚରଣ ଦାସ, ମନୋଜ ଦାସ, ସୁରେନ୍ଦ୍ର ମହାନ୍ତି, ଅଖିଳ ମୋହନ, ଚୌଧୁରୀ ହେମକାନ୍ତ, ଚନ୍ଦ୍ରଶେଖର ଓ କୃଷ୍ଣପ୍ରସାଦଙ୍କ ପରି ଲେଖକଗଣ । ନୂତନଙ୍କ ମଧ୍ୟରେ ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି; ବିଭୂତି ପଟ୍ଟନାୟକ, ରାମଚନ୍ଦ୍ର ବେହେରା, ରତ୍ନାକର ଓ ଆହୁରି ଅନେକ । ପରିଶେଷରେ କହିରଖେ ଗଳ୍ପ ଉପନ୍ୟାସରେ ଏବେ ସମାଜ ଚର୍ଯ୍ୟାର ପୁଷ୍କଳ ରୂପ ଦେଖିବାକୁ ମିଳେନା । ଆଜିର ଜୀବନ ଯେପରି ବିଭଙ୍ଗ ସମାଜ ସେହିପରି ଖଣ୍ଡିତ । ଏପରି ଚିତ୍ର ଓ କାଲକାଟା, ଦୁଇ ସୀମାନ୍ତ, କଥା ଓ କାହାଣୀ, ଭଙ୍ଗା ଖେଳନା, ଠାକୁର ଘର, ଉଡ଼ନ୍ତା ଖଇ ପରି ଗଳ୍ପ ସମ୍ଭାରରେ ଅଥବା ସଦ୍ୟ ପ୍ରକାଶିତ ଶାନ୍ତନୁଙ୍କର ‘ଶକୁନ୍ତଳା’ ଉପନ୍ୟାସରେ ସ୍ଥାନ ପାଇଛି-। ବିଭଙ୍ଗତା ଭିତରେ ସାମାଜିକ ଛବି ଫୁଟାଇବା ଏ ଯୁଗର ଲକ୍ଷଣ ହୋଇ ପଡ଼ିଛି-। ଏଥିପାଇଁ କାମ୍ୟୁ, ସାତ୍ରେ, କାପ୍‌କାଙ୍କୁ ଆମ ଲେଖକେ ଯେ ଅନୁସରଣ ନ କରୁଛନ୍ତି, ତାହା ନୁହେଁ-। ତେବେ ସକଳ ଆହରଣ ସତ୍ତ୍ୱେ ଏ ଦେଶର ସମାଜ ଜୀବନର ବିମ୍ବନ ନ ଘଟୁଛି କହିବି କିମିତି-? ସମାଜ ନ ଥିଲେ ଜୀବନ କାହିଁ ? ପୁରାଣରେ ଦୃପ୍ତ ଅଭିମାନୀ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ପାଇ ନଥିଲା-। କିନ୍ତୁ ରାଜ ସିଂହାସନରେ ରାଣୀ ଭାନୁମତୀର ନିତ୍ୟ ସ୍ୱୟମ୍ବର କରୁଥିଲା । ଠିକ୍‍ ସେହିପରି ଲେଖକେ ଗଳ୍ପ ଉପନ୍ୟାସର ନିୟତ ବସୁଧା ସମାଜକୁ ନବ ନବ ଭାବେ ସଜ୍ଜିତ କରି ନିତ୍ୟ ନୂତନ ସ୍ଵୟମ୍ବରରେ ପ୍ରମତ୍ତ । ଏଣୁ ଗଳ୍ପ ଉପନ୍ୟାସରେ ସମାଜମୁଖୀନତାର ନିତ୍ୟରାସ ସରିବ ବା କିମିତି-? ଅଭିମାନୀ ଦୁର୍ଯ୍ୟୋଧନର ନିତ୍ୟ ସ୍ଵୟମ୍ବର କ’ଣ କେବେ ସରେ ?

 

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

ରିଡ଼ର, ଓଡ଼ିଆ ବିଭାଗ

ରେଭେନ୍‌ସା କଲେଜ

Image

 

ଓଡ଼ିଆ ଐତିହାସିକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଶ୍ରୀ ବାଉରୀବନ୍ଧୁ କର

 

ସାହିତ୍ୟରେ ଇତିହାସ ହେଉଛି ଭିତ୍ତିଭୂମି । ଯୁଗର ଇତିହାସ ସାହିତ୍ୟକୁ ପ୍ରଭାବିତ କରେ । ଇତିହାସ ସାହିତ୍ୟର କାଳ-କଳନା, ପରିବେଶ ବର୍ଣ୍ଣନାରେ ସହାୟକ ହୁଏ । ମାତ୍ର ଐତିହାସିକ ତଥ୍ୟର ଗୁରୁଗମ୍ଭୀର ସମାବେଶ ସାହିତ୍ୟର ମୁଖ୍ୟ ସ୍ଵର ନୁହେଁ । କାରଣ ସାହିତ୍ୟରେ ତଥ୍ୟ ଅପେକ୍ଷା ଯୁଗରୁଚି ଓ ଉପାଦାନ ଅପେକ୍ଷା ମୂଲ୍ୟବୋଧ ଅଧିକ ଗୁରୁତ୍ଵପୂର୍ଣ୍ଣ । ଇତିହାସର ଉପାଦାନକୁ ପୁଞ୍ଜି କରି ସାହିତ୍ୟ ସୃଷ୍ଟିର ପରିକଳ୍ପନା ପ୍ରାଚ୍ୟ-ପାଶ୍ଚାତ୍ୟ ଉଭୟ ସାହିତ୍ୟରେ ପରିଲକ୍ଷିତ । ବିଶେଷତଃ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପରି କଥାସାହିତ୍ୟରେ ଏହା ଅଧିକ ସ୍ପଷ୍ଟ ରୂପ ନେଇଛି ।

 

ଇତିହାସର କୌଣସି ଏକ ସାଧାରଣ ଘଟଣାକୁ ଉପଜୀବ୍ୟ କରି ସ୍ରଷ୍ଟା ତା’ର ଉପନ୍ୟାସର ସାମଗ୍ରୀ ସଞ୍ଚୟ କରେ । ଏହି ଘଟଣାକୁ ସେ ଅନନ୍ୟ କରିବା ପାଇଁ ତା’ର ମାନସର ନାୟକ-ନାୟିକା ଓ ନାନା କାଳ୍ପନିକ ବିଷୟ ସଂଯୋଜନ କରେ । ଏ ହେତୁ ଐତିହାସିକ ଉପନ୍ୟାସ ଲେଖକ ଇତିହାସର ଘଟଣାବଳୀ ଅପେକ୍ଷା ଉପନ୍ୟାସର ରସବୋଧ ସକାଶେ ଅଧିକ ସଚେତନ । ସୁତରାଂ ଏ ଧରଣର ସୃଷ୍ଟିରେ ଇତିହାସ ଗୌଣ ଓ ଉପନ୍ୟାସର କଳାତ୍ମକ ଦୃଷ୍ଟିଭଙ୍ଗୀ ମୁଖ୍ୟ । କେବଳ ଚରିତ୍ର ଓ ଘଟଣାବଳୀର ମୁଖ୍ୟ ଅଂଶ ଇତିହାସ ସମର୍ଥିତ ହେବା ବାଞ୍ଛନୀୟ । ଏ ସମ୍ପର୍କରେ ‘ବଙ୍କିମ ରଚନାବଳୀ’ର ‘ଉପନ୍ୟାସ ପ୍ରସଙ୍ଗ’ ଶୀର୍ଷକ ରଚନାର କିୟଦଂଶ ଉଦ୍ଧାର କରାଯାଇପାରେ । ଇତିହାସ ଏବଂ ଉପନ୍ୟାସ ଏକ ବସ୍ତୁ ନୁହେଁ । ଐତିହାସିକ ଉପନ୍ୟାସର ପ୍ରକୃତ ସ୍ଥାନ ସୃଜନଶୀଳ ସାହିତ୍ୟ ମଧ୍ୟରେ, ଇତିହାସରେ ନୁହେଁ । * * ଅଧୁନାତନ ଇଉରୋପରେ ଯେଉଁସବୁ ଐତିହାସିକ ଉପନ୍ୟାସ ରଚିତ ହେଉଛି–ସେମାନେ ଅତି ମାତ୍ରାରେ ଅତୀତ ଘଟଣା ପ୍ରତି ଦୃଷ୍ଟି ଦେଇ, ନିଜର ମନନ-କଳ୍ପନାକୁ ସ୍ଵଳ୍ପ ବ୍ୟକ୍ତ କରୁଛନ୍ତି । (୧) ଉପର୍ଯ୍ୟୁକ୍ତ ଦୃଷ୍ଟି କୋଣରୁ ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର ସ୍ଵରୂପ ବିଶ୍ଳେଷଣ କରାଯାଇପାରେ ।

 

ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନାର ପ୍ରୟାସ ଊନବିଂଶ ଶତକର ଶେଷ ତିନି ଦଶକରେ ଦେଖାଯାଇଛି । ଏ ଶତକରେ ଓଡ଼ିଆ ଜାତି ପାଇକ ବିଦ୍ରୋହ (୧୮୧୭), ସିପାହୀ ବିଦ୍ରୋହ (୧୮୫୭), ନଅଙ୍କ ଦୁର୍ଭିକ୍ଷ (୧୮୬୬), ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ (୧୮୬୮) ଇତ୍ୟାଦି ବିଭିନ୍ନ ଦୁର୍ଗତିର ସମ୍ମୁଖୀନ ହୋଇଛି । ଏ ସବୁ ସତ୍ତ୍ୱେ ଏ ସମୟରେ ଉତ୍କଳର ନବଜାଗରଣ ସଂଘଟିତ ହୋଇଛି ଓ ‘ଉତ୍କଳ ଦୀପିକା’ (୧୮୬୬), ‘ଉତ୍କଳ ହତୈଷିଣୀ’ (୧୮୬୮), ‘ବାଲେଶ୍ଵର ସମ୍ବାଦ ବାହିକା’ (୧୮୬୮),‘ଉତ୍କଳ ପୁତ୍ର’ (୧୮୭୩), ‘ଉତ୍କଳ ଦର୍ପଣ’ (୧୮୭୩), ‘ଉତ୍କଳ ମଧୁପ’ (୧୮୭୮), ‘ପ୍ରଦୀପ’ (୧୮୮୫), ‘ଶିକ୍ଷାବନ୍ଧୁ’ (୧୮୮୫), ସମ୍ବଲପୁର ହତୈଷିଣୀ’ (୧୮୮୯), ‘ଉତ୍କଳ ପ୍ରଭା’ (୧୮୯୧), ‘ଇନ୍ଦ୍ରଧନୁ’ (୧୮୯୩), ‘ବିଜୁଳି’ (୧୮୯୩), ‘ଉତ୍କଳ ସାହିତ୍ୟ’ (୧୮୯୭) ପ୍ରଭୃତି ପତ୍ରପତ୍ରିକା ଆତ୍ମପ୍ରକାଶ କରିଛି । ଏ ପତ୍ରପତ୍ରିକାଗୁଡ଼ିକରେ ସେ ଯୁଗର ସମସ୍ୟାବଳୀ ସହିତ ସାହିତ୍ୟ ଆଲୋଚନା ହେଉଥିଲା । ଊନବିଂଶ ଶତକରେ ରଚିତ ଅଧିକାଂଶ ଉପନ୍ୟାସ ପ୍ରଥମେ ଏହି ପତ୍ରପତ୍ରିକାରେ ଆତ୍ମପ୍ରକାଶ କରିଥିଲା ।

 

(୧) ‘‘ଇତିହାସ ଏବଂ ଉପନ୍ୟାସ ଏକ ବସ୍ତୁ ନହେ । ଐତିହାସିକ ଉପନ୍ୟାସେର ପ୍ରକୃତ ସ୍ଥାନ ସାହିତ୍ୟେର ଶ୍ରେଣୀତେ, ଇତିହାସର ଶ୍ରେଣୀତେ ନହେ * * ଆଜକାର ଇଉରୋପେ ଯେ ସବ୍ ଐତିହାସିକ ଉପନ୍ୟାସ ଲେଖା ହଇତେଛେ ତାହାର ପ୍ରଧାନ ଦୋଷ୍ ଏଇ ଯେ, ତାହାର ମଧ୍ୟେର୍‌ ଅତୀତ କାଲେର୍ ସତ୍ୟ-ବ୍ୟକ୍ତି ଘଟଣାଭାଗ୍‌ ଅତିମାତ୍ରାୟ ବାଡ଼ିୟା ଚଲିୟାଛେ ଏବଂ ଗ୍ରନ୍ଥାକାରେର୍ କଳ୍ପନାମୟ ପ୍ରକୃତ ଚରିତ୍ର କମିୟା ଯାଇତେ ଛେ ।”

 

(ବଙ୍କିମ ରଚନାବଳୀ–‘ଉପନ୍ୟାସ ପ୍ରସଙ୍ଗ’–ପୃ ୨୭)

 

ଓଡ଼ିଆ ଉପନ୍ୟାସ ସାହିତ୍ୟ ପ୍ରଥମେ ଐତିହାସିକ କଥାବସ୍ତୁକୁ ଆଶ୍ରୟ କରି ଗଢ଼ି ଉଠିଛି-। ଓଡ଼ିଆ ଐତିହାସିକ ଉପନ୍ୟାସଗୁଡ଼ିକ ସ୍ଥୂଳତଃ ଓଡ଼ିଶା ଇତିହାସର ଅଜ୍ଞାତ ଅଥଚ ଗୁରୁତ୍ଵପୂର୍ଣ୍ଣ ଘଟଣା, ପୌରାଣିକ ଯୁଗର କିମ୍ବଦନ୍ତୀ, ଏବଂ ଗଜପତି ରାଜା ଓ ଜଗନ୍ନାଥଙ୍କ ଇତିହାସକୁ କେନ୍ଦ୍ରକରି ରଚିତ । ପ୍ରାଥମିକ ପର୍ଯ୍ୟାୟରେ ରଚିତ ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ (୧୮୮୮) ରାମଶଙ୍କର ରାୟଙ୍କ ଅସମ୍ପୂର୍ଣ୍ଣ ‘ସୌଦାମିନୀ’ (୧୮୭୮) ଓ ‘ବିବାସିନୀ’ (୧୮୯୧) ଏହାର ପ୍ରକୃଷ୍ଟ ପ୍ରମାଣ । ଉମେଶଚନ୍ଦ୍ର ସରକାର ଏ ସମ୍ପର୍କରେ ‘ପଦ୍ମମାଳୀ’ ଉପନ୍ୟାସ ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି; ଐତିହାସିକ ଘଟଣାବଲମ୍ବିତ ହୋଇ କୌଣସି ଉପନ୍ୟାସ ଉତ୍କଳ ଭାଷାରେ ରଚିତ ହୋଇଥିବାର ଆମ୍ଭମାନଙ୍କୁ ଜଣାନାହିଁ । ଉତ୍କଳ ଦେଶର ଇତିହାସ ପର୍ଯ୍ୟାଲୋଚନା କଲେ ଭାବୁକ ଯୁବକ ଐତିହାସିକ ଉପନ୍ୟାସ ଲେଖିବାକୁ ଉପକରଣର ଅଭାବ ଦେଖିବେ ନାହିଁ । ଆମ୍ଭେ କେବଳ ଏହି କ୍ଷୁଦ୍ର ଆୟତନ ଓ ଅପେକ୍ଷାକୃତ ଅଖ୍ୟାତନାମା ରାଜ୍ୟର ସ୍ଵଳ୍ପବ୍ୟାପୀ ଘଟଣାକୁ ଅବଲମ୍ବନ କରି ଏ ଗ୍ରନ୍ଥ ରଚନା କରିଅଛୁ । ‘ପଦ୍ମମାଳୀ’ ଉପନ୍ୟାସ ନୀଳଗିରି ଆନ୍ଦୋଳନକୁ କେନ୍ଦ୍ରକରି ରଚିତ । ନୀଳଗିରି ରାଜ୍ୟର କର୍ମଚାରୀମାନଙ୍କର ପାଞ୍ଚଗଡ଼ ଓ ହରିହର ଭ୍ରମରବର ବାବୁଙ୍କର ନୀଳଗିରି ଆକ୍ରମଣ–ଏହାହିଁ ଉପନ୍ୟାସର ଐତିହାସିକ ଭିତ୍ତିଭୂମି । ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ ନୀଳଗିରି ପ୍ରତି ଆକ୍ରମଣ ଓ ହେନେରି ରକେଟ୍‌ସଙ୍କ କଚେରିରେ ନୀଳଗିରି ଜନତାର ମୋକଦ୍ଦମା ବିଚାର–ଏ ସମସ୍ତ ଐତିହାସିକ ଘଟଣା ଏଥିରେ ପରିଲକ୍ଷିତ । ‘ପଦ୍ମମାଳୀ’ ଉପନ୍ୟାସରେ ଏହି ଐତିହାସିକ ଘଟଣା ଗୌଣ, ମୁଖ୍ୟ ହେଉଛି ‘ପଦ୍ମମାଳୀ’ ଓ ପରୀକ୍ଷିତ ସିଂହଙ୍କ ପ୍ରେମ । ସେଇଥିପାଇଁ କେତେକ ଆଲୋଚକ ଏହାର ଐତିହାସିକ ଭିତ୍ତିକୁ ‘ଇତିହାସର ରଙ୍ଗହୀନ କଥା’ ରୂପେ ଅଭିହିତ କରିଛନ୍ତି । (୨) ଉପନ୍ୟାସଟି ଇତିହାସର ଘଟଣାକୁ ନେଇ ପ୍ରେମକୁ ଆଶ୍ରୟ କରିଥିବାରୁ ଏହାକୁ ‘Historical Romance’ କୁହାଯାଇପାରେ । ଏଥିରେ ପରୀକ୍ଷିତ ସିଂ ଓ ପଦ୍ମମାଳୀଙ୍କ ପ୍ରେମ ବ୍ୟତୀତ ତତ୍କାଳୀନ ସମାଜରେ ନାରୀ ଅତ୍ୟାଚାରର ରୋମାଞ୍ଚକର ବିବରଣୀ ରହିଛି । ୧୮୩୫ ଖ୍ରୀଷ୍ଟାବ୍ଦର

 

(୨) ଉତ୍କଳ ସାହିତ୍ୟ–( ୧୯୭୪)–ତୃତୀୟସଂଖ୍ୟା–ଓଡ଼ିଆ ଐତିହାସିକ ଉପନ୍ୟାସ–ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନ– ପୃ୩୪

 

ନୀଳଗିରି ଗଡ଼ଜାତର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଉପନ୍ୟାସରେ ଗଡ଼ଜାତ ଅଞ୍ଚଳର ଅରାଜକତା, ନାରୀ ନିର୍ଯ୍ୟାତନା, ଓ ଶାସନ ବିଶୃଙ୍ଖଳାର ଏକ ସ୍ଵୟଂ ସମ୍ପୂର୍ଣ୍ଣ ଚିତ୍ର ଏଥିରେ ପରିଲକ୍ଷିତ । ରାମଶଙ୍କର ରାୟଙ୍କ ଅସମ୍ପୂର୍ଣ୍ଣ ଐତିହାସିକ ଉପନ୍ୟାସ ‘ସୌଦାମିନୀ’ ଆଲାଉଦ୍ଦିନ ଖିଲିଜଙ୍କ ଚିତୋର ଆକ୍ରମଣର ବିଷବସ୍ତୁକୁ କେନ୍ଦ୍ରକରି ଗଢ଼ି ଉଠିଛି । ଏହି ଉପନ୍ୟାସଟି ୧୮୭୮ ମସିହାରେ ‘ଉତ୍କଳମଧୁପ’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା । ମାତ୍ର ଉପନ୍ୟାସଟି ଶେଷ ହେବା ପୂର୍ବରୁ ପତ୍ରିକାଟି ବନ୍ଦ ହୋଇଯାଇଥିଲା । ଏ ସମ୍ପର୍କରେ ରାମଶଙ୍କର ଉଲ୍ଲେଖ କରିଛନ୍ତି, “ମୁଁ ଉତ୍କଳ ମଧୁପ ନାମକ ମାସିକ ପତ୍ର ବାହାର କଲାବେଳେ ‘ସୌଦାମିନୀ’ ନାମକ ଉପନ୍ୟାସ ଲେଖୁଥିଲି । ସେ ଉପନ୍ୟାସ ଶେଷ ହେବା ପୂର୍ବେ ଗ୍ରାହକମାନେ ମୂଲ୍ୟ ନ ଦେବାରୁ କାଗଜ ଖଣ୍ଡକ ବନ୍ଦ ହୋଇଗଲା । ମୁଁ କ୍ଷୁବ୍ଧ ହୋଇ ରହିଲି । (୩) ଏହି ଉପନ୍ୟାସରେ ମୁସଲମାନ ଆକ୍ରମଣର ଚିତ୍ର ବର୍ଣ୍ଣିତ । ଉପନ୍ୟାସଟି ଅସମ୍ପୂର୍ଣ୍ଣ ହୋଇଥିବାରୁ ଏହା ପାଠକମାନଙ୍କ ଅନ୍ତରାଳରେ ରହିଯାଇଛି । ରାମଶଙ୍କର ପରବର୍ତ୍ତୀ କାଳରେ ‘ଉତ୍କଳ ପ୍ରଭା’ ପତ୍ରିକାରେ ‘ବିବାସିନୀ’ ନାମକ ଏକ ଐତିହାସିକ ଉପନ୍ୟାସ ଧାରାବାହିକ ପ୍ରକାଶ କରିଥିଲେ । ଏହା […..] ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି । ମରହଟ୍ଟା ଶାସନର ଅତ୍ୟାଚାର, ପ୍ରଜାପୀଡ଼ନ, ଓ ତତ୍କାଳୀନ ଭୟାବହ ଦୁର୍ଭିକ୍ଷର ପୃଷ୍ଠଭୂମି ଉପରେ ଏହା ରଚିତ । ମରହଟ୍ଟା ସୁବାଦାର ଶମ୍ଭୁଜୀ ଗଣେଶଙ୍କ କୁଶାସନର ପରିଣତି ଏ ଉପନ୍ୟାସରେ ସ୍ଥାନ ପାଇଛି । ୧୭୭୦ ମସିହାରେ ନାଗପୁର ଭୋନ୍‌ସଲାଙ୍କ ପ୍ରତିନିଧିରୂପେ ଶମ୍ଭୁଜୀ ଗଣେଶଙ୍କ ଯୋଗଦାନ, ଓଡ଼ିଶାର ଦୁର୍ଭିକ୍ଷ ଓ ଖାଦ୍ୟାଭାବ ଜନିତ ପରିସ୍ଥିତି ନେଇ ବିଭିନ୍ନ ସ୍ଥାନରେ ଡକାୟତି ତାଣ୍ଡବ ଦୃଶ୍ୟ ଏ ଉପନ୍ୟାସରେ ବର୍ଣ୍ଣିତ । ଏଥିରେ ଓଡ଼ିଶାର ବହୁ ପ୍ରାକୃତିକ ପରିବେଶର ସୂଚନା ଦିଆଯାଇଛି । ‘ପାରାଦ୍ଵୀପ’, କଟକ ଲାଲବାଗ, ଜଟିଆକୁଦ, ନନ୍ଦିକେଶ୍ଵରୀପଠା ପ୍ରଭୃତି ସ୍ଥାନୀୟ ବର୍ଣ୍ଣନାରେ ସେ ତାଙ୍କର ସିଦ୍ଧହସ୍ତତାର ପରିଚୟ ଦେଇଛନ୍ତି । ରାମଶଙ୍କରଙ୍କ ‘ବିବାସିନୀ’ ଉପନ୍ୟାସ ପାଠ କଲେ ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦ ମଠ’ ଉପନ୍ୟାସ ସ୍ମରଣକୁ ଆସେ । ମୁସଲମାନ ଶାସକମାନଙ୍କର ଦେଶଦ୍ରୋହୀ ଭାବ ଓ ଇଂରେଜ ବଣିକମାନଙ୍କର ଅର୍ଥ-ଲାଳସା ବଙ୍ଗଳାରେ ଯେଉଁ ଅରାଜକତା ସୃଷ୍ଟି କରିଥିଲା, ସେଇ ବିଷୟକୁ ଆଧାର କରି ବଙ୍କିମଚନ୍ଦ୍ର ‘ଆନନ୍ଦମଠ’ ରଚନା କରିଥିଲେ । ରାମଶଙ୍କର ସେଥିରୁ ପ୍ରେରଣ। ଲାଭ କରି ମରହଟ୍ଟା ଶାସନ ଓ ତଜ୍ଜନିତ ଅତ୍ୟାଚାରର ଚିତ୍ର ‘ବିବାସିନୀ’ରେ ପରିବେଷଣ କରିଛନ୍ତି । ଉପନ୍ୟାସଟି ଇତିହାସର ଏକ ବଳିଷ୍ଠ ଦିଗ ନେଇ ରଚିତ ହୋଇଥିଲେ ସୁଦ୍ଧା ଏଥିରେ ଭାଷା ପ୍ରୟୋଗ ଜନିତ ତ୍ରୁଟି, ଅତି ଅବାସ୍ତବ ବର୍ଣ୍ଣନାମାନ ଅନେକ ସ୍ଥଳରେ ରହିଛି । ଫଳରେ ଏ ଉପନ୍ୟାସଟି ବିଶେଷ ଲୋକପ୍ରିୟ ହୋଇପାରି ନାହିଁ ।

 

(୩) ଅଭିଭାଷଣ–ସଂଗ୍ରାହକ–ପ୍ରଫେସର ବଂଶୀଧର ମହାନ୍ତି ପୃ–୨୩–୨୪

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ପାକ୍‌କାଳରେ ରଚିତ ‘ପଦ୍ମମାଳୀ’ ‘ସୌଦାମିନୀ’ ଓ ‘ବିବାସିନୀ’ ଐତିହାସିକ କଥାବସ୍ତୁକୁ ନେଇ ଗଢ଼ି ଉଠିଥିଲେ ସୁଦ୍ଧା ଏଗୁଡ଼ିକରେ ଔପନ୍ୟାସିକ କଳାକୁଶଳତାର ଯଥେଷ୍ଟ ଅଭାବ ଥିଲା । ଫକୀରମୋହନ ସେନାପତିଙ୍କ ଉପନ୍ୟାସଗୁଡ଼ିକ ଆତ୍ମପ୍ରକାଶ କରିବା ପରେ ଉପନ୍ୟାସ ସାହିତ୍ୟ ବିଶେଷ ଆଦୃତ ହୋଇଛି । ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ (୧୮୯୮) ‘ଲଛମା’ (୧୯୦୧), ‘ମାମୁଁ’ (୧୯୧୩) ‘ପ୍ରାୟଶ୍ଚିତ୍ତ’ (୧୯୧୩) ଏହି ଚାରିଗୋଟି ଉପନ୍ୟାସ ରଚନା କରି ତାଙ୍କର ଇତିହାସ ଚେତନା, ସମାଜ ପ୍ରୀତି ଓ ରସିକତାର ପରିଚୟ ଦେଇଛନ୍ତି । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ମଧ୍ୟରୁ ‘ଲଛମା’ ଐତିହାସିକ ଉପନ୍ୟାସ । ଏହି ଉପନ୍ୟାସରେ ଫକୀରମୋହନ ମରହଟ୍ଟା ବର୍ଗୀ ଅତ୍ୟାଚାରର ହୃଦୟ ବିଦାରକ କାହାଣୀ ପରିବେଷଣ କରିଛନ୍ତି । ଓଡ଼ିଶା, ବଙ୍ଗ ବିହାରରେ ମରହଟ୍ଟା ଶାସନ (ଖ୍ରୀ ୧୭୫୧–୧୮୦୩) କାଳୀନ ଅପଶାସନର ନିର୍ମ୍ମମ ପରିଣତି ଏହାର କୈନ୍ଦ୍ରିକ ଉପଜୀବ୍ୟ ବିଷୟ । ମରହଟ୍ଟା ବର୍ଗୀମାନଙ୍କର ରାହାଜାନିରୁ ଏ ଉପନ୍ୟାସର ଅୟମାରମ୍ଭ । ଉପନ୍ୟାସର ମୁଖ୍ୟ ନାୟିକା ‘ଲଛମା’ ଜଣେ ପଶ୍ଚିମା ରମଣୀ । ସ୍ଵାମୀ ଓ ପିତା ମାତାଙ୍କ ସହ ଜଗନ୍ନାଥ ଦର୍ଶନ ଉଦ୍ଦେଶ୍ୟରେ ଆସିଥିବା ଏହି ରମଣୀ ବାଲେଶ୍ଵର ଜିଲ୍ଲାର ଗୋଡ଼ିଖାଲଠାରେ ମରହଟ୍ଟା ବର୍ଗୀ ଅତ୍ୟାଚାରର ସମ୍ମୁଖୀନ ହୋଇ ପରିବାର ଲୋକଙ୍କଠାରୁ ବିଚ୍ଛିନ୍ନ ହୋଇଛନ୍ତି । ସ୍ଵାମୀଠାରୁ ବିଚ୍ଛିନ୍ନ ହୋଇ ଲଛମା ରାଇବଣିଆ ଦୁର୍ଗରେ ଆଶ୍ରୟ ଗ୍ରହଣ କରିଛି । ଏହି ଦୁର୍ଗର ଅଧିପତି ମାନଧାତା ଓ ରାଣୀ ମହାଦେବୀ ନିଃସନ୍ତାନ ଥିବାରୁ ଲଛମାକୁ କନ୍ୟାରୂପେ ଗ୍ରହଣ କରିଛନ୍ତି । ମରହଟ୍ଟା ସେନାବାହିନୀ ରାଇବଣିଆ ଦୁର୍ଗକୁ ଆକ୍ରମଣ କରିଛନ୍ତି ଓ ମାନଧାତା, ଭାସ୍କର ପଣ୍ଡିତଙ୍କ ଦ୍ଵାରା ବନ୍ଦୀହୋଇ ଶେଷରେ ନିହତ ହୋଇଛି । ମାନଧାତାଙ୍କ ଚିତାଗ୍ନିରେ ମହାରାଣୀ ଝାସ ଦେଇଛନ୍ତି । ଲଛମା ମରହଟ୍ଟା ବର୍ଗୀମାନଙ୍କ ପ୍ରତିଶୋଧ ନେବା ସକାଶେ ଛଦ୍ମବେଶରେ ବର୍ଗୀ ସେନାମାନଙ୍କ ମଧ୍ୟରେ ଆଶ୍ରୟ ଗ୍ରହଣ କରିଛି । ଲଛମାର ସ୍ଵାମୀ ବାଦଲ ସିଂହ ମଧ୍ୟ ପ୍ରତିଶୋଧର ସଂକଳ୍ପ ନେଇ ପୂର୍ବରୁ ଆଲବର୍ଦ୍ଦି ଖାଁଙ୍କ ବିଶ୍ଵାସ ଭାଜନ ହୋଇ ତାଙ୍କର ସେନାବାହିନୀରେ ଆଶ୍ରୟ ନେଇଥାନ୍ତି । ଆଲବର୍ଦ୍ଦି ଖାଁଙ୍କ କୂଟ ଚକ୍ରାନ୍ତ ଦ୍ଵାରା ଆଲବର୍ଦ୍ଦି ଖାଁଙ୍କ ସହ ଭାସ୍କର ପଣ୍ଡିତ ନବାବଙ୍କ ମନ୍ତ୍ରଣା କକ୍ଷକୁ ଆସି ସେଠାରେ ନିହତ ହୋଇଛନ୍ତି । ଲଛମା, ବାଦଲ ସିଂ ପରିଶେଷରେ ଗୟାକ୍ଷେତ୍ରରେ ପିଣ୍ଡଦାନ ଅବସରରେ ଅପୂର୍ବ ଭାବରେ ମିଳିତ ହୋଇଛନ୍ତି । ଏହାହିଁ ଉପନ୍ୟାସର କଥାବସ୍ତୁ ।

 

ଫକୀରମୋହନ ‘ଲଛମା’ରେ ଯେଉଁ ଐତିହାସିକ ଘଟଣା ବର୍ଣ୍ଣନା କରିଛନ୍ତି, ତାହା ଇତିହାସର ସତ୍ୟ ଘଟଣା । ମିର ହବିବ୍‌, ଜାନକୀ ରାମ, ମୁସ୍ତାଫା ଖାଁ, ମିରଜାଫର, ମିରକାଶୀମ ପ୍ରଭୃତି ଐତିହାସିକ ବ୍ୟକ୍ତି । ଫକୀର ଅନେକ ସ୍ଥଳରେ ଏହି ଐତିହାସିକ ଘଟଣାଗୁଡ଼ିକୁ ସରସ କରିବା ସକାଶେ କେତେକ କାଳ୍ପନିକ ପ୍ରସଙ୍ଗ ମଧ୍ୟ ଏଥିରେ ସଂଯୋଜିତ କରିଛନ୍ତି । ଭାସ୍କର ପଣ୍ଡିତ ଓ ଜାନକୀରାମଙ୍କ ଛଳନାପୂର୍ଣ୍ଣ ଗଙ୍ଗୋଦକ ସ୍ପର୍ଶ, ଓ ପାଟକନାରେ ଭିଡ଼ା ଗୋଲୋସ୍ତାନ କିତାପକୁ କୋରାନ ବୋଲି ସର୍ଦ୍ଦାର ମୁସ୍ତାଫା ଖାଁଙ୍କ ସ୍ପର୍ଶ ପ୍ରଭୃତି ଔପନ୍ୟାସିକଙ୍କ କଳ୍ପନା ପ୍ରସୂତ । ପୁଣି ଫକୀରମୋହନ ବର୍ଗୀ ସୈନ୍ୟମାନେ ଭୋଜିଭାତ ଗଙ୍ଗା କୂଳରେ ଖାଉଥିବା ଅବସ୍ଥାରେ ନବାବଙ୍କ ସୈନ୍ୟମାନଙ୍କ ଆକ୍ରମଣର ଯେଉଁ ବର୍ଣ୍ଣନା ଦେଇଛନ୍ତି, ତାହା ଇତିହାସ ପରିଧି ଭୁକ୍ତ ନୁହେଁ । କାରଣ ଡକ୍ଟର ହରେକୃଷ୍ଣ ମହତାବଙ୍କ ଓଡ଼ିଶା ଇତିହାସରେ ଉଲ୍ଲେଖ ଅଛି; “ଖ୍ରୀ୧୭୪୨ ଅକ୍ଟୋବର ମାସରେ ଭାସ୍କର ରାମ କାଟାଠାରେ ମହା ସମାରୋହରେ ଦୁର୍ଗାପୂଜାରେ ମାତିଥିଲେ । ଏହି ସମୟରେ ଅପ୍ରତ୍ୟାଶିତ ଭାବରେ ଆଲିବର୍ଦ୍ଦି ଜଳପଥରେ ଆସି ତାଙ୍କୁ ଆକ୍ରମଣ କଲେ ।” (୪) ଫକୀର ମୋହନ ଐତିହାସିକ ଘଟଣା ସହିତ ଏହିପରି ନାନା କାଳ୍ପନିକ ବିଷୟକୁ ପ୍ରସ୍ତୁତ କରିଛନ୍ତି । ଫକୀର ମୋନନ ‘ଲଛମା’ରେ କେବଳ ମରହଟ୍ଟା ବର୍ଗୀ ଅତ୍ୟାଚାର ଓ ସେ ସମୟର ଇତିହାସ ଲିପିବଦ୍ଧ କରି ନାହାନ୍ତି, ବରଂ ଓଡ଼ିଆ ଜାତିର ଜୀବନ ନାଟକରେ ଘଟିଥିବା କରୁଣ ମୂର୍ଚ୍ଛନାକୁ ପ୍ରକାଶ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି । ଇତିହାସର ବାସ୍ତବ ଘଟଣା ଉପରେ ରଚିତ ଏ ଉପନ୍ୟାସଟିରେ ସ୍ରଷ୍ଟାର ସ୍ଵାଧୀନ ଚିନ୍ତାଧାରା, ଜୀବନ୍ତ ସାମାଜିକ ରୂପ କଳ୍ପନା ବାସ୍ତବିକ ଏହାକୁ କରିଛି କାଳୋତ୍ତୀର୍ଣ୍ଣ ଓ ଏହାକୁ ଯଥାର୍ଥରେ ଖ୍ରୀ୧୭୨୦–ଖ୍ରୀ୧୮୦୦ ପର୍ଯ୍ୟନ୍ତ ଓଡ଼ିଆ ସାମାଜିକ ଜୀବନର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଫକୀରମୋହନଙ୍କ ‘ଲଛମା’ ଉପନ୍ୟାସ ତାଙ୍କର ଉତ୍ତର ସାଧକମାନଙ୍କୁ ଐତିହାସିକ ଉପନ୍ୟାସ ରଚନା ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିଛି । ତାଙ୍କର ଉପଯୁକ୍ତ ଦାୟାଦ ଭାବରେ ଦୟାନିଧି ମିଶ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, ତାରିଣୀ ଚରଣ ରଥ, ଗୋଦାବରୀଶ ମିଶ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, କାହ୍ନୁଚରଣ ମହାନ୍ତି, ଗୋଦାବରୀଶ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ଚକ୍ରଧର ମହାପାତ୍ର, ମୁରଲୀଧର ମଲ୍ଲିକ, ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ଐତିହାସିକ ଉପନ୍ୟାସ ସୃଷ୍ଟି କରିଛନ୍ତି । ଦୟାନିଧି ମିଶ୍ର, ‘ରାଣାପ୍ରତାପ’ ‘ସଂଯୁକ୍ତା’ ‘ନୟନତାରା’ ପ୍ରଭୃତି ଉପନ୍ୟାସର ସ୍ରଷ୍ଟା । ରାମଚନ୍ଦ୍ର ଆଚାର୍ଯ୍ୟ ‘ବୀର ଓଡ଼ିଆ,’ ‘କମଳ କୁମାରୀ’ (୧୯୨୫), ‘ପୀୟୂଷ ପ୍ରବାହ’ (୧୯୩୫), ‘ବୀରାଙ୍ଗନା’ (୧୯୩୬)– ଏହି ଐତିହାସିକ ଉପନ୍ୟାସଗୁଡ଼ିକର ସ୍ରଷ୍ଟା । ମୋଗଲ ରାଜତ୍ଵକାଳୀନ ନାଏବ ନାଜିମଙ୍କ ଅଧୀନରେ ଶାସିତ ଉତ୍କଳର ଇତିହାସ ‘ବୀର ଓଡ଼ିଆ’ରେ ବର୍ଣ୍ଣିତ । ‘କମଳ କୁମାରୀ’ରେ ସେ ମୋଗଲ ଶାସନ କାଳୀନ ଆଉରଙ୍ଗଜେବଙ୍କ ଘଟଣା ପ୍ରକାଶ କରିଛନ୍ତି । ସେ ଟଡ଼୍‌ଙ୍କ ‘ରାଜସ୍ଥାନ’ ଗ୍ରନ୍ଥରୁ ‘କମଳ କୁମାରୀ’ ପ୍ରସଙ୍ଗ ଆହରଣ କରି ତାଙ୍କୁ ଉପନ୍ୟାସରେ ରୂପ ଦେଇଛନ୍ତି । ‘ପୀୟୂଷ ପ୍ରବାହ’ ଫରାସୀ ଔପନ୍ୟାସିକ ଭିକ୍ଟୋର ହ୍ୟୁଗୋଙ୍କ ‘ଲା ମିଜରେବେଲ୍‌’ ଛାୟାରେ ରଚିତ । ଅହଲ୍ୟାବାଈଙ୍କ ଅସୀମତ୍ୟାଗ, ଆତ୍ମପ୍ରତିଷ୍ଠାର ଇତିବୃତ୍ତି ‘ବୀରାଙ୍ଗନା’ର ବିଷୟବସ୍ତୁ । ରାମଚନ୍ଦ୍ର ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟରେ ସର୍ବାଧିକ ଐତିହାସିକ ଉପନ୍ୟାସର ରଚୟିତା । ତାଙ୍କ ଉପନ୍ୟାସରେ ଇତିହାସ ଗୌଣ, ମାତ୍ର ଜାତୀୟ ଜାଗରଣ ପାଇଁ ଆବେଗ ଉଚ୍ଛ୍ୱାସ ଓ ଭାବପ୍ରବଣତା ଅଧିକ ଗୁରୁତ୍ଵପୂର୍ଣ୍ଣ ।

 

(୪) ଓଡ଼ିଶା ଇତିହାସ–(୧୯୮୦)–ଦ୍ଵିତୀୟ ଖଣ୍ଡ–ପୃ–୧୫୭

 

ତାରିଣୀ ଚରଣ ସୂର୍ଯ୍ୟବଂଶୀ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟର ଏକ ଅଜ୍ଞାତ ଇତିହାସକୁ ଭିତ୍ତି କରି ‘ଅନ୍ନପୂର୍ଣ୍ଣା’ (୧୯୩୪) ରଚନା କରିଛନ୍ତି । ଏହି ଉପନ୍ୟାସଟି ୧୯୩୪ ମସିହାରେ ଆତ୍ମପ୍ରକାଶ ହୋଇଥିଲେ ସୁଦ୍ଧା ଏହା ୧୯୨୨ ମସିହାରେ ରଚିତ ହୋଇଥିଲା । ଉପନ୍ୟାସର ଆତ୍ମ-କଥାରେ ତାରିଣୀ ଚରଣ ରଥଙ୍କ ପୁତ୍ର ବିପିନ ବିହାରୀ ରଥ ଉଲ୍ଲେଖ କରିଛନ୍ତି; “ଏ ଉପନ୍ୟାସ ଖଣ୍ଡି ମୋର ପିତା ସ୍ଵର୍ଗତଃ ତାରିଣୀ ଚରଣ ରଥ ବି.ଏ.ଙ୍କର ଶେଷ ଲେଖା । ସେ ୧୯୨୨ ମସିହାରେ ଏହାର ପାଣ୍ଡୁଲିପି ଲେଖା ଶେଷ କରି ଯଥା ଶୀଘ୍ର ପ୍ରକାଶ କରିବା ପାଇଁ ପ୍ରବଳ ଇଚ୍ଛା ପୋଷଣ କରିଥିଲେ ।” ଏହି ଉପନ୍ୟାସରେ ତାରିଣୀ ଚରଣ ପ୍ରତାପରୁଦ୍ରଙ୍କ କନ୍ୟା ଅନ୍ନପୂର୍ଣ୍ଣାକୁ ନାୟିକା ରୂପେ ଗ୍ରହଣ କରିଛନ୍ତି । ପ୍ରତାପରୁଦ୍ରଦେବଙ୍କ ସହ ବିଜୟ ନଗରମ୍ ରାଜା କୃଷ୍ଣଦେବ ରାୟଙ୍କ ଯୁଦ୍ଧ ଓ ସନ୍ଧି, ଶେଷରେ କନ୍ୟା ଅନ୍ନପୂର୍ଣ୍ଣାକୁ ଦାନ ଏହାର ବିଷୟବସ୍ତୁ । ଅନ୍ନପୂର୍ଣ୍ଣା ମଧୁଶଯ୍ୟା ରାତ୍ରିରେ କୃଷ୍ଣଦେବ ରାୟଙ୍କୁ ଉପେକ୍ଷା କରିଛି । ଏ ଘଟଣା ପ୍ରତାପରୁଦ୍ରଦେବ ଶ୍ରବଣ କରି ତାଙ୍କର ମୃତ୍ୟୁ ହୋଇଛି । ଅନ୍ନପୂର୍ଣ୍ଣା ପୁଣି ପରେ ‘ତୁକ୍‍କା ପଞ୍ଚକମ୍’ କବିତା ଲେଖି କୃଷ୍ଣଦେବ ରାୟଙ୍କୁ ଆପଣାର କରିଛନ୍ତି । ଏହାହିଁ ସଂକ୍ଷେପରେ ‘ଅନ୍ନପୂର୍ଣ୍ଣା’ର ବିଷୟବସ୍ତୁ । ପ୍ରତାପରୁଦ୍ରଙ୍କର କୃଷ୍ଣଦେବ ରାୟଙ୍କୁ କନ୍ୟାଦାନ ପ୍ରସଙ୍ଗକୁ କେତେକ ଐତିହାସିକ କଳ୍ପନା ସମ୍ଭୂତ ବୋଲି ମତବ୍ୟକ୍ତ କରନ୍ତି । ଡକ୍ଟର ହରେକୃଷ୍ଣ ମହତାବ ଏ ସମ୍ବନ୍ଧରେ ଲେଖିଛନ୍ତି; ‘‘ପ୍ରତାପରୁଦ୍ର ନିଜ କନ୍ୟାକୁ କୃଷ୍ଣଦେବ ରାୟଙ୍କୁ ଦାନ କରିଥିଲେ ବୋଲି କଥିତ ଅଛି । ଏ କନ୍ୟାଙ୍କ ନାମ ଭିନ୍ନ ଭିନ୍ନ ସାହିତ୍ୟରେ ଭିନ୍ନ ଭିନ୍ନ ପ୍ରକାର ଦିଆ ହୋଇଛି । କେଉଁଠି ‘ତୁକ୍‌କା’, କେଉଁଠି ‘ଜଗନ୍ମୋହିନୀ’ ଓ କେଉଁଠି ‘ବରଦ ରାଜମ୍ମା’ ବୋଲି ବର୍ଣ୍ଣିତ ଅଛି । ଗୋଟିଏ ବର୍ଣ୍ଣନାରେ ତୁକ୍‌କା ନିଜର ସ୍ଵାମୀଙ୍କ ଦ୍ଵାରା ଉପେକ୍ଷିତା ହୋଇ ଚୁଡ଼ୁପ୍‌ପା ଜିଲ୍ଲାର କମ୍ବମ୍‍ ସ୍ଥାନରେ ସନ୍ନ୍ୟାସ ଜୀବନ ଯାପନ କରିଥିଲେ । ଆଉ ଗୋଟିଏ ବର୍ଣ୍ଣନା ଅନୁସାରେ ରାଜକନ୍ୟା କୃଷ୍ଣଦେବ ରାୟଙ୍କୁ ଦାସୀ ସୁତା ବୋଲି ତାଙ୍କ ପାଣିଗ୍ରହଣ ଅସ୍ଵୀକାର କଲେ । ଏ ସମ୍ବନ୍ଧରେ କୌଣସି ଅଭିଲେଖ ନାହିଁ । ପର୍ତ୍ତୁଗୀଜ ଲେଖକ ନୁନେଜ ମଧ୍ୟ ଲେଖିଛନ୍ତି ଯେ, ପ୍ରତାପରୁଦ୍ର ପରାସ୍ତ ହୋଇ ନିଜ କନ୍ୟାଙ୍କୁ କୃଷ୍ଣପ୍ରଦେବ ରାୟଙ୍କୁ ସମର୍ପଣ କରିଥିଲେ । ଏହା ହୋଇପାରେ ଯେ ପୁରୁଷୋତ୍ତମ ଦେବଙ୍କ ସହିତ କାଞ୍ଚି ରାଜଳନ୍ୟା ବିବାହ ସମ୍ବନ୍ଧରେ ଯେଉଁ କାବ୍ୟର ସୃଷ୍ଟି ହୋଇଥିଲା, ତା’ର ବଦଳ ସ୍ଵରୂପ କୃଷ୍ଣଦେବ ରାୟଙ୍କର ଓଡ଼ିଶା ରାଜକନ୍ୟାଙ୍କ ପାଣିଗ୍ରହଣର ସୃଷ୍ଟି । ଯାହାହେଉ ରାଜକନ୍ୟାଙ୍କ ଯେଉଁ ନାମ ଦିଆଯାଇଛି, ତାହା ଓଡ଼ିଆ ଭାଷାର ନୁହେଁ । ଖୁବ୍‍ ସମ୍ଭବ ଏ ବ୍ୟାପାରଟି କିମ୍ବଦନ୍ତୀ ମୂଳକ ।” (୫) ଏ ଘଟଣାଟିର ଐତିହାସିକତା ସମ୍ପର୍କରେ ଇତିହାସରେ କୌଣସି ସ୍ପଷ୍ଟ ବିବରଣୀ ନାହିଁ । ତାରିଣୀ ଚରଣ ନିଜେ ସ୍ଵୟଂ ଐତିହାସିକ ଥିଲେ । ସେ ହୁଏତ ଇତିହାସର ଯଥାର୍ଥ ସ୍ଵରୂପ ଏଥିରେ କଳନା କରିନପାରି ତାହାକୁ ଏହିପରି ଉପନ୍ୟାସ ଆକାରରେ ପରିବେଷଣ କରିଥାଇ ପାରନ୍ତି ।

 

ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ପ୍ରାଣପ୍ରତିଷ୍ଠାତା ଗୋଦାବରୀଶ ମିଶ୍ର ୧୮୧୭ ମସିହାର ‘ପାଇକ ବିଦ୍ରୋହ’ ଅବଲମ୍ବନରେ ‘ଅଠର ଶହ ସତର’ ଉପନ୍ୟାସ ରଚନା କରିଛନ୍ତି । ଇଂରେଜ ଶାସକମାନଙ୍କ ଦେଶ ପରିଚାଳନାର ଚଉଦ ବର୍ଷ ମଧ୍ୟରେ ଓଡ଼ିଆଙ୍କ ମନରେ ବ୍ରିଟିଶ ଶାସକମାନଙ୍କ ପ୍ରତି ଯେଉଁ ପ୍ରତିକ୍ରିୟା ମନୋଭାବ ସୃଷ୍ଟି ହୋଇଥିଲା, ‘ପାଇକ ବିଦ୍ରୋହ’ ହେଉଛି ତାହାର ଚୂଡ଼ାନ୍ତ ନିଦର୍ଶନ । ଖୋର୍ଦ୍ଧାର ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପରିଚାଳିତ ଏଇ ବିଦ୍ରୋହର ଏକ କରୁଣ ପ୍ରତିଧ୍ୱନି ଏ ଉପନ୍ୟାସର ବିଷୟବସ୍ତୁ । ପରାଧୀନ ଓଡ଼ିଆ ମନରେ ଜାତୀୟ ଜାଗରଣ ଓ ବିପ୍ଳବର ଆବାହନୀ ଏହାର ପ୍ରତିଚ୍ଛତ୍ରରେ ରହିଛି । ଗୋଦାବରୀଶ ମହାପାତ୍ରଙ୍କ ରାଜଦ୍ରୋହୀରେ ଓଡ଼ିଶା ଇତିହାସର ଅନ୍ଧ ଯୁଗର ଘଟଣାବଳୀମାନ ସ୍ଥାନ ପାଇଛି । କାଳନ୍ଦୀ ଚରଣଙ୍କ ‘ମୁକ୍ତାଗଡ଼ର କ୍ଷୁଧା’ ବିରୁଧେନ୍ଦ୍ର ମିଶ୍ରଙ୍କ ‘୧୯୪୨’ କାହ୍ନୁଚରଣଙ୍କ ‘ବାଲିରଜା’ ଚକ୍ରଧର ମହାପାତ୍ରଙ୍କ ‘ବଳାଙ୍ଗି’, ମୁରଲୀଧର ମଲିକଙ୍କ ‘ରକ୍ତ ଶପଥ’ ଓଡ଼ିଆ ଐତିହାସିକ ଉପନ୍ୟାସ ସାହିତ୍ୟରେ ଯଥେଷ୍ଟ ପ୍ରଶଂସନୀୟ ହୋଇଛି । କାହ୍ନୁଚରଣଙ୍କ ‘ବାଲିରାଜା’ ଅତୀତର ଓଡ଼ିଶାର ସୁଖସମୃଦ୍ଧି, ଓ ବାଣିଜ୍ୟକାରବାରର ଗୌରବମୟ ଐତିହ୍ୟକୁ ସ୍ମରଣ କରାଇଥାଏ । ଚକ୍ରଧର ମହାପାତ୍ର ମରହଟ୍ଟା ବର୍ଗୀ ଓ ଗଡ଼ଜାତ ସାମନ୍ତ ରାଜାମାନଙ୍କ ସଂଘର୍ଷର ଇତିବୃତ୍ତିକୁ ‘ବଳାଙ୍ଗି’ର ଅଙ୍ଗୀଭୂତ କରିଛନ୍ତି । ‘ବାଲିରାଜା’ ବ୍ୟତୀତ ଏସବୁ ଉପନ୍ୟାସ ଅତୀତର କରୁଣ ଘଟଣାର ମାର୍ମ୍ମିକ ଅଭିବ୍ୟକ୍ତି । ଏଗୁଡ଼ିକରେ ଗତିର ଦୈନ୍ୟ, ନୈରାଶ୍ୟ, ଅଧୋଗତିର ବିଷାଦଗ୍ରସ୍ତ ବିବରଣୀ ସଂରକ୍ଷିତ ।

 

(୫) ଓଡ଼ିଶା ଇତିହାସ–(୧୯୮୦)–ଦ୍ଵିତୀୟ ଖଣ୍ଡ–ପୃ. ୩୯

 

ଓଡ଼ିଆ ଐତିହାସିକ ଉପନ୍ୟାସ ସ୍ଵାଧୀନତା ପରେ ସ୍ଵଳ୍ପ ସଂଖ୍ୟାରେ ସୃଷ୍ଟି ହୋଇଛି । ସ୍ଵାଧୀନୋତ୍ତର ଓଡ଼ିଆ ଐତିହାସିକ ଉପନ୍ୟାସ ରଚୟୀତା ଭାବରେ ସୁରେନ୍ଦ୍ର ମହାନ୍ତି ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଦ୍ୱୟ ତାଙ୍କର ଏ ଦିଗରେ ବଳିଷ୍ଠ ପଦକ୍ଷେପ । ଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଶାର ଗଜପତି ରାଜାଙ୍କ ରାଜତ୍ଵକାଳୀନ ଐତିହାସିକ ପୃଷ୍ଠଭୂମିରେ ଏହି ଉପନ୍ୟାସ ଦ୍ଵୟ ରଚିତ । ଏହି ଉପନ୍ୟାସରେ ଜଗନ୍ନାଥ ଚେତନାର ଚିରନ୍ତନ ଧାରା ଓଡ଼ିଆ ଜାତିକୁ କିପରି ପ୍ରଭାବିତ କରିଛି, ତାହାର ବଳିଷ୍ଠ ଭାବମୂର୍ତ୍ତି ରହିଛି । ସୁରେନ୍ଦ୍ର ମହାନ୍ତି ତାଙ୍କର ଏ ଉପନ୍ୟାସ ରଚନା ସମ୍ପର୍କରେ ପରିଚୟ ପ୍ରଦାନ ପୂର୍ବକ ଲେଖିଛନ୍ତି; “ଏପରି ଏକ ଉପନ୍ୟାସ ଲେଖିବା ମୋ କଳ୍ପନାରେ ଆଦୌ ନ ଥିଲା । ମାତ୍ର ୧୯୬୪ ସାଲରେ ସେଥର ରଥଯାତ୍ରାବେଳେ ଅତି ନିକଟରୁ ବିଗ୍ରହମାନଙ୍କର ପହଣ୍ଡିବିଜେ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା । ଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେହିଦିନ ସେ ଜନସମୁଦ୍ର ମଧ୍ୟରେ ଠିଆହୋଇ ମୁଁ ଲକ୍ଷ୍ୟ କରିଥିଲେ । ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବି କରେ । ‘କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତକୀ ଟାହିଆର ଠାଣି ଓ ବିଜେ କାହାଳୀ ଘଣ୍ଟା ନାଦ ମଧ୍ୟରେ ମୋର ଦୃଷ୍ଟି ପଥରେ ଉଦ୍ଭାସିତ ହୋଇଉଠି ଥିଲା, ଇତିହାସରେ ବହୁ କ୍ଷତ ବିକ୍ଷତ ସେହି ଅପରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ । ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ପ୍ରେରଣା ଦେଇଥିଲା–‘ନୀଳଶୈଳ’ ତାହାର ପରିଣତି ।” (୬)

 

(୬) ନୀଳଶୈଳ ଦ୍ଵିତୀୟ ସଂସ୍କରଣର ଭୂମିକା–ପୃ୭.

 

ଅଷ୍ଟାଦଶ ଶତକ ଓଡ଼ିଶା ଇତିହାସର ଏକ କ୍ଷୁଦ୍ର ଘଟଣାକୁ ନେଇ ଏହା ରଚିତ । ଖୋର୍ଦ୍ଧାର ଗଜପତି ରାଜା ରାମଚନ୍ଦ୍ର ଦେବ ଶାସନକାର୍ଯ୍ୟରେ ମୋଗଲମାନଙ୍କ ଘୋର ବିରୋଧର ସମ୍ମୁଖୀନ ହୋଇ ଘଟଣା ଚକ୍ରରେ ମୁସଲମାନ ହୋଇ ତକିଖାଁଙ୍କ ଭଉଣୀକୁ ବିବାହ କରିଛନ୍ତି । ଫଳରେ ରାମଚନ୍ଦ୍ର ଦେବ ସାମାଜିକ ବାସନ୍ଦ ହୋଇ ବୁଲିଛନ୍ତି । କିନ୍ତୁ ଜଗନ୍ନାଥପ୍ରାଣ ରାଜା ଜଗନ୍ନାଥଙ୍କ ପ୍ରତି ଅପାରଭକ୍ତି, ପ୍ରଦର୍ଶନ କରିଛନ୍ତି । ଏ ସମୟରେ ତକିଖାଁ ଜଗନ୍ନାଥଙ୍କୁ ଧ୍ଵଂସ କରିବା ପାଇଁ ବିଭିନ୍ନ ଚେଷ୍ଟା କରିଛନ୍ତି । ପରିଶେଷରେ ରାମଚନ୍ଦ୍ର ଦେବ ଚିଲିକାରେ ଜଗନ୍ନାଥଙ୍କୁ ନେଇ ରଖିଛନ୍ତି । ଏ ସବୁ ଐତିହାସିକ ଚରିତ୍ର ଓ ଘଟଣା ସହିତ ଔପନ୍ୟାସିକ ତାଙ୍କ କଳ୍ପନାରୁ ‘ସରଦେଈ’ ନାମରେ ଏକ ଉଚ୍ଚକୋଟିର କାଳ୍ପନିକ ଚରିତ୍ର ସୃଷ୍ଟି କରିଛନ୍ତି । ‘ନୀଳଶୈଳ’କୁ ଐତିହାସିକ ଉପନ୍ୟାସ ରୂପେ ମୂଲ୍ୟାୟନ କରି ଔପନ୍ୟାସିକ ଉଲ୍ଲେଖ କରିଛନ୍ତି, ‘ନୀଳଶୈଳ ଐତିହାସିକ ଉପନ୍ୟାସ ସତ୍ୟ’ କାରଣ ଏହାର ବିଷୟବସ୍ତୁ ଇତିହାସର ପ୍ରାମାଣିକ ସତ୍ୟ ଉପରେ ପର୍ଯ୍ୟବସିତ; ମାତ୍ର ଏଥିରେ ପାଠକକୁ ଯାହା ଗଭୀରଭାବେ ପ୍ରଭାବିତ କରେ, ତାହା ଇତିହାସ ନୁହେଁ । ‘ନୀଳଶୈଳ’ ଲେଖିବାବେଳେ ‘ସରଦେଈ’ ଚରିତ୍ର ମୋ କଳ୍ପନାରେ ଥିଲା ଏକ ପାର୍ଶ୍ଵ ଚରିତ୍ର ରୂପେ, ମାତ୍ର ଉପନ୍ୟାସ ଶେଷ ହେବା ବେଳକୁ ‘ସରିଦେଈ’ର ରିକ୍ତ ଜୀବନର ବର୍ଣ୍ଣନା ଓ ବେଦନା ସର୍ବୋତ ଭାବରେ ଯେପରି ଏହି ଉପନ୍ୟାସକୁ ଆଚ୍ଛନ୍ନ କରି ରଖିଅଛି । ସରଦେଈ ମୋର ଅବଚେତନର ସୃଷ୍ଟି । ‘ସରଦେଈ’ ମଧ୍ୟରେ ଭାଗ୍ୟ ବିଡ଼ମ୍ବିତ ଓଡ଼ିଶା ଯେପରି ରୂପ ପରିଗ୍ରହ କରିଛି; ବସ୍ତୁତଃ ଐତିହାସିକ ଉପନ୍ୟାସ–ଇତିହାସ ନୁହେଁ ।” (୭) ‘ନୀଳଶୈଳ’ର ଦ୍ଵିତୀୟାର୍ଦ୍ଧ ଭାବରେ ‘ନୀଳାଦ୍ରି ବିଜୟ’ ସୁରେନ୍ଦ୍ର ମହାନ୍ତିଙ୍କ ସଦ୍ୟ ପ୍ରକାଶିତ ଏକ ଉପନ୍ୟାସ । ସୁରେନ୍ଦ୍ର ମହାନ୍ତିଙ୍କ ଏହି ଦୁଇ ଉପନ୍ୟାସରେ ଇତିହାସର ଘଟଣା ପାଠକ ପ୍ରାଣରେ ବିଶେଷ ରସ ସଞ୍ଚାର କରେ ନାହିଁ, ବରଂ ଔପନ୍ୟାସିକଙ୍କ ବର୍ଣ୍ଣନା ବିଳାସ ଓ ଜଗନ୍ନାଥ ଚେତନାର ଆଧ୍ୟାତ୍ମିକ ସ୍ରୋତ ପାଠକକୁ ଅଧିକ ସ୍ପର୍ଶ କରେ । ଜାତୀୟ ଜୀବନର କେନ୍ଦ୍ରବିନ୍ଦୁ, ସାମ୍ୟ-ମୈତ୍ରୀ ଦେବ ଜଗନ୍ନାଥଙ୍କୁ ନେଇ ଏପରି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ବିରଳ ।

 

(୭) ନୀଳଶୈଳ ଦ୍ଵିତୀୟ ସଂସ୍କରଣର ଭୂମିକା–ପୃ୭.

 

ଓଡ଼ିଆ ଐତିହାସିକ ଉପନ୍ୟାସ ଏ ଜାତିର କରୁଣ ଭାଷ୍ୟ । ଏହା ଅନେକ ସମୟରେ ଅତୀତର ବିପର୍ଯ୍ୟସ୍ତ ଘଟଣାକୁ ପାଠକକୁ ସ୍ମରଣ କରାଇ ଦିଏ । ଏ ସତ୍ତ୍ୱେ ଜାତିର ସୌର୍ଯ୍ୟ-ବୀର୍ଯ୍ୟ, ବୀରମାନଙ୍କ ସାହସ, ଓ ଧୈର୍ଯ୍ୟ ମଧ୍ୟ ଏଥିରେ ରହିଛି । ଜାତୀୟ ଜାଗରଣ ସକାଶେ ବାର୍ତ୍ତା ଏ ସବୁର ସାର ନିର୍ଯ୍ୟାସ ହୋଇଛି । ଓଡ଼ିଆ ସାହିତ୍ୟରେ ସ୍ଵାଧୀନତା ପ୍ରାପ୍ତିର ପୂର୍ବରୁ ବହୁ ସଂଖ୍ୟକ ଐତିହାସିକ ଉପନ୍ୟାସ ରଚିତ ହୋଇଛି । ସ୍ଵାଧୀନତା ପରେ ଏ ଧରଣର ଓଡ଼ିଆ ଉପନ୍ୟାସ ସଂଖ୍ୟା ଦୃଷ୍ଟିରୁ ନଗଣ୍ୟ । ଏହାର କାରଣ ହୋଇପାରେଯେ, ପରାଧୀନ ଓଡ଼ିଆ ପ୍ରାଣରେ ବିପ୍ଳବ, ସ୍ଵଦେଶପ୍ରେମ, ଭବିଷ୍ୟତ ପାଇଁ ଦେଶ ଗଠନର ମନୋବୃତ୍ତି ଜାଗ୍ରତ କରିବାପାଇଁ କେତେକ ସଚେତନ ଜାତୀୟ ପ୍ରେମୀ ଉପନ୍ୟାସ ପରି ଏକ ଗଣସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏହାଦ୍ଵାର ନିଜର ସାହିତ୍ୟ ପ୍ରେମ ଓ ଜାତୀୟବୋଧ ଉଭୟର ପରିଚୟ ଦେଇଛନ୍ତି ।

 

ଓଡ଼ିଶାରେ ଇତିହାସର ଘଟଣାବଳୀ ଅନେକ ରହିଛି । ମାତ୍ର ଐତିହାସିକ ଉପନ୍ୟାସ ଏ ତୁଳନାରେ ଯଥେଷ୍ଟ ପରିମାଣରେ ରଚନା କରାଯାଇନାହିଁ । ବୋଧହୁଏ ଐତିହାସିକ ଉପନ୍ୟାସ ରଚନାରେ ଉଭୟ ଗବେଷଣା ଓ ଚିନ୍ତାର ପ୍ରାଧାନ୍ୟ ରହୁଥିବାରୁ ଏ ଦିଗରେ ଔପନ୍ୟାସିକମାନେ ବିଶେଷ ଅଗ୍ରଗତି କରିପାରି ନାହାନ୍ତି । ଫଳରେ ଇତିହାସ ବହୁଳ ଭାରତର ଐତିହାସିକ ଉପନ୍ୟାସ ରଚନା ପାଇଁ ଲେଖକମାନେ ଅଗ୍ରସର ହେଉ ନାହାନ୍ତି । ଆଶା ଭବିଷ୍ୟତର ସାଧକମାନେ ଇତିହାସର ବହୁ ଅଜ୍ଞାତ ଅନାଲୋଚିତ ଅଧ୍ୟାୟକୁ ଆବିଷ୍କାର କରି ଏହା ମଧ୍ୟରେ ଚିରନ୍ତନ ଜୀବନ ଧାରାର ସନ୍ଧାନ କରି ଐତିହାସିକ ଉପନ୍ୟାସକୁ ସମୃଦ୍ଧ କରିବେ ।

 

ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ଉପନ୍ୟାସ ପରି ଏକ ଅର୍ବାଚୀନ ବିଭାଗ । ଊନବିଂଶ ଶତକର ଶେଷପାଦରେ ଏହାର ଅୟମାରମ୍ଭ । ଫକୀରମୋହନ ଓଡ଼ିଆ କ୍ଷୁଦ୍ରଗଳ୍ପର ହେଉଛନ୍ତି ପ୍ରାଣପ୍ରତିଷ୍ଠାତା । ଫକୀରମୋହନ ଓଡ଼ିଶାର ସାମାଜିକ ଜୀବନକୁ ନେଇ କ୍ଷୁଦ୍ରଗଳ୍ପ ସୃଷ୍ଟି କରିଛନ୍ତି । ଇତିହାସର ପରୋକ୍ଷ ପ୍ରଭାବ ତାଙ୍କର ସମସ୍ତ କ୍ଷୁଦ୍ରଗଳ୍ପରେ ଉପଲଭ୍ୟ, କିନ୍ତୁ ସେ ସବୁ ଐତିହାସିକ ଗଳ୍ପ ନୁହେଁ । ଫକୀରମୋହନଙ୍କ ଗଳ୍ପଗୁଡ଼ିକ ମଧ୍ୟରୁ ‘ବାଲେଶ୍ଵରୀ ପଙ୍ଗାଲୁଣ’ ହେଉଛି ଐତିହାସିକ କ୍ଷୁଦ୍ରଗଳ୍ପ । ଏଥିରେ ଗଳ୍ପର ଶୈଳ୍ପିକ ସୁଷମା ଅପେକ୍ଷା ଇତିହାସର ଅପରିଚିତ ଅଧ୍ୟାୟ ଅଧିକ । ଏ ହେତୁ ଏହାକୁ ଗଳ୍ପ ନକହି, ତତ୍କାଳୀନ ଲବଣଶିଳ୍ପର ଅଲିଖିତ ଇତିହାସ କହିବା ଅଧିକ ସମୀଚୀନ । ଫକୀରମୋହନଙ୍କ ପରେ ଓଡ଼ିଆ ସାହିତ୍ୟରେ ବହୁ ଗଳ୍ପ ଲେଖକ ସୃଷ୍ଟି ହୋଇଛନ୍ତି, ମାତ୍ର ବହୁ ସଂଖ୍ୟକ ଐତିହାସିକ ଗଳ୍ପ ସୃଷ୍ଟି ହୋଇପାରି ନାହିଁ । ଦୟାନିଧି ମିଶ୍ର, ରାଜକିଶୋର ରାୟ, ସୁରେନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ପତି, ଶାନ୍ତି ମହାପାତ୍ର ପ୍ରମୁଖ ଏଇ କେତେଜଣ ଆକସ୍ମିକ ଭାବରେ କେତେକ ଐତିହାସିକ ଗଳ୍ପ ରଚନା କରିଛନ୍ତି ।

 

ଦୟାନିଧି ମିଶ୍ର ‘ଶାନ୍ତି’, ‘ଅରୁଣା’, ‘ରୂପର ମୂଲ୍ୟ’, ‘ପ୍ରଦୀପ ନିର୍ବାଣ’, ‘ମିଳନ’–ପ୍ରଭୃତି ଅନେକ ଐତିହାସିକ ଗଳ୍ପ ସୃଷ୍ଟି କରିଛନ୍ତି । ଶାନ୍ତି ଗଳ୍ପରେ ମରହଟ୍ଟା ଅତ୍ୟାଚାର ଓ ତାଙ୍କର ଅତ୍ୟାଚାର ବିରୁଦ୍ଧରେ ଅଭୟ ସିଂହଙ୍କ ପୁତ୍ର ଅଜିତ ସିଂହର ଖଡ୍‌ଗ ଉତ୍ତୋଳନ, ଇତ୍ୟାଦି ଏହାର ବିଷୟବସ୍ତୁ । ପରିଣତିରେ ଶାନ୍ତି ସହ ଅଜିତ ସିଂହର ବିବାହରେ ଏହାର ପରିସମାପ୍ତି ହୋଇଛି । ‘ଅରୁଣା’ ଓ ‘ରୂପର ମୂଲ୍ୟ’ ମଧ୍ୟ ମରହଟ୍ଟା ଶାସନ କାଳୀନ ବିଷୟକୁ ନେଇ ବର୍ଣ୍ଣିତ । ‘ଅରୁଣା’ ଗଳ୍ପରେ ଅରୁଣା ଜୀବନର କରୁଣ ମୂର୍ଚ୍ଛନା ପ୍ରତିଧ୍ଵନିତ । ମରହଟ୍ଟା ସେନାପତି ରଘୁଜୀ ରାଓ ଓ ତାଙ୍କ କନ୍ୟା ଅରୁଣା, ସେନାପତି ପୃଥ୍ଵୀ ସିଂ ଦ୍ଵାରା ବନ୍ଦୀ ହୋଇଛନ୍ତି । ରଘୁଜୀ ପୃଥ୍ଵୀ ସିଂଠାରୁ ପରାଜିତ ହୋଇ ତାଙ୍କର କନ୍ୟା ଅରୁଣାକୁ ପୃଥ୍ଵୀ ସିଂଙ୍କୁ ଅର୍ପଣ କରିଛନ୍ତି । ଏହାହିଁ ‘ଅରୁଣା’ ଗଳ୍ପର ସାର ନିର୍ଯ୍ୟାସ । ‘ପ୍ରଦୀପ ନିର୍ବାଣ’ରେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ ଓ ତାଙ୍କର ରାଣୀଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ବର୍ଣ୍ଣିତ । କଳାପାହାଡ଼ର ଓଡ଼ିଶା ଆଗମନ, ଓଡ଼ିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବଙ୍କ ରାଣୀ ତାଙ୍କୁ ଯାଜପୁରଠାରେ ଅଭ୍ୟର୍ଥନା, ରାଣୀଙ୍କର ଆତ୍ମଗୋପନ ଓ ପୁଣ୍ୟ ବୈତରଣୀରେ ଆତ୍ମନିମଜ୍ଜନ ଏହାର ବସ୍ତୁ । ଦୟାନିଧି ମିଶ୍ର ତାଙ୍କର ଏସବୁ ଗଳ୍ପଗୁଡ଼ିକରେ ଗଳ୍ପର ଶୈଳ୍ପିକ-ସୌନ୍ଦର୍ଯ୍ୟବୋଧ ଅପେକ୍ଷା ଇତିହାସ ପ୍ରତି ଅଧିକ ସଚେତନ । ଫଳରେ ପାଠକ ଅନ୍ତରରେ ପ୍ରଭାବ ବିସ୍ତାର କରିପାରି ନାହାନ୍ତି ।

 

ରାଜକିଶୋର ରାୟ ତାଙ୍କ ଗଳ୍ପରେ ଇତିହାସରୁ ନାମ ନିର୍ବାଚନ କରି କେତେକ ନାମ ଦେଇଥିଲେ ସୁଦ୍ଧା ଇତିହାସର ଘଟଣା କାଳକୁ ନେଇ ଐତିହାସିକ କ୍ଷୁଦ୍ରଗଳ୍ପ ରଚନା କରି ନାହାନ୍ତି । ବୋଧହୁଏ ଗାଳ୍ପିକ, କ୍ଷୁଦ୍ରଗଳ୍ପପରି ଜୀବନର କ୍ଷଣିକ ଭାଷ୍ୟରେ ଇତିହାସର ଘଟଣା ପ୍ରବାହକୁ ବର୍ଣ୍ଣନା କରିବାକୁ ସଂକୋଚବୋଧ କରିଛନ୍ତି । ସୁରେନ୍ଦ୍ର ମହାନ୍ତି ଇତିହାସର ଘଟଣାବଳୀକୁ ଆଶ୍ରୟ କରି ଐତିହାସିକ ଗଳ୍ପ ରଚନାରେ କୃତିତ୍ଵ ପ୍ରଦର୍ଶନ କରିଛନ୍ତି । ସେ ବୌଦ୍ଧଯୁଗର ଓ ପୌରାଣିକ ଯୁଗର ଅନାଲୋଚିତ ଇତିହାସ ଅବଲମ୍ବନରେ କେତେକ ଉଚ୍ଚକୋଟିର ଗଳ୍ପ ସୃଷ୍ଟି କରିଛନ୍ତି । ତାଙ୍କର ‘କବି ଓ ନର୍ତ୍ତକୀ’ ଗଳ୍ପ ସଂକଳନରେ ଐତିହାସିକ ଗଳ୍ପମାନଙ୍କର ସମାବେଶ ହୋଇଛି । ଅଚ୍ୟୁତାନନ୍ଦ ପତିଙ୍କ ‘ମହାଶ୍ମଶାନ’ ଗଳ୍ପ ଓଡ଼ିଆ ଐତିହାସିକ କ୍ଷୁଦ୍ରଗଳ୍ପ ଭାବରେ ଏକ ସଫଳ ସୃଷ୍ଟି । ଏଥିରେ ରାମଚନ୍ଦ୍ର ଦେବଙ୍କ ପ୍ରେମ-ପ୍ରଣୟ ଓ ଯବନ ପତ୍ନୀ ପାଇଁ ରାଜ୍ୟ ବର୍ଜନର ଅଶ୍ରୁଳ ଘଟଣାବଳୀ ରହିଛି । ଏ ଗଳ୍ପରେ ଜଗନ୍ନାଥ ପ୍ରାଣ ରାମଚନ୍ଦ୍ର ଦେବଙ୍କ ହୃଦୟର ଆଧ୍ୟାତ୍ମିକ ଭାବାବେଗ ପାଠକ ପ୍ରାଣରେ ପୁଲକ ସଞ୍ଚାର କରେ । ଗାଳ୍ପିକଙ୍କ ସ୍ଵଭାବ ସ୍କୁଲଭ ବର୍ଣ୍ଣନା ବିଳାସ ମଧ୍ୟରେ ଗଳ୍ପଟି ବେଶ୍‍ ଉପଭୋଗ୍ୟ ହୋଇପାରିଛି ।

 

ଓଡ଼ିଆ ଐତିହାସିକ ଉପନ୍ୟାସ ତୁଳନାରେ କ୍ଷୁଦ୍ରଗଳ୍ପ ସ୍ୱଳ୍ପ ସଂଖ୍ୟକ ସୃଷ୍ଟି ହୋଇଛି । କ୍ଷୁଦ୍ରଗଳ୍ପରେ ଐତିହାସିକ ଘଟଣାର ବିକାଶ ପାଇଁ ପରିସର ସଂକୀର୍ଣ୍ଣ । କାରଣ କ୍ଷୁଦ୍ରଗଳ୍ପ, ଉପନ୍ୟାସ ପରି ବ୍ୟାପକ ନୁହେଁ, ଅଥବା ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ନୁହେଁ । ଏହା ଏକ ସୁବିସ୍ତୃତ କାଳ ନୁହେଁ, କେବଳ ଗୋଟିଏ ମୁହୂର୍ତ୍ତର ସଂକ୍ଷିପ୍ତ ଭଗ୍ନାଂଶ । ଏ ହେତୁ କ୍ଷୁଦ୍ରଗଳ୍ପରେ ଇତିହାସର ଘଟଣା ଉପେକ୍ଷିତ ହେବା ସ୍ଵାଭାବିକ ଓ ଓଡ଼ିଆ କ୍ଷୁଦ୍ରଗଳ୍ପ ଏଥିରୁ ବଞ୍ଚିତ ନୁହେଁ ।

 

ଶ୍ରୀ ବାଉରୀ ବନ୍ଧୁ କର

ଅଧ୍ୟାପକ ଓଡ଼ିଆ ବିଭାଗ

ରେଭେନ୍‌ସା କଲେଜ

 

ରାଜନୈତିକ କଥାସାହିତ୍ୟ

ଡଃ କୃଷ୍ଣଚରଣ ବେହେରା

 

ଆମ ଜାଣିବାରେ ମଣିଷ ତ ଏକ ସାମାଜିକ ଜୀବ ବା ‘ସୋସିଆଲ୍‌ ଏନିମାଲ୍‌’ । କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ବିଚାର କରି ଦେଖିଲେ, ସେ ମଧ୍ୟ ଏକ ରାଜନୈତିକ ଜୀବ ବା ‘ପଲିଟିକାଲ୍ ଏନିମାଲ୍’ । ସଭ୍ୟ, ଉନ୍ନତ ହୋଇ ମଣିଷ ଯେଉଁ ଦିନରୁ ରାଷ୍ଟ୍ର ଗଢ଼ିଲା–ଶାସନତନ୍ତ୍ର ତିଆରି କଲା, ସେହି ଦିନରୁ ସେ ହେଲା ଏକପ୍ରକାର ରାଜନୈତିକ ଜୀବ । ମାତ୍ର ଏକ ରାଜନୈତିକ ଜୀବ ବୋଲି ନିଜ ବିଷୟରେ ମଣିଷର ସଚେତନତା ବେଶି ପୁରୁଣା କଥା ନୁହେଁ; ତାହା ସାଧାରଣତଃ ଏକ ଅର୍ବାଚୀନ ବ୍ୟାପାର । ଊନବିଂଶ ଶତାବ୍ଦୀ ଶେଷ ଏବଂ ଚଳିତ ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ପୃଥିବୀର ଅଧିକାଂଶ ଜନ ସମାଜରେ ଏହି ରାଜନୈତିକ ସଚେତନତା ପରିଲକ୍ଷିତ ହେଉଛି । ଜନ ସମାଜର ରାଜନୈତିକ ସଚେତନତା ସହିତ ରାଜନୈତିକ କଥାସାହିତ୍ୟ-ସୃଷ୍ଟିର ବୋଧହୁଏ ଗର୍ଭନାଡ଼ର ସମ୍ପର୍କ ରହିଛି । ତେଣୁ କଥାସାହିତ୍ୟ-ଇତିହାସରେ ପ୍ରକୃତ ରାଜନୈତିକ ଗଳ୍ପ-ଉପନ୍ୟାସ ଅପେକ୍ଷାକୃତ ଏକ ଅର୍ବାଚୀନ ବିଭାବ ।

 

ଉପନ୍ୟାସର ଜଣେ ବିଶିଷ୍ଟ ସୂତ୍ରକାର ମାର୍କିନ୍‍ ସାହିତ୍ୟିକ ହେନରୀ ଜେମସ୍ (୧୮୪୩–୧୯୧୬) ଚମତ୍କାର କଥାଟିଏ କହିଛନ୍ତି–କଥାସାହିତ୍ୟ-ଭବନରେ ବହୁ ଗବାକ୍ଷ, ବହୁ ବାତାୟନର ସମ୍ଭାବନା ରହିଛି । ଏଥିରେ ତେଣୁ ସର୍ବପ୍ରକାର ସାଂସାରିକ ଘଟଣା ଓ ମାନବୀୟ ବ୍ୟାପାର ଅବତାରଣା କରାଯାଇପାରେ । ଉପନ୍ୟାସ ହେଉଛି –ସବୁଠାରୁ ବେଶି ମୁକ୍ତ, ନମନୀୟ ଓ ସଂପ୍ରସାରଣକ୍ଷମ ଏକ ସାରସ୍ଵତ ଶୈଳୀ । ଆଧୁନିକ କଥାସାହିତ୍ୟର ବିଷୟବସ୍ତୁ-ବିନ୍ୟାସ କ୍ଷେତ୍ରରେ କୌଣସି ସୀମା ନିର୍ଦ୍ଦେଶ କରିବା ଏକପ୍ରକାର ଅସମ୍ଭବ ବ୍ୟାପାର । ସେଥିପାଇଁ କଥାସାହିତ୍ୟର ମୁକ୍ତ ବାତାୟନ ଦେଇ ରାଜନୀତି, ରାଷ୍ଟ୍ରନୀତି ଆଦିର ବାୟୁ ଅବାରିତ ଭାବରେ ପ୍ରବାହିତ ହୋଇପାରେ ।

 

‘ରାଜନୈତିକ କଥାସାହିତ୍ୟ’ ଆମେ କାହାକୁ କହିବା ? ସାମାଜିକ ବା ଐତିହାସିକ କଥାସାହିତ୍ୟଠାରୁ ଏହା କେଉଁ ଗୁଣରେ ସ୍ଵତନ୍ତ୍ର ? ରାଜନୀତି ସମାଜ-ସମ୍ପର୍କିତ–ରାଜନୈତିକ ଘଟଣା ବା କାର୍ଯ୍ୟକଳାପ ଅସାମାଜିକ ବ୍ୟାପାର ନୁହେଁ । ତେଣୁ ରାଜନୈତିକ ଗଳ୍ପ-ଉପନ୍ୟାସକୁ ବ୍ୟାପକ ଅର୍ଥରେ ସାମାଜିକ କଥାସାହିତ୍ୟ ବୋଲାଯାଇ ପାରେ । ହରେକୃଷ୍ଣ ମହତାବଙ୍କର ‘ତୃତୀୟ ପର୍ବ’ (୧୯୭୭) ଉପନ୍ୟାସ କିମ୍ବା ସୁରେନ୍ଦ୍ର ମହାନ୍ତିଙ୍କର ‘ଗୃହଦାହ’ (୧୯୬୧) ଗଳ୍ପ ରାଜନୈତିକ ବିଷୟବସ୍ତୁ ବହନ କରିଥିଲେ ହେଁ, ତାହା ସବୁ କ’ଣ ସାମାଜିକ କଥାସାହିତ୍ୟର ଅନ୍ତର୍ଭୁକ୍ତ ନୁହେଁ ? ବିଶୁଦ୍ଧ ସାମାଜିକ ଗଳ୍ପ-ଉପନ୍ୟାସରେ ମଧ୍ୟ ସ୍ଥଳବିଶେଷରେ ରାଜନୈତିକ ଚିତ୍ର ସ୍ଥାନ ପାଇପାରେ, କିମ୍ବା ବିଷୟବସ୍ତୁର ଅଂଶବିଶେଷ ରାଜନୈତିକ ଚେତନା ଦ୍ଵାରା ଅନୁରଞ୍ଜିତ ହୋଇପାରେ । ଫରାସୀ କଥାକାର ଭିକ୍ଟର ହ୍ୟୁଗୋଙ୍କ ପ୍ରସିଦ୍ଧ ‘ଲେ ମିଜରେବଲ୍’ (୧୮୬୨) ଏକ ସାମାଜିକ ଉପନ୍ୟାସ ସତ୍ୟ, କିନ୍ତୁ ଉପନ୍ୟାସର ମୁଖ୍ୟ ଚରିତ୍ର ଜାଁ ଭାଲ୍‌ଜାଁଙ୍କ ବିଚିତ୍ର କାର୍ଯ୍ୟକଳାପ ସହିତ ଊନବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ସଂଘଟିତ ଫ୍ରାନ୍ସର ରାଜନୈତିକ ଉତ୍‌ଥାନ-ପତନର ଚିତ୍ର ଗ୍ରଥିତ ହୋଇ ରହିଛି । କୁନ୍ତଳା କୁମାରୀ ସାବତଙ୍କ ‘ରଘୁ ଅରକ୍ଷିତ’ (୧୯୨୮) କିମ୍ବା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ (୧୯୩୦) ଉପନ୍ୟାସରେ ସେହିପରି କଥାନକର ସ୍ଥଳ ବିଶେଷରେ ଆମର ସ୍ଵାଧୀନତା ଆନ୍ଦୋଳନ ଏବଂ ଅହିଂସା-ସତ୍ୟାଗ୍ରହ-ସମନ୍ୱିତ ଗାନ୍ଧୀ-ନୀତିର ଅବତାରଣା କରାଯାଇଛି । କିନ୍ତୁ ‘ରଘୁ ଅରକ୍ଷିତ’ ବା ‘ମାଟିର ମଣିଷ’କୁ ଆମେ ରାଜନୈତିକ ଉପନ୍ୟାସ ନ କହି ସାମାଜିକ ଉପନ୍ୟାସ ବୋଲିବା ହିଁ ଯଥାର୍ଥ ହେବ ।

 

ପୁଣି ଆଜି ଯାହା ରାଜନୈତିକ ଘଟଣା, କେତେ ବର୍ଷ ଅନ୍ତେ ବା କିଛି କାଳ ପରେ ତାହା ଐତିହାସିକ ଘଟଣାରେ ପରିଣତ ହୋଇଥାଏ । ଅର୍ଥାତ୍‍ ରାଜନୈତିକ ବ୍ୟାପାରାଦି ପ୍ରାଚୀନ ହେଲେ ହିଁ ଇତିହାସର କୁକ୍ଷିଗତ ହୋଇଯାଏ । ତେଣୁ ଏବର ରାଜନୈତିକ ଗଳ୍ପ-ଉପନ୍ୟାସ ପରବର୍ତ୍ତୀ କାଳରେ ଐତିହାସିକ କଥାସାହିତ୍ୟରେ ପରିଣତ ହୋଇପାରେ । ଆଉ କିଛିକାଳ ଅତିକ୍ରାନ୍ତ ହେଲା ପରେ ଆର୍ଥର କୋଏସଲାର୍‌ଙ୍କ ‘ଡାର୍କନେସ୍‌ ଏଟ୍‌ ନୁନ୍‌’ (୧୯୪୩ ?) କିମ୍ବା ବୋରିସ୍ ପେଷ୍ଟରନାକ୍‌ଙ୍କର ‘ଡକ୍ଟର ଜିଭାଗୋ’ (୧୯୫୮) ଉପନ୍ୟାସକୁ ଐତିହାସିକ କଥାସାହିତ୍ୟ ଅଭିଧାରେ ଚିହ୍ନିଟ କଲେ, କ୍ଷତି କ’ଣ ? ବସ୍ତୁତଃ ରାଜନୈତିକ ଏବଂ ଐତିହାସିକ କଥାସାହିତ୍ୟ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ଏଠାରେ ପାର୍ଥକ୍ୟ ହେଉଛି–କେବଳ କାଳଗତ । ସାମ୍ପ୍ରତିକ ବା ନିକଟ ଅତୀତର ରାଜନୈତିକ ଘଟଣାବଳୀ-ସମ୍ବଳିତ ଗଳ୍ପ-ଉପନ୍ୟାସକୁ ଆମେ ରାଜନୈତିକ କଥାସାହିତ୍ୟ ବୋଲି ଅଭିହିତ କରି ପାରିବା; କିନ୍ତୁ ଦୂର ଅତୀତର ରାଜନୈତିକ ବିଷୟବସ୍ତୁ-ସମ୍ବଳିତ ଗଳ୍ପ-ଉପନ୍ୟାସକୁ ଐତିହାସିକ କଥାସାହିତ୍ୟ ନାମରେ ଚିହ୍ନିତ କରି ପାରିବା । ଏଠାରେ ଏକ ଉଦାହରଣ ସାହାଯ୍ୟରେ କଥାଟି ସ୍ପଷ୍ଟ କରି ଦିଆଯାଉ । ରାମପ୍ରସାଦ ସିଂହଙ୍କର ‘ପୂଜାର ବଳି’ (୧୯୩୧) ଉପନ୍ୟାସରେ ୧୯୩୦ ମସିହାରେ ସଂଘଟିତ ଦେଶବ୍ୟାପୀ ଲବଣ ସତ୍ୟାଗ୍ରହ ପୃଷ୍ଠଭୂମିରେ ବାଲେଶ୍ଵର ଜିଲ୍ଲା ଇଞ୍ଚୁଡ଼ିଠାରେ ଲୁଣମରା ଆନ୍ଦୋଳନ ଏବଂ ତଜ୍ଜନିତ ବିଭିନ୍ନ କ୍ରିୟା ପ୍ରତିକ୍ରିୟା ଚିତ୍ରିତ୍ର ହୋଇଛି । ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ରମା ଦେବୀ, ମାଳତୀ ଦେବୀ ପ୍ରମୁଖ ଏଥିରେ ଚରିତ୍ର ରୂପେ ଗୃହୀତ ହୋଇଛନ୍ତି–ଯେଉଁମାନଙ୍କ ମଧ୍ୟରୁ କେତେକ ଏବେ ବି ଜୀବିତ ଅଛନ୍ତି । ଉକ୍ତ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିବା ଏବଂ ତାହାକୁ ସ୍ଵଚକ୍ଷୁରେ ପ୍ରତ୍ୟକ୍ଷ କରିଥିବା ବହୁ ଲୋକ ଆଜି ମଧ୍ୟ ଆମ ଗହଣରେ ଅଛନ୍ତି । ତେଣୁ ଘଟଣାଟି ପୂରାପୂରି ଇତିହାସରେ ପରିଣତ ହୋଇ ନାହିଁ । ସୁତରାଂ ସେହି ନିକଟ ଅତୀତର ରାଜନୈତିକ ଘଟଣା ଚିତ୍ରଣ କରିଥିବା ‘ପୂଜାରବଳି’କୁ ରାଜନୈତିକ ଉପନ୍ୟାସ କରିବା ଯଥାର୍ଥ ହେବ । କିନ୍ତୁ ଗୋଦାବରୀଶ ମିଶ୍ରଙ୍କର ‘ଅଠର ଶହ ସତର’(୧୯୩୨ ?) ଉପନ୍ୟାସରେ ଦୂର ଅତୀତର ପାଇକ ବିଦ୍ରୋହ-କାଳୀନ ଘଟଣାବଳୀ–ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ଆନ୍ଦୋଳନାଦି ଚିତ୍ରିତ ହୋଇଥିବାରୁ ତାକୁ ରାଜନୈତିକ ଉପନ୍ୟାସ ନାମରେ ଚିହ୍ନିତ କରିବା ଯୁକ୍ତିଯୁକ୍ତ ହେବ ।

 

ତେଣୁ ସମକାଳୀନ ସମାଜର ରାଜନୈତିକ ଚିନ୍ତାଧାରା ଯେଉଁ ଗଳ୍ପ-ଉପନ୍ୟାସରେ ସୁସ୍ପଷ୍ଟ ଏବଂ ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ବା କାର୍ଯ୍ୟକଳାପ ଯେଉଁ ଗଳ୍ପ-ଉପନ୍ୟାସରେ ପ୍ରାଧାନ୍ୟ ଲାଭ କରିଥାଏ, ଆମେ ତାହାକୁ ରାଜନୈତିକ କଥାସାହିତ୍ୟ କହି ପାରିବା । ବୋଲିବା ବାହୁଲ୍ୟ ଯେ–ଏଥରେ ‘ରାଜନୈତିକ’ ଅଭିଧାଟି କଥାସାହିତ୍ୟର ବିଷୟବସ୍ତୁ ବା ଆତ୍ମିକ କ୍ଷେତ୍ରରେ ହିଁ ପ୍ରଯୁକ୍ତ ଏବଂ ବିଷୟବସ୍ତୁ ଦିଗରୁ କଥାସାହିତ୍ୟର ବିଭାଜନ କ୍ଷେତ୍ରରେ ଅନ୍ୟତମ ପ୍ରକାର-ଭେଦ ।

 

ରାଜନୈତିକ କଥାସାହିତ୍ୟର କଳା-ପ୍ରକରଣ ସାଧାରଣ ସାମାଜିକ ଉପନ୍ୟାସର କଳା-ପ୍ରକରଣ ଠାରୁ ପୃଥକ୍‍ ନୁହେଁ । ତଥାପି ଏହାର କେତେକ ସ୍ଵାତନ୍ତ୍ର୍ୟ ଲକ୍ଷ୍ୟଣୀୟ । ସାମ୍ବାଦିକତା ସହିତ ରାଜନୈତିକ ଗଳ୍ପଉପନ୍ୟାସର ସମ୍ପର୍କ ବହୁ କ୍ଷେତ୍ରରେ ଆଖିରେ ପଡ଼େ । କଥାସାହିତ୍ୟରେ ରାଜନୈତିକ ଘଟଣାବଳୀ କାର୍ଯ୍ୟକାରଣ ସୂତ୍ରରେ ଗ୍ରଥିତ କଲା ବେଳେ ବିଶ୍ଵାସଯୋଗ୍ୟତା ଓ ଚମତ୍କାରିତା ସୃଷ୍ଟି ପାଇଁ କଥାକାରଙ୍କ ପକ୍ଷରେ ସାମ୍ବାଦିକ-ସୁଲଭ ପ୍ରକାଶଭଙ୍ଗୀ ସାଧାରଣତଃ ଉପଯୋଗୀ ହୋଇଥାଏ । ଏକପ୍ରକାର ଶୀତଳ ବସ୍ତୁ ନିଷ୍ଠତା, ନିବିଡ଼ ଓ ବିଶ୍ୱସ୍ତ ପର୍ଯ୍ୟବେକ୍ଷଣ ଏବଂ ମଝିରେ ମଝିରେ ମତ ବା ମନ୍ତବ୍ୟ ପ୍ରକାଶ ସାମ୍ବାଦିକ ଶୈଳୀର ବୈଶିଷ୍ଟ୍ୟ । କୋଏସଲର୍‌ଙ୍କ ‘ଡାର୍ଜନେସ୍ ଏଟ୍‌ ନୁନ୍‌’ ଉପନ୍ୟାସର ମୁଖ୍ୟ ଚରିତ୍ର ବନ୍ଦୀ ରୁବାସୋଭ୍‌ଙ୍କ ବିଚାର, ଆପଣା ଦୋଷ ସ୍ଵୀକାର ଏବଂ ଶେଷରେ ମୃତ୍ୟୁଦଣ୍ଡ ଘଟଣାଦି ବର୍ଣ୍ଣନାରେ ସାମ୍ବାଦିକ ଶୈଳୀ ସ୍ପଷ୍ଟ ବାରି ହୋଇ ପଡ଼େ । ସୁରେନ୍ଦ୍ର ମହାନ୍ତିଙ୍କର ‘ନରବଳି’ (୧୯୫୭) ଗଳ୍ପରେ ଶ୍ରମିକ ଇଉନିୟଅନ୍‌ର ନେତା ବିନୋଦଙ୍କର ଶ୍ରମିକ ପଟୁଆର ପରିଚାଳନା ଏବଂ ତାହାର କରୁଣ ପରିଣତି ଚମତ୍କାର ସାମ୍ବାଦିକ ସୁଲଭ ଭଙ୍ଗୀରେ ବର୍ଣ୍ଣିତ । ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ (୧୯୪୭) ଉପନ୍ୟାସ ଶେଷ ଭାଗରେ ପ୍ରତିଭାଙ୍କର ପ୍ରଜାମେଳିର ନେତୃତ୍ଵ ଗ୍ରହଣ, ପ୍ରକାଶ-ପୁରନ୍ଦରଙ୍କ ସହ ଜନସଭାରେ ଭାଷଣ ଏବଂ ଜେଲ୍‍-ମୁକ୍ତ ନବୀନଙ୍କ ସହ ମିଳନ ପ୍ରଭୃତି ଘଟଣା ସେହିପରି ସାମ୍ବାଦିକ ଶୈଳୀରେ ବିବୃତ ହୋଇଛି । ଦୃଶ୍ୟ-ଘଟଣାଦି ବର୍ଣ୍ଣନାରେ ସାମ୍ବାଦିକତାର ଅନୁପ୍ରବେଶ ରାଜନୈତିକ କଥାସାହିତ୍ୟର ସମୃଦ୍ଧି ସାଧନ କରିଛି । ବ୍ରଜ ମୋହନ ମହାନ୍ତିଙ୍କର ‘ନିଶବ୍ଦ ଆକାଶ ଅନ୍ଧ ପୃଥିବୀ’ (୧୯୭୭) ଉପନ୍ୟାସରେ ଭୋଟ୍ ଦେବା ବିଷୟରେ ଏକ ବର୍ଣ୍ଣନା ଲକ୍ଷ୍ୟ କରାଯାଉ:–

 

“ଚାଲାଖ ଲୋକେ ଭୋଟ୍‍ ଦେଇ ସାରି କହନ୍ତି ନାହିଁ କାହାକୁ ଦେଲେ ବୋଲି । ନିରୀହ ସରଳ ଗାଁ ଲୋକେ କହନ୍ତି ମୋତେ ସେ ଦଳ କହିଥିଲେ......ଏ ଦଳ କହିଥିଲେ, କାହା ମନରେ କଷ୍ଟ ଦେବ କାହିଁକି ? ସବୁ ଛବିରେ ମୋହର ମାରି ଦେଇଛି ।’’

 

କେହି କେହି–ମୋହର ମାରି ସାରି ମୁଁ କାଗଜଟା ବାକ୍ସରେ ପକାଇ ନାହିଁ ମ, ନେଇ ଆସିଛି ସାଙ୍ଗରେ ।

 

ଆଉ କେହି କହେ–ଆଖି ବୁଜି ମୋହର ମାରିଲି, ଯାହା ଦେହରେ ମୋହର ବାଜିଲା, ବାଜିଲା ।

 

ପୁଣି କେହି କହେ–ମୁଁ ଶଗଡ଼ିଆ ଲୋକ, ଶଗଡ଼ ଚିହ୍ନ ଛଡ଼ା ଆଉ କେଉଁଥିରେ ମୋହର ମାରିବି କାହିଁକି ?

 

ଭୋଟ୍‍ ଗ୍ରହଣ ଏମିତ କେତେ ରୂପ ନିଏ ଗାଁ ଲୋକଙ୍କ ମନରେ । କେହି ଭୋଟ୍‌ର ଅର୍ଥ ବୁଝନ୍ତି, କେହି ଭୋଟ୍ ଦିଅନ୍ତି କେବଳ ବାଧ୍ୟବାଧକତାରେ ।”

 

–ପୃଷ୍ଠା ୩୨୦-୨୧

 

କିମ୍ବା ଗଣେଶ୍ଵର ମିଶ୍ରଙ୍କ ‘ନେତା’ (୧୯୭୩) ଶୀର୍ଷକ ବଡ଼ ଗଳ୍ପରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନକାଳୀନ ଭାଷଣରୁ କିୟଦଂଶ ଉଦ୍ଧାର କରାଯାଉ–

 

“ଭାଇମାନେ, ଆମ ଦଳ ମୋ ନେତୃତ୍ଵରେ (ଗୋବର୍ଦ୍ଧନ ନିଜ ପ୍ରଶସ୍ତ ବକ୍ଷସ୍ଥଳକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ) କ୍ଷମତାକୁ ଆସିବା ଦିନୁ ଓଡ଼ିଶାରେ ନବ ଜାଗରଣ ଆସିଛି । ସମଗ୍ର ଭାରତ ତଥା ବିଶ୍ଵର ଦୃଷ୍ଟି ଓଡ଼ିଶା ଉପରେ ପଡ଼ିଛି । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରେ ଇତିହାସରେ ଆଉ କେଉଁ ଶାସକ ଅମଳରେ ଓଡ଼ିଶା ଏଭଳି ପ୍ରସିଦ୍ଧି ପାଇ ନ ଥିଲା । (କରତାଳି) ଆପଣମାନେ ଜାଣନ୍ତି ମୁଖ୍ୟମନ୍ତ୍ରୀ ହେବା ପରେ ପୃଥିବୀର ବିଭିନ୍ନ ଦେଶ ଗସ୍ତ କରିଛି । ବିଭିନ୍ନ ଦେଶର ନେତା ଓ ଶିଳ୍ପପତିମାନଙ୍କ ସହିତ ଓଡ଼ିଶାର ଉନ୍ନତି ବିଷୟରେ ଆଲୋଚନା କରିଛି । X X X ସେମାନେ ସମସ୍ତେ କହନ୍ତି, ଓଡ଼ିଶା ଦିନେ ନା ଦିନେ ଅଲବତ୍‍ ପୃଥିବୀର ସବୁଠାରୁ ଧନୀ ରାଜ୍ୟ ହେବ । ଗୋଟାଏ ନୁହେଁ, ପନ୍ଦରଟା ବମ୍ବେ, କଲିକତା ଏଇ ଓଡ଼ିଶାରେ ମୁଣ୍ଡ ଟେକିବ । ଗୋଟିଏ ବି ଚାଳଘର କେଉଁଠି ରହିବ ନାହିଁ, ସବୁ ଘର ହେବ କୋଠାଘର । ଘରେ ଘରେ ଇଲେକ୍‌ଟ୍ରିକ୍‌ ଆଲୁଅ, ରେଫରିଜରେଟର୍, ଇଲେକ୍‌ଟ୍ରିକ୍‌ ଓଭେନ୍‌ । ରାସ୍ତା ସବୁ ହେବ ଲଣ୍ଡନ ବା ପ୍ୟାରିସ୍‌ର ରାସ୍ତା ପରି ସୁନ୍ଦର । ପ୍ରତି ପରିବାରରେ ଅନ୍ତତଃ ଗୋଟିଏ ଲେଖାଏଁ କାର୍‌ ରହିବ । ସମସ୍ତଙ୍କ ହାତରେ ବ୍ୟାଙ୍କ ବାଲାନ୍‌ସ । ଆଉ ଏ ସବୁ ହେବ କେବଳ ମୋରି ନେତୃତ୍ଵରେ । X X X ଆପଣମାନେ ଖବରକାଗଜରେ ପଢ଼ିଥିବେ, ଅତୀତରେ ମୁଁ କେତେ ବଡ଼ ବଡ଼ କାମ କରିଛି, କେତେ ବଡ଼ ବଡ଼ ଲୋକଙ୍କ ଜୀବନ ବଞ୍ଚାଇଛି । ଯେତେବେଳେ ଇଂରେଜ ସରକାର ବିରୁଦ୍ଧରେ ଭାରତବାସୀ ସ୍ଵାଧୀନତା ପାଇଁ ସଂଗ୍ରାମ କରୁଥିଲେ, ସେତେବେଳେ ମୁଁ ବିଦେଶରେ ରହି ସ୍ଵାଧୀନତା ପରେ ଦେଶର କିପରି ଉନ୍ନତି ହେବ, କିପରି ନୂଆ ନୂଆ କଳକାରଖାନା ସ୍ଥାପିତ ହେବ, ସେଇ ବିଷୟ ଚିନ୍ତା କରୁଥିଲି । ବର୍ତ୍ତମାନ ଆଉ ଚିନ୍ତା କରିବାର ସମୟ ନାହିଁ, କାମର ସମୟ ଆସିଚି–କାମ ଦରକାର, ଆକ୍‌ସନ୍‍–ଆକ୍‌ସନ୍‌ । (ଗୋବର୍ଦ୍ଧନ ମୁଷ୍ଟିବଦ୍ଧ ହାତ ଉପରକୁ ଟେକିଲେ ଓ ଜନତା ମଧ୍ୟରୁ ପ୍ରବଳ କରତାଳି ହେଲା ।)”

 

–ପୃଷ୍ଠା ୧୦୫-୬

 

ବୋଲିବା ବାହୁଲ୍ୟ ଯେ–ସମ୍ବାଦପକ୍ଷର ସମ୍ବାଦ ବା ବିବରଣୀ ସହିତ ଏହି ବର୍ଣ୍ଣନାର ଅନେକ ସାଦୃଶ୍ୟ ରହିଛି । ଏହିପରି ସାମ୍ବାଦିକ ଶୈଳୀ ରାଜନୈତିକ କଥାସାହିତ୍ୟ ରଚନାରେ ସର୍ବତ୍ର ନ ହେଲେ ହେଁ, କେତେକ ବିଶେଷ ବିଶେଷ ସ୍ଥାନରେ ବୋଧହୁଏ ଅପରିହାର୍ଯ୍ୟ ।

 

ପ୍ରସଙ୍ଗ କ୍ରମେ ଏଠାରେ ସୂଚାଇ ଦିଆଯାଇ ପାରେ ଯେ–ଦେଶର ନିର୍ବାଚନ-ସର୍ବସ୍ଵ ରାଜନୀତି ଘେନି ଆମର କେତେକ ଉତ୍କୃଷ୍ଟ କଥାସାହିତ୍ୟ ସୃଷ୍ଟି ହୋଇଛି । ପୂର୍ବୋକ୍ତ ଗଣେଶ୍ଵରଙ୍କ ‘ନେତା’, ବ୍ରଜମୋହନଙ୍କର ‘ନିଶବ୍ଦ ଆକାଶ ଅନ୍ଧ ପୃଥିବୀ’ ତାହାର ଉଜ୍ଜ୍ୱଳ ଉଦାହରଣ । ରାସବିହାରୀ ବେହେରାଙ୍କର ‘ବିଜୟୀ’ (୧୯୬୨) ଉପନ୍ୟାସରେ ସେହି ନିର୍ବାଚନ-ରାଜନୀତି ପୁଣି ଛାତ୍ର ସମାଜ-ସମ୍ପର୍କିତ । ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ଆମର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ରାଜନୀତିର ସ୍ଵରୂପ-ପ୍ରକୃତ ସମ୍ପର୍କରେ ଏକ ଚମତ୍କାର ଚିତ୍ର ଏଥିରେ ରାସବିହାରୀ ପରିବେଷଣ କରିଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କର ‘ଅନ୍ଧ ଦିଗନ୍ତ’ (୧୯୬୪) ଉପନ୍ୟାସର କଥାବସ୍ତୁରେ ସେହି ନିର୍ବାଚନ ରାଜନୀତି ଗୃହୀତ ହୋଇଛି ସତ୍ୟ; କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ନ୍ୟସ୍ତସ୍ଵାର୍ଥର କାରସାଦି ଏବଂ ପ୍ରକୃତ ଜନ ସେବକଙ୍କର ଦୁର୍ଦ୍ଦଶା । ଏଥିରେ ପ୍ରଭାବଶାଳୀ ରୀତିରେ ଉପସ୍ଥାପିତ କରାଯାଇ ଥିବାରୁ ତାହାହିଁ ଉପନ୍ୟାସର ପ୍ରଧାନ ବକ୍ତବ୍ୟ ହୋଇ ଉଠିଛି । ଶୁଦ୍ଧୋଦନ କିମ୍ବା ନିଧି ଦାସଙ୍କ ପରି ଚରିତ୍ର ଆମର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଏକପ୍ରକାର ଏକାତ୍ମକତା ଲାଭ କରି ଯାଇଛନ୍ତି ।

 

କିନ୍ତୁ ହରେକୃଷ୍ଣ ମହତାବଙ୍କ ‘ତୃତୀୟ ପର୍ବ’ (୧୯୭୭) ଏବଂ ‘ଊଣେଇଶ ଶହ ପଞ୍ଚସ୍ତରୀ’ (୧୯୭୯) ଉପନ୍ୟାସ ଯୋଡ଼ିକର ବକ୍ତବ୍ୟ ଭିନ୍ନ–ଆଭିମୁଖ୍ୟ ସ୍ଵତନ୍ତ୍ର । ରାଜନୀତିର ଚଳନ୍ତି ଧାରାର ଆଲେଖ୍ୟ ଏଥିରେ ଉତ୍କୀର୍ଣ୍ଣ–ଅଷ୍ଟମ ଦଶକରେ ଶାସକ ଗୋଷ୍ଠୀର ବିରୋଧୀ ଦଳ ଦମନ, ନକ୍‌ସାଲାଇଟ୍‌ ଆନ୍ଦୋଳନ, ପୂର୍ଣ୍ଣାଙ୍ଗ ବିପ୍ଳବ, ଇମରଜେନ୍‌ସିର ଘନଘଟା ପ୍ରଭୃତି ଏଥିରେ ରୂପାୟିତ । ଏହି ଉପନ୍ୟାସ ଦୁଇଟି ପାଠ କଲେ, ମନେହୁଏ–ରାଜନୈତିକ ଉପନ୍ୟାସ ବହୁଳାଂଶରେ ‘ଅକଳ୍ପନାମୂଳକ ଉପନ୍ୟାସ’ ବା ‘Non–fiction Novel’ ହେବା ପାଇଁ ବାଧ୍ୟ । ଆମର ସୁଧୀମଣ୍ଡଳୀ ମାର୍କିନ୍‍ ସାହିତ୍ୟର ‘ନନ୍‌ଫିକସନ୍‍ ନଭେଲ୍‌’ ସମ୍ପର୍କରେ ସମ୍ବାଦ ରଖିଥିବେ । ସପ୍ତମ ଦଶକରେ ମାର୍କିନ୍‍ ଯୁକ୍ତରାଷ୍ଟ୍ରର ଟ୍ରୁମାନ୍‍ କାପୋତେ (‘ଇନ୍ କୋଲ୍‌ଡ୍ ବ୍ଲଡ୍’ ଉପନ୍ୟାସ)’ ନର୍ମାଲ୍ ମେଲର୍‌ (‘ଦି ଆର୍ମିଜ୍ ଅବ୍ ଦି ନାଇଟ୍’ ଉପନ୍ୟାସ) ପ୍ରମୁଖ କଥାକାରମାନେ ଚମତ୍କାର ଆଖ୍ୟାନ ମୂଳକ ଆଙ୍ଗିକରେ ସମକାଳୀନ ସତ୍ୟ ଘଟଣାବଳୀ ଘେନି ଯେଉଁ କଥାସାହିତ୍ୟ ସୃଷ୍ଟି କରିଛନ୍ତି, ତାହାକୁ ହିଁ ‘ନନ୍‌ଫିକସନ୍ ନଭେଲ୍‌’ ନାମରେ ସମୀକ୍ଷକମାନେ ଚିହ୍ନିତ କରିଛନ୍ତି ।* ପ୍ରକୃତ ସାମାଜିକ ବା ରାଜନୈତିକ ବ୍ୟାପାରକୁ କଳ୍ପନାର ପତଳା ଫୁଟ ଦେଇ ଏହା ରଚିତ ହୋଇଛି-। ସାମ୍ବାଦିକତା ଓ ଆଖ୍ୟାନ ମୂଳକତାର ଏହା ଏକ ମିଶ୍ର ବା ସଙ୍କର ଶୈଳୀ । ‘ତୃତୀୟ ପର୍ବ’ ଉପନ୍ୟାସର ଘଟଣା-ସ୍ଥଳ ମୁଖ୍ୟତଃ ଭୁବନେଶ୍ୱର ଓ କୋରାପୁଟ–‘ଊଣେଇଶ ଶହ ପଞ୍ଚସ୍ତରୀ’ ଉପନ୍ୟାସର ଘଟଣା ସ୍ଥଳ ମୁଖ୍ୟତଃ ପୁରୀ ଓ କଲିକତା । ଏ ସବୁ ସ୍ଥାନରେ ଆମର ପରିଚିତ ବିଭିନ୍ନ ଦୃଶ୍ୟ ଏବଂ ଚିହ୍ନାଜଣା କେତେକ ମୁହଁ ଉପନ୍ୟାସ ଯୋଡ଼ିକରେ ରୂପାୟିତ ହୋଇଛି-। ଘଟଣାବଳୀର ପୃଷ୍ଠପଟରେ ରହିଛନ୍ତି–ମହାତ୍ମାଗାନ୍ଧୀ, ଶ୍ରୀ ଅରବିନ୍ଦ, ନାଗଭୂଷଣ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ । ‘ତୃତୀୟ ପର୍ବ’–ବର୍ଣ୍ଣିତ ଭୁବନେଶ୍ଵରର ‘ଆଶ୍ରମ’ କିମ୍ବା ‘ଊଣେଇଶଶହ ପଞ୍ଚସ୍ତରୀ’–ବର୍ଣ୍ଣିତ ପୁରୀର ‘ଶେଷାଶ୍ରୟ’ ଖୋଜି ପାଇବା କଠିନ ହେବ ନାହିଁ-। ଆଉ ରାମଶଙ୍କର, ହରି ଚରଣ ପ୍ରଭୃତି ଚରିତ୍ର ସାମ୍ପ୍ରତିକ ରାଜନୀତି-କ୍ଷେତ୍ରର କେତେକ ପ୍ରକୃତ ଲୋକଙ୍କର ଛଦ୍ମନାମ ବୋଲି ମନେହେବ । ତେଣୁ ‘ତୃତୀୟ ପର୍ବ’ ଓ ‘ଊଣେଇଶ ଶହ ପଞ୍ଚସ୍ତରୀ’ ଉପନ୍ୟାସ ଯୋଡ଼ିକୁ ମାର୍କିନ୍‍ ସମୀକ୍ଷକଙ୍କ ପରିଭାଷାରେ ‘ନନ୍‌ଫିକସନ୍‌ ନଭେଲ’ ବୋଲାଯାଇ ପାରେ ।

 

* Fact and Fiction–by John Hollowell, The University of North Carolina Press, Chapel Hill, U.S.A. (1977).

 

ଶେଷରେ, ରାଜନୈତିକ କଥାସାହିତ୍ୟ ଲଲାଟପଟରେ ଅଙ୍କିତ କଳଙ୍କ କାଳିମାର ରେଖା ବିଷୟ ସୂଚାଇ ପ୍ରବନ୍ଧର ଉପସଂହାର କରେ । ଅଭିଯୋଗ ହୁଏ–ରାଜନୈତିକ ଗଳ୍ପ-ଉପନ୍ୟାସ ସାଧାରଣତଃ ପ୍ରଚାରଧର୍ମୀ ହୋଇପଡ଼େ; ଫଳତଃ ଏହାର କଳାତ୍ମକତା ହାନି ହୁଏ । କେହି କେହି ମଧ୍ୟ ରାଜନୈତିକ ଗଳ୍ପ-ଉପନ୍ୟାସର ସ୍ଥାୟିତ୍ଵ ବା ଚିରନ୍ତନତା ଘେନି ପ୍ରଶ୍ନ ଉଠାଇ ଥାଆନ୍ତି । ଏହି ସବୁ ଅଭିଯୋଗର ଯେ ସତ୍ୟତା ନାହିଁ, ତାହା ବୋଲାଯାଇ ପାରିବ ନାହିଁ । କିନ୍ତୁ ସମସ୍ତ ରାଜନୈତିକ କଥାସାହିତ୍ୟ ପ୍ରତି ଏହା ପ୍ରଯୋଜ୍ୟ ହୋଇ ନ ପାରେ । ପୂର୍ବରୁ ସୂଚିତ ହୋଇଛି ଯେ–ରାଜନୈତିକ ଗଳ୍ପଉପନ୍ୟାସ କିଛି କାଳ ଅତିକ୍ରାନ୍ତ ହେଲା ପରେ ଐତିହାସିକ ଗଳ୍ପ-ଉପନ୍ୟାସରେ ପରିଣତ ହୋଇଥାଏ । ଏବେ ଯାହା ରାଜନୈତିକ କଥାସାହିତ୍ୟ ରୂପେ ସମାଦୃତ ହେଉଛି, ପରବର୍ତ୍ତୀ କାଳରେ ତାହା ଐତିହାସିକ କଥାସାହିତ୍ୟ ଭାବରେ ଗୃହୀତ ଓ ଆଦୃତ ହୋଇପାରେ । ରାଜନୈତିକ ଗଳ୍ପ-ଉପନ୍ୟାସର ତାତ୍‌କାଳିକତା ସ୍ଵୀକାର କରିବା ସଙ୍ଗେ ସଙ୍ଗେ ଏହା ବୋଲାଯାଇ ପାରେ ଯେ–ଗଭୀର ମାନବୀୟ ଆବେଦନ ଏବଂ ଭାବରସର ପ୍ରଭାବଶାଳୀ ପରିପ୍ରକାଶ ଥିଲେ, ତାହା ଅବଶ୍ୟ ସ୍ଥାୟୀ ଓ ଚିରନ୍ତନ ମୂଲ୍ୟ ଧାରଣ କରିବ । ପଚାଶ ବର୍ଷ ପରେ ଏବେ ଆମ ନିକଟରେ ଲବଣ ସତ୍ୟାଗ୍ରହ ଗୁରୁତ୍ଵ ହରାଇ ପାରିଥାଏ; କିନ୍ତୁ ଅନନ୍ତର ନିଷ୍ଠାପର ସ୍ଵଦେଶ ପ୍ରେମ, ମାତୃଭୂମିର ପୂଜାବେଦୀରେ ସ୍ଵାର୍ଥବଳି ଏବଂ ନ୍ୟସ୍ତସ୍ଵାର୍ଥ ସହିତ ସାଲିସ୍‌ହୀନ ଆଭିମୁଖ୍ୟ ‘ପୂଜାର ବଳି’ ଉପନ୍ୟାସକୁ ଏପର୍ଯ୍ୟନ୍ତ ଆମର ଆଦରଣୀୟ କରି ରଖିଛି । ୧୯୨୧ ଠାରୁ ୧୯୫୨ ପର୍ଯ୍ୟନ୍ତ କାଳପରିଧି ମଧ୍ୟରେ ସଂଘଟିତ ରାଜନୈତିକ ଘଟଣାବଳୀର ମୂଲ୍ୟ ଏବେ ଆମ ନିକଟରେ ଊଣା ହୋଇଯାଇ ପାରେ; କିନ୍ତୁ ସେହି ଘଟଣାବଳୀ ସହ ସମ୍ପୃକ୍ତ ନିଧି ଦାସ–ଶୁଦ୍ଧୋଦନ–କୌଶଲ୍ୟା–ଗୌରୀ ପ୍ରମୁଖ ଚରିତ୍ର ସମୂହର ମାନବୀୟ ଅଭୀପ୍ସା ଓ ଆବେଦନ ‘ଅନ୍ଧ ଦିଗନ୍ତ’ ଉପନ୍ୟାସକୁ ବହୁଦିନ ପର୍ଯ୍ୟନ୍ତ ଆମର ଆଦରଣୀୟ କରି ରଖିବ ।

 

ସେହିପରି ରାଜନୈତିକ କଥାସାହିତ୍ୟର କଳାତ୍ମକତା ବଜାୟ ରଖିବା ଏକାନ୍ତ ଭାବେ ଲେଖକ–ସାପେକ୍ଷ ବ୍ୟାପାର । ଶକ୍ତିଧର କଥାକାରଙ୍କ ଲେଖନୀରେ ରାଜନୈତିକ ଗଳ୍ପ-ଉପନ୍ୟାସ ପ୍ରଚାରଧର୍ମୀ ହୋଇ ମଧ୍ୟ ରସୋତ୍ତୀର୍ଣ୍ଣ ହୋଇପାରେ । ଇଂରେଜୀ ଲେଖକ ଜର୍ଜ ଅରଞ୍ଜେଲ୍ (୧୯୦୩–୫୦) କିମ୍ବା ଆମର ସୁରେନ୍ଦ୍ର ମହାନ୍ତିଙ୍କର ଗଳ୍ପ-ଉପନ୍ୟାସ ଏହାର ଉଦାହରଣ । ଟ୍ରେଡ୍‌ଇଉନିୟନ୍ ଶ୍ରମିକ ସମାଜର ଲାଭ ଅପେକ୍ଷା କ୍ଷତି କରିଥାଏ ଅଧିକ–ଏହି କଥା ପ୍ରଚାର କରିଥିଲେ ହେଁ ସୁରେନ୍ଦ୍ରଙ୍କର ‘ନରବଳି’ ଗଳ୍ପଟି ନିଃସନ୍ଦେହରେ ଏକ କଳାତ୍ମକ ସୃଷ୍ଟି । ସେହିପରି ଏକନାୟକତନ୍ତ୍ର ବା ଟୋଟୋଲିଟେରିୟାନ୍ ଷ୍ଟେଟ୍ ବିପକ୍ଷରେ ପ୍ରଚାର କରିଥିଲେ ହେଁ ଅରଞ୍ଜେଲ୍‌ଙ୍କର ‘ନାଇଣ୍ଟିନ ଏଇଟ୍ଟିଫୋର୍‌’ ଉପନ୍ୟାସଟି ସାହିତ୍ୟକୃତି ଭାବରେ ଉପଭୋଗ୍ୟ । ଏଠାରେ ଆମକୁ ମନେ ରଖିବାକୁ ହେବ ଯେ–ପ୍ରଚାରଧର୍ମୀ ହେଲେ କଥାସାହିତ୍ୟର ହାଣ୍ଡିମାରା ହୁଏ ନାହିଁ । ବିଶ୍ଵର ବିଭିନ୍ନ ସାହିତ୍ୟରେ ଗଳ୍ପ-ଉପନ୍ୟାସକୁ ବରାବର ନାନା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ ଥିବାର ଦେଖା ଯାଉଛି । ଆନନ୍ଦଦାନ ବା ରସ-ଉଦବୋଧନ ରୂପକ ମୂଳ କଥାଟି ତ ରହିଛି; ତାହା ସଙ୍ଗେ ସଙ୍ଗେ ସମାଜ ସଂସ୍କାର ବା ଜାତୀୟ ଆନ୍ଦୋଳନ ସଂଘଟନ ଉଦ୍ଦେଶ୍ୟରେ–ଧର୍ମ ପ୍ରଚାର ବା ରାଜନୈତିକ ମତ ସଂଗଠନ ଲକ୍ଷ୍ୟରେ–ନାନା ଜ୍ଞାନ–ବିଜ୍ଞାନର ପ୍ରଚାର କିମ୍ବା ବିଭିନ୍ନ ଟେକ୍‌ନିକାଲ୍ ତଥ୍ୟ ପରିବେଷଣ ଉଦ୍ଦେଶ୍ୟରେ କଥାସାହିତ୍ୟକୁ ବ୍ୟବହାର କରାଯାଉ ଥିବାର ପରିଲକ୍ଷିତ ହେଉଛି । ତେଣୁ ପ୍ରଚାର ଧର୍ମିତା ବା କଥାସାହିତ୍ୟର ଫଳିତ ଦିଗ ନିନ୍ଦନୀୟ ହେବ କାହିଁକି ? ସାହିତ୍ୟ କଳାଦି କ୍ଷେତ୍ରରେ ଏକମାତ୍ର ନିନ୍ଦନୀୟ ବ୍ୟାପାର ହେଉଛି–ଅଭିବ୍ୟକ୍ତିରେ ଅକ୍ଷମତା ବା ଭାବ ପ୍ରକାଶରେ ଅପାରଗତା ।

 

କୃଷ୍ଣଚରଣ ବେହେରା

୧୪ । ୩ । ୮୧

ଓଡିଆ ଭାଷା ଓ ସାହିତ୍ୟ ବିଭାଗ

କଟକ ରେଭେନ୍‌ସା କଲେଜ୍‌

Image

 

Unknown

ମନସ୍ତତ୍ତ୍ଵ ଭିତ୍ତିକ ଓଡ଼ିଆ ଉପନ୍ୟାସ : କ୍ଷୁଦ୍ରଗଳ୍ପ

ବିଭୂତି ପଟ୍ଟନାୟକ

 

ଉପନ୍ୟାସ ଏକ ମନନଶୀଳ ସାହିତ୍ୟ ଶିଳ୍ପ । କାବ୍ୟ କବିତା ଭଳି ଗାନ କିମ୍ବା ଆବୃତ୍ତି ଦ୍ଵାରା ଏହାର ସେ ଆସ୍ଵାଦନ କରାଯାଇ ପାରେନାହିଁ । ନାଟକ ଭଳି ଏହା ମିଶ୍ରକଳା ନୁହେଁ; କିମ୍ବା ଏହାର ଅଭିନୟ ଦେଖି, ସଂଳାପ, ସଙ୍ଗୀତ ଶୁଣି ଦର୍ଶନେନ୍ଦ୍ରିୟ ଓ ଶ୍ରବଣେନ୍ଦ୍ରିୟ ଦ୍ଵାରା ଏହାକୁ ଭୋଗ କରାଯାଇ ପାରେନାହିଁ । ସଙ୍ଗୀତଧର୍ମୀ କାବ୍ୟର ଶ୍ରୋତା, ଅଭିନୟ ଉପଯୋଗୀ ନାଟକର ଦର୍ଶକ; ନିରକ୍ଷର ହୋଇଥିଲେ ଚଳିଯାଇ ପାରେ; କିନ୍ତୁ ଉପନ୍ୟାସର ପାଠକ ହେବାର ପ୍ରଥମ ସର୍ତ୍ତ ହେଉଛି ସେ ପଢ଼ି ଶିଖିଥିବ; ଦ୍ୱିତୀୟ ପୃଷ୍ଠା ପଢ଼ିଲାବେଳେ ପ୍ରଥମ ପୃଷ୍ଠାର ପାଠ କଥା ସ୍ମରଣ ରଖି ପାରୁଥିବ; ନିଜ ମନର ସୂକ୍ଷ୍ମ ଅନୁଭୂତି ଦେଇ ଉପନ୍ୟାସ କାହାଣୀ, ଚରିତ୍ର ସହିତ ଏକାତ୍ମ ହୋଇ ପାରୁଥିବ; ତାହାହେଲେ ସେ ଉପନ୍ୟାସକୁ କିଞ୍ଚିତ୍ ଉପଭୋଗ କରି ପାରିବ । କିନ୍ତୁ ଉପନ୍ୟାସକୁ ସମ୍ପୂର୍ଣ୍ଣ ଉପଭୋଗ କରି ପାରିବ ସେଇ ପାଠକ ଯାହାର ମନର ସୂକ୍ଷ୍ମ ଅନୁଭୂତି ସହିତ ମନର ବିଚାର ବୁଦ୍ଧି ମଧ୍ୟ ଯୁକ୍ତ ହୋଇଥିବ । ଉପନ୍ୟାସର କଥାବସ୍ତୁକୁ (plot) ଉପଲବ୍ଧି କରିବା ପାଇଁ ମନର ସୂକ୍ଷ୍ମ ରସାନୁଭୂତି ଯଥେଷ୍ଟ ହୋଇପାରେ; ମାତ୍ର ତା’ର ଭାବବସ୍ତୁ (theme)କୁ ଭେଦ କରିବା ଲାଗି ଲୋଡ଼ା ପରିଶୀଳିତ ବୌଦ୍ଧିକ ବିଚାର; କାରଣ ଉପନ୍ୟାସରେ କଥାବସ୍ତୁ ମଧ୍ୟରେ ଭାବବସ୍ତୁ ହେଉଛି ତ ଧାନ ଭିତରେ ଚାଉଳଟିଏ ପରି !

 

କାବ୍ୟର ସାଂଗୀତିକତା ଓ ନାଟକର ଅଭିନୟତା ଗୁଣ ନଥାଇ ସୁଦ୍ଧା, ସାହିତ୍ୟ କ୍ଷେତ୍ରରେ ନୂତନ ଆଗନ୍ତୁକ ଉପନ୍ୟାସ ଦିନେ ସର୍ବାଧିକ ଲୋକପ୍ରିୟ କଳା ରୂପରେ (Art form) ପରିଣତ ହୋଇଥିଲା । ଆଜି ସୁଦ୍ଧା ଉପନ୍ୟାସର ଲୋକପ୍ରିୟତା ହ୍ରାସ ପାଇଲା ଭଳି ମନେହେଉ ନାହିଁ । ଏହାର କାରଣ କ’ଣ ? କେହି କେହି ରହସ୍ୟ ଭେଦୀ, ଜ୍ଞାନୀ ଗୁଣିଜନ କହିଛନ୍ତି, କାବ୍ୟ କିମ୍ବା ନାଟକଠାରୁ ଉପନ୍ୟାସର ଲେକପ୍ରିୟତାର ପ୍ରଧାନ କାରଣ ହେଉଛି, ତା’ର ଅଦୃଶ୍ୟକୁ ଦୃଶ୍ୟମାନ କରିବାର କ୍ଷମତା । କାରଣ ତା’ ପାଦରେ ଛନ୍ଦର ବନ୍ଧନ ନାହିଁ । ନାଟ୍ୟକାର ନେପଥ୍ୟରେ ରହିଗଲା ଭଳି ଔପନ୍ୟାସିକ ଅନ୍ୟ ମୁହଁରେ ନିଜ କଥା କୁହାଏ ନାହିଁ । ଆଉ ତା’ ହାତରେ ବଡ଼ ଅସ୍ତ୍ର ହେଉଛି, ତା’ର ଭାଷା ରୀତି । ଉପନ୍ୟାସର ଭାଷା ବର୍ଣ୍ଣନାତ୍ମକ ଗଦ୍ୟ–narrative prose–ଯାହା ସାହାଯ୍ୟରେ କାହାଣୀ, ଚରିତ୍ର, ପରିବେଶ–ସକଳ ଦୃଶ୍ୟ-ଅଦୃଶ୍ୟ ବସ୍ତୁକୁ ସେ ଟିକିନଖି ବର୍ଣ୍ଣନା କରି ପାଠକ ମନରେ ଏକ ସମ୍ପୂର୍ଣ୍ଣ ଚିତ୍ର ଆଙ୍କିଦେଇ ପାରେ । ଚାର୍ଲସ ଡିକେନ୍‌ସଙ୍କ ‘ଡେଭିଡ୍‌ କପରଫିଲ୍‌ଡ’ଠାରୁ ଫକୀରମୋହନଙ୍କଠାରୁ ‘‘ଛଅମାଣ ଆଠଗୁଣ୍ଠ” ପର୍ଯ୍ୟନ୍ତ ବହୁ କାଳଜୟୀ ଉପନ୍ୟାସ ଏହି ବର୍ଣ୍ଣନାତ୍ମକ ଗଦ୍ୟଶୈଳୀରେ ରଚିତ ହୋଇ ପାଠକକୁ ପରିପୂର୍ଣ୍ଣ ତୃପ୍ତି ଦେଇପାରି ଥିଲା । କିନ୍ତୁ ଯେଉଁଦିନ ମନୋବିଜ୍ଞାନୀ ଫ୍ରୟେଡ୍ ସାହେବ ଘୋଷଣା କଲେ ଯେ ମଣିଷ ମନ ଭିତରେ ଏକ ଉପମନ (Sub-Conscious mind) ଅଛି ଯାହା ଅତୃପ୍ତଇଚ୍ଛା ଆଉ ଆବଦଳିତ ଚିନ୍ତାରେ ଗନ୍ତାଘର ଓ ସ୍ଵପ୍ନ, ଅର୍ଦ୍ଧପ୍ରକାଶିତ ଚିନ୍ତା ସହିତ ମଣିଷର ଯୌନ ପ୍ରବୃତ୍ତିର ନିଗୂଢ଼ ସମ୍ପର୍କ ନିହିତ; ସେ ଦିନ ପୂର୍ବର ସବୁ ବଦ୍ଧମୂଳ ଧାରଣା ବାତିଲ ହୋଇ ଯିବାକୁ ବସିଲା, ମଣିଷର ମନ ସମୁଦ୍ରରେ ଭାସୁଥିବା ଏକ ବରଫଖଣ୍ଡ ଭଳି, ଯାହାର ତିନି ଚତୁର୍ଥାଂଶ ଜଳମଗ୍ନ ଅବସ୍ଥାରେ ଥାଏ; ଉପରକୁ ଦେଖାଯାଉଥାଏ ମାତ୍ର ଏକ ଚତୁର୍ଥାଂଶ ! ମଣିଷକୁ ସମ୍ପୂର୍ଣ୍ଣ ଭାବରେ ଚିହ୍ନିବାକୁ ହେଲେ ଅବଚେତନର ସେଇ ତିନି ଚତୁର୍ଥାଂଶକୁ ଆବିଷ୍କାର କରିବା ଏକାନ୍ତ ଜରୁରୀ !

 

ଫ୍ରୟେଡଙ୍କ ଏହି ମନୋ-ବିଶ୍ଳେଷଣ ଧାରା ଉପନ୍ୟାସ ପାଠକ ମନରେ ଆଲୋଡ଼ନ ସୃଷ୍ଟି କଲା । ତା’ର ମନେହେଲା, ଉପନ୍ୟାସରେ ଏପର୍ଯ୍ୟନ୍ତ ଯେଉଁ ମଣିଷର ଚିତ୍ର ଅଙ୍କନ କରାଯାଇଛି, ସେ ଏକ ଅସମ୍ପୂର୍ଣ୍ଣ ମଣିଷ । ତା’ର ବାହ୍ୟ-ଚେହେରା, କାର୍ଯ୍ୟକଳାପରୁ ସେ ଯେଭଳି ମଣିଷ ଭାବରେ ଚିତ୍ରିତ ହୋଇଛି, ପ୍ରକୃତରେ ତାହା ତା’ର ଅସଲ ରୂପ ନୁହେଁ । ସେ ସମୟରେ ଘଟଣା-ପ୍ରଧାନ ଉପନ୍ୟାସର ସୀମା ଅତିକ୍ରମ କରି ଉପନ୍ୟାସ ଚରିତ୍ର ପ୍ରଧାନ ହୋଇଥିଲେ । କିନ୍ତୁ ଉପନ୍ୟାସରେ ଯିଏ ପ୍ରଧାନ ଚରିତ୍ର–ସେଇ ମଣିଷ–ତା’ର ଅସଲ ସ୍ଵରୂପ ଯେ ଉଦ୍‌ଘାଟିତ ହୋଇନାହିଁ; ଏ ଧାରଣା ପାଠକମାନଙ୍କୁ କ୍ଷୁବ୍ଧ କଲା । ଅନୁଭବ କରାଗଲା, ମୁକ୍ତା ଉତ୍ତୋଳନକାରୀ ଯେପରି ଅତଳ ସମୁଦ୍ର ଗର୍ଭରେ ଡୁବ ମାରି ମୁକ୍ତା ଉତ୍ତୋଳନ କରେ ଔପନ୍ୟାସିକ ସେହିପରି ମନୋବିଶ୍ଳେଷଣ ଧାରା ଅନୁସରଣ କରି ଚରିତ୍ରମାନଙ୍କ ଅବଚେତନ ମନର ଗଭୀର ସମୁଦ୍ରରୁ ତା’ର ଅବ୍ୟକ୍ତ ଭାବନା ଓ ଅବଦମଳିତ ପ୍ରବୃତ୍ତିକୁ ଆବିଷ୍କାର କରି ପାଠକ ସମ୍ମୁଖରେ ଉପସ୍ଥାପିତ କରିବ ।

 

ପ୍ରକୃତରେ ଦେଖିବାକୁ ଗଲେ ୧୯୧୩ ମସିହାରେ ମାର୍ସେଲ ପୁସ୍ତକ “Remembrance of things past”, ୧୯୧୫ ମସିହାରେ ଡରୋଥି ରିଚାର୍ଡସନଙ୍କ ‘Pilgrimage’ର ପ୍ରଥମଭାଗ ଏବଂ ୧୯୧୪ ମସିହାରେ ଜେମ୍‌ସ୍‌ ଜୟେସ୍‌ଙ୍କ “A Protrait of the Artist as a youngman’’ ଉପନ୍ୟାସ ପ୍ରକାଶିତ ହେଲାପରେ ବିଶ୍ଵ କଥାସାହିତ୍ୟରେ ମନସ୍ତାତ୍ତ୍ୱିକ ଉପନ୍ୟାସର ଜନ୍ମ ହେଲା । ଏହି ତିନିଜଣ ବିଶିଷ୍ଟ ଔପନ୍ୟାସିକ ପୂର୍ବରୁ ପରସ୍ପର ସହିତ ପରିଚିତ ନଥିଲେ ସୁଦ୍ଧା ମନୋବିଶ୍ଳେଷଣ ଧାରା ନିଜ ଉପନ୍ୟାସରେ ପ୍ରୟୋଗ କରିଥିବା ହେତୁ ଏମାନଙ୍କ ଏହି ତିନିଖଣ୍ଡ ପ୍ରଖ୍ୟାତ ଉପନ୍ୟାସର କଥନଭଙ୍ଗୀ, ଭାଷା, କାହାଣୀର ବିସ୍ତାର ଓ ପରିଣତିରେ କେତେକ ସାମ୍ୟ ପରିଲକ୍ଷିତ ହୁଏ । ଏହାକୁ ହିଁ ସେ ଯୁଗରେ ମନସ୍ତାତ୍ତ୍ୱିକ ଉପନ୍ୟାସର ପ୍ରଧାନ ଉପାଦାନ ଭାବରେ ଗ୍ରହଣ କରାଯାଇଥିଲା । ବାହ୍ୟଜଗତରୁ ଦୃଷ୍ଟି ଫେରାଇ ସେମାନେ ଚରିତ୍ରମାନଙ୍କ ଅନ୍ତର୍ଲୋକରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଚରିତ୍ରମାନଙ୍କ ମାନସିକ ପ୍ରକୃତି (temperament), ସମ୍ପର୍କିତ ସ୍ମୃତି (associative memories) ଏବଂ ସେମାନଙ୍କ ଦିବାସ୍ଵପ୍ନ, ଭାବାଚ୍ଛନ୍ନତା (Reverie)ର ବିଶ୍ଳେଷଣ ମନସ୍ତାତ୍ତ୍ୱିକ ଉପନ୍ୟାସର ପ୍ରଧାନ ଉପଜୀବ୍ୟ ବସ୍ତୁ ହେଲା । ଫଳରେ ମନସ୍ତାତ୍ତ୍ୱିକ ଉପନ୍ୟାସରେ ଘଟଣା ତା’ର ଗୁରୁତ୍ଵ ହରାଇଲା, ଚରିତ୍ରମାନେ ମଧ୍ୟ ହରାଇଲେ ସେମାନଙ୍କ ପୂର୍ବ ଚରିତ୍ର ! ଔପନ୍ୟାସିକର ଅନ୍ତର୍ଦୃଷ୍ଟିର ଦୂରବୀକ୍ଷଣରେ ଚରିତ୍ରମାନଙ୍କ ଫଟୋଗ୍ରାଫିକ୍ ଚେହେରା ଅନ୍ୟପ୍ରକାର ଦେଖାଗଲା ।

 

ଏହି ଅନ୍ୟ ପ୍ରକାର ଉପନ୍ୟାସ ଲେଖିବା ପାଇଁ ଲୋଡ଼ା ହେଲା ଅନ୍ୟ ପ୍ରକାର ଭାଷାରୀତି । ବର୍ଣ୍ଣନାତ୍ମକ ଗଦ୍ୟ ଏହି ନୂତନ ଚେହେରାର ଚରିତ୍ରମାନଙ୍କୁ ରୂପ ଦେବାପାଇଁ ଯଥେଷ୍ଟ ହେଲା ନାହିଁ । ମନସ୍ତାତ୍ତ୍ୱିକ ଉପନ୍ୟାସର ଚରିତ୍ରମାନେ ଯେହେତୁ ନିଜ ସହିତ ନିଜେ କଥାବାର୍ତ୍ତା କରି ନିଜକୁ ଆବିଷ୍କାର କରିବାକୁ ଭଲ ପାଉଥିଲେ, ଔପନ୍ୟାସିକକୁ ସେଠାରେ ଆଉ ଟୀକାକାର ହେବାର ସାଜିଲା ନାହିଁ । ସେ ତା’ର ପାଟି ବନ୍ଦ କରି ଚରିତ୍ରମାନଙ୍କଠାରୁ ଅଳ୍ପ ଦୂରରେ ଠିଆହୋଇ ସେମାଙ୍କ କଥାବାର୍ତ୍ତା ଶୁଣିଲା ଏବଂ ନିଜର ବିନା ଟିପ୍‌ପଣୀରେ ଉପନ୍ୟାସରେ ତାକୁ ଅବିକଳ ଲିପିବଦ୍ଧ କଲା । ଅଥବା ସେଇଭଳି କରୁଥିବା ପରି ଛଳନା କଲା । ମନସ୍ତାତ୍ତ୍ୱିକ ଉପନ୍ୟାସର ଏହି ଶୈଳୀ ଓ ପ୍ରକରଣ ରୀତିକୁ କୁହାଗଲା “Monologue Interieur” ବା ଅନ୍ତରୀଣସଂଳାପ । ମନସ୍ତାତ୍ତ୍ୱିକ ଉପନ୍ୟାସର ଭାଷାରୀତ ସମ୍ପର୍କରେ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ କହିବାକୁ ଗଲେ, ‘‘ମନସ୍ତାତ୍ତ୍ୱିକ ଉପନ୍ୟାସରେ ଥାଏ କାବ୍ୟର ଜ୍ୟୋତି । ଏହାର ଚରିତ୍ରମାନେ ଚରିତ୍ର ନୁହନ୍ତି; କେତେକ ଅନୁଭୂତିର ପ୍ରତୀକ, ଅଭିଜ୍ଞାତାର ଚିତ୍ରକଳ୍ପ । ମନସ୍ତାତ୍ତ୍ୱିକ ଉପନ୍ୟାସର ଗତି ମଗ୍ନ ଚୈତନ୍ୟର ଛାଇ ଆଲୁଅ ମଧ୍ୟରେ ।”

 

ୟୁରୋପୀୟ ସାହିତ୍ୟରେ ମନସ୍ତାତ୍ତ୍ୱିକ ଧାରାର ପ୍ରବର୍ତ୍ତନ ଉପନ୍ୟାସର ଦିଗନ୍ତ ରେଖାକୁ ବହୁ ନୂତନ ସମ୍ଭାବନାର ଆଲୋକରେ ବର୍ଣ୍ଣିତ କରି ଦେଇଥିଲେ ସୁଦ୍ଧା, ଏ ଶ୍ରେଣୀର ଉପନ୍ୟାସ କ୍ରମଶଃ ସମାଜ ବିମୁଖ ହୋଇ ପଡ଼ୁଥିବାରୁ ଅଳ୍ପଦିନ ମଧ୍ୟରେ ତା’ର ଆବେଦନ ହରାଇ ବସିଲା । ଅପର ପକ୍ଷରେ ମନୋବିଶ୍ଳେଷଣର ଶକ୍ତି, ଔପନ୍ୟାସିକମାନଙ୍କୁ ପ୍ରେରଣା ଦେଲା ଚେତନା–ପ୍ରବାହମୂଳକ ଉପନ୍ୟାସ ରଚନା ପାଇଁ । ଯେଉଁ ଜେମ୍‌ସ ଜୟେସ ‘‘A Protrait of the Artist as a young Man” ଉପନ୍ୟାସ ଲେଖି ମନସ୍ତାତ୍ତ୍ୱିକ ଉପନ୍ୟାସର ମୂଳଭିତ୍ତି ସ୍ଥାପନ କରିଥିଲେ, ପରବର୍ତ୍ତୀ କାଳରେ ‘‘ୟୁଲିସିସ” ଉପନ୍ୟାସ ରଚନା କରି ବିଶ୍ଵ କଥାସାହିତ୍ୟରେ ଚେତନା-ପ୍ରବାହ ଧାରାର ସେ ଆଦ୍ୟ-ଉଦ୍‌ଗାତା ଭାବରେ ପରିଚିତ ହେଲେ । କିନ୍ତୁ ମନସ୍ତାତ୍ତ୍ୱିକ ଉପନ୍ୟାସ ଚେତନା ପ୍ରବାହମୂଳକ ଉପନ୍ୟାସ ନୁହେଁ; ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଚେତନା ପ୍ରବାହମୂଳକ ଉପନ୍ୟାସର ଏକ ପ୍ରମୁଖ ପ୍ରବୃତ୍ତି ମାତ୍ର !

 

ଓଡ଼ିଆ ସାହିତ୍ୟର ପ୍ରଥମ ଉଷା କାଳରେ ଉମେଶ ସରକାରଙ୍କ ‘ପଦ୍ମମାଳି’, ରାମଶଙ୍କର ରାୟଙ୍କ ‘ବିବାସିନୀ’ ଓ ଗୋପାଳ ବଲ୍ଲଭଙ୍କ ‘‘ଭୀମା ଭୂୟାଁ” ପ୍ରଭୃତି ଉପନ୍ୟାସ ଥିଲା ଘଟଣା ଓ କାହାଣୀ ପ୍ରଧାନ । ଫକୀରମୋହନ ପ୍ରଥମେ କାହାଣୀ ସହିତ ଚରିତ୍ର ଚିତ୍ରଣ ଉପରେ ଗୁରୁତ୍ଵ ଆରୋପ କରି ଓଡ଼ିଆ ଉପନ୍ୟାସକୁ ଏକ ସୁଦୃଢ଼ ଭୂମି ଉପରେ ପ୍ରତିଷ୍ଠିତ କଲେ, କିନ୍ତୁ ଏମାନଙ୍କ ଉପନ୍ୟାସରେ ନାୟକ ନାୟିକାମାନଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ନ ଥିଲା । ଓଡ଼ିଆ ଉପନ୍ୟାସରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣର ପ୍ରଥମ ଉଦ୍ୟମ ହେଲା ୧୯୨୫ ମସିହାରେ ପ୍ରକାଶିତ ବୈଷ୍ଣବ ଚରଣ ଦାସଙ୍କ “ମନେମନେ” ଉପନ୍ୟାସରେ । ୧୯୨୫ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପଞ୍ଚାବନ ବର୍ଷ ମଧ୍ୟରେ ପ୍ରକାଶିତ ଓଡ଼ିଆ ଉପନ୍ୟାସକୁ ବିଚାରକୁ ନେଲେ ଲକ୍ଷ୍ୟ କରାଯିବ ମନସ୍ତାତ୍ତ୍ୱିକ ଓଡ଼ିଆ ଉପନ୍ୟାସର ସଂଖ୍ୟା ଖୁବ୍‌ ଅଳ୍ପ ହେଲେ ସୁଦ୍ଧା ମନସ୍ତତ୍ତ୍ଵ ଭିତ୍ତିକ ଉପନ୍ୟାସ ବହୁ ସଂଖ୍ୟାରେ ଆମ ସାହିତ୍ୟରେ ରଚିତ ହୋଇଛି । ମନୋବିଶ୍ଳେଷଣ ଉପନ୍ୟାସର ଅନ୍ୟତମ ଶକ୍ତିଶାଳୀ ଆଙ୍ଗିକ ଭାବରେ ବ୍ୟବହୃତ ହୋଇଛି । ଅଦୃଶ୍ୟକୁ ଦୃଶ୍ୟମାନ କରିବାର ଆୟୁଧ ଭାବରେ ବର୍ଣ୍ଣନାତ୍ମକ ଭାଷାରୀତି ଅପେକ୍ଷା ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଉପନ୍ୟାସରେ ସଫଳତାର ସହିତ ପ୍ରୟୋଗ କରାଯାଇଛି ।

 

ଯେଉଁ ଉପନ୍ୟାସରେ ଚରିତ୍ରମାନଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣଦ୍ଵାରା ଉପନ୍ୟାସର ଭାବବସ୍ତୁ ସମ୍ପ୍ରସାରିତ ଓ କଥାବସ୍ତୁ ଗତିଶୀଳ ହୋଇ ପରିଣତିରେ ଉପନୀତ ହୁଏ, ତାକୁହିଁ କୁହାଯାଏ ମନସ୍ତାତ୍ତ୍ୱିକ ଉପନ୍ୟାସ । ବୈଷ୍ଣବଚରଣ ଦାସଙ୍କ “ମନେମନେ” ଓ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଜିଅନ୍ତା ମଣିଷ’ ଇତ୍ୟାଦି ହେଉଛି ଏହି ଶ୍ରେଣୀର ସାର୍ଥକ ଉପନ୍ୟାସ । ଯେଉଁ ଉପନ୍ୟାସରେ ମନୋବିଜ୍ଞାନର ଧାରା ଅନୁସରଣ କରି ନାୟକ ନାୟିକାମାନଙ୍କ ମାନସିକ ଅବସ୍ଥାର ଚିତ୍ରଣ କରାଯାଇଥାଏ; ତାକୁ ମନସ୍ତତ୍ତ୍ଵ ଭିତ୍ତିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇପାରେ । ଉପେନ୍ଦ୍ର କିଶୋରଙ୍କ “ମଲାଜହ୍ନ”ଠାରୁ ଆରମ୍ଭ କରି ଗୋପୀନାଥ ମହାନ୍ତିଙ୍କ ‘‘ରାହୁରଛାୟା”, କାହ୍ନୁଚରଣଙ୍କ ‘ଅଦେଖା ହାତ’ ‘କା’ ‘‘ଢେଉ ଢେଉକା’, ରାଜକିଶୋର ପଟ୍ଟନାୟକଙ୍କ ‘‘ଚଲାବାଟ” ‘ପ୍ରୀତିର ବଣିଜ’, ‘ପ୍ରେମିକର ଡାଏରି’ ଓ ସମ୍ପ୍ରତି ବହୁ ସମସାମୟିକ ଔପନ୍ୟାସିକମାନଙ୍କ ଉପନ୍ୟାସ ଏହି ଶ୍ରେଣୀର ଅନ୍ତର୍ଗତ ।

 

ନିଲୁ, ନିଧି ଓ କନକ–ଏହି ତିନିଜଣଙ୍କ ତ୍ରିଭୁଜାକୃତି ପ୍ରଣୟ କାହାଣୀକୁ ନେଇ ବୈଷ୍ଣବଚରଣ ଦାସଙ୍କ ‘ମନେମନେ’ ଉପନ୍ୟାସ ରଚିତ । କନକ ଓ ନିଲୁ ମଧ୍ୟରେ ମଧୁର ସମ୍ପର୍କ ଗଢ଼ି ଉଠିଥିଲେ ସୁଦ୍ଧା କନକ ବିବାହ କରିଛି ନିଧିକୁ, କିନ୍ତୁ ନିଲୁର ସ୍ମୃତି ସେ ଭୁଲିପାରି ନାହିଁ । ସ୍ଵାମୀର ସଂସାରରେ ପ୍ରେମିକର ସ୍ମୃତି, ଅନ୍ତର୍ଦାହ, ଅନୁଚିନ୍ତା ମଧ୍ୟରେ କନକର ଏକ ନୂତନ ବ୍ୟକ୍ତିତ୍ଵମୟୀ ନାରୀତ୍ଵର ଚିତ୍ର ଫୁଟି ଉଠିଛି । ସ୍ଵାମୀର ଭୁଲ୍ ବୁଝାମଣା ସତ୍ତ୍ଵେ ତା’ର ଅବଚେତନରେ ନିଲୁର ସ୍ମୃତି ଏକ ଅଲିଭା ଘିଅଦୀପ ଭଳି ପ୍ରଜ୍ଜ୍ୱଳିତ ହୋଇ ରହିଛି । ଫଳରେ ନିଧିର ପତ୍ନୀ ଭାବରେ ନୁହେଁ; ତ୍ୟାଗ, ନିଷ୍ଠା, କଷ୍ଟ-ସହିଷ୍ଣୁତାର ଆଲୋକରେ ତା’ର ପ୍ରେମିକା-ପ୍ରତିମା ପାଠକ ମନକୁ ଗଭୀର ଭାବରେ ଆଲୋଡ଼ିତ କରିଛି ।

 

ଆଗରୁ ଓଡ଼ିଆ ଉପନ୍ୟାସରେ ନାରୀ ଥିଲା ଜନନୀ, କନ୍ୟା, ଭଗ୍ନୀ, ପତ୍ନୀ ନ ହେଲେ କଙ୍କୁବାଇନ୍ ବା ରକ୍ଷିତା–ରମଣୀ–ଯେମିତି ଫକୀରମୋହନଙ୍କ ଉପନ୍ୟାସରେ ଚମ୍ପା–ପରିଚାରିକାର ଊର୍ଦ୍ଧ୍ଵରେ କିନ୍ତୁ ପତ୍ନୀତ୍ଵଠାରୁ ନିମ୍ନରେ ଏକ ବିଚିତ୍ର ସଜ୍ଞା-ବିହୀନ ରୂପରେ ! କିନ୍ତୁ ସେ କେବେ ପ୍ରେମିକା ନଥିଲା । ବୈଷ୍ଣବୀୟ ଓଡ଼ିଆ କାବ୍ୟରେ ରାଧା ଶ୍ରୀକୃଷ୍ଣଙ୍କ ପ୍ରେମିକା ଥିଲେ । କିନ୍ତୁ ବୃଷଭାନୁ ଜେମା, ଚନ୍ଦ୍ରସେଣାଙ୍କ ପତ୍ନୀ ରାଧାଙ୍କ ପ୍ରେମିକା ରୂପ ଆଧ୍ୟାତ୍ମିକ ଦର୍ଶନର ଆଲୌକିକତା ମଧ୍ୟରେ ଆଚ୍ଛନ୍ନ ହୋଇ ରହିଥିଲା । ଫ୍ରୟେଡ୍‌ଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମଧ୍ୟରେ “ମନେମନେ’’ ଉପନ୍ୟାସରେ ସେହି ପ୍ରେମିକା କନକ ନାମରେ ଆତ୍ମପ୍ରକାଶ କଲା ।

 

ନାରୀର ସାମାଜିକ ସ୍ଵୀକୃତି-ବିହୀନ ପ୍ରେମିକା ରୂପର ସେଇ ପ୍ରଥମ ଆତ୍ମପ୍ରକାଶ; କିନ୍ତୁ ଶେଷ ନୁହେଁ । ତା’ପରେ ଓଡ଼ିଆ ଉପନ୍ୟାସକୁ ଏହି ମନୋବିଶ୍ଳେଷଣ ମଧ୍ୟଦେଇ, ଆସିଛନ୍ତି, ‘ମଲାଜହ୍ନ’ର ସତ୍ୟଭାମା ‘ଜିଅନ୍ତା ମଣିଷ’ର ଚପଳା, ‘ରାହୁର ଛାୟା’ର ସତୀ, ‘ଅଦେଖା ହାତ’ର ଗୀତା, ‘କା’ର ନନ୍ଦିକା, ‘ଚଲାବାଟ’ର ରୀତା, ‘କେଶବତୀ କନ୍ୟା’ର ସୁଷମା–ଏପରି ନୂତନ ଭାବାବେଗ, ଅନ୍ତର୍ଜ୍ଵାଳା ଆଉ ଅନୁରାଗର ଅଭଙ୍ଗ-ପ୍ରତିମା, ଅଗଣିତ ପ୍ରେମିକାମାନଙ୍କ ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ଏମାନେ କେବଳ ଓଡ଼ିଆ ଉପନ୍ୟାସ ପାଠକମାନଙ୍କୁ ଏକ ନୂତନ ଜୀବନାନୁଭୂତିର ସ୍ଵାଦ ଆସ୍ଵାଦନ କରିବାର ସୁଯୋଗ ଦେଇ ନାହାନ୍ତି, ଏମାନଙ୍କ ସାମାଜିକ ସ୍ଵୀକୃତି ବିହୀନ ହୃଦୟାବୃତ୍ତିର ବିଶ୍ଳେଷଣ ମଧ୍ୟରେ ଓଡ଼ିଆ ଉପନ୍ୟାସ ନୂତନ ବ୍ୟାପ୍ତି ଓ ମର୍ମଭେଦୀ ଗଭୀରତା ଲାଭ କରିଛି । ଚରିତ୍ର ପ୍ରଧାନ ଉପନ୍ୟାସର ଫ୍ଲାଟ୍ ଚରିତ୍ରମାନେ ମନୋବିଶ୍ଳେଷଣ ମଧ୍ୟରେ ମନସ୍ତତ୍ତ୍ୱ-ଭିତ୍ତିକ ଉପନ୍ୟାସରେ ଜଟିଳ ଚରିତ୍ରରେ ପରିଣତ ହୋଇଛନ୍ତି !

 

‘ମଲାଜହ୍ନ’ ଉପନ୍ୟାସରେ ସତ୍ୟଭାମା ବା ସତୀ ଓ ନାଥ ନନାଙ୍କ ପ୍ରଣୟଚିତ୍ର ଓ ଦୁହିଁଙ୍କ ପ୍ରତି ଦୁହିଁଙ୍କର ପାରସ୍ପରିକ ଆକର୍ଷଣର ମନୋବିଶ୍ଳେଷଣର ଚିତ୍ର ଥିଲେ ସୁଦ୍ଧା ଔପନ୍ୟାସିକ ସମାଜ ସଂସ୍କାର ପ୍ରତି ଅଧିକ ଦୃଷ୍ଟିଦେବା ଫଳରେ ଏହା ଏକ ମନସ୍ତାତ୍ତ୍ୱିକ ଉପନ୍ୟାସ ନହୋଇ ମନସ୍ତତ୍ଵ-ଭିତ୍ତିକ ସମାଜ ସଂସ୍କାର ମୂଳକ ଉପନ୍ୟାସରେ ପରିଣତ ହୋଇଛି ।

 

କିନ୍ତୁ ନିତ୍ୟାନନ୍ଦଙ୍କ ‘ଜିଅନ୍ତା ମଣିଷ’ ଚପଳା, ବିଭୂତି ଓ ଭିକାରିଙ୍କ ସୂକ୍ଷ୍ମ ମନୋବିଶ୍ଳେଷଣ ମଧ୍ୟରେ ଏକ ସାର୍ଥକ ମନସ୍ତାତ୍ତ୍ୱିକ ଉପନ୍ୟାସର ଗୌରବ ଲାଭ କରିଛି । ଚପଳା ଚାହିଁଛି ମନର ତୃପ୍ତି, ବିଭୂତି ଆଶା କରିଛି ଦୈହିକ ସୁଖ ଓ ଭିକାରି କାମନା କରିଛି ଆତ୍ମାର ସନ୍ତୋଷ-ସାଧନା ଦେହ, ମନ ଓ ଆତ୍ମାର କାମନା, ଲାଳସାର ଦ୍ଵନ୍ଦ୍ୱ ଅନ୍ତର୍ଦ୍ଵନ୍ଦ ମଧ୍ୟରେ ‘ଜିଅନ୍ତା ମଣିଷ’ ଏକ ଜୀବନ୍ତ ମନସ୍ତାତ୍ତ୍ୱିକ ଉପନ୍ୟାସରେ ପରିଣତ ହୋଇଛି ।

 

କାହ୍ନୁଚରଣଙ୍କ ଅଧିକାଂଶ ଉପନ୍ୟାସ ମନୋବିଶ୍ଳେଷଣର ଆଙ୍ଗିକରେ ଲିଖିତ । କାହାଣୀରେ ଗଭୀରତା ଓ ଚିରିତ୍ର ଚିତ୍ରଣରେ ଚମତ୍କାରିତା ଆଣିବା ପାଇଁ ସେ ମନୋବିଶ୍ଳେଷଣର ସହାୟତା ଗ୍ରହଣ କରିଛନ୍ତି । ନାୟକ ନାୟିକାମାନଙ୍କ ମାନସିକ ଚିତ୍ର ଅଙ୍କନ କରିବାରେ ସେ ଅପୂର୍ବ ଆନ୍ତରିକତାର ପରିଚୟ ଦେଇଥିବା ହେତୁ, ତାଙ୍କର ଉପନ୍ୟାସଗୁଡ଼ିକର ଆବେଦନ ପାଠକମାନଙ୍କ ହୃଦୟରେ ଏତେ ଅଧିକ । କିନ୍ତୁ ନାରୀର ମାନସିକ ଚିତ୍ର ଅଙ୍କନ କରିବାରେ ସେ ଯେଭଳି ସଫଳ ହୋଇଛନ୍ତି, ପୁରୁଷ ଚରିତ୍ରର ମାନସିକ ବିଶ୍ଳେଷଣରେ ତାଙ୍କର ସେଭଳି ଦକ୍ଷତାର ସ୍ଵାକ୍ଷର ନାହିଁ । ସେଥିପାଇଁ ତାଙ୍କ ଉପନ୍ୟାସରେ ନାରୀ ଚରିତ୍ରର ତେଜ ଓ ତ୍ୟାଗ ପାଖରେ ତାଙ୍କର ପୁରୁଷ ଚରିତ୍ରଗୁଡ଼ିକ ନିଷ୍ପ୍ରଭ ଓ ସାମାନ୍ୟ ମନେହୁଅନ୍ତି ।

ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସଗୁଡ଼ିକ କାହ୍ନୁଚରଣଙ୍କ ଉପନ୍ୟାସ ଭଳି ମନସ୍ତତ୍ତ୍ଵଭିତ୍ତିକ ହେଲେ ମଧ୍ୟ ମନୋବିଶ୍ଳେଷଣରେ ଅନ୍ତର୍ଦୃଷ୍ଟିର ଅଭାବ ଯୋଗୁ ତାଙ୍କ ଉପନ୍ୟାସର ଚରିତ୍ର ଓ ଘଟଣା ପାଠକର ମନର ଆକାଶରେ ଭସାମେଘ ଭଳି ଭାସି ଯାଆନ୍ତି, କୌଣସି ଗଭୀର ଦାଗ ରଖି ପାରନ୍ତି ନାହିଁ । କିନ୍ତୁ ତାଙ୍କର ‘ଚଲାବାଟ’ ‘ପ୍ରୀତିର ବଣିଜ’ ଓ ‘ପ୍ରେମିକର ଡାଏରି’ ଉପନ୍ୟାସ ଏହାର ବ୍ୟତିକ୍ରମ ଏବଂ ସଫଳ ମନସ୍ତତ୍ତ୍ଵଭିତ୍ତିକୁ ଉପନ୍ୟାସ ଭାବରେ ଚିହ୍ନିତ ।

ଏଇ ପ୍ରବନ୍ଧ ଲେଖକର, ‘କେଶବତୀ କନ୍ୟା’ ମଧ୍ୟ ଏକ ସାର୍ଥକ ମନସ୍ତାତ୍ତ୍ୱିକ ଉପନ୍ୟାସ ଭାବରେ ସାହିତ୍ୟ ସମାଲୋଚକମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଛି । ‘ଓଡ଼ିଆ ସାହିତ୍ୟର କ୍ରମ ବିକାଶ’ ଗ୍ରନ୍ଥରେ ଏହି ଉପନ୍ୟାସ ସମ୍ପର୍କରେ ସୁରେନ୍ଦ୍ର ମହାନ୍ତି ମନ୍ତବ୍ୟ କରିଛନ୍ତି, “କେଶବତୀ କନ୍ୟା” ଫ୍ରୟେଡୀୟ ମନ ସମୀକ୍ଷାର ଭିତ୍ତି ଉପରେ ଆଧାରିତ ଏକ ଉପନ୍ୟାସ । ଏହାର ଶୈଳୀରେ ଅଛି ଅଭିନବତ୍ଵ । ଗୋଟିଏ ଦୁର୍ଘଟଣାକୁ କେନ୍ଦ୍ରକରି ନିରଞ୍ଜନ, ତାଙ୍କର ସ୍ତ୍ରୀ ସୁଷମା ଓ ଡାକ୍ତର ବନ୍ଧୁ ସୁଧାଂଶୁ; ପ୍ରତ୍ୟେକ ନିଜ ନିଜର ମାନସିକ ସ୍ପନ୍ଦନ ଓ ପ୍ରତିକ୍ରିୟା; ଚିଠି ଓ ଦିନଲିପି ଆକାରରେ ପ୍ରକାଶ କରିଛନ୍ତି, ଏଇ ଉପନ୍ୟାସରେ ।”

ବିଂଶ ଶତାବ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ରଚିତ ବହୁ ଉପନ୍ୟାସରେ ମନୋବିଶ୍ଳେଷଣର ଧାରା ଲକ୍ଷ୍ୟ କରାଯାଏ । କିନ୍ତୁ ଏସବୁ ଉପନ୍ୟାସର ଆଭିମୁଖ୍ୟ ମନସ୍ତାତ୍ତ୍ୱିକ ଉପନ୍ୟାସ ଆଡ଼କୁ ନୁହେଁ; ଏଥିରେ ଚେତନା ପ୍ରବାହ–ପ୍ରବଣତା ଅଧିକ ।

 

ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ଫକୀରମୋହନଙ୍କ ‘ରେବତୀ’ ଗଳ୍ପରେ ପରିଲକ୍ଷିତ ହୁଏ ମନୋବିଶ୍ଳେଷଣର ଯାଦୁମାୟା । ‘ରେବତୀ’ ଫକୀରମୋହନଙ୍କ ଏକମାତ୍ର ବିୟୋଗାନ୍ତକ ପ୍ରେମ ଗଳ୍ପ । ଉପନ୍ୟାସରେ ସେ ବର୍ଣ୍ଣନାତ୍ମକ ଗଦ୍ୟଶୈଳୀ ଅନୁସରଣ କରିଥିଲେ ସୁଦ୍ଧା ‘ରେବତୀ’ ଗଳ୍ପରେ ତାଙ୍କର ଭାଷା ବିନ୍ୟାସ ଆଶ୍ଚର୍ଯ୍ୟଜନକ ଭାବରେ ସଂଯତ ଓ ଅନେକାଂଶରେ ଇଙ୍ଗିତଧର୍ମୀ । ‘ରେବତୀ’ର ମାନସିକ ଅବସ୍ଥାର ଚିତ୍ରଣରେ ସେ ଭାଷା ଅପେକ୍ଷା ଭଙ୍ଗୀ ଉପରେ ଅଧିକ ନିର୍ଭର କରିଛନ୍ତି । ଉତ୍ତୀର୍ଣ୍ଣ-ଯୌବନା ରେବତୀର ବାସୁ ପ୍ରତି ପ୍ରଣୟାନୁରାଗର ଚିତ୍ର–“ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆରେ କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ । ପାଞ୍ଚଡାକରେ ବାହାରେ ନାହିଁ ।” ପୁଣି ବାସୁର ମୃତ୍ୟୁପରେ ବୁଢ଼ୀ ଖୁବ୍ ପାଟି କରି କାନ୍ଦିଲାବେଳେ ରେବତୀ ଏକ ମୂକ, ପ୍ରାଣହୀନ ପାଷାଣ ପ୍ରତିମାରେ ପରିଣତ ହୋଇଯାଏ । ନୀରବତାହିଁ ତା’ର ଭାଷା । ମୌନତାହିଁ ତା’ର ମନର ଉଜ୍ଜ୍ୱଳ ଦର୍ପଣ । ତେଣୁ ଭାଷାରେ ନୁହେଁ; ଭାବଭଙ୍ଗୀର ଇଙ୍ଗିତ ଆଭାସରେ ଫକୀରମୋହନ ରେବତୀର ମନସ୍ତତ୍ତ୍ଵ ଅପୂର୍ବ ଦକ୍ଷତାର ସହିତ ଫୁଟାଇଛନ୍ତି । ଏହା ବୋଧହୁଏ ତାଙ୍କର ଏକମାତ୍ର ମନସ୍ତତ୍ତ୍ଵ-ଭିତିକ କ୍ଷୁଦ୍ରଗଳ୍ପ ।

 

‘ରେବତୀ’ ପରେ ସବୁଜ ଯୁଗ ଓ ସେମାନଙ୍କ ସମସାମୟିକ କାଳର କଥାଶିଳ୍ପୀମାନଙ୍କ ଗଳ୍ପରେ ମନୋବିଶ୍ଳେଷଣର ଶୈଳୀ ବିଶେଷ ଭାବରେ ଲକ୍ଷଣୀୟ । କାଳନ୍ଦୀଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ରାଜକିଶୋର ରାୟ ଓ ଅନନ୍ତ ପ୍ରସାଦ ପଣ୍ଡା ପ୍ରମୁଖଙ୍କ ଗଳ୍ପରେ ମନସ୍ତତ୍ତ୍ଵ–ତା’ର ମାୟାଜାଲ ବିସ୍ତାର କରିଥିଲା । କାଳିନ୍ଦୀଚରଣଙ୍କ ‘ଉପହାର’ ‘ମାଂସର ବିଳାପ’, ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଚକ୍ଷୁଦାନ’ ‘ଅଦ୍ଭୁତବ୍ୟାଧି’, ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଗୋପୀନାଥ ମହାନ୍ତିଙ୍କ ‘ଅସରନ୍ତି’ ‘ଅତସି’, ରାଜକିଶୋର ପଟ୍ଟନାୟକଙ୍କ ‘ଭଡ଼ାଘର’ ‘ଚକ୍ରବାଳ’, ରାଜକିଶୋର ରାୟଙ୍କ ‘ଶିଳା ଓ ଶୈଳୀ’, ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ରାଜାପୁଅ’ ‘ପଣ୍ଡିତଙ୍କ ମୃତ୍ୟୁ’ ଏବଂ ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘ନୈଶସୁନ୍ଦରୀ’ ଓ ‘ଶନିବାର ସନ୍ଧ୍ୟା’ ପ୍ରଭୃତି ଗଳ୍ପ ମନୋବିଶ୍ଳେଷଣ ମଧ୍ୟରେ ଅପରୂପ ଶକ୍ତି ଓ ସୌନ୍ଦର୍ଯ୍ୟ ଲାଭ କରିଛି ।

 

ସ୍ଵାଧୀନତା ପରବର୍ତ୍ତୀ କାଳରେ ଅଖିଳ ମୋହନ ପଟ୍ଟନାୟକଙ୍କ ‘ମନସ୍ତାତ୍ତ୍ୱିକର ଚିଠି’ ଏକ ନୂତନ ଆଙ୍ଗିକରେ ରଚିତ ମନସ୍ତାତ୍ତ୍ୱିକ ଗଳ୍ପମାଳା ଭାବରେ ପାଠକ ଓ ସମାଲୋଚକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେହିପରି ବ୍ରହ୍ମାନନ୍ଦ ପଣ୍ଡାଙ୍କ ‘ମହକ’ ଓ ମହାପାତ୍ର ନୀଳମଣି ସାହୁଙ୍କ ‘ବିଷ୍ଣୁମାୟା’ ଗଳ୍ପ ଗ୍ରନ୍ଥରେ ସନ୍ନିବିଷ୍ଟ ଯୌନମନସ୍ତତ୍ତ୍ଵ ମୂଳକ ‘ଗଳ୍ପ ଗୁଚ୍ଛ’ ଓଡ଼ିଆ କଥାସାହିତ୍ୟରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ କରିଥିଲା । ଉଚ୍ଚ ମଧ୍ୟବିତ୍ତ ପରିବାର ନାରୀର ମାନସିକତା ନେଇ ରଚିତ କିଶୋରୀଚରଣ ଦାସଙ୍କ ‘ଲକ୍ଷ ବହିଙ୍ଗ’ ମଧ୍ୟ ଏହି ଦୃଷ୍ଟିରୁ ଏକ ସାର୍ଥକ କ୍ଷୁଦ୍ରଗଳ୍ପ ।

 

ମନୋଜ ଦାସଙ୍କ ‘ଶେଷବସନ୍ତର ଚିଠି’, କୃଷ୍ଣପ୍ରସାଦ ମିଶ୍ରଙ୍କ ‘ଅରଣ୍ୟ ଓ ଉପବନ’, ରବି ପଟ୍ଟନାୟକଙ୍କ ‘ଚେରାପୁଞ୍ଜି’ ଓ ବୀଣାପାଣି ମହାନ୍ତିଙ୍କ ‘ତଟିନୀରତୃଷ୍ଣା’ର କାହାଣୀରେ ମନୋବିଶ୍ଳେଷଣ ପ୍ରାଧାନ୍ୟ ଲାଭ କରିଛି । ‘ଶେଷବସନ୍ତର ଚିଠି’ ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଗଳ୍ପ କିନ୍ତୁ ‘ଅରଣ୍ୟ ଓ ଉପବନ’ ‘ଚେରାପୁଞ୍ଜି’ ମନସ୍ତତ୍ତ୍ଵଭିତ୍ତିକ ହେଲେ ମଧ୍ୟ ରୂପକଧର୍ମୀ ।

 

ବର୍ତ୍ତମାନ ନିରୋଳା ମନସ୍ତାତ୍ତ୍ୱିକ ଗଳ୍ପ ରଚନାର ସ୍ରୋତରେ ଭଟ୍ଟା ଆସିଛି । ବିଶ୍ଳେଷଣ ଅପେକ୍ଷା ବ୍ୟାଖ୍ୟା, ବର୍ଣ୍ଣନା ଅପେକ୍ଷା ଇଙ୍ଗିତ, କାହାଣୀ ଅପେକ୍ଷା ରୂପକ ସୃଷ୍ଟିର ମୋହ ହୁଏତ ଏହାର କାରଣ ହୋଇପାରେ । ପୁଣି ଯଥାର୍ଥ ମନୋବିଶ୍ଳେଷଣ ପାଇଁ ଯେଉଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ନିବିଡ଼ ଅନୁଭୂତି, ଗଭୀର ଅନ୍ତର୍ଦୃଷ୍ଟି ଲୋଡ଼ା ତାହା ହୁଏତ ବଡ଼ ତରୁଣ ଗାଳ୍ପିକଙ୍କ ପାଖରେ ଅନୁପସ୍ଥିତ, କିନ୍ତୁ ମନସ୍ତତ୍ତ୍ଵକୁ ଏକ ଆଙ୍ଗିକ ଭାବରେ କ୍ଷୁଦ୍ରଗଳ୍ପରେ ବ୍ୟବହାର କରିବାର ପ୍ରବଣତା; ପ୍ରବୀଣ–ତରୁଣ–ଉଭୟ ଶ୍ରେଣୀର କଥାଶିଳ୍ପୀମାନଙ୍କ ଗଳ୍ପରେ ଯେ ଉପସ୍ଥିତ; ଏକଥା ଅସ୍ଵୀକାର କରିବା ବୃଥା ।

 

ବିଭୂତି ପଟ୍ଟନାୟକ

Type– IVR. Q 3/1

Unit– II

Bhubaneswar– 9

Image

 

ଓଡ଼ିଆ ଉପନ୍ୟାସ ଓ ଗଳ୍ପର ଗଠନଶୈଳୀ

ଉଜ୍ଜ୍ଵଳ ପାଢ଼ୀ

 

ପ୍ରବନ୍ଧଟିର ବିଷୟ ପ୍ରବେଶ ପୂର୍ବେ ନିମ୍ନଲିଖିତ କେତୋଟି କଥା ଉଲ୍ଲେଖ କରିବା ଉଚିତ ମନେହୁଏ ।

 

ମନ୍ମୟ ଓ ତନ୍ମୟ ଦିଗ:–

 

ସ୍ରଷ୍ଟା ଯେଉଁପରି ତା’ ସୃଷ୍ଟି ସେହିପରି । ଯେଉଁଭଳି ବ୍ୟକ୍ତିତ୍ଵ ସେହିପରି ସାହିତ୍ୟ, ଗେଟେଙ୍କ ମତରେ

 

‘‘The style of a writer is a true impression of his innerself: if anyone would write a clear style let him first have clearness in his soul, and if anyone would write a great style let him see to it that he has a great character’’

 

କାଳିଦାସ, ସେକ୍ସପିଅର, ସାମୁୟେଲ ବେନେଟ ପ୍ରଭୃତିଙ୍କ ନାଟକ ସାରଳାଦାସ, ରବିନ୍ଦ୍ରନାଥଠାକୁର ଟି.ଏସ. ଏଲିୟଟ୍‌ଙ୍କ କାବ୍ୟ-କବିତା, କିମ୍ବା ଟଲଷ୍ଟାୟ, ଗର୍କୀ, ପ୍ରେମଚାନ୍ଦ, ଫକୀରମୋହନ ଇତ୍ୟାଦିଙ୍କ ଗଳ୍ପ ଉପନ୍ୟାସ, ତାଙ୍କ ସମୟର ଅନ୍ୟ ଲେଖକମାନଙ୍କ ସାହିତ୍ୟ ସହ ତୁଳନା କଲେ ଏହି ଉକ୍ତି ସହଜରେ ଜାଣି ହେବ । ଅନ୍ୟଦିଗରେ ସମାଲୋଚକ ଟେନ୍‌ (Taine) ଐତିହ୍ୟ, ଜାତି, ପରିବେଶ ଓ ସମୟ (Race milieu time)କୁ ଅଧିକ ଗୁରୁତ୍ଵ ଦିଅନ୍ତି । ତାଙ୍କ ମତରେ ବଂଶ ପରମ୍ପରା, ପରିବେଶ, ଜଳବାୟୁ, ରାଜନୈତିକ ଓ ସାମାଜିକ ଅନୁଷ୍ଠାନ ଓ ସମୟର ଆତ୍ମା ପ୍ରଧାନ ଭୂମିକା ଗ୍ରହଣ କରେ । ସାହିତ୍ୟ ବା କୌଣସି ସାହିତ୍ୟାଙ୍ଗର ଶୈଳୀରେ ବ୍ୟକ୍ତିତ୍ଵ ଓ ପରିବେଶର ପ୍ରଭାବକୁ ଯଥାକ୍ରମେ ମନ୍ମୟ (Subjective) ଓ ତନ୍ମୟ (Objective) ଦିଗ କୁହାଯାଇଥାଏ ଏବଂ ଗେଟେ ଓ ଟେନ୍‍ଙ୍କ ବ୍ୟତୀତ ଅନ୍ୟ ମନୀଷୀମାନେ ମଧ୍ୟ ଏହି ସମ୍ପର୍କରେ ମନ୍ମୟ କିମ୍ବା ତନ୍ମୟ ଦିଗ ଉପରେ ନିଜ ନିଜ ପ୍ରକୃତି ଅନୁଯାୟୀ ଅଧିକ ଜୋର ଦେଇଥିବା ସତ୍ତ୍ଵେ କୌଣସି ଲେଖକର ଶୈଳୀ ସମ୍ପର୍କୀୟ ଆଲୋଚନା ବେଳେ ଏଇ ଦୁଇଟି ପ୍ରଭାବରୁ କେଉଁଟିକୁ ବାଦ୍‍ ଦେଇ ହେବନି ।

 

ପ୍ରତିଭା ଓ ପ୍ରଭାବ: –

 

ଆମେ ସାଧାରଣତଃ କହିଥାଉଁ–ଷ୍ଟାଇଲ ଇଜ ଦି ମ୍ୟାନ । ଏହାର ଅର୍ଥ ଏହି ଯେ ପ୍ରତ୍ୟେକ ବ୍ୟକ୍ତିର ଢଙ୍ଗଢାଙ୍ଗ ଚିନ୍ତା, ବ୍ୟକ୍ତିତ୍ଵ ଅଲଗା । ଏହା ପ୍ରତ୍ୟେକ ଲେଖକର ଲେଖିକା ଢଙ୍ଗ ବା ଶୈଳୀ ପ୍ରତି ମଧ୍ୟ ପ୍ରଯୁଜ୍ୟ । ଯଦିଓ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଲେଖକର ଲେଖାକୁ ଅନୁଧ୍ୟାନ ଓ ଅନୁଶୀଳନ କଲେ ପ୍ରତ୍ୟେକ ଲେଖକର କିଛିନା କିଛି ମୌଳିକତା ନିଶ୍ଚୟ ଉପଲବ୍ଧ କରି ହେବ, ଗୋଟାଏ ସାହିତ୍ୟର ଐତିହାସିକ ପରିପ୍ରେକ୍ଷୀରେ ଏହା ଅନ୍ୟ ରକମ ହୋଇଥାଏ । ବିଶେଷତଃ ଆଲୋଚ୍ୟ ପ୍ରବନ୍ଧ ଭଳି ଏକ କ୍ଷୁଦ୍ରାୟତନ ଲେଖା ଭିତରେ ଓଡ଼ିଆ ଗଳ୍ପ ଉପନ୍ୟାସର ସମସ୍ତ ଲେଖକଙ୍କୁ ଯେ ଧରି ରଖି ହେବ ନାହିଁ ଏହା ସହଜେ ଅନୁମେୟ । ହୁଏତ ଓଡ଼ିଆ ସାହିତ୍ୟରେ ‘ଉପନ୍ୟାସ ଶୈଳୀ’ ଓ ‘ଗଳ୍ପଶୈଳୀ’ ଏଭଳି ଦୁଇଟି ପ୍ରବନ୍ଧ ହୋଇଥିଲେ ଆଲୋଚନାଟି ଅଧିକ ବ୍ୟାପକ ହୋଇପାରି ଥାଆନ୍ତା । ସେ ଯା ହେଉ ଏବଂ ବିଧି କାରଣ ହେତୁ ଏଇଠି ସାହିତ୍ୟ ସୃଷ୍ଟିରେ ପ୍ରତିଭାକୁ ଫେସନଠାରୁ ଅଲଗା କରିଦେଇ ପ୍ରତିଭାବାନ ଲେଖକ ବା ଧାରା ପ୍ରବର୍ତ୍ତକ (trend setter)ମାନଙ୍କ ଉପରେ ଅଧିକ ଆଲୋକପାତ, ତଥା ଅନ୍ୟମାନଙ୍କ ଶୈଳୀ ସମ୍ପର୍କରେ ଯତ୍‌ସାମାନ୍ୟ ପରିଚୟ ଦେବା ବ୍ୟତୀତ ଗତ୍ୟନ୍ତର ଥିବା ଭଳି ମନେହୁଏ ନାହିଁ । ତା’ ଆଗରୁ ପ୍ରତିଭା ଓ ଫେସନ କ’ଣ ସଂକ୍ଷିପ୍ତରେ ସୂଚାଇ ଦେବା ଉଚିତ । ଯେ କୌଣସି ସାହିତ୍ୟର ଇତିହାସ ଆଲୋଚନା କଲେ, ଜାଣିହୁଏ ଯେ ପ୍ରତ୍ୟେକ ଯୁଗରେ ଏକ ଏକ ମାଇଲ ଖୁଣ୍ଟ ଭଳି ଜଣେ ଜଣେ ବିରାଟ ବ୍ୟକ୍ତିତ୍ଵ ଦେଖା ଦେଇଥାଆନ୍ତି । ନିଜର ଅସାଧାରଣ ପ୍ରତିଭା ଦୂରଦୃଷ୍ଟି ପ୍ରକାଣ୍ଡ ବ୍ୟକ୍ତିତ୍ଵ ବଳରେ ସେ ଗତାନୁଗତିକତାର ନିଗଡ଼ କାଟି ଏକ ନୂତନ ପଥରେ ସାହିତ୍ୟକୁ ଅଗ୍ରସର କରିଥାନ୍ତି । ଏହାଙ୍କ ସହ ଟିକିଏ ଆଗ ପଛ ହୋଇ କିମ୍ବା କିଛିଟା ପରେ ଆସିଥାନ୍ତି ଆଉ ଅନେକ ସ୍ରଷ୍ଟା । ଏମାନେ ଏହି ‘ନୂତନ’କୁ ବରି ନେଇଥାଆନ୍ତି, ଏବଂ ନିଜ ନିଜ ଯୋଗ୍ୟତା ଅନୁଯାୟୀ ଏମାନଙ୍କ ମୁଲ୍ୟାୟନ ବି ହୋଇଥାଏ ।

 

ଭାରତୀୟ ସାହିତ୍ୟରେ ରବିନ୍ଦ୍ରନାଥ ଓ ପାଶ୍ଚାତ୍ୟରେ ଟି.ଏସ. ଇଲିୟଟଙ୍କ କାବ୍ୟକବିତା ଅନେକ ବର୍ଷ ଯାଏଁ ଅନ୍ୟ କବିମାନଙ୍କୁ ଭାଗବତ ଅନୁପ୍ରେରଣା ତଥା ଆଙ୍ଗିକ ଫେସନ ଯୋଗାଇଥିଲା ଏବଂ ଏହା ଫଳରେ ବିଭିନ୍ନ ସାହିତ୍ୟରେ ମୁଷ୍ଟିମେୟ ସଫଳ ଓ ଅନେକ ଅସଫଳ କାବ୍ୟକବିତା ସୃଷ୍ଟି ହେଉଥିବା ନଜର ବି ଅଛି । ଏହି ଦୁଇଧରଣର ସ୍ରଷ୍ଟାମାନଙ୍କ ଭିତରୁ ପ୍ରତିଭାବାନ ସ୍ରଷ୍ଟାମାନଙ୍କୁ ଯୁଗସ୍ରଷ୍ଟା ଓ ଅନ୍ୟମାନଙ୍କୁ ଅଳ୍ପେ ବହୁତେ ଅନୁସରଣକାରୀ ବୋଲି ମଧ୍ୟ କହି ହେବ । ଅନେକ ସମୟରେ ଏହି ପ୍ରତିଭାବାନ ଲେଖକମାନଙ୍କ ନାମ ଅନୁଯାୟୀ ସାହିତ୍ୟର ଇତିହାସରେ ଗୋଟାଏ ଗୋଟାଏ ଯୁଗ ବି ନାମିତ ହୋଇଥାଏ–ଯଥା ସେକ୍ସପିଅର ଯୁଗ (Age of Shakespear), ଭଞ୍ଜଯୁଗ; ଫକୀରମୋହନ ଯୁଗ ଇତ୍ୟାଦି । ଏହି ଭଳି ଯୁଗ ସ୍ରଷ୍ଟାମାନଙ୍କ ଚିନ୍ତାଧାରା ଓ ଗଠନଶୈଳୀର ପ୍ରଭାବ ଅନ୍ୟ ଲେଖକମାନଙ୍କ ଉପରେ ପଡ଼ିଥାଏ ।

 

ଭାଷା ଓ ଶୈଳୀ : –

 

ଶୈଳୀର ଏକ ପ୍ରଧାନ ଅଂଶ ହେଉଛି ଭାଷା । କାରଣ ଭାଷାକୁ ବାଦ୍‌ ଦେଇ ଶୈଳୀ ସମ୍ପର୍କରେ କିଛି ଲେଖିବା କଳ୍ପନା କରିହେବ ନାହିଁ । ଜଣେ ଉଚ୍ଚମାନର ସ୍ରଷ୍ଟା ଭାଷାକୁ ନିଜ ସୃଷ୍ଟିମାନଙ୍କରେ କିପରି ବ୍ୟବହାର କରିଥାଏ, ସେହି ସମ୍ପର୍କରେ ନିଉମ୍ୟାନ ( New man ) କହନ୍ତି–

 

‘‘While the many use language as they find it, the man of genius uses it indeed, but subjects it without his own purposes and moulds it according to his own peculiarities. The throng and succession of ideas, thoughts, feelings, imaginations, speculations which pass within him the abstractions, the conceptions which are so original in him, his views of external things, his Judgements, upon life, manners and history, the exercises of his wit, of his humour of his depth, of his sagacity, all these innumerable and incessant Creations the very production and throbbing of his intellect dose he image forth in a corresponding language which is as multiform as his inward mental action ifself and analogical to it. The faithfull expression of his immense personality.

 

ସଂକ୍ଷିପ୍ତରେ କହିବାକୁ ଗଲେ ଜଣେ ପ୍ରତିଭାବାନ ଲେଖକ ନିଜ ଧାରଣା ଚିନ୍ତା, କଳ୍ପନା, ବୌଦ୍ଧିକତା ବ୍ୟଙ୍ଗକଥା ବିଦ୍ରୂପ ମନୋଭାବ ତଥା ସମାଜର ଜୀବନ, ଇତିହାସ ଉପରେ ନିଜ ଗଭୀର ଦର୍ଶନର ଭାବମୂର୍ତ୍ତି ପ୍ରକାଶନ ପାଇଁ ଭାଷାକୁ ଏକ ଏକାନ୍ତ ନିଜସ୍ଵ ବହୁବର୍ଣ୍ଣ ରଞ୍ଜିତ ମାଧ୍ୟମ କରି ନିଏ ଯାହା ତାହାର ଅନ୍ତର୍ମନର ଭାବନାକୁ ଛାୟାଭଳି ଅନୁସରଣ କରେ । ଏଣୁ ବ୍ୟବହୃତ ଭାଷାରୁ ଲେଖାର ଅନ୍ତର୍ଗଠନ ଶୈଳୀଟି ଧରି ହୁଏ ।

 

ଗଳ୍ପ ଓ ଉପନ୍ୟାସର ଅନ୍ତର ଓ ବହିର୍ଗଠନ–ଶୈଳୀଗତ ପାର୍ଥକ୍ୟ: –

 

ଗଳ୍ପ ଓ ଉପନ୍ୟାସର ଗଠନରେ କେତେକ ମୁଖ୍ୟ ପାର୍ଥକ୍ୟ ପରିଲକ୍ଷିତ ହୁଏ, ଯଥା: –

 

(୧) ଉପନ୍ୟାସରେ କଥାବସ୍ତୁ ବ୍ୟାପକ ଅର୍ଥାତ୍ ଆଦ୍ୟ, ମଧ୍ୟ ଓ ଅନ୍ତଭାଗ ଥାଏ, କିନ୍ତୁ ଗଳ୍ପରେ କାହାଣୀ ବିନ୍ୟାସ ପାଇଁ ଏତେ ସୁଯୋଗ ନଥାଏ; ଏଥିରେ କଥାବସ୍ତୁ (plot) ଅପେକ୍ଷା ଭାବବସ୍ତୁ ବା ଥିମ (Theme) ହିଁ ପ୍ରଧାନ ବିଷୟ । ଉପନ୍ୟାସ ଗୋଟାଏ ଜୀବନକୁ କିନ୍ତୁ ଗଳ୍ପ ଗୋଟାଏ କିମ୍ବା କେତେଟା ମୁହୂର୍ତ୍ତକୁ ନେଇ ଲେଖାଯାଏ ।

 

(୨) ଉପନ୍ୟାସଠାରୁ ଗଳ୍ପରେ ଚରିତ୍ର ଚିତ୍ରଣର ସୁଯୋଗ ସୀମିତ । ମୁହୂର୍ତ୍ତ ଧର୍ମୀ ଗଳ୍ପରେ ଚରିତ୍ର ଚିତ୍ରଣ ଅପେକ୍ଷା ଚରିତ୍ରାଭାସ ଅତି ଚମତ୍କାର ଭାବେ କରାଯାଇଥାଏ । ଉଦାହାରଣ ସ୍ଵରୂପ ଫକୀରମୋହନଙ୍କ “ରାଣ୍ଡୀପୁଅ ଅନନ୍ତା” ଗଳ୍ପଟି ଦେଖାଯାଉ, ସମାଜର ଅନେକ ‘ରାଣ୍ଡୀପୁଅ’ ଦୃଷ୍ଟିଗୋଚର ହେଉଥିଲେ ବି ଫକୀରମୋହଙ୍କ ଭଳି ଦକ୍ଷ କଥାଶିଳ୍ପୀଙ୍କ କଳାର ଜାଦୁଗରୀ ଟର୍ଚ୍ଚଲାଇଟ୍‌ ଦ୍ଵାରା ଆଲୋକିତ ହୋଇ ପାରିଛି, ‘‘ଅନନ୍ତା”ଠାରେ ଏକ ‘‘ବହୁଜନ ହିତାୟ’’ ଦେବଭାବ–ଯେତେବେଳେ ସେ ଗାଁ ଲୋକଙ୍କୁ ନଈବଢ଼ିରୁ ରକ୍ଷା କରିବା ପାଇଁ ନିଜ ପିଠିରେ କବାଟ ଧରି ଚିତ୍କାର କରିଛି, “ପକାଅମାଟି” ।

 

(୩) ଗଳ୍ପର ଭାଷା, ଉପନ୍ୟାସର ଭାଷାଭଳି ବର୍ଣ୍ଣନାତ୍ମକ ହୋଇପାରେ ନାହିଁ, ଗଳ୍ପରେ ଭାଷା ବ୍ୟଞ୍ଜନାମୟ । ଅଳ୍ପ କଥାରେ ବିସ୍ତୃତ ଭାବ ବ୍ୟକ୍ତ କରିବାକୁ ପଡ଼ୁଥିବା ହେତୁ ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣନା ଅପେକ୍ଷା ଇଙ୍ଗିତମୟୀ, ପ୍ରତୀକଧର୍ମୀ ଭାଷା ହିଁ ଗଳ୍ପ ପାଇଁ ଉପଯୁକ୍ତ ।

 

(୪) ହେମିଲଟନଙ୍କ ଭାଷାରେ ଶବ୍ଦ ବ୍ୟବହାରରେ ଅତ୍ୟନ୍ତ ମିତବ୍ୟୟ (Greatest economy of words) ଗଳ୍ପ-ସୃଷ୍ଟିରେ ଆବଶ୍ୟକ ହୋଇଥିବା ହେତୁ ଆୟତନରେ ସଂକ୍ଷିପ୍ତତା ଗଳ୍ପର ଅନ୍ୟ ଏକ ଲକ୍ଷଣ କିନ୍ତୁ ଉପନ୍ୟାସରେ ଏହା ଅପରିହାର୍ଯ୍ୟ ନୁହେଁ । ଏବଂ ଏହି କାରଣରୁ କେତେକଙ୍କ ମତ ଯେ ଉପନ୍ୟାସ ଓ ଗଳ୍ପ ମଧ୍ୟରେ ସମ୍ବନ୍ଧ ମହାକାବ୍ୟ ଓ ଗୀତିକାବ୍ୟ ଭଳି; କିମ୍ବା ଉପନ୍ୟାସ ଯେତେବେଳେ ଏକ ଶାଖା ପ୍ରଶାଖାଯୁକ୍ତ ବିଶାଳ ବୃକ୍ଷ ଗଳ୍ପ ଏକ ସୁକୁମାର ଲତା ।

 

(୫) ହଡ଼ସନଙ୍କ ଭାଷାରେ ଲକ୍ଷ୍ୟ ଓ ପରିଣତିର ଏକ ମୁଖୀନତା (Singleness of aim and singleness of effect) ଗଳ୍ପର ସାର୍ଥକତାର ପ୍ରଧାନ ମାପକାଠି ହୋଇଥିବା ହେତୁ, ଏଥିରେ ଅନେକ ଚରିତ୍ର ବିସ୍ତୃତ ଜୀବନକୁ ନେଇ ସୃଷ୍ଟ ଉପନ୍ୟାସ ଭଳି ଡାଏଲଗ୍, ବା କଥୋପକଥନର ଆବଶ୍ୟକତା ନ ଥାଏ । ବେଳେ ବେଳେ ନାଟକୀୟ ଆରମ୍ଭ ବା ପରିବେଶର ଆଭାସ ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇଥାଏ ।

 

(୬) ଉପନ୍ୟାସଟିଏ ପଢ଼ି ସାରିବା ପରେ ପାଠକ ଏକପ୍ରକାର ତୃପ୍ତି ଲାଭ କରିଥାଏ, କିନ୍ତୁ ସାର୍ଥକ ଗଳ୍ପର ପାଠକ ଏକ ରକମ ଅତୃପ୍ତ ହିଁ ରହିଯାଏ । ପାଠକର ମନେହୁଏ ଯେପରି ଗଳ୍ପଟି ଶେଷ ହୋଇ ନାହିଁ–କେବଳ ମନକୁ କିଛି ଆଘାତ ଦେଇ (Shock treament) ଜିଜ୍ଞାସା ଭିତରେ ତାକୁ ଛାଡ଼ି ଦିଆ ହୋଇଛି । ଶେଷରେ ଆଉ ଗୋଟାଏ କଥା ବି ମନେ ରଖିବା ଉଚିତ ଯେ ଏବଂବିଧ ଶିଳ୍ପଗତ ପାର୍ଥକ୍ୟ ହେତୁ ସବୁ ସାର୍ଥକ ଉପନ୍ୟାସ ଲେଖକ ସାର୍ଥକ ଗାଳ୍ପିକ କିମ୍ବା ସଫଳ ଗାଳ୍ପିକ ସଫଳ ଔପନ୍ୟାସିକ ହୋଇପାରି ନ ଥାନ୍ତି ।

 

ଅନ୍ୟାନ୍ୟ ଶୈଳୀଗତ ପାର୍ଥକ୍ୟ :–

 

ଉପରେ ଉଲ୍ଲେଖ କରାଯାଇଥିବା ଗଳ୍ପ ଓ ଉପନ୍ୟାସର ଗଠନଶୈଳୀଗତ ପାର୍ଥକ୍ୟ ବ୍ୟତୀତ, ଗଳ୍ପ ତଥା ଉପନ୍ୟାସର ବହିର୍ଗଠନ ଓ ଅନ୍ତର୍ଗଠନରେ କିଛିଟା ପ୍ରଭେଦ ସୃଷ୍ଟି ହୋଇଥାଏ-। ବିଷୟବସ୍ତୁର ପ୍ରକାର ଭେଦ ହେତୁ ଯଥା–ଐତିହାସିକ, ସାମାଜିକ, ମନସ୍ତାତ୍ତ୍ୱିକ, ଡିଟେକ୍‌ଟିଭ ବା ରହସ୍ୟ ଧର୍ମୀ, କିମ୍ବା ଘଟଣା ପ୍ରଧାନ, ଚରିତ୍ର ପ୍ରଧାନ, ଭାବ ପ୍ରଧାନ (କାବ୍ୟିକ) ପରିବେଶ ପ୍ରଧାନ ଇତ୍ୟାଦିକୁ ନେଇ । ଉଦାହରଣ ସ୍ଵରୂପ ଉପନ୍ୟାସ ଓ ଗଳ୍ପରେ କାହାଣୀ, ଚରିତ୍ର ଚିତ୍ରଣ ପରିବେଶ, କଥୋପକଥନ ଇତ୍ୟାଦି ବିଭିନ୍ନ ମାତ୍ରା ଅନୁଯାୟୀ ବ୍ୟବହୃତ ହେଉଥିଲେ ବି ଘଟଣା ପ୍ରଧାନ ଉପନ୍ୟାସ ଓ ଗଳ୍ପର ଶୈଳୀ ଚରିତ୍ର ପ୍ରଧାନକଥା ପରିବେଶ ପ୍ରଧାନ ଉପନ୍ୟାସ ଓ ଗଳ୍ପଠାରୁ କେବଳ ଭିନ୍ନ ହେବ ତାହା ନୁହେଁ, ଘଟଣା ପ୍ରଧାନ ସାମାଜିକ ଉପନ୍ୟାସ ଓ ଗଳ୍ପର ଶୈଳୀ ଘଟଣା ପ୍ରଧାନ ଐତିହାସିକ କିମ୍ବା ରହସ୍ୟଧର୍ମୀ ଉପନ୍ୟାସ ଗଳ୍ପର ଶୈଳୀଠାରୁ ଅନ୍ୟ ପ୍ରକାର ହେବ-

 

ଓଡ଼ିଆ ଉପନ୍ୟାସର ଗଠନଶୈଳୀ

 

ଆଦ୍ୟ ରେମାନ୍‌ସ ଶୈଳୀ

ଓଡ଼ିଆ ଭାଷାର ପ୍ରଥମ ଅପୂର୍ଣ୍ଣ ଉପନ୍ୟାସ ରାମଶଙ୍କରଙ୍କ ସୌଦାମିନୀ, ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ଉମେଶଚନ୍ଦ୍ରଙ୍କ ‘ପଦ୍ମମାଳୀ’ (୧୮୮୮), ରାମଶଙ୍କରଙ୍କ ‘ବିବାସିନୀ’ (୧୮୯୮) ପ୍ରଭୃତି ଉପନ୍ୟାସ ଐତିହାସିକ ପୃଷ୍ଠଭୂମି ଉପରେ ରଚିତ ହୋଇଥିଲେ ମଧ୍ୟ ଉପଦେଶାତ୍ମକତା, ଅତି ଆଦର୍ଶବାଦ, ‘‘ଭଲ ପାଇଁ ଭଲ ମନ୍ଦ ପାଇଁ ମନ୍ଦ” ସିଦ୍ଧାନ୍ତ ଅଯଥା କୌତୂହଳ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ରୋମାଞ୍ଚ ଧର୍ମୀ ତତ୍ତ୍ଵଗୁଡ଼ିକ ହେତୁ ଏଗୁଡ଼ିକୁ ରୋମାନ୍ସ ଧର୍ମୀ ଉପନ୍ୟାସ କୁହାଯାଇଥାଏ । ଏପରିକି ଗୋପାଳ ବଲ୍ଲଭ ଦାସଙ୍କ ରଚିତ ଭୀମାଭୂୟାଁ (୧୯୦୮) ଓଡ଼ିଶାର ଆଦିବାସୀ ଜୀବନ ଉପରେ ରଚିତ ପ୍ରଥମ ଓଡ଼ିଆ ଉପନ୍ୟାସ ହେଲେବି ଏଥିରେ ସେହି (ଭୂୟାଁ) ସମାଜର ଜୀବନ ଯାପନର ଚିତ୍ର ଯଥାର୍ଥ ଭାବେ ପରିସ୍ଫୁଟ ହୋଇପାରି ନାହିଁ ଯାହା ପରବର୍ତ୍ତୀ ଯୁଗରେ ଗୋପୀନାଥ ମହାନ୍ତିଙ୍କ ‘ପରଜା’ ‘ଅମୃତର ସନ୍ତାନ’ ଇତ୍ୟାଦି ଉପନ୍ୟାସରେ ଦେଖାଯାଏ । ସ୍ଥାନେ ସ୍ଥାନେ ପଦ୍ୟ ସୁଲ୍ଲଭ ଭାଷା, ଅସ୍ଵାଭାବିକ ଘଟଣା ବିନ୍ୟାସ ଏହାକୁ ଯେତେଟା ସାମାଜିକ କିମ୍ବା ଐତିହାସିକ କରିନାହିଁ, ତାହାଠୁ ଅଧିକ ରେମାନ୍ସ ଧର୍ମୀ କରି ତୋଳିଛି । ତଥାପି ଆଦିବାସୀ ଜୀବନ କଥାବସ୍ତୁକୁ ନେଇ ଉପନ୍ୟାସ ସୃଷ୍ଟି କ୍ଷେତ୍ରରେ ଏହା ଏକ ମୌଳିକ ଅୟମାରମ୍ଭ ।

ଯୁଗସ୍ରଷ୍ଟା। ଫକୀରମୋହନ:–

ବାସ୍ତବରେ ଫକୀରମୋହନ ହେଉଛନ୍ତି ପ୍ରଥମ, ଯିଏକି ପୂବବର୍ତ୍ତୀ ଲେଖକମାନଙ୍କ ଭଳି କେବଳ ମନୋରଞ୍ଜନ ପାଇଁ ରୋମାନ୍ସ ନ ଲେଖି ଦୁର୍ଦ୍ଦଶାଗ୍ରସ୍ତ ସମାଜର ଜଉତୁକ ପ୍ରଥା, ନାରୀଶିକ୍ଷା, ଜାତିଭେଦ, ଖଟିଖିଆଙ୍କ ଦାରିଦ୍ର୍ୟ, ମଧ୍ୟବିତ୍ତଙ୍କ କାର୍ପଣ୍ୟ, ବୃଦ୍ଧ-ବିବାହ, କନ୍ୟାବିକ୍ରୟ, ସାଧୁ, ପୁରୋହିତ, ସାହୁକାରମାନଙ୍କ ଶୋଷଣ, ସଦ୍ୟ ଇଂରାଜୀ ଶିକ୍ଷିତମାନଙ୍କ ଅହଂକାର, ସ୍ଵାର୍ଥପରତା ଇତ୍ୟାଦି ଅନେକ ଆବର୍ଜନା ବିରୁଦ୍ଧରେ କଲମ ଚଳାଇଛନ୍ତି । ଏଇଠି ସ୍ୱତଃ ମନେ ପଡ଼ିଯାଏ ତାଙ୍କରି ଭଳି ଜଣେ ଗଳ୍ପ ଉପନ୍ୟାସର ସ୍ରଷ୍ଟା, ହିନ୍ଦୀ ସାହିତ୍ୟର ‘‘କଲମ-ଯୋଦ୍ଧା” ପ୍ରେମଚାନ୍ଦଙ୍କ ଏକ ଉକ୍ତି–‘‘ମୁଁ ସାହିତ୍ୟକୁ କେବଳ ମନୋରଞ୍ଜନ ବା ବିଳାସର ବସ୍ତୁ ମନେକରେ ନାହିଁ । ମୋ ମୂଲ୍ୟାୟନରେ ତାହା ସାହିତ୍ୟ, ଯେଉଁଥିରେ ଉଚ୍ଚ ଚିନ୍ତା, ସ୍ଵାଧୀନତାର ଭାବ, ସୌନ୍ଦର୍ଯ୍ୟର ସାର, ସୃଜନର ଆତ୍ମା ଓ ଜୀବନ-ସତ୍ୟର ଆଲୋକ ଥିବ–ଯାହା ଆମ ଭିତରେ ଗତି, ସଂଘର୍ଷ ଓ ଅଶାନ୍ତ ଭାବ ଜାଗ୍ରତ କରାଇବ; ଆମକୁ ଶୋଇ ରହିବା ଭଳି ଅବସ୍ଥାକୁ ନେଇ ଆସିବ ନାହିଁ, କାରଣ ଏଇନେ ଆଉ ଅଧିକ ଶୋଇ ରହିବା ମୃତ୍ୟୁର ଲକ୍ଷଣ ।” ଓଡ଼ିଆ ଗଳ୍ପ ଉପନ୍ୟାସରେ ଫକୀରମୋହନ ହେଉଛନ୍ତି ପ୍ରଥମ ଲେଖକ ଯାହାଙ୍କ କଲମ ସମାଜରୁ ଆବର୍ଜନା କୁସଂସ୍କାର ଆଦି ଦୂର କରିବାରେ ଅସ୍ତ୍ରଶସ୍ତ୍ରଠାରୁ ଅଧିକ ଶକ୍ତିଶାଳୀ ଏବଂ ଏହି ଗୁଣ ତାଙ୍କ ସୃଷ୍ଟିର ଅନ୍ତର୍ଗଠନର ମୁଖ୍ୟ ଶକ୍ତି ।

ଫକୀରମୋହନଙ୍କ ଉପନ୍ୟାସମାନଙ୍କରେ ପ୍ରାୟ ଦୁଇଟି ପ୍ଲଟ (Plot) ଦେଖାଯାଏ–ଗୋଟାଏ ମୁଖ୍ୟ, ଅନ୍ୟଟି ଗୌଣ । ‘ଛଅମାଣ ଆଠଗୁଣ୍ଠ’ (୧୮୬୮)ରେ ମୁଖ୍ୟ ପ୍ଲଟ ହେଲା ରାମଚନ୍ଦ୍ର ମଙ୍ଗରାଜ ଓ ଚମ୍ପା, ଗୌଣ ହେଲା ଭଗିଆ-ସାରିଆ; ‘ମାମୁଁ’ରେ (୧୯୦୩) ଏ ଦୁଇଟି ହେଲା ନଟବର ଦାସ ଓ ଉତ୍ତରରାୟ ବଂଶ; ଲଛମାରେ (୧୯୦୩) ବାଦଲସିଂ ଓ ଲଛମା, ତଥା ଆଲିବର୍ଦ୍ଧୀ ଖାଁ ତଥା ଭାସ୍କର ପଣ୍ଡିତଙ୍କ ସଂଘର୍ଷ । କିନ୍ତୁ ଏହି ଦୁଇଟି ପ୍ଲଟ ଏପରି ଭାବେ ଗ୍ରଥିତ, ଗତିଶୀଳ ଓ ପରସ୍ପରର ପରିପୂରକ ଯେ ଉପନ୍ୟାସର ଐକ୍ୟ, କାହାଣୀର ବିକାଶ ଦିଗରେ ବାଧକତା ଜଣାଯାଏ ନାହିଁ ।

ଉପନ୍ୟାସଗୁଡ଼ିକର ଅନ୍ତର୍ଗଠନ ଦେଖିବାକୁ ଗଲେ, ଲୋକ ଜୀବନ ଓ ଲୋକ କଥିତ ଭାଷାର ନିଚ୍ଛକ ନିପୁଣ ଆଲେଖ୍ୟ ମିଳେ ଫକୀରମୋହନଙ୍କ ସାହିତ୍ୟରେ । ଡା. ମାୟାଧର ମାନସିଂହଙ୍କ ମତରେ (ଓଡ଼ିଆ ସାହିତ୍ୟର ଇତିହାସ ପୃ.୨୪୪) ‘‘ନିରକ୍ଷର ଜନତାର କଥିତ ଭାଷାକୁ ସେନାପତି ସାହିତ୍ୟରେ ଯେପରି ଆଣି ମହତକର୍ମ ସମ୍ପାଦନ କରିପାରିଛନ୍ତି, ତାହା ଚିରକାଳ ବିବେଚିତ ହେବ ଏକ ସାହିତ୍ୟିକ ବିସ୍ମୟ ରୂପେ ।” ଭାଷା ଦୃଷ୍ଟିରୁ ଫକୀରମୋହନଙ୍କ ଦୁଇଟି ଶୈଳୀଥିଲା ସାଧାରଣ ନରନାରୀଙ୍କ ଭାଷା ଓ ସାଧୁ ଭାଷା । ସାଧାରଣ ନରନାରୀଙ୍କ ବର୍ଣ୍ଣନା କରିବାକୁ ପଡ଼ିଲେ ତାଙ୍କ ଲେଖନୀ ସ୍ଵତଃ ଚାଲି ଯାଉଥିଲା ଲୋକ କଥିତ ଭାଷା ଭିତରକୁ ଯାହା ବର୍ଣ୍ଣିତ ପରିବେଶ ଓ ଚରିତ୍ରମାନଙ୍କୁ ଅତି ଜୀବନ୍ତ କରି ପାରୁଥିଲା । ଏହାଛଡ଼ା, ବିଷୟବସ୍ତୁର ପ୍ରୟୋଜନରେ ସାଧୁଭାଷା କିପରି ବ୍ୟବହାର କରାଯିବ ତାହା ସେ ଉତ୍ତମ ରୂପେ ଜାଣିଥିଲେ । ତାଙ୍କ ଭାଷାରେ ତତ୍‌ସମ, ତତ୍‌ଭବ, ପ୍ରାକୃତ ଖାଣ୍ଟି ଓଡ଼ିଆ ଭାଷାସହ ଆରବୀ, ପାରସୀ, ଇଂରାଜୀ ଆଦି ବୈଦେଶିକ ଭାଷାର ଏକ ସୁନ୍ଦର ସମନ୍ଵୟ ମିଳେ ।

ଫକୀରମୋହନଙ୍କ ଚରିତ୍ର ସୃଷ୍ଟି କ୍ଷମତା ଓ ହାସ୍ୟରସସୃଷ୍ଟି ମଧ୍ୟ ଅତ୍ୟନ୍ତ ମୌଳିକ, ନିଜ ଜୀବନ ଓ ସାମାଜିକ ପରିବେଶ ଭିତରେ ଅଙ୍ଗେ ନିଭେଇଥିବା ନରନାରୀଙ୍କୁ ଏକ ଅସାଧାରଣ ପ୍ରତିଭା ବଳରେ ସେ ଗୋଟାଏ ‘‘ଟାଇପ” ବା ଗୋଷ୍ଠୀର ପ୍ରତିନିଧି କରି ପାରୁଥିଲେ । ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା, ଭଗିଆ, ସାରିଆ, ନାଜର ନଟବର ଦାସ, ଚିତ୍ରକଳା, ସାଧୁସାହୁ ହରିବୋଲ ବାରିକ ଇତ୍ୟାଦିଙ୍କୁ ଏବେ ବି ଏଇ ସମାଜରେ ଦେଖିହୁଏ । ଫକୀରମୋହନଙ୍କ ହାସ୍ୟରସ ବିଶୁଦ୍ଧ, ସ୍ଥାନେ ସ୍ଥାନେ ଥିବା ବିଦ୍ରୂପ ତୀକ୍ଷ୍ଣ ନୁହେଁ । ଅଟୁହାସର ସ୍ଥୂଳତା ଓ ଭୟଙ୍କରତା ଏଥିରେ ନ ଥାଏ । ଏପରିକି ଚମ୍ପାର ବର୍ଣ୍ଣନା କେରିକେଚର ଭଳି ମନେହେଲେ ବି ଏହା କେବଳ ହାସ୍ୟ ହିଁ ସୃଷ୍ଟି କରେ, ଗୁଣାତ୍ମକତା, ଗଳ୍ପ ଉପନ୍ୟାସର ସଂଜ୍ଞା, ଗଠନଶୈଳୀ ଇତ୍ୟାଦି ଦୃଷ୍ଟିରୁ ଫକୀରମୋହନ ଓଡ଼ିଆ ଗଳ୍ପ ଉପନ୍ୟାସର ଜନକହିଁ ନୁହନ୍ତି, ସ୍ଵତନ୍ତ୍ରତା ପୂର୍ବ ଓଡ଼ିଆ ଗଳ୍ପ ଉପନ୍ୟାସର ଗଠନଶୈଳୀ ଚରିତ୍ର ଓ ପରିବେଶ ଚିତ୍ରଣକୁ ଅନେକ ପ୍ରଭାବିତ କରିଛନ୍ତି ମଧ୍ୟ ।

ଫକୀରମୋହନଙ୍କ ଚାରୋଟି ଉପନ୍ୟାସର ଗଠନଗତ ପାର୍ଥକ୍ୟ ସମ୍ପର୍କରେ ସୁରେନ୍ଦ୍ର ମହାନ୍ତିଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ ‘‘ଚରିତ୍ରରେ ବହୁଳତା, ତାହାର ଚିତ୍ରଣରେ ବୈଚିତ୍ର୍ୟ ଓ ସଫଳତା ଦୃଷ୍ଟିରୁ ‘ମାମୁଁ’ “ଛମାଣ ଆଠଗୁଣ୍ଠ’’ ଅପେକ୍ଷା ବୃହତ୍ତର ସାର୍ଥକତାର ଅଧିକାରୀ ହେଲେହେଁ, ଛମାଣ ଆଠଗୁଣ୍ଠର ମର୍ମସ୍ପର୍ଶୀ ଟ୍ରାଜେଡି ମାମୁଁରେ ପରିଲକ୍ଷିତ ହୁଏନାହିଁ, ‘ପ୍ରାୟଶ୍ଚିତ୍ତ’ (୧୯୧୫) ଭାବଧର୍ମୀ ହୋଇଥିବାରୁ ଏଥିରେ ଛମାଣ ଆଠଗୁଣ୍ଡର ଓ ମାମୁଁର ସଫଳତା ବହୁ ପରିମାଣରେ ମଳିନ ହୋଇ ପଡ଼ିଛି, ବର୍ଗୀ ଅତ୍ୟାଚାରର ପୃଷ୍ଠଭୂମିରେ ଲିଖିତ ଲଛମା ଓଡ଼ିଆ ଐତିହାସିକ ଉପନ୍ୟାସ କ୍ଷେତ୍ରରେ ଏକ ସଫଳ ରସୋତ୍ତୀର୍ଣ୍ଣ ସୃଷ୍ଟି । ବସ୍ତୁତଃ ଦ୍ୱିତୀୟ ମହାଯୁଦ୍ଧ ପୂର୍ବକାଳରେ ବହୁ ଉପନ୍ୟାସିକ ଐତିହାସିକ ଉପନ୍ୟାସ ରଚନା ପ୍ରତି ଆକୃଷ୍ଟ ହୋଇଥିଲେହେଁ କେହି ଫକୀରମୋହନଙ୍କ ସଫଳତାର ଅଧିକାରୀ ହୋଇପାରି ନାହାନ୍ତି ।”

ଫକୀରମୋହନୋତ୍ତର ସାମାଜିକ ଓ ଐତହାସିକ ଉପନ୍ୟାସ–

ଫକୀରମୋହନଙ୍କ ପରେ ଓଡ଼ିଆ ଉପନ୍ୟାସରେ ଅନେକ ସମୟ ପାଇଁ ସେହିଭଳି ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଅଭାବ ପରିଲକ୍ଷିତ ହୁଏ । ଚିନ୍ତାମଣିମହାନ୍ତିଙ୍କ ‘ଯୁଗଳମଠ’ର ଘଟଣା ବିନ୍ୟାସ ଓ ଭାଷାଗତ ଅଭିବ୍ୟକ୍ତି ଉନ୍ନତ ମନେହୁଏ ନାହିଁ । ‘ରୁପାଚୁଡ଼ି’, ‘ବୁଲାଫକୀର’, ‘ଟଙ୍କାଗଛ’, ‘ଶନିସପ୍ତା’ ଉପନ୍ୟାସଗୁଡ଼ିକରେ ଅପେକ୍ଷାକୃତ ଶିଳ୍ପଗତ ସାର୍ଥକତା ସତ୍ତ୍ୱେ ଫକୀରମୋହନଙ୍କ ବାସ୍ତବବାଦୀ ଶୈଳୀ ଓ ଅଭିଜ୍ଞତା ବିନା କେବଳ ଆଦର୍ଶବାଦ ଓ ସମାଜ-ସଂସ୍କାର ମନୋଭାବକୁ ନେଇ ରଚିତ ଏହି ଉପନ୍ୟାସଗୁଡ଼ିକ ସଫଳତାଠାରୁ ଦୂରେଇ ରହିଯାଇଛି । ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ‘‘କାବ୍ୟରେ ଯେପରି ଚନ୍ତାମଣି ରାଧାନାଥଙ୍କ ପ୍ରତିବିମ୍ବ ଉପନ୍ୟାସରେ ଫକୀରମୋହନଙ୍କ ବଶମ୍ବଦ ଅନୁକାରୀ ।’’ ‘ଛ’ମାଣଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ଓ ଚମ୍ପା ଚରିତ୍ର ସହ ‘ରୁପାଚୁଡ଼ି’ର ନିତ୍ୟାନନ୍ଦ ଦାସ ଓ ତାଙ୍କ ସ୍ତ୍ରୀ ଅନେକଟା ମିଳିଯାଏ । ଗରିବ ଓଡ଼ିଆ କୃଷକମାନଙ୍କୁ ଆସାମ ଚା’-ବଗିଚାମାନଙ୍କର ଦାଦନକୁଲି ରୂପେ ଚାଲାଣ କରିଥିବା ଚିତ୍ର–ଯାହା ଏଯାଏଁ ଲୋପ ହୋଇ ନାହିଁ–‘ଟଙ୍କାଗଛ’ ଉପନ୍ୟାସରେ ଏକ ସାର୍ଥକ ସୃଷ୍ଟି ମନେହୁଏ । ନନ୍ଦକିଶୋର ବଳଙ୍କ ଲିଖିତ ଏକମାତ୍ର ଉପନ୍ୟାସ ‘କନକଲତା’ ଫକୀରମୋହନଙ୍କ ପ୍ରଭାବରୁ ମୁକ୍ତଥିବା ମନେହୁଏ, କିନ୍ତୁ ବିଧବା ବିବାହକୁ କେନ୍ଦ୍ରକରି ପରିକଳ୍ପିତ ଏହି ଉପନ୍ୟାସଟି ପରିଣତି ହେଲା ବିସୂଚିକା ରୋଗରେ ଉମାର ପ୍ରାଣତ୍ୟାଗ ଓ ସମାଜ ସଂସ୍କାରକ ରାଜେନ୍ଦ୍ରର ସନ୍ୟାସ-ଗ୍ରହଣ । ଏହିଭଳି ପରିଣତି ଜଣାଇଦିଏ ଯେ ଲେଖକଙ୍କ ବିଧବା ବିଭାହ ସଂସ୍କାର ସମ୍ପର୍କୀୟ ମାନସ ଦ୍ୱିଧାକ୍ରାନ୍ତ ଥିଲା । ‘ଭ୍ରାନ୍ତି’ (୧୯୨୩), ‘ନଅତୁଣ୍ଡି’ (୧୯୨୫), ‘କାଳୀବୋହୂ’, ‘ପରଶମଣି’, ‘ରଘୁଅରକ୍ଷିତ’ (୧୯୨୮) ଉପନ୍ୟାସମାନଙ୍କର ଲେଖିକା କୁନ୍ତଳାକୁମାରୀ ( ୧୯୦୦–୧୯୩୮) ଏକ ଅସାଧାରଣ ପ୍ରତିଭା । ହିନ୍ଦୀଭାଷୀ ବସ୍ତରଷ୍ଟେଟ, ସୁଦୂର ବର୍ମା ଓ ଦିଲ୍ଲୀରେ ଜୀବନ ବିତାଇ ଥିବା ଏହି ମହୀୟସୀ ନାରୀ ମାତ୍ର ଚଉଦବର୍ଷ ଓଡ଼ିଶାରେ ରହି ଓଡ଼ିଆ-ଭାଷାକୁ ଅତି ସୁନ୍ଦର ଭାବେ ଆୟତ୍ତ କରିପାରିଥିଲେ । ତାଙ୍କ ପ୍ରତ୍ୟେକ ଉପନ୍ୟାସରେ ସମାଜସଂସ୍କାର ଓ ଦେଶାତ୍ମବୋଧ ବାଣୀ ଝଙ୍କୃତ, ଫକୀରମୋହନଙ୍କ ପରବର୍ତ୍ତୀ ଦଶନ୍ଧର ଏକ ଉଲ୍ଲେଖଯୋଗ୍ୟ ସାମାଜିକ ଉପନ୍ୟାସ ହେଉଛି ‘ରଘୁଅରକ୍ଷିତ’ । ଭାରତମାତାର ସେବା ‘ବନ୍ଦେମାତରଂ’ ମନ୍ତ୍ରରେ ଦୀକ୍ଷିତ ରଘୁଅରକ୍ଷିତକୁ ଲଛମନଜୀଙ୍କ ଉପଦେଶ ହେଉଛି–‘‘ଫେରିଯାଅ ତୁମେ ନୀଳାଚଳ ଅଞ୍ଚଳ ପୁଣ୍ୟ ଉତ୍କଳ ଭୂମିକୁ । ସେଇ ତୁମର ମାଆ...’’ । ଫକୀରମୋହନଙ୍କଭଳି କୁନ୍ତଳା ପାଇଁ ମଧ୍ୟ ଉପନ୍ୟାସ କେବଳ ମନୋରଞ୍ଜନ ନଥିଲା । କିନ୍ତୁ କେବଳ ୩୮ ବର୍ଷ ବୟସରେ ଇହଲୀଳା ସାଙ୍ଗ କରି ସାରିଥିବା ଏହି ଲେଖିକାଙ୍କଠି ଫକୀରମୋହନଙ୍କ ବ୍ୟକ୍ତି ଓ ଗଭୀରତା ତଥା, ଆଦର୍ଶବାଦ ସହ ବାସ୍ତବବାଦର ସେହି ସମନ୍ୱୟ ଆସି ପାରନ୍ତା କିପରି ? ଗଠନ କଳା ଦୃଷ୍ଟିରୁ କ୍ଷୁଦ୍ରକାୟ ‘ଭ୍ରାନ୍ତି’ ‘ନଅତୁଣ୍ଡି’ ଗୋଟାଏ ଗୋଟାଏ ବଡ଼ ଗଳ୍ପ ମନେହୁଏ; ଏବଂ କୁନ୍ତଳାଙ୍କ ଗଦ୍ୟଶୈଳୀରେ ସ୍ଥଳବିଶେଷରେ ଅସ୍ୱାଭାବିକତା ବି ବାରିହୁଏ ।

ଫକୀରମୋହନୋତ୍ତର ଯୁଗର ଐତିହାସିକ ଉପନ୍ୟାସମାନଙ୍କ ଭିତରେ ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ‘କମଳକୁମାରୀ’, ‘ବୀର ଓଡ଼ିଆ’, ‘ପଦ୍ମିନୀ’, ‘ପୀୟୂଷପ୍ରବାହ’, ‘ବୀରାଙ୍ଗନା’, ‘ପ୍ରଣୟ-ପ୍ରବାହ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏଗୁଡ଼ିକର ଗଠନଶୈଳୀ ‘ପଦ୍ମମାଳୀ’ ‘ସୌଦାମିନୀ’, ‘ବିବାସିନୀ’ ପ୍ରଭୃତି ଆଦ୍ୟ ରୋମାନ୍‍ସମାନଙ୍କଠାରୁ ଉତ୍କୃଷ୍ଟତର ହେଲେ ବି ଏଗୁଡ଼ିକରେ ଫକୀରମୋହନଙ୍କ ‘ଲଛମା’ର ଭାଷା-ଶୈଳୀ, ଚରିତ୍ର-ଚିତ୍ରଣ ଓ ରସୋତୀର୍ଣ୍ଣତାର ସ୍ୱାକ୍ଷର ନାହିଁ । ଏହି ସମୟରେ ଦୁଇଟି ଉଲ୍ଲେଖଯୋଗ୍ୟ ମନସ୍ତାତ୍ତ୍ୱିକ ଉପନ୍ୟାସ ହେଲା ବୈଷ୍ଣବଚରଣଙ୍କ ‘ମନେମନେ’ ଓ ଉପେନ୍ଦ୍ର କିଶୋରଙ୍କ ‘ମଲାଜହ୍ନ’ । ସମାଜ ଅପେକ୍ଷା ବ୍ୟକ୍ତିମାନସ ଭିତରେ ସଂଘର୍ଷ ମନସ୍ତାତ୍ତ୍ୱିକ ଉପନ୍ୟାସର ଲକ୍ଷଣ, ଏବଂ ‘ମନେମନେ’ରେ ରଙ୍ଗୀ ଓ ‘ମଲାଜହ୍ନ’ରେ ସତୀଚରିତ୍ର ଅତି ସୁନ୍ଦର ଭାବେ ବିଶ୍ଳେଷିତ । ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁଁ’ ଏକ ଅସମାପ୍ତ ଉପନ୍ୟାସ ବୋଲି ନିଜେ ଲେଖକ ସ୍ଵୀକାର କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସହର ତଳି, ଗ୍ରାମ୍ୟ ଜୀବନ ଚିତ୍ରଣ ଓ ଚରିତ୍ର ଚିତ୍ରଣ ଅତି ଉପଭୋଗ୍ୟ, କଣାମାମୁଁ ପରି ଚରିତ୍ର ଓଡ଼ିଆ ଉପନ୍ୟାସରେ ବିରଳ ।

ଆନନ୍ଦ ଲହରୀ ଉପନ୍ୟାସମାଳା ଓ ସବୁଜ ଯୁଗ: –

ଫକୀରମୋହନଙ୍କ ପରେ ‘ମୁକୁର’ ପତ୍ରିକା ଆନୁକୂଲ୍ୟରେ ପ୍ରକାଶିତ ‘ମୁକୁର ଉପନ୍ୟାସ ମାଳା’ ଓଡ଼ିଆ ଉପନ୍ୟାସକୁ ଚିନ୍ତାମଣି ମହାନ୍ତି, କୁନ୍ତଳାକୁମାରୀ ସାବତଙ୍କ ଭଳି ଔପନ୍ୟାସିକ ସୃଷ୍ଟି କରିଥିଲା । ଏହାର ବିଲୟ ପରେ ବାଳକୃଷ୍ଣକରଙ୍କ ‘ଆନନ୍ଦଲହରୀ ଉପନ୍ୟାସମାଳା’ ଜରିଆରେ ଯେଉଁ କେତୋଟି ଉପନ୍ୟାସ ଲୋକଲୋଚନକୁ ଆସିଥିଲା, ସେମାନଙ୍କ ଭିତରୁ ଏହି ପ୍ରବନ୍ଧ ନିମିତ୍ତ ଉଲ୍ଲେଖଯୋଗ୍ୟ ହେଉଛି କାଳିନ୍ଦୀ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, ଗୋଦାବରୀଶ ମହାପାତ୍ରଙ୍କ ‘ପ୍ରେମ ପଥେ’ ହରେକୃଷ୍ଣ ମହତାବଙ୍କ ‘ନୂତନ ଧର୍ମ’, କାହ୍ନୁଚରଣଙ୍କ ‘ନିଷ୍ପତ୍ତି’, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଅଭାଗିନୀ’ରେ, ଭିକ୍ଟର ହ୍ୟୁଗୋଙ୍କ ‘ଲାମିଜରେବଲ’, ‘ଘଟାନ୍ତର’ରେ ଆର.ଏଲ. ଷ୍ଟିଭେନ୍‌ସନଙ୍କ ‘ଡା. ଜେକିଲ ଏଣ୍ଡ ‘ମି. ହାୟଡ’ ଏପରିକି ପାଇକ ବିଦ୍ରୋହର ପୃଷ୍ଠଭୂମିରେ ଲିଖିତ ‘ଅଠରଶ ସତର’ ଉପନ୍ୟାସରେ ମଧ୍ୟ ଡିକେନ୍‌ସଙ୍କ ‘ଏ ଟେଲ ଅଫ ଟୁ ସିଟିଜ’ର ପ୍ରଭାବ ପରିଲକ୍ଷିତ ହୁଏ । ଏଣୁ କେବଳ ସରଳଭାଷା ଓ ରଚନାଶୈଳୀ ବ୍ୟତୀତ ଚରିତ୍ର, ପରିବେଶାଦି ସୃଷ୍ଟି ଦିଗରେ ଲେଖକଙ୍କ ବ୍ୟକ୍ତିତ୍ୱ ଜାଣିହୁଏ ନାହିଁ । ଗୋଦାବରୀଶ ମହାପାତ୍ର ରାଜଦ୍ରୋହୀ, ବନ୍ଦୀରମାୟା, ପ୍ରେମପଥ ଓ ବିଦ୍ରୋହ ଐତିହାସିକ-ସାମାଜିକ ଉପନ୍ୟାସମାନଙ୍କ ଦେଇ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା କରିବା ଚାହିଁଥିଲେ ମଧ୍ୟ କେବଳ ‘ପ୍ରେମପଥ’, ତାଙ୍କର ସଫଳତାର ସୃଷ୍ଟି ମନେହୁଏ । ତଥାପି କାଳିନ୍ଦୀ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ବ୍ୟତୀତ ଏହି ଉପନ୍ୟାସଗୁଡ଼ିକରୁ କେହି କାଳର ଅଗ୍ନିପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବା ତ ଅଲଗା କଥା, ‘ମନେମନେ’ ବା ‘ମଲଜହ୍ନ’ର କଳାସିଦ୍ଧି କିମ୍ବା ‘କଣାମାମୁଁ’ ଭଳି ଚରିତ୍ର ସୃଷ୍ଟିର ସଫଳତା ହାସଲ କରିପାରି ନାହାନ୍ତି ।

 

କାଳିନ୍ଦୀଙ୍କ ପ୍ରଥମ ଉପନ୍ୟାସ ‘ମାଟିର ମଣିଷ’ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ନୂତନ ପଦକ୍ଷେପ । ଉପନ୍ୟାସର ନାୟକ ବରଜୁକୁ ମାଧ୍ୟମ କରି ଲେଖକ ଗାଁ ଗହଳିର ପରିବେଶ ଓ ପରସ୍ଥିତି ଭିତରେ ଗାନ୍ଧିଜୀଙ୍କ ଆଦର୍ଶକୁ ଉପଯୋଗୀ କରାଇବା ଉଦ୍ୟମ କରିଛନ୍ତି, ଏବଂ ଏହା ପରିବେଶ ସୃଷ୍ଟି, ଭାଷା, କଥୋପକଥନ ଇତ୍ୟାଦି ଦୃଷ୍ଟିରୁ ମଧ୍ୟ ଅନେକ ସଫଳତା ଲାଭ କରିଛି । ଚରିତ୍ର ସୃଷ୍ଟିରେ ‘ହରିମିଶ୍ରେ’ ‘ଛ’ମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜଙ୍କୁ ଟପିଯାଇ ନ ଥିଲେ ବି ହାରବୋଉର ଚରିତ୍ର ଚିତ୍ରଣ ଧ୍ରୁପଦୀ ସମ୍ମାନରେ ମଣ୍ଡିତ । ‘ଲୁହାର ମଣିଷ’ ‘ମାଟିର ମଣିଷ’ର କଥାବସ୍ତୁକୁ ଆଗକୁ ନେବା ଉଦ୍ୟମ କରି ଅସଫଳ ହୋଇଛି, ବରଜୁ ଚରିତ୍ରତାର ମହାନତା ହରାଇଛି । ‘ଆଜିର ମଣିଷ’ ପୌଢ଼ ଶିକ୍ଷା ପ୍ରଚାର ଉଦ୍ଦେଶ୍ୟରେ ଲିଖିତ ହୋଇଥିବା ହେତୁ ଘଟଣା ବିନ୍ୟାସରେ ସ୍ଵାଭାବିକ ଗତି ଓ ସ୍ୱଭାବସୁଲଭ ଚରିତ୍ର ସୃଷ୍ଟି ହୋଇପାରି ନାହିଁ । ଐତିହାସିକ ଉପନ୍ୟାସମାନଙ୍କ ଭିତରେ ‘‘ମୁକ୍ତାଗଡ଼ର କ୍ଷୁଧା’’ର ଶୁଭକାନ୍ତ ଚରିତ୍ର ସୃଷ୍ଟି କାଳିନ୍ଦୀଙ୍କ ଉଚ୍ଚତର ପ୍ରତିଭାର ପରିଚୟ ଦିଏ । “ବାସନ୍ତୀ” (୧୯୨୪-୨୭) ସବୁଜ ଗୋଷ୍ଠୀ ଦ୍ୱାରା ଲିଖିତ ଏକ ବାରଭାୟା ଶ୍ରେଣୀର (ନ’ଜଣ ଲେଖକଙ୍କ ଦ୍ୱାରା ଲିଖିତ) ଉପନ୍ୟାସ ଏବଂ ଏହି କାରଣରୁ ଏହି ଭାଷା ଓ ଶୈଳୀଗତ ଅନ୍ତର୍ଗଠନରେ ସାବଲୀଳତା ହରାଇ ଥିବା ଅନୁଭବ କରିହୁଏ, ବିଷୟବସ୍ତୁ ଦେବବ୍ରତ ଓ ବାସନ୍ତୀର ପ୍ରେମ-ପରିଧି ଭିତରେ ପ୍ରଚଳିତ ସାମାଜିକ ରୀତିନୀତି ବିରୁଦ୍ଧରେ ବିଦ୍ରୋହ, ପରିବେଶ ଭଦ୍ର ଓ ଶାଳୀନ–ଦେଶର ମାଟିସହ ଲେଖକମାନଙ୍କ ଚିନ୍ତାଧାରାର ସମନ୍ୱୟ ଘଟିପାରି ନାହିଁ । ଅନେକ ଲେଖକଙ୍କ ଚିନ୍ତନ-ପ୍ରବାହ ହେତୁ ଏଥିରେ ଏକପ୍ରକାର ଅନୈକ୍ୟ ପରିଲକ୍ଷିତ ହୁଏ ।

 

ଜାତୀୟତାବାଦୀ ତଥା ରାଜନୈତିକ ଉପନ୍ୟାସ:–

 

କବିତା, ନାଟକ, ରମ୍ୟ ରଚନା, ପ୍ରବନ୍ଧାଦି ବହୁ କ୍ଷେତ୍ରରେ ସ୍ଵାଧୀନତା ପୂର୍ବରୁ ଏଯାଏଁ ଲେଖନୀ ଚାଳନା କରିଥିବା ଡ. ହରେକୃଷ୍ଣ ମହତାବ ସ୍ଵାଭାବିକ ଭାବରେ ଜଣେ ରାଜନୈତିକ, ଔପନ୍ୟାସିକ, ‘ପ୍ରତିଭା’ ‘ଅବ୍ୟାପାର’ ‘ନୂତନ ଧର୍ମ’ ‘ଟାଉଟର’ ପ୍ରଭୃତି ଉପନ୍ୟାସରେ ରାଜନୈତିକ ଜାଗରଣର ଚିତ୍ର ପରସ୍ଥିତିର ବାସ୍ତବତା ସହ ହୃଦୟ-ଆବେଗର ସଂଘର୍ଷ ଏବଂ ଶେଷରେ ଆଦର୍ଶବାଦର ବିଜୟ ଅଳ୍ପେ ବହୁତେ ପ୍ରତିଫଳିତ ନିଜ ସୃଷ୍ଟିରେ ସାହିତ୍ୟର କଳା ସୌଷ୍ଠବ ପ୍ରତି ଅଧିକ ଦୃଷ୍ଟି ଦିଆଯାଇ ନ ଥିଲେ ମଧ୍ୟ, ଜନ ଜୀବନ ସହ ଏହି ଲେଖକଙ୍କ ନିବିଡ଼ ପରିଚୟ ଏହି ଉପନ୍ୟାସମାନଙ୍କରେ ଦେଖିହୁଏ, ତୃତୀୟ ପର୍ବ (୧୯୭୭) ସ୍ଵାଧୀନତା ପରବର୍ତ୍ତୀ କାଳର ରାଜନୈତିକ ଓ ସାମାଜିକ ପୃଷ୍ଠଭୂମିରେ ଲିଖିତ ରାଜନୈତିକ ତଥା ଜାତୀୟବାଦୀ, ସାମ୍ୟବାଦୀ ତଥା ବୈପ୍ଳବିକ ଚିନ୍ତାଧାରା ରାମପ୍ରସାଦ ସିଂହଙ୍କ ‘ପୂଜାର ବଳି’ (ଲବଣ ସତ୍ୟାଗ୍ରହ) ମରିଚିକା (ଦେଶର ମୁକ୍ତ ଓ ଦରିଦ୍ର ସେବା) ‘ହୋମ ଶିଖା’ (ଧନିକ ଗୋଷ୍ଠୀ ଓ ଶୋଷିତର ସଂଗ୍ରାମ), ‘ସମାପ୍ତି’ (ଦୁର୍ଭିକ୍ଷରେ ପୁଞ୍ଜିପତିମାନଙ୍କ ଶୋଷଣ) ପ୍ରଭୃତି ଉପନ୍ୟାସରେ ପରିବେଷିତ । ଶ୍ରୀ ସିଂହଙ୍କ ଶୈଳୀ ଆବେଗମୟ, ଘଟଣାସବୁ ସମୟ ଭିତ୍ତିକ, ଲେଖନୀ ଉଦ୍ଦେଶ୍ୟଧର୍ମୀ; ଏବଂ ଏହି ହେତୁ ସ୍ମରଣୀୟ ଚରିତ୍ର ସୃଷ୍ଟି ଓ ଧ୍ରୁପଦୀ-ସତ୍ତା ପରିଲକ୍ଷିତ ହୁଏ ନାହିଁ । ଭାଗ୍ୟଚକ୍ର (କନ୍ୟାସୁନା), ‘କୁଲି’ ପ୍ରଭୃତି ଉପନ୍ୟାସରେ ଲେଖକ ଅନନ୍ତ ପଣ୍ଡାଙ୍କ ପ୍ରଥମୋକ୍ତ, ଉପନ୍ୟାସଟିରେ ଫକୀରମୋହନଙ୍କ ପ୍ରଭାବ ଦେଖିହୁଏ । ‘କୁଲି’ ଉପନ୍ୟାସରେ ବର୍ଣ୍ଣିତ ଶୋଷିତ ଶ୍ରମିକମାନଙ୍କ ଧର୍ମଘଟ, ସ୍ଳୋଗାନ ପ୍ରଭୃତି, କ୍ରାନ୍ତିକାରୀ ଭୂମିକାକୁ ସଫଳଭାବେ ଚିତ୍ରଣ କରିପାରିଥିଲେ ମଧ୍ୟ, ପରବର୍ତ୍ତୀ ଅଂଶଟି ସମବାୟ ପ୍ରଚାର ଆଡ଼େ ଢଳି ଯାଇଥିବା ହେତୁ ଉପନ୍ୟାସଟି କଳା ଓ ଭାବଗତ ଭାବେ ସଫଳ ହୋଇପାରି ନାହିଁ । ବାମପନ୍ଥୀ ଚିନ୍ତାଧାରାର ଅନ୍ୟ ଏକ ଔପନ୍ୟାସିକ ଲକ୍ଷ୍ମୀଧର ନାୟକଙ୍କ ‘ସର୍ବହରା’, ‘ହାୟରେ ଦୁର୍ଭାଗା ଦେଶ’ରେ ଅତି ନାଟକୀୟତା, ‘ଭାବପ୍ରବଣତା’ ଓ ‘ରୋମାଣ୍ଟିକ ପ୍ରେମ’ ଏହି ଉପନ୍ୟାସମାନଙ୍କୁ ବାସ୍ତବବାଦୀତା ଓ କଳା ସୌଷ୍ଠବରେ ସଫଳ କରିପାରି ନାହିଁ । ଡ. ମହତାବ ଓ ରାମପ୍ରସାଦ ସିଂହଙ୍କ ଉପନ୍ୟାସଗୁଡ଼ିକରେ ଭାରତରେ ସ୍ଵାଧୀନତା ଥିଲା ମୁଖ୍ୟ ସ୍ୱପ୍ନ ଓ ଉଦ୍ଦେଶ୍ୟ; କିନ୍ତୁ ଲକ୍ଷ୍ମୀଧରଙ୍କ ଉପନ୍ୟାସ ‘ହାୟରେ ଦୁର୍ଭାଗା ଦେଶ’ରେ ଏହାର ସ୍ଵପ୍ନଭଙ୍ଗ ଦେଖାଯାଏ । ଫକୀରମୋହନଙ୍କ ‘ଲଛମା’ଠାରୁ ଆରମ୍ଭ ହୋଇଥିବା ଐତିହାସିକ ଉପନ୍ୟାସର ଧାରାଟି ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ, କାଳିନ୍ଦୀ ପ୍ରଭୃତି ଲେଖକଙ୍କ ପରେ କ୍ରମଶଃ କ୍ଷୀଣ ହୋଇଯାଏ । ପରବର୍ତ୍ତୀ କାଳରେ ଅଧିକାଂଶତଃ ରାଜନୈତିକ ତଥା ଜାତୀୟତାବାଦୀ ଉପନ୍ୟାସ ରଚିତ ହୁଏ । ପରବର୍ତ୍ତୀ କାଳରେ କାହ୍ନୁଚରଣଙ୍କ ‘ବାଲିରାଜା’, ‘ହାଅନ୍ନ’ ପରି ଐତିହାସିକ ଉପନ୍ୟାସ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧଦିଗନ୍ତ’, ‘କାଳାନ୍ତର’ ପ୍ରଭୃତି ରାଜନୈତିକ ତଥା ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ପ୍ରଭୃତି ଐତିହାସିକ ଉପନ୍ୟାସମାନ ଉପନ୍ୟାସ ସାହିତ୍ୟର ଶ୍ରୀବୃଦ୍ଧି ଘଟାଏ ।

 

ପଲ୍ଲୀ ଭିତ୍ତିକ ତଥା ଆଞ୍ଚଳିକ ଉପନ୍ୟାସ:–

 

ଓଡ଼ିଆ ଉପନ୍ୟାସ ଓ ଗଳ୍ପ ସାହିତ୍ୟରେ ସ୍ଵାଧୀନତା ପୂର୍ବକାଳରୁ ଏଯାବତ୍‌ ସୃଷ୍ଟିଶୀଳ ଭ୍ରାତୃଦ୍ୱୟ କାହ୍ନୁଚରଣ ଓ ଗୋପୀନାଥ ମହାନ୍ତିଙ୍କ ଆବିର୍ଭାବ ଉପନ୍ୟାସର କଥାବସ୍ତୁ, ଚରିତ୍ର, ପରିବେଶ ଓ ବ୍ୟବହୃତ ଭାଷାକୁ ପଲ୍ଲୀ ତଥା ଆଞ୍ଚଳିକ ଜୀବନର ନିକଟତର କରାଏ । କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକ ପଲ୍ଲୀ ଭିତ୍ତିକ, ‘ବାଲିରଜା’ ଓ ‘ହାଅନ୍ନ’ରେ ଐତିହାସିକତା ସହ କଳ୍ପନାର ମଧୁର ସମନ୍ୱୟ ଦେଖାଯାଏ । ଏ ଦୁଇଟି ଉପନ୍ୟାସର ଭାଷାଶୈଳୀ ପରବର୍ତ୍ତୀ ସାମାଜିକ ଉପନ୍ୟାସମାନଙ୍କ ଭାଷାଠାରୁ ବଳିଷ୍ଠ । ‘ହାଅନ୍ନ’ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ସାର୍ଥକ ସୃଷ୍ଟି-। ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ଚରିତ୍ର ପ୍ରଧାନ, କିନ୍ତୁ କାହ୍ନୁଚରଣଙ୍କ ଘଟଣା ପ୍ରଧାନ-। କାହ୍ନୁବାବୁଙ୍କ ଭାଷାରେ ତାଙ୍କ ଉପନ୍ୟାସମାନଙ୍କ ଗଠନଶୈଳୀ–‘‘ମୋର ଧାରଣା–ଉପନ୍ୟାସର ଜୀବନ ହେଲା କାହାଣୀ । କଥାଟିଏ କହୁଁ କଥାଟିଏ କହୁଁ–X X X ଆଗ କାହାଣୀର କଳ୍ପନା, ତା’ପରେ କାହାଣୀକୁ ପ୍ରବାହିତ କରିବାପାଇଁ ଚରିତ୍ରଗୁଡ଼ିକ, ନାୟକ ଓ ନାୟିକାମାନେ X X X ପାଠକ ପାଠିକାମାନେ ଚାହାଁନ୍ତି ମନକିଣା କାହାଣୀ ।” ଫ୍ରଏଡୀୟ ମନସ୍ତତ୍ତ୍ୱ ବିଶ୍ଳେଷଣ, ଦେହପାଇଁ ମନର ଦ୍ୱନ୍ଦ୍ୱ, ପ୍ରେମଭିତ୍ତିକ ତ୍ରିଭୁଜର ପରିଧି ଭିତରେ ଅଧିକାଂଶ ସାମାଜିକ ଉପନ୍ୟାସର ସଂଗଠନ ତଥା ସାବଲୀଳ ଶୈଳୀ ଓ ସରସଭାଷା ହେତୁ ଏଗୁଡ଼ିକ ପ୍ରକୃତରେ ପାଠକର ମନ କିଣି ନେଇଥାଏ, ଏବଂ ବଜାରରେ ଏଗୁଡ଼ିକର କାଟତି ମଧ୍ୟ ଅଧିକ । ନାରୀ ଚରିତ୍ରମାନଙ୍କ ମଗ୍ନଚୈତନ୍ୟ (ସବକନ୍‌ସସ୍‌ ) ଓ ସଂସ୍କାର ମଧ୍ୟରେ ସଂଘର୍ଷ ଏହି ଉପନ୍ୟାସମାନଙ୍କର ଏକ ଉଲ୍ଲେଖଯୋଗ୍ୟ ପ୍ରବୃତ୍ତି–ଯଥା ‘କା, ଲଳିତା ତୁଣ୍ଡବାଇଦର ବିଧବା ତୁଳସୀ ଅଦେଖାହାତର ଗୀତା ଝନ୍‌ଜାର କ୍ଷଣପ୍ରଭା ପରକୀୟାର ସରସୀ । କାହ୍ନୁଚରଣଙ୍କ ଉପନ୍ୟାସର ଗଠନରୀତି ଫକୀରମୋହନଙ୍କ ଭଳି ନିବିଡ଼ ସାନ୍ଦ୍ର ନୁହେଁ; ଭାଷାରେ ବଳିଷ୍ଠତା ନାହିଁ । ଅଗଣିତ ପାଠକମାନଙ୍କ ମନକିଣାକୁ ଆଖି ଆଗରେ ରଖି ଲେଖିଥିବା ହେତୁ ଓଡ଼ିଆ ଉପନ୍ୟାସକୁ ପୁରପଲ୍ଲୀ ନିକଟବର୍ତ୍ତୀ କରାଇବାରେ ତାଙ୍କର ବଳିଷ୍ଠ ଭୂମିକା ଏବଂ ଏ ଦିଗରେ ତାଙ୍କ ସଫଳତା ପ୍ରଶଂସନୀୟ ।

 

ପ୍ରଥିତଯଶା ଔପନ୍ୟାସିକ ଓ କ୍ଷୁଦ୍ରଗଳ୍ପ ଲେଖକ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସଗୁଡ଼ିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇ ପାରେ– ୧) ସାମାଜିକ ୨) ନୃତାତ୍ତ୍ଵିକ ବା ଆଞ୍ଚଳିକ । ଗୋପୀନାଥଙ୍କ ସାମାଜିକ ଉପନ୍ୟାସର ଭାଷା ଓ ଗଠନଶୈଳୀ କାହ୍ନୁଚରଣଙ୍କ ଭାଷା ଓ ଶୈଳୀ ତୁଳନାରେ ଜଟିଳ, ବଳିଷ୍ଠ ଓ ଅଧିକ ମନୋବିଜ୍ଞାନ ଭିତ୍ତିକ । ‘ଭୀମାଭୂୟାଁ’ ପରେ ଓଡ଼ିଆ ଭାଷାରେ ପ୍ରଥମଥର ପାଇଁ ଅବହେଳିତ ଆଦିବାସୀମାନଙ୍କ ସୁଖଦୁଃଖ, ଆଚାର ବିଚାର, ମେଳାମହୋତ୍ସବାଦି ସାମାଜିକ ରୀତିନୀତି, ‘ପରଜା’, ‘ଅମୃତର ସନ୍ତାନ’ ଭଳି ଆଞ୍ଚଳିକ ଉପନ୍ୟାସମାନଙ୍କରେ ଅଧିକ ସଫଳ ଭାବେ ଚିତ୍ରିତ; ଏବଂ ଏଭଳି ଉପନ୍ୟାସ ଭାରତର ଆଞ୍ଚଳିକ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ବିରଳ । ଓଡ଼ିଆ ଗଦ୍ୟ ବିଶେଷତଃ ଉପନ୍ୟାସର ବହିର୍ଗଠନ ଓ ଅନ୍ତର୍ଗଠନ ଶୈଳୀ ତଥା ବହୁବିଧ ଶବ୍ଦ ସଞ୍ଚାର ସହ ମୌଳିକ ଭାଷା ସୃଷ୍ଟି, ଏହି ଉଭୟ ଦୃଷ୍ଟିରୁ ଫକୀରମୋହନଙ୍କ ପରେ ଗୋପୀନାଥଙ୍କ ଏହି କୃତିଗୁଡ଼ିକର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏପରିକି ଜ୍ଞାନପୀଠ ପୁରସ୍କାର ପ୍ରାପ୍ତି ‘ମାଟିମଟାଳ’ ଚରିତ୍ର ଓ ପରିବେଶ ଚିତ୍ରଣ, ରଚନା ଶୈଳୀ ତଥା ଉପନ୍ୟାସ ସାହିତ୍ୟକୁ ମୌଳିକ ଅବଦାନ ଦୃଷ୍ଟିରୁ ଏତେ ସଫଳ ମନେହୁଏ ନାହିଁ, ‘ଛ’ମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ଓ ‘ମାଟିମଟାଳ’ର ବଟ ମହାନ୍ତିଙ୍କ ଭିତରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

ସ୍ୱାଧୀନତା ଉତ୍ତର କାଳ: –

‘ଅସରନ୍ତି’, ‘ସପନକୁହୁଡ଼ି’, ‘ସିନ୍ଦୂରଗାର’, ‘ଭସାମେଘ’ ‘ଚଲାବାଟ’, ପ୍ରଭୃତି ଉପନ୍ୟାସର ଲେଖକ ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସ ଘଟଣା ପ୍ରଧାନ କିମ୍ବା ଚରିତ୍ର ପ୍ରଧାନ ଯେତିକି ନୁହେଁ ତା’ଠୁ ଅଧିକ ଭାବନାଧର୍ମୀ । ରାଜକିଶୋର ଉପନ୍ୟାସର ନରନାରୀ ଅଭିଜାତ; କାହ୍ନୁଚରଣଙ୍କ ଉପନ୍ୟାସର ଚରିତ୍ର ଭଳି ପଲ୍ଲୀ ଭିତ୍ତିକ ନୁହେଁ । ଭାଷାଶୈଳୀ ଦୃଷ୍ଟିରୁ ରାଜକିଶୋରଙ୍କ ଭାଷା ବଳିଷ୍ଠ, କାହ୍ନୁଚରଣଙ୍କ ଭାଷାଭଳି ସରଳ ଶିଥିଳ ନୁହେଁ, କିନ୍ତୁ କାହ୍ନୁବାବୁଙ୍କ ଉପନ୍ୟାସର ବିଷୟ-ବୈଚିତ୍ର୍ୟ ଓ ଚରିତ୍ର ଚିତ୍ରଣ ତାଙ୍କ ଉପନ୍ୟାସରେ ନାହିଁ । ନିତ୍ୟାନନ୍ଦ ମହାପାତ୍ରଙ୍କ ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଦୁଇଟି ଉପନ୍ୟାସ ଦୁଃଖିନୀ ରତନୀ ଓ ଶୋଷିତ ଶୁକୁରାର କରୁଣ ଜୀବନର ଆଲେଖ୍ୟ ଏବଂ ଏହି ଦୁଇଟି ପଲ୍ଲୀଭିତ୍ତିକ । ସମାଜର ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ଲେଖକଙ୍କ ସଚେତନତା ଓ ବିଦ୍ରୋହ ଉପନ୍ୟାସ ଦୁଇଟିର ଭାବ ସମ୍ପଦ । ‘ଜିଅନ୍ତା ମଣିଷ’ରେ ନାରୀ ମନର ମନୋବୈଜ୍ଞାନିକ ବିଶ୍ଳେଷଣ ଉପସ୍ଥାପିତ ।

ରାଜକିଶୋର ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ରଙ୍କ ପରେ ଗାଳ୍ପିକ, ଔପନ୍ୟାସିକ ଓଡ଼ିଆ ସାହିତ୍ୟର ଇତିହାସ ଲେଖକ ତଥା ପ୍ରଥମ ସାରଳା ପୁରସ୍କାର ବିଜେତା ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଆବିର୍ଭାବ । ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଐତିହାସିକ ଉପନ୍ୟାସର ସୃଷ୍ଟି ହ୍ରାସ ପାଉଥିବା ବେଳେ ଓଡ଼ିଶାର ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କୁ ନେଇ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ନାମକ ଦୁଇଟି ସଫଳ ଉପନ୍ୟାସ ପାଇଁ ସେ ସ୍ମରଣୀୟ, ଏବଂ ସେହିଭଳି ମୂଲ୍ୟବାନ୍ ତାଙ୍କ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ଦୁଇଟି ଚରିତୋପନ୍ୟାସ । ‘ଅନ୍ଧଦିଗନ୍ତ’, ‘କାଳାନ୍ତର’ ଓ ‘ହଂସଗୀତି’ ପ୍ରଭୃତି ରାଜନୈତିକ ଓ ସାମାଜିକ ଉପନ୍ୟାସ ମଧ୍ୟ ସେ ସୃଷ୍ଟି କରିଛନ୍ତି । ସାମ୍ପ୍ରତିକ ସମାଜ ଚେତନା ବିଷୟବସ୍ତୁର ଅଭିନବତ୍ୱ, ନାଟକୀୟତା, ବକ୍ତବ୍ୟରେ ମୌଳିକତା, ଭାଷାର ମାର୍ଜିତରୂପ ପାଇଁ ସୁରେନ୍ଦ୍ର ମହାନ୍ତି ବିଶେଷ ରୂପେ, ଉଲ୍ଲେଖଯୋଗ୍ୟ । ‘ନରକିନ୍ନର’ ‘ଶତାବ୍ଦୀର ନଚିକେତା’, ତିନୋଟି ରାତିର ସକାଳ’, ‘ଶକୁନ୍ତଳା’ ପ୍ରଭୃତି ଉପନ୍ୟାସର ଲେଖକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବିଶେଷତ୍ୱ ହେଉଛି ସରଇଅଲିଷ୍ଟିକଶୈଳୀ । ‘ନରକିନ୍ନର’ ଉପନ୍ୟାସରେ ପତନ୍ନୋମୁଖ ତଥା ଅର୍ଦ୍ଧପତନ୍ନୋମ୍ମୁଖ ସମାଜର ପ୍ରତିନିଧି ପାତ୍ର ରମେଶ କାଉଲ ଓ ଜର୍ଜ ସାହାଯ୍ୟରେ ଲେଖକ ପୀଡ଼ିତ ବର୍ଗଙ୍କ ଆଶା, ଆକାଂକ୍ଷାର ସଜୀବ ଚିତ୍ର ଉପସ୍ଥାପିତ କରିଛନ୍ତି-। ‘ଶତାବ୍ଦୀର ନଚିକେତା’ରେ ସ୍ୱତନ୍ତ୍ର ମାନବୀୟ ଦୃଷ୍ଟିକୋଣ ଚାରିତ୍ରିକ ଦୃଢ଼ତା ଜୀବନ୍ତ ପରିବେଶ ସହ ଉପଯୁକ୍ତ ଭାଷାର ସଂଯୋଜନା ଏବଂ ‘ତିନୋଟି ରାତିର ସକାଳ’ରେ ନୀତସେଙ୍କ ଦର୍ଶନ ତଥା ମନୋବୈଜ୍ଞାନର ସଫଳ ବିଶ୍ଳେଷଣ ପାଇଁ ଲେଖକ ସ୍ମରଣୀୟ ରହିବେ । ଓଡ଼ିଆ ସାହିତ୍ୟରେ ଶାନ୍ତନୁ ବହୁ ଅନୁଶୀଳିତ କାହାଣୀ ପ୍ରଧାନ ଚରିତ୍ର ପ୍ରଧାନ ରୀତିକୁ ପରିତ୍ୟାଗ କରିଥିବା ମନେହୁଏ; ତାଙ୍କ ଚରିତ୍ର ଫ୍ଲାଟ ବା ଶାୟସ୍ତ ନୁହନ୍ତି; ଅବଚେତନ ପ୍ରସ୍ତୁତ ଝାପ୍‌ସା ଭାବନାର ପ୍ରତୀକ ଭାବେ ସେମାନେ ମୂର୍ତ୍ତିମନ୍ତ ।କୃଷ୍ଣପ୍ରସାଦ ମିଶ୍ରଙ୍କ ‘ସିଂହକଟି’ ଓ ‘ନେପଥ୍ୟେ’ରେ କଥକତା ଧର୍ମ ଓ ମେଲୋଡ୍ରାମା ଏହି ଉପନ୍ୟାସମାନଙ୍କରେ ଦିଆଯାଇଥିବା ମନସ୍ତାତ୍ତ୍ୱିକ ବିଶ୍ଳେଷଣର ସଫଳତାକୁ ବ୍ୟାହତ କରେ; ଉପନ୍ୟାସ ଅପେକ୍ଷା ଗଳ୍ପରେ କୃଷ୍ଣପ୍ରସାଦ ଅଧିକ ସଫଳତାର ଅଧିକାରୀ, ଚନ୍ଦ୍ରଶେଖର ରଥଙ୍କ ‘ଅସୂର୍ଯ୍ୟ ଉପନିବେଶ’ ଓ ‘ଯନ୍ତ୍ରାରୂଢ଼’ରେ ଭାଷା ତଥା ପ୍ରକାଶ ଭଙ୍ଗୀର ନୂତନ ପ୍ରତିଶ୍ରୁତି ଦେଖିହୁଏ । ‘ଆମାବାସ୍ୟାର ଚନ୍ଦ୍ର’ ଗୋବିନ୍ଦ ଦାସଙ୍କ ଏକମାତ୍ର ଉପନ୍ୟାସ ହେଲେ ମଧ୍ୟ ଆଧୁନିକ ଓଡ଼ିଆ ଉପନ୍ୟାସରେ ଜୀବନ-ଦର୍ଶନର କଳାତ୍ମକ ଅଭିବ୍ୟକ୍ତି ତଥା ଉପସ୍ଥାପନ ଶୈଳୀ ପାଇଁ ଏକ ସ୍ୱତନ୍ତ୍ର ଆସନ ଦାବି କରେ ।

ହାସ୍ୟ ଓ ବ୍ୟଙ୍ଗ:–

ସାମାଜିକ କୁସଂସ୍କାର, ଅନ୍ୟାୟ-ଅତ୍ୟାଚାର, ଦୋଷ ଦୁର୍ବଳତା ପ୍ରତି ଆକ୍ଷେପ କରି ସ୍ଵତନ୍ତ୍ରତା ପୂର୍ବେ ଫକୀରମୋହନ ଯେଉଁ ହାସ୍ୟ ଓ ବ୍ୟଙ୍ଗ ବ୍ୟବହାର କରିଥିଲେ ଏବଂ ପରେ ଗୋପୀନାଥଙ୍କ ‘ଦାନାପାଣି’, ରାଜକିଶୋର ପଟ୍ଟନାୟକଙ୍କ ‘ଅଷ୍ଟମୀ ଚାନ୍ଦ’, ‘ସଞ୍ଜବତୀ’ ତଥା ବାମାଚରଣ ମିତ୍ରଙ୍କ ‘ଚନ୍ଦ୍ର ଓ ଚମ୍ପା’, କୃଷ୍ଣପ୍ରସାଦ ବସୁଙ୍କ ‘ଆଖଡ଼ା ଘରେ ବୈଠକ’, ମହାପାତ୍ର ନୀଳମଣି ସାହୁଙ୍କ ‘ତାମସୀରାଧା’ ଗୋରାଚାନ୍ଦ ମିଶ୍ରଙ୍କ ‘ନିଶ୍ଚିତ କାନ୍ତା’ ଫତୁରାନନ୍ଦଙ୍କ ‘ନାକଟା ଚିତ୍ରକର’, ଉଦୟ ନାଥ ଷଡ଼ଙ୍ଗୀଙ୍କ ‘ଦାମ୍ପତ୍ୟ କଳହେ ଚୈବ’ ଜଗବନ୍ଧୁଙ୍କ ‘ରସଗଳିତଂ ଥପଂ ଥପଂ’ ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧଦିଗନ୍ତ’ ପ୍ରଭୃତିରେ ତାହା, ଆଧୁନିକ ରୂପ ପରିଗ୍ରହ କରିଥିଲେ, ଏହି ଉପନ୍ୟାସଗୁଡ଼ିକରେ ଶୈଳୀ ଘଟଣା-ପ୍ରଧାନ ନୁହେଁ, ଚରିତ୍ର-ଚିତ୍ରଣ ମାଧ୍ୟମରେ ହାସ୍ୟ-ବ୍ୟଙ୍ଗର ଅବତାରଣା ପ୍ରତି ଏଗୁଡ଼ିକରେ ଅଧିକ ଜୋର୍‌ ଦିଆଯାଇଛି । ଏହି ପରମ୍ପରା ସହ କିଛି ସାମଞ୍ଜସ୍ୟ ରଖେ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘‘ଚିତ୍ରଗ୍ରୀବ’’ । ଅର୍ଦ୍ଧ ଶିକ୍ଷିତ ଆଧୁନିକ ଯୁବକମାନଙ୍କ ଅନ୍ତଃସାର ଶୂନ୍ୟତାକୁ ହସି ଉଡ଼ାଇ ଦିଆ ଯାଇଥିବା ଏହି ଉପନ୍ୟାସଟିରେ ହାସ୍ୟ-ବ୍ୟଙ୍ଗ ସହ ଯଥାର୍ଥବାଦର ସୁନ୍ଦର ଚିତ୍ରଣ ଦେଖିହୁଏ ।

ନାରୀ ଲେଖିକା; ନାରୀ ସମସ୍ୟା:–

ନାରୀ ସମସ୍ୟାକୁ କେନ୍ଦ୍ରକରି ରଚିତ ଉପନ୍ୟାସମାନଙ୍କ ମଧ୍ୟରେ ବସନ୍ତକୁମାରୀ ପଟ୍ଟନାୟକଙ୍କ ‘ଅମଡ଼ା ବାଟ’ ଏକ ଶ୍ରେଷ୍ଠ କୃତି । ବସନ୍ତକୁମାରୀଙ୍କ ରଚନାରେ ବର୍ଣ୍ଣନା ବାହୁଲ୍ୟ ପରିଲକ୍ଷିତ ହୁଏ ନାହିଁ, ଗଦ୍ୟ ଭଙ୍ଗୀ ସ୍ୱଚ୍ଛ ଓ ବଳିଷ୍ଠ; ସଂଳାପ ଓ ନାଟକୀୟ ଗୁମ୍ଫନ କ୍ଳାନ୍ତିକର ନୁହଁ । ‘ଅଲିଅଳି’ ‘ଚପଳା’ ଶାଶୁଘରର ଅମଡ଼ାବାଟରେ ଯିବା ପରେ କୁମାରୀ ଜୀବନର ସ୍ମୃତି ଓ ବିବାହିତ ଜୀବନର ଦ୍ୱନ୍ଦ୍ୱର କେନ୍ଦ୍ରବିନ୍ଦୁ ମାୟାର ଚିତ୍ରଣ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ନାରୀ ଚରିତ୍ରମାନଙ୍କ ଭିତରେ ଅନନ୍ୟ, ଏହାଛଡ଼ା ବିଦୁବୋଉ, ଦମୟନ୍ତୀ, ଇନ୍ଦୁମତୀ ପରି ଗୌଣ ନାରୀ ଚରିତ୍ରମାନଙ୍କୁ ତଥା ରଞ୍ଜନ, ପହଲି ଓ ପତୁ ଭଳି ତିନୋଟି ଶିଶୁଙ୍କ ଚିତ୍ରଣ ଓଡ଼ିଆ ସାହିତ୍ୟରେ ଅସାଧାରଣ କୃତିତ୍ୱ-। ‘ଅମଡ଼ା ବାଟ’ର ଉତ୍ତରାର୍ଦ୍ଧ ନାମରେ ଲିଖିତ ‘ଚୋରାବାଲି’ ଉପନ୍ୟାସଟିରେ ‘ଅମଡ଼ାବାଟ’ର ଶିଳ୍ପ ସିଦ୍ଧି ପରିଲକ୍ଷିତ ହୁଏ ନାହିଁ । ନାରୀ ସମସ୍ୟା ଉପରେ ଲେଖିଥିବା ଅନ୍ୟ ଜଣେ ଲେଖିକା ହେଉଛନ୍ତି ପ୍ରତିଭା ରାୟ, ପ୍ରାୟ ଦଶଖଣ୍ଡ ଉପନ୍ୟାସର ଏହି ଲେଖିକାଙ୍କ ଅଧିକାଂଶ ଉପନ୍ୟାସ ନାରୀ ସମସ୍ୟାକୁ କେନ୍ଦ୍ରକରି ଲିଖିତ ହୋଇଥିଲେ ମଧ୍ୟ ‘ଅପରିଚିତା’ ‘ଗଙ୍ଗଶିଉଳୀ’ ପରି ଉପନ୍ୟାସ ଉଲ୍ଲେଖଯୋଗ୍ୟ । ପ୍ରାୟ ଚାଳିଶି ବର୍ଷରେ ଇହଧାମ ତ୍ୟାଗ କରିଥିବା ଲେଖିକା ସ୍ଵର୍ଗତା ଶୈଳବାଳା ମହାନ୍ତିଙ୍କ ‘ତେର ଡେସିମଲ’ ‘ଅଲିଭା ଶିଖା’ ପ୍ରଭୃତି ଉପନ୍ୟାସରେ ସଂଘର୍ଷରତା ନାରୀର ଜୀବନ୍ତ ଚିତ୍ର ଉପସ୍ଥାପିତ ହୋଇଥିବା ସତ୍ତ୍ୱେ, ଏହି ଉପନ୍ୟାସଗୁଡ଼ିକ ଉପନ୍ୟାସ କଳାର ଶୈଳୀ ବା ଶିଳ୍ପଗତ ସିଦ୍ଧିଠାରୁ ଟିକିଏ ଦୂରରେ ରହି ଯାଇଥିବା ଭଳି ମନେହୁଏ । କିନ୍ତୁ ପ୍ରତିଟି ଉପନ୍ୟାସରେ ତାଙ୍କ ଆନ୍ତରିକତା ସରଳଭାଷା ତଥା ସମାଜର ବାସ୍ତବ ଚିତ୍ର ଉପସ୍ଥାପନକୁ ପ୍ରଶଂସା ନ କରି ରହି ହେବ ନାହିଁ ।

ଅନ୍ୟ ଔପନ୍ୟାସିକମାନେ:–

ଲୋକପ୍ରିୟ ଉପନ୍ୟାସକାର ବିଭୂତି ପଟ୍ଟନାୟକଙ୍କ ‘ଗାରେ କଜ୍ଜଳ ଧାରେ ଲୁହ’ ‘ଟୋପାଏ ସିନ୍ଦୂର ଦିପଟ ଶଙ୍ଖା’ ‘ଦିନଯାଏ ଚିହ୍ନରହେ’ ‘ନାୟିକାର ନାମ ଶ୍ରାବଣୀ’ ‘ଲଳିତ ଲବଙ୍ଗଲତା’ ପ୍ରଭୃତିରେ ନାରୀ ପାତ୍ର ମାନଙ୍କ ବ୍ୟକ୍ତିଗତ ଚରିତ୍ର ଓ ଅନ୍ତର୍ମନର ଅଭିବ୍ୟକ୍ତି ମିଳେ, ଯଦିଓ ଏଗୁଡ଼ିକରେ ଯୌନ-ଉତ୍ତେଜନା ମୂଳକ ଚିତ୍ରଣର ଆଧିକ୍ୟ ପରିଲକ୍ଷିତ ହୋଇଥାଏ, ଅନ୍ତର୍ମନର ପ୍ରତିକ୍ରିୟା ଓ ମୂଲ୍ୟାଙ୍କନ କରିବାରେ ବିଭୂତିବାବୁ ଅନେକ ସଫଳତାର ଅଧିକାରୀ, କାହ୍ନୁଚରଣଙ୍କ ପରି ବିଭୂତିଙ୍କ ସୃଷ୍ଟି ସଂଖ୍ୟାରେ ପ୍ରଚୁର ଓ ଜନପ୍ରିୟ ବିଭୂତିଙ୍କ ଉପନ୍ୟାସଗୁଡ଼ିକ ମଧ୍ୟ ଘଟଣା ପ୍ରଧାନ ତଥା ଅଧିକାଂଶ ଉପନ୍ୟାସ ପଲ୍ଲୀଭିତ୍ତିକ; ଭାଷା ସରଳ ଓ ଆକର୍ଷକ; କିନ୍ତୁ କାହ୍ନୁ ବାବୁଙ୍କ ‘ବାଲିରାଜା’ ‘ହାଅନ୍ନ’ ‘ଝନ୍‌ଜା’ କିମ୍ବା ‘କା’ ଭଳି ଉପନ୍ୟାସର ସୃଷ୍ଟି ଏବେ ବି ତାଙ୍କ ଲେଖନୀଠାରୁ ବହୁ ଦୂରରେ । ଅନ୍ୟଜଣେ ବହୁ ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ଶ୍ରୀ ଭାଗୀରଥି ନେପାକ, ତାଙ୍କର ଉପନ୍ୟାସଗୁଡ଼ିକ ମୁଖ୍ୟତଃ ଘଟଣା ପ୍ରଧାନ; ଭାଷା ସରଳ, ସାବଲୀଳ, ବେଳେ ବେଳେ କାବ୍ୟିକ, ଅଧିକାଂଶ ଉପନ୍ୟାସ ସମସ୍ୟା-ମୂଳକ । ସାହାଯ୍ୟ, ସହାନୁଭୂତି ଓ ଉତ୍ସାହ ଅଭାବରୁ ଆମ ଦେଶର ଚିତ୍ରଶିଳ୍ପ କିପରି ମୁମୂର୍ଷୁ ଅବସ୍ଥାରେ ପହଞ୍ଚେ ଏବଂ ଏଇହେତୁ ହସ୍ତଶିଳ୍ପ କୁଶଳୀ ‘ତ୍ରିଲୋଚନ ମେହେର’ମାନେ କିପରି ପେଟ ଚାଖଣ୍ଡକ ପାଇଁ ସହରମୁଖୀ ହୁଅନ୍ତି ଏବଂ ଶେଷରେ ନିରାଶ ହୋଇ ପୁଣି ନିଜ ଗାଆଁକୁ ଫେରି ଆସିବାକୁ ବାଧ୍ୟ ହୋଇ ଥାଆନ୍ତି ଏହି ସମସ୍ୟାଟି ତାଙ୍କ ‘ସୂଚନା’ ଉପନ୍ୟାସରେ ସୁନ୍ଦର ଭାବେ ଚିତ୍ରିତ । ସେଇଭଳି ରାଉରକେଲା ସହରରେ ଆଦିବାସୀମାନଙ୍କ ଜୀବନକୁ ନେଇ ‘ରାଉରକେଲାର ରାତ୍ରି’ ଚିନ୍‌ ଆକ୍ରମଣ ସମୟ ପରସ୍ଥିତିରେ ଜାତିକୁ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଲିଖିତ ‘ସୀମାନ୍ତ ଆହ୍ୱାନ’ ଅଶିକ୍ଷିତ ଜନତା ସେମାନଙ୍କ ଅର୍ଥନୈତିକ ଅବସ୍ଥା ଓ ନିର୍ବାଚନ ପ୍ରଣାଳୀ ସମସ୍ୟାକୁ କେନ୍ଦ୍ରକରି ରଚିତ ‘ପୁନରାବୃତ୍ତି’ ଅଭିନେତ୍ରୀ କଳିକା ନିଜ ଅଭିନୟ କଳା-ସାଧନ ପଥରେ ଆସିଥିବା ଝଡ଼ଝଞ୍ଜାକୁ କେନ୍ଦ୍ରକରି ମନସ୍ତାତ୍ତ୍ୱିକ ଶୈଳୀ ଏବଂ କାବ୍ୟିକ ଭାଷାର ସମନ୍ୱୟରେ ଲିଖିତ କଳାକଳଙ୍କ ପ୍ରଭୃତି ଉଲ୍ଲେଖଯୋଗ୍ୟ ସୃଷ୍ଟି । ଶ୍ରୀ ନେପାକ ବାସ୍ତବ ଜଗତର ଚିତ୍ରଣ ସମୟରେ ମଧ୍ୟ ଆଦର୍ଶବାଦକୁ ଭୁଲି ନ ଥିବା ଏବଂ ଆଧୁନିକ ଆଙ୍ଗିକ ସାଜସଜ୍ଜା ଅପେକ୍ଷା ପରମ୍ପରାକୁ ଅଧିକ ମୂଲ୍ୟ ଦେଇଥିବା ଭଳି ମନେହୁଏ, କେତେକ ଉପନ୍ୟାସରେ ରୋମାଣ୍ଟିକ ଶୈଳୀର ସଫଳ ସ୍ୱାକ୍ଷର ବି ଦେଖିହୁଏ । ଉପରୋକ୍ତ ଉପନ୍ୟାସଗୁଡ଼ିକରେ ନାରୀ ଚରିତ୍ର ଚିତ୍ରଣ ଅଧିକତର ସଜୀବ ଓ ବଳିଷ୍ଠ । ସାତକଡ଼ି ହୋତାଙ୍କ ‘ସ୍ଵପ୍ନ ଶିଉଳି’, ‘ବ୍ୟାକୁଳ ହୃଦୟ’, ‘ଏତେ ସ୍ୱପ୍ନ ଏତେ ଆଲୋକ’ ପ୍ରଭୃତି ଉପନ୍ୟାସ ଘଟଣା ପ୍ରଧାନ ବା କଥାଟିଏ କହୁଁର ଅନୁସୃତି । ବର୍ଣ୍ଣନା ଓ ବିବରଣୀମାନଙ୍କ ମଧ୍ୟରେ ଚରିତ୍ରଗୁଡ଼ିକର ପରିସ୍ଫୁଟନ ଅସ୍ପଷ୍ଟ । ଉପନ୍ୟାସଗୁଡ଼ିକ ସହର ଭିତ୍ତିକ । ଉପନ୍ୟାସଗୁଡ଼ିକର ଭାଷା କେତେବେଳେ ସରଳ ସାବଲୀଳ ତ କେତେବେଳେ ଚିତ୍ରକଳ୍ପଧର୍ମୀ । ସ୍ଵାଧୀନୋତ୍ତର କାଳର ଅନ୍ୟ ଔପନ୍ୟାସିକମାନେ ହେଉଛନ୍ତି, ଦେବରାଜ ଲେଙ୍କା, ବ୍ରଜମୋହନ ମହାନ୍ତି, ବଳରାମ ପଟ୍ଟନାୟକ, ଦଶରଥ ସାମଲ, ଏବଂ ଏଯାବତ୍‌ ମାତ୍ର ଗୋଟିଏ ଦୁଇଟି ଉପନ୍ୟାସ ଲେଖି ଗଠନ ତଥା ରଚନା ଶୈଳୀରେ ସ୍ଵାତନ୍ତ୍ର୍ୟ ଉପସ୍ଥାପନ କରିଥିବା ଲେଖକମାନଙ୍କ ଭିତରେ ଶ୍ରୀ ପ୍ରଫୁଲ କୁମାର ତ୍ରିପାଠୀ, ଉଜ୍ଜ୍ୱଳ ପାଢ଼ୀ, ଦୀପକ ପାଲ, ଜଗଦ୍ଦୀଶ ମହାନ୍ତି ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ବିଜ୍ଞାନ-ଭିତ୍ତିକ ଉପନ୍ୟାସ ଓ ଅନୁବାଦ: –

 

ସ୍ଵାଧୀନୋତ୍ତର କାଳରେ ବିଭିନ୍ନ ଶୈଳୀରେ ଉପନ୍ୟାସମାନଙ୍କ ଭିତରେ ଗୋକୁଳାନନ୍ଦ ମହାପାତ୍ରଙ୍କ ଅବଦାନ କମ୍‌ ନୁହେଁ, ତାଙ୍କର ‘ପୃଥିବୀ ବାହାରେ ମଣିଷ’ ପ୍ରଭୃତି ଉପନ୍ୟାସ ବିଜ୍ଞାନ-ଭିତ୍ତିକ ଉପନ୍ୟାସର ଅଭାବ ଦୂର କରିପାରିଛି । ଦେଶ ଦେଶାନ୍ତର ଉପନ୍ୟାସଗୁଡ଼ିକୁ ଓଡ଼ିଆରେ ଅନୁବାଦ କରାଯିବା ଫଳରେ ସେହି ଲେଖକମାନଙ୍କ ରଚନା ଓ ଗଠନଶୈଳୀ ଅଭିନବ ସ୍ୱାଦ ଓଡ଼ିଆ ସାହିତ୍ୟରେ ଅନୁଭୂତ ହୋଇ ପାରିଛି । ଅନୂଦିତ ଉପନ୍ୟାସମାନଙ୍କ ଭିତରେ ଉଦୟନାଥ ଷଡ଼ଙ୍ଗୀଙ୍କ ‘ଟମକକାଙ୍କ କୁଟୀର’ ଗୋଲକବିହାରୀ ଧଳଙ୍କ ‘ଗୋଦାନ’ ଓ ‘ଗବନ’ (ମୂକ ଲେଖକ ପ୍ରେମଚାନ୍ଦ), ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କ ‘ଗୁଡ଼ଅର୍ଥ’ (ମୂଳ-ଲେଖିକା ପର୍ଲବକ), ପ୍ରସିଦ୍ଧ ଅନୁବାଦକ ଲକ୍ଷ୍ମୀନାରାୟଣଙ୍କ ‘ଅଛବ’ (ସୁଲ୍‍ନରାଜ ଆନନ୍ଦ ଓ ‘ଅପରାଜିତ’ ଅର୍ନେଷ୍ଟ ହେମିଂଓ୍ୱେ) ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏ ଦିଗରେ ଏନ.ବି.ଟି ଦ୍ୱାରା ସ୍ପୃହଣୀୟ ପଦକ୍ଷେପ ନିଆଯାଇ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରାଯାଇଛି ।

 

ପରିଶେଷରେ ସ୍ଵୀକାର କରିବାକୁ ହେଉଛି ଯେ ଆଜିକାଲିକା ବଜାରରେ ଅନେକ ଯୌନ ଉତ୍ତେଜନା ମୂଳକ ଶସ୍ତା ଉପନ୍ୟାସ ଏବଂ ଏକ ଅତ୍ୟନ୍ତ ଗଠନଶୈଳୀ ଦାବି କରୁଥିବା ଡିଟେକ୍‌ଟିଭ ବା ଗୁଇନ୍ଦା ଉପନ୍ୟାସ ବହୁ ସଂଖ୍ୟାରେ କାଟତି ହେଉଥିବା ସତ୍ତ୍ୱେ, ସାହିତ୍ୟିକ ମୂଲ୍ୟହୀନତା ଯୋଗୁଁ ସେଇ ଉପନ୍ୟାସ କିମ୍ବା ସେମାନଙ୍କ ଲେଖକମାନଙ୍କୁ ଏହି ପ୍ରବନ୍ଧର ପରିସର ଭିତରକୁ ନିଆଯାଇନାହିଁ ।

 

ଓଡ଼ିଆ ଗଳ୍ପର ଗଠନଶୈଳୀ

 

ଆରମ୍ଭ ଓ ବିକାଶ:–

 

ଫକୀରମୋହନଙ୍କ ଗଳ୍ପ ତାଙ୍କ ଉପନ୍ୟାସ ଭଳି ଅନବଦ୍ୟ ସୃଷ୍ଟି । କେତେକଙ୍କ ମତରେ ସେ ଥିଲେ ଉପନ୍ୟାସ ଅପେକ୍ଷା ଗଳ୍ପ ସୃଷ୍ଟିରେ ଅଧିକ ସିଦ୍ଧହସ୍ତ । ଡଃ. ମାୟାଧର ମାନସିଂହଙ୍କ ଉକ୍ତି ଯେ “ସେନାପତିଙ୍କ ଉପନ୍ୟାସ ସବୁ ତାଙ୍କ କ୍ଷୁଦ୍ରଗଳ୍ପର ଅଭିବୃଦ୍ଧି କହିଲେ ହେଲା ।” କଥିତ ଅଛି ଯେ ତାଙ୍କ ଅନୁପମ ସୃଷ୍ଟି ‘ଛ’ମାଣ ଆଠଗୁଣ୍ଠ’ ଏକ ଗଳ୍ପ ହିସାବରେ ପ୍ରଥମେ ତାଙ୍କ ସୃଷ୍ଟି-ମାନସରେ ରୂପ ପରିଗ୍ରହ କରିଥିଲା । ତାଙ୍କ ଲିଖିତ ‘ଲଛମନିଆ’ ଗଳ୍ପ–ଯାହାକି ସମଗ୍ର ଭାରତରେ ପ୍ରଥମ ଆଧୁନିକ ଗଳ୍ପ ହିସାବରେ ଦାବି କରାଯାଇଥାଏ–ଏଯାଏଁ ଲୋକଲୋଚନରେ ଆସିପାରି ନ ଥିବା ହେତୁ, ‘ରେବତୀ’କୁ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ଭାବେ ଗ୍ରହଣ କରାଯାଏ । ଏବଂ ଏହି ଦୁଇଟିଯାକ ଗଳ୍ପର ସ୍ରଷ୍ଟା ଫକୀରମୋହନ ହୋଇଥିବାରୁ ଫକୀରମୋହନ ହିଁ ଯେ ପ୍ରଥମ ଗଳ୍ପ ଲେଖକ ହେବାର ଗୌରବରେ ଅଧିକାରୀ ଏଥିରେ କାହାର ସନ୍ଦେହ ନାହିଁ ।

 

ସଂଖ୍ୟା ଦୃଷ୍ଟିରୁ ଫକୀରମୋହନଙ୍କ ପରବର୍ତ୍ତୀ କାଳରେ ଅନେକ ବ୍ୟକ୍ତିଗତଭାବେ ଫକୀରମୋହନଙ୍କଠାରୁ ଅଧିକ ଗଳ୍ପ ଲେଖିଥିଲେ ମଧ୍ୟ ଭାଷା ଓ ଶୈଳୀଗତ ମୌଳିକତା, ବାସ୍ତବବାଦୀ ଚରିତ୍ର ସୃଷ୍ଟି, ସମାଜର ଆବର୍ଜନା ଅନାଚାର ବିରୁଦ୍ଧରେ ପରିହାସ ଜର୍ଜରିତ ସମାଲୋଚନା, ମାନବିକତା ଇତ୍ୟାଦି ଦୃଷ୍ଟିରୁ କେହି ସେଭଳି ସାଫଲ୍ୟ ଲାଭ କରିଥିବା ଭଳି ମନେହୁଏ ନାହିଁ । ‘ରେବତୀ’, ‘ରାଣ୍ଡୀପୁଅ ଅନନ୍ତା’ ଭଳି ଗଳ୍ପ ଏଯାବତ୍‌ ଓଡ଼ିଆ ଗଳ୍ପ ସାହିତ୍ୟର ଅମୂଲ୍ୟ ରତ୍ନ । ‘କମଳାପ୍ରସାଦ ଗୋରାପ’ ଓ ‘କାଳିକା ପ୍ରସାଦ ଗୋରାପ’ ଗଳ୍ପ ଦୁଇଟିରେ ବ୍ୟବହୃତ ଭାଷା ଶବ୍ଦ ଭିତରେ ଡଃ. ମାନସିଂହଙ୍କ ଉକ୍ତି ନିତାନ୍ତ ଯୁକ୍ତିଯୁକ୍ତ–ଆମେ ଅନୁଭବ କରୁ ସମୁଦ୍ରର ଉତ୍ତଳତରଙ୍ଗ–ପରମ୍ପରା ଏବଂ ଲବଣାକ୍ତ ସୈନ୍ଧବ ବାୟୁରପ୍ରାଣ । ଓଡ଼ିଆ ଗଳ୍ପ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ପରମ୍ପରାକୁ ସେନାପତିଙ୍କ ଦାନ ଅତୁଳନୀୟ ।

 

ବିସ୍ତୃତି : ପ୍ରଥମ ପର୍ଯ୍ୟାୟ: –

 

ଫକୀରମୋହନଙ୍କ ପରବର୍ତ୍ତୀ ଦଶନ୍ଧିରେ ଚନ୍ଦ୍ରଶେଖର ନନ୍ଦ, ଦୟାନିଧି ମିଶ୍ର, ଦିବ୍ୟସିଂହ ପାଣିଗ୍ରାହୀ, ବାଙ୍କନିଧି ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋଦାବରୀଶ ମିଶ୍ର ପ୍ରମୁଖ ଲେଖକମାନେ ଗଳ୍ପ ସୃଷ୍ଟିର ପରମ୍ପରା ବଞ୍ଚାଇ ରଖିଥିଲେ । ଚନ୍ଦ୍ରଶେଖରଙ୍କ ଗଳ୍ପଗୁଡ଼ିକରେ ବିଷୟବସ୍ତୁ ଥିଲା ମୁଖ୍ୟତଃ ବୈଦିକ, ପୌରାଣିକ, କିମ୍ବଦନ୍ତୀମୂଳକ, ଦୟାନିଧିଙ୍କ ଐତିହାସିକ; ଦିବ୍ୟସିଂହ, ବାଙ୍କନିଧି, ଲକ୍ଷ୍ମୀକାନ୍ତ ଓ ଗୋଦାବରୀଶଙ୍କ ବିଷୟବସ୍ତୁ ଥିଲା ସାମାଜିକ ଓ ପାରିବାରିକ-। ବାଙ୍କନିଧିଙ୍କ ‘ଧୂପଛାୟା’ର କେତେକ ଗଳ୍ପ ଲକ୍ଷ୍ମୀକାନ୍ତଙ୍କ ‘ବୁଢ଼ାଶଙ୍ଖାରି’ ଓ ଅନ୍ୟାନ୍ୟ ଗଳ୍ପ ଏବଂ ଗୋଦାବରୀଶଙ୍କ ‘ଭାଇଭାଗ’, ‘ପାଣୁ ମିଶ୍ରେ’ ପ୍ରଭୃତି ଗଳ୍ପ ଏହି ସମୟର ଉଲ୍ଲେଖଯୋଗ୍ୟ ସୃଷ୍ଟି ମନେହେଲେ ବି ଏମାନେ ସାଧନନିଷ୍ଠ ଭାବେ ଗଳ୍ପ ସୃଷ୍ଟିରେ ଅବତୀର୍ଣ୍ଣ ହୋଇ ନ ଥିବାରୁ, ଗଳ୍ପଭଳି ଏକ କଳା-ପୂର୍ଣ୍ଣ ସାହିତ୍ୟାଙ୍ଗ ଫକୀରମୋହନଙ୍କ ପରେ ଅଧିକ ବିକଶିତ ହୋଇଥିବା ମନେହୁଏ ନାହିଁ । ଗଳ୍ପର ନୂତନ ଆଙ୍ଗିକ କିମ୍ବା ଭାଷାଗତ ଶୈଳୀ ପ୍ରବର୍ତ୍ତନରେ ଏମାନେ ସଚେଷ୍ଟ ନଥିଲେ-। ଏମାନେ ଟଲଷ୍ଟୟଙ୍କ ଆଦର୍ଶ ଓ ମାନବତାବାଦରେ ପ୍ରଭାବିତ ଥିବା ଜଣାଯାଏ ।

 

୧୯୩୭ରେ ଲିଖିତ ଭଗବତୀଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ଏକ ସ୍ଵତନ୍ତ୍ର ସ୍ଥାନ ଦାବି କରେ, ଏବଂ ଫକୀରମୋହନୋତ୍ତର ଯୁଗରେ ଗଳ୍ପ ସାହିତ୍ୟରେ ଏକ ବଳିଷ୍ଠ ଓ ସ୍ଵତନ୍ତ୍ର ବିକାଶଧାରା ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରେ । ସାମ୍ୟବାଦୀ ଚିନ୍ତାଧାର ଓ ମାର୍କସୀୟ ଦର୍ଶନ ପ୍ରଚାରରେ କେବଳ ନୁହେଁ, ପୀଡ଼ିତ ମାନବ ଆତ୍ମାର କରୁଣଚିତ୍ର ପ୍ରଦାନରେ ମଧ୍ୟ ଗଳ୍ପଟି ଏକ ସାର୍ଥକ ସୃଷ୍ଟି । ୧୯୩୮ରେ ରଚିତ ‘ମାଗୁଣିର ଶଗଡ଼’କୁ ସମାଲୋଚକମାନେ ଗୋଦାବରୀଶ ମହାପାତ୍ରଙ୍କ ଶ୍ରେଷ୍ଠ ଗଳ୍ପ ବୋଲି ଉଲ୍ଲେଖ କରିଥାଆନ୍ତି । ଯନ୍ତ୍ର-ସଭ୍ୟତା ପ୍ରତି ସ୍ୱାଭାବିକ ବିଦ୍ରୋହରେ ଶ୍ରମଜୀବୀ ସମାଜର ପରାଜୟ ଓ ତାହା ପ୍ରତି ଲେଖକଙ୍କ ଆନ୍ତରିକ ସମବେଦନା ହିଁ ଗଳ୍ପଟିକୁ ଓଡ଼ିଆ ସାହିତ୍ୟରେ ବିଶିଷ୍ଟ ସ୍ଥାନ ପ୍ରଦାନ କରିଛି । ଫକୀରମୋହନଙ୍କ ପରେ ଗଳ୍ପର ଆଙ୍ଗିକ ଓ ଆଲିକ (ବହିର୍ଗଠନ ଓ ଅନ୍ତର୍ଗଠନ) ରୂପରେ ଗୋଦାବରୀଶ ଆଣିଲେ ଏକ ନିଶ୍ଚିତ ମୌଳିକତା । ମାର୍କସ୍‌ କିମ୍ବା ଗାନ୍ଧୀବାଦର ପ୍ରଚାର ବା ପ୍ରଭାବ ବିସ୍ତାର ପାଇଁ ତାଙ୍କ ଗଳ୍ପ ଉଦ୍ଦିଷ୍ଟ ନୁହେଁ । ଦୈନନ୍ଦିନ ସାଧାରଣ ଜୀବନରୁ ପାତ୍ରପାତ୍ରୀ ନେଇ ଅନୁଭବ ଶକ୍ତି, ନିବୈନ୍ତିକ ପଟୁତା ସରଳ ଜନ ଜୀବନର ଭାଷାଦେଇ ସମାଜର ଅବହେଳିତଙ୍କ କଥା ଲେଖି ସେ ଅପୂର୍ବସିଦ୍ଧି ଲାଭ କରିଛନ୍ତି । ବହିର୍ଗଠନ ଦିଗରୁ ଦେଖିଲେ ତାଙ୍କ ଗଳ୍ପଗୁଡ଼ିକ କ୍ଷୁଦ୍ର; ଚିତ୍ରକଳ୍ପ ରଚନା ଓ ବ୍ୟଞ୍ଜନାରେ ବ୍ୟଙ୍ଗ ଓ ହାସ୍ୟରସର ଅବତାରଣା ଗଳ୍ପଗୁଡ଼ିକର ଅନ୍ତର୍ଗଠନର କୃତିତ୍ୱ । ନୀଳମାଷ୍ଟରାଣୀ ଏବେ ମଧ୍ୟ ବଞ୍ଚିଛି । ‘ମୁଁ ଦିନେ ମନ୍ତ୍ରୀଥିଲି’ ତାଙ୍କର ଉଲ୍ଲେଖଯୋଗ୍ୟ ଗଳ୍ପ ଗ୍ରନ୍ଥ ।

 

କେତେକ ଆଲୋଚକଙ୍କ ମତରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଶ୍ରେଷ୍ଠ ଗଳ୍ପ ହେଉଛି ‘ମାଂସର ବିଳାପ’ ‘ଦ୍ୱାଦଶୀ ରାଶିଫଳ’ ‘ଶେଷରଶ୍ମି’ ପ୍ରଭୃତି ଗଳ୍ପ ଗ୍ରନ୍ଥ ଗୁଡ଼ିକରେ ଏବଂ ପରବର୍ତ୍ତୀ କାଳରେ ଆଧୁନିକ ଜୀବନର ବିଫଳତା, ନିରାଶା ଆକାଙ୍‌କ୍ଷାକୁ କେନ୍ଦ୍ରକରି ରଚିତ କେତେକ ଗଳ୍ପରେ ନୂତନଶୈଳୀର ପ୍ରୟୋଗ ସ୍ଵପ୍ନ ଓ ଛାୟାବାଦର ସୂଚନାରେ ମୌଳିକ ସପ୍ରତିଭ ଗଳ୍ପମାନଙ୍କୁ ଅନୁଶୀଳନ କଲେ କୌଣସି ନିର୍ଦ୍ଦିଷ୍ଟ ଗଳ୍ପକୁ କାଳିନ୍ଦୀଙ୍କ ଏକମାତ୍ର ଉତ୍କୃଷ୍ଟ ଗଳ୍ପ ବୋଲି କହି ହେବ ନାହିଁ । ଓଡ଼ିଆ ଗଳ୍ପ ସାହିତ୍ୟରେ କାଳିନ୍ଦୀଙ୍କ ସ୍ଥାନ ଏକ ଯୁଗର ପ୍ରତିନିଧିରୂପେ ରହିବା ତ ନିଶ୍ଚିତ କିନ୍ତୁ ଏହା ସତ୍ତ୍ୱେ ତାଙ୍କ ‘ମାଟିର ମଣିଷ’ ଉପନ୍ୟାସର କୃତିତ୍ୱକୁ କୌଣସି ଗଳ୍ପ ସ୍ପର୍ଶ କରିଥିବା ମନେହୁଏ ନାହିଁ । ସବୁଜ ଯୁଗର ଅନ୍ୟ ବିଶିଷ୍ଟ ଲେଖକ ହରିଶ୍ଚନ୍ଦ୍ର ବଡ଼ାଲ ଓ ଶରତଚନ୍ଦ୍ର ମୁଖାର୍ଜି ସାମାଜିକ ବେଦନା ବୋଧକୁ କଥାବସ୍ତୁ କରି ଗଳ୍ପ ଲେଖିଥିଲେ ମଧ୍ୟ, ସେଗୁଡ଼ିକରେ ତାଙ୍କୁ ନୂତନ ପ୍ରତିଷ୍ଠା ଦେବା ଭଳି ଉପାଦାନ ମିଳେ ନାହିଁ ।

 

ରାଜକିଶୋର ରାୟ, ସଚ୍ଚିଦାନନ୍ଦ ରାଉତରାୟ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ଗୋପୀନାଥ ମହାନ୍ତି, ଅନନ୍ତ ପ୍ରସାଦ ପଣ୍ଡାଙ୍କ ନାମ ଆଧୁନିକ ଗଳ୍ପ ଲେଖକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଶ୍ରୀଯୁକ୍ତ ରାୟ ଜଣେ ସୁଦକ୍ଷ ଆଙ୍ଗିକ ସଚେତନ କଥାଶିଳ୍ପୀ ଏବଂ ଗଳ୍ପର ଆକୃତି ଘେନି ସେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ମୁଖ୍ୟତଃ ପ୍ରବୃତ୍ତିରେ ରୋମାଣ୍ଟିକ ହେଲେ ମଧ୍ୟ ପରବର୍ତ୍ତୀ କାଳରେ ବାସ୍ତବବାଦ ଓ ବ୍ୟଙ୍ଗଧର୍ମୀ ଗଳ୍ପ ସୃଷ୍ଟି କରିଛନ୍ତି । ଭାଷାଶୈଳୀ କାବ୍ୟିକ, ବର୍ଣ୍ଣାଢ୍ୟ ଓ ନାଟକୀୟ ଏବଂ ବେଳେ ବେଳେ ଏହାର ମାତ୍ରାଧିକ୍ୟ ଜନିତ ଅପ୍ରାକୃତିକତା ସମାଲୋଚକ ନଜରରେ ପଡ଼େ । ସ୍ଵାଧୀନତାର ପ୍ରାକ୍‌-କାଳରୁ ପ୍ରାୟ ପଞ୍ଚମ ଦଶକ ଯାଏଁ ଯେତେବେଳେ କ୍ଷୁଦ୍ରଗଳ୍ପ ସୃଷ୍ଟିରେ ପ୍ରାୟ ଦୁର୍ଭିକ୍ଷ ଦେଖା ଦେଇଥିଲା, ସେତେବେଳେ ସେ ଏହି ସାହିତ୍ୟାଙ୍ଗଟିକୁ ଗୁଣାତ୍ମକ ଓ ପରିମାଣ ଦୃଷ୍ଟିରୁ ଋଷି ମନ୍ତ୍ର କରିପାରିଥିଲେ । ‘ନୀଳଲହରୀ’ ‘ଜୟଶ୍ରୀ’ ‘ବନଜ୍ୟୋତ୍ସ୍ନା’ ଅଶୋକଚକ୍ର’ ‘ଜୟଶଙ୍ଖ’ ‘ମନର ମୃଣାଳ’ ‘ଜୀବନ ସଙ୍ଗୀତ’ ‘ମଧ୍ୟାହ୍ନର ମରୁପଥେ’ ‘ଆଦିପୁରୁଷ’ ଇତ୍ୟାଦି ଅନେକ ଗଳ୍ପ ଗ୍ରନ୍ଥର ଲେଖକ ସେ ।

 

ନିତ୍ୟାନନ୍ଦ ମହାପାତ୍ର ଓ ରାଜକିଶୋର ପଟ୍ଟନାୟକ ମୁଖ୍ୟତଃ ମନସ୍ତାତ୍ତ୍ୱିକ ଗଳ୍ପକାର–ମନର ବିଚିତ୍ର ଗନ୍ତାଘରର ଉନ୍ମୋଚନରେ ସପ୍ରତିଭ । ଶ୍ରୀ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକରେ ସାମାଜିକ ସମସ୍ୟା ଉତ୍‌ଥାପିତ ହୋଇଥିଲେ ମଧ୍ୟ ମାନସିକ ଦ୍ୱନ୍ଦ୍ୱ ସଂଘର୍ଷ ଓ ସଙ୍କଟର ରୂପାୟନରେ ତାଙ୍କ ଗଳ୍ପଗୁଡ଼ିକ ପ୍ରାଣବନ୍ତ । ତାଙ୍କ ଗଳ୍ପଗୁଡ଼ିକର ଅନ୍ତର୍ଗଠନର ଅନ୍ୟ ଏକ ବିଶେଷତ୍ଵ ହେଲା ପ୍ରତୀକ ଅଭିବ୍ୟକ୍ତି ଓ ଉପମା ଉପମେୟର ପ୍ରୟୋଗ । ତୁଠପଥର, ପଞ୍ଜୁରୀପକ୍ଷୀ ନିଶାଣଖୁଣ୍ଟି ଶାଳଗ୍ରାମ ପ୍ରଭୃତି ଗଳ୍ପଗ୍ରନ୍ଥଗୁଡ଼ିକରେ ଅନେକ ଶିଳ୍ପ–ସଫଳ ଗଳ୍ପ ଦେଖିବାକୁ ମିଳେ । ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ରୋମାଣ୍ଟିକ ଭାବପ୍ରବଣତା ସହ ଜଡ଼ିତ, ଏବଂ ମନସ୍ତାତ୍ତ୍ୱିକ ବ୍ୟଞ୍ଜନାର କାଉଁରିକାଠି ସ୍ପର୍ଶରେ ତାଙ୍କର ଅନେକ ଗଳ୍ପ ସ୍ୱୟଂସମ୍ପୂର୍ଣ୍ଣ ଓ ସଫଳ । ସାମାଜିକ ସମସ୍ୟାର ଚିତ୍ରଣ ସତ୍ତ୍ୱେ, ପ୍ରାୟ ଭାବଧର୍ମୀ ମନସ୍ତାତ୍ତ୍ୱିକ ଗଳ୍ପଗୁଡ଼ିକରେ ହିଁ ନିତ୍ୟାନନ୍ଦଙ୍କ ଅପୂର୍ବ ଶିଳ୍ପସିଦ୍ଧି ଦେଖିହୁଏ । ‘ଏଗାରଟା’ ‘କ୍ଷଣିକା’ ପ୍ରଭୃତି ଗ୍ରନ୍ଥର ଅନେକଗଳ୍ପ ଏହି ଦୃଷ୍ଟିରୁ ଓଡ଼ିଆ ଗଳ୍ପ ସାହିତ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ ।

 

ଆଧୁନିକ ଯୁଗରେ କବି ରୂପେ ସୁପରିଚିତ ସଚ୍ଚିଦାନନ୍ଦ ରାଉତରାୟଙ୍କ ଗଳ୍ପ ସଂଖ୍ୟାଦୃଷ୍ଟିରୁ କମ୍‍ ହେଲେ ମଧ୍ୟ ଗଳ୍ପଗୁଡ଼ିକ ସମସ୍ୟା ବହୁଳ ବାସ୍ତବ ଜୀବନର ଚିତ୍ରରେ ସମୃଦ୍ଧ । ପଲ୍ଲୀଜନତାର ଅସହାୟ ଜୀବନ ଚିତ୍ରଣ ସହ ବେଳେ ବେଳେ ସହଜାତ ବାମପନ୍ଥୀ ଚିନ୍ତାଧାରା ସଂଶ୍ଳିଷ୍ଟ ଥିବା କେତେକ ଗଳ୍ପ ସତ୍ତ୍ୱେ, ବିଷୟବସ୍ତୁର ପରିବେଷଣ ଓ ଆଙ୍ଗିକ ସାର୍ଥକତା ତାଙ୍କ ଗଳ୍ପର ମୁଖ୍ୟ ଆବେଦନ । ‘ମଶାଣିର ଫୁଲ’ ଭାବଭାଷା ବିଷୟବସ୍ତୁ ଓ ପରିବେଷଣ ଶୈଳୀ ଦୃଷ୍ଟିରୁ ଏକ ସାର୍ଥକ ଗଳ୍ପ । ଅନନ୍ତପ୍ରସାଦ ପଣ୍ଡାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ସଂସ୍କାରଧର୍ମୀ । ‘ସଭ୍ୟତାର-ତଳେ’, ‘ମନରଭୂତ, ଗଳ୍ପଗ୍ରନ୍ଥଗୁଡ଼ିକରେ ଅର୍ଥନୈତିକ ସମସ୍ୟାର ଭିତ୍ତି ଉପରେ ଆଧାରିତ କଥାବସ୍ତୁ ପ୍ରାୟ ଦେଖାଯାଏ । ପଲ୍ଲୀ ସମାଜରେ ଶୋଷଣ କୃଷିଭିତ୍ତିକ ସମାଜରେ ତନ୍ତ୍ରର ପ୍ରଚଳନ ଜନିତ ସଂକଟର ଚିତ୍ର ସୂଚିତ ହୋଇଥାଏ । ବିଭୂତିଭୂଷଣ ତ୍ରିପାଠୀଙ୍କ ଗଳ୍ପ ସଞ୍ଚୟନ ‘ସେତୁ’ର ଗଳ୍ପଗୁଡ଼ିକ କଥକତାର ଚମତ୍କାରିତା, ବର୍ଣ୍ଣନା ବା ବିଶ୍ଳେଷଣ ଦିଗରୁ ଉପଭୋଗ୍ୟ । ନାଟକ ଓ ଏକାଙ୍କିକା ଲେଖକ ପ୍ରାଣବନ୍ଧୁ କର ମୁଖ୍ୟତଃ ଫ୍ରୟେଡ଼ିୟାନ ଚିନ୍ତାଧାରାଦ୍ୱାରା ପ୍ରଭାବିତ । ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଏବଂ ଗଳ୍ପର ଆଙ୍ଗିକ ପରିସର ମଧ୍ୟରେ ତା’ର ନିପୁଣ ପ୍ରୟୋଗରେ ସେ ଅପୂର୍ବ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସମସାମୟିକ ଏକ ସମାଜ ସଚେତନ ପ୍ରଗତିବାଦୀ ଚିନ୍ତାଧାରର ଗାଳ୍ପିକ ହେଉଛନ୍ତି ଶ୍ରୀ ଅନନ୍ତ ପଟ୍ଟନାୟକ, ତାଙ୍କ ‘ଚଢ଼ାଉତରା’ ଗଳ୍ପଟି ଏକ ସଫଳ ଗଳ୍ପ । ଏହି ସମୟର ଗଳ୍ପ ଲେଖକମାନଙ୍କ ମଧ୍ୟରେ ଚିତ୍ରଧର୍ମୀ ଭାଷା ଓ ମୌଳିକଶୈଳୀ ବ୍ୟବହାର ପାଇଁ ସବୁଠୁ ଅଧିକ ଉଲ୍ଲେଖଯୋଗ୍ୟ ଗୋପୀନାଥ ମହାନ୍ତି । ଗୋପୀନାଥଙ୍କ ଅନେକ କାହାଣୀ ଦୀର୍ଘାୟତନ ହେବା ସତ୍ତ୍ୱେ ଗଳ୍ପଗୁଡ଼ିକର ‘କଳାକୁଶଳତା’ ରସ-ମାଧୁରୀ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଉଚ୍ଚ ଆଦର୍ଶ, ଅନ୍ତରଙ୍ଗ ଭାଷା ବିଦଗ୍ଧ ପାଠକକୁ ମୁଗ୍ଧ କରେ । ଘଟଣାର ଐକ୍ୟବିଧାନ, ଘଟଣା ଉପସ୍ଥାପନରେ ନାଟକୀୟ କୁଶଳତା ତାଙ୍କ ସୃଷ୍ଟିର ଏକ ଲକ୍ଷଣୀୟ ଗୁଣ, ବ୍ୟଙ୍ଗାତ୍ମକ ଗଳ୍ପ-ରଚନାରେ ମଧ୍ୟ ଗୋପୀନାଥ ନିପୁଣ ‘‘ଘାସଫୁଲ” ଗଳ୍ପ ଗ୍ରନ୍ଥଟି ଓଡ଼ିଆ ଗଳ୍ପ ଭଣ୍ଡାରର ରତ୍ନ ସ୍ୱରୂପ, ଗୋପୀନାଥଙ୍କ ଭଳି କାହ୍ନୁଚରଣ ମଧ୍ୟ ଗଳ୍ପ-ସୃଷ୍ଟି କରିଥିଲେ ଗୋପୀନାଥଙ୍କ ଭଳି ଏତେ ଶକ୍ତିଶାଳୀ ନୁହନ୍ତି । ତଥାପି କାହ୍ନୁବାବୁଙ୍କ ‘‘ଅସମାପିକା” ଗଳ୍ପ ଗ୍ରନ୍ଥରେ ଅନେକ ସାର୍ଥକ ଗଳ୍ପ ଦେଖିବାକୁ ମିଳେ-

 

ବିସ୍ତୃତି ଦ୍ୱିତୀୟ ପର୍ଯ୍ୟାୟ:–

 

ଗଳ୍ପ-ବିସ୍ତୃତି ଓ କାଳର ଦ୍ଵିତୀୟ ପର୍ଯ୍ୟାୟର ଏକ ଉଜ୍ଜ୍ୱଳ ପ୍ରତିଭା ହେଉଛନ୍ତି ଶ୍ରୀ ସୁରେନ୍ଦ୍ର ମହାନ୍ତି, ଦ୍ୱିତୀୟ ଯୁଦ୍ଧୋତ୍ତର କାଳରେ ଯେତେବେଳେ ରୋମାଣ୍ଟିକ ଉଚ୍ଛ୍ୱାସ କିମ୍ବା ବର୍ଣ୍ଣିନଧର୍ମୀ କଥକତା ଆଉ ପାଠକର ଚେତନାକୁ ସ୍ପର୍ଶ କରିପାରୁ ନଥିଲା, ପ୍ରତିଷ୍ଠିତ ମୂଲ୍ୟବୋଧ ଉପରେ ସନ୍ଦେହ, ଖଣ୍ଡିତ ବ୍ୟକ୍ତିମାନସର ଦ୍ୱନ୍ଦ୍ୱ, ସ୍ଥିତିବାଦୀ ଶୂନ୍ୟତା, ନେତିବାଦ (ସିନିସିଜମ) ଓ ଉଦ୍ଭଟତା (absurdity)ର ପ୍ରଥମ ଉଚ୍ଚାରଣ ଦେଖା ଦେଇଥିଲା ‘‘ଭାରତ ଆବିଷ୍କାର” ‘‘ଅଷ୍ଟ୍ରେଲିଆ” ‘‘ଭାଗାବାଣ୍ଡ” ପ୍ରଭୃତି ଗଳ୍ପଗୁଡ଼ିକରେ । ବୌଦ୍ଧ ଓ ପୌରାଣିକ ଯୁଗଠାରୁ ଆରମ୍ଭ କରି ଆଧୁନିକ ଯନ୍ତ୍ର ଯୁଗ ପର୍ଯ୍ୟନ୍ତ କି ଐତିହାସିକ, କି ସାମାଜିକ, ରାଜନୈତିକ ପ୍ରାୟ ସବୁ କିସମର ଗଳ୍ପ ସୃଷ୍ଟିରେ ସେ ସିଦ୍ଧହସ୍ତ । ତାଙ୍କ ପ୍ରବର୍ତ୍ତିତ ସରସଆଲିଷ୍ଟ ପ୍ରବୃତ୍ତି, ଚେତନାଧର୍ମୀ ଆଙ୍ଗିକ ଓ ଆଣ୍ଟି-ରୋମାଣ୍ଟିସିଜମ ଧାରା ପରବର୍ତ୍ତୀ କାଳରେ ବହୁ ଲେଖକଙ୍କ ଦ୍ୱାରା ପରିପୁଷ୍ଟ ହୋଇଥିଲା । ଆଙ୍ଗିକ ପ୍ରକାଶ ରୀତି ବିଷୟବସ୍ତୁର ଅଭିନବତ୍ୱ, ଭାଷାବିନ୍ୟାସ ଜୀବନ ସଚେତନ ଦୃଷ୍ଟି ସାମ୍ପ୍ରତିକ ସମାଜ ଓ ତା’ର ମୂଲ୍ୟବୋଧ ପ୍ରତି କଟାକ୍ଷ ଆଧୁନିକ ଜୀବନର ବିକଳାଙ୍ଗ ରୂପ, ବ୍ୟର୍ଥତା, ସଂଶୟ ବୋଧ ସହ ବେଳେ ବେଳେ ନୂତନ ଜୀବନର ସ୍ଵପ୍ନ-ସମ୍ଭାବନାରେ ଆଶାଦୀପ୍ତ ଗୌରବୋଜ୍ଜ୍ୱଳ ଚିତ୍ର ଓଡ଼ିଆ ଗଳ୍ପ ସାହିତ୍ୟକୁ ତାଙ୍କ ଉଲ୍ଲେଖଯୋଗ୍ୟ ଦାନ, ‘ମହାନଗରୀର ରାତ୍ରି’ ‘କୃଷ୍ଣଚୂଡ଼ା’ ‘ରୁଟି ଓ ଚନ୍ଦ୍ର’ ‘ସବୁଜପତ୍ର ଓ ଧୂସର ଗୋଲାପ’ ‘ମରାଳର ମୃତ୍ୟୁ’ ‘କାଲକାଟା’ ପ୍ରଭୃତି ତାଙ୍କର ପ୍ରସିଦ୍ଧ ଗଳ୍ପଗ୍ରନ୍ଥ । ବ୍ରହ୍ମାନନ୍ଦ ପଣ୍ଡା ସୁରେନ୍ଦ୍ରଙ୍କ ସହ ପ୍ରାୟ ଏକ ସମୟରେ ଗଳ୍ପ ରଚନା ଆରମ୍ଭ କରିଥିଲେ । ତାଙ୍କର ବହୁ ଗଳ୍ପରେ ଦକ୍ଷତା ଓଡ଼ିଶାର କଥିତ ଭାଷା ଓ ଚଳଣିର ଚମତ୍କାର ପ୍ରୟୋଗ ଦେଖାଯାଏ । ଚରିତ୍ର ଓ ପରିବେଶ ଚିତ୍ରଣରେ...ସେ ଜଣେ ସୁଦକ୍ଷ ଶିଳ୍ପୀ । ସାଧାରଣ ସତ୍ୟ ‘ମହକ’ ‘ଭୋଳିକକା’ ‘ଆତ୍ମପରିଚୟ’ ପ୍ରଭୃତି ଗଳ୍ପଗ୍ରନ୍ଥଗୁଡ଼ିକରେ ଶ୍ରୀ ପଣ୍ଡାଙ୍କ ଉଜ୍ଜ୍ୱଳ ସ୍ୱାକ୍ଷର ସୁସ୍ପଷ୍ଟ । ଏହାଛଡ଼ା ଶ୍ରୀ ପଣ୍ଡାଙ୍କୁ ଓଡ଼ିଆ ଆଭାସ ଗଳ୍ପର ଜନକ କହିଲେ ଭୁଲ୍‍ ହେବ ନାହିଁ, ‘‘କଳା ଓ କଳ୍ପନା’’ ଗଳ୍ପ ସଂକଳନ (୧୯୫୯)ରେ ‘ଆକାଙ୍‌କ୍ଷାର ସଂସ୍କାର’ ଓ ଅପରୂପର ରୂପ ଗଳ୍ପଦ୍ୱୟ ଆଭାସ ଗଳ୍ପ କ୍ଷେତ୍ରରେ ପ୍ରଥମ ଉଦ୍ୟମ, ଏହାଛଡା ‘ମୃତଆତ୍ମା’ ‘ବଂଶୀ ଓ ବନ୍‌ଶୀ’ ‘ସୋଖିଇ’ ‘ନୀଳାବେଶ’ ‘ଅନ୍ଧାରି’ ପ୍ରଭୃତି ଆଭାସ ଗଳ୍ପଗୁଡ଼ିକ ଖୁବ୍ ପ୍ରଭାବଶାଳୀ ସାର୍ଥକ ସୃଷ୍ଟି ।

 

ପ୍ରଥମେ ରମ୍ୟରଚନା ଲେଖାରେ ପାଠକଙ୍କ ପ୍ରଶଂସା ଭାଜନ ହୋଇ ପାରିଥିଲେ ବି, ପରବର୍ତ୍ତୀ କାଳରେ ବସନ୍ତ କୁମାର ଶତପଥୀ କ୍ଷୁଦ୍ରଗଳ୍ପର ଜଣେ (ସଫଳ ଲେଖକ ରୂପେ) ପରିଚିତ-। ତାଙ୍କ ଗଳ୍ପଗୁଡ଼ିକରେ ରମ୍ୟରଚନା ଗଳ୍ପର ଶିଳ୍ପ ମିଶାମିଶି, ଭାବପ୍ରବଣତା, ଚମତ୍କାର ଘଟଣା ବିନ୍ୟାସ ଓ ମନନଶୀଳତାର ସଂଯୋଗ ସୃଷ୍ଟି କରିଥାଏ ଏକ ନୂତନ ରସର ସ୍ଵାଦ-। ଭାଷା ଓ ଶୈଳୀରେ ଆନ୍ତରିକତାର ସ୍ପର୍ଶ ପାଠକମାନଙ୍କୁ ଆକର୍ଷିତ କରିଥାଏ, ତାଙ୍କର ‘ଆଣ୍ଟି-ରୋମାଣ୍ଟିକ’ ଗଳ୍ପଗୁଚ୍ଛ ଏକ ସଫଳ ଗ୍ରନ୍ଥ ।

 

‘ବଟ ମହାପୁରୁଷ’ ‘ସ୍ୱପ୍ନସିଦ୍ଧ’ ‘ପାଷାଣର ପ୍ରାଣ’ ‘ନର ଛଞ୍ଚାଣ’ ଓ ‘ଅସୀମ’ ପ୍ରଭୃତି ଗଳ୍ପ ପୁସ୍ତକଗୁଡ଼ିକର ରଚୟିତା ବାମାଚରଣ ମିତ୍ର ମୌଳିକ ଭାଷା ଓ ରଚନା ଶୈଳୀ ପାଇଁ ପ୍ରସିଦ୍ଧ, କିନ୍ତୁ ଗଳ୍ପର ଆଙ୍ଗିକ ସମ୍ପର୍କରେ ସେ ସଚେତନ ନଥିବା ଭଳି ମନେହୁଏ, ଏବଂ ଏହି ହେତୁ ଅନେକ ସ୍ଥାନରେ ଲଘୁ ପ୍ରବନ୍ଧ, ରମ୍ୟରଚନା ଓ କ୍ଷୁଦ୍ରଗଳ୍ପର ସୀମାରେଖା ବାରିହୁଏ ନାହିଁ, ପ୍ରବନ୍ଧଧର୍ମୀ ବିଶ୍ଳେଷଣ ସତ୍ତ୍ୱେ, ଚିନ୍ତାର ଗଭୀରତା, ମାନବବାଦ ଓ ଭାବଧର୍ମ ପାଠକକୁ ଆକୃଷ୍ଟ କରି ରଖେ ।

 

କିଶୋରୀ ଚରଣ ଦାସଙ୍କ ଗଳ୍ପର ପରିସର ହେଉଛି ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ ପରିବାର–ସାଧାରଣତଃ ଏକ ବଡ଼ ଅଫିସର ମନ ଓ ମିଜାଜରେ ବଡ଼ ଗମ୍ଭୀର ଯିଏକି ବ୍ରେକ୍‌ଫାଷ୍ଟ, ମୋଟର କାର, ଉଡ଼ାଜାହାଜ, ବିଦେଶ ଯାତ୍ରା (ଆମେରିକା) ଇତ୍ୟାଦି ସହ ଜଡ଼ିତ ଏବଂ ବେଳେ ବେଳେ ନିଜର ବର୍ତ୍ତମାନ ଜୀବନ, ଚିନ୍ତାଧାରା ସହ ଅତୀତର ଗାଁଗଣ୍ଡା ସହ ତୁଳନାତ୍ମକ ଭାବପ୍ରବଣ ରୋମନ୍ଥନ, ଅଧିକାଂଶ ଗଳ୍ପ ଆତ୍ମକୈନ୍ଦ୍ରିକ ଆତ୍ମମୁଖୀ ଧାରା ଓ ଫର୍ମ ଦୃଷ୍ଟିରୁ ଆଲମ୍ବ (Vertical) ଚରିତ୍ର ଚିତ୍ରଣରେ ବହୁମୁଖୀନତାର ଅଭାବ ସତ୍ତ୍ୱେ, କିଶୋରୀ ଚରଣଙ୍କ ଭାଷା ଓ ପରିବେଷଣ ରୀତି ଉଲ୍ଲେଖଯୋଗ୍ୟ, ‘ଭଙ୍ଗା ଖେଳଣା’ ‘ଲକ୍ଷ ବିହଙ୍ଗ’ ‘ଘରବାହୁଡ଼ା’ ‘ମଣିହରା’ ‘ଠାକୁର ଘର’ ‘ନାଲି ଗୁଲୁ ଗୁଲୁ ସାଧବ ବୋହୂ’ ପ୍ରଭୃତି ଗଳ୍ପ ଗ୍ରନ୍ଥର ଲେଖକ ନିଜର ଚେତନା-ପ୍ରବାହ ଧର୍ମୀ ରୀତି, ତଥା ସିମ୍ବଲିକ ଓ ଇଙ୍ଗିତ ଧର୍ମୀ ଗଳ୍ପଗୁଡ଼ିକ ପାଇଁ ସ୍ମରଣୀୟ ।

 

ଅଖିଳ ମୋହନ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକ ପ୍ରବୃତ୍ତିଗତ ଭାବେ ରୋମାଣ୍ଟିକ ଏବଂ ଗଳ୍ପର ଚରିତ୍ରମାନଙ୍କର ସିନିକ (ନେତିଧର୍ମୀ) ଚିନ୍ତା ତାଙ୍କ ଚରିତ୍ରମାନଙ୍କ ସଂଳାପରୁ ଜାଣିହୁଏ । ଏକଦା ବାମପନ୍ଥୀ ଆନ୍ଦୋଳନରେ ଥିବା ବେଳେ ଲିଖିତ ‘‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର,” ତାଙ୍କୁ ଜଣେ ସମର୍ଥ ଗାଳ୍ପିକ ହିସାବରେ ପାଠକମାନଙ୍କ ସହ ପରିଚୟ କରାଇ ଦିଏ । ‘‘ଚନ୍ଦ୍ରର ଅଭିଶାପ” ‘‘ଲାମ୍ପ ପୋଷ୍ଟର ଇତିକଥା’’ ଇତ୍ୟାଦି ଗଳ୍ପମାନଙ୍କରେ ବିସ୍ମୟ ସୃଷ୍ଟି ପାଇଁ ‘ଇଲ୍ୟୁଜନ’ (ବିଭ୍ରମ)ର ବ୍ୟବହାର ପାଠକମାନଙ୍କ ମନରେ ଏକରକମ ଆଲୋଡ଼ନ ସୃଷ୍ଟି କରିଥିଲା । ତାଙ୍କ ପରବର୍ତ୍ତୀ ଗଳ୍ପଗୁଡ଼ିକରେ କଥକତା ରୀତି ପରିଲକ୍ଷିତ ହୁଏ ।

 

‘ମିଛବାଘ’, ‘ରାନୁଅପାଠାରୁ ପୁସି ପର୍ଯ୍ୟନ୍ତ’, ‘ସୁମିତ୍ରାର ହସ’, ‘କପୋତ ପକ୍ଷୀ ଗୁରୁମୋର’ ପ୍ରଭୃତି ଗଳ୍ପ ପୁସ୍ତକର ଲେଖକ ମହାପାତ୍ର ନୀଳମଣି ସାହୁ, ଓଡ଼ିଆ ସାହିତ୍ୟରୁ ହାସ୍ୟରସ ବିଦାୟ ନେଇଥିବା ବେଳେ ଲଘୁହାସ୍ୟ ଧର୍ମୀ ଗଳ୍ପମାନଙ୍କ ପାଇଁ ଅଭିନନ୍ଦନୀୟ । ନୀଳମଣିଙ୍କ ହାସ୍ୟରସ ପଛରେ କିନ୍ତୁ ଏକ ସ୍ଥାୟୀଭାବ ରୂପେ କରୁଣ ରସ ରହିଥାଏ । ପିଙ୍ଗଳା ସେ ଅନ୍ୟ ଜଣେ ଭଳି ତା’ ଆଡ଼କୁ ଢଳି ପଡ଼ିଥିଲେ ବି ଆଧ୍ୟାତ୍ମିକତାର ଗୁରୁଗମ୍ଭୀର ଦାୟିତ୍ୱ ସମ୍ପାଦନରେ କଳାଦୃଷ୍ଟିର ସଫଳ ଓ ରସୋତୀର୍ଣ୍ଣ ଗଳ୍ପ ସୃଷ୍ଟି ହୋଇପାରି ନାହିଁ । ‘କପୋତ ପକ୍ଷୀ ଗୁରୁମୋର’ ‘ଅସ୍ତ-ସୂର୍ଯ୍ୟର ରଙ୍ଗ’ ବିସ୍ତୃତି ଓ ପ୍ରବୃତ୍ତି ଗତ ଭାବେ ଗୋଟାଏ ଗୋଟାଏ କ୍ଷୁଦ୍ର ଉପନ୍ୟାସ । ହାସ୍ୟର ଅନ୍ୟ ଜଣେ ସଫଳ ସ୍ରଷ୍ଟା ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକରେ ମହାପାତ୍ର ନୀଳମଣି ସାହୁଙ୍କ ଭଳି ବିଶୁଦ୍ଧ ହାସ୍ୟରସ ସୃଷ୍ଟିର ପରିମାଣ କମ୍‌ । ଅଧିକାଂଶତଃ ଏହା ‘କାଗଜଟୋପି’ ‘ଖଦଡ଼ ମୁଣିର’ ଲେଖକ ସୁନୀଳ ମିଶ୍ରଙ୍କ ପରି ବିଦ୍ରୂପ ଧରଣର । ‘ପିଲାଚୋର’ ‘ଆଲଟ୍ରାମଡ଼ର୍ଣ୍ଣ ଆର୍ଟ’ ‘ମଙ୍ଗଳ ବାଇଆ ସାହିତ୍ୟ ସଂସଦ’,‘ଇନ୍ଦୁର ବାହନ କଲେଜ’ ଇତ୍ୟାଦି ଗଳ୍ପରେ ଆଦର୍ଶର ସ୍ପନ୍ଦନ ଜନିତ ସୁସ୍ଥ ସାମାଜିକ ଜୀବନ ପାଇଁ ପରୋକ୍ଷ ଆହ୍ୱାନ ରହିଛି । ଫତୁରାନନ୍ଦଙ୍କ ଭାଷା ଓ ରଚନା ଶୈଳୀ ଅତ୍ୟନ୍ତମୌଳିକ ଏବଂ ସମ୍ପୂର୍ଣ୍ଣଭାବେ ଓଡ଼ିଆ ସାହିତ୍ୟକୁ ତାଙ୍କ ନିଜସ୍ୱ ଦାନ, ଚଉଧୁରୀ ହେମକାନ୍ତ ମିଶ୍ରଙ୍କ ଗଳ୍ପଗୁଡ଼ିକ ସାଟାୟାର (ଗଠନ ମୂଳକ ସମାଲୋଚନା) ଧର୍ମୀ–ଯଥା ‘ନିଷିଦ୍ଧ ପୁସ୍ତକ’ ‘ପେଚକ’, କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ‘ନିଶାପୋଖ୍ୟାନମ୍‌’, ସମ୍ପାଦାନ ଓ ‘ଚରୁଟ ଉପାଖ୍ୟାନମ୍‌’ ଇତ୍ୟାଦି । ଡାକ୍ତର ପୁଲିନ ବିହାରୀ ରାଉତରାୟଙ୍କ ‘ବେଦନା ନାଶକ’ ‘ବହୁପତ୍ରେ’, ଧୃତରାଷ୍ଟ୍ରଙ୍କ ‘ଭାସେକ୍‌ଟମି’ ‘ମନଅବୋଧ ଚଉତିଶା’ ଇତ୍ୟାଦିରେ ଲଘୁ ହାସ୍ୟର ପରିଚୟ ମିଳେ ।

 

ଧୂମାଭଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ପାଇଁ ସାରଳା ପୁରସ୍କାରରେ ସାମ୍ମାନିତ ମନୋଜ ଦାସ ସ୍ୱାଧୀନତାତ୍ତୋର କାଳର ଗଳ୍ପ ଲେଖକମାନଙ୍କ ମଧ୍ୟରେ ବୟସରେ କମ୍‍ ହେଲେ ମଧ୍ୟ, କୃତିତ୍ୱ ଓ ସଫଳତାରେ ଅନେକଙ୍କୁ ଅତିକ୍ରମ କରିଅଛନ୍ତି । ମନୋଜଙ୍କ ଗଳ୍ପରେ ଗଠନ ମୂଳକ ଉଦ୍ଦେଶ୍ୟରେ ବ୍ୟବହାର ବୌଦ୍ଧିକ ବ୍ୟଙ୍ଗ ଓ ଆଧ୍ୟାତ୍ମିକ ଇଙ୍ଗିତ ପାଇଁ ସ୍ଵାଧୀନୋତ୍ତର ଗଳ୍ପ ସାହିତ୍ୟରେ ଏକ ବିଶିଷ୍ଟ ସ୍ରଷ୍ଟା ରୂପେ ଉଲ୍ଲେଖଯୋଗ୍ୟ ରହିବେ । ‘କଥା ଓ କାହାଣୀ’ ଓ ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ଗ୍ରନ୍ଥର ଗଳ୍ପଗୁଡ଼ିକରେ, ଅଭିବ୍ୟକ୍ତିର ବିଭିନ୍ନ କ୍ରମ ପରିଲକ୍ଷିତ ହୁଏ । ତାଙ୍କ ଗଳ୍ପଗୁଡ଼ିକରେ ଲେଖନ ଅପେକ୍ଷା କହିବା ଭଙ୍ଗୀର ପ୍ରାଧାନ୍ୟ ଦେଖାଯାଏ । ଏବଂ ଏହା ବିଦଗ୍ଧ ଲଘୁଧର୍ମୀ ଓ ଚଟୁଳ । ଘଟଣା ବିନ୍ୟାସ ଭିତରେ ବିଶ୍ଵାସର ଅଯୋଗ୍ୟ ପ୍ରତ୍ୟୟ ଦ୍ୱାରା ପାଠକମନରେ ବିସ୍ମୟ ଜାତ କରାଇ ଓ ହେନେରୀଙ୍କ ଭଳି ଗଳ୍ପଟି ଶେଷ କରିବା ତାଙ୍କ ଶୈଳୀର ଏକ ବୈଶିଷ୍ଟ୍ୟ । କଥକତା ସତ୍ତ୍ୱେ ଗଳ୍ପଗୁଡ଼ିକ ପ୍ରତୀକଧର୍ମୀ । କେତେବେଳେ ସେ ସଭ୍ୟ ମଣିଷର ଆବରଣ ତଳର ଜାନୁଆରକୁ (‘ଆରଣ୍ୟକ’) ତ ଆଉ କେତେବେଳେ ଅନ୍ଧ ଧାର୍ମିକତା ପ୍ରତି ସେ କଷାଘାତ କରିଛନ୍ତି । (ଲକ୍ଷ୍ମୀର ଅଭିସାର) କଥକତାରେ ଚମତ୍କାରିତାର ପ୍ରଭାବ ପାଇଁ ଭାଷାର ଶୈଳୀକୁ ସେ ଲୋକ ପ୍ରଚଳିଚ ଶବ୍ଦ ସହ ସଂସ୍କୃତ ବା ତତ୍‌ସମ ଶବ୍ଦ ବ୍ୟବହାର କରନ୍ତି । ଭାରତର ପ୍ରାଚୀନ କଥାକାର ବିଷ୍ଣୁଶର୍ମା ସୋମଦେବଙ୍କ କାହାଣୀଠାରୁ ଆରମ୍ଭ କରି ମନୀଷୀ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ତାଙ୍କ ଗଳ୍ପ ମାନସର ଭିତ୍ତିଭୂମି ।

 

ଡଃ. କୃଷ୍ଣପ୍ରସାଦ ମିଶ୍ର, ଶାନ୍ତନୁକୁମାର ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ରଥ ଉପନ୍ୟାସ ଓ ଗଳ୍ପ ଲେଖକ । ‘ମୌନାବତୀ ରାତ୍ରି’, ‘କ୍ରୀତଦାସୀର କାବ୍ୟ’, ‘ନାଏଗ୍ରା ଓ ଦେବଯାନୀ’ ପ୍ରଭୃତି ପ୍ରକାଶିତ ଗଳ୍ପଗ୍ରନ୍ଥମାନଙ୍କର ଅନେକ ଗଳ୍ପ ପ୍ରତୀକଧର୍ମୀ–‘ଅରଣ୍ୟ ଓ ଉପବନ’ ଗଳ୍ପ ଭଳି । ଫ୍ରୟେଡ଼ିୟ ଦ୍ୱନ୍ଦ୍ୱଜଡ଼ିତ ଗଳ୍ପଗୁଡ଼ିକ ବ୍ୟତୀତ ସାମାଜିକ ଓ ରାଜନୈତିକ ଗଳ୍ପର ଲେଖକ ମଧ୍ୟ ସେ । କେତେକ କ୍ଷୁଦ୍ରଗଳ୍ପରେ ନୂତନଶୈଳୀର ପରୀକ୍ଷା ମଧ୍ୟ ସ୍ପଷ୍ଟ । ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସୃଷ୍ଟି ନୀଳମଣି କିମ୍ବା କୃଷ୍ଣପ୍ରସାଦଙ୍କ ଭଳି ପ୍ରଚୁର ନୁହେଁ । ‘ନରକିନ୍ନର’ ଉପନ୍ୟାସ ଭଳି ତାଙ୍କ ଉପନ୍ୟାସଗୁଡ଼ିକ ମଧ୍ୟ ପ୍ରତୀକଧର୍ମୀ ଯଥା–‘ଦୁର୍ବାର’ ଗଳ୍ପଟିରେ ମୂଷାଟି ଦୁର୍ନୀତିର ପ୍ରତୀକ ଏବଂ ଧୀରୁ ଯୁବଶକ୍ତିର ପ୍ରତୀକ । ରମ୍ୟରଚନା ଓ ପ୍ରବନ୍ଧ ସୃଷ୍ଟିରେ ଯଶସ୍ୱୀ, ଚନ୍ଦ୍ରଶେଖର ରଥ ତାଙ୍କ ଗଳ୍ପଗୁଡ଼ିକରୁ ଗ୍ରାମ୍ୟ ପରିବେଶ ଓ ସମସ୍ୟା ଅଧିକ ସଫଳ ଭାବେ ଚିତ୍ରିତ; ଏହାଙ୍କ ଭାଷା ଏକ ନିଜସ୍ୱ; ଶୈଳୀଦ୍ୱାରା ଚିହ୍ନିତ । ସାତକଡ଼ି ହୋତାଙ୍କ ଗଳ୍ପଗୁଡ଼ିକ ଘଟଣା ପ୍ରଧାନ । ଭାଷା ସରଳ ବେଳେ ବେଳେ କାବ୍ୟିକ, ଉପନ୍ୟାସ ଅପେକ୍ଷା ଗଳ୍ପ ସୃଷ୍ଟିରେ ସେ ଅପେକ୍ଷାକୃତ ଅଧିକ ସଫଳ ।

 

ଆଧୁନିକ ଗଳ୍ପ ସାହିତ୍ୟକୁ ଯେଉଁ ଲେଖିକାମାନେ ସମୃଦ୍ଧ କରିଛନ୍ତି ସେମାନଙ୍କ ଭିତରେ ବୀଣାପାଣି ମହାନ୍ତି ବିଶେଷ ଉଲ୍ଲେଖଯୋଗ୍ୟ। । ସମାଜରେ ନାରୀଜୀବନର ବହୁ ସମସ୍ୟା ସହ, ଅସହାୟ ଯୁଗ-ମାନସକୁ ମଧ୍ୟ ସେ ସଫଳ ଭାବେ ଚିତ୍ରଣ କରିଛନ୍ତି । ‘କସ୍ତୁରୀମୃଗ’ ଓ ‘ସବୁଜ ଅରଣ୍ୟ’, ‘ନବ ତରଙ୍ଗ’ ପ୍ରଭୃତି ଗଳ୍ପ ଗ୍ରନ୍ଥରେ ତାଙ୍କ ପ୍ରତିଭାର ସ୍ୱାକ୍ଷର ସ୍ପଷ୍ଟ । ଅଧିକାଂଶ ଗଳ୍ପ ନରନାରୀ ମଧ୍ୟରେ ମାର୍ମିକ ମନସ୍ତାତ୍ତ୍ୱିକ ଦ୍ୱନ୍ଦ୍ୱ ଉଦ୍‌ଘାଟନ କରିଥାଏ–‘ତଟିନୀର ତୃଷ୍ଣା’ ଗଳ୍ପରେ ଏହା ଅତି ରସୋତ୍ତୀର୍ଣ୍ଣ ହୋଇପାରିଛି । ନନ୍ଦିନୀ ଶତପଥି ପରିମାଣରେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିଲେ ମଧ୍ୟ, ତାଙ୍କ ପରବର୍ତ୍ତୀ କାଳର ସମସ୍ୟାମୂଳକ ଗଳ୍ପଗୁଡ଼ିକ ସାର୍ଥକ ସୃଷ୍ଟି ।

 

ବିଭୂତି ପଟ୍ଟନାୟକ ଓ ଭାଗୀରଥି ନେପାକ ଅନେକ ଗଳ୍ପ ଲେଖିଥିଲେ ମଧ୍ୟ ଦୁହେଁ ଉପନ୍ୟାସ ରଚନା ପାଇଁ ଅଧିକ ପରିଚିତ । ବିଭୂତିଙ୍କ ଶୈଳୀ ପ୍ରଥମତଃ ଫ୍ରୟେଡ଼ିୟନ ଓ ମନସ୍ତାତ୍ତ୍ୱିକ ଏବଂ ପରେ ସମାଜ ଚେତନା ମୂଳକ ଥିବାବେଳେ ଭାଗୀରଥିଙ୍କ ଅଧିକାଂଶ ଗଳ୍ପ ମୂଳତଃ ସମାଜ-ଚେତନା ଓ ସମସ୍ୟାମୂଳକ । ଭାଗୀରଥିଙ୍କ ଗଳ୍ପଗୁଡ଼ିକ ଅଧିକାଂଶତଃ ଘଟଣା ପ୍ରଧାନ ହେତୁ ବେଳେ ବେଳେ ଅପେକ୍ଷାକୃତ ଦୀର୍ଘ ହୋଇଥାଏ; କିନ୍ତୁ ଏହା ସତ୍ତ୍ୱେ ବି ଗଳ୍ପଗୁଡ଼ିକ ସୁଖପାଠ୍ୟ, ଆଦର୍ଶବ୍ୟଞ୍ଜିତ ଏବଂ ସମସ୍ୟାର ସମାଧାନ ଇଙ୍ଗିତରେ ସଫଳତର । ଗୋକୁଳାନନ୍ଦ ମହାପାତ୍ର ତାଙ୍କ ବିଜ୍ଞାନ-ଭିତ୍ତିକ ଗଳ୍ପ ଶୈଳୀ ପାଇଁ ସ୍ମରଣୀୟ ରହିବେ ।

 

ଏଯାବତ୍‌ ଅନ୍ୟୂନ ତିରିଶ ଖଣ୍ଡ ପୁସ୍ତକର ରଚୟିତା ଶ୍ରୀ ରମେଶ ଧଳ କବିତା, ଶିଶୁସାହିତ୍ୟ, ଅନୁବାଦ, ଜୀବନୀ ଇତ୍ୟାଦି ସୃଷ୍ଟି କରିଥିଲେ ମଧ୍ୟ ମୁଖ୍ୟତଃ ସେ ଜଣେ ଗାଳ୍ପିକ; ଏବଂ ସ୍ଵାଧୀନତା ପରବର୍ତ୍ତୀ କତିପୟ ପ୍ରତିଭାଶାଳୀ ଗଳ୍ପସ୍ରଷ୍ଟାଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଗଳ୍ପର କଥାବସ୍ତୁ ରାଜନୈତିକ ହେଉ, ପ୍ରେମ ହେଉ, ଥୁଣ୍ଟା ବରଗଛଟିଏ ହେଉ, ଭିକାରିଟିଏ ହେଉ, କିମ୍ବା ରୁଟିନ ବଦ୍ଧ, ଜୀବନର କର୍ମଚାରୀ ହେଉ କିଛି ଯାଏ ଆସେ ନାହିଁ । କଥାକାର ଏମାନଙ୍କ ଜୀବନରୁ ଗଳ୍ପ କହିବା ବେଳେ ହୃଦୟ ନେଇ ଭଲ ପାଇଥିବା ସରଳ ଶବ୍ଦମାନଙ୍କୁ ନେଇ କହିଥାଆନ୍ତି । ଏବଂ ଏଇ ହେତୁ ଶ୍ରୀ ଧଳଙ୍କ ଶୈଳୀର ବୈଶିଷ୍ଟ୍ୟ ହେଲା –ଆଧୁନିକତା ନାମରେ କେତେକ ଆଧୁନିକ କଥାକାରଙ୍କ ଶବ୍ଦ ପ୍ରୟୋଗରେ ଯେଉଁ କ୍ଳିଷ୍ଟତା ପରିଲକ୍ଷିତ ହୋଇଥାଏ, ତାହା ତାଙ୍କ ଲେଖାରେ ନାହିଁ । ଯଦିଓ ମନସ୍ତତ୍ତ୍ଵ ବିଶ୍ଳେଷଣାଦି ଯାହା ଆଧୁନିକ ଗଳ୍ପ ଦୁର୍ବୋଧ୍ୟତା ଆଡ଼େ ନେଇଯାଏ ବୋଲି, କ୍ଳିଷ୍ଟଶୈଳୀର ସଫେଇ ଦିଆଯାଇଥାଏ । ଶ୍ରୀ ଧଳଙ୍କ ଗଳ୍ପଗୁଡ଼ିକରେ ସୁନ୍ଦର ଓ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପିତ । ‘ମୁଠାଏ ନାଲି ଚୁଡ଼ି’, ‘ରବିବାରର ଚିଠି’, ‘ଚମ୍ପକ ବନର ଏଲଜି’, ‘ଆକାଶର ମୁହଁ’ ‘ଅନ୍ଧକାରର ସୀମା’ ପ୍ରଭୃତି ଗଳ୍ପଗ୍ରନ୍ଥମାନଙ୍କର ଗଳ୍ପ କେବଳ ସଂଘର୍ଷ, ସମାଜର ନୀତିନିୟମ ବିରୁଦ୍ଧରେ ବିଦ୍ରୋହ, ବିଶ୍ଵାସଘାତକତା, ଶଙ୍ଖା, ବିକୃତ ଯୌନ ଚେତନା, ରାଜନୈତିକ ଦୁରଭିସନ୍ଧି ଇତ୍ୟାଦି ଆଧୁନିକ ସମସ୍ୟାଗୁଡ଼ିକର ସଫଳ ରୂପାୟନ ପାଇଁ ହିଁ ନୁହେଁ, ମନସ୍ତାତ୍ତ୍ୱିକ ଭିତ୍ତିକ ଭାଷା ଓ ଶୈଳୀ ଦୃଷ୍ଟିରୁ ମଧ୍ୟ ସଫଳ ଓ ଉଲ୍ଲେଖଯୋଗ୍ୟ ।

 

ପରବର୍ତ୍ତୀ କାଳରେ ଆମ ସାହିତ୍ୟରେ ମିନିପତ୍ରିକାମାନଙ୍କ ସଂଖ୍ୟାବୃଦ୍ଧି ତଥା ସାହିତ୍ୟ ପତ୍ରିକାମାନଙ୍କରେ ଗଳ୍ପ ଏକ ମୁଖ୍ୟ ଅଂଶ ଗ୍ରହଣ କରିଥିବା ଫଳରେ ଗଳ୍ପ ଲେଖକମାନଙ୍କ ସଂଖ୍ୟା ଏତିକି ବଢ଼ି ଯାଇଛି ଯେ ସବୁ ପତ୍ରପତ୍ରିକା ଗୁଡ଼ିକରେ ପ୍ରକାଶିତ ସମସ୍ତ ଲେଖକ କିମ୍ବା ସେମାନଙ୍କ ଉତ୍କୃଷ୍ଟ ଗଳ୍ପଗୁଡ଼ିକର ଆଲୋଚନା ଏହି ପ୍ରବନ୍ଧର ପରିସର ଭିତରେ ଏଇନେ କରି ହେବ ନାହିଁ । ଏହି ଲେଖକମାନଙ୍କ ଭିତରେ ଯଦୁନାଥ ଦାସମହାପାତ୍ର, ଶ୍ରଦ୍ଧାକର ସୁପକାର, ରବି ପଟ୍ଟନାୟକ ରତ୍ନାକର ଚଇନି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଦୁର୍ଗାମାଧବ ମିଶ୍ର, ଜେନାମଣି ନରେନ୍ଦ୍ର କୁମାର, ଅଧ୍ୟାପକ ବିଶ୍ୱରଞ୍ଜନ, ଅଚ୍ୟୁତାନନ୍ଦ ପତି, ନିମାଇଁଚରଣ ପଟ୍ଟନାୟକ, ସତ୍ୟ ମିଶ୍ର, ହରିହର ମିଶ୍ର, ସ୍ଵର୍ଗତ କହ୍ନାଇଲାଲ ଦାସ, ପ୍ରସନ୍ନ ପାଟଶାଣି, ବିଜୟକୁମାର ମହାନ୍ତି, କୈଳାସ ଲେଙ୍କା, ଉମାଶଙ୍କର ମିଶ୍ର, ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ଗୁରୁ ମହାନ୍ତି, ଦଶରଥ ସାମଲ, ଜଗଦ୍ଦୀଶ ମହାନ୍ତି, ଉଜ୍ଜ୍ୱଳ ପାଢ଼ୀ, ପଠାଣୀ ମହାନ୍ତି, ନରୁ ମହାନ୍ତି, ଆନନ୍ଦ ଚନ୍ଦ୍ର ପହି ପ୍ରଭୃତି ଏବଂ ଗଳ୍ପ ଲେଖିକାମାନଙ୍କ ମଧ୍ୟରେ ଶକୁନ୍ତଳା ପଣ୍ଡା, ସ୍ୱର୍ଗତା ଶୈଳବାଳା ମହାନ୍ତି, ଶାନ୍ତି ଧଳ, ସୁଧାଂଶୁବାଳା ପଣ୍ଡା, ଯଶୋଧାରା ମିଶ୍ର, ରଶ୍ମି ମହାପାତ୍ର, ବାସନ୍ତୀ ଦାଶ, ବିଜୟିନୀ ଦାସ ପ୍ରମୁଖଙ୍କ ଲେଖାରେ ଯୁଗ ଯନ୍ତ୍ରଣାର ସ୍ଵର ନାନା ବର୍ଣ୍ଣବ୍ୟଞ୍ଜିତ ଭାଷା ଓ ଶୈଳୀ ମାଧ୍ୟମରେ ଉପସ୍ଥାପିତ ହୋଇ ପାରିଛି ।

 

ୟାଭିତରେ ଗଳ୍ପର କଳେବର କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ଆସିଛି ମିନି ଗଳ୍ପ ଆଭାସ ଗଳ୍ପ ଅଣୁ ଗଳ୍ପ ଇତ୍ୟାଦି ମାଧ୍ୟମରେ ଆଧୁନିକ ବ୍ୟସ୍ତ ମଣିଷକୁ ଅଳ୍ପ ସମୟ ମଧ୍ୟରେ ଗଳ୍ପର ସ୍ୱାଦ ପରିବେଷଣ କରିବା ପାଇଁ । ଅଧ୍ୟାପକ ବୈଷ୍ଣବ ଚରଣ ସାମଲଙ୍କ ଭାଷାରେ–‘‘ସାମ୍ପ୍ରତିକ ଯୁଗ ଅଣୁର ଯୁଗ । ମନୁଷ୍ୟର ଜୀବନ ମୁହୂର୍ତ୍ତ-ସର୍ବସ୍ୱ । ପ୍ରତି ମୁହୂର୍ତ୍ତ ପୁଣି ବହୁ ମୁହୂର୍ତ୍ତର ଭଗ୍ନାଂଶ ଏଇ ଭଗ୍ନାଂଶମୁହୂର୍ତ୍ତ ଭାବଧାରାକୁ କର୍ମବ୍ୟସ୍ତ ସାହିତ୍ୟପିପାସୁ ମଣିଷ ବିଭିନ୍ନ ଭାବରେ ବୁଦ୍ଧି ବୃତ୍ତିର ସାହଚର୍ଯ୍ୟରେ ପ୍ରକାଶ କରି ଦେଖାଇବା ଅଣୁ ସାହିତ୍ୟର ବିଶେଷ ବୈଶିଷ୍ଟ୍ୟ ।” ଏହି ଧରଣର ଗଳ୍ପ ବିଦ୍ୟୁତ୍‌ ଝଲକ ଭଳି ଏକ ମୁହୂର୍ତ୍ତର ଭାବ, ଏବଂ ପାଠକ ମନରେ ସେଇ ମୁହୂର୍ତ୍ତର ସ୍ପନ୍ଦନ ଜାଗରିତ କରାଇବା ପାଇଁ ଅଭିପ୍ରେତ । ଏଥିରେ ଗଳ୍ପର ଶୈଳୀଗତ ଘଟଣା ଗୁମ୍ଫନ ଓ ବର୍ଣ୍ଣନାତ୍ମକତା ନଥାଏ, ଏହା ପ୍ରତୀକଧର୍ମୀ କିମ୍ବା ପ୍ରଣତୀଧର୍ମୀ (ସଖ୍ରେସନିଷ୍ଟିକ) ହୋଇଥାଏ । ଆତ୍ମିକର ସ୍ଵଳ୍ପତା, ସ୍ପଷ୍ଟତା ଓ ନବୀନତା ତଥା ଆଙ୍ଗିକରେ ପ୍ରୟୋଗାତ୍ମକ କୌଶଳରେ ଏହି ଗଳ୍ପଗୁଡ଼ିକ ଷଷ୍ଠ ଦଶକରେ ଓଡ଼ିଆ ଗଳ୍ପ ସାହିତ୍ୟରେ ଏକ ଅଭିନବ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ସପ୍ତମ ଦଶକରେ ଏଇ ଗଳ୍ପଗୁଡ଼ିକର ସୃଷ୍ଟି କମ୍‌ ହୋଇ ଆସେ; ଏବଂ ପରବର୍ତ୍ତୀ କାଳରେ ଏହି ‘ଅଣୁ’ ସବୁ ପୁଣି ଗଳ୍ପ ସାହିତ୍ୟର ମହାସାଗରରେ ବିଲୀନ ହୋଇଯାଏ, ଏହାର କାରଣ ହୁଏତ ଏହା ପାଠକର ଗଳ୍ପ-ପଠନର ଚିରନ୍ତନ ପିପାସାଟିକୁ ଚରିତାର୍ଥ କରିପାରି ନାହିଁ–ଯଦିଓ ଏବେ ବି କଦବା କେଉଁଠି କେଉଁ ମିନି ସାହିତ୍ୟ ପତ୍ରିକା କିମ୍ବା ଖବରକାଗଜର ରବି ବାସରୀୟ ସାହିତ୍ୟ ପୃଷ୍ଠାରେ ଏଭଳି ଗପ ପତ୍ରସ୍ଥ ହୋଇଥିବା ଦେଖାଯାଏ ।

 

ଉପସଂହାର

 

ପ୍ରବନ୍ଧଟିରେ ଉପସଂହାରରେ କିଛି ଏଇଠି ଲେଖିବା ଆଗରୁ ପ୍ରବନ୍ଧ ସମ୍ପର୍କରେ କେତୋଟି କଥା କହି ରଖିବା ଉଚିତ । ପ୍ରଥମରେ, ଲେଖକମାନଙ୍କ କୃତିଗୁଡ଼ିକର ଅନ୍ତର୍ଗଠନ (Intrastructure) ଓ ବହିର୍ଗଠନ (Superstructure) ସମ୍ବନ୍ଧରେ କିଛି ଲେଖିବା ବେଳେ, ମୁଁ ଐତିହାସିକ ରୀତିରେ ଲେଖକ କିମ୍ବା ଲେଖାର ଜନ୍ମତାରିଖ ଅନୁଯାୟୀ ଶୈଳୀ ସମ୍ପର୍କରେ କିଛି ଲେଖିବା ପ୍ରଥା ଗ୍ରହଣ କରିନାହିଁ; କାରଣ ଶୈଳୀ ସହ ବୟସର ସେପରି କିଛି ସମ୍ପର୍କ ନାହିଁ । ଦ୍ୱିତୀୟରେ ଅପେକ୍ଷାକୃତ ନୂତନତର ଶୈଳୀକୁ, ଶୈଳୀର ଜଟିଳ କ୍ରମବିବର୍ତ୍ତନର ପରିପ୍ରେକ୍ଷୀରେ ଆଧୁନିକତାର ନିକଟତର ଦର୍ଶାଇବା ଉଦ୍ଦେଶ୍ୟରେ ପଛରେ ରଖାଯାଇଛି, ଉଦାହରଣ ସ୍ୱରୂପ ରାଜକିଶୋର ରାୟଙ୍କ ପୂର୍ବରୁ ଗୋପୀନାଥ ମହାନ୍ତିଙ୍କ ଗଳ୍ପ (ପ୍ରଥମ ଗଳ୍ପ ‘‘ଡ଼ଁ” ‘ଆଧୁନିକ’ରେ) ପ୍ରକାଶିତ ହୋଇଥିଲେ ମଧ୍ୟ, ଆଧୁନିକତାର ଏକ ଚିରସ୍ଥାୟୀ ପ୍ରତିନିଧି ଗୋପିନାଥଙ୍କୁ ଆଧୁନିକ ଯୁଗ ଓ ଶୈଳୀର ନିକଟତର ରଖା ଯାଇଛି । ତୃତୀୟରେ ପ୍ରବନ୍ଧଟିର ଅତିଦୀର୍ଘତା ଆଶଙ୍କାରେ ଆଲୋଚିତ କୃତିଗୁଡ଼ିକର ପ୍ଲଟ, ସବପ୍ଲଟ, କିମ୍ବା ଗୋଟାଏ କୃତିର ପ୍ଲଟ, ସବପ୍ଲଟ ଇତ୍ୟାଦି ସହ ଅନ୍ୟଟିର ତୁଳନା ଇତ୍ୟାଦି ବହିର୍ଗଠନ ଧାରାଟି ଉପରେ ଅଧିକ ଗୁରୁତ୍ୱ ଦିଆ ନଯାଇ ପ୍ରବନ୍ଧଟିରେ ଅନ୍ତର୍ଗଠନ ଶୈଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

 

ଉପସଂହାରରେ ଏତିକି କହିହେବ ଯେ ସ୍ୱାଧୀନତା ଉତ୍ତର କାଳରେ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳ ଅପେକ୍ଷା ଅଧିକରୁ ଅଧିକ ଲେଖକ ଉପନ୍ୟାସ ଲେଖାରେ ଉଦ୍ୟମ କରିଥିଲେ ମଧ୍ୟ, ଏହି ସମୟରେ ପରିମାଣାତ୍ମକ ଦୃଷ୍ଟିରୁ ଉପନ୍ୟାସ ସାହିତ୍ୟ ସମୃଦ୍ଧ ହୋଇଛି, କିନ୍ତୁ ଗୁଣାତ୍ମକ ଦୃଷ୍ଟିରୁ ନୁହେଁ, ଅଧିକାଂଶ ଉପନ୍ୟାସର ଲକ୍ଷ୍ୟ ପାଠକ ପାଠିକାଙ୍କ ମନୋରଞ୍ଜନ ଓ ବଜାର କାଟତିରୁ ଊର୍ଦ୍ଧ୍ୱରେ ଉଠିପାରି ନାହିଁ । ଆଙ୍ଗିକ, ଭାଷାଶୈଳୀ ବିଷୟବସ୍ତୁରେ ନୂତନ ଅନୁଶୀଳନ, ଦେଶ ଓ ଜାତିର ସଂସ୍କୃତି ସହ ଉପନ୍ୟାସମାନଙ୍କ ସମନ୍ୱୟ ସ୍ଥାପନ ହୋଇପାରି ନାହିଁ । ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ‘‘ଫକୀରମୋହନଙ୍କ ମୃତ୍ୟୁର ଛଅ ଦଶନ୍ଧି ପରେ, ଡଜନେ କାଳୋତ୍ତୀର୍ଣ୍ଣ ଉପନ୍ୟାସ ତାଲିକା କରିବାକୁ ବସିଲେ ବାରମ୍ବାର କେଶାକର୍ଷଣ ଫଳରେ ମସ୍ତକଟି ଯେ ଅବଶେଷରେ କେଶହୀନା ହୋଇ ପଡ଼ିବ, ସେଥିରେ କିନ୍ତୁ କ୍ଷୀଣତମ ସନ୍ଦେହ ନାହିଁ ।” (ଓଡ଼ିଆ ସାହିତ୍ୟର କ୍ରମବିକାଶ ପୃ. ୪୩୩) ! ଏହି ସମ୍ପର୍କରେ ଡଃ. ଜାନକୀ ବଲ୍ଲଭ ମହାନ୍ତିଙ୍କ ମତ ଯେ–‘‘ଆଧୁନିକ ଓଡ଼ିଆ ଉପନ୍ୟାସ ଆଶାନୁରୂପ ଅଗ୍ରଗତି କରିପାରୁ ନାହିଁ, X X X X ଉପନ୍ୟାସ ଲେଖକମାନେ ମଧ୍ୟ ଓଡ଼ିଶାର ନବ ଜାଗ୍ରତ ଜୀବନର ରୂପକାର ହେବା ଲାଗି ଜୀବନଧାରା ସହିତ ଯେପରି ଗଭୀର ସମ୍ପର୍କ ସ୍ଥାପନ ଓ ଜୀବନର ସୂକ୍ଷ୍ମ ଅନୁଧ୍ୟାନ କରିବା କଥା, ତାହା କରିବାରେ ବିମୁଖ, ଏଥିପାଇଁ ଯୁଦ୍ଧ ପରବର୍ତ୍ତୀ କାଳରେ ଓଡ଼ିଆ ଉପନ୍ୟାସ ରଚନା କ୍ଷେତ୍ରରେ କେବଳ ମୁଷ୍ଟିମେୟ ଉପନ୍ୟାସ ରଚୟିତା ଓ ସେମାନଙ୍କ ସ୍ଵଳ୍ପ ସଂଖ୍ୟକ ସାର୍ଥକ ଉପନ୍ୟାସ ଦେଖିବାକୁ ପାଉଅଛୁ” (ଆଧୁନିକ ଓଡ଼ିଆ ସାହିତ୍ୟ-ପୃ. ୧୬୧-୧୬୨) ଫଳତଃ ବଙ୍ଗଳା, କାନଡ଼ା, ହିନ୍ଦୀ ପ୍ରଭୃତି ଉପନ୍ୟାସ ସାହିତ୍ୟଠାରୁ ଓଡ଼ିଆ ଉପନ୍ୟାସ ସାହିତ୍ୟ ପଛେଇ ଯାଇଥିବା ମନେହୁଏ । କେବଳ ଗୋପୀନାଥ ମହାନ୍ତିଙ୍କ ନୃତତ୍ତ୍ୱଭିତ୍ତିକ ଆଞ୍ଚଳିକ ଉପନ୍ୟାସଗୁଡ଼ିକ ଓ ମାଟିମଟାଳ ତଥା ସୁରେନ୍ଦ୍ର ମହାନ୍ତିଙ୍କ ଐତିହାସିକ ଉପନ୍ୟାସ (ନୀଳଶୈଳ, ନୀଳାଦ୍ରି ବିଜୟ) ଓ ଜୀବନ-ଉପନ୍ୟାସ (କୁଳବୃଦ୍ଧ)ଗୁଡ଼ିକ ଭାରତୀୟ ଉପନ୍ୟାସ ସାହିତ୍ୟରେ ଓଡ଼ିଆ ଉପନ୍ୟାସର ମାନମହତ ବଞ୍ଚାଇ ପାରିଛନ୍ତି କହିଲେ ଚଳେ, କିନ୍ତୁ ଏହି ସମୟର ଓଡ଼ିଆ ଗଳ୍ପ ସାହିତ୍ୟ ପ୍ରତି ସିଂହାବଲୋକନ କଲେ ଏହା ସ୍ପଷ୍ଟ ହୋଇଯାଏ ଯେ ବିଷୟବସ୍ତୁର ନିର୍ବାଚନ, ଆଙ୍ଗିକରେ ନୂତନ ପରୀକ୍ଷା; ପ୍ରତୀକବାଦ, ସ୍ପିତିବାଦ, ସାମାଜିକ ଚେତନା ପ୍ରଭୃତି ସମ୍ପଦରେ ଗଳ୍ପ ସାହିତ୍ୟ ସମୃଦ୍ଧ ହୋଇ ପାରିଛି । ଶୈଳୀରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ଚେତନା ପ୍ରବାହ-ଧର୍ମୀ ଭାଷା, କଥକତାଠାରୁ କାବ୍ୟିକ ବର୍ଣ୍ଣାଢ୍ୟ ବର୍ଣ୍ଣନା ଯାଏଁ ନାନା ଶୈଳୀର ପ୍ରୟୋଗରେ ଓଡ଼ିଆ ଗଳ୍ପ ସାହିତ୍ୟ ଯେ ଯେକୌଣସି ଭାରତୀୟ ଗଳ୍ପ ସାହିତ୍ୟ ସମକକ୍ଷା ଓ ସମ ଗୁଣାତ୍ମକ ହୋଇପାରେ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ସହାୟକ ଗ୍ରନ୍ଥ ସୂଚୀ:–

 

(୧)

ଓଡ଼ିଆ ସାହିତ୍ୟର ଇତିହାସ

 

ଡଃ. ମାୟାଧର ମାନସିଂହ

(୨)

ଓଡ଼ିଆ ସାହିତ୍ୟର କ୍ରମ ବିକାଶ

 

ସୁରେନ୍ଦ୍ର ମହାନ୍ତ

(୩)

ସମାଲୋଚନା (ବିଶ୍ୱ ଭାରତୀ, ଶାନ୍ତି ନିକେତନ)

 

ଡଃ. କୁଞ୍ଜ ବିହାରୀ ଦାଶ

(୪)

ଆଧୁନିକ ଓଡ଼ିଆ ସାହିତ୍ୟ

 

ଡଃ. ଜାନକୀ ବଲ୍ଲଭ ମହାନ୍ତି

(୫)

ଓଡ଼ିଆ ଗଳ୍ପ : ଗତି ଓ ପ୍ରକୃତି

 

ଅଧ୍ୟାପକ ବୈଷ୍ଣବ ଚରଣ ସାମଲ୍‌

(୬)

The structure of Novel

 

Muij

(୭)

An introduction to the study of literature

 

W H. Hudson

 

ଉଜ୍ଜ୍ୱଳ ପାଢ଼ୀ

Image

 

Unknown

ଓଡ଼ିଆ ଗଳ୍ପ ସାହିତ୍ୟରେ ଆଧୁନିକତା ଓ ଗୋପୀନାଥ ମହାନ୍ତି

ମହାପାତ୍ର ନୀଳମଣି ସାହୁ

 

ପ୍ରାକ୍‌ ଭାଷା

 

ସ୍ଵାଧୀନତା ଓ ଦ୍ୱିତୀୟ ମହାଯୁଦ୍ଧର ଶେଷ ପର୍ଯ୍ୟନ୍ତ ଆମ ଓଡ଼ିଆ କଥାକାରମାନଙ୍କର ଗଳ୍ପ ଉପନ୍ୟାସ ସାହିତ୍ୟର ବିଷୟବସ୍ତୁ ଥିଲା ମୁଖ୍ୟତଃ ସାମାଜିକ, ସଂସ୍କାରମୂଳକ, ନୈତିକ ଏବଂ କେତେକ ସ୍ଥଳରେ ନରନାରୀଙ୍କର ପ୍ରଣୟଜନିତ ଖୁବ୍‌ ସହଜ ସରଳ ଓ ମଧୁର ବ୍ୟାପାର ଏବଂ ପ୍ରଧାନତଃ ପଲ୍ଲୀଗ୍ରାମଗୁଡ଼ିକହିଁ ଗଳ୍ପ ଉପନ୍ୟାସର ବିଷୟ–ଘଟଣ ଲାଗି ପରିବେଶ ଯୋଗାଉ ଥିଲା-। ତଦବଧି ଓଡ଼ିଶାରେ ଆଧୁନିକ ଧରଣର ନଗର ଜୀବନର ସୂତ୍ରପାତ ହୋଇନଥିଲା-। ଉଚ୍ଚଶିକ୍ଷାର ଏତେ ପ୍ରସାର ହୋଇନଥିଲା, ଏବଂ ଶିଳ୍ପାଞ୍ଚଳଗୁଡ଼ିକର ପ୍ରତିଷ୍ଠା ଯେମିତି ହୋଇନଥିଲା–ସେମିତି ମଧ୍ୟ ସାରା ଓଡ଼ିଶାରେ ଅର୍ଥନୈତିକ ବା ବାଣିଜ୍ୟିକ ସଭ୍ୟତାର ଏତେ ଜଟିଳ ଓ ବିପୁଳ ବିସ୍ତାର ଘଟି ନଥିଲା ଏବଂ ରାଜନୈତିକ ଆଲୋଚନା ବି ଏତେ ତୀବ୍ର, ତୀକ୍ଷ୍‌ଣ, ଜଟିଳ ଓ ଶକ୍ତିଶାଳୀ ହୋଇ ଆତ୍ମପ୍ରକାଶ କରି ନଥିଲା । ସ୍ଵାଧୀନ ଭାରତର ସ୍ୱାୟତ୍ତ ଶାସନ ପ୍ରଣାଳୀର ପ୍ରବର୍ତ୍ତନ ଏତେଦୂର ବିସ୍ତୃତି ଲାଭ କରି ନଥିଲା । ଫଳରେ ଏତେବଡ଼ ଦୁର୍ବୋଧ୍ୟ ଓ ଭୟଙ୍କର ବ୍ୟୁରୋକ୍ରେଟିକ୍‌ ବା ଅମଲାତନ୍ତ୍ରୀ ସଙ୍ଗଠନ ମଧ୍ୟ ଏତେଦୂର ପରିବ୍ୟାପ୍ତ ହୋଇନଥିଲା । ଗଣତନ୍ତ୍ର ସାମ୍ୟବାଦ ବା ସମାଜବାଦର ନାମ କେବଳ କତିପୟ ଉଚ୍ଚଶିକ୍ଷିତ ଲୋକେ ଶୁଣିଥିଲେ । ତା’ର ପ୍ରୟୋଗ ହୋଇନଥିଲା ଏବଂ ତଦବଧି ଓଡ଼ିଶାର ସାଧାରଣ ସାମାଜିକ ଜୀବନ ଥିଲା ପଲ୍ଲୀସଭ୍ୟତା ସଂସ୍କୃତି ଓ ପରମ୍ପରା ଭିତ୍ତିକ । ଏବଂ ପଲ୍ଲୀସଭ୍ୟତା ଓ ସଂସ୍କୃତି ତ କେବଳ କୃଷି ଓ ଧର୍ମଭିତ୍ତିକ ହେବାକୁ ବାଧ୍ୟ । ଆମର କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର ପ୍ରଭୃତି ସହରଗୁଡ଼ିକ ମଧ୍ୟ ନାମତଃ ସହର ଥିଲେ–କିନ୍ତୁ ଅସଲରେ ଥିଲେ ଉନ୍ନତ ସମୃଦ୍ଧ ଗ୍ରାମଗୁଡ଼ିଏ ମାତ୍ର । ତେଣୁ ଏହି ସରଳ, ସାବଲୀଳ, ନିରୀହ ଓ ବିଶେଷ କିଛି ଘଟଣା ବିହୀନ ନିସ୍ତରଙ୍ଗ ନିର୍ଦ୍ୱନ୍ଦ୍ୱ ଜୀବନଧାରା ଭିତରୁ ଗଳ୍ପ ଲାଗି ସେପରି କିଛି ବଶେଷତ୍ୱ ଥିବା ଘଟଣା ଓ ଚରିତ୍ର ଆଦି ଖୋଜି ପାଇବା ଅସମ୍ଭବ ଥିଲା । ସେଥିପାଇଁ ସେ କାଳର ଅଧିକ ଭାଗ ଗଳ୍ପ ଥିଲା ସମ୍ପୂର୍ଣ୍ଣ କାଳ୍ପନିକ ବା ରୋମାଣ୍ଟିକ୍‌, ବା ଉଦ୍ଦେଶ୍ୟମୂଳକ ଏବଂ ଆଉ କେତେକ ଗଳ୍ପରେ ଏକ ଯଥାଘଟିତ ସାମାଜିକ ବାସ୍ତବତାର ଚିତ୍ରହିଁ ମୁଖ୍ୟ ସ୍ଥାନ ଅଧିକାର କରୁଥିଲା-। ଅତ୍ୟାଚାରୀ ଜମିଦାର, ଲାଭ ଖୋର ମହାଜନ, ଲଞ୍ଚଖୋର ପୋଲିସ୍‌ ଓ ରାଜସ୍ଵବିଭାଗ କର୍ମଚାରୀବୃନ୍ଦ, ନୃଶଂସ, ଧର୍ମଧ୍ୱଜୀ, କୁସଂସ୍କାରଜୀବୀ ପୁରୋହିତ ବା ଭଣ୍ଡ ସନ୍ନ୍ୟାସୀ ଏବଂ ଏଇମାନଙ୍କ ଦ୍ଵାରା ଅତ୍ୟାଚାରିତ ହୋଇ ଅସହାୟ ଭାବେ ହନ୍ତସନ୍ତ ହେଉଥିବା ନିରୀହ ବ୍ୟକ୍ତିମାନଙ୍କୁ ନେଇ ଗଳ୍ପରଚନା କରିବା ବ୍ୟତୀତ ଆଉ ଅନ୍ୟକିଛି ଲେଖିବାର ଉପାୟ ନ ଥିଲା-। ତେବେ, ପାରିବାରିକ ଦୁଃଖ ସୁଖ ଓ ସମ୍ବନ୍ଧ ବିବାଦ ଆଦିକୁ ନେଇ ମଧ୍ୟ ବହୁ ଗଳ୍ପ ଲେଖାଯାଉଥିଲା-। ପୁଣି ନିରୀହ ଅଜ୍ଞ ନିଃସହାୟ ମଣିଷଟି ଉପରେ ନାନାବିଧ ଦୈବ ବିପତ୍ତିକୁ ନେଇ କେତେ କେତେ କରୁଣରସାତ୍ମକ କାହାଣୀ ମଧ୍ୟ କଥାକାରମାନେ ଲେଖୁଥିଲେ । ମୋଟ ଉପରେ ଫକୀରମୋହନଙ୍କ ଅମଳରୁ ୧୯୪୭-୪୮ ମସିହା ପର୍ଯ୍ୟନ୍ତ ଆମର କଥାସାହିତ୍ୟର ବିଷୟବସ୍ତୁ ଥିଲା ଯେମିତି ସାମାଜିକ ଓ ଆଭିମୁଖ୍ୟ ଥିଲା ସେମିତ ଏକ ନୈତିକ ବା ସଂସ୍କାରଧର୍ମୀ ବାସ୍ତବତାର ସ୍ପଷ୍ଟ ଓ ସୈଦ୍ଧାନ୍ତିକ ଉଚ୍ଚାରଣ ।

 

କିନ୍ତୁ ୧୯୪୭-୪୮ ପରେ ପରେ ହିଁ ଓଡ଼ିଆ ଗଳ୍ପ ସାହିତ୍ୟର ବିଚିତ୍ର ଓ ବହୁବିଧ ପ୍ରସାର ଲାଗି ଦଶଦିଗ ଖୋଲିଗଲା ଏବଂ ସେହିକାଳଠାରୁ ୧୯୭୨ ମସିହା ପର୍ଯ୍ୟନ୍ତ ସମଗ୍ର ଦେଶରେ ଏତେ ଘଟଣା ଏତେ ବ୍ୟାପକ ଭାବେ ଓ ଏତେ କ୍ଷିପ୍ର ଗତିରେ ଘଟି ଚାଲିଲା ଯେ ମନେହେଲା–ଦେଶ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତିତ ହୋଇଯାଇଛି–ଯୁଗ ମଧ୍ୟ ଓଲଟି ପଡ଼ିଛି ଓ ମଣିଷର ମଧ୍ୟ ଜୀବନଯାପନରେ ଓ ଜୀବନକୁ ଅନୁଭବ କରିବାରେ ସମ୍ପୂର୍ଣ୍ଣ ନୂଆ ନୂଆ ରାହା ଫିଟିଯାଇଛି । ଏହି କାଳ ଭିତରେ ସାରା ରାଜ୍ୟରେ ଉଚ୍ଚଶିକ୍ଷାର ବ୍ୟାପକ ପ୍ରସାର, ଅର୍ଥନୈତିକ ବିପ୍ଳବ, ବିଭିନ୍ନ ଧରଣର ସାମାଜିକ ଓ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ଗ୍ରାମଗୋଷ୍ଠୀ ଯୋଜନା, ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ଓ ଉଦଯୋଗ, ନୂତନ ନୂତନ ସହର ନିର୍ମାଣ, ବିଭିନ୍ନ ପ୍ରକାର ବୃତ୍ତି ବା ଧନ୍ଦାର ଅଭ୍ୟୁଦୟ, ବିଭିନ୍ନ ଅର୍ଥନୈତିକ ଯୋଜନା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଗ୍ରାମ୍ୟ ଜୀବନ ଭିତରେ ସହରୀ ସଭ୍ୟତାର ଅନୁପ୍ରବେଶ, ସାଧାରଣ ଲୋକର ରାଜନୈତିକ ଅଧିକାର, ଗଣନିର୍ବାଚନ, କଳାବଜାର, ପୁରାତନ ଜାତିଭେଦ ସ୍ଥାନରେ ନୂତନ ଜାତିଭେଦର ଉଦୟ, ନିରୀହ ଓ ଭଲ ମଣିଷଟି ପ୍ରତି ନୂତନ ଉପାୟରେ ପ୍ରବଞ୍ଚନା, ଅତ୍ୟାଚାର, ସମାଜବାଦୀ ଗଣତନ୍ତ୍ରର ପ୍ରଚଳନ, ଏବଂ ତା’ ଭିତରେ ପୁଣି ବ୍ୟକ୍ତି ମଣିଷଟିର ଅସହାୟତାବୋଧ ଓ ସେଥିଯୋଗୁଁ ଆତ୍ମପ୍ରତିଷ୍ଠା ଲାଗି ବ୍ୟକ୍ତିବାଦର ଅଭ୍ୟୁଦୟ ଓ ବ୍ୟକ୍ତିବାଦ ଓ ସମାଜବାଦର ସଂଘର୍ଷ, ଜୀବନକୁ ରକ୍ଷା କରିବା ଲାଗି ବିଭିନ୍ନ ଜଟିଳ ପନ୍ଥା, ଗାନ୍ଧିବାଦୀ ଦର୍ଶନ ଓ ମାର୍କସ୍‌ବାଦୀ ଦର୍ଶନର ଅଭ୍ୟୁଦୟ, ଅନିୟନ୍ତ୍ରିତ ଓ ଅଶିକ୍ଷିତ ଦରିଦ୍ର ଜନସଂଖ୍ୟାର ଆଶାତୀତ ବୃଦ୍ଧି ଏବଂ ତତ୍‌ଜନିତ ବେକାର ସମସ୍ୟା, ନୂତନ ଯୁବ ସମାଜର ଅଭ୍ୟୁଦୟ ଓ ବିଦ୍ରୋହ, ସହରୀ ସଭ୍ୟତାର ପ୍ରଳାପରେ ମଣିଷର ନୈତିକ ଓ ମନସ୍ତାତ୍ତ୍ୱିକ ବିକୃତି, ସୁବିଧାବାଦୀ ଗୋଷ୍ଠୀ ଓ ପ୍ରବଞ୍ଚିତ ଗୋଷ୍ଠୀ ଭିତରେ ବିବାଦ, ଧର୍ମଘଟ, ସତ୍ୟାଗ୍ରହ, ହରିଜନ ଗିରିଜନ ସମସ୍ୟା, ଆଞ୍ଚଳିକ ଭେଦଭାବ, ଧର୍ମକୈନ୍ଦ୍ରିକ ଗୋଷ୍ଠୀ ବିବାଦ, ରାଜନୀତିକୁ ଉପଜୀବ୍ୟ କରି ଟାଉଟର ଗୋଷ୍ଠୀର ଅଭ୍ୟୁଦୟ ଏବଂ ସେମାନଙ୍କର ସର୍ବକ୍ଷେତ୍ରରେ ହଟଚରମ କାଣ୍ଡକାରଖାନା ନାରୀ ଶିକ୍ଷାର ବ୍ୟାପକ ପ୍ରସାର, ନାରୀ ସ୍ଵାଧୀନତା, ବିବାହ ସଙ୍କଟ, ଯୌତୁକ ପ୍ରଥାର ନୂତନ ରୂପରେ ଅଭ୍ୟୁଦୟ, ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ କର୍ମଚାରୀ ରୂପେ ଯୋଗଦାନ ଓ ବିଭିନ୍ନ ସାମାଜିକ ଦାୟିତ୍ଵ ଗ୍ରହଣ, ଏକ ଅତିକାୟ ଓ ମହା ଜଟିଳ ଅମଲାତନ୍ତ୍ରର ଭୂୟୋପ୍ରସାର, ଯେ କୌଣସି ଉପାୟରେ ଅର୍ଥ ଉପାର୍ଜନ ପାଇଁ ବ୍ୟାପକ ଉଦ୍ୟମ, କ୍ଷମତା ଅଧିକାର ଓ ଯୌନସୁଖ ବିଳାସ ଲାଗି ସମାଜରେ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଭିତରେ ପ୍ରବଳ ହିଂସାତ୍ମକ ପ୍ରତିଦ୍ୱନ୍ଦ୍ୱିତା ଇତ୍ୟାଦି ବହୁ ନୂତନ ବ୍ୟାପାର ସମାଜରେ ଚାଲୁହୋଇ ଗଲା । ସ୍ଵାଧୀନତା ପରଠାରୁ ଆଜିପର୍ଯ୍ୟନ୍ତ ଭାରତବାସୀ ନିଜର ଦୁଇଟି ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ଓ ଚୀନଦେଶ ସଙ୍ଗେ ଦୁଇଟା ଯୁଦ୍ଧର ଫଳାଫଳ ମଧ୍ୟ ଅନୁଭୋଗ କଲେ । ଏହା ସଙ୍ଗେ ସଙ୍ଗେ ଗୋଟିଏ ପଟେ ଆମେରିକା ଓ ଅନ୍ୟପଟ ରୁଷିଆ, ଆମର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଆପଣା ଆପଣାର ପ୍ରଭାବବିସ୍ତାର କରିବାକୁ ବିଭିନ୍ନ ଉପାୟରେ ଲାଗି ପଡ଼ିଲେ । ଏବଂ ଏହି ପ୍ରଭାବକୁ ପ୍ରତିରୋଧ କରି ଭାରତ ବର୍ଷ ସେହି ସେହି କ୍ଷେତ୍ରରେ ଆପଣାର ନିଜସ୍ଵ ପ୍ରତିଷ୍ଠା କରିବାକୁ ବିଭିନ୍ନ ଉପାୟରେ ପ୍ରାଣପଣେ ଉଦ୍ୟମ କରି ଚାଲିଲା । ଏଇ ସବୁ କାରଣରୁ ଆଜି ଆମ ରଜ୍ୟର ଜୀବନଧାରା ଆଗ ଅପେକ୍ଷା ଅଧିକ ଜଟିଳ, ସଂଘର୍ଷମୟ ଓ ଦ୍ୱନ୍ଦ୍ୱମୟ ହୋଇଗଲା । ସ୍ଵାଧୀନତା ପରବର୍ତ୍ତୀ କାଳରେ ସର୍ବକ୍ଷେତ୍ରରେ ନିର୍ମାଣଯୁଗର ଆରମ୍ଭ ହୋଇଯିବା ସତ୍ତ୍ୱେ, ପ୍ରାକ୍‌-ସ୍ୱାଧୀନତା ଯୁଗର ବହୁ ଆଶା, କଳ୍ପନା ଓ ସ୍ଵପ୍ନ ଧୂଳିସାତ୍‌ ହୋଇଗଲା । ଫଳରେ ସାମାଜିକ ଜୀବନର ବ୍ୟର୍ଥତାବୋଧ ଓ ସ୍ଥିତିଗତ ବିପର୍ଯ୍ୟୟ ଆସିଗଲା । ଏହି ଅବସ୍ଥା ଭିତରୁ ଉପାଦାନ ସଂଗ୍ରହ କରି ଆମର ବିଶିଷ୍ଟ କଥାକାରଗଣ ବହୁ ଉଚ୍ଚମାନର ବୈଚିତ୍ର୍ୟପୂର୍ଣ୍ଣ ଗଳ୍ପମାନ ଲେଖି ଅଛନ୍ତି । ଏହି ସବୁ ଗଳ୍ପ ଭିତରେ ସାମାଜିକ ଓ ରାଜନୈତିକ ଅବସ୍ଥାକୁ ନେଇ ବ୍ୟଙ୍ଗ ଓ ବିଦ୍ରୂପର ସ୍ୱପ୍ନ ଖୁବ୍‌ ତୀବ୍ର ହୋଇ ଉଠିଛି ଏବଂ ବହୁ ଗଳ୍ପରେ ସ୍ୱପ୍ନଭଙ୍ଗ ଜନିତ ହତାଶା ଓ ବ୍ୟର୍ଥତାବୋଧର ଯନ୍ତ୍ରଣା ମଧ୍ୟ ମୁଖ୍ୟ ହୋଇ ଦେଖା ଦେଇଛି-। ଏହି କାଳର ପ୍ରଥମାର୍ଦ୍ଧରେ ପ୍ରବୀଣ ଓ ବହୁ ଆଦୃତ କଥାକାରମାନଙ୍କ ମଧ୍ୟରେ କାଳିନ୍ଦୀଚରଣ, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରା ଓ ଗୋପୀନାଥ ମହାନ୍ତି ପ୍ରମୁଖ ଓଡ଼ିଆ ଗଳ୍ପ ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଅଛନ୍ତି । ସେମାନଙ୍କ ଗଳ୍ପ ଭିତରେ ସ୍ଵାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଶାର ଜୀବନର ଛବି ଯେପରି ବିଶ୍ୱସ୍ତଭାବେ ଚିତ୍ରିତ ହୋଇଛି ସେହିପରି ମଧ୍ୟ ବିଶ୍ଵମାନବର ଚିରନ୍ତନ ଜୀବନ-ବାର୍ତ୍ତା ବହନ କରି, ସେଗୁଡ଼ିକ କାଳୋତ୍ତୀର୍ଣ୍ଣ ମହିମାରେ ଭାସ୍ଵର ହୋଇ ବିଶ୍ୱ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇ ଯାଇଛନ୍ତି ।

 

ଆଧୁନିକତାର ଆରମ୍ଭ

 

କିନ୍ତୁ ଏତଦ୍‌ ସତ୍ତ୍ଵେପି ଖୁବ୍‌ ସାବଧାନତାର ସହିତ କିଞ୍ଚିତ୍‍ ଗଭୀର ଦୃଷ୍ଟି ନିକ୍ଷେପ କଲେ ଗୋଟିଏ ବିଷୟ ସ୍ପଷ୍ଟ ଜଣାପଡ଼େ ଯେ ଓଡ଼ିଆ କଥାସାହିତ୍ୟର ମୋଡ଼ ପରିବର୍ତ୍ତନ କରି ତାକୁ ଏକ ନୂତନ ଦିଗ୍‌ଦର୍ଶନ ଦେଲେ ପ୍ରଥମ କରି ପ୍ରସିଦ୍ଧ ଔପନ୍ୟାସିକ ଓ ଗାଳ୍ପିକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି । ଗୋପୀନାଥଙ୍କ ସାମାନ୍ୟ ପୂର୍ବବର୍ତ୍ତୀ ଓ ତାଙ୍କର ସମକାଳୀନ ପୂର୍ବୋକ୍ତ ବିଶିଷ୍ଟ ଗାଳ୍ପିକମାନଙ୍କ ଗଳ୍ପରେ ଯଦିଓ ବିଷୟବସ୍ତୁର ବୈଚିତ୍ର୍ୟ ଦେଖାଯାଏ, ତଥାପି ଜୀବନ ପ୍ରତି ଦୃଷ୍ଟିକୋଣ ଓ ରଚନା ଶୈଳୀରେ ସେହି ଆଦି-ଗାଳ୍ପିକ ଫକୀରମୋହନଙ୍କର କିଞ୍ଚିତ୍‍ ଦୃଶ୍ୟ ଓ କିଞ୍ଚିତ୍‌ ଅଦୃଶ୍ୟ ପ୍ରଭାବରୁ ସେମାନେ ସମ୍ପୂର୍ଣ୍ଣ ମୁକ୍ତହୋଇ ପାରିନାହାନ୍ତି । କାଳିନ୍ଦୀଚରଣଙ୍କର ମାନବତାବାଦୀ ହୃଦୟ ସ୍ପର୍ଶୀ ଗଳ୍ପଗୁଡ଼ିକର ଭାଷାଶୈଳୀରେ ଆମେ ଯେମିତି ଫକୀରମୋହନଙ୍କର ଭାଷାଶୈଳୀର ଏକ ମାର୍ଜିତ ସୁକୁମାର ରୂପାନ୍ତରିତ ପ୍ରଭାବ ପରୋକ୍ଷରେ ଅନୁଭବ କରୁ । ସେମିତି ଗୋଦାବରୀଶ ମହାପାତ୍ରଙ୍କ ବ୍ୟଙ୍ଗ ବିଦ୍ରୂପାତ୍ମକ ଗଳ୍ପଗୁଡ଼ିକ ଭିତରେ ବି ଆମେ ସେହି ଫକୀରମୋହନଙ୍କର ବିଦ୍ରୂପାତ୍ମକ ବାଣୀର ଏକ ନୂତନ ଏବଂ ଅପେକ୍ଷାକୃତ ଯୁଗୋପଯୋଗୀ ପ୍ରତିଧ୍ୱନି ଶୁଣିବାକୁ ପାଉ । ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର ଓ ସଚ୍ଚିରାଉତରାଙ୍କ ଗଳ୍ପଗୁଡ଼ିକ ଭିତରେ ଅବଶ୍ୟ ଆମେ ଏକ ନୂତନ ଗଳ୍ପ-ରସର ସ୍ଵାଦ ଅନୁଭବ କରୁ । ଏବଂ ଯୁଗରୁଚିର ଅନୁକୂଳତାରେ ସେମାନଙ୍କ ନବୋଦ୍‌ଭାବିତ ରୋମାଣ୍ଟିକ କଥାବସ୍ତୁ, ରୋମାଣ୍ଟିକ ଭାବାବେଗ, ନାଟକୀୟ ଟେକ୍‌ନିକ୍‌ କାବ୍ୟଧର୍ମୀ ଭାଷାଶୈଳୀର ବ୍ୟବହାର ଫଳରେ ସେମାନେ ଫକୀରମୋହନଙ୍କ ପ୍ରଭାବଠାରୁ ଯଥାଶକ୍ତି ନିଜକୁ ମୁକ୍ତ ରଖି ପାରିଛନ୍ତି–ଏହାମଧ୍ୟ ସତ୍ୟ । କିନ୍ତୁ ତା’ ହେଲେବି ଯୋଉ ଅର୍ଥରେ ଆମେ ଗଳ୍ପ ସାହିତ୍ୟରେ ଏଇ ‘ଆଧୁନିକତା’ ଶବ୍ଦର ପ୍ରୟୋଗ କରୁଛୁ–ତା’ର ପ୍ରଥମ ଓ ସ୍ପଷ୍ଟ ବଳିଷ୍ଠ ପ୍ରବକ୍ତା ହେଉଛନ୍ତି ଗୋପୀନାଥ । ଗୋପୀନାଥ ହିଁ ପ୍ରଥମ କରି ବିଷୟବସ୍ତୁ, ଦୃଷ୍ଟିଭଙ୍ଗୀ, ରଚନାଶୈଳୀ ଓ ଆଭିମୁଖ୍ୟରେ ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟକୁ ଏକ ନୂତନ ପଥ ଏବଂ ଆଲୋକ ପ୍ରଦର୍ଶନ କଲେ । ପ୍ରଥମ କରି ସେ ତାଙ୍କ ଗଳ୍ପଗୁଡ଼ିକରେ ସମାଜକୁ ପୃଷ୍ଠଭୂମିରେ ରଖି ‘ବ୍ୟକ୍ତି ମଣିଷ’ଟିକୁ ତା’ର ସମସ୍ତ ସ୍ଵାତନ୍ତ୍ର୍ୟ ସହ ଗୁରୁତ୍ଵ ଦେଇ ଦେଖିଲେ । ଦେଖାଇବାକୁ ଉଦ୍ୟମ କଲେ । ବ୍ୟକ୍ତି ମଣିଷଟିର ଅନ୍ତରର ଗହନ ଭିତରକୁ ପ୍ରବେଶ କରିବା ଲାଗି କେତୋଟି ଯୁଦ୍ଧ କପାଟ ଉନ୍ମୋଚନ କରିଦେଲେ ଏବଂ ଏଇ ବ୍ୟକ୍ତି ମଣିଷଟିର ଅସ୍ଫୁଟ ଅନ୍ତଃସ୍ଵରର ପ୍ରତିଧ୍ୱନି ଆମେ ତାଙ୍କର ଗଳ୍ପଗୁଡ଼ିକ ଭିତରୁ ଶୁଣିବାକୁ ପାଇଲୁ ।

 

ବ୍ୟକ୍ତିବାଦୀ ଚେତନା କଅଣ ?

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି–ଏଇ ବ୍ୟକ୍ତି ମଣିଷଟି ପ୍ରକୃତରେ କିଏ ଓ କଅଣ ? ସମାଜରେ ଜନ୍ମ ହୋଇ, ବିକାଶ ଲାଭ କରି, ସାମାଜିକ ସମସ୍ୟାବଳୀରେ ଆକ୍ରାନ୍ତ ହୋଇ ସାମାଜିକ ସମସ୍ୟାଗୁଡ଼ିକୁ ସମାଧାନ କରି କରି ଜୀବନ ବିତାଉଥିବା ମଣିଷଟିର ନିଜସ୍ୱ କିଛି ସମସ୍ୟା ନାହିଁ । ତା’ର ସାମାଜିକ ବ୍ୟକ୍ତିତ୍ଵକୁ ଛାଡ଼ି ନିଜର କିଛି ସ୍ୱତନ୍ତ୍ର ବ୍ୟକ୍ତିତ୍ଵ ଅଛି କି ନାହିଁ ? ସମାଜର କେତେକ ନିର୍ଦ୍ଦିଷ୍ଟ ରୀତି, ରୁଚି, ଆଦର୍ଶ ଓ ପରମ୍ପରା ଭିତରେ ବନ୍ଦୀ ମଣିଷଟି ବା ପରିଚାଳିତ ମଣିଷଟି କ’ଣ ସମ୍ପୂର୍ଣ୍ଣ ମଣିଷ ? ନିଜସ୍ୱ ମଣିଷ ? ମଣିଷର ସମସ୍ୟାଗୁଡ଼ିକ କ’ଣ କେବଳ ସାମାଜିକ ? ରାଜନୈତିକ ? ଅର୍ଥନୈତିକ ? ଏପରିକି ନୈତିକ ? କିମ୍ବା ପରମ୍ପରାଦ୍ୱାରା ବିଧୃତ ଓ ଆଚରିତ ବାହ୍ୟସ୍ତରର ଉପର ଠାଉରିଆ ଏକ ଧାର୍ମିକ ସମସ୍ୟା ? ନା । ସମ୍ପୂର୍ଣ୍ଣଭାବେ ଏହାର ଉତ୍ତର ‘ନା’–। ମଣିଷର ଯେତିକି ଭାଗ ବାହାରକୁ ପ୍ରକଟିତ, ତା’ର ବହୁଗୁଣ ବ୍ୟକ୍ତିତ୍ୱ ତା’ ନିଜ ଭିତରେ ଲୁଚି ରହିଛି । ମଣିଷ କେବଳ ସମାଜ-ଆଧାରରେ ବିଧୃତ ହୋଇ କ୍ରିୟାଶୀଳ ବା ଅକ୍ରିୟାଶୀଳ ସାମାଜିକ ଜୀବ ବା ଚରିତ୍ରଟିଏ ନୁହେଁ । ସେ କେବଳ କ୍ରିୟା ଅଭିମୁଖୀ କର୍ତ୍ତାଟିଏ ନୁହେଁ । କ୍ରିୟା ସମାପକ କର୍ତ୍ତାଟିଏ ନୁହେଁ । ସେ ମଧ୍ୟ ଗୋଟିଏ ପ୍ରତିକ୍ରିୟା ଭୋଗୁଥିବା କର୍ତ୍ତା । ଆପଣା ଭିତରେ ଓ ଅନ୍ୟର ଅନ୍ତର ଭିତରେ ବହୁବିଧ ପ୍ରତିକ୍ରିୟାକୁ ଲକ୍ଷ୍ୟ କରୁଥିବା ଦ୍ରଷ୍ଟା ସେ କେବଳ ସାମାଜିକ ଚରିତ୍ରଟିଏ ନୁହେଁ–ସେ ଗୋଟିଏ ପ୍ରତିକ୍ରିୟା–ପ୍ରକାଶକ ବ୍ୟକ୍ତିତ୍ୱ–ଅନୁଭବୀ ବ୍ୟକ୍ତିତ୍ୱ–ଏବଂ ନିଜକୁ ବା ଅନ୍ୟକୁ ବିଶ୍ଳେଷଣ କରି ଦେଖିପାରୁଥିବା ବ୍ୟକ୍ତିତ୍ୱ । ସେ ମଧ୍ୟ ତା’ର ସ୍ଵାଧୀନ ଇଚ୍ଛା ପ୍ରୟୋଗ କରିପାରେ । ସେ ମଧ୍ୟ ତା’ର ସ୍ୱତନ୍ତ୍ର ଦୃଷ୍ଟିକୋଣ ଭିତରୁ ଏ ଦୁନିଆକୁ ଦେଖିପାରେ । ମୋଟ ଉପରେ, ସେ ଅନ୍ୟନିର୍ମିତ ଛାଞ୍ଚରେ ଢଳା ହୋଇଥିବା ବା ଅନ୍ୟ କିଛି ଓ କାହାଦ୍ୱାରା ପୁତ୍ତଳିବତ୍‌ ପରିଚାଳିତ ହେଉଥିବା ଚରିତ୍ରଟିଏ ମାତ୍ର ନୁହେଁ । ସେ ଗୋଟିଏ ‘ବ୍ୟକ୍ତି’ । ଏବଂ ଏହି ବ୍ୟକ୍ତିତ୍ୱଟି ତା’ର ସମ୍ପୂର୍ଣ୍ଣ ନିଜସ୍ୱ । ଏହି ‘ବ୍ୟକ୍ତିତ୍ୱ’ଟି ଲୁଚି ରହିଛି କିନ୍ତୁ ତା’ ନିଜ ଭିତରେ । ଏବଂ ଏହା ପୁଣି ବହୁସ୍ତରୀୟ ଅସ୍ତିତ୍ୱ ବା ସତ୍ତାରେ ବହୁରୂପୀ, ବହୁଗୁଣୀ ଓ ବହୁନାମୀ । ତା’ ଅସ୍ତିତ୍ୱର ଗୋଟିଏ ସ୍ତରର ନିର୍ଦ୍ଦେଶ ସଙ୍ଗେ ଅନ୍ୟସ୍ତରର ନିର୍ଦ୍ଦେଶର ବିରୋଧି ହୋଇପାରେ । ମେଳ ମଧ୍ୟ ହୋଇପାରେ । ସେ ନିଜ ଭିତରର ନାନାଦି ଜଟିଳ ପରସ୍ପର ବିରୋଧୀ କ୍ରିୟାପ୍ରତିକ୍ରାରେ ଦ୍ୱନ୍ଦ୍ୱପୀଡ଼ିତ ହୋଇପାରେ । ତା’ର ସବୁ ବ୍ୟକ୍ତିଗତ ସଙ୍କଟ ବା ସମସ୍ୟାବଳୀର ସମାଧାନ ସେ ବାହାରୁ ନପାଇ, ତା’ ନିଜ ଭିତରୁ ହିଁ ପାଇପାରେ । ଆଧୁନିକ ଯୁଗର କଥାଶିଳ୍ପୀ ଏଇ । ମହାଜଟିଳ ଅସ୍ତିତ୍ୱବାନ୍‍ ବା ସତ୍ତାବାନ୍‌ ଭିତର ମଣିଷଟିକୁ ଖୋଜୁଛି । ଏବଂ ଯେତିକି ଯେତିକି ତା’ର ପରିଚୟ ପାଉଛି ସେତିକି ତା’ର ଲେଖା ଭିତରେ ପ୍ରକାଶ କରିବାକୁ ଚେଷ୍ଟା କରୁଛି । ଏବଂ ଏହି ‘‘ଭିତରର ମଣିଷ’’ଟି ହେଲା ଚେତନାଶୀଳ ‘‘ବ୍ୟକ୍ତିମଣିଷ’’ ।

 

ବ୍ୟକ୍ତିଚେତନାର ପ୍ରଥମ ପ୍ରବକ୍ତା: –

 

ଆମ କଥାସାହିତ୍ୟରେ ଗୋପୀନାଥ ହିଁ ପ୍ରଥମ କରି ସଚେତନ ଭାବରେ, ଶିଳ୍ପୀ ସୁଲଭ ମନଯୋଗ ଦେଇ ଏବଂ ନିଜର ଅନ୍ତର୍ଦୃଷ୍ଟି ବା ବୋଧଦୃଷ୍ଟି ନିକ୍ଷେପ କରି ବ୍ୟକ୍ତି ଭିତରୁ ତା’ର ଏଇ ‘‘ଭିତର ମଣିଷ’’ଟିକୁ ଖୋଜି ବାହାର କରିବାକୁ ଚେଷ୍ଟା କଲେ । ବ୍ୟକ୍ତିର ବିଭିନ୍ନ ମନସ୍ତାତ୍ତ୍ୱିକ ବ୍ୟକ୍ତିତ୍ୱ ଆବିଷ୍କାର କରି ବସିଲେ । ମୋଟ ଉପରେ, ମଣିଷକୁ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଦେଖିବାକୁ ଆରମ୍ଭ କଲେ ପ୍ରଥମ କରି ଗୋପୀନାଥ । ତାଙ୍କର ଗଳ୍ପଗୁଡ଼ିକରେ ଚରିତ୍ରମାନେ ସାମାଜିକ ଘଟଣାଗୁଡ଼ିକ ଦ୍ୱାରା କେବଳ ତାଡ଼ିତ ହୋଇ ଯା’ନ୍ତି ନାହିଁ, କେବଳ ଆକ୍ରାନ୍ତ ହୋଇ ଯା’ନ୍ତି ନାହିଁ, କେବଳ ଘଟଣାକ୍ରାନ୍ତ ହୋଇ ସୁଖଦୁଃଖରେ ପ୍ରପୀଡ଼ିତ ହୁଅନ୍ତି ନାହିଁ, ସେମାନେ ଅନୁଭୂତିଶୀଳ ମଣିଷ, ଭାବୁକ ମଣିଷ–ବେଳେ ବେଳେ ଭାବାଳୁ ମଣିଷ ମଧ୍ୟ । ଗୋପୀବାବୁଙ୍କ ଚରିତ୍ରମାନେ ଆପଣା ବାଗରେ, ଆପଣାର ମନସ୍ତତ୍ତ୍ୱ ବାଟେ ବାହ୍ୟ ଘଟଣାମାନଙ୍କର କାର୍ଯ୍ୟକାରଣ ଓ ଗତିକୁ ବିଶ୍ଳେଷଣ କରି ବୁଝନ୍ତି ଓ ନିଜ ଉପରେ ବାହ୍ୟ ଘଟଣାଗୁଡ଼ିକର ପ୍ରତିକ୍ରିୟାକୁ କେବଳ ଅନୁଭୋଗ କରି ହସନ୍ତି ନାହିଁ–କି କାନ୍ଦନ୍ତି ନାହିଁ–କିମ୍ବା ଚୁପ୍‌ଚାପ୍‍ ମଧ୍ୟ ରହିଯା’ନ୍ତି ନାହିଁ । ସେମାନେ ବୁଝନ୍ତି । ଅଭିଜ୍ଞତା ଲାଭ କରନ୍ତି । ବହୁ ବେଳାରେ ଆପଣାର ବ୍ୟକ୍ତିତ୍ୱ ବଳରେ ଘଟଣାଗୁଡ଼ିକର ନିୟନ୍ତ୍ରଣ ମଧ୍ୟ କରିଥାନ୍ତି । ନତୁବା, ସବୁକିଛି ଆପଣାର ଆୟତ୍ତ ବାହାରକୁ ଚାଲିଗଲେ, ନିଜ ଭିତରେ ନିଜର ଜୀବନବୋଧ ବା ଉପଲବ୍ଧିକୁ ନେଇ ଖୁବ୍‍ ଗଭୀର ଗମ୍ଭୀର ଭାବେ ଏକୁଟିଆ ବସି ରହନ୍ତି । ଏହି ବ୍ୟକ୍ତି କୋରାପୁଟ କଳାହାଣ୍ଡିର ବନପର୍ବତର ଅଧିବାସୀ ଅଶିକ୍ଷିତ ସରଳ ସ୍ୱଭାବ ଜଣେ ଆଦିବାସୀ ହୋଇପାରେ, ବା ଶିକ୍ଷା ଶିଳ୍ପ ସମୃଦ୍ଧ ଆଧୁନିକ ସହରର ଖୁବ୍‍ ଉଚ୍ଚଶିକ୍ଷିତ ଓ ଜଟିଳ ବୁଦ୍ଧିବୃତ୍ତିଧାରୀ ମଣିଷଟିଏ ହୋଇପାରେ । ବହୁ କ୍ଷେତ୍ରରେ ବି ଦେଖାଯାଏ ଯେ ଗୋପୀବାବୁଙ୍କର ଏହି ମଣିଷମାନେ କେବଳ ବାହ୍ୟ ଘଟଣା ଦୁର୍ଘଟଣାମାନଙ୍କ ଚାପରେ ପ୍ରତିକ୍ରିୟା ଜନିତ ପୀଡ଼ାର ଯନ୍ତ୍ରଣା ଭୋଗ କରନ୍ତି ନାହିଁ–ଆପଣା ଭିତରୁ ଉଦ୍‌ଭୁତ ହେଉଥିବା ବହୁ ସୁପ୍ତ ଓ ତୀବ୍ର ଅନୁଭୂତି ବା ଭାବାବେଗ ବା ବାସନା ସ୍ରୋତର ଦାଉରେ ଜର୍ଜରିତ ହେଉଥାନ୍ତି । ଆଉ ଗୋଟିଏ କଥା ହେଲା ମଣିଷକୁ ଆକ୍ରାନ୍ତ କରିବା ପାଇଁ ବା ମଣିଷ ଭିତରର ରୁଦ୍ଧକବାଟଗୁଡ଼ିକୁ ଉନ୍ମୋଚିତ କରିବା ପାଇଁ, ବା ମଣିଷ ଭିତରେ ଖୁବ୍‍ ଗୋଟାଏ ବିଶେଷ ଧରଣର ଅନୁଭୂତି ବା ଉପଲବ୍ଧି ସୃଷ୍ଟି କରିଦେବା ପାଇଁ ସବୁବେଳେ ଯେ ଖୁବ୍‍ ବଡ଼ ଧରଣର ଗୋଟାଏ ନାଟକୀୟ ବାହ୍ୟ ଘଟଣାର ଆବଶ୍ୟକ ପଡ଼େ, ତା’ ନୁହେଁ–ଅତି ସାମାନ୍ୟ ନଗଣ୍ୟ ଘଟଣାଟିଏ ବା ଦୃଶ୍ୟଟିଏ, ବା ବହିରାଗତ ଭାବଟିଏ ମଧ୍ୟ ସମ୍ବେଦନଶୀଳ ମଣିଷର ଅନ୍ତରକୁ ଓ ଜୀବନକୁ ଓଲଟପାଲଟ କରିଦେଇ ପାରେ । ଏବଂ ଯେ କୌଣସି ମଣିଷ ଭିତରୁ ଯେ କୌଣସି ଅପ୍ରସ୍ତୁତ ପରିସ୍ଥିତିରେ ମଧ୍ୟ ତା’ର ସମ୍ପୂର୍ଣ୍ଣ ବିପରୀତଧର୍ମୀ ମଣିଷଟିର ଆବିର୍ଭାବ ବଡ଼ ନାଟକୀୟ ଭାବେ ଘଟିଯାଇପାରେ । ଏହି କଥା ଆମେ ପ୍ରଥମେ ଦେଖିଲୁ ଗୋପୀନାଥ ମହାନ୍ତିଙ୍କ କଥାସାହିତ୍ୟରେ । ପ୍ରଥମ କରି ସେ ଆମକୁ ଦେଖାଇଲେ ଯେ ଅନୁଭୂତିଶୀଳ ମଣିଷ ମାତ୍ରକେ ଆପାତତଃ ସାମାନ୍ୟ ଭାବେ ଆଡ଼ବାଇଆ ମଣିଷ । ସାମାନ୍ୟ ଭାବେ ଅସାଧାରଣ ମଣିଷ । ତଥାକଥିତ ସୁସ୍ଥ ମସ୍ତିଷ୍କବାନ ମଣିଷମାନେ, ସାଂସାରିକ ବୁଦ୍ଧିରେ ଦୋରସ୍ତ ଓ ହିସାବୀ ମଣିଷମାନେ ବା ପ୍ରଚଳିତ ପାରମ୍ପରିକ ରୀତିରେ ସବୁଆଡ଼ୁ ଯାକିଯୁକି ହୋଇ ଚଳୁଥିବା ତଥାକଥିତ ନୀତିବାନ୍‍ ଓ ଧାର୍ମିକ ବ୍ୟକ୍ତିମାନେ ମଧ୍ୟ ଗୋପୀବାବୁଙ୍କ ଗଳ୍ପଗୁଡ଼ିକର ନାୟକ ନାୟିକା ନୁହନ୍ତି । ଅଥବା ତାଙ୍କର ପ୍ରୋଟାଗୋନିଷ୍ଟ ବା ମୁଖପତ୍ର ପାତ୍ରୀ ନୁହନ୍ତି । ଗୋପୀବାବୁଙ୍କ ଚରିତ୍ରମାନେ କେବଳ ଜୀବନକୁ ବଞ୍ଚନ୍ତି ନାହିଁ । ବଞ୍ଚିବା ପାଇଁ ଜୀବନକୁ ଅନୁଭବ କରନ୍ତି । ବୁଝି ବୁଝି ବଞ୍ଚନ୍ତି ଏବଂ ଏହି ପ୍ରକ୍ରିୟାରେ ଚାଲିଥିବା ମଣିଷମାନେ ବାହ୍ୟିକ ଦୃଷ୍ଟିରୁ କିଛି କିଛି ଆଡ଼ବାଇଆ ମଣିଷ ହେବାକୁ ବାଧ୍ୟ । କାରଣ ବ୍ୟକ୍ତିତ୍ୱବାନ ମଣିଷ ମାତ୍ରେଇ କିଛି କିଛି ଆଡ଼ବାଇଆ, କିଛି କିଛି ଅସାଧାରଣ । ସେ ପୃଥକ୍‍ ମଣିଷ, ଅଲଗା ମଣିଷ । ସେ ଆପଣାର ସ୍ୱତନ୍ତ୍ର ଅସ୍ତିତ୍ୱକୁ ଆବିଷ୍କାର କରେ, ଆଉ ମଧ୍ୟ ଜାହିର୍‍ କରେ । ଏପରିକି, ସେ ଯେତେବେଳେ କୌଣସି କାରଣରୁ ସାମୟିକ ଭାବେ ଆତ୍ମ-ବିସ୍ମୃତ ହୁଏ ତା’ର ସେହି ସାମୟିକ ମୋହାଚ୍ଛନ୍ନ ଅବସ୍ଥା କଟିଗଲା ପରେ ପୁଣି ସେ ଆପଣାର ହଜିଲା ଅସ୍ତିତ୍ୱକୁ ଖୋଜି ଖୋଜି ଆଣି ନିଜ ପାଖରେ ହାଜିର କରେ । ଗୋପୀବାବୁଙ୍କର ‘ନୀଳିମାର କବର’ ‘ମହାପାତ୍ର’ ‘ଗୁପ୍ତଗଙ୍ଗା’ ‘ଜୟକୀଚକ’ ‘ବୁଢ଼ାକବି’ ‘ଚକ୍ରପାଣି’ ‘ପାଳଭୂତ’ ‘ଛାଇ ଆଲୁଅ’ ‘ଶାଳ-ସୁନ୍ଦରୀ’ ‘ମନର ନିଆଁ’ ପ୍ରଭୃତି ଗଳ୍ପର ଚରିତ୍ରଗୁଡ଼ିକୁ ଦେଖିଲେ ଆମେ ଜାଣିପାରିବା ଯେ, ସେମାନେ ଫକୀରମୋହନଙ୍କ ଚନ୍ଦ୍ରମଣି ବାବୁ, ରାଣ୍ଡୀପୁଅ ଅନନ୍ତା, ଶ୍ୟାମବନ୍ଧ, ରେବତୀ, ବାସୁ, ଧୂଳିଆବାବା ଅଥବା ବୀରେଇ ବିଶାଳ ଭଳି ଏତେ ସହଜ ସରଳ ସାଧାରଣ ମଣିଷ ନୁହନ୍ତି । ନୀଳିମା, ଚକ୍ରପାଣି, ଅଜୟ, ତାରାମଣି, ଶାନ୍ତି ମହାପାତ୍ର, ଏପରିକି ସ୍ଵୟଂ କୀଚକ ପ୍ରଭୃତି ଚରିତ୍ର ଉପରେ ଏମିତି ସହଜ ଭାବରେ କୌଣସି ଶେଷ ମନ୍ତବ୍ୟ ଦେଇହେବ ନାହିଁ । ଗୋପୀବାବୁଙ୍କ ଗଳ୍ପର ଚରିତ୍ରଗୁଡ଼ିକର ପ୍ରକୃତିରେ ବହୁ ବକ୍ରତା, ବହୁ ଖାଲଢିପ, ବହୁ ଛାଇ ଆଲୁଅ ଓ ବହୁ ବିରୋଧାତ୍ମକ ବୃତ୍ତି ଓ ପ୍ରବୃତ୍ତିର ଜଟିଳତା ରହିଛି । ଏହି ଜଟିଳତା ପୁଣି କୌଣସି କୌଣସି କ୍ଷେତ୍ରରେ ବୌଦ୍ଧିକ ତ କୌଣସି କୌଣସି କ୍ଷେତ୍ରରେ ହାର୍ଦ୍ଦିକ ।

 

ସ୍ଵାଧୀନତା ପରବର୍ତ୍ତୀ ସମାଜରୁ ଗୋପୀନାଥ ଗ୍ରହଣ କଲେ ତାଙ୍କର ଚରିତ୍ର ଓ ବିଷୟବସ୍ତୁ । ପୋଲିସ, ଡାକ୍ତର, ଅଧ୍ୟାପକ, ଜଙ୍ଗଲ ହାକିମ ସପ୍ଲାଇ ଅଫିସର, ଅଧ୍ୟାପିକା, ଗ୍ରାମସେବକ ଓ ଗ୍ରାମସେବିକା, ରାଜନୈତିକ ନେତା ନେତ୍ରୀ ଏବଂ ଏମିତି ଏମିତି ଅନେକ ଆଧୁନିକ ବୃତ୍ତି ବା ଧନ୍ଦାର ଲୋକ । କିନ୍ତୁ ସେ କେବଳ ସେଇ ଧନ୍ଦାର ମଣିଷକୁ ଦେଖାଇ ନାହାନ୍ତି । ତା’ର କର୍ମାକର୍ମ ବଖାଣି ନାହାନ୍ତି । ସେହି ବୃତ୍ତି ଓ ଧନ୍ଦାର ଖୋଳ ଭିତରେ ଅସଲ ମଣିଷଟିକୁ ସେ ନିଖାରି ନିଖାରି ବାହାର କରିଛନ୍ତି । ସେଥିପାଇଁ ତାଙ୍କର ଅଧିକାଂଶ ବୃହତ୍‍ ଗଳ୍ପ କେବଳ ଆକାରରେ ଦୀର୍ଘ ନୁହେଁ, ସେଗୁଡ଼ିକ ଉପନ୍ୟାସର ବୃହତ୍‍ ପରିମାଣ ସ୍ୱାଦ ମଧ୍ୟ ଦେଇଥାନ୍ତି । ଗୋଟିଏ ଗୋଟିଏ ବୃହତ୍‍ ଗଳ୍ପରେ ବହୁ ଚରିତ୍ରର ସମାବେଶ ମଧ୍ୟ ହୋଇଥାଏ । ‘ଶାଳସୁନ୍ଦରୀ’, ‘ମନର ନିଆଁ’, ‘ଚିଲପୁରୀ’, ‘ଛାଇ ଆଲୁଅ’, ପ୍ରଭୃତି ଗଳ୍ପ ଉପନ୍ୟାସଧର୍ମୀ ଏବଂ ଏଇ ସବୁ ଗଳ୍ପ ଆମ ସାହିତ୍ୟରେ କାହିଁକି ଭାରତୀୟ ସାହିତ୍ୟରେ ମଧ୍ୟ ଚିରାୟତ ସମ୍ମାନ ଲାଭ କରିବ ।

 

ସ୍ୱତନ୍ତ୍ର ଭାଷା ଶୈଳୀ

 

ସେହି କାରଣରୁ, ଗୋପୀବାବୁ ପ୍ରଥମ କରି ଗଳ୍ପ ରଚନା ଲାଗି ଏକ ସ୍ଵତନ୍ତ୍ର ଭାଷାଶୈଳୀର ମଧ୍ୟ ସୃଷ୍ଟି କଲେ । ମଣିଷର ଅମୂର୍ତ୍ତ, ଅସ୍ପଷ୍ଟ, ଅଶବ୍ଦ ଅନୁଭୂତିଗୁଡ଼ିକୁ ବା ତା’ ଅନ୍ତର ଭିତରେ ଘଟିଯାଉଥିବା ମନ୍ମୟ ଘଟଣାଗୁଡ଼ିକୁ ବା ଏପରିକି ଆମର ବାହ୍ୟ ପରିବେଶଟିକୁ ଯଥାଯଥ ଭାବେ ବର୍ଣ୍ଣନା କରିବାକୁ ଯୋଉ ଭାଷାଶୈଳୀ ତାଙ୍କର ପୂର୍ବବର୍ତ୍ତୀ ଓ ସମକାଳୀନ ଗାଳ୍ପିକମାନେ ବ୍ୟବହାର କରୁଥିଲେ, ଗୋପୀବାବୁ ସେ ପରମ୍ପରାକୁ ଗ୍ରହଣ ନକରି ନିଜ ପାଇଁ ଏକ ସ୍ଵତନ୍ତ୍ର ଭାଷାଶୈଳୀ ସୃଷ୍ଟି କଲେ । ଗଳ୍ପର ଭାଷାକୁ ସେ କଲେ ବିଶ୍ଳେଷଣାତ୍ମକ ଅଥଚ କାବ୍ୟମୟ । ଭାଷାକୁ କେବଳ ବର୍ଣ୍ଣନାତ୍ମକ, ବିବରଣାତ୍ମକ ଓ ବାଚ୍ୟାର୍ଥ ସର୍ବସ୍ୱ ନକରି, ସେ ଗଳ୍ପର ଭାଷାରେ ବି ସୃଷ୍ଟିକଲେ ଅପୂର୍ବ କାବ୍ୟଧ୍ୱନି ଓ କାବ୍ୟବ୍ୟଞ୍ଜନା । ଭାଷାକୁ ସେ କଲେ ଚିତ୍ରମୟ, ବର୍ଣ୍ଣମୟ, ଓ ମନନଧର୍ମୀ । ଗ୍ରାମ୍ୟ, ଆଞ୍ଚଳିକ କଥ୍ୟ ଭାଷାର ଶବ୍ଦଗୁଡ଼ିକ ସଙ୍ଗେ ସାଧୁ ସଂସ୍କୃତର ତତ୍‌ସମ ଶବ୍ଦଗୁଡ଼ିକୁ ଏକ ଅପୂର୍ବ ବିନ୍ଧାଣି ପଣରେ ମିଶାଇ ଦେଇ ସେ ବାକ୍ୟଗୁଡ଼ିକୁ ଚିନ୍ତାର ଐଶ୍ୱର୍ଯ୍ୟ ଓ ଭାବର ମାଧୁର୍ଯ୍ୟରେ ଦୀପ୍ତ ଓ ଦ୍ରୁତିଗୁଣ ସମନ୍ୱିତ କରିଦେଲେ । ତାଙ୍କରି ହାତରେ ବାକ୍ୟଗୁଡ଼ିକର ବିସ୍ତାର ବଢ଼ିଗଲା ଏବଂ ସେହି ବିସ୍ତାର ପୁଣି ତା’ର ମଧୁର ମନ୍ମୟ ପ୍ରଗଳ୍‌ଭତାରେ ଏବଂ ପରିଚ୍ଛନ୍ନ ଅର୍ଥାଭିବ୍ୟକ୍ତିରେ ଭାଷାକୁ ଯେପରି ସହଜ ସ୍ଵାଭାବିକ ଓ ପ୍ରାଣବନ୍ତ କଲା, ସେହିପରି ମଧ୍ୟ ଶକ୍ତି ଓ ସାମର୍ଥ୍ୟଯୁକ୍ତ କଲା । ପ୍ରକୃତରେ ଗୋପୀବାବୁଙ୍କ ଅନୁଭୂତି ବିଜଡ଼ିତ, ପ୍ରଜ୍ଞା-ଗର୍ଭିତ, ଭାବଚିତ, ଶବଳିତ, ଲହରାୟିତ, ଫେନିଳ, ତରଳ, ସୁକୁମାର ଅଥଚ ପ୍ରାଣଶକ୍ତି ସମ୍ପନ୍ନ ବିଦଗ୍ଧ ଭାଷା ବିଭବ ତା’ର ସ୍ୱତନ୍ତ୍ର ମର୍ଯ୍ୟାଦାରେ ଅନନୁକରଣୀୟ । କେବଳ ବାହ୍ୟ ଘଟଣାର ଗତିଶୀଳ ପ୍ରଭାବରେ ତାଙ୍କର ଭାଷାଶୈଳୀ ବେଗବାନ୍‍ ନହୋଇ ପାରେ, କିନ୍ତୁ ଅନ୍ତରର ଅନୁଭୂତିଗୁଡ଼ିକୁ ପ୍ରକାଶ କରିବାରେ ତାହା ଯେତିକି ଆବେଗବାନ୍‍, ତାହା ଆମ କଥାସାହିତ୍ୟରେ ନିଶ୍ଚୟ ଅଭୂତପୂର୍ବ । ଏଭଳି ସୁସ୍ଥିର ଓ ସାବଲୀଳ, ଦ୍ୟୋତନା ଓ ସଙ୍ଗୀତମୟ, ସୂକ୍ଷ୍ମ ଓ ସୁକୁମାର, ସରସ ଓ ସଜୀବ ଭାଷାଶୈଳୀ, ଫକୀରମୋହନଙ୍କ ପରେ ଅମିତ କଥାଶିଳ୍ପ ପ୍ରତିଭାର ଅଧିକାରୀ ଗୋପୀନାଥ ହିଁ ପ୍ରଥମ କରି ତାଙ୍କର ଉତ୍ତରାଧିକାରୀମାନଙ୍କ ଲାଗି ସୃଷ୍ଟି କଲେ । ଚିରଞ୍ଜୀବୀ ଫକୀରମୋହନ ଅବଶ୍ୟ ଅମର କଥାସାହିତ୍ୟ ଲାଗି ଅପୂର୍ବ ଭାଷାଶୈଳୀଟିଏ ସୃଷ୍ଟି କରିଥିଲେ । ମାତ୍ର ସେହି ଭାଷାଶୈଳୀଟି ଥିଲା କେବଳ ସାମାଜିକ ବିଷୟ ନେଇ ଗଳ୍ପ ଉପନ୍ୟାସ ଲେଖିବା ପାଇଁ ଅନୁକୂଳ ଓ ଉପଯୋଗୀ । କେବଳ ଯଥାଯଥ ଫଟୋଗ୍ରାଫିକ୍‍ ବାହ୍ୟ ଘଟଣାଗୁଡ଼ିକର ବର୍ଣ୍ଣନା ପାଇଁ ଉପଯୋଗୀ-। ସମାଜରେ ଆତଯାତ ହେଉଥିବା ସାମାଜିକ ଚରିତ୍ରମାନଙ୍କର ଫଟୋ ଧରି ରଖିବା ପାଇଁ ଉପଯୋଗୀ । ବ୍ୟକ୍ତି ମଣିଷର ମନ ଭିତରର ନାନା ଜଟିଳ ଅନୁଭୂତି ଓ ଆବେଗ ବା ଚିନ୍ତା ଓ ମନନଶୀଳତାକୁ ପ୍ରକାଶ କରିବା ଲାଗି ସେହି ଭାଷାଶୈଳୀର ସେତିକି ଶକ୍ତି ସାମର୍ଥ୍ୟ ନଥିଲା-। ଗୋଟିଏ କଥାରେ କହିଲେ, ଫକୀରମୋହନଙ୍କ ଭାଷାଶୈଳୀ ବିମ୍ବକୁ ଧରିରଖି ପାରୁଥିଲା, ମାତ୍ର ପ୍ରତିବିମ୍ବକୁ ପ୍ରତିଫଳିତ କରିପାରୁ ନଥିଲା । ଧ୍ଵନିକୁ ରେକର୍ଡ କରିପାରୁ ଥିଲା; ମାତ୍ର ପ୍ରତିଧ୍ୱନିକୁ ଅନୁରଣିତ କରିପାରୁ ନଥିଲା । ଫକୀରମୋହନଙ୍କ ହାତରେ ଥିଲା ବାହାରେ ଛାଇ ଆଲୁଅର ଖେଳଭିତରୁ ପ୍ରକଟମାନ ରୂପଟିକୁ ପ୍ରତିଫଳିତ କରି ଅବିକଳ ଛାୟା ରୂପରେ ଧରିରଖିବା ପାଇଁ ଉପଯୋଗୀ କାମେରାଟିଏ । ମାତ୍ର ଗୋପୀବାବୁ ବାହାର ରୂପର ଫଟୋ ଉଠାଇବାରେ ତ ନିଶ୍ଚୟ ଓସ୍ତାଦ୍‌ । କାରଣ ତାଙ୍କ ଚରିତ୍ରଗୁଡ଼ିକର ନାକ, ଓଠ, ନିଶ, ଆଖି, ଚିବୁକଠାରୁ ପାଦ ଯାଏ ସବୁ ସେ ଟିକିନିଖି ବର୍ଣ୍ଣନା କରନ୍ତି । ଭିତରର ଭାବରାଜି ବ୍ୟକ୍ତିର ଶରୀର ଉପରେ ଯୋଉସବୁ ପ୍ରତିକ୍ରିୟା ସୃଷ୍ଟିକରେ ସେ ସବୁର ମଧ୍ୟ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥାନ୍ତି । କିନ୍ତୁ ଗୋପୀବାବୁ ତାଙ୍କ ଚରିତ୍ର ଭିତରର ଅନ୍ଧିସନ୍ଧିକୁ ଦେଖାଇବା ଲାଗି ଅଧିକ ବ୍ୟଗ୍ର । ସେଥିପାଇଁ ତାଙ୍କ ହାତରେ ଥାଏ ରଞ୍ଜନରଶ୍ମିର କାମେରାଟିଏ । ଫକୀରମୋହନଙ୍କ ଭାଷାଶୈଳୀ ଥିଲା ଚରିତ୍ରମାନଙ୍କର କ୍ରିୟାଗୁଡ଼ିକର ବିବରଣୀ ଦେବା ପାଇଁ ପ୍ରଶସ୍ତ । ମାତ୍ର ପ୍ରତିକ୍ରିୟାଗୁଡ଼ିକର ସୂଚନା ଦେବାରେ ସେ ଶୈଳୀର ସାମର୍ଥ୍ୟ ନଥିଲା । ଫକୀରମୋହନଙ୍କ ଭାଷାଶୈଳୀ ଥିଲା କେବଳ ପ୍ରାଣବନ୍ତ କିନ୍ତୁ ମନୋମୟ ନଥିଲା । ଫକୀରମୋହନ ଜୀବନର ଯେଉଁ ଚିତ୍ର ଦେଖୁଥିଲେ ଓ ଯାହା କହିବାକୁ ଚାହୁଁଥିଲେ, ତା’ପାଇଁ ସେ ଭାଷାଶୈଳୀ ଥିଲା ଅଭୂତପୂର୍ବ ଓ ଅତୁଳନୀୟ, ଏପରିକି ଅନନୁକରଣୀୟ-। କିନ୍ତୁ ଯେତେହେଲେ ବି ଫକୀରମୋହନୀୟ ଗଳ୍ପ ଉପନ୍ୟାସର ଭାଷା ଥିଲା କେବଳ ସାମାଜିକ ଭାଷା, ପ୍ରଚଳିତ ତାତ୍କାଳିକ ମୌଖିକ ଭାଷା । ସେହି ପ୍ରାୟଶଃ ପ୍ରଚଳିତ ମୌଖିକ ଶବ୍ଦ ଓ ବାକ୍ୟ ବାକ୍ୟାଂଶମାନଙ୍କୁ ନେଇ ସେ ତାଙ୍କର ଶିଳ୍ପୀ-ସୁଲଭ ବିନ୍ଧାଣି ପଣିଆରେ କାବ୍ୟ-ବିଗ୍ରହ ନିର୍ମାଣ କରୁଥିଲେ । ସେଥିପାଇଁ ଆମେ ଫକୀରମୋହନଙ୍କୁ ସ୍ଵତନ୍ତ୍ର ଏକ ଭାଷାଶୈଳୀର ଉଦ୍‍ଭାବକ ନକହି ବିନ୍ଧାଣି କହିବା ଅଧିକ ଉଚିତ ହେବ । ସ୍ରଷ୍ଟା ନକହି ସଙ୍ଗଠକ କହିବା ଅଧିକ ସମୀଚୀନ ହେବ-

 

କିନ୍ତୁ ଗୋପୀନାଥ ଯଥାର୍ଥରେ ସ୍ୱତନ୍ତ୍ର ଏକ ଭାଷାଶୈଳୀର ଉଦ୍‌ଭାବକ, ଆଉ ମଧ୍ୟ ସ୍ରଷ୍ଟା । ଏପରିକି ଭାଷାର ବର୍ଣ୍ଣନାଧର୍ମତାରେ ବି ଗୋପୀନାଥଙ୍କର ଫକୀରମୋହନଙ୍କ ଠାରୁ ପାର୍ଥକ୍ୟ ବେଶ୍‍ ବୁଝାପଡ଼େ । ଫକୀରମୋହନ ଦୃଶ୍ୟ ବା ବସ୍ତୁଗୁଡ଼ିକର କେବଳ ରେଖାଚିତ୍ର ଆଙ୍କିଥାନ୍ତି ଏବଂ ସେହି ଚିତ୍ରଗୁଡ଼ିକ ପଟ୍ଟଚିତ୍ର ଭଳି ପ୍ରାୟଶଃ ସମତଳୀୟ । ମାତ୍ର ଗୋପୀନାଥଙ୍କ ବସ୍ତୁ ଓ ଦୃଶ୍ୟଗୁଡ଼ିକର ଚିତ୍ର ହେଲା ବର୍ଣ୍ଣମୟ ଓ ତ୍ରିପାର୍ଶ୍ଵ ବଶିଷ୍ଟି । ବର୍ଣ୍ଣନାରେ ବ୍ୟବହୃତ ଶବ୍ଦ ଓ ବାକ୍ୟମାନେ ବହୁସ୍ଥଳରେ ବସ୍ତୁ ଓ ଦୃଶ୍ୟଗୁଡ଼ିକର ଉତ୍‌ଥାନ ପତନ ବା ଛାୟାଆଲୋକର ଲୀଳାବିଳାସକୁ ମଧ୍ୟ ପ୍ରକାଶ କରୁଥାନ୍ତି । ଫକୀରମୋହନ ତାଙ୍କ ଭାଷାଶୈଳୀକୁ ଗୁରୁ-ଲଘୁ-ଭାବ-ବହନକ୍ଷମ କରିପାରିଥିଲେ । ଏବଂ ଯଥେଷ୍ଟ ବିସ୍ତାରକ୍ଷମ ମଧ୍ୟ କରିପାରିଥିଲେ । ହାସପରିହାସ, ବ୍ୟଙ୍ଗବିଦ୍ରୂପାଦି ଦ୍ୱାରା ଭାଷାକୁ ସଜୀବ, ସଚଳ ଓ ସକ୍ରିୟ କରିପାରିଥିଲେ । ଏହି ବ୍ୟାପାରରେ ଅବଶ୍ୟ ଗୋପୀନାଥଙ୍କ ସହିତ ଫକୀରମୋହନଙ୍କର କିଞ୍ଚିତ୍‍ ଅଦୃଶ୍ୟ ସମ୍ପର୍କ କଳନା କରାଯାଇପାରେ । କିନ୍ତୁ ହାସପରିହାସ, ବ୍ୟଙ୍ଗବିଦ୍ରୂପାଦି ବ୍ୟାପାରରେ ଗୋପୀନାଥ ଧୁରୀଣ ହେଲେ ବି ଫକୀରମୋହନଙ୍କ ପରି ସରଳ ସହଜ ଶିଶୁ ସୁଲଭ ନୁହନ୍ତି, ପ୍ରାଣୋଚ୍ଛଳ ନୁହନ୍ତି, ସ୍ୱଚ୍ଛନ୍ଦ ମଧ୍ୟ ନୁହନ୍ତି । ବ୍ୟଙ୍ଗବିଦ୍ରୂପରେ ଗୋପୀନାଥ ଅଧିକ ତୀକ୍ଷ୍‍ଣସ୍ଵର, ତୀର୍ଯ୍ୟକ ଦୃଷ୍ଟି, ବକ୍ରବାକ୍‌ ଆଉ ପୀଡ଼ନଧର୍ମୀ । ପୁଣି ମଧ୍ୟ ଅଧିକ ଛଦ୍ମିକ, ବୌଦ୍ଧିକ, ବହୁ ସମୟରେ ଅନୁଦାର ମଧ୍ୟ । କିନ୍ତୁ ଉଭୟେ ବ୍ୟଙ୍ଗବିଦ୍ରୂପ କଲାବେଳେ ସ୍ଥାନ ଅସ୍ଥାନ ନମାନି ଖୁବ୍‍ ମାତିଯାନ୍ତି, ଏବଂ ବହୁ କ୍ଷେତ୍ରରେ ଭାରସାମ୍ୟ ହରାଇ କଳାତ୍ମକ ମର୍ଯ୍ୟାଦାବୋଧର ସୀମାକୁ ମଧ୍ୟ ଲଙ୍ଘନ କରିଯା’ନ୍ତି । ବହୁ ସମୟରେ ବ୍ୟଙ୍ଗବିଦ୍ରୂପ କଲାବେଳେ ଉଭୟେ ଅଭିପ୍ରେତ ଚରିତ୍ରମାନଙ୍କୁ ଛିଗୁଲାଉ ଥାନ୍ତି । କ୍ୟାରିକେଚର ବି କରୁଥାନ୍ତି । ଏବଂ ଏଥିରେ ସନ୍ଦେହ ନାହିଁ ଯେ ଗାଳ୍ପିକ ପକ୍ଷରେ ଏହି ପ୍ରକୃତିଟି ହେଲା ଦୁଷ୍ଟାମି । ବେଳେ ବେଳେ ନିଷ୍ଠୁର ଦୁଷ୍ଟାମି–ଆଉ ବେଳେ ବେଳେ ଖିଆଲ କୈତୁକର ଦୁଷ୍ଟାମି ମଧ୍ୟ । ଫକୀରମୋହନ ଓ ଗୋପୀନାଥଙ୍କ ଗଳ୍ପ ଉପନ୍ୟାସରୁ ଏହି ବ୍ୟଙ୍ଗବିଦ୍ରୂପ ଦିଗଟି ଉପରେ ବିଶ୍ଳେଷଣ କରି ଆଲୋଚନା କଲାବେଳେ ମନେହୁଏ, ଫକୀରମୋହନ ଏ ବ୍ୟାପାରରେ ଶିଶୁଭଳି ନିରୀହ ଆଉ ଖିଆଲୀ ଦୁଷ୍ଟାମି ଦେଖାଇ ଥାନ୍ତି । ମାତ୍ର ଗୋପୀନାଥଙ୍କ ବ୍ୟଙ୍ଗବିଦ୍ରୂପ ପଛରେ ପ୍ରଚ୍ଛନ୍ନ ଥାଏ ଏକ ଉଦ୍ଦେଶ୍ୟମୂଳକ ଅସହିଷ୍ଣୁ ନିଷ୍ଠୁରତା । ଅବଶ୍ୟ ଏହି ନିଷ୍ଠୁରତା ମଧ୍ୟ ତାଙ୍କର ଅହେତୁକୀ କୌତୁକ କରିବା ପ୍ରବୃତ୍ତିରୁ ଅନୁପ୍ରେରିତ ହୋଇଥାଏ । ଆଉ ମଧ୍ୟ ଏଥିରୁ କେହି ବୁଝିବା ଉଚିତ ନୁହେଁ ଯେ ଗୋପୀନାଥ ବ୍ୟକ୍ତି-ମଣିଷଟିର ଅନ୍ତର ଭିତରର ଅସହାୟ ହାହାକାର ଶୁଣି ନାହାନ୍ତି ବା ବ୍ୟକ୍ତି ଆତ୍ମାର କାରୁଣ୍ୟଟିକୁ ବୁଝିନାହାନ୍ତି ।

 

କିନ୍ତୁ ସେ ଯାହାହେଉ, ଫକୀରମୋହନଙ୍କ ପରେ ଓଡ଼ିଆ ଗଳ୍ପ ସାହିତ୍ୟକୁ ଅଧିକ ଆଧୁନିକ କରିବା ପାଇଁ, ଫକୀରମୋହନୋତ୍ତର ଯୁଗର ଗାଳ୍ପିକମାନଙ୍କ ଭିତରେ ଗୋପୀନାଥ ଯେଉଁ ଅଭିନବ ଭାଷା ଓ ରଚନା ଶୈଳୀଟି ସୃଷ୍ଟି କଲେ ତାହା ନିଶ୍ଚିନ୍ତ ଏବେ ଅଭିନବ ଗୁଣାତ୍ମକମାନ ପ୍ରତିଷ୍ଠିତ ହୋଇଗଲା । କିନ୍ତୁ ଏ ଉକ୍ତିରୁ ଏପରି କେହି ସିଦ୍ଧାନ୍ତକୁ ଆସିବ। ଉଚିତ ନୁହେଁ ଯେ ଗୋପୀବାବୁଙ୍କ ସାମାନ୍ୟ ପୂର୍ବବର୍ତ୍ତୀ ଓ ସମକାଳୀନ ଅନ୍ୟାନ୍ୟ ପ୍ରତିଭାବାନ୍‍ କଥାକାରମାନେ ଗଳ୍ପ ସାହିତ୍ୟ ପାଇଁ ସ୍ଵତନ୍ତ୍ର କୌଣସି ଭାଷାଶୈଳୀ ଆଦୌ ସୃଷ୍ଟି କରି ନାହାନ୍ତି । ଆମର କହିବା କଥା ହେଲା, ଆଧୁନିକ କଥାସାହିତ୍ୟର ଆଭିମୁଖ୍ୟକୁ ବହୁ ଅଂଶରେ ଚରିତାର୍ଥ କରିବା ପାଇଁ ଉପଯୋଗୀ ଯେଉଁ ଭାଷାଶୈଳୀ, ଗୋପୀନାଥ ସେହିଭଳି ଭାଷାଶୈଳୀଟିଏ ନିଜପାଇଁ ଓ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଦେଲେ । ତାଙ୍କର ସମକାଳୀନ ବିଶିଷ୍ଟ ଗାଳ୍ପିକମାନେ ଯେଉଁମାନଙ୍କୁ ମଧ୍ୟ ଆମେ ସ୍ଵତନ୍ତ୍ର ଭାଷାଶୈଳୀର ନିର୍ମାତା ରୂପେ ମାନ୍ୟତା ଦେବା, ସେମାନଙ୍କ ମଧ୍ୟରେ ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ ଓ ସଚ୍ଚିରାଉତରା ହିଁ ପ୍ରଧାନ । ରାଜକିଶୋର ରାୟ ତାଙ୍କର ଗଳ୍ପଗୁଡ଼ିକରେ ଏକ ଗୁରୁଗମ୍ଭୀର ତତ୍ସମ ଶବ୍ଦବହୁଳ ମଧ୍ୟଯୁଗୀୟ ଅଭିଜାତ ଓ ନାଟକୀୟ ଭାଷାଶୈଳୀ ବ୍ୟବହାର କଲେ । ତାଙ୍କର ଭାଷାଶୈଳୀ ଭିତରେ ଏକ ଅହଂପ୍ରଧାନ ବ୍ୟକ୍ତିଗତ ଅଭିଜ୍ଞତାର ନାଟକୀୟ ଓ କାବ୍ୟିକ ସ୍ୱୀକାରୋକ୍ତି ଖୁବ୍‍ ଉଚ୍ଚ ସ୍ଵରଗ୍ରାମରେ ପ୍ରକାଶ ପାଏ । ନିତ୍ୟାନନ୍ଦ ମହାପାତ୍ରଙ୍କ ଭାଷାଶୈଳୀର ସ୍ଵରୂପ ହେଲା ରୋମାଣ୍ଟିକ୍‍ ଭାବାଳୁତା ଓ ଆବେଗରେ ଜୁଡ଼ୁବୁଡ଼ୁ ଏବଂ ବହୁ ଅଂଶରେ କାବ୍ୟଧର୍ମୀ । ରାଜକିଶୋର ପଟ୍ଟନାୟକଙ୍କୁ ଭାଷାଶୈଳୀ ବକ୍ତବ୍ୟର ଯଥାଯଥତା ଓ ସ୍ପଷ୍ଟତା ଲାଗି ପ୍ରଶସ୍ତ ଏବଂ ସଚ୍ଚିରାଉତରା ତାଙ୍କର ବାମପନ୍ଥୀ ସାମ୍ୟବାଦୀ ଚିନ୍ତା ଓ ଦୃଷ୍ଟିକୋଣାନୁକୂଳ ବାସ୍ତବତାମୂଳକ ଭାଷାଶୈଳୀଟିଏ ନିଜପାଇଁ ସୃଷ୍ଟି କଲେ । କେବଳ ସାମାଜିକ ବିଷୟବସ୍ତୁକୁ ନେଇ ତାଙ୍କର ଗଳ୍ପଗୁଡ଼ିକର ଭାଷା ଏକାନ୍ତ ଭାବେ ସାମାଜିକ ଓ ପ୍ରଚଳିତ ମୌଖିକ ଭାଷା ରୀତିରେ ସ୍ୱାଭାବିକ ଓ ସହଜ ।

 

କିନ୍ତୁ ଆଧୁନିକ ଯୁଗର ଦାବି ଅନୁଯାୟୀ ବ୍ୟକ୍ତିବାଦୀ ଗଳ୍ପ ରଚନା ଲାଗି ଯୋଉ ଭାଷାଶୈଳୀ ଏକାନ୍ତ ଉପଯୁକ୍ତ, ଯୋଉ ଭାଷାଶୈଳୀରେ ବ୍ୟକ୍ତିରେ ଅନ୍ତର୍ଲୋକର ସୂକ୍ଷ୍ମ ଓ ସୂକ୍ଷ୍ମାତିସୂକ୍ଷ୍ମ ଚିତ୍ରଗୁଡ଼ିକୁ ବ୍ୟକ୍ତ କରିହେବ, ସେପରି ଚେତନାବାହୀ ଭାଷାଶୈଳୀ ଏହି ବିଶିଷ୍ଟ ଗାଳ୍ପିକମାନେ ସୃଷ୍ଟି କରିନାହାନ୍ତି । ମଣିଷ ତା’ର ମନଭିତରର ଗୋପନ କଥା କହିବା ପାଇଁ, ତା’ ଆତ୍ମାର ଗୁହ୍ୟ ଉପଲବ୍ଧିମାନ ପ୍ରକାଶ କରିବା ପାଇଁ, ଯୋଉ ଭାଷା ଦରକାର କରିବ, ଗୋପୀନାଥ ସେହିଭଳି ଭାଷାଶୈଳୀଟିଏ ଗଢ଼ି ବସିଲେ । ଏହି ଭାଷାଶୈଳୀର ବିଶେଷତ୍ୱ ହେଲା–ଏହା ଦୈନନ୍ଦିନ ଜୀବନରେ ବ୍ୟବହୃତ ପାତ୍ରୋପଯୋଗୀ ଭାଷା ନ ହୋଇପାରେ ବା ଆଂଶିକ ଭାବରେ ହୋଇପାରେ–କିନ୍ତୁ ଯାହା ଏହି ଭାଷାଶୈଳୀର ମୌଳିକ ଧର୍ମ–ସେଇଟି ହେଲା, ଏହାର ବସ୍ତୁନିର୍ଦ୍ଦେଶିକା ଗୁଣ ସଙ୍ଗେ ଚେତନା-ବାହକତା ଗୁଣର ସମ୍ମିଳନ । ସେଥିପାଇଁ ଗୋପୀନାଥ ଯେ କୌଣସି ବ୍ୟକ୍ତି ବା ଦୃଶ୍ୟର ବାହ୍ୟ ବର୍ଣ୍ଣନା କଲାବେଳେ ବି’ ତା’ ଭିତରେ ଆମେ ଦେଖୁ ଏକ ମନ୍ମୟ ଜଗତର ସ୍ପନ୍ଦନ ।

 

ଏହି ଦୃଷ୍ଟିରୁ ଗୋପୀନାଥଙ୍କର ନିଜସ୍ଵ ଆଧୁନିକ ଭାଷାଶୈଳୀରେ ଲିଖିତ ତାଙ୍କର ଅର୍ଦ୍ଧାଶତାଧିକ କ୍ଷୁଦ୍ର ବୃହତ୍‍ ଗଳ୍ପରେ ଆମେ ଦେଖୁ ବିଶେଷ ଧରଣର ଜଟିଳ ମାନବିକ ଅଭିଜ୍ଞତା ଓ ଅନୁଭୂତିଗୁଡ଼ିକର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଏବଂ ତା’ ସହିତ ଏକ ମହତ୍ତର ସଚେତନ ଜୀବନ ଲାଗି ଏବଂ ମନୁଷ୍ୟ, ପ୍ରକୃତି ଓ ଇତର ପ୍ରାଣୀମାନଙ୍କ ମଧ୍ୟରେ ଏକ ଆନ୍ତରିକ ନିବିଡ଼ ଐକ୍ୟ, ବୁଝାମଣା ଓ ସମତା ପ୍ରତିଷ୍ଠା ଲାଗି ଚରିତ୍ରଗୁଡ଼ିକର ସ୍ଵତଃସ୍ଫୂର୍ତ୍ତ ଆକାଂକ୍ଷା ଓ ସଂଗ୍ରାମ–ନିସର୍ଗ ପରିବେଶଗୁଡ଼ିକର ସବିଶେଷ ସୂକ୍ଷ୍ମାତିସୂକ୍ଷ୍ମ ବର୍ଣ୍ଣନା–ପୁଣି ନିସର୍ଗ ପରିବେଶ ସହିତ ମନୁଷ୍ୟର ନିବିଡ଼ ସମ୍ପର୍କ ସ୍ଥାପନ ଏବଂ ବହୁ ସାଧାରଣ ଓ ଅସାଧାରଣ ଘଟଣାମାନଙ୍କର ବିଚିତ୍ର ଅଘଟଣ ସମାରୋହ ଭିତରେ ବ୍ୟକ୍ତିର ନିଜକୁ ଆବିଷ୍କାର ଅଥବା ଆତ୍ମପରିଚୟର ମାର୍ମିକ ଅଭିଜ୍ଞତା ।

 

ଗଳ୍ପ ରଚନାରେ ଏହି ନୂତନ ଆଭିମୁଖ୍ୟ ଓ ନୂତନ ବିଷୟକୁ ନେଇ ଲେଖିବା ପାଇଁ ଏହି ନୂତନ କଳ୍ପନାଶ୍ରୟୀ, ସୃଜନଶୀଳ, ଆବିଷ୍କାରକ୍ଷମ ଭାଷାଶୈଳୀର ସୃଷ୍ଟିଲାଗି ଆମେ ଗୋପୀନାଥଙ୍କୁ ଆଧୁନିକ ଓଡ଼ିଆ କଥାସାହିତ୍ୟର ପ୍ରଥମ ଆଧୁନିକ ଗାଳ୍ପିକ ବୋଲି ସ୍ୱଚ୍ଛନ୍ଦରେ ଅଭିହିତ କରିବାକୁ ବାଧ୍ୟ ହେଉଛୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମଣିଷକୁ ଓ ତା’ର ପରିପାର୍ଶ୍ୱକୁ ବୁଝିବା ଲାଗି ଏବଂ ମଣିଷର ନିୟତି ଓ ତା’ର ଗତିପଥରେ ପ୍ରତିବନ୍ଧକ ବା ବିରୋଧୀ ଶକ୍ତିଗୁଡ଼ିକୁ ବୁଝିବା ଲାଗି ସାରା ବିଶ୍ୱରେ ନୂତନ ନୂତନ ଜ୍ଞାନ-ବିଜ୍ଞାନର ଅଭ୍ୟୁଦୟ ଘଟିଲା । ସମାଜ ବିଜ୍ଞାନ, ମନୋବିଜ୍ଞାନ, ନୃତତ୍ତ୍ୱ ରାଜନୀତି ବିଜ୍ଞାନ, ଅର୍ଥନୀତି ବିଜ୍ଞାନ ଓ ଦର୍ଶନାଦି କ୍ଷେତ୍ରରେ ମଣିଷ, ତା’ର ନିୟତି ସମୂହ ଓ ତା’ର ପରିପାର୍ଶ୍ୱ ସମ୍ପର୍କରେ ନୂତନ ନୂତନ ତଥ୍ୟ ଓ ତତ୍ତ୍ୱର ଆବିଷ୍କାର ହେଲା । ଫଳରେ ଜୀବନକୁ ବୁଝିବା ଲାଗି, ନୂଆ ନୂଆ ଦୃଷ୍ଟିକୋଣ ମଧ୍ୟ ଫିଟିଗିଲା । ବିଶ୍ୱ ଚିନ୍ତାଧାରା ଓ ଜ୍ଞାନବିଜ୍ଞାନ ସଙ୍ଗେ ପରିଚିତ ହେବା ଫଳରେ ଆଧୁନିକ କଥାକାରମାନଙ୍କର ଚିତ୍ତଭୂମି ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଠିତ ହୋଇଗଲା-। କ୍ରିୟାଶୀଳ ମଧ୍ୟ ହୋଇଗଲା । ଘଟଣାଗୁଡ଼ିକର କାର୍ଯ୍ୟକାରଣତ୍ୱ ଓ ବ୍ୟକ୍ତିମାନଙ୍କର ସେଗୁଡ଼ିକ ପ୍ରତିକ୍ରିୟା ପ୍ରକ୍ରିୟାଗୁଡ଼ିକୁ ବୁଝିବା ଲାଗି କଥାକାରମାନେ ଆଉ କେବଳ ନିଜର ବୋଧି ବା ସମ୍ବିତ୍‍ ଶକ୍ତି ଅଥବା କଳ୍ପନା ଶକ୍ତି (Intutive knowledge or creative imagination) ଉପରେ ନିର୍ଭର ନକରି ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ଜ୍ଞାନବିଜ୍ଞାନର ତଥ୍ୟ ଓ ତତ୍ତ୍ୱରାଶି ଉପରେ ନିର୍ଭର କଲେ ।

 

ପୂର୍ବବର୍ତ୍ତୀ ଭୂମିକାଟିକୁ ମନରେ ରଖି, ଆମେ ଯଦି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟକୁ ନିବିଢ଼ ଭାବେ ପର୍ଯ୍ୟାଲୋଚନା କରିବା ତେବେ ଏକଥା ନିଶ୍ଚିନ୍ତଭାବେ ଜାଣିପାରିବା ଯେ ଗୋପୀନାଥ ମହାନ୍ତି ହିଁ ପ୍ରଥମ କରି ତାଙ୍କ ପରବର୍ତ୍ତୀ ଗାଳ୍ପିକମାନଙ୍କ ଲାଗି ଏକ ନୂତନ ଯୁଗର ତୋରଣ ଉଦ୍‌ଘାଟିତ କରିଦେଲେ । ଏହି ଭାବରେ ମଧ୍ୟ ଆମେ ଗୋପୀନାଥଙ୍କ ଗଳ୍ପ ସାହିତ୍ୟର ପ୍ରକୃତି, ଧର୍ମ, ଆଭିମୁଖ୍ୟ ଓ ଭାଷାଶୈଳୀ ଉପରେ ସାମଗ୍ରିକ ଭାବେ କିଛି କହି ସାରିଲା ପରେ, ବର୍ତ୍ତମାନ ତାଙ୍କର କେତୋଟି ପ୍ରସିଦ୍ଧ ଗଳ୍ପ ଉପରେ କିଛି ଆଭାସ ଦେବା । ତାଙ୍କର ଗଳ୍ପଗୁଡ଼ିକୁ ମୁଖ୍ୟତଃ ଚାରିଭାଗରେ ବିଭକ୍ତ କରାପାଇ ପାରେ । ରୋମାଣ୍ଟିକ୍‍ ଗଳ୍ପ, ଆଣ୍ଟି ରୋମାଣ୍ଟିକ୍‍ ଗଳ୍ପ, ସାମାଜିକ ସମସ୍ୟା ପ୍ରଧାନ ଗଳ୍ପ, ଓ ବ୍ୟକ୍ତିଚେତନାଶ୍ରୟୀ ଗଳ୍ପ; କିନ୍ତୁ ତଳେଇ କରି ଦେଖିଲେ, ତାଙ୍କର କୌଣସି ଏକ ବିଶେଷ ଗଳ୍ପକୁ ଗୋଟିଏ ଶ୍ରେଣୀ ବା ପର୍ଯ୍ୟାୟ ଭିତରେ ଆବଦ୍ଧ ବା ସୀମାଭୁକ୍ତ କରିହେବ ନାହିଁ । କାରଣ, କ୍ଷୁଦ୍ରଗଳ୍ପ ବା ବୃହତ୍‍ ଗଳ୍ପଗୁଡ଼ିକରେ ଆମେ ଯେଉଁ ଗୋପୀନାଥଙ୍କୁ ଦେଖୁ ସେ ଯେତେ ସମାଜ ସଚେତନ ହୋଇଥିଲେ ବି ଏବଂ ଗଳ୍ପଗୁଡ଼ିକ ଭିତରକୁ ଯେତେ ସାମାଜିକ ସମସ୍ୟା ପଶି ଆସିଥିଲେ ବି ଗଳ୍ପର ଚରିତ୍ରମାନେ କିନ୍ତୁ ପୂରାପୂରି ଆପଣାର ନିଜସ୍ୱ ବ୍ୟକ୍ତତ୍ୱ ଉପରେ ପ୍ରତିଷ୍ଠିତ ଓ ବିକଶିତ । ଉଦାହରଣ ସ୍ଵରୂପ, ‘‘ଦୁଇବୀର’’ ଗଳ୍ପଟିକୁ ଆଲୋଚନା କରାଯାଉ । ଗଳ୍ପଟି ଭିତରେ ତିନୋଟି ମାତ୍ର ଚରିତ୍ର ! ଜଗୁବାବୁ, ଗୁମ୍ଫାସ୍ଵାମୀ, ଓ ଗୁମ୍ଫାସ୍ଵାମୀଙ୍କ ପତ୍ନୀ । ଦୁଇ ଭିନ୍ନ ପ୍ରଦେଶୀ ବନ୍ଧୁଙ୍କ ଭିତରେ ବନ୍ଧୁତ୍ୱ ଆରମ୍ଭ ହେଲା ସାମାନ୍ୟ ଗୋଟିଏ ଘଟଣାରେ । ସେକ୍ରେଟାରିଏଟ୍‍ ବା ଏ.ଜି ଅଫିସ୍‌ର ମୂତ୍ରଖାନା ଭିତରକୁ ଦୁଇଜଣଯାକ ଯିବାକୁ ବ୍ୟଗ୍ର ହେଲାବେଳେ ଜଣକୁ ସାମାନ୍ୟ ସୌଜନ୍ୟ ଦେଖାଇ ଛାଡ଼ିଦେଲା । ଏବଂ ଆରଜଣକ ଏତିକି ସୌଜନ୍ୟ ଲାଗି କୃତଜ୍ଞତା ବୋଧକ ଭଦ୍ର ସ୍ମିତହାସଟିଏ ପ୍ରକାଶ କଲା । ବାସ୍‍, ଏତିକିରେ ଦୁଇଜଣ ଭିନ୍ନ ରାଜ୍ୟର ଭିନ୍ନ ଭାଷାଭାଷୀ ଲୋକ ବନ୍ଧୁ ହୋଇଗଲେ । ନିବିଡ଼ ବନ୍ଧୁ । ସତେକି ଏଇ ସାମାନ୍ୟ ଘଟଣାରେ ଦୁହିଁଙ୍କ ଆତ୍ମା ଦୁହିଁଙ୍କ ପାଖରେ ଦୁହିଁଙ୍କୁ ଧରା ପକେଇ ଦେଲା । ଦୁଇଟି ଆତ୍ମା ହୋଇ ଉଠିଲେ ପରସ୍ପରର ଆତ୍ମୀୟ । ତା’ପରେ କ୍ରମଶଃ ଦୁହିଁଙ୍କ ଭିତରେ ବହୁ ଧରଣର ପାରିବାରିକ ଆଦାନପ୍ରଦାନ ମଧ୍ୟ ଚାଲିଲା । ଚାଲିଲା ମଧ୍ୟ ସାମାଜିକ ବନ୍ଧନର ଉପକ୍ରମ । ଦିନେ ଗୁମ୍ଫାସ୍ଵାମୀଙ୍କ ସ୍ତ୍ରୀ ଜଳଖିଆ ଖାଇବାକୁ ନିମନ୍ତ୍ରଣ କଲେ ଜଗୁବାବୁଙ୍କୁ । ତ୍ରୈଲଙ୍ଗୀ ରୁଚିର ଜଳଖିଆ, ଦୋଷା, ଉପମା, ଇଡ଼ିଲି, ସମ୍ବାରୁ ଆଉ ଚଟ୍‌ନି । ରୋଷେଇ ଘର ଭିତରେ ଏଇସବୁ ଜିନିଷ ତିଆରି କରି ଚାଲିଥାନ୍ତି ଗୁମ୍ଫାସ୍ଵାମୀଙ୍କ ପତ୍ନୀ । ଏଣେ, ଛୋଟିଆ ବୈଠକ ଘରେ ଦୁଇବନ୍ଧୁ ଆଳାପ କରୁକରୁ କଥାପ୍ରସଙ୍ଗରେ ହଠାତ୍‍ ଅତୀତ ଇତିହାସ ଆଡ଼କୁ ମୁହାଁଇ ଗଲେ ଏବଂ ଇତିହାସର ଆଲୋଡ଼ନ କରୁ କରୁ କେଉଁ ସୁଦୂର ଶତାବ୍ଦୀରେ ଓଡ଼ିଶା ଏବଂ ଆନ୍ଧ୍ରର ଦୁଇ ଦିଗ୍‌ବିଜୟୀ ବୀର ସମ୍ରାଟଙ୍କ କଥା ଆଲୋଚନା ଭିତରକୁ ଆସିଗଲା । ଓଡ଼ିଶାର ଗଜପତି ପୁରୁଷୋତ୍ତମ ଦେବଙ୍କର କାଞ୍ଚି ବିଜୟ କଥା ଓଡ଼ିଆ ବନ୍ଧୁଟି କହୁ କହୁ ତେଲଙ୍ଗା ବନ୍ଧୁଟି ନିଜ ରାଜ୍ୟର ଅତୀତ ଗାରିମାରେ ଉଚ୍ଛ୍ୱସିତ ହୋଇ କ୍ରୋଧାବେଗରେ ଆନ୍ଧ୍ର ସମ୍ରାଟ କୃଷ୍ଣଦେବ ରାୟଙ୍କର ଓଡ଼ିଶା ଆନ୍ତ୍ରମଣ ପ୍ରସଙ୍ଗ କହି ବସିଲେ । ଏବଂ ସେ କିପରି ଓଡ଼ିଶାର ଗଜପତି ସମ୍ରାଟ ପ୍ରତାପରୁଦ୍ରଙ୍କ ଝିଅଙ୍କୁ ନେଇଯାଇଥିଲେ ଓ ନିର୍ଯାତନା ଦେଇ ତାକୁ ହତ୍ୟା କଲେ, ସେ କଥା ମଧ୍ୟ କହି ବସିଲେ । ତା’ ପରେ ପରେ ଦୁଇରାଜ୍ୟର ଅତୀତ ଗୌରବକୁ ବଜାୟ ରଖିବାକୁ ଯାଇ ଦୁଇବନ୍ଧୁ ଉତ୍ତ୍ୟକ୍ତ ହୋଇ ଉଚ୍ଚ ସ୍ୱରରେ ନାନା ଉଦ୍ଧୃତି ଦେଇ ଉକ୍ତି ପ୍ରତ୍ୟୁକ୍ତି କରୁ କରୁ ବ୍ୟାପାରଟି ହାତାହାତି ହେବାଯାଏ ଗତି କରି ଦୁର୍ଘଟଣାରେ ପରିଣତ ହେବାକୁ ବସିଲା । କିନ୍ତୁ ଠିକ୍‍ ଏହି ସମୟରେ ଗୁମ୍ଫାସ୍ଵାମୀଙ୍କ ପତ୍ନୀ ଦୋଷା ଓ ଉପମାଦି ଜଳଖିଆମାନ ଧରି ଘଟଣାସ୍ଥଳରେ ନାଟକୀୟ ଭାବେ ପ୍ରବେଶ କରୁ କରୁ ଦୁଇ ବୀର ସ୍ଵାମୀଙ୍କର କାଣ୍ଡକାରଖାନା ଦେଖି ଉତ୍ତେଜିତ ଓ ଆବେଗ କମ୍ପିତ କଣ୍ଠରେ ଭର୍ତ୍ସନା ଆରମ୍ଭ କରିଦେଲେ । ତାଙ୍କ ଭର୍ତ୍ସନାମୂଳକ ବକ୍ତବ୍ୟର ମର୍ମ ହେଲା–ଅତୀତର କୋଉ ଯୁଦ୍ଧଖୋର ସାମ୍ରାଜ୍ୟବାଦୀ ରାଜାମହାରାଜାଙ୍କ ବୀରତ୍ୱ ଗାଥା ପକାଇ ଦୁଇଜଣ ଖଟିଖିଆ ନିମ୍ନ ମଧ୍ୟବିତ୍ତ କିରାନି ବର୍ତ୍ତମାନର ଏଇ ସୁମଧୁର ଆତ୍ମିକ ବନ୍ଧୁତ୍ୱ ଓ ସଦ୍‌ଭାବକୁ ଜଳାଞ୍ଜଳି ଦେଇ ଏକ ମିଥ୍ୟା କୃତ୍ରିମ ଅହମିକାପୂର୍ଣ୍ଣ ଜାତୀୟତାବାଦର ଦ୍ଵାହି ଦେଇ ନିଜ ଭିତରୁ ଅବଦମିତ ଯୁଦ୍ଧମାନ ହିଂସ୍ରପଶୁଙ୍କୁ ଆହ୍ୱାନ କରି ଆଣିବା ଉଚିତ ନୁହେଁ । ମନୁଷ୍ୟ ସମାଜର ସଭ୍ୟତା ଓ ସଂସ୍କୃତିର ଇତିହାସକୁ ଦିଗ୍‌ବିଜୟୀ ରାଜା ମହାରାଜାମାନେ ଗଢ଼ି ନାହାନ୍ତି । ଗଢ଼ିଛନ୍ତି ଏଇ ଖଟିଖିଆ ଦରିଦ୍ର ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ, ଯେଉଁମାନେ ପରସ୍ପର ସଙ୍ଗେ ମିତ ବସିଛନ୍ତି, ପରସ୍ପରର ସୁଖ ଦୁଃଖ ସଙ୍ଗେ ଭାଗୀଦାର ହୋଇଛନ୍ତି ଓ ନିଷ୍ଠୁର ଜୀବନ-ସଂଗ୍ରାମରେ ପରସ୍ପର ସଙ୍ଗେ ସହଯୋଗ କରିଛନ୍ତି । ଗୁମ୍ଫାସ୍ଵାମୀଙ୍କ ସ୍ତ୍ରୀ ପରିଶେଷରେ ନିଜର ସ୍ଵାମୀ ଓ ବନ୍ଧୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସର୍ବଶ୍ରେଷ୍ଠ ବାଣୀଟି ଶୁଣାଇ ଦେଇ କହିଲେ, ଆମେ ସ୍ତ୍ରୀଲୋକମାନେ ଯୁଗଯୁଗ ଧରି ଘର ତିଆରି କରି ଆସିଛୁ, ଘର ଭିତରେ ଚୁଲି ପକାଇ ରାନ୍ଧିବାଢ଼ି ଖୁଆଇ ପିଆଇ ତୁମମାନଙ୍କୁ ବଞ୍ଚାଇ ରଖି ଆସିଛୁ, ତୁମ ପିଲାମାନଙ୍କୁ ପାଳି ନାଳି ବଢ଼େଇ ଆସିଛୁ, ଆଉ ତୁମମାନଙ୍କୁ ଦେଇ ଆସିଛୁ ନିରାପତ୍ତା, ସ୍ୱାଚ୍ଛନ୍ଦ୍ୟ ଓ ବଞ୍ଚିବାର ସ୍ୱାଦ । ଆମ୍ଭେମାନେ ପରିବାର ଗଢ଼ୁଗଢ଼ୁ ସମାଜ ଗଢ଼ି ହୋଇ ଯାଇଛି । କିନ୍ତୁ ତୁମେ ପୁରୁଷମାନେ ଆପଣାର ଅହଂକାରୀ ପ୍ରମତ୍ତତାରେ ସବୁ କିଛିକୁ ଭାଙ୍ଗି ଆସିଛ । ଆପଣାର ଅହମିକାଗ୍ରସ୍ତ ଉଚ୍ଚାକାଂକ୍ଷାରେ ପରସ୍ପର ସହିତ ପ୍ରତିନ୍ଦ୍ୱନ୍ଦ୍ୱିତାମୟ ସଂଗ୍ରାମ କରି ପରିବାର ଓ ସମାଜମାନଙ୍କୁ ଧ୍ୱଂସ କରି ଆସିଛ ଏବଂ ସେହି ଭାଙ୍ଗିବାର ଇତିହାସକୁ ନେଇ ତୁମ୍ଭେମାନେ ଏତେ ଗର୍ବ କରୁଛ ? ଏଡ଼େ ନିର୍ଲ୍ଲଜ ତୁମ୍ଭେମାନେ ?

 

ବାସ୍‌ । ଏତିକିରେ ଦୁଇବନ୍ଧୁ ଯେପରି ଆପଣାର ଭୁଲ୍‍ ବୁଝି ପାରିଲେ, ଏବଂ ଲଜ୍ଜିତ ଓ ଅନୁଶୋଚିତ ଅନ୍ତରରେ ପରସ୍ପରକୁ ପୁଣି ଫେରି ପାଇଲେ । ଏହି ଗଳ୍ପଟିର ପରିବେଶ ହୁଏତ ସାମାଜିକ । ମାତ୍ର ଏହାର ପରିଣତିରେ ଯେଉଁ ‘‘ମେସେଜ୍‍’’ଟି ପ୍ରକାଶ ପାଇଛି, ତା’ର ଆବେଦନ ଏକ ସାର୍ବଜନୀନ ମାନବତାବୋଧକୁ ପାଠକର ଅନ୍ତରରେ ଜାଗରିତ କରି ଦେଉଛି । ଏବଂ ଏହା ମଧ୍ୟ ନିଶ୍ଚିତ କଥା ଯେ, ମଣିଷର ଏହି ଅନ୍ତର୍ନିହିତ ବ୍ୟକ୍ତିଗତ ଆତ୍ମୀୟଭାବଟି ସବୁ ସାମାଜିକ କୃତ୍ରିମ ପ୍ରତିବନ୍ଧୁକକୁ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ଧୂଳିସାତ୍‍ କରି ଦେଇଛି ।

 

ସେହିପରି ‘ପିମ୍ପୁଡ଼ି’ ଗଳ୍ପଟିରେ ସିଭିଲ୍‍ ସପ୍ଲାଇ ଅଫିସର କୋରାପୁଟର ଏକ ସୀମାଞ୍ଚଳରେ ଚାଉଳର ଚୋରାକାରବାର କରୁଥିବା ଲୋକମାନଙ୍କୁ ପଗ୍‌ଡ଼ିବାକୁ ଯାଇ ଦେଖିଛନ୍ତି, ଶହ ଶହ ଦରିଦ୍ର ଅନ୍ନକାଙ୍ଗାଳ ଲୋକ କେହି ଟୋକେଇରେ କେହି ବା ଛୋଟ ଛୋଟ ବ୍ୟାଗଟିମାନଙ୍କରେ କେହି ପୁଣି ଆପଣାର ଲୁଗା କାନିରେ ଚାଉଳ ମୁଠିଏ ମୁଠିଏ ଧରି କ୍ଷିପ୍ରଗତିରେ ଆଉ କୁଆଡ଼ିକି ନଚାହିଁ ରାଜ୍ୟର ସୀମା ଆର ପାରିକି ଦଉଡ଼ି ପଳାଉଛନ୍ତି । ଏପର୍ଯ୍ୟନ୍ତ ସିଭିଲ୍‍ସପ୍ଲାଇ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇ ଆପଣାର କର୍ତ୍ତବ୍ୟରେ ନିଷ୍ଠାପର ଭାବେ ରତ ଥିବା ବ୍ୟକ୍ତିଟି ଭିତରେ ହଠାତ୍‍ ଗୋଟାଏ ଆତ୍ମିକ ଆଲୋଡ଼ନ ସହସା ଘଟିଗଲା । ତାଙ୍କର ଅନ୍ତର୍ଦୃଷ୍ଟି ଉପରୁ ପରଦାଟି ହଠାତ୍‍ ଅପସରି ଯାନ୍ତେ ତାଙ୍କ ଦୃଷ୍ଟି ସମ୍ମୁଖରେ ପ୍ରସାରିତ ହୋଇଗଲା ଏକ ଅଲୌକିକ ଦୃଶ୍ୟ । ଗଣ୍ଡିଏ ଗଣ୍ଡିଏ ଚାଉଳ ଧରି ଦଉଡ଼ି ପଳାଉଥିବା କଳା କଳା ଲୋକଗୁଡ଼ିକ ତାଙ୍କର ମନେହେଲେ ଯେପରିକି ଖୁଦକଣାଗୁଡ଼ିଏ ମୁହଁରେ ଧରି ବିକଳରେ ଏକୁଟିଆ ବା ମନ୍ଦାମନ୍ଦା ହୋଇ ଦଉଡ଼ି ପଳାଉଥିବା ପିମ୍ପୁଡ଼ିଗୁଡ଼ିଏ । ସିଭିଲ୍‌ସପ୍ଲାଇ ଅଫିସରରୂପୀ ଆତ୍ମିକ ବ୍ୟକ୍ତିଟିର ଭାବାନ୍ତର ଜାତ ହୋଇଛି । ସେ ତାଙ୍କର ସରକାରୀ ଭୂମିକା ଓ କର୍ତ୍ତବ୍ୟ ଭୁଲି ଯାଇଛନ୍ତି । ପ୍ରଚଳିତ ସାମାଜିକ ବା ସରକାରୀ ଆଇନ୍‍ କାନୁନ୍‍ ତାଙ୍କୁ ମନେ ହୋଇଛି ଏକ ନୃଶଂସ ନିରର୍ଥକ ଶିଶୁସୁଲଭ ତତ୍ପରତା ଭଳି । ଅନ୍ୟ ଗଳ୍ପଗୁଡ଼ିକ ଭଳି ଏ ଗଳ୍ପ ପ୍ରୋଟାଗୋନିଷ୍ଟ ବା ମୁଖପାତ୍ର ଆପଣା ଆତ୍ମାର ଦିବ୍ୟ ଦୃଷ୍ଟିରେ ଦେଖିପାରିଛି ସାମ୍ପ୍ରତିକ ଅର୍ଥନୀତିର ବିକଟ ପରିସ୍ଥିତିରେ ମନୁଷ୍ୟର ଏକ ନିଦାରୁଣ ବିପର୍ଯ୍ୟୟ, ମଣିଷର ପିମ୍ପୁଡ଼ି ସ୍ଥିତିକୁ ଅସହାୟ ଅବତରଣ ।

 

ସେହିଭଳି ‘‘ଇତିହାସ’’ ଗଳ୍ପଟିକୁ ମଧ୍ୟ ଦେଖାଯାଉ । ରାଜଧାନୀରେ ଜାତିର ବିରାଟ ଇତିହାସ ପ୍ରଦର୍ଶନୀ ହେଉଛି । ବହୁ ବହୁ ବିଗତ ଶତାବ୍ଦୀର ବହୁ ବହୁ ଐତିହାସିକ ବସ୍ତୁର ପ୍ରଦର୍ଶନୀ-। ପୋଥି, ମୂର୍ତ୍ତି, ତାମ୍ରଫଳକ, ଏବଂ ନାନାବିଧ ପ୍ରତ୍ନତାତ୍ତ୍ୱିକ ସମ୍ଭାରର ପ୍ରଦର୍ଶନୀ-। ଏବଂ ତାକୁ ଦେଖିବାକୁ ଚାଲିଛନ୍ତି ଦର୍ପିଷ୍ଟ ଭଙ୍ଗୀରେ ପାହୁଲ ପକାଇ ସେଇ ସବୁ ଶ୍ରେଣୀର ଲୋକେ, ଯେଉଁମାନେ ବର୍ତ୍ତମାନର ଇତିହାସକୁ ଭାଙ୍ଗୁଛନ୍ତି ବା ଗଢ଼ୁଛନ୍ତି–ସେଇ ସବୁ ଶ୍ରେଣୀକ, ରାଣୁକ, ସନ୍ଧି-ବିଗ୍ରହକ, ମହାମାତ୍ୟ, ବୁଢ଼ାଲେଙ୍କା, ମାଣ୍ଡଳିକ, ଏବଂ ସେହି ପ୍ରାଚୀନ ପରମ୍ପରାରୁ କାଳୋପଯୋଗୀ ଅନୁକ୍ରମରେ ନବାବ୍‍, ସୁବେଦାର, ସିପାହୀ, ସଲାର, କାଜି, କଟ୍ୱାଳ, ଏବଂ ସେହିମାନେ ପୁଣି ଆଜି ଭିନ୍ନ ରୂପରେ ଚାଲିଛନ୍ତି–ମନ୍ତ୍ରୀ, ସେକ୍ରେଟାରୀ, କଲେକ୍ଟର, ଏସ୍‌ପି, ଆଇ.ଜି, ଏସ୍‌.ଡି.ଓ ସେମିତି ମଧ୍ୟ ଚାଲିଛନ୍ତି ବର୍ତ୍ତମାନର ଇତିହାସ ଛାତ୍ର, ଅଧ୍ୟାପକ, ଓ ଗବେଷକମାନେ । ମାତ୍ର ଗଦାଧର ପ୍ରଧାନ ଜଣେ ସାମାନ୍ୟ କିରାଣି । ସେ ବି ଆସିଛି ଇତିହାସରେ ପ୍ରଦର୍ଶନୀ ଦେଖିବାକୁ-। ସେ ଇତିହାସର ଛାତ୍ର ଥିଲା କେବେ । ମାତ୍ର କଠୋର ଜୀବନ ସଂଗ୍ରାମ ଭିତରେ ପଡ଼ି ସେ ହୁଏତ ବର୍ତ୍ତମାନ ଇତିହାସରେ ତଥାକଥିତ ଗବେଷଣା କରୁନାହିଁ । କିନ୍ତୁ ଗଦାଧର ହିଁ ସମସ୍ତଙ୍କ ଉପରେ ଇତିହାସକୁ ବୁଝିଛି, ଭଲ ପାଇଛି, ତା’ର କାବ୍ୟିକ ଚେତନାରେ ଇତିହାସ କେବଳ ପଢ଼ିବାର ନୁହେଁ, ଇତିହାସକୁ ନେଇ ବଞ୍ଚିବାକୁ ହୁଏ । ଇତିହାସ ବୁଦ୍ଧିଗମ୍ୟ ନୁହେଁ–ଅନୁଭବଗମ୍ୟ । ଇତିହାସର ଚେତନା ଭିତରେ ରହିଲେ ଅତୀତ ଓ ବର୍ତ୍ତମାନ ମିଶି ଏକାକାର ହୋଇଯାଏ । ଅହଂ–ସୀମିତ–ଚେତନା ବିସ୍ତାରିତ ଓ ବିସ୍ଫାରିତ ହୋଇଯାଏ । ସବୁପ୍ରକାର ଭେଦ ଘୁଞ୍ଚିଯାଏ । କିନ୍ତୁ ଏଇ ଚେତନା ଭିତରେ ଜୁଡ଼ୁବୁଡ଼ୁ ହୋଇ ଯାଇଥିବା ଗଦାଧର ପ୍ରଧାନର ହୃଦୟ ଭିତରେ କିଏ ଯେପରି ଚିତ୍କାର କରି ଉଠିଲା–‘‘କ’ଣ ନେଇ ଏ ଇତିହାସ ? ସେ କ’ଣ ରାଜା ରାଜୁଡ଼ାଙ୍କ କୀର୍ତ୍ତିର ଗାଥା-। ରାଜନୀତିର ଚେହେରା, ଭାରତ କମ୍ୟୁନିଷ୍ଟ ଥିଲା ନା ମୋନାରକିଷ୍ଟ ? ନା ମତର ରୂପ-? ତୁଣ୍ଡର କ୍ୟାଣ୍ଡର ? କିନ୍ତୁ ମଣିଷର ଉଠୁପଡ଼୍‍ ଜୀବନର ସ୍ପନ୍ଦନ ? ତା’ର ଦୀର୍ଘଶ୍ୱାସ ? ତା’ର ଅମେଣ୍ଟା ଆଶା-? ନିଛାଟିଆ ଘରେ ତକିଆ ଉପରେ ଲୁହଟୋପା ? କାହିଁ ତା’ର ଇତିହାସ ! ଗଦାଧର ପ୍ରଧାନ-! ଗଦାଧର ପ୍ରଧାନ ! କାହିଁ ତୋର ଇତିହାସରେ ? କାହିଁ ତୋର ପୂର୍ବଜନ୍ମର ଇତିହାସ ? ହିଡ଼ର ମାଟି, ଅନାବନା ଗୁଗୁଚିଆ, ଗୋଡ଼ଦଳା ଘାସ–କାହିଁ ତୋର ଇତିହାସରେ ? କାହିଁ ତୋର ଇତିହାସ ?

 

କିନ୍ତୁ ସେଇ ଇତିହାସର ପ୍ରଦର୍ଶନୀ ଭିତରେ ଗଦାଧର ପ୍ରଧାନ ତା’ର ନିଜର ଐତିହାସିକ ଆତ୍ମପରିଚୟ ପାଇଯାଇଛି । ସେ ବୁଝି ପାରିଛି ଯେ ସେ ନିଜେ ହେଉଛି ଇତିହାସର ଜଣେ ନଗଣ୍ୟ କାରିଗର, ସେ ସୁଖଦୁଃଖର ଜୀବନ ବଞ୍ଚି ପାଣିରେ ଗାରକାଟି ଲେଖିଯାଏ ନିଜ କାହାଣୀ, ପାଟିରେ ପାଣିଛାଟି ଇନ୍ଦ୍ରଧନୁ ଗଢ଼େ, ସିଝୁକ୍ଷୀରରେ ଫୁଙ୍କି ଫୁଙ୍କି ବୁଦ୍‌ବୁଦ୍‍ ଗଢ଼ି ଭସାଇଦିଏ ଆକାଶକୁ ଉଠିବ ବୋଲି ।

 

ସେହିଭଳି ଛାଇ ଆଲୁଅ, ନାଁ ମନେ ନାହିଁ, ନୀଳିମାର କବର, ଚା’ କପେ, ବୁଢ଼ାକବି ଏବଂ ଏପରିକି “ବିସ୍ମୃତି’’ ଭଳି ଆଦିବାସୀ ଜୀବନକୁ ନେଇ ଗଳ୍ପ ଭିତରେ ବି ଗୋପୀନାଥ ମଣିଷ ଜୀବନର ଏକ ନୂତନ ଚିତ୍ର ଓ ଏକ ନୂତନ ଅନୁଭବର କଥା କହିଛନ୍ତି । ମଣିଷ କେବଳ ସାମାଜିକ ନୁହେଁ, ତା’ର ସମସ୍ୟା କେବଳ ସମାଜକୃତ ନୁହେଁ, ଏବଂ ତା’ର ସବୁ ସମସ୍ୟାର ନିରାକରଣ ମଧ୍ୟ ସମାଜ ହାତରେ ନାହିଁ । ସେ ସବୁ ସମସ୍ୟା ତା’ ନିଜର । ସମ୍ପୂର୍ଣ୍ଣଭାବେ ତା’ ନିଜସ୍ଵ ଯନ୍ତ୍ରଣା ଭିତରେ ସେ ନିଜକୁ ବୁଝେ, ଅନୁଭବ କରେ, ଏବଂ ତା’ର ନିଃସଙ୍ଗତା ଭିତରୁ ସେ ନିଜେ ପାଏ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ବଳ ଆଉ ସାହସ ଏବଂ ଜୀବନକୁ ଆପଣା ବାଗରେ ବଞ୍ଚିବା ଲାଗି ଏକ ନୂତନ ଆଗ୍ରହ ବା ସରାଗ । ‘‘ନୀଳିମାର କବର’’ ଗଳ୍ପରେ ନୀଳିମା ଦେବୀ ଶିକ୍ଷା ବିଭାଗର ଜଣେ ବର୍ଷିୟସୀ ପଦସ୍ଥ ମହିଳା କର୍ମଚାରୀ । କିନ୍ତୁ ତାଙ୍କ ଜୀବନର ଦୁଃଖଟି ହେଲା ଯେ ସେ ଯାହାକୁ ଯୌବନରେ ପ୍ରେମ କରି ବିବାହ କରିବାକୁ ବସିଥିଲେ, ସେ ତାଙ୍କୁ ଠକି ଦେଲା ଓ ଅନ୍ୟଜଣଙ୍କୁ ବାହାହୋଇ ପଡ଼ିଲା । ଏବଂ ଏହି ବ୍ୟକ୍ତିଗତ ଦୁଃଖର ଅକଥନୀୟ ଯନ୍ତ୍ରଣାଟିକୁ ନୀଳିମାଦେବୀ ବୁଢ଼ୀ ହେବା ପର୍ଯ୍ୟନ୍ତ ବି ଅତ୍ୟନ୍ତ ସଂଗୋପନରେ ନିଜ ଭିତରେ ଭୋଗକରି ଚାଲିଛନ୍ତି । ମାତ୍ରଦିନେ ଗୋଟିଏ ମୁହୂର୍ତ୍ତରେ ନୀଳିମାଦେବୀ ନିଜହାତରେ ଏଇ ପ୍ରେମର କବର ଦେଇଥିଲେ ଏବଂ ତା’ ସହିତ ମଧ୍ୟ ସେ ନିଜର ସେହି ପ୍ରେମିକା ନୀଳିମାକୁ ମଧ୍ୟ କବର ଦେଇଦେଲେ । ଏହି କବର ଘେନିବା ବ୍ୟାପାରଟି ଶାରୀରିକ ନୁହେଁ । ଏଇ କବର ଭିତରେ ଥାଇ ମଧ୍ୟ ପ୍ରେମିକା ନୀଳିମା ବା କେବଳ ନୀଳିମା କେହି ସତକୁସତ ମରିନାହାନ୍ତି । କିନ୍ତୁ ଏକାନ୍ତ ବ୍ୟକ୍ତିଗତ ଯନ୍ତ୍ରଣାଟିକୁ ଆପେ ଆପେ ଆପଣା ଭିତରେ ଗଭୀର ଭାବରେ ଉପଲବ୍ଧି କରିବା ପାଇଁ, ପ୍ରଶାନ୍ତ ଭାବରେ ଉପଲବ୍ଧି କରିବାପାଇଁ, ସମାପ୍ତି ଭିତରେ ଉପଲବ୍ଧି କରିବାପାଇଁ ଏହିଭଳି ଏକ ଅନୁଭୂତିମୟ କବର ଭିତରେ ରହିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏଭଳି କ୍ଷେତ୍ରରେ ବ୍ୟର୍ଥତା-ବୋଧ ଭିତରେ ବି ମଣିଷର ଆତ୍ମପରିଚୟ ସହଜ ହୋଇଉଠେ ।

 

ସେମିତି ‘‘ଛାଇ ଆଲୁଅ’ ଗଳ୍ପରେ ବାହାହେବାକୁ ବରସାଜି ଆସିଥିବା ସୁସ୍ଥମସ୍ତିଷ୍କ ସେହି ଲୋକଟିର ହଠାତ୍‍ ମୁଣ୍ଡ ବିଗିଡ଼ିଗଲା କାହିଁକି ? ସେ ବେଦୀ ଉପରୁ ହଠାତ୍‍ ଉଠିଯାଇ ଗୋଟାଏ ଗଛ ଉପରେ ଚଢ଼ି ଦାର୍ଶନିକ ଭଳି ବ୍ୟବହାର କରୁ କରୁ ଅନ୍ୟମାନଙ୍କର ହାସପରିହାସର ପାତ୍ର ବା ଶେଷକୁ କରୁଣରସର ନାୟକ ହେଲା କାହିଁକି ? ତା’ର କାରଣ ବଡ଼ ସୂକ୍ଷ୍ମ । ଏଇ ପାଗଳାମୀ ପ୍ରଥମରୁ ଗଳ୍ପର ନାୟକ ଉପେନ୍ଦ୍ର ପକ୍ଷରେ ଥିଲା ଏକ ଅଦ୍ଭୁତ ମାନସିକ ବାସ୍ତବତା । କିନ୍ତୁ ତା’ ଚାରିପଟରେ ଏକ ତଥାକଥିତ ସୁସ୍ଥ ମାନସିକତାର ସମାଜ ଥିଲା । ଏବଂ ଏଇ ତଥାକଥିତ ସୁସ୍ଥ ମସ୍ତିଷ୍କ ସାମାଜିକମାନେ ସମସ୍ତେ ମିଶି ଉପେନ୍ଦ୍ରକୁ ଶେଷ ପର୍ଯ୍ୟନ୍ତ ସତକୁସତ ପାଗଳ କରିଦେଲେ-। କିନ୍ତୁ ସେଇ ପାଗଳ ଔରସରୁ ପୁଣି ଜନ୍ମହେଲା ପ୍ରତିଭାବାନ ପୁଅଟିଏ । କେମିତି ଏହା ସମ୍ଭବ ହେଲା ? ପ୍ରତିଭା ସଙ୍ଗେ ପାଗଳାମୀର ସୂକ୍ଷ୍ମ ସମ୍ପର୍କଟି କ’ଣ ? ପୁଣି ଅସାଧାରଣ ପ୍ରତିଭା ଓ ସାଧାରଣ ମଣିଷର ସାମାଜିକ ମାନସିକତା ଭିତରେ କେତେ ପ୍ରଭେଦ ? ଏ ଗଳ୍ପର ନାୟକ ପରି ଏ ଗଳ୍ପଟି ମଧ୍ୟ ତଦ୍ରୂପ ଏକ ଅସାଧାରଣ ଗଳ୍ପ । ସେଇ ପର୍ଯ୍ୟାୟକୁ ଆସିବ ମରଣ ପୂର୍ବରୁ ପ୍ରକୃତିଛଡ଼ା ହୋଇ ନିଜର ପୂର୍ବଅନୁସୃତ ପ୍ରକୃତିର ଠିକ୍‍ ବିପରୀତ ଆଚରଣ ଦେଖାଉଥିବା ଚକ୍ରପାଣି ନାମକ ବୃଦ୍ଧ ପଣ୍ଡିତ–ଚରିତ୍ରବାନ୍‌–ନୀତିବାନ୍‌ ।

 

‘‘ବୁଢ଼ା କବି’’ ଗଳ୍ପରେ ଦେଖନ୍ତୁ । ପ୍ରେମରେ ବିଡ଼ମ୍ୱିତା ହୋଇ ଆଜୀବନ କୁମାରୀ ହୋଇ ରହିଯାଇଥିବା ଝିଅଟିଏ ଓ ତା’ର ବୁଢ଼ା କବି ବାପାଟି । କି ଗଭୀର, ଦୀର୍ଘଶ୍ୱାସମୟ କରୁଣ, ଅଥଚ ନିରୁପାୟ ଏକାନ୍ତ ବ୍ୟକ୍ତିଗତ ସମସ୍ୟାଟିଏ ଛୋଟ ଆକାଶ ଖଣ୍ଡିଏ ବା ପୃଥିବୀ ଖଣ୍ଡିଏ ଭଳି ସେମାନଙ୍କ ଭିତରେ ସନ୍ତୁଳି ହେଉଛି ?

 

ଆଉ ଗୋଟିଏ ଭିନ୍ନ ସ୍ଵାଦର ଗଳ୍ପ ହେଉଛି ‘‘ସେ’’ । ‘‘ସେ’’ ଗଳ୍ପର ନାୟକ ସେ ନିଜେ । ସେ ଚିଲିକା ହ୍ରଦକୁ ଦେଖୁଛି ତା’ର ଭୌଗୋଳିକ ବିସ୍ତୃତି–ଦେଖୁଛି ତା’ର ପୌରାଣିକ ବିସ୍ତୃତି । ଦେଖୁଛି ପୁଣି ତା’ର ସ୍ଥାନକାଳରେ ଅତିକ୍ରାନ୍ତ ମୂଳ ସତ୍ତାଟିକୁ । ଚିଲିକା ତା’ର ବିଭିନ୍ନ ସମୟରେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରେ ଆବିର୍ଭୂତ ହେଉଛି । ଗଳ୍ପର ନାୟକ ‘‘ସେ’’ ମଧ୍ୟ ଚିଲିକାକୁ କେବଳ ବାହ୍ୟ ଆକ୍ଷିରେ ଦେଖୁ ନାହିଁ । ଦେଖୁଛି ତା’ର ଅନ୍ତର୍ଦୃଷ୍ଟିରେ, ତା’ର କାବ୍ୟ ଦୃଷ୍ଟିରେ, ଏବଂ ଚିଲିକା ହ୍ରଦ କେତେବେଳେ ତା’ର ବସ୍ତୁମୟ ରୂପ ପରିତ୍ୟାଗ କରି ଦର୍ଶକର ଚେତନାରେ ଏକା ବିଚିତ୍ର ଭାବମୟ ରୂପ ଧରି ପ୍ରତିଭାତ ହେଉଛି ଏବଂ ଦର୍ଶକ ମଧ୍ୟ ତା’ର ଉପସ୍ଥିତ ସ୍ଥୂଳ ସତ୍ତାଟିକ ଭୁଲିଯାଇଛି । ସେ ଚିଲିକାର ସୂକ୍ଷ୍ମ ସତ୍ତା ସଙ୍ଗେ ଏକୀଭୂତ ହୋଇଯାଇଛି । ଏହା ଗୋଟିଏ ଚେତନାପ୍ରବାହୀ ଗଳ୍ପ ।

 

ଏହିପରି ବହୁ ଗଳ୍ପରେ ଗୋପୀବାବୁ ମଣିଷର ଗଭୀର ମନସ୍ତାତ୍ତ୍ୱିକ ବ୍ୟକ୍ତିତ୍ଵ ଓ ଅନୁଭୂତିରେ ଛବି ଆଙ୍କିଛନ୍ତି । କିନ୍ତୁ ଆହୁରି ଅନେକ ଗଳ୍ପ ଅଛି, ଯୋଉଥିରେ ଗୋପୀବାବୁ ମନସ୍ତତ୍ତ୍ଵର ସୀମାକୁ ମଧ୍ୟ ଅତିକ୍ରମ କରି ଯାଇଛନ୍ତି । ମନୋଭୂମିର ଆହୁରି ଅଧିକ ଗଭୀରରୁ ମଣିଷର ଅନ୍ତରାତ୍ମାର ଉପଲବ୍ଧି କଥା କହିଛନ୍ତି । ଯେଡ଼େ କଠୋର ଓ କୁଟୀଳ ହୃଦୟର ଲୋକ ହେଉ ପଛେ, ଏକ ବିଶେଷ ଘଟଣାରେ ବା ପରିବେଶରେ କିମ୍ବା କିଛି ଗୋଟାଏ ଆକସ୍ମିକ ଅତିଭୌତିକ ବା ଅଲୋକିତ ଭବାବେଗର ସ୍ପର୍ଶ ମାତ୍ରେକେ ତା’ର ସୁପ୍ତ ଅନ୍ତରାତ୍ମା ଅଦ୍ଭୁତ ଭାବରେ ଜାଗି ଉଠେ । ଏବଂ ତା’ର ଏହି ଆତ୍ମଜାଗରଣ ଫଳରେ ସେଇ ମଣିଷଟିର ପୂର୍ବ ବ୍ୟକ୍ତିତ୍ୱ ହଠାତ୍‍ ଏକ ଅଭିନବ ରୂପାନ୍ତରିତ ବ୍ୟକ୍ତିତ୍ୱରେ ପରିଣତ ହୋଇଯାଏ । ଉଦାହରଣ ସ୍ଵରୂପ ‘ପାଳଭୂତ’ ଗଳ୍ପଟିକୁ ଦେଖନ୍ତୁ । ଫୁଲବାଣୀର ଜଙ୍ଗଲ ଭିତରେ ‘‘ଦୁର୍ଗାପଥର’’ ନାମରେ ଖ୍ୟାତ ହେଉଥିବା ଗୋଟିଏ ଢାଲୁ ପାହାଡ଼ ପାଖାପାଖି ଗୋଟିଏ ଲମ୍ବା ଶାଳଗଛ ଉପରେ କ୍ରମାନ୍ୱୟରେ ଆସି ବସୁଥିବା ଚାରୋଟିଯାକ ନିରୀହ ଧଳା ପାରାଙ୍କ ଅଦ୍ଭୁତ ଅହେତୁକ ଜଙ୍ଘାସାର ବଶବର୍ତ୍ତୀ ହୋଇ ବନ୍ଧୁକରେ ଲାଗ୍‌ଲାଗ୍‍ ଗୁଳିକରି ମାରିଦେଲା ପରେ ଯେତେବେଳେ ବିନା ଭ୍ରୂକ୍ଷେପରେ ପଞ୍ଚମ ପାରାଟି ଆସି ସେଠି ନିର୍ଭୟରେ ବସି ପଡ଼ିଲା, ସେତେବେଳେ ଜଙ୍ଗଲ ହାକିମ ଅଜୟର ବନ୍ଧୁକ ଆପଣାଛାଏଁ ଅଟକି ଗଲା । ଏବଂ ତା’ର ଅର୍ଦ୍ଦଳି ମାଝୀକନ୍ଧ ମୁହଁରୁ ସେ ଯାହା ଶୁଣିଲା–ସେଥିରେ ସେହି ଶାନ୍ତ ଅରଣ୍ୟ ପରିବେଶରେ ଅଜୟର ବଦ୍ଧଚେତନା ହଠାତ୍‍ ଜାଗି ଉଠିଲା । ଏକ ଅପୂର୍ବ ଅନୁତାପାନଳରେ ଦଗ୍ଧ ହୋଇ ଅଜୟର ଆତ୍ମିକ ବ୍ୟକ୍ତିତ୍ୱ ପୁଣି ତା’ ନିଜ ଆଗରେ ସୁନାପରି ଦାଉ ଦାଉ ହୋଇ ଝଟକି ଉଠିଲା ।...‘‘ତଥାପି ତା’ର ଲୁହ ଅଟକୁ ନ ଥିଲା । ତା’ ସଙ୍ଗେ ସଙ୍ଗେ ସେ ନାକରେ କିଛି ଗୋଟାଏ (ଅପୂର୍ବବାସନା) ବାରି ପାରୁଥିଲା । ଜାତି ଜାତି ବଣଫୁଲର ଆଉ ବାସନା ଘାସର ଚମ ଉପରେ ହାଲୁକା ପବନର ସ୍ପର୍ଶ ଅନୁଭବ କରି ପାରୁଥିଲା । ଜୀବନରେ କେତେକାଳପରେ ପହିଲିଥର...’’ କହିବା ବାହୁଲ୍ୟ ଯେ ଏହି ବାସନା ବାରିବା ଅନୁଭୂତିଟି ଇନ୍ଦ୍ରିୟଦତ୍ତ ନୁହେଁ । ଏହା ଏକ ଅତୀନ୍ଦ୍ରିୟ ଆତ୍ମିକ ଅନୁଭୂତି । ...‘‘ସେହି ଅଜଣା ଅନ୍ଧାରି ଅଗ୍ନାଗ୍ନି ବନସ୍ତ ଭିତରେ ଅନ୍ତତଃ ଜଣେ ମଣିଷର ଚେତନା ଭିତରେ ପଥର ପାଣି ହୋଇଗଲା । ମରଣ ହାରିଥିଲା । ଜୀବନ ଜିତି ଥିଲା । ଆଣବିକ ବୋମାଠାରୁ ବାଟୁଳିଖଡ଼ାଜାକେ ସବୁ ମାରଣାସ୍ତ୍ରକୁ ରଦ୍‍ କରି ଦେଇ ଫୁଟିଥିଲା ଶାନ୍ତିପ୍ରତିଷ୍ଠା ପାଇଁ କାତରତା । ରକ୍ତାକ୍ତ ଶବ ଚାରୋଟି ଯୋଉଠି ପଡ଼ିରହିଥିଲେ ସେଇଠି ।’’ ପ୍ରକାଶ ଥାଉକି, ଏକ ନିର୍ଜନ ନିଘଞ୍ଚ ଅରଣ୍ୟ ଭିତରେ ଜଣେ ମଣିଷର ଏହି ଆତ୍ମ-ବିଜୟ ଏବଂ ଆତ୍ମ-ପ୍ରାପ୍ତି ସାରା ମାନବଜାତି ପକ୍ଷରେ ଏକ ସମ୍ଭାବନାମୟ ବିଜୟ ।

 

ବର୍ତ୍ତମାନ ‘‘ପୋଳୁହକଟା’’ ଗଳ୍ପଟିକୁ ଦେଖନ୍ତୁ । ଭ୍ରାମ୍ୟମାଣ ବୈରାଗୀ ଟିକମ୍‍ ଦାସ ପ୍ରଚଳିତ ଅର୍ଥରେ ସନ୍ନ୍ୟାସୀ ନୁହନ୍ତି । କିମ୍ବା ପାରମ୍ପରିକ ରୀତିରେ ଯନ୍ତ୍ର ମନ୍ତ୍ର ତନ୍ତ୍ର ଯାଗଯଜ୍ଞ ତପ ଯୋଗ ସେ କରନ୍ତି ନାହିଁ । ସେ ଜୀବନବାଦୀ । ସମଗ୍ର ସୃଷ୍ଟି ପ୍ରତି ଏକ ଉଦାର ସ୍ନେହ ଓ ମଙ୍ଗଳ କାମନା ସହିତ ଜଣେ ଉଦାସୀ ଅଥଚ ରସମୟ ଆତ୍ମା । ସାରା ସୃଷ୍ଟିର ବୈଚିତ୍ର୍ୟ ଭିତରେ ସେହି ଏକ ପରମ ପୁରୁଷଙ୍କର ବିଚିତ୍ର ଲୀଳାଖେଳାକୁ ସେ କେବଳ ସାରାଜୀବନ ଦେଖି ଆସିଛନ୍ତି । ଏବଂ ସେଥିପାଇଁ ତୀର୍ଥରୁ ତୀର୍ଥାନ୍ତର ଘୂରି ଚାଲିଛନ୍ତି । ଜୀବନରେ ଥରେ ସେ ଘରଛାଡ଼ି ବାହାରି ଆସିଥିଲେ । ବର୍ତ୍ତମାନ ପୃଥିବୀର ସବୁଟି ସ୍ଥାନ ମନେ ହୋଇଛି ତାଙ୍କର ନିଜ ଘର । ଆପଣାର କୁଟୁମ୍ବଲୋକଙ୍କ ମାୟା କଟାଇ ଚାଲି ଆସିଲା ପରେ ବର୍ତ୍ତମାନ ସାର ପୃଥିବୀର ମାୟା ତାଙ୍କ ହୃଦୟକୁ ଜାବୁଡ଼ି ଧରିଛି । (ଏହା ବର୍ତ୍ତମାନ ‘‘ମାୟା’’ ନା ‘‘ଯୋଗମାୟା’’ ?) ସେଦିନ ଟିକମ୍‍ ଦାସ ନାଳକୂଳରେ ଠିଆହୋଇ ସାଧାରଣ ଲୋକଙ୍କ ମାଛଧରା ଦେଖୁଥିଲେ । ପୋଳୁହ ମଡ଼ାଇ ମାଛ ଧରୁଥିବା ଦୃଶ୍ୟ ଦେଖି ସେ ସେଠାରେ ଅଟକି ଯାଇଥିଲେ । ଜଣେ ବୈରାଗୀ ସନ୍ନ୍ୟାସୀଙ୍କୁ ମାଛଧରା ପାଖେ ଦେଖି ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରକାଶ କରୁଥିଲେ । କିନ୍ତୁ ଟିକମ୍‍ ଦାସ ସେହି ମାଛଧରା ଦୃଶ୍ୟ ଭିତରେ କଅଣ ପ୍ରତ୍ୟକ୍ଷ କରୁଥିଲେ ? ସତକୁସତ ତାଙ୍କର କି ଉପଲବ୍ଧି ହେଉଥିଲା ?

 

‘‘ଉଡ଼ନ୍ତାଖଇ’’ ଗଳ୍ପଟିର ବିଷୟବସ୍ତୁ ମଧ୍ୟ ସେମିତି ଘାଟନିକ ନୁହେଁ । ଏହି ଦୁର୍ବୋଧ୍ୟଲକ୍ଷ୍ୟ,ଘୋର ବେଗବନ୍ତ ବିଶ୍ୱବ୍ରହ୍ମାଣ୍ଡ–ଯାହାକୁ ଯେ କୌଣସି ଅସ୍ତବ୍ୟସ୍ତ ସହରର ଯେ କୌଣସି ଅସ୍ତବ୍ୟସ୍ତ ଷ୍ଟ୍ରିଟରେ ପ୍ରତ୍ୟକ୍ଷ କରିହୁଏ, ସେହି ଷ୍ଟ୍ରିଟ୍‌ର ଗୋଟିଏ ଜାଗାରେ ସ୍ଥିରଭାବେ ଠିଆହୋଇ ରହିଛି ଗଳ୍ପର ସଚେତନ ନାୟକ । ସେ କିଛି ଅଂଶରେ ମଧ୍ୟ ଜଣେ ପାଗଳ ମଣିଷ । ସେ ହଠାତ୍‍ ଅନୁଭବ କରୁଛି ଯେ ସେ ଭାରୀ ଏକୁଟିଆ, ସେ ବିଫଳ, ସେ ଆଶଙ୍କିତ–ଆଉ ସେ ଅନାତ୍ମୀୟ । ତା’ପରେ କିନ୍ତୁ ସେ ଧୀରେ ଧୀରେ ରାସ୍ତାର କଡ଼େ କଡ଼େ ଚାଲିଛି ଓ ବହୁ ନିରର୍ଥକ ଦୃଶ୍ୟ ପାର ହେଲାପରେ ଏକ ବିଶେଷ ମୁହୂର୍ତ୍ତରେ ଏକ ଶିବ ମନ୍ଦିର ପାଖେ ପହଞ୍ଚିଛି । ଏବଂ ସେହି ବିଶେଷ ମୁହୂର୍ତ୍ତଟିରେ ମନ୍ଦିର ପୃଷ୍ଠପଟରେ ଦୁଇଟି ନଡ଼ିଆ ଗଛ ସନ୍ଧିରେ ଉଦୀୟମାନ ଚନ୍ଦ୍ରକୁ ଦେଖିବା ମାତ୍ରେ ସେ ସେହି ଶିବ ମନ୍ଦିର ସହିତ ଚେତନାରେ ଏକୀଭୂତ ହୋଇ ଯାଇଛି । ତା’ପରେ ସେ ଅନୁଭବ କରିଛି ତା’ ଭିତରର ଏକ ଆନ୍ତରିକ ସ୍ଥିରତା ଓ ପ୍ରାଶାନ୍ତି ।

 

ଗୋପୀନାଥ ସମକାଳୀନ ସମାଜରେ ଘଟୁଥିବା ବହୁ ଘଟନାକୁ ନେଇ ବହୁ ବିଦ୍ରୂପାତ୍ମକ ଗଳ୍ପ ମଧ୍ୟ ଲେଖିଛନ୍ତି । ମାଟିଆ ବୁରୁଜ, ନ୍ୟାୟବଳଦ, ଜୟକୀଚକ, ଚିଲପୁରୀ, ଶାଳସୁନ୍ଦରୀ ଓ ମନର ନିଆଁ ପ୍ରଭୃତି ଗଳ୍ପରେ ଆଧୁନିକ ସାମାଜିକ ଜୀବନର, ବିଶେଷତଃ ନଗର ଜୀବନର ଘୋର ହତାଶାଜନକ ଛବି ଆଙ୍କିଛନ୍ତି ଗୋପୀନାଥ । କିନ୍ତୁ ସେହି ବିଦ୍ରୂପ ଭିତରେ ବି ମଣିଷ ପ୍ରତି ତା’ର ସମସ୍ୟା ଓ ସଙ୍କଟ ପ୍ରତି, ଏବଂ ଏପରିକି ତା’ର ପତନ ପ୍ରତି ବା ପାପ ପ୍ରତି ଗୋପୀବାବୁ ଗଭୀର ଭାବେ ସମ୍ବେଦନଶୀଳ । ମଣିଷର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବା ବେଳେ ତା’ର ଅନ୍ଧକାର ଦିଗ ପ୍ରତି ତାଙ୍କର ଅସହିଷ୍ଣୁତା ଯେପରି ତୀବ୍ର, ସେହି ଅନ୍ଧକାର ଭିତରୁ ମଣିଷ କିପରି ଶୀଘ୍ର ମୁକ୍ତି ପାଇବ, ସେଥିଲାଗି ମଧ୍ୟ ତାଙ୍କର ସେମିତି ରହିଛି ତୀବ୍ର ଆକୃତି । ଗୋପୀନାଥ ବିଦ୍ରୂପ କରନ୍ତୁ ବା କେଉଁ କେଉଁ ସ୍ଥାନରେ ହା ହା କାର କରନ୍ତି, ସହାନୁଭୂତି ଦେଖାନ୍ତୁ ବା କେଉଁ କେଉଁ ସ୍ଥାନରେ ଭର୍ତ୍ସନା କରନ୍ତୁ–ଅବା କୌତୁକ କରୁଥାନ୍ତୁ–ସବୁଠାରେ ସେ ଘଟଣା ଓ ଚରିତ୍ରଗୁଡ଼ିକ ସହିତ ଘନିଷ୍ଠ ଭାବେ ସଂଶ୍ଳିଷ୍ଟ । ତାଙ୍କ ଗଳ୍ପଗୁଡ଼ିକରେ ନିହିତ ସମସ୍ୟାଟି ସତେକି ତାଙ୍କ ନିଜର ! ତା’ର ଦାୟିତ୍ୱଟି ସତେକି ତାଙ୍କର ମୁଣ୍ଡରେ କିଏ ଲଦି ଦେଇଛି ! ତେଣୁ ତାଙ୍କର ସବୁଟି ଗଳ୍ପରେ ସେ ନିଜେ ଉପସ୍ଥିତ ରହନ୍ତି, ସବୁ ଗଳ୍ପରେ ଆମେ ରକ୍ତମାଂସର ଗୋପୀନାଥଙ୍କୁ ଦେଖିବାକୁ ପାଉଁ । ତାଙ୍କ ଉଚ୍ଚକିତ, ବଳିଷ୍ଠ ଓ ସମ୍ପୃକ୍ତ ସ୍ୱର ଶୁଣିବାକୁ ପାଉଁ । ତାଙ୍କ ପରବର୍ତ୍ତୀ ଅନ୍ୟତମ ବିଶିଷ୍ଟ ଗାଳ୍ପିକ ଦ୍ୱୟ କିଶୋରୀ ଚରଣ ଓ ମନୋଜ ଦାସଙ୍କ ପରି ସେ ନିଜର ବିଷୟବସ୍ତୁଠାରୁ ଦୂରଛଡ଼ା ହୋଇ ରହନ୍ତି ନାହିଁ । ତାଙ୍କର ଯେ କୌଣସି ଗଳ୍ପ ପଢ଼ିଲା ବେଳେ ମନେହୁଏ–ଗୋପୀବାବୁ ତାଙ୍କ ଚରିତ୍ରମାନଙ୍କ ସହିତ ନିଜେ ଉପସ୍ଥିତ ହୋଇ ସେମାନଙ୍କ ସହିତ ଯୁକ୍ତି କରୁଛନ୍ତି–କଳି କରୁଛନ୍ତି–ବିଶ୍ଳେଷଣ କରୁଛନ୍ତି–ବୁଝାଉଛନ୍ତି–ସହାନୁଭୂତି ଦେଖାଉଛନ୍ତି–କୌତୁକ କରୁଛନ୍ତି–ଭର୍ତ୍ସନା କରୁଛନ୍ତି–ଅଥବା ପ୍ରଶଂସାବାଦ ଅଜାଡ଼ି ଦେଉଛନ୍ତି ।

 

ବହୁଗଳ୍ପର ଲେଖକ ଗୋପୀନାଥ । ବହୁବିଧ ଗଳ୍ପର ବହୁ ବିଚିତ୍ର ଥିମ୍‍ ଆଉ ତାଙ୍କର ସବୁଠାରୁ ଆକର୍ଷଣୀୟ ହେଲା ସେହି ପ୍ରାଣବନ୍ତ ଅଥଚ ମନୋମୟଭାଷାର ଅଭିଭୂତ କରିବା ଗୁଣଟି–ଯାହା ପ୍ରଥମେ ପାଠକର ମନରେ ଭାବକେନ୍ଦ୍ରକୁ ସ୍ପର୍ଶକରି କବିତାର ସ୍ପନ୍ଦନ ସୃଷ୍ଟି କରେ । ଉଦାହରଣ ଦେଖନ୍ତୁ ‘ପାଳଭୂତ’ ଗଳ୍ପରୁ–

 

ଶାଳଗଛ ଉପରେ ଧଳା ବର୍ଣ୍ଣର ନିରୀହ ସୁସ୍ଥ ପାରାଟିକୁ ଦେଖି ସ୍ଥୂଳବୁଦ୍ଧି ଓ ଘୋର ସଂସାରବଦ୍ଧ ଅଜୟର ମନଭିତରେ ତାକୁ ମାରିବାର ଏକ ପ୍ରଚଣ୍ଡ ହିଂସାଭାବ କେମିତି ମେଘ ଭଳି ଘୋଟି ଆସୁଛି ତା’ର ବର୍ଣ୍ଣନା ଶୈଳୀଟିକୁ ଦେଖନ୍ତୁ, ଦେଖନ୍ତୁ ମଧ୍ୟ ତା’ର ମନସ୍ତାତ୍ତ୍ୱିକ କ୍ରମଟିକୁ ।

 

‘‘ତା’ ଦେହକୁ ଥରେଇ ତତେଇ ଅସ୍ଥିର କଲା ଗୋଟାଏ ଅରଣା ପ୍ରଭୃତ୍ତି; ସତେ ଯେପରି ତା’ଠାରେ କାମ ରିପୁର ତାଡ଼ନା, ଗୋଟାଏ ଅଣ୍ଡିରା ଘୁଷୁରି ଯେପରି ହଠାତ୍‍ ତାତି ଯାଇଛି–ଆଉ ଅସ୍ଥିର ହେଉଛି–ସେମିତି ତା’ର ମୋଟାଳିଆ ଗୋଟାଳିଆ ମେଦ ବହୁଳ ଦେହ ଉଲୁସି ଉଲୁସି ଉଠିଲା । ବଦଳି ଯାଇ ହେଲା କ୍ରୋଧ । ଗଛ ଉପରେ ଥିବା ନିରୀହ ଧଳା ପାରାଟା ଯେମିତି କେଉଁ ବିଚିତ୍ର ପ୍ରକାରେ ତା’ର ସ୍ନାୟୁଗୁଡ଼ାକୁ ଆକ୍ରମଣ କରୁଛି–ମୋଡ଼ିମାଡ଼ି ପକାଉଛି–ମୁଣ୍ଡ ଭିତରେ ରଟ୍‌ରାଟ୍‍ ଛିଡ଼ି ଯାଉଛି କ’ଣ ସବୁ ରଟ୍‌ରାଟ୍‍ ସୂତା ! ଆଃ କି ବିଶ୍ୱାସ ! କି ଶାନ୍ତି ! କି ନିର୍ଭୟ ଆଶ୍ଵାସ-! କି ନିଷ୍ପାପ ନିରୀହତା ! ରୁଗୁ ରୁଗୁ ନାହିଁ–ଗଲୁଗଲୁ ନାହିଁ–ତରତର ହୁରୁହୁରୁ ନାହିଁ–କେଉଁଠି କିଛି ଜଟିଳତା ନାହିଁ–ଗୋଟାଏ ସରଳ, ସହଜ, ସୁସ୍ଥିର ପ୍ରକାଶ । ...ଅଜୟର ମୁହଁ ଆଖିରେ ଫୁଟି ଉଠିଲା କ୍ରୂରତାର ଠାଣି–ସେ ବନ୍ଧୁକ ଟେକିଲା । ମାଝି ଅଧା ଆଁ କରି ତା’ ଆଡ଼ୁ ପାରା ଆଡ଼କୁ ଅନାଇ ରହିଲା–‘‘ଢୁ” । ବେକଭଙ୍ଗା ପକ୍ଷୀଲଗା ପଳେ ମାଉଁସ ଲହୁ ଲୁହାଣ ହୋଇ ଉପରୁ ତଳକୁ ଝଡ଼ି ପଡ଼ିଲା’’ ।

 

ସେହି ଗଳ୍ପଟି ଭିତରୁ ଆଉ ଗୋଟିଏ ଉଦାହରଣ ଦେଖନ୍ତୁ । ଆଦିବାସୀ ମାଝିଟି ତାଙ୍କର ଉଚ୍ଚଶିକ୍ଷିତ ହାକିମଙ୍କୁ ଧର୍ମକଥା କହି ଭର୍ତ୍ସନା କରୁଛି ତା’ର ସ୍ଵତନ୍ତ୍ର ରହସ୍ୟମୟୀ ଉଷାରେ, ତା’ର ମହାମାୟା ଦୁର୍ଗାଙ୍କ ସମ୍ବନ୍ଧେ ଧାରଣା–

 

‘‘ଆଉ ୟେ ମା’ଟା ତ ସେମିତିଟା; ବାଳୁତ ପିଲାଟିପରି ଖେଳରେ ମାତିଥିବ । ନଇଲେ ବୋହୂଟିଏ ପରି ବସି କ୍ଷୀର ଖୋଉଥିବ–ଆଉ ରାଗିଗଲେ କଳା ପଡ଼ିଯିବ । ତା’ର ଲହ ଲହ ଜିଭ ବାହାରି ପଡ଼ିବ । ପାଟିରୁ ବାହାରିବ ନିଆଁ; ଆଉ ରଖେ କିଏ ? ମୁହୂର୍ତ୍ତକେ ପ୍ରଳୟ ଲଗେଇ ଦେବ-। ଜାଣି ନ ଜାଣି ଦୋଷ୍‍ କଲୁ ବାବୁ; ତା’ର ପୋ’ ପୁତ୍ର ଚାରିଟାକୁ ଗୁଳି କଲୁ, ମାରିଲୁ-। ତା’ର ଝୋଡ଼ି କୋଳିଖିଆ ଦୁଦ୍‍ଖିଆ ପିଲାକୁ ମାରି; ପାପ୍‍ କଲୁ ଦୋଷ୍‍ କଲୁ, ବାତି ମାଙ୍ଗିଲେ ହେଲେ ସେ ଅପିବ କି ନାଇଁକି; ନଇଲେ ସେ ମୁଣ୍ଡ ବଦଳରେ–’’ ।

 

ପରିସ୍ଥିତି, ଅନୁଷ୍ଠାନ, ପରିବେଶ, ଓ ବ୍ୟକ୍ତିର ଆକୃତି ବର୍ଣ୍ଣନ କରିବାରେ ଗୋପୀନାଥଙ୍କ ଭାଷା ଓ ଶୈଳୀ ଅତୁଳନୀୟ । ସେ ଯୋଉ ଦକ୍ଷତାର ସହିତ ଗୋଟିଏ ଅରଣ୍ୟକ ବା ପାର୍ବତୀୟ ପରିବେଶକୁ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରି ପାରନ୍ତି, ସେହି ସମାନ ଦକ୍ଷତା ସହିତ ସେ । ଗୋଟିଏ ଅତ୍ୟାଧୁନିକ ଅତି ଜଟିଳ ବ୍ୟବସାୟିକ ପ୍ରତିଷ୍ଠାନଟିର ଜଟିଳ ପରିବେଶକୁ ନିଖୁଣ ଭାବେ ବର୍ଣ୍ଣନା କରି ପାରନ୍ତି । ତାଙ୍କର ‘ପାଳଭୂତ’ ଓ ‘ଶାଳସୁନ୍ଦରୀ’ ଗଳ୍ପ ଦୁଇଟିର ରଚନା ଶୈଳୀକୁ ଅନୁଧ୍ୟାନ କଲେ ଏହାର ସତ୍ୟତା ବୁଝିହେବ ।

 

ଏହିପରି ଭାବେ ବିଶ୍ଳେଷଣ କରି ଗୋପୀନାଥଙ୍କ ଗଳ୍ପଗୁଡ଼ିକ ଭିତରୁ ତାଙ୍କର ବିଭିନ୍ନ ବିଶେଷତ୍ୱ ଦେଖାଇବା ଲାଗି ଆହୁରି ବେଶୀ ପରିସର ଆବଶ୍ୟକ । ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା କହି ପ୍ରବନ୍ଧଟିକୁ ଉପସଂହାର ଆଡ଼କୁ ମୁହାଁଇ ନେଉଛି । ଗୋପୀନାଥ ମହାନ୍ତି ଗଳ୍ପ ଓ ଉପନ୍ୟାସ ଉଭୟରେ ସବ୍ୟସାଚୀ, କିନ୍ତୁ ଗୋଟିଏ ଦୃଷ୍ଟିରୁ ଦେଖିଲେ ଆମେ କହି ପାରିବା ଯେ ତାଙ୍କର ଉପନ୍ୟାସଗୁଡ଼ିକରେ ସେ ସାମାଜିକ ସମସ୍ୟା ଓ ସାମାଜିକ ମଣିଷ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ବେଳେ ଗଳ୍ପଗୁଡ଼ିକରେ ବ୍ୟକ୍ତି ମଣିଷ ଓ ତା’ର ବ୍ୟକ୍ତିଗତ ସମସ୍ୟା ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଅବଶ୍ୟ ‘ରହୁର ଛାୟା’,...‘ଲୟବିଲୟ’, ‘ଆକାଶ ସୁନ୍ଦରୀ’ ଆଦି ଉପନ୍ୟାସଗୁଡ଼ିକ ନିଜ ନିଜ ଢଙ୍ଗରେ ବ୍ୟକ୍ତିକୈନ୍ଦ୍ରିକ ଉପନ୍ୟାସ । ଏଥିଲାଗି କ୍ଷୁଦ୍ର ଓ ବୃହତ୍‍ ଗଳ୍ପଗୁଡ଼ିକରେ ତାଙ୍କର ଜୀବନର ଅନୁଭୂତି ଓ ଉପଲବ୍ଧିଗୁଡ଼ିକ ଅଧିକ ତୀକ୍ଷ୍‌ଣ ଓ ଗଭୀର ।

 

ପ୍ରଶ୍ନ ଉଠିପାରେ ଓଡ଼ିଆ କଥାସାହିତ୍ୟରେ ଏତେ ବଡ଼ ବିପୁଳ ସାଧନା ଓ ସିଦ୍ଧିର ଅଧିକାରୀ ଏବଂ ଆଧୁନିକ ବ୍ୟକ୍ତିବାଦୀ ଚେତନାର ପ୍ରବର୍ତ୍ତକ ଗୋପୀନାଥଙ୍କର କୌଣସି ପ୍ରଭାବ ତାଙ୍କର ପରବର୍ତ୍ତୀ ଗାଳ୍ପିକମାନଙ୍କ ଉପରେ ପଡ଼ିଛି କି ନାହିଁ ? ଯଦି ପଡ଼ିଛି–ତେବେ କିପରି ଓ କେତେଦୂର ପଡ଼ିଛି ? ଏ ସମ୍ବନ୍ଧେ ଆଲୋଚନା ଖୁବ୍‍ ସୂକ୍ଷ୍ମ ଭାବରେ ହେବା ଚାହି । ଆମେ ଦେଖିବା, ଫକୀରମୋହନଙ୍କ ପ୍ରଭାବ ସେପରି ବ୍ୟାପକ ଓ ସ୍ପଷ୍ଟ ଭାବେ ତାଙ୍କର ପରିବର୍ତ୍ତୀ କଥାକାରମାନଙ୍କ ଉପରେ ପଡ଼ିଥିଲା, ଗୋପୀନାଥଙ୍କ ପ୍ରଭାବ ତାଙ୍କ ପରବର୍ତ୍ତୀମାନଙ୍କ ଲେଖାରେ ସେତେଦୂର ପଡ଼ିନାହିଁ । ଏଠି ଆଉ ଗୋଟିଏ କଥା ମଧ୍ୟ ଭାବିବାର ଅଛି–ତା’ ହେଲା ଗୋପୀନାଥଙ୍କ ସାମାଜିକ ଉପନ୍ୟାସଗୁଡ଼ିକ ଉପରେ ମଧ୍ୟ ଫକୀରମୋହନଙ୍କର ଅଦୃଶ୍ୟ ପ୍ରଭାବ ତାଙ୍କ ଅଲକ୍ଷ୍ୟରେ ପଡ଼ିଛି । ପରଜା, ଅମୃତର ସନ୍ତାନ ଓ ଏପରିକି ମାଟିମଟାଳ ଆଦି ଉପନ୍ୟାସଗୁଡ଼ିକରେ ଚରିତ୍ର ଚିତ୍ରଣ ବ୍ୟାପାରଟି ସମ୍ପୂର୍ଣ୍ଣଭାବେ ଫକୀରମୋହନୀୟ । ଫକୀରମୋହନ ଯେପରି ଭଲ ମଣିଷ ଓ ଖରାପ ମଣିଷ–ଏଇ ଭାବେ ମଣିଷକୁ ସିଧା ଦୁଇ ଭାବରେ ବିଭକ୍ତ କରିଛନ୍ତି–ଗୋପୀନାଥଙ୍କ ବିଚାର ମଧ୍ୟ ତଦ୍ରୂପ । ଚରିତ୍ର ଚିତ୍ରଣରେ ଗୋପୀନାଥଙ୍କର ନୂଆ ଦୃଷ୍ଟିକୋଣ କିଛି ନାହିଁ–ଆଦୌ ନାହିଁ । ଫକୀରମୋହନଙ୍କ ରାମଚନ୍ଦ୍ର ମଙ୍ଗରାଜର ଡୁମା ସତେକି ଗୋପୀନାଥଙ୍କ ରାମଚନ୍ଦ୍ର ସାହୁକାର ଭିତରେ ପଶି ଦୁଷ୍ଟ-ମଣିଷର କାଣ୍ଡକାରଖାନା କରି ଚାଲିଛି । କିନ୍ତୁ ଫକୀରମୋହନଙ୍କ ରାମଚନ୍ଦ୍ର ମଙ୍ଗରାଜ ନିଜର ପାପ ପାଇଁ ଶେଷରେ ଘୋର ଅନୁତାପାନଳରେ ଦଗ୍ଧ ହୋଇଛି । ମାସ ଗୋପୀନାଥ ତାଙ୍କର ରାମଚନ୍ଦ୍ର ସାହୁକାର ପ୍ରତି ଆହୁରି ନିର୍ଦ୍ଦୟ ଏବଂ ଦାୟିତ୍ୱହୀନ । ଏହି ଭାବରେ ବି ସବୁ ଚରିତ୍ର କେବଳ ସେମାନଙ୍କର ବାହ୍ୟକ୍ରିୟାକଳାପ ଦ୍ୱାରା ଚିହ୍ନିତ ହୋଇଛନ୍ତି । ବର୍ଣ୍ଣନା ଓ କଥନଶୈଳୀ ମଧ୍ୟ ସେହିପରି ଯଥାଯଥ ଏବଂ ବାହ୍ୟ ଘଟଣା ପ୍ରବାହର ଗତି ଉପରେହିଁ ପର୍ଯ୍ୟବସିତ । ଅବଶ୍ୟ ଗୋପୀନାଥଙ୍କ ଭାଷାଶୈଳୀ ଅଧିକ ସୁକୁମାର, କାବ୍ୟଧ, ଓ ଧୀରପଦୀ । ଏପରି ହେବା ଅବଶ୍ୟମ୍ଭାବୀ । କାରଣ ସାମାଜିକ ଗଳ୍ପଉପନ୍ୟାସର ଫର୍ମା ଗୋଟାଏ ହେବାକୁ ବାଧ୍ୟ । ତାହା ବିଷୟବସ୍ତୁକୁ ନେଇ ହେଉ ବା ରଚନାଶୈଳୀକୁ ନେଇ ହେଉ । କିନ୍ତୁ ବ୍ୟକ୍ତି-ଚେତନା ଆଧାରିତ ଗଳ୍ପଉପନ୍ୟାସ ଲାଗି କୌଣସି ନିର୍ଦ୍ଦିଷ୍ଟ ଫର୍ମା ନାହିଁ–ପଦ୍ଧତି ନାହିଁ–ଭାଷାଶୈଳୀ ମଧ୍ୟ ନାହିଁ । ବ୍ୟକ୍ତି ଯେପରି ଅନ୍ୟଠାରୁ ସ୍ୱତନ୍ତ୍ର ଓ ବଚିତ୍ର–ତା’ର ସମସ୍ୟା ବା ବିଷୟ ମଧ୍ୟ ସେମିତି ଅନ୍ୟ ବ୍ୟକ୍ତିର ସମସ୍ୟା ବା ବିଷୟଠାରୁ ସ୍ୱତନ୍ତ୍ର ଓ ବିଶିଷ୍ଟ । ଏବଂ ସେ ସବୁକୁ ନେଇ ଯେଉଁ ଗଳ୍ପ, ଉପନ୍ୟାସ ଲେଖାହେବ, ତାହା ମଧ୍ୟ ସେମିତି ସ୍ୱତନ୍ତ୍ର ଓ ଅଭିନବ ହେବାକୁ ବାଧ୍ୟ । ଏବଂ ବିଷୟବସ୍ତୁ ଓ ରଚନାଶୈଳୀରେ ଏହି ଅଭିନବତ୍ୱ, ବୈଚିତ୍ର୍ୟ ଓ ସ୍ଵାତନ୍ତ୍ର୍ୟ ହିଁ ବ୍ୟକ୍ତି-ଚେତନାଶ୍ରୟୀ ଗଳ୍ପଗୁଡ଼ିକର ସୌନ୍ଦର୍ଯ୍ୟ, ଚମତ୍କାରିତା ଓ ବିଶେଷତ୍ଵ ।

 

ବ୍ୟକ୍ତିଚେତନାଶ୍ରୟୀ ଗଳ୍ପଗୁଡ଼ିକର ରଚନାଶୈଳୀରେ ଏହି ସ୍ଵାତନ୍ତ୍ର୍ୟ ଅବଶ୍ୟମ୍ଭାବୀ ହେବା ହେତୁ, ଗୋପୀନାଥଙ୍କ ସାମାଜିକ ଗଳ୍ପ-ଉପନ୍ୟାସର ଭାଷାଶୈଳୀ ଯେମିତି ତାଙ୍କ ଗଳ୍ପଗୁଡ଼ିକରେ ତାଙ୍କ ନିଜଦ୍ୱାରା ଅନୁକୃତ ହୋଇନାହିଁ, ସେମିତି ମଧ୍ୟ ଗୋପୀନାଥଙ୍କର ଗଳ୍ପରଚନାର ଶୈଳୀକୁ ତାଙ୍କର ପରବର୍ତ୍ତୀ ବିଶିଷ୍ଟ ଗାଳ୍ପିକମାନେ କେହି ପ୍ରତ୍ୟକ୍ଷ ଭାବେ ଅନୁସରଣ କରିନାହାନ୍ତି । ଏପରିକି ତାଙ୍କର ବଳିଷ୍ଠ ପ୍ରଭାବଠାରୁ ଜାଣି ଜାଣି ନିଜକୁ ଦୂରେଇ ରଖିଛନ୍ତି । ବହୁ ଓ ବହୁବିଧ ଗଳ୍ପର ଲେଖକ ସୁରେନ୍ଦ୍ର ମହାନ୍ତି । ତାଙ୍କର ଐତିହାସିକ; ପୌରାଣିକ, ସାମାଜିକ ଓ ବ୍ୟକ୍ତବାଦୀ ଗଳ୍ପଗୁଡ଼ିକ ଲେଖିଛନ୍ତି ସେ ତାଙ୍କର ନିଜସ୍ୱ ଭାଷାଶୈଳୀରେ । ସେହିପରି ମଧ୍ୟ ବାମାଚରଣ ମିତ୍ର, ମନୋଜ ଦାସ, କୃଷ୍ଣପ୍ରସାଦ ମିଶ୍ର ଓ ମହାପାତ୍ର ନୀଳମଣି ପ୍ରଭୃତି କେହି ଗୋପୀନାଥଙ୍କ ଭାଷାଶୈଳୀ ବା ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି । କିନ୍ତୁ ଆଧୁନିକ କଥାସାହିତ୍ୟର ତିନିଜଣ ଉଜ୍ଜ୍ୱଳ ତାରକା–ଯଥା କିଶୋରୀଚରଣ ଦାସ, ଶାନ୍ତନୁ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ରଥଙ୍କ ଗଳ୍ପଗୁଡ଼ିକ ପାଠ କଲାବେଳେ, ପାଠକର ଅନିଚ୍ଛାସତ୍ତ୍ୱେ....ଗୋପୀନାଥଙ୍କର ଖୁବ୍‍ ଅସ୍ପଷ୍ଟ ଛାୟାମୂର୍ତ୍ତି ମନଭିତରକୁ ହଠାତ୍‍ ପଶିଆସି ହଠାତ୍‍ ପୁଣି ଚାଲିଯାଏ ! କାହିଁକି ଏପରି ଘଟେ ? ଏମାନେ କ’ଣ ଗଳ୍ପ ସାହିତ୍ୟ ସାଧନା-କ୍ଷେତ୍ରରେ ଗୋପୀନାଥଙ୍କର ଉତ୍ତର ସାଧକ ? ଏମାନେ କ’ଣ ଗୋପୀନାଥଙ୍କ ପରମ୍ପରାର ରକ୍ଷାକାରୀ ? କେତେକ ଦୃଷ୍ଟିରୁ ଏହାର ଉତ୍ତର ‘‘ହଁ’’ ଓ କେତେକ ଦୃଷ୍ଟିରୁ ‘‘ନା’’ । ଯେଉଁ ଦିଗରୁ ଆମେ ଏ ତିନିଜଣଙ୍କୁ ଗୋପୀନାଥଙ୍କ ସଙ୍ଗେ ସମ୍ପୃକ୍ତ କରିବା–ତାହାହେଲା ଗଳ୍ପରଚନାରେ ବଶ୍ଳେଷଣାତ୍ମକ ମନୋମୟ ଭାଷାଶୈଳୀର ବ୍ୟବହାର ଓ ଭାଷାର କାବ୍ୟଗୁଣ ସମ୍ପାଦନ । ଏ ଦୃଷ୍ଟିରୁ କିଶୋରୀଚରଣ ଗୋପୀନାଥଙ୍କ ଭାଷାଶୈଳୀର ଅଧିକ ନିକଟବର୍ତ୍ତୀ । ଯଦିଓ କିଶୋରୀରଣଙ୍କ ଭାଷା ଗୋପୀନାଥଙ୍କ ଭାଷା ଅପେକ୍ଷା ଅଧିକ ସଞ୍ଜତ, କବିତ୍ୱମୟ, ଅଧିକ ସୁକୁମାର ଓ ଅଧିକଭାବେ ଘନପିନଦ୍ଧ ଓ ଗଭୀର ଗମ୍ଭୀର । ଶାନ୍ତନୁ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ରଥ ସେମାନଙ୍କ ଗଳ୍ପଗୁଡ଼ିକରେ ଗୋପୀନାଥବାବୁଙ୍କ ପରି ବହୁଭାବରେ ଗ୍ରାମ୍ୟ ପ୍ରାକୃତ ଭାଷାର ପ୍ରୟୋଗ କରିଛନ୍ତି । ତା’ହେଲେ ବି ସେମାନଙ୍କ ଭାଷାଶୈଳୀ ଗୋପୀବାବୁଙ୍କ ଭାଷାଶୈଳୀଠାରୁ ଅଧିକ ଚିତ୍ରମୟ, କ୍ରିୟାପ୍ରକାଶକ, ଆବେଗଧର୍ମୀ, ପ୍ରାଣବନ୍ତ ଓ ସୂକ୍ଷ୍ମସ୍ପନ୍ଦନରେ ଧ୍ୱନ୍ୟାତ୍ମକ, ସେହିପରି ମଧ୍ୟ ବିଶେଷଭାବେ ଭାବ ଭାବନାତ୍ମକ ।

 

କିନ୍ତୁ, ଯୋଉ ଦୃଷ୍ଟିର ଆମେ ଏହି ତିନିଜଣଙ୍କୁ ଗୋପୀନାଥଙ୍କଠାରୁ ଅଧିକଭାବେ ପୃଥକ୍‍ ବୋଲି କହିବା, ତାହାହେଲା ଏମାନେ ଗୋପୀନାଥଙ୍କ ଅପେକ୍ଷା ବ୍ୟକ୍ତିକୁ ଆହୁରି ଗଭୀର ଭାବରେ ଦେଖିଛନ୍ତି । ବ୍ୟକ୍ତିସତ୍ତାର ଆହୁରି ଗଭୀରତର ସ୍ତରର ରହସ୍ୟ ଉଦ୍‌ଘାଟନ କରିଛନ୍ତି । ବ୍ୟକ୍ତିର ‘‘ଅହଂ’’ ସତ୍ତାର ଊର୍ଦ୍ଧ୍ୱରେ ଯେଉଁ ଚୈତ୍ୟସତ୍ତା ରହିଛି, ତାରି ଉପଲବ୍ଧିର କଥା କହନ୍ତି । ବା ସେହି ପାଖାପାଖି ଅନୁଭୂତିର କଥା କହିଛନ୍ତି । ତେବେ ଏହି ପ୍ରସଙ୍ଗରେ କେବଳ ଏହି ତିନିଜଣ କାହିଁକି, ବ୍ୟକ୍ତିଚେତନାକୁ ନେଇ ଲେଖିଥିବା ଗୋପୀନାଥଙ୍କ ପରବର୍ତ୍ତୀ ସବୁ ପ୍ରତିଭାବାନ୍‍ ଗାଳ୍ପିକ ଗୋପୀନାଥଙ୍କୁ ପଛରେ ପକାଇ ବେଶ୍‍ କିଛି ଆଗକୁ ମାଡ଼ି ଗଲେଣି । ଗୋପୀନାଥଙ୍କ ପରିଧିରୁ ବାହାରି ଯାଇ କୁଆଡ଼େ ନାଇଁ କୁଆଡ଼େ ପହଞ୍ଚି ଗଲେଣି । ଗୋପୀନାଥ ମଣିଷର ରୋମାଣ୍ଟିକ୍‍ ସତ୍ତା ଏବଂ ମନସ୍ତାତ୍ତ୍ୱିକ ସତ୍ତାଟିକୁ ବିଶ୍ଳେଷଣ କରି ଦେଖିଲେ । ଏବଂ ତା’ର ଅହଂ-ସଚେତନ ସତ୍ତାଟିକୁ ମଧ୍ୟ ପ୍ରତ୍ୟକ୍ଷ କରିଥିଲେ । ଏବଂ ଭାବରେ ବିଶେଷ ବିଶେଷ ସ୍ଥଳରେ ବ୍ୟକ୍ତି-ମଣିଷର ନିମ୍ନ ଓ ଊର୍ଦ୍ଧ୍ୱପ୍ରାଣ ସତ୍ତାଟିକୁ ମଧ୍ୟ ଆବିଷ୍କାର କରିଥିଲେ । ଖାଲି ଏତିକି ନୁହେଁ, ଯେତେ ଅପୂର୍ଣ୍ଣ ଭାବରେ ହେଉ ପଛେ–ଗୋପୀନାଥ ଅନେକ ଗଳ୍ପରେ ଏହି ମନସ୍ତାତ୍ତ୍ୱିକ ସୀମାକୁ ଅତିକ୍ରମ କରିବା ଲାଗି ପ୍ରୟାସ ମଧ୍ୟ କରିଥିଲେ । କିନ୍ତୁ ତେଣିକି ତାଙ୍କର ପ୍ରବେଶ ନଥିଲା । ସେ ଇଲାକାର ଆବଭାବ ସଙ୍ଗେ ତାଙ୍କର ପରିଚୟ ବି ନଥିଲା ।

 

ମାତ୍ର ତାଙ୍କର ପରବର୍ତ୍ତୀ ବିଶିଷ୍ଟ ଗାଳ୍ପିକମାନେ ମଣିଷକୁ ଆଉ ମନୋମୟ ବା ପ୍ରାଣମୟ ସତ୍ତାଟିଏ ମାତ୍ର ରୂପେ ଦେଖି ନାହାନ୍ତି । ସେମାନେ ବ୍ୟକ୍ତି ମଣିଷର ଚୈତ୍ୟସତ୍ତା (Psychic) ଆତ୍ମସତ୍ତା ବା ଅଧ୍ୟାତ୍ମସତ୍ତା ଏବଂ ତା’ର ବହୁ ବହୁ ଊର୍ଦ୍ଧ୍ୱସ୍ତରୀୟ ମନୋମୟ ଓ ପ୍ରାଣମୟ ସତ୍ତାର ନାନାଦି କ୍ରିୟା ଓ ଉପଲବ୍ଧିମାନ ସେମାନଙ୍କ ଗଳ୍ପଗୁଡ଼ିକ ଭିତରେ ବିଭିନ୍ନ ଆଙ୍ଗିକ, ଘଟଣା ଓ ଭାବାଶୈଳୀ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି । ପାଠକର ଚିତ୍ତକୁ କେବଳ ଦ୍ରୁତିଗୁଣରେ ଉସାପ୍ଳୁତ କରିନାହାନ୍ତି, ଦୀପ୍ତି-ଗୁଣରେ ମଧ୍ୟ ଦେଦୀପ୍ୟମାନ କରିଛନ୍ତି । ଗୋଟିଏ କଥାରେ କହିଲେ, ଗୋପୀନାଥଙ୍କ ପରବର୍ତ୍ତୀ ଗଳ୍ପିକମାନେ ତାଙ୍କଠାରେ ନିଜ ନିଜର ଋଣ ବିନୀତ ଭାବେ ସ୍ୱୀକାର କରି, ଚେତନା ଓ ଭାଷା ରାଜ୍ୟର ବହୁ ବହୁ ମୁଲକ ଜୟ କରିଛନ୍ତି । ସେ ସବୁ ସମ୍ବନ୍ଧେ ବିସ୍ତୃତ ଆଲୋଚନା ଆବଶ୍ୟକ ଏବଂ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ମଧ୍ୟ ଆବଶ୍ୟକ । ଏବଂ ଭବିଷ୍ୟତର ସମାଲୋଚକମାନେ ନିଶ୍ଚୟ ଏହି ଆଲୋକରେ ଗୋପୀନାଥ ଓ ତାଙ୍କର ପରବର୍ତ୍ତୀ ଗାଳ୍ପିକମାନଙ୍କୁ ନେଇ ଆଲୋଚନା କରିବେ । ଏବଂ ଭବିଷ୍ୟତର ବିଜ୍ଞ ଓ ବିଦଗ୍ଧ ଆଲୋଚକମାନଙ୍କୁ ମୋର ନିବେଦନ ଯେ ସେମାନେ ସ୍ଵାଧୀନତା ପର ଓଡ଼ିଆ କଥାସାହିତ୍ୟରେ ସମାଜଚେତନାକୁ ନେଇ ବା ଉଭୟ ଚେତନାକୁ ନେଇ ଯେଉଁ ଆତ୍ମକୈନ୍ଦ୍ରିକ ବା ବ୍ୟକ୍ତିକୈନ୍ଦ୍ରିକ ବାସ୍ତବବାଦୀ (Subjective Realism) ଗଳ୍ପ ଉପନ୍ୟାସମାନ ଲେଖା ଯାଇଛି ଏବଂ ଆମ କଥାସାହିତ୍ୟର ଉଷାଶୈଳୀରେ ଯେଉଁ ସ୍ଵାତନ୍ତ୍ର୍ୟ ଓ ବୈଚିତ୍ର୍ୟ ପରିଦୃଶ୍ୟମାନ ହୋଇଛି ସେ ସମ୍ବନ୍ଧେ ଯଥାର୍ଥଭାବେ ଅବହିତ ହୋଇ ସୂକ୍ଷ୍ମାତିସୂକ୍ଷ୍ମ ଆଲୋଚନା କରିବେ ।

 

ଭାଇସ୍‍ ପ୍ରିନ୍‌ସିପାଲ୍‌

ବି.ଜେ.ବି.ସାନ୍ଧ୍ୟକଲେଜ,

ଭୁବନେଶ୍ୱର

Image

 

ସଂକଳନ ସମ୍ପର୍କରେ

 

୧୪-୩-୮୧ ଓ ୧୫-୩-୮୧ ଦୁଇଦିନ ବ୍ୟାପୀ ଫୁଲବାଣୀଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘‘ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ’’ ବିଷୟକ ଏକ ଆଲୋଚନା-ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ର ଓଡ଼ିଶାର ପର୍ଯ୍ୟଟନ କ୍ରୀଡ଼ା ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁଗଳକିଶୋର ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏବଂ ଏହାର ସମସ୍ତ ଅଧିବେଶନରେ ଏକାଡେମୀର ସଭାପତି ଡଃ. ସଚ୍ଚିଦାନନ୍ଦ ରାଉତରାୟ ପୌରୋହିତ୍ୟ କରିଥିଲେ-। ଉଦ୍‌ଘାଟନ ଉତ୍ସବରେ ଯୋଗଦାନ କରି ଫୁଲବାଣୀର ଜିଲ୍ଲାପାଳ ଶ୍ରୀ କେ. ବିଶ୍ୱନାଥନ୍‌ ଆଲୋଚନା-ଚକ୍ର ଉପଲକ୍ଷେ ଫୁଲବାଣୀରେ ଉପସ୍ଥିତ ହୋଇଥିବା ବିଶିଷ୍ଟ ଲେଖକ ଏବଂ ଏକାଡେମୀ କର୍ତ୍ତୃପକ୍ଷଙ୍କୁ ସ୍ଵାଗତ ଜ୍ଞାପନ କରିଥିଲେ ।

 

ଏହି ଆଲୋଚନା ଚକ୍ରରେ ଯୋଗଦାନ କରି ପ୍ରବନ୍ଧ ପାଠ କରିଥିବା ଓଡ଼ିଶାର ନ’ଜଣ ବିଶିଷ୍ଟ ପ୍ରାବନ୍ଧିକଙ୍କର ପ୍ରବନ୍ଧ ଏହି ସଂକଳନରେ ପ୍ରକାଶ କରାଗଲା । ଅଧ୍ୟାପକ ଡଃ. କୃଷ୍ଣପ୍ରସାଦ ମିଶ୍ର ଏହି ଆଲୋଚନା ଚକ୍ରରେ ଯୋଗଦାନ କରି ‘‘ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପରେ ଶ୍ରମିକର ଚିତ୍ର’’ ବିଷୟକ ଏକ ପ୍ରବନ୍ଧର ସାରାଂଶ ପାଠ କରିଥିଲେ ମଧ୍ୟ ଅନିବାର୍ଯ୍ୟ କାରଣରୁ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରବନ୍ଧ ଯଥା ସମୟରେ ପ୍ରଦାନ କରିନଥିବାରୁ ତାହା ଏହି ସଂକଳନଭୁକ୍ତ କରାଯାଇ ପାରିନାହିଁ । ଏହି ଆଲୋଚନା ଚକ୍ରର ବିଭିନ୍ନ ଅଧିବେଶନରେ ଗଠିତ ପ୍ରବନ୍ଧଗୁଡ଼ିକ ସମ୍ପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରି ଏକାଡେମୀର ଉପ-ସଭାପତି ଅଧ୍ୟାପକ ରାଜକିଶୋର ରାୟ, ଅଧ୍ୟାପକ ମଧୁସୂଦନ କର, ମହାପାତ୍ର ନୀଳମଣି ସାହୁ ପ୍ରମୁଖ ଆଲୋଚନା ଚକ୍ରର ବାତାବରଣକୁ ମନୋଜ୍ଞ ଓ ହୃଦୟଗ୍ରାହୀ କରିଥିଲେ ଏବଂ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ଅର୍ଜ୍ଜୁନଚରଣ ସାମଲ ଓ ତବଲା ବାଦକ ଶ୍ରୀ ଉମେଶଚନ୍ଦ୍ର କର ୧୪।୩।୮୧ ଅପରାହ୍ନରେ ସଙ୍ଗୀତ ପରିବେଷଣ କରି ଏ ଅବସରରେ ଏ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ବିପୁଳ ସଂଖ୍ୟାରେ ସମବେତ ହୋଇଥିବା ଫୁଲବାଣୀ ବାସୀଙ୍କର ପ୍ରଶଂସା ଭାଜନ ହୋଇଥିଲେ, ସମସ୍ତ ସାହିତ୍ୟ ଏବଂ କଳକାରଙ୍କୁ ଏକାଡେମୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଯାଇଥିଲା ।

 

ଫୁଲବାଣୀର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ବିଶ୍ଵନାଥନ୍‍ ଏହି ଆଲୋଚନାଚକ୍ର ଆୟୋଜନରେ ଏକାଡେମୀ ସହିତ ଆନ୍ତରିକ ସହଯୋଗ କରିଥିବାରୁ ଏକାଡେମୀ ତାଙ୍କ ନିକଟରେ କୃତଜ୍ଞ ।

 

ଫୁଲବାଣୀସ୍ଥ ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଏହି ଆଲୋଚନାଚକ୍ର ଆୟୋଜନରେ ଏକାଡେମୀ ସହିତ ଘନିଷ୍ଠ ସହଯୋଗ କରିଥିବାରୁ ଏକାଡେମୀ ଏହି ଅନୁଷ୍ଠାନକୁ ସାଧୁବାଦ ଜ୍ଞାପନ କରୁଛି ।

 

କୈଳାଶ ବିହାରୀ ଦାସ

ସହ ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

Image